Unknown

 

 

 

 

 

 

 

 

ସିଂହାସନ

ମୂଳଲେଖା

ଆଚାର୍ଯ୍ୟ ଚତୁର ସେନ୍‍

 

ଅନୁବାଦକ

ସର୍ବେଶ୍ୱର ମିଶ୍ର

 

ଉତ୍ସର୍ଗ

 

ଓଡ଼ିଶାର ବୟୋଜ୍ୟେଷ୍ଠ ସାହିତ୍ୟିକ, ଐତିହାସିକ, ଗବେଷକ ରାଜନୀତିଜ୍ଞ ତଥା ଉତ୍କଳନିର୍ମାତା ପୂଜ୍ୟ ଡକ୍‌ଟର ହରେକୃଷ୍ଣ ମହତାବଙ୍କ କରକମଳରେ ମୋର ସାହିତ୍ୟିକ ଜୀବନର ପ୍ରଥମ ଅନୁବାଦ ପୁସ୍ତକ ‘‘ସିଂହାସନ’’କୁ ଗଭୀର ଶ୍ରଦ୍ଧା ଓ ସମ୍ମାନ ସହ ଅର୍ପଣ କଲି ।

 

ସର୍ବେଶ୍ୱର ମିଶ୍ର

ସୁନ୍ଦରଗଡ଼

☆☆☆

 

ପଦେଅଧେ

 

‘ସିଂହାସନ’ ପୁସ୍ତକଟି ହିନ୍ଦୀ ସାହିତ୍ୟ ସମ୍ରାଟ ଆଚାର୍ଯ୍ୟ ଚତୁରସେନ୍‌ଙ୍କ ଉପନ୍ୟାସ ‘ରେଜିୟା’ର ଓଡ଼ିଆ ରୂପାନ୍ତର । ମୋଗଲ ଶାସକ ଆଉରେଙ୍ଗଜେବ୍‌ଙ୍କ ଶାସନ କାଳର ଏକ ନିଛକ ପ୍ରତିଛବି । ମୋଗଲ ଶାସନ ବନାମ ହିନ୍ଦୁ ଶାସନ, ରେଜିୟା ସୁଲତାନର ଜନ୍ମରୁ ଯୌବନ ପର୍ଯ୍ୟନ୍ତ ତନ୍ନତନ୍ନ ଭାବରେ ସମସ୍ତ ବିଷୟ ବସ୍ତୁ ଏଥିରେ ସନ୍ନିବେଶିତ । ପୁସ୍ତକଟି ପାଠକ ତଥା ସମାଲୋଚକଙ୍କୁ ଆନନ୍ଦ ଦେଇପାରିଲେ ଅନୁବାଦକର ଶ୍ରମ ସାର୍ଥକ ହେବ ।

 

ଅନୁବାଦଟିକୁ ସମ୍ପୂର୍ଣ୍ଣ କରିବାକୁ ଅନେକ ଶ୍ରମ କରିବାକୁ ପଡ଼ିଛି । ଏ ଦିଗରେ ଡକ୍‌ଟର କ୍ଷେତ୍ରବାସୀ ନାୟକଙ୍କୁ ମୋର ହୃଦୟର ଗଭୀରତମ କୃତଜ୍ଞତା ଜ୍ଞାପନ କରୁଛି । ସ୍ୱର୍ଗତ ଲେଖକଙ୍କ ଅନୁଜ ଶ୍ରୀଯୁକ୍ତ ଚନ୍ଦ୍ରସେନ୍‌ ଏ ଦିଗରେ ତଥା ଏ ବହିର ସମୀକ୍ଷା ପତ୍ରପାଇଁ ଅନେକ ତଥ୍ୟ, ପୁସ୍ତକାଦି ଯୋଗାଇ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ । ବହିଟିର ମର୍ମାନୁବାଦ ଦିଗରେ ବାଲ୍ୟ ସହପାଠୀ ଚିତ୍ତରଞ୍ଜନ ହୋତା, ରାଜକୁମାର ଲାଲ, ବିକ୍ରମ ଦାଶଗୁପ୍ତ, ତଥା ବଡ଼ଭାଈ ଜିତ୍‌ବାବୁଙ୍କୁ କୃତଜ୍ଞତା ନ ଜଣାଇଲେ କର୍ତ୍ତବ୍ୟରେ ତ୍ରୁଟି ହେଲା ବୋଲି ଧରିନେବାକୁ ହେବ । କେବଳ ଏତିକି ନୁହେଁ, ସୁନ୍ଦରଗଡ଼ କଲେଜର ଲାଇବ୍ରେରିୟାନ୍‌ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପୁରୋହିତ ମଧ୍ୟ ଏ ଦିଗରେ କମ୍‌ ସାହାଯ୍ୟ କରିନାହାନ୍ତି । ତେଣୁ ସେ ମୋର ଚିରସ୍ମରଣୀୟ । ଏତଦ୍‌ବ୍ୟତୀତ ରେଭେନ୍‌ସା କଲେଜର ପ୍ରଫେସର୍ ଡକ୍‌ଟର ଜାନକୀ ବଲ୍ଲଭ ମହାନ୍ତି, ଡକ୍‌ଟର ଧନେଶ୍ୱର ମହାପାତ୍ର, ଡକ୍‌ଟର ଅସିତ୍‌ କବି ଓ ଅନ୍ୟାନ୍ୟ ପୂଜ୍ୟ ଅଧ୍ୟାପକଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧା ଓ ସମ୍ମାନ ଜଣାଉଅଛି ।

 

ବିଶେଷକରି ପ୍ରକାଶନ ଶ୍ରୀଯୁକ୍ତ ଜଗନ୍ନାଥ ରଥ ପୁସ୍ତକଟି ପ୍ରକାଶ କରି ଅନୁବାଦକର ଅନେକ ଦିନର ଆଶା ପୂରଣ କରିଛନ୍ତି । ପ୍ରଚ୍ଛଦପଟ୍ଟ ଶିଳ୍ପୀ ଶ୍ରୀଯୁକ୍ତ ଅସୀତ୍‌ ମୁଖାର୍ଜି ଏ ପୁସ୍ତକଟିର ପ୍ରଚ୍ଛଦପଟ୍ଟ ଆଙ୍କି ପୁସ୍ତକଟିକୁ ଜୀବନ୍ତ କରି ତୋଳିଛନ୍ତି । ତେଣୁ ସେମାନଙ୍କୁ ଅଶେଷ ଧନ୍ୟବାଦ ।

 

ଶେଷରେ ପୁସ୍ତକଟି ଜନାଦୃତ ହେବା ଦିଗରେ ବାଗ୍‌ଦେବୀ ସରସ୍ୱତୀଙ୍କୁ ସ୍ମରଣ କରି ରହୁଛି ।

 

।। ଇତି ।।

ସର୍ବେଶ୍ୱର ମିଶ୍ର

ସୁନ୍ଦରଗଡ଼

☆☆☆

 

ଏକ

 

ରାଜସିଂହାସନ ସାତପୁରୁଷ ପୂର୍ବେ ମେବାରର ରାଣା ସାଂଗା ରାଜତ୍ୱ କରୁଥିଲେ । ରାଣାସାଂଗା ସ୍ୱୀକାର କରୁଥିବା ସୁଲତାନ ମେହେମୁଦଲେଦୀଙ୍କ ସୈନ୍ୟ ଏବଂ ମାରଓ୍ୱାଡ଼ି, ଅମ୍ବର, ଗୋଆଲିଅର, ଆଜମୀର ଚନ୍ଦେରୀ ରାଜାମାନଙ୍କ ସମ୍ମିଳିତ ସେନାବାହିନୀ ନେଇ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବରଙ୍କ ସହିତ ନିର୍ଣ୍ଣୟାତ୍ମକ ଯୁଦ୍ଧରେ ମିଳିତ ହେବାପାଇଁ ଆଗ୍ରା ନିକଟସ୍ଥ ଖନୁଆ ନାମକ ଛୋଟିଆ ଗ୍ରାମର ପ୍ରାଙ୍ଗଣରେ ଏକତ୍ରିତ ହେଲେ ।

 

ରାଣା ସାଂଗାଙ୍କ ସୈନ୍ୟବାହିନୀରେ ୨୦ ହଜାର ସାମନ୍ତ, ସର୍ଦାର, ସେନାପତି ଏବଂ ବାହାଦୁର ଯୋଦ୍ଧାଙ୍କ ଅଧୀନରେ ୮୦ ହଜାର ଅଶ୍ୱାରୋହୀ, ୩୦ ହଜାର ପଦାତିକ ଏବଂ ପାଞ୍ଚଶହ ସୁଶିକ୍ଷିତ ଲଢ଼ୁଆ ହାତୀ ଥିଲେ । ରାଣାଙ୍କ ସୈନ୍ୟ ତୁଳନାରେ ବାବରଙ୍କ ସୈନ୍ୟ ସଂଖ୍ୟା ଅତି ଅଳ୍ପ ଥିଲା । ଯୁଦ୍ଧଭୂମିରେ ରାଣାଙ୍କର ବିପୁଳ ସୈନ୍ୟ–ସଜ୍ଜା ଦେଖି ବାବରଙ୍କ ଛୋଟିଆ ବାହିନୀ ଭୟରେ ଶିହରି ଉଠିଲେ । ଏହି ଘଟଣା ଦେଖି ବାବର ଚିନ୍ତିତ ହୋଇପଡ଼ିଲେ ମଧ୍ୟ ସେ ସାହସ ସଂଚୟ କରି ନିଜର ସେନାବାହିନୀକୁ ଉତ୍ସାହିତ କରିବାରେ ଲାଗିପଡ଼ିଲେ । ସେମାନଙ୍କ ସମ୍ମୁଖରେ ନିଜର ମଦ୍ୟ ପାତ୍ରଟିକୁ ଭାଙ୍ଗି ଚୂରମାର କରିଦେଇ ଭବିଷ୍ୟତରେ ଅନିଷ୍ଟକାରୀ–ମଦ ଆଉ ନ ପିଇବାକୁ ବଜ୍ର ଶପଥ କଲେ ଏବଂ ସିପାହୀମାନଙ୍କର ଅତୀତ–ରଣକୌଶଳକୁ ସ୍ମରଣ କରାଇ ସାଂପ୍ରତିକ ନିର୍ଣ୍ଣୟାତ୍ମକ ଯୁଦ୍ଧରେ ବିଜୟ ହାସଲ କରିବାକୁ ଆହ୍ୱାନ କଲେ । କୋରାନ୍‍ର ଦ୍ୱାହି ଦେଇ ସେ କହିଲେ–‘‘ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ, ଯିଏ ଦେଶପାଇଁ ଜୀବନ ଦିଏ ଖୋଦା ତାଙ୍କୁ ସ୍ୱର୍ଗରେ ସ୍ଥାନ ଦିଅନ୍ତି କିନ୍ତୁ ଦେଶପାଇଁ ପଛଘୁଞ୍ଚା ଦେବା ବ୍ୟକ୍ତି ଜ୍ୱଳନ୍ତ ଅଗ୍ନିରେ ନିକ୍ଷେପିତ ହୁଅନ୍ତି । ତେଣୁ ସ୍ୱର୍ଗ ଯିବାର ରାସ୍ତା କରିବାପାଇଁ ସମସ୍ତେ ବଦ୍ଧପରିକର ହେବା ।’’

 

ଏ ପ୍ରକାର ନିଜର ସେନାବାହିନୀକୁ ଉତ୍ସାହିତ କରିବା ବ୍ୟତୀତ ବାବର ନିଜର କୂଟନୀତି ମଧ୍ୟ ପ୍ରୟୋଗ କଲେ । ଦୂତ ପ୍ରେରଣ କରି ସେ ସାଂଗାଙ୍କ ନିକଟକୁ ସନ୍ଧି ପ୍ରସ୍ତାବ ଆଗତ କଲେ । ଏ ସନ୍ଧି ପ୍ରସ୍ତାବକୁ ବିଶ୍ୱାସ କରି ଏ ସମ୍ପର୍କରେ ଆଲୋଚନା ପାଇଁ ରାଣା ସାଂଗା ସାମନ୍ତ ଶିଳାଦିତ୍ୟଙ୍କୁ ନିଯୁକ୍ତ କଲେ । ସନ୍ଧି–ଚର୍ଚ୍ଚାପାଇଁ ଗୋଟିଏ ମାସ ସମୟ ଲାଗିଗଲା ଏବଂ ଏଇ ଅବସରରେ ବାବର ନିଜର ସୈନ୍ୟସାମନ୍ତ ପ୍ରସ୍ତୁତ କରି ନିଜକୁ ସୁଦୃଢ଼ କରିନେଲେ । ରାଜପୁତମାନେ ପ୍ରଥମରୁ ଅନେକ ଉତ୍ସାହ–ଉଦ୍ଦୀପନା ସହ ଯୁଦ୍ଧପାଇଁ ପ୍ରସ୍ତୁତଥିଲେ, ମାତ୍ର ସନ୍ଧି ପ୍ରସ୍ତାବ ଶୁଣି ସେମାନେ ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିଥିବାରୁ ସେମାନଙ୍କ ପୂର୍ବ ଉତ୍ସାହ ଆଉ ନଥିଲା । ଏ ସମୟର ସଦୁପଯୋଗ କରି ବାବର ଦିନେ ହଠାତ୍‌ ଆକ୍ରମଣ କରିଦେଲେ । ବାବରଙ୍କ ସାତ ଶହ ତୋପ ରାଜପୁତ ବିଶାଳ ବାହିନୀକୁ ଖିନ୍‌ଭିନ୍‌ କରିଦେଲା । ମୋଗଲ ସୈନ୍ୟମାନେ ‘ଅଲଫ୍‌ତହ’ ଧ୍ୱନି ଦେଇ ରାଜପୁତମାନଙ୍କ ଉପରକୁ ଝାମ୍ପି ପଡ଼ିଲେ, ସେହିପରି ରାଜପୁତ ସୈନ୍ୟମାନେ ‘ହରହର ମହାଦେବ’ ଧ୍ୱନି ଦେଇ ମୋଗଲ ସୈନ୍ୟମାନଙ୍କୁ ହାଣିବାରେ ଲାଗିଗଲେ । ବାବରଙ୍କ ଶୃଙ୍ଖଳାବଦ୍ଧ ଏବଂ ଯୋଜନାବଦ୍ଧ ଯୁଦ୍ଧ ଭଳି ରାଜପୁତମାନେ ଲଢ଼ୁ ନଥିଲେ, ତେଣୁ ଏଇ ଯୁଦ୍ଧ ବେଶୀ କାଳ ପର୍ଯ୍ୟନ୍ତ ନଲାଗି ବନ୍ଦ ହୋଇଗଲା । ଏହି ଯୁଦ୍ଧରେ ରାଜପୁତମାନେ ପରାସ୍ତ ହେଲେ । ରାଜପୁତ ସୈନ୍ୟଗଣ ରାଣା ସାଂଗାଙ୍କୁ ନେଇ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ । ଏହି ପରାଜୟରେ କ୍ଷୁବ୍ଧ ଏବଂ ମର୍ମାହତ ହୋଇ ସାଂଗା ଦୁଇବର୍ଷ ପରେ ପରଲୋକ ଗମନ କଲେ ।

 

ଏହା ପୂର୍ବରୁ ବାବର ପାନୀପଥ ଯୁଦ୍ଧ ମଧ୍ୟ ଜୟ କରିସାରିଥିଲେ । ପାନୀପଥ ଯୁଦ୍ଧରେ ଦିଲ୍ଲୀ ସୁଲତାନ ଏବଂ ଖନୁଆ ଯୁଦ୍ଧରେ ବୀର ରାଜପୁତ ଭଳି ଦୁଇ ଶକ୍ତିକୁ ପରାସ୍ତ କଲାପରେ ଭାରତରେ ବର୍ତ୍ତମାନ ତାଙ୍କର ସମଯୋଦ୍ଧା ଆଉ କେହି ନଥିଲେ । ଅପ୍ରତିଦ୍ୱନ୍ଦ୍ୱୀ ହୋଇ ବାବର ଦିଲ୍ଲୀ ସିଂହାସନ ଆରୋହଣ କଲେ । ଖନୁଆ–ଯୁଦ୍ଧ ଯୁଦ୍ଧ ଇତିହାସରେ ଉଲ୍ଲେଖନୀୟ ଅଟେ । ଯଦି ରାଜପୁତମାନେ ନିପୁଣତାର ସହ ଯୁଦ୍ଧ କରି ମୋଗଲମାନଙ୍କୁ ପରାସ୍ତ କରିଥାନ୍ତେ ତେବେ ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପଡ଼ିପାରି ନଥାନ୍ତା । ଖନୁଆ–ଯୁଦ୍ଧରେ ପରବର୍ତ୍ତୀ ତିରିଶବର୍ଷ ପର୍ଯ୍ୟନ୍ତ ରାଜପୁତମାନେ ଆଉ କୌଣସି ଯୁଦ୍ଧ କରିପାରିଲେ ନାହିଁ ।

 

୧୫୨୮ ମସିହାରେ ହୋଇଥିବା ଖାନୁଆଯୁଦ୍ଧ ପରେ ବାବରଙ୍କ ତୃତୀୟ ବଂଶଧର ଆକବର ଏବଂ ରାଣା ସାଂଗାଙ୍କର ତୃତୀୟ ବଂଶଧର ମହାରଣା ପ୍ରତାପଙ୍କ ମଧ୍ୟରେ ଯୁଦ୍ଧ ହେଲା । କିନ୍ତୁ ଆକବରଙ୍କ ପୁତ୍ର ଖୁରିମ (ଶାହାଜାହାନ)ଙ୍କ ଉଦାର ନୀତି ଯୋଗୁଁ ମେବାର–ପତିଙ୍କୁ ଅଜେୟ ଶାସକରୂପେ ସ୍ୱୀକାର କରିନେବା ସଙ୍ଗେ ସଙ୍ଗେ ତାଙ୍କୁ ଦିଲ୍ଲୀ ଦରବାରୀ ତାଲିକାରୁ ବାଦ ଦେଇଥିଲେ । ଜାହାଙ୍ଗୀରଙ୍କ ଏତାଦୃଶ କାର୍ଯ୍ୟକଳାପ ଯୋଗୁଁ ରାଜପୁତମାନେ ମୋଗଲଙ୍କ ବିରୁଦ୍ଧରେ ଆଉ ସ୍ୱର–ଉତ୍ତୋଳନ କଲେନାହିଁ । କିନ୍ତୁ ପୁନଶ୍ଚ ବାବରଙ୍କ ଷଷ୍ଠ ବଂଶଧର ତଥା ଉତ୍ତରାଧିକାରୀ ଆଉରଙ୍ଗଜେବ୍‌ ଓ ରାଣାସାଂଗାଙ୍କର ସପ୍ତମ ବଂଶଧର ରାଣାରାଜସିଂହ, ମେବାରଧିପତି ଅଜିତସିଂହଙ୍କ ମଧ୍ୟରେ ପ୍ରବଳ ବିଦ୍ରୋଦ ଦେଖାଗଲା । ଏହି ବିଦ୍ରୋହ ସକାଶେ ବାବରଙ୍କ ଦ୍ୱାରା ୧୫୨୮ ମସିହାରେ ସ୍ଥାପିତ ହୋଇଥିବା ମୋଗଲ ସାମ୍ରାଜ୍ୟର ମୂଳଦୁଆ ୧୬୫୭ ମସିହାରେ ଦୋହଲି ଯାଇ ୧୮୫୭ ମସିହାରେ ସମୂଳେ ଲୋପ ପାଇଗଲା ।

 

ମହାରାଣା ରାଜସିଂହ ରାଜପୁତନାର ନୀତି କୁଶଳ ଶାସକ ଥିଲେ । ନିସ୍ତେଜ ରାଜପୁତ ଶକ୍ତିକୁ ପାଥେୟ କରି ନିଜର ଆତ୍ମଶକ୍ତି ଓ ସାଧାରଣ ସତ୍ତାଦ୍ୱାରା ପ୍ରବଳ ପ୍ରତାପୀ ଆଉରଙ୍ଗଜେବଙ୍କୁ ଚତୁରତାର ସହିତ ମୁକାବିଲା କଲେ । ରାଜସିଂହ ଅସ୍ତପ୍ରାୟ ରାଜପୁତ ଶକ୍ତିକୁ ନିଜର ପରାକ୍ରମଦ୍ୱାରା ପୁନଶ୍ଚ ଜୀବିତ କରି ଗଢ଼ି ତୋଳିଲେ । ଏହାଙ୍କ ପରାକ୍ରମ ଓ ପ୍ରତିଷ୍ଠା ଆଉରଙ୍ଗଜେବଙ୍କ ହିନ୍ଦୁ ମନ୍ଦିର ଧ୍ୱଂସପାଇଁ ବୃଦ୍ଧି ପାଉଥିବା ସଇତାନି ମନୋବୃତ୍ତିକୁ ପ୍ରତିରୋଧ କଲା । ତାଙ୍କରି ସହାୟତା ଓ ଆଶ୍ରୟ ପାଇ ରାଠୋରମାନେ ବିପତ୍ତି ସାଗରରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ମୋଗଲ ସାମ୍ରାଜ୍ୟର ଭାଗ୍ୟଶେଷରେ ରାଜସିଂହଙ୍କ ହାତର ଖେଳନା ହେଲା । ପରପାଇଁ ଅନେକ ବଡ଼ବଡ଼ ରାଜନୈତିକ ବିପତ୍ତି ନିଜ ଉପରକୁ ମୁଣ୍ଡାଇ ନେଇ ରାଜସିଂହ ଦୁଃସାହସିକତାର ପରିଚୟ ଦେଇଛନ୍ତି । ଆଉରଙ୍ଗଜେବଙ୍କ ନିକଟକୁ ଲିଖିତ ପ୍ରସିଦ୍ଧ ତଥା ଦୁଃସାହସିକ ପତ୍ର ତାଙ୍କର ବୀରତ୍ୱ ତଥା ଓଜ ଗୁଣର ପରିଚାୟକ ଅଟେ । ଏଇ ହିନ୍ଦୁ–ପ୍ରତିନିଧି ରାଜସିଂହ ହିନ୍ଦୁଙ୍କ ମଧ୍ୟରେ ଅପ୍ରତିମ ଥିଲେ ଏବଂ ତାଙ୍କପାଇଁ, ତାଙ୍କରି ବ୍ୟକ୍ତିତ୍ୱଦ୍ୱାରା ମୁମୂର୍ଷୁ ହିନ୍ଦୁମାନଙ୍କଠାରେ ପ୍ରାଣର ସଞ୍ଚାର ହୋଇଥିଲା । କହିବା ବାହୁଲ୍ୟ ଯେ ଆଧୁନିକ ଉଦୟପୁରର ସୁପ୍ରତିଷ୍ଠିତ ଓ ସୃଦୁଢ଼ ସିଂହାସନ ପାଇଁ ରାଜସିଂହହିଁ ଅନେକାଂଶରେ ଦାୟୀ ଅଟନ୍ତି ।

 

ରାଣା ରାଜସିଂହା ସନ ୧୬୨୯ ସେପ୍‌ଟେମ୍ବର ୨୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଓ ସନ ୧୬୫୨ ଅକ୍‌ଟୋବର ୧୦ ତାରିଖ ଦିନ ତେଇଶବର୍ଷ ବୟସରେ ସିଂହାସନ ଗ୍ରହଣ କରିଥିଲେ । ଏହି ବର୍ଷ ଶ୍ରୀ ଏକଲିଙ୍ଗେଶ୍ୱରଙ୍କ ନିକଟରେ ତାଙ୍କ ସମତୁଲ ରତ୍ନଦାନ ସମଗ୍ର ଭାରତ ଇତିହାସରେ ଏକମାତ୍ର ଉଦାହରଣ । ୧୬୫୩ ମସିହା ଫେବୃୟାରୀ ୪ ତାରିଖ ଦିନ ତାଙ୍କର ରାଜ୍ୟାଭିଷେକାତ୍ସବ ଅନୁଷ୍ଠିତ ହେଲା ଏବଂ ସେ ତାଙ୍କ ସମତୁଲ ରୁପାଦାନ ଦେଲେ । ଏହି ଅବସରରେ ତାଙ୍କୁ ଶାହାଜାହାନ ରାଣା–ପଦବୀ, ୫ ହଜାର ଜାଠ, ୫ ହଜାର ସବାରୀ ଦେଇ ଏହା ସହିତ ମନସବୀ କ୍ଷମତା ଦେଇ (ମୁନ୍‍ସିଫ୍‌ ବା ମାଜିଷ୍ଟ୍ରେଟ କ୍ଷମତା ଦେଇ) ଯୋଡ଼ ତରବାରି, ହାତୀ, ଘୋଡ଼ା ଆଦି ପ୍ରେରଣ କଲେ ।

 

ରାଣା ରାଜସିଂହଙ୍କର କୃତିମାନଙ୍କ ମଧ୍ୟରେ ଷୋହଳଟି ଗ୍ରାମର ସୀମା ପରିମିତ ରାଜସମୁଦ୍ର ବିଖ୍ୟାତ ଅଟେ । ବିବାହପାଇଁ ଜେସଲମେଲ ଯିବା ସମୟରେ ନଦୀର ସ୍ରୋତପାଇଁ ତାଙ୍କୁ ଦୁଇତିନି ଦିନ ଅଟକି ଯିବାକୁ ପଡ଼ିବା ହେତୁ ସେ ଉକ୍ତ ନଦୀକୁ ବାନ୍ଧି ଦେଇ ପୁଷ୍କରିଣୀ ଗଢ଼ି ତୋଳିବାର ସିଦ୍ଧାନ୍ତ କଲେ । କୁଅଁର ସର୍ଦାର ସିଂହଙ୍କ ମାତା ନିଜ ପୁତ୍ରକୁ ରାଜା କରିବା ସକାଶେ ଜ୍ୟେଷ୍ଠ କୁମାର କୁଅଁର ସୁଲତାନ ସିଂହଙ୍କୁ ହତ୍ୟା କରିବାକୁ ନାନାଦି ପ୍ରପଞ୍ଚ କରୁଥିଲେ । ସେ ରାଣା ରାଜସିଂହଙ୍କୁ ପ୍ରରୋଚିତ କରି ସୁଲତାନ ସିଂହଙ୍କ ଉପରେ ରାଣାଙ୍କର ମିଥ୍ୟା ସନ୍ଦେହ ଜାତ କଲେ । ତେଣୁ ରାଣା କୁଅଁର ସୁଲତାନ ସିଂହଙ୍କୁ ବଧ କଲେ । ପୁଣି ସେଇ ରାଣୀ ଜଣେ ପୁରୋହିତଙ୍କୁ ପତ୍ର ଲେଖି ରାଣୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କଲେ ମାତ୍ର ଏ ସମସ୍ତ ରହସ୍ୟ ଉଦ୍‌ଘାଟିତ ହୋଇଯିବାରୁ ରାଣା ଉଭୟ ରାଣୀ ଓ ପୁରୋହିତଙ୍କୁ ହତ୍ୟା କଲେ । ଏଇ ଘଟଣାରେ କୁଅଁର ସର୍ଦାର ସିଂହ ବିଷଖାଇ ଆତ୍ମହତ୍ୟା କଲେ । ଏ ସମସ୍ତ ଘଟନାବଳିରେ କ୍ଷୁବ୍ଧ ଓ ଦୁଃଖିତ ରାଣା ନିଜ କୃତକର୍ମର ପ୍ରାୟଶ୍ଚିତ୍ତ ପାଇଁ ବ୍ରାହ୍ମଣମାନଙ୍କ ପରାମର୍ଶ ନେବାରୁ ଗୋଟିଏ ପୁଷ୍କରିଣୀ ନିର୍ମାଣପାଇଁ ବ୍ରାହ୍ମଣମାନେ ପ୍ରସ୍ତାବ ଦେଲେ । ସନ ୧୬୬୫ ଅପ୍ରେଲ ୧୮ ତାରିଖରେ ପୁରୋହିତ ଗରିବ ଦାସଙ୍କ ପୁତ୍ର ରଣଛୋଡ଼ ରାୟଙ୍କ ହାତରେ ପଞ୍ଚରତ୍ନ ସହ ପୁଷ୍କରିଣୀର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଏବଂ ସନ ୧୬୬୧ ଜୁନ୍‌ ୩୦ ତାରିଖ ଦିନ ନୌକାର ଶୁଭଲଗ୍ନ ସ୍ଥିର କରାଗଲା । ସନ ୧୬୬୪ରେ ଲାହୋର, ଗୁଜରାଟ ଏବଂ ସୁରଟ୍‌ ନିର୍ମିତ ଜାହାଜ ଛଡ଼ାଗଲା ଏବଂ ୧୬୭୬ ଜାନୁୟାରୀ ୧୪ ତାରିଖ ଦିନ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେଲା । ଅଷ୍ଟମୀ ଦିନ ରାଣା ଉପବାସ ବ୍ରତପାଳନ କରି ଶରୀରଶୁଦ୍ଧି ପ୍ରାୟଶ୍ଚିତ୍ତ କଲେ ଏବଂ ନବମୀ ଦିନ ଭାଈବିରାଦରମାନଙ୍କୁ ଡକାଇ ପୁରୋହିତ ଗରିବ ଦାସ ସହିତ ମଣ୍ଡପରେ ପ୍ରବେଶ କରି ପୂଜା ଆରମ୍ଭକଲେ । ସେଦିନ ଏକାଗ୍ରଚିତ୍ତରେ ରାତ୍ରଜାଗର ରହି ପରଦିନ ପଦଯାତ୍ରା କରି ପଞ୍ଚମ ଦିନ ମଧ୍ୟରେ ୧୪କୋଶ ବାଟ ପରିକ୍ରମା କଲେ । ପୂର୍ଣ୍ଣିମାଦିନ ପୂର୍ଣ୍ଣାହୂତି ଦେବା ସଙ୍ଗେ ସଙ୍ଗେ ନିଜ ନାତି ଅମର ସିଂହଙ୍କ ସମତୁଲ ସ୍ୱର୍ଣ୍ଣଦାନ କଲେ । ଏହି ତୁଳାଦାନରେ ୧୨୦୦୦ ତୋଳା ସ୍ୱର୍ଣ୍ଣ ଆବଶ୍ୟକ ହୋଇଥିଲା । ଏହି ଉତ୍ସବରେ ଗରିବ ଦାସଙ୍କୁ ୧୨ଟି ଗ୍ରାମ ଏବଂ ଅନ୍ୟ ବ୍ରାହ୍ମଣମାନଙ୍କୁ ଗ୍ରାମ, ଜମି, ସୁନାରୁପା ଏବଂ ଶିରପାଗାଦି ଦାନ ଦେଲେ । ଏତଦ୍‍ବ୍ୟତୀତ ପଣ୍ଡିତ, ଚାରଣ, ଭାଟମାନଙ୍କୁ ୫୫୨ଟି ଘୋଡ଼ା, ୧୩ଟି ହାତୀ, ତଥା ଶିରୋପାଗ ଦେଲେ ଏବଂ ମୁଖ୍ୟ ଶିଳ୍ପୀମାନଙ୍କୁ ପନ୍ଦର ହଜାର ଟଙ୍କା ନଗଦ, ଅନ୍ୟ ଚାରଣମାନଙ୍କୁ ଘୋଡ଼ା ଦାନ ଦିଆଯାଇଥିଲା । ଏହି ଉତ୍ସବରେ ଯୋଧପୁର ରାଜା ଯଶୋବନ୍ତ ସିଂହ ରାଠୋର, ଆମୀର ରାଜା ରାମସିଂହ କଚ୍ଛବା, ବୁନ୍ଦୀର ରାୟ ଭାବସିଂହ ହାଡ଼ା, ବିକାନୀର ରାଜା ଅନୁପ ସିଂହ, ରାମପୁର ଚନ୍ଦ୍ରମଣି ମହକମ ସିଂହ, ଜେସଲ ମେର ରାଉଳ, ଅମର ସିଂହ ଡୋଙ୍ଗରପୁର ରାଉଳ, ଯଶୋବନ୍ତ ସିଂହ, ରିଓ୍ୱାଁର ରାଜା ଭାବସିଂହଙ୍କ ନିକଟକୁ ଗୋଟିଏ ଗୋଟିଏ ହାତୀ ଯୋଡ଼ିଏ ଲେଖାଏଁ ଘୋଡ଼ା ଏବଂ ଜରିଦିଆ ପାଗ ପ୍ରେରଣ କରାଯାଇଥିଲା । ବାହାରୁ ଆସିଥିବା ପ୍ରାୟ ୪୬ ହଜାର ବ୍ରାହ୍ମଣ ଦର୍ଶକ ଏବଂ ନିମନ୍ତ୍ରିତ ଅତିଥିଙ୍କୁ ଭୋଜନ ଓ ବସ୍ତ୍ରଦାନଦ୍ୱାରା ଆପ୍ୟାୟିତ କରାଯାଇଥିଲା । ଏଇ ପୁଷ୍କରିଣୀ ନିର୍ମାଣପାଇଁ ୧୦୫୦୭୬୦୮ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ନୌଚୋକୀ ନାମକ ବନ୍ଧ ଉପରେ ୧୫ଟି ବଡ଼ବଡ଼ ଶିଳାରେ ଖୋଦିତ ହୋଇଥିବା ୧୫ ସର୍ଗ ରାଜ ପ୍ରଶସ୍ତି ଭାରତରେ ସର୍ବ ବୃହତ୍‌ ଶିଳାଲେଖ ଅଟେ । ଏ ପୁଷ୍କରିଣୀ ବ୍ୟତୀତ କ୍ରୀଡ଼ାଦ୍ୟାନ, ବଗିଚା ଥିବା ଋତୁ ବିଳାସ ନାମକ ଗୋଟିଏ ମହଲ କୁଅଁର ପଦାରେ ନିର୍ମିତ ହୋଇଥିଲା । ଏତଦ୍‍ବ୍ୟତୀତ ରାଣା ଦେଉଳଘାଟର କବାଟ ଉଦୟପୁରର ଅମ୍ବାମାତାଙ୍କ ମନ୍ଦିର, ରଙ୍ଗସାଗର ପୁଷ୍କରିଣୀ, କାଙ୍କରୋଲୀର ଦ୍ୱାରିକାଧୀଶ ମନ୍ଦିର ଏବଂ ଏକଲିଙ୍ଗେଶ୍ୱର ନିକଟସ୍ଥ ଇନ୍ଦ୍ରସରର ପୁରୁଣାବନ୍ଧ ସ୍ଥାନରେ ନୂଆ ବନ୍ଧ ସ୍ଥାପନ କରିଥିଲେ ।

 

ରାଜସିଂହ ଗାଦି ଉପରେ ବସୁ ବସୁ ଚିତୋର ଦୁର୍ଗର ମରାମତ କାର୍ଯ୍ୟ ଆରମ୍ଭ କରିଦେଲେ । ସମ୍ବାଦ ପାଇ ଶାହାଜାହାନ ବାହାରେ ଆଜମୀର ଖ୍ୱାଜାଙ୍କ ନିକଟକୁ ଆସି ଅବଦଲ୍‌ବେଗ୍‌ଙ୍କୁ ଦୁର୍ଗ–ମରାମତି ଅନୁଧ୍ୟାନ କରିବାପାଇଁ ପଠେଇ ଦେଲେ । ପଶ୍ଚିମ ଦିଗର ସାତଟି ଗବାକ୍ଷ ମରାମତ ସରିବା ସଙ୍ଗେ ସଙ୍ଗେ କେତୋଟି ନୂତନ ଦରଦା ନିର୍ମିତ ହୋଇଥିବା ଏବଂ ଗଢ଼ି ହେଉଥିବା ସ୍ଥାନମାନଙ୍କରେ ବିଶାଳ ପ୍ରାଚୀର ନିର୍ମାଣ ହୋଇଥିବା ସମ୍ବାଦ ପାଇ ବାଦଶାହ ସାଦୁଲଖାଁ ଉଶାର ଆଲ୍ଲାଙ୍କୁ ତିରିଶ ହଜାର ସୈନ୍ୟ ଦେଇ ସମଗ୍ର ଦୁର୍ଗକୁ ନଷ୍ଟ କରିଦେବା ଉଦ୍ଦେଶ୍ୟରେ ପ୍ରେରଣ କଲେ । ଯୁଦ୍ଧ କରିବା ଉଚିତ ମନେ ନକରି ରାଣା କ୍ଷମା ମାଗି ନେଇ ପାଟକୁମାର ସୌଭାଗ୍ୟ ସିଂହଙ୍କୁ ବାଦଶାହଙ୍କ ନିକଟକୁ ପଠାଇଲେ । ବାଦଶାହ ପାଟକୁମାରଙ୍କୁ ଛଅଦିନ ଅତିଥି ରଖି ହାତୀ, ଘୋଡ଼ା, ଶିରୋପାଗ ଦେଇ ବିଦାୟ କଲେ । ଶାହାଜାହାନ ରୋଗଗ୍ରସ୍ତ ହେବାରୁ ସିଂହାସନର ଉତ୍ତରାଧିକାରୀ ହେବାପାଇଁ ଶାହାଜାଦାମାନଙ୍କ ମଧ୍ୟରେ ଗୋଳମାଳ ଓ ଦ୍ୱନ୍ଦ୍ୱ ଦେଖାଦେଲା । ଇତ୍ୟବସରରେ ରାଣା ନିଜର ପୁରୁଣା ପ୍ରଗଣାମାନ ଅଧିକାର କରିନେଲେ । ସାଦୁଲାଖାଁଙ୍କ ସଙ୍ଗେ ଆସିଥିବା ସର୍ଦାରମାନଙ୍କୁ ଗୋଟି ଗୋଟି କରି ମଧ୍ୟ ଦଣ୍ଡ ଦିଆଗଲା । ସମୁନଗର ଯୁଦ୍ଧରେ ଶାହାଜାହାନଙ୍କ ପୁତ୍ର ଦାରାଙ୍କ ଭାଗ୍ୟଚକ୍ର ଓଲଟି ଯିବାରୁ ସେ ଯୁଦ୍ଧରେ ପରାସ୍ତ ହେଲେ ଏବଂ ଶାହାଜାହାନଙ୍କୁ ବନ୍ଦୀ କରି ପୁତ୍ର ଆଉରଙ୍ଗଜେବ ଦିଲ୍ଲୀ ସିଂହାସନ ଆରୋହଣ କଲେ । ଗାଦିରେ ବସିବା ପରେ ପରେହିଁ ସେ ରାଣାଙ୍କର ପଦୋନ୍ନତି କରିଦେଲେ । କେବଳ ଏତିକି ନୁହେଁ, ସେ ତାଙ୍କୁ ୬ ହଜାର ସବାରୀ, ୫ ଲକ୍ଷ ଟଙ୍କା, ଗୋଟିଏ ହସ୍ତୀ ଓ ଗୋଟିଏ ହସ୍ତିନୀ ପ୍ରେରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ପ୍ରଗଣା ମଧ୍ୟରୁ କେତେକ ପ୍ରଗଣା ସ୍ୱାଧୀନ କରିଦେଲେ । ଆଉରଙ୍ଗଜେବଙ୍କ ଏ ପ୍ରକାରରେ ତରଳି ଯାଇ ଏବଂ ତାଙ୍କର କୂଟନୀତି ରାଣା ବୁଝିନପାରି ଆଉ ଦାରାଙ୍କୁ ସାହାଯ୍ୟ ନକରି ଆଉରଙ୍ଗଜେବଙ୍କୁ ସମର୍ଥନ କଲେ । ଶିରୋହୀରେ ଶରଣ ନେଲା ପରେ ଦାରା ରାଣାଙ୍କ ନିକଟକୁ ଗୋଟିଏ କରୁଣ ପତ୍ର ଲେଖିଥିଲେ । ଯଦି ସେ ସମୟରେ ରାଣା ଏବଂ ରାଠୋର ଯଶୋବନ୍ତ ସିଂହ ମିଳି ଦାରାଙ୍କୁ ସହାୟତା କରିଥାଆନ୍ତେ ତାହାହେଲେ ଭାରତ ଇତିହାସର ଗତି ଆଉ ଅନ୍ୟ କିଛି ହୋଇଥାନ୍ତା ।

 

ଏକପକ୍ଷରେ ରାଣା ନିଜର ଭିତିରି ସଙ୍ଗଠନରେ ଲାଗିପଡ଼ିଲାବେଳେ ଅପରପକ୍ଷରେ ଆଉରଙ୍ଗଜେବ ନିଷ୍କଣ୍ଟକ ହୋଇ ନିଜର ହସ୍ତପାଦ ପ୍ରସାରଣ କରିବାରେ ଲାଗିପଡ଼ିଲେ । ଆଉରଙ୍ଗଜେବଙ୍କର ମୌଲାବୃତ୍ତି ଏବଂ ପକ୍ଷପାତ ପୂର୍ଣ୍ଣ ଶାସନ ତଥା ପିତା–ପରିବାର ପ୍ରତି କରିଥିବା ଅନ୍ୟାୟ ଓ ଦୁର୍ବ୍ୟବହାର ଯୋଗୁଁ ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିବା ସଙ୍ଗେ ସଙ୍ଗେ ଘଟଣା ଚକ୍ରରେ ରାଜସିଂହ ବାଦଶାହଙ୍କ କୋପଭାଜନ ହୋଇପଡ଼ିଲେ ଏବଂ ପରିସ୍ଥିତି ତାଡ଼ନାରେ ରାଜସିଂହ ବଡ଼ବଡ଼ ଅପରାଧ ତଥା ଭୁଲ୍‌ କରିବାକୁ ବାଧ୍ୟ ହେଲେ ।

 

ଦୁଇ

 

ଚିତୋର ଦୁର୍ଗ ପ୍ରାଙ୍ଗଣରେ ରାଣାରାଜସିଂହ ନିଜର ସର୍ଦାରମାନଙ୍କ ସହିତ ଛିଡ଼ା ହୋଇ କଥାବାର୍ତ୍ତା କରୁଥିଲେ । ଆଉରଙ୍ଗଜେବ ମୁରାଦଙ୍କୁ ବନ୍ଦୀ କରିବା ଏବଂ ଦାରା ପରାସ୍ତ ହେବାର ସୂଚନା ପାଇ ମହାରାଣା ପ୍ରଶ୍ନ କଲେ–‘‘ସମୁନଗର ଯୁଦ୍ଧରେ ମୁରାଦ ଓ ଆଉରଙ୍ଗଜେବ ମିଳିତ ସେନା ଦାରାଙ୍କୁ ପରାସ୍ତ କରିବା ସମ୍ୱାଦ କ’ଣ ସତ୍ୟ ଅଟେ ?’’

‘‘ହଁ ମହାରାଜ’, ଏହାପରେ ଆଉରଙ୍ଗଜେବ କୌଶଳରେ ମୁରାଦଙ୍କୁ ବନ୍ଦୀ କରି ସଲିମଗଡ଼କୁ ପଠାଇଦେବା ସଙ୍ଗେ ସଙ୍ଗେ ବୃଦ୍ଧ ପିତା ବାଦଶାହା ଶାହାଜାହାନଙ୍କୁ ଆଗ୍ରା ଦୁର୍ଗରେ ବନ୍ଦୀକରି ରଖିଛନ୍ତି ।’’

‘‘ଦାରା ବର୍ତ୍ତମାନ କେଉଁଠାରେ ?’’

‘‘ସେ ପ୍ରଥମେ ପଞ୍ଜାବ ଚାଲି ଯାଇଥିଲେ ମାତ୍ର ଆଉରଙ୍ଗଜେବ ତାଙ୍କ ପିଛା ନ ଛାଡ଼ିବାରୁ ସେ କଚ୍ଛ ଗୁଜରାଟ ବାଟ ହୋଇ ବର୍ତ୍ତମାନ ଶିରୋହୀରେ ଅଛନ୍ତି ଏବଂ ସେଠାରୁ ହଜୁରଙ୍କ ନାମରେ ଗୋଟିଏ ଚିଟାଉ ପଠାଇଛନ୍ତି ।’’

‘‘ସେଥିରେ କ’ଣ ଲେଖିଛନ୍ତି ?’’

ଲେଖିଛନ୍ତି–‘ଆମେ ସଦାବେଳେ ରାଜପୁତମାନଙ୍କ ଉପରେ ନିଜର ସମ୍ମାନ ନ୍ୟସ୍ତ କରି ଆସିବା ସଙ୍ଗେ ସଙ୍ଗେ ତାଙ୍କର ଆତିଥ୍ୟ ଗ୍ରହଣ କରି ଆସିଛୁ । ଆପଣ ରାଜପୁତମାନଙ୍କର ସର୍ଦାର-। ଏଣୁ ବୃଦ୍ଧପିତାଙ୍କୁ ବନ୍ଦୀରୁ ମୁକ୍ତ କରିବାପାଇଁ ଆମେ ଆପଣଙ୍କର ସାହାଯ୍ୟ ଭିକ୍ଷା କରୁଁ-।’

 

‘‘ଅଭାଗା ଦାରା’ । –ଆଉରଙ୍ଗଜେବ୍‌ର ଖବର କ’ଣ ?’’

 

ପଞ୍ଜାବ ବାଟରେ ଦାରାଙ୍କୁ ଅନୁସରଣ କଲାବେଳେ ଗୋଟିଏ ସଂକେତ ପଠେଇ ଆଉରଙ୍ଗଜେବ ହଜୁରଙ୍କର ପଦୋନ୍ନତି କରି ୬ ହଜାର ଜାଠ, ୬ ହଜାର ସବାରୀ, ୫ ଲକ୍ଷ ଟଙ୍କା, ଗୋଟିଏ ହସ୍ତୀ ଓ ଗୋଟିଏ ହସ୍ତିନୀ ଉପହାର ଦେଇ ବଦନୋର୍‌, ମାଣ୍ଡଳଗଡ଼ ଏବଂ ବାଁଶଓ୍ୱାଡ଼ା ଆପଣ ଅଧିକାର କରିନେବା ପାଇଁ ସମ୍ବାଦ ପଠାଇଛନ୍ତି । ଆପଣ ପାଟକୁମାରଙ୍କୁ ବାଦଶାହାଙ୍କ ନିକଟକୁ ପଠେଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

ଏହାଶୁଣି ରାଣା ସାମାନ୍ୟ ହସି କହିଲେ–‘‘ଦେଖାଯାଉ’’ ।

 

କ’ଣ ମୋହକମ ସିଂହ ଏପର୍ଯ୍ୟନ୍ତ ମାଣ୍ଡଳଗଡ଼ରୁ ଫେରିନାହିଁ ?

 

ଶାହାଙ୍କର ନିର୍ଦ୍ଦେଶ ପୂର୍ବରୁ ମୁଁ ତାହାକୁ ମାଣ୍ଡଳଗଡ଼ ପଠେଇଥିଲି କାରଣ ଏହା ଆମର ଅଧିକାର ।

 

‘ସେ ଫେରି ଆସିଛି ହଜୁର ଅନ୍ନଦାତା ।’

 

‘ବାଦଶାହା ଶାହାଜାହାନ ମାଣ୍ଡଳଗଡ଼କୁ ରାଜା ରୂପସିଂହଙ୍କୁ ଅର୍ପଣ କରି ଦେଇଥିଲେ । ମହାଜନ ରାଘବଦାସ ତାଙ୍କରି ତରଫରୁ ସେଠାରେ ଦୁର୍ଗ ରକ୍ଷକଭାବେ ମୁତୟନ ହୋଇଛି । ମୋହକମ ସିଂହ ଦୁର୍ଗ ଛାଡ଼ି ଦେବାପାଇଁ ତାକୁ ଅନେକ ବୁଝାଇଲା ମାତ୍ର ସେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଦୁର୍ଗ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ।’

 

ଭ୍ରୂକୁଞ୍ଚନ କରି ରାଣା ପ୍ରଶ୍ନ କଲେ–‘ବନେଡ଼ା ଓ ଶାହାପୁରବାସୀଙ୍କର ସମସ୍ୟା ସମାଧାନ ହୋଇଗଲା ?’’

 

‘ହଁ ହଜୁର । ବନେଡ଼ାବାସୀ ୨୩ ହଜାର ଟଙ୍କା ଏବଂ ଶାହାପୁରବାସୀ ୨୨ ହଜାର ଟଙ୍କା ଜୋରିମାନା ଦେଇ ଅଧୀନତା ସ୍ୱୀକାର କରି ନେଇଛନ୍ତି ।’

 

‘ସାଲପୁରେ ଏବଂ ଟୋଡ଼େର ସମ୍ବାଦ କ’ଣ ?’

 

ଶକ୍ତାବତ୍‌ ମାଲ୍‌ପୁରେକୁ ମେହକମ ସିଂହ ନଅଦିନ ଧରି ଲୁଟ କରି ଅନେକ ସମ୍ପତ୍ତି ଏବଂ ଖଜଣା ଶ୍ରୀଛାମୁରେ ଦାଖଲ କରିଛି । ଫତେଚନ୍ଦ୍ର କାୟସ୍ତ ଟୋଡ଼େ ଉପରେ ଚଢ଼ାଉ କରିଥିଲା-। ସେ ବୀର ଦେବ ନଗରକୁ ପୋଡ଼ି ଛାରଖାର କରିଦେଇଛି । ରାୟସିଂହଙ୍କ ମାତା ତାଙ୍କୁ ୬୦ ହଜାର ଟଙ୍କା ଜୋରିମାନା ଦେଇ ଅଧୀନତା ସ୍ୱୀକାର କରିନେଲେ ।’

 

‘ତା’ର ଅବମାନନା ଅସହ୍ୟ ହେଉଥିଲା, ସେ ଠିକ୍‌ ବାଟକୁ ଚାଲି ଆସିବ ।’ ‘ହଁ, ଟୋଙ୍କ, ଲାଲସେଟ୍‌ ଓ ସାମ୍ବର ?’

 

‘ସୋଲାଙ୍କୀ ଦଳପତି ଏଇମାନଙ୍କୁ ପରାସ୍ତ କରି ଦଣ୍ଡ ଦେଇଛନ୍ତି ।’

 

‘ଡୋଙ୍ଗରପୁର ରାଜ୍ୟ ହେର୍‌ଫେର କରୁଥିଲା ନା ?

 

‘ଧର୍ମାବତାର ? ବର୍ତ୍ତମାନ ରାଉଳ ଛାମରସିଂହର ମୁଣ୍ଡ ଠିକ୍‌ ହୋଇଯାଇଛି । ସେ ଏକ ଲକ୍ଷ ଟଙ୍କା, ୧୦ଟି ଗାଁ ଦେଣଦାଣ ଏବଂ ଗୋଟିଏ ହସ୍ତୀ, ଗୋଟିଏ ହସ୍ତିନୀ ଦେଇ ଅଧୀନତା ସ୍ୱୀକାର କରିଛି ।’

 

ଶରଣାର୍ଥୀକୁ ଅଭୟ ।’ ତାହାକୁ ଦଶଟି ଗାଁ ନେଣଦାର, ଏବଂ କୋଡ଼ିଏ ହଜାର ଟଙ୍କା ଛାଡ଼ିଦିଅ ।

 

ଆଜିହିଁ ଆମର ସ୍ୱୀକୃତି ରାଉଳଙ୍କ ପାଖକୁ ପଠେଇଦିଅ ।’

 

‘ଯେ ଆଜ୍ଞା ମହାରାଜା ।’

 

‘ଦେଉଳିଆ ସମସ୍ୟା କେମିତି ସମାଧାନ ହେଲା ?

 

‘ଏଇ ସେବକ ଦେଉଳିଆକୁ ଯାଇଥିଲା । ରାଉତ ହରସିଂହ ଲୁଚି ବାଦଶାହାଙ୍କ ପାଖକୁ ଚାଲିଯାଇଛି । କିନ୍ତୁ ତା’ର ମାତା ନିଜର ନାତି ପ୍ରତାପ ସିଂହକୁ ଆପଣଙ୍କ ସେବାରେ ପଠେଇ ଦେଇଛନ୍ତି । ତା’ ସଙ୍ଗେ ପାଞ୍ଚହଜାର ଟଙ୍କା ଜୋରିମାନା ଓ ଗୋଟିଏ ହସ୍ତିନୀ ଦେଇଛନ୍ତି । ଆଗ୍ରାରେ କୌଣସି ସାହାଯ୍ୟ ନପାଇ ରାଉତ ହରିସିଂ ରାଉତ ରଘୁନାଥ ସିଂହଙ୍କ ଜରିଆରେ ଶରଣ ପଶିବାକୁ ବିନତି କରୁଛି । ଏହା ଶୁଣି ରାଣା ଗମ୍ଭୀର ହୋଇଉଠିଲେ ।

 

ପୁଣି କିଛି ବିଚାରି କହିଲେ–‘‘ଏହା ଉପରେ ଆମେ ପରେ ଆଲୋଚନା ହେବା । ବର୍ତ୍ତମାନ ଆମକୁ ଅନେକ କିଛି କରିବାକୁ ପଡ଼ିବ । ଯେଉଁମାନେ ସାଦୁଲ୍ଲା ସହ ମିଳିତ ହୋଇ ଚିତୋର ଦୁର୍ଗ ମରାମତ କାର୍ଯ୍ୟ ନଷ୍ଟ କରିବାପାଇଁ ଆସିଥିଲେ ସେମାନଙ୍କୁ ଉଚିତ ଦଣ୍ଡ ମିଳିଗଲାଣି-। ଦୁର୍ଗ ନଷ୍ଟ ଅଭିଯାନ ମୋ ଆଖିରେ ଶୂଳ ବିଦ୍ଧ ହୋଇଗଲାପରି ବୋଧ ହେଉଛି । କିନ୍ତୁ ଏଇଟାହିଁ ଉଚିତ ସମୟ ।’’

 

‘ମହାରାଜାଙ୍କ କ’ଣ ଇଚ୍ଛା ?’

 

ଦିଲ୍ଲୀ ସିଂହାସନ ବର୍ତ୍ତମାନ ଟଳମଳ ଅବସ୍ଥାରେ ଅଛି । ଏଇ ସୁଯୋଗରେ ଆମେ ରାଜପୁତନାର ଭିତ୍ତିକୁ ସୁଦୃଢ଼ କରିନେବା । ନିଜର ଶାସନ କାଳ ପ୍ରାରମ୍ଭରୁ ହରାଇଥିବା ଇଲାକାମାନ ଆପଣଙ୍କ ସହଯୋଗରେ ଆମେ ହସ୍ତଗତ କରିନେଲୁଣି । ବର୍ତ୍ତମାନ ଆମର ଅଜେୟ ଚିତୋର ଦୁର୍ଗକୁ ସମ୍ପୂର୍ଣ୍ଣ ମରାମତି କରିନେବା ଏବଂ ବାକି ରାଜ୍ୟଗୁଡ଼ିକୁ ହସ୍ତଗତ କରି ନିଜ ଅଧୀନକୁ ନେଇ ଆସିବା । ଏକଲିଙ୍ଗେଶ୍ୱରଙ୍କ କୃପାରୁ ଆମେ ସମଗ୍ର ରାଜପୁତ ଜାତିକୁ ଜାଗ୍ରତ କରି ଏକୀଭୂତ କରିବା ।

 

‘ପୃଥ୍ୱୀନାଥ’ ଆଲମଗୀର ପତ୍ରର କି ବ୍ୟବସ୍ଥା ହେବ ?

 

‘ଆଲମଗୀର କିଏ ?’

 

‘ବାଦଶାହା ହେଲାପରେ ଆଉରଙ୍ଗଜେବ ନିଜ ନାମ ଆଲମଗୀର ରଖିଛନ୍ତି ।’

 

ରାଣା ହସି ହସି କହିଲେ–‘ଓହୋ ବୁଝିଲି ।’ ଉପହାର ସାମଗ୍ରୀ ଦେଇ କକା ଅରିସିଂହଙ୍କ ସଙ୍ଗେ କୁଅଁର ସୁଲତାନ ସିଂହଙ୍କୁ ଆଲମଗୀରଙ୍କ ସିଂହାସନ ପ୍ରାପ୍ତି ଓ ବିଜୟପାଇଁ ଅଭିନନ୍ଦନ ବାର୍ତ୍ତାପାଇଁ ପଠେଇ ଦିଆଯିବ । କିନ୍ତୁ ପ୍ରିୟ ସର୍ଦାରଗଣ ଜୀର୍ଣ୍ଣଶୀର୍ଣ୍ଣକାୟ ଏଇ ପୀରଦସ୍ତଗୀର ପାଇଁ ଆମକୁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ସେ ଦୃଢ଼ହସ୍ତରେ ରାଜ୍ୟ ଶାସନ କରିବ । କିଛି ଚିନ୍ତା ନାହିଁ । ମୋହରି ଜାଗରଣଦ୍ୱାରା ସମଗ୍ର ରାଜପୁତନା ସମ୍ମୁଖରେ ମୋଗଲ ସାମ୍ରାଜ୍ୟ ନତମସ୍ତକ ହେବାକୁ ବାଧ୍ୟ ହେବ । ଏକଥା ବର୍ତ୍ତମାନ ଗୁପ୍ତ ରହୁ । କାଲି ପ୍ରାତଃକାଳରୁ ଆମେ ମାଣ୍ଡଳଗଡ଼ ଆକ୍ରମଣ କରିବା । ସେନାବାହିନୀକୁ ଏଥିପାଇଁ ପ୍ରସ୍ତୁତ ରଖ ।

 

ରାଣା ରାଜସିଂହ ଆକ୍ରମଣ କରି ମାଣ୍ଡଳଗଡ଼ ଅଧିକାର କରିନେଲେ । ଏ ସମ୍ବାଦ ପାଇ ରୂପନଗର ରାଜା ରୂପସିଂହ ଚିନ୍ତିତ ହୋଇ ନିଜ ମନ୍ତ୍ରୀକୁ ପଚାରିଲେ–

 

‘‘ମହାଜନ ରାଘବ ଦାସ ପତ୍ରରେ ଆଉ କ’ଣ ଲେଖିଛନ୍ତି ?’’

 

‘ଏଇଆ ଯେ ମାଣ୍ଡଳଗଡ଼କୁ ଅଧିକାର କରିନେଲାପରେ ରାଣାରାଜସିଂହ ଜୋରିମାନାସ୍ୱରୂପ ବାଇଶ ହଜାର ଟଙ୍କା ଆଦାୟ କରିଛନ୍ତି ।’

 

କ୍ରୋଧିତ ହୋଇ ରାଜା ଗର୍ଜି ଉଠିଲେ–‘ରାଜସିଂହର ଏଡ଼େ ସାହାସ ?’

 

ମାଣ୍ଡଳଗଡ଼ ଆମକୁ ଜାଗିରି ମିଳିଛି, ମୁଁ ଏହା ସହ୍ୟ କରିନପାରେ । ଆଚ୍ଛା ! ରାଘବଦାସ ଏତେ ଶୀଘ୍ର ଦୁର୍ଗ ଛାଡ଼ିଦେଲା । ଦୁର୍ଗ ଯଥେଷ୍ଟ ଦୃଢ଼ ଥିଲା । ସେ ବିଶ୍ୱାସଘାତକତା କରିନି ତ ?’

 

ନା ମହାରାଜା ! ଦୁର୍ଗରେ ଖାଦ୍ୟ ସାମଗ୍ରୀ ଥିବା ପର୍ଯ୍ୟନ୍ତ ଏକମାସ ଧରି ଯୁଦ୍ଧ କଲେ । ମହାରାଣା ରାଜସିଂହ ସ୍ୱୟଂ ଦୁର୍ଗ ଆକ୍ରମଣ କରିଥିଲେ ।

 

‘ରାଣାର ପକ୍ଷୀ ଲାଗିଗଲାଣି । ଏକଲିଙ୍ଗେଶ୍ୱରଙ୍କୁ ରତ୍ନ–ତୁଳାଦାନ କରି ତାହାର ଗର୍ବ ବଢ଼ିଯାଇଛି ।

 

କିନ୍ତୁ ତା’ ଗର୍ବକୁ ଯଦି ମୁଁ ଖର୍ବ ନକରେ ତେବେ ମୋର ନାମ ରୂପସିଂହ ନୁହେଁ । ବାଦଶାହା ଆଲମଗୀର ପାଖକୁ ଆମେ ଦରଖାସ୍ତ ଦେବାକୁ ପଡ଼ିବ ।

 

‘‘ଯେ ଆଜ୍ଞା ମହାରାଜା’’ କିନ୍ତୁ ହଜୁର ! ଏ ସେବକ ବିଚାରରେ ଏହାଦ୍ୱାରା କିଛି ଲାଭ ହେବନି । ନୂଆ ବାଦଶାହା ନିଜର ବ୍ୟକ୍ତିଗତ ଗୋଳମାଳରେ ବ୍ୟସ୍ତ ଅଛନ୍ତି, ଏଣୁ ତାଙ୍କ ଆସନ ଟଳମଳ । ବାଦଶାହ ଆଲମଗୀର ନିଜେ ରାଣାଙ୍କୁ ମାଣ୍ଡଳଗଡ଼ ଦଖଲପାଇଁ ଆଜ୍ଞାପରା ଦେଇଛନ୍ତି-। ମହାରାଜା ! ବାସ୍ତବରେ ମାଣ୍ଡଳଗଡ଼ ହାରାଣାଙ୍କରହିଁ ତ ଥିଲା ।’

 

‘ବାଦଶାହାଙ୍କ ପ୍ରଦତ୍ତ ପ୍ରଗଣା ଏପରି ଭାବରେ ହାତଛଡ଼ା ହୋଇଯିବା ବଡ଼ ଲଜ୍ଜାକର ବିଷୟ । ମୁଁ ତାଙ୍କ ସହ ଯୁଦ୍ଧ କରିବି ।’

 

‘ମହାରାଜାଙ୍କ ଯାହା ଇଚ୍ଛା ସେଇଆହିଁ ହେବ ।’

 

ଶତ୍ରୁର ସାମର୍ଥ୍ୟ ଓ ଦକ୍ଷତା ଦେଖି ଯୁଦ୍ଧ କିମ୍ବା ସନ୍ଧି କରିବା ବୁଦ୍ଧିମାନର କାର୍ଯ୍ୟ ଅଟେ । ରାଜସିଂହଙ୍କ ପ୍ରବଳ ଶକ୍ତି ନିକଟରୁ ରକ୍ଷା ପାଇ ପାରିବା ନାହିଁ ।

 

‘କିନ୍ତୁ ଆମ ପଛରେ ଶାହୀ ସମର୍ଥନ ଅଛି । ଏ ଅପମାନ କେବଳ ଆମର ନୁହେଁ ଏହା ବାଦଶାହାଙ୍କର ମଧ୍ୟ ଅପମାନ ଅଟେ । ଏ ସମସ୍ତ ଘଟନାବଳି ଲେଖି ଜଣେ ସୁଯୋଗ୍ୟ ବ୍ୟକ୍ତି ହାତରେ ବାଦଶାହାଙ୍କୁ ଜଣାଇବା ।’

 

‘ହଜୁର ଯାହା ଆଜ୍ଞା ! ମୋ ମତରେ ରାଘବଦାସକୁ ଏଥିପାଇଁ ନିଯୁକ୍ତି କଲେ ଭଲ ହୁଅନ୍ତା । ସେ ସମସ୍ତ ଘଟଣା ବାଦଶାହାଙ୍କୁ ବର୍ଣ୍ଣନା କରି ନିବେଦନ କରିବ । ତା’ପରେ ଯାହାହେବ-।’

 

‘ଆଚ୍ଛା, ବର୍ତ୍ତମାନ କଥା ଏଇଠି ଥାଉ ।’

 

‘ତାହାହେଲେ ମୁଁ ରାଘବ ଦାସକୁ ଦିଲ୍ଲୀ ପ୍ରେରଣ କରିବାର ବ୍ୟବସ୍ଥା କରୁଛି ?’

 

‘ହଁ କର ।’

 

ତିନି

 

ମେବାର ରାଜ୍ୟ ସିସୋଦ୍ୟାଁ ରାଜପୁତ ଏବଂ ମାରଓ୍ୱାଡ଼ ରାଠୋରମାନଙ୍କର ମିଳିତ ରାଜ୍ୟ ଥିଲା । ତାଙ୍କରି ବୀରତ୍ୱପାଇଁ ତାଙ୍କର ରାଜ୍ୟ ସୁଦୂରପ୍ରସାରୀ ଥିଲା । ମୋଗଲ ବାଦଶାହାମାନଙ୍କ ପାଇଁ ମେବାରର ପ୍ରାଦୁର୍ଭାବ ଯେପରି ଭାବରେ ଗର୍ବିତ ସିସୋଦ୍ୟାଁମାନଙ୍କର ମାନଭଞ୍ଜନ ପାଇଁ ଆବଶ୍ୟକ ଥିଲା । ସେଭଳି ମାରଓ୍ୱାଡ଼୍‌ର ପ୍ରାର୍ଦୁଭାବ ଭାରତରେ ପଶ୍ଚିମ ତଟର ବନ୍ଦର ଏବଂ ବଡ଼ବଡ଼ ସହରମାନଙ୍କର ବ୍ୟବସାୟିକ ସୁବିଧାପାଇଁ ଆବଶ୍ୟକ ଥିଲା । ଦିଲ୍ଲୀରୁ ଅହମଦାବାଦ ପର୍ଯ୍ୟନ୍ତ ନିମ୍ନରୁ ନିମ୍ନତ୍ତର ବ୍ୟବସାୟିକ ମାର୍ଗ ମାରଓ୍ୱାଡ଼ ମଧ୍ୟ ଦେଇହିଁ ଯାଉଥିଲା । ଯୋଧପୁରର ରାଠୋର ରାଜା ନିଜର ବୀରତ୍ୱପାଇଁ ପ୍ରତିଷ୍ଠା ଲାଭ କରିଥିଲେ । ମେବାରର ମହାରାଣା ପ୍ରତାପ ଆକବରଙ୍କଠାରୁ ଦୃଢ଼ ପ୍ରତିଶୋଧ ନେଇଥିଲା କେବଳ ମାରଓ୍ୱାଡ଼ ରାଜା ଅଜିତ ସିଂହ ଓ ଦୁର୍ଗାଦାସଙ୍କ ଦ୍ୱାରା ଆଉରଙ୍ଗଜେବଙ୍କ ଲୁହାଚଣା ଚୋବଇବାକୁ ପଡ଼ିଥିଲା । ମାରଓ୍ୱାଡ଼ ପ୍ରଥମରୁ ମୋଗଲମାନଙ୍କ ବିରୋଧୀ ନଥିଲା । ଅଜିତ ସିଂହଙ୍କର ଯଶସ୍ୱୀ ପିତା ମହାରାଜା ଯଶୋବନ୍ତ ସିଂହ ବୀର ଏବଂ ଉଦାରମନା ଥିଲେ । କେବେକେବେ ସେ ଦାରାଶିରୋହ ତରଫରୁ ଲଢ଼ିଥିଲେ ଏପରିକି କେବେକେବେ ଆଉରଙ୍ଗଜେବଙ୍କୁ ସମର୍ଥନ କରି ନିଜର ଅସ୍ତ୍ର ଉତ୍ତୋଳନ କରିଥିଲେ ।

 

ଆଗ୍ରା ଦୁର୍ଗରେ ଶାହାଜାହାନ ଅସୁସ୍ଥ ଥିବାର ସମ୍ବାଦ ପାଇ ଯେତେବେଳେ ତାଙ୍କ ପୁତ୍ର ସିଂହାସନ ଅଧିକାର କରିବାପାଇଁ ନିଜର ବିଶାଳ ସେନାବାହିନୀ ସହ ଆଗ୍ରାଭିମୁଖେ ଅଗ୍ରସର ହେଉଥିଲେ, ସେତେବେଳେ ଶାହାଜାହାନ ରାଜା ଯଶୋବନ୍ତ ସିଂହ ଏବଂ କାଶିମ ଖାଁଙ୍କୁ ଦ୍ରୁତଗତିରେ ମାଡ଼ି ଆସୁଥିବା ଆଉରଙ୍ଗଜେବଙ୍କୁ ବାଧା ଦେବାପାଇଁ ପ୍ରେରଣ କରିଥିଲେ । ସନ ୧୬୫୮ ଅପ୍ରେଲ ୨୫ ତାରିଖ ଦିନ ଉଜ୍ଜୟିନୀର ଦକ୍ଷିଣ ପଶ୍ଚିମ ଦିଗରୁ ପନ୍ଦର ମାଇଲ ଦୂରସ୍ଥ ଧୂରମତ୍‌ ପଡ଼ିଆରେ ଦୁଇ ପକ୍ଷ ସମ୍ମୁଖୀନ ହେଲେ । ଏକ ପକ୍ଷରେ ମୁରାଦ ଓ ଆଉରଙ୍ଗଜେବଙ୍କ ସମ୍ମିଳିତ ସେନାବାହିନୀ ଅନ୍ୟ ପକ୍ଷରେ ଯଶୋବନ୍ତ ସିଂହ ଓ କାଶୀମ ଖାଁ ମିଳିତ ସେନାବାହିନୀଙ୍କୁ ନେଇ ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା । ଯଶୋବନ୍ତ ସିଂହ ଦ୍ରୁତଗତିରେ ଅଗ୍ରସର ହେଲାବେଳେ ସେ ଆଭାସ ପାଇଲେ ଯେ କାଶୀମ ଖାଁ ପ୍ରତାରଣା କରିବାକୁ ଚାହେଁ ସେତେବେଳେ ନିଜର ସୈନ୍ୟମାନଙ୍କୁ ହାଣମୁହଁକୁ ନେବା ନିରର୍ଥକ ମନେ କରି ଯୁଦ୍ଧ ପ୍ରତି ବିମୁଖ ହୋଇ ଯୋଧପୁର ପ୍ରତ୍ୟାବର୍ତ୍ତନ କଲେ । ଧୂରମତ୍‌ ଯୁଦ୍ଧରେ ଆଉରଙ୍ଗଜେବ ବିଜେତା ହେଲାପରେ ଚମ୍ବଲ ପାରି ହୋଇ ଆଗ୍ରା ଆଡ଼କୁ ଅଗ୍ରସର ହେଲେ ଏବଂ ପୂର୍ବରେ ଆଠମାଇଲ ଦୂରବର୍ତ୍ତୀ ସମୁଗଡ଼ ଯୁଦ୍ଧରେ ଦାରାଙ୍କୁ ପରାସ୍ତ କରି ସାରିଲା ପରେ ଶାହାଜାହାନଙ୍କୁ ବନ୍ଦୀ କରିନେଲେ । ଲାହୋର ବାଟ ଦେଇ ଦାରା ପ୍ରଥମେ ଗୁଜୁରାଟକୁ ପଳାୟନ କଲେ ଏବଂ ସେଠାରେ ସେ ବିଜାପୁର, ଗୋଲକୁଣ୍ଡାରୁ ସାହାଯ୍ୟ ମିଳିବାର ଆଶା କରୁଥିଲେ । ରାଣା ରାଜସିଂହ ଏବଂ ରାଜା ଯଶୋବନ୍ତ ସିଂହଙ୍କୁ ମଧ୍ୟ ସେ ସାହାଯ୍ୟ ଭିକ୍ଷା କରିଥିଲେ । ଯଶୋବନ୍ତ ସିଂହ ଦାରାଙ୍କୁ ସାହାଯ୍ୟ କରିବାପାଇଁ ଇଚ୍ଛା କରୁଥିଲେ ମାତ୍ର ଆଉରଙ୍ଗଜେବ ଦାରାଙ୍କୁ ଅନୁସରଣ କରି କରି ଶେଷରେ ଆଜମୀର ପର୍ଯ୍ୟନ୍ତ ନିଜର ବିଶାଳ ସେନାବାହିନୀ ନେଇ ପହଞ୍ଚିଗଲେ । ଆଉରଙ୍ଗଜେବଙ୍କର ପ୍ରବଳ ଶକ୍ତି, ଏବଂ ଦାରାଙ୍କ ଭାଗ୍ୟ ହୀନତା ଦେଖି ସେ ଏଥିରୁ ନିବୃତ୍ତ ହୋଇ ଆଉରଙ୍ଗଜେବଙ୍କୁ ଦିଲ୍ଲୀର ବାଦଶାହାରୂପେ ସ୍ୱୀକାର କରିନେଲେ ।

 

ହିମାଳୟ କୋଳରେ ଶୋଭା ପାଉଥିବା ଭାରତର ଉତ୍ତର–ପଶ୍ଚିମ ପାହାଡ଼ ପ୍ରଦେଶ ଦୁର୍ଦ୍ଦାନ୍ତ ପଠାଣ ଓ ଆଫଗାନୀମାନଙ୍କ ଦ୍ୱାରା ଆତଙ୍କିତ ହୋଇ ରହିଥିଲା । ସିଂହାସନାସୀନ ହେଲାପରେ ପରେ ଏହି ପଠାଣମାନଙ୍କୁ ଦମନ କରିବା ନିମନ୍ତେ ଆଉରଙ୍ଗଜେବ ଯଶୋବନ୍ତ ସିଂହଙ୍କୁ ପ୍ରେରଣ କଲେ । ଦାରାଙ୍କୁ ସହାୟତା କରିଥିବା କଥା ଚିନ୍ତା କରି ସେ ଯଶୋବନ୍ତ ସିଂହଙ୍କ ଉପରେ ରକ୍ତ ଚାଉଳ ଚୋବାଉଥିଲେ । ନିଜର ଏଇ ଶତ୍ରୁ–ବନ୍ଧୁଙ୍କୁ ପ୍ରଥମେ ସୁଜନସିଂହଙ୍କ ଦ୍ୱାରା ନିଧନ କରାଇବାକୁ ଚାହିଁଥିଲେ ମାତ୍ର ସେ ମନା କରିବାରୁ ପଠାଣମାନଙ୍କ ଦମନ ନିମନ୍ତେ କାବୁଲ ପ୍ରେରଣ କରି ନିଜର ମାତୃଭୂମିଠାରୁ ଦୂରରେ ମରାଇବାକୁ ଇଚ୍ଛାକଲେ ।

 

ଯଶୋବନ୍ତସିଂହ ଜଣେ ବିକ୍ରମ ଓ ପରାକ୍ରମୀପୁରୁଷ ଥିଲେ । ଆଉରଙ୍ଗଜେବଙ୍କ କୂଟନୀତି ପ୍ରତି ସେ ବେଶ୍‌ ସଚେତନ ଥିଲେ । ତାଙ୍କର ପ୍ରବୀଣ ରାଜନୈତିକତା ଏବଂ ଦୂରଦୃଷ୍ଟିତା ଯୋଗୁଁ ଆଉରଙ୍ଗଜେବଙ୍କ କୁଚକ୍ରାନ୍ତ ମଧ୍ୟରେ ପ୍ରବେଶ କରି ସେ ରକ୍ଷା ପାଇଯାଉଥିଲେ । ଆଉରଙ୍ଗଜେବ ତାଙ୍କୁ ଭିତରେଭିତରେ ଭୟ କରୁଥିଲେ । ତେଣୁ ମୋଗଲ ଶାସନକୁ ଅମାନ୍ୟ କରୁଥିବା ଏ ନରଭକ୍ଷୀ ଦୁର୍ଦ୍ଦାନ୍ତମାନଙ୍କ ହାତରେ ପ୍ରାଣ ବିସର୍ଜନ ପାଇଁ ପଠାଇଦେଲେ, ମାତ୍ର ନିର୍ଭୟ ଓ ବୀରତ୍ୱର ସହ ଯଶୋବନ୍ତ ସିଂହ ସେଠାରେ ନିଜର ଆତଙ୍କ ପ୍ରଦର୍ଶନ କରି କାବୁଲକୁ ବାହୁବଳଦ୍ୱାରା ଦଳି ମକଚି ପକାଇଲେ ।

 

କାବୁଲ ଯିବା ପୂର୍ବରୁ ଯଶୋବନ୍ତ ସିଂହ ନିଜର ଏକମାତ୍ର ପୁତ୍ର ଷୋହଳବର୍ଷ ବୟସ୍କ ପୃଥ୍ୱୀରାଜ ସିଂହଙ୍କୁ ଶାହାଜାଦୀ ରୋଶନାରାଙ୍କ ମାର୍ଫତ୍‍ରେ ଜାମିନଦାର ତଥା ବାଦଶାହୀ ଅତିଥି ଭାବରେ ରଖିଦେଇ ଯାଇଥିଲେ । କୁମାର ପୃଥ୍ୱୀରାଜ ପରି ନିର୍ଭୀକ ତଥା ବୀର ସ୍ୱଭାବର ଥିଲେ । ଭବିଷ୍ୟତରେ ଏଇ ବିଷଧର ସର୍ପଟି ବଡ଼ ହୋଇ ଚୋଟ ମାରିବା ପୂର୍ବରୁ ତାକୁ ନିଶ୍ଚିହ୍ନ କରିଦେବାର ସିଦ୍ଧାନ୍ତ କରି ତାହାକୁ ଦରବାରକୁ ଡକାଇଲେ । କୁମାର ଦରବାରରେ ଉପସ୍ଥିତ ହୋଇ କୁର୍ଣ୍ଣିସ ଜଣାଇଲେ ।

 

ଏହାଦେଖି ବାଦଶାହା ସାମାନ୍ୟ ମୁରୁକେଇ ହସି କୁମାରକୁ କୁଟିଳ ଦୃଷ୍ଟିରେ ଚାହିଁ ରହିଲେ । ପୁଣି କହିଲେ–‘ତୁମକୁ ଦେଖି ଏଇ ବାଦଶାହା ବହୁତ ଖୁସି ।

 

କୁମାର ନଇଁପଡ଼ି ପୁଣି ଥରେ ସଲାମ କଲା । ବାଦଶାହା କହିଲେ ‘ଆଗେଇ ଆସ କୁମାର । ଭୟ କରିବାର କିଛି ନାହିଁ । ତୁମର ପିତା ଆମର ହିତାକାଂକ୍ଷୀ ବନ୍ଧୁ ଅଟନ୍ତି । ମୋର ଆଶା ତୁମେ ମଧ୍ୟ ଭବିଷ୍ୟତରେ ତୁମ ପିତାଙ୍କ ପରି ହେବ ।’

 

ଏହା କହି ବାଦଶାହା ସଙ୍କେତ ଦେଲେ ଏବଂ ଜଣେ ଅନୁଚର ଜଉଦିଆ ରାଜଭୂଷଣ ଆଣି ବାଦଶାହାଙ୍କ ସମ୍ମୁଖରେ ଉପସ୍ଥାପନ କଲା । ନିର୍ଦ୍ଦେଶ ଅନୁସାରେ ପାଟମନ୍ତ୍ରୀ ରାଜଭୂଷଣ ନେଇ କୁମାରଙ୍କୁ ପିନ୍ଧାଇଦେଲେ । ଘାତକର ବିଷରେ ରାଜଭୂଷଣ ଲେପିତ ହୋଇଥିଲା । ଘରକୁ ଫେରୁ ଫେରୁ ବିଷଜ୍ୱାଳାରେ କୁମାର ପ୍ରାଣତ୍ୟାଗ କଲେ ।

 

୧୬୭୮ ମସିହା ଡିସେମ୍ବର ଦଶ ତାରିଖ ଦିନ ଜମରୁଦ୍‌ ଥାନାରେ ମହାରାଜ ଯଶୋବନ୍ତ ସିଂହଙ୍କର ଦେହାନ୍ତ ହୋଇଗଲା । ଏ ସମ୍ବାଦ ପାଇବାକ୍ଷଣି ମାରଓ୍ୱାଡ଼୍‌ ଦଖଲପାଇଁ ସୈନ୍ୟବାହିନୀ ପ୍ରେରଣ କଲେ ଏବଂ ସ୍ୱୟଂ ନିଜେ ଆଜମିର ଚାଲିଗଲେ । ଜମରୁଦ୍‍ରେ ଥିବା ସୈନ୍ୟମାନେ ଏ ସୂଚନା ପାଇ ରାଜାଦେଶ ବିନା ସେମାନେ ଗର୍ଭବତୀ ମହାରାଣୀଙ୍କୁ ନେଇ ଯୋଧପୁର ଆଡ଼କୁ ପଳାଇଗଲେ । ସଂପ୍ରତ୍ତି ୧୭୩୫ ମସିହା ଚୈତ୍ର କୃଷ୍ଣ ଚତୁର୍ଥୀ ଦିନ ଲାହୋରରେ ପହଞ୍ଚିଲା ପରେ ବିଧବା ରାଣୀ ଦୁଇଟି ପୁତ୍ରସନ୍ତାନ ଜନ୍ମ ଦେଲେ । ଜନ୍ମ ହେଲା ପରେ ପରେ ଗୋଟିଏ ପୁଅ ମରିଥିଲା ଏବଂ ଦ୍ୱିତୀୟ ପୁତ୍ର ଅଜିତ୍‌ ସିଂହ ଜୀବିତ ରହିଲେ । ଏଇ କାରଣରେ ସେମାନଙ୍କୁ କିଛିଦିନ ଲାହୋରରେ ରହିବାକୁ ପଡ଼ିଲା । ଇତ୍ୟବସରରେ ବାଦଶାହା ଯୋଧପୁର ଦଖଲ କରି ନେଲେ । ତେଣୁ ଠାକୁର ଦୁର୍ଗା ଦାସଙ୍କ ଅଧ୍ୟକ୍ଷତାରେ ସର୍ଦାରଗଣ ନବପ୍ରସୂତା ମହାରାଣୀ ଓ ଶିଶୁକୁ ନେଇ ଦିଲ୍ଲୀ ଆଡ଼କୁ ଚାଲିଲେ । ଏ ସମ୍ବାଦ ପାଇ ବାଦଶାହା ଦିଲ୍ଲୀ ଫେରି ଆସି ସେ ଶିଶୁକୁ ହସ୍ତଗତ କରିବାପାଇଁ ଅନେକ ଚେଷ୍ଟାକଲେ କିନ୍ତୁ ଦୁର୍ଗା ଦାସ, ମୁକୁନ୍ଦ ଦାସଙ୍କ କୌଶଳଦ୍ୱାରା ବୀରାଙ୍ଗନା ରାଣୀ ରାଠୋର ସର୍ଦାରମାନଙ୍କ ସହ ପ୍ରାଣରକ୍ଷା କରି ପଳାୟନ କଲେ । ମୁକୁନ୍ଦଦାସ ଓ ଗୋବିନ୍ଦ ଦାସ ନିଜ ଜୀବନ ସହିତ ଖେଳି ବାଳକକୁ ରକ୍ଷା କଲେ-। ମୁକୁନ୍ଦଦାସ ସାପୁଆକେଳା ବେଶରେ ଶାହୀସେନା ଆଖିରେ ଧୂଳି ଦେଇ ପଳାୟନ କଲେ-। ମେଡ଼ାନିୟା ସର୍ଦାର ବିଜୟ ଚନ୍ଦ୍ରଙ୍କର ମାତା ତୀର୍ଥଯାତ୍ରାରେ ଯାଇଥିଲେ । ଉକ୍ତ ଦଳ ସହ ସାମିଲ ହୋଇ ଏମାନେ ପଳାୟନ କଲେ । ଦୁର୍ଗାଦାସ ନିଜର ଶିଶୁ ପୁତ୍ରକୁ ରାଜପୁତ୍ର ବୋଲି ମିଥ୍ୟା ପରିଚୟ ଦେଇ ଆଉରଙ୍ଗଜେବଙ୍କୁ ସମର୍ପଣ କରିଦେଲା । ବାଦଶାହା ଏହାକୁ ସତ ମଣି ଉକ୍ତ ଶିଶୁକୁ ଯତ୍ନର ସହିତ ପାଳନ କଲେ ଏବଂ ପାଞ୍ଚବର୍ଷ ହେଲାପରେ ତାହାକୁ ମୁସଲମାନ କରି ମହମ୍ମଦ ନାମରେ ନାମିତ କଲେ । ସଶରୀରେ ଚାଲିଆସିଥିବା ରାଜପୁତମାନଙ୍କ ମଧ୍ୟରୁ ଅନେକ ହାଣ ଖାଇଲେ ଏବଂ କିଛି ଏଆଡ଼େସେଆଡ଼େ ଚାଲିଗଲେ ।

 

ଦିନରାତି ନିଜକୁ ଲୁଚେଇ ଦୁର୍ଗାଦାସ ଯୋଧପୁର ରାଣୀ ଏବଂ ନବଜାତ ଶିଶୁକୁ ନେଇ ସୁରକ୍ଷିତ, ନିରାପଦ ଉଦୟପୁରରେ ପହଞ୍ଚିଗଲେ । ଆଶ୍ରୟପାଇଁ ସେ ଉଦୟପୁର ରାଣା ରାଜସିଂହଙ୍କୁ ସାକ୍ଷାତ କଲେ । ଦୁର୍ଗା ଦାସ ମୁଖରୁ ଯଶୋବନ୍ତ ସିଂହଙ୍କ ମୃତ୍ୟୁ ସମ୍ବାଦ ଶୁଣି ରାଣା ମର୍ମାହତ ହୋଇ ଶୋକାକୁଳ କଣ୍ଠରେ କହିଲେ–‘‘ତାହାହେଲେ ଯୋଧପୁର ଆଜି ଅନାଥ ହୋଇଗଲା, ରାଠୋର ପତି ଯଶୋବନ୍ତ ସିଂହ ଆଉ ନାହାନ୍ତି ?’’

 

‘ହଁ ମହାରାଣା ! ନିଜର ଦେଶମାତୃକା ଏବଂ ଆତ୍ମୀୟସ୍ୱଜନଙ୍କଠାରୁ ଦୂରରେ ଥାଇ ଜମରୁଦ୍‌ ଦୁର୍ଗରେ ସେ ପ୍ରାଣତ୍ୟାଗ କରିଛନ୍ତି ।’

 

‘ଜଣେ ନରଶ୍ରେଷ୍ଠ ଚାଲିଗଲେ ।’ ଏହା କହି ରାଣା ନତମସ୍ତକ ହେଲେ ।

 

‘ମହାରାଜ ! ରାଣୀ ଓ ରାଜ ପରିବାର ସହ ଆମେ ମାରୱାଡ଼ ଫେରି ଆସୁଥିଲୁ, ଲାହୋରଠାରେ ଆମକୁ ରହିବାକୁ ପଡ଼ିଲା, ରାଣୀମା ସେଠାରେ କୁମାରଙ୍କୁ ଜନ୍ମ ଦେଲେ ।’

 

‘ଯୋଧପୁରର ଭାବୀରାଜା ଚିରଜୀବୀ ହୁଅନ୍ତୁ ।’

 

‘ଅନ୍ନଦାତାଙ୍କ ଆଶୀର୍ବାଦ ସଫଳ ହେଉ । କିନ୍ତୁ ଆମମାନଙ୍କର ଦୁର୍ଦ୍ଦଶାର କାହାଣୀ ଅତ୍ୟନ୍ତ କରୁଣ ମହାରାଜ ।’

 

କୁହ ଠାକୁର । ମେବାର ରାଜବଂଶର ପ୍ରତ୍ୟେକ ବିପତ୍ତିରେ ମେବାର ସାଥୀରୂପେ ରହିବ ।’

 

‘ମହାରାଣାଙ୍କର ଜୟ ହେଉ ।’ ଲାହୋରରେ ଆମେ ସମ୍ବାଦ ପାଇଲୁନି ମହାରାଜାଙ୍କ ସ୍ୱର୍ଗପ୍ରାପ୍ତି ହେବା ସଙ୍ଗେ ସଙ୍ଗେ ପାଟକୁମାର ପୃଥ୍ୱୀସିଂହଙ୍କୁ ମାରି ଦିଆଗଲା ।’

 

ରାଣା ସଚକିତେ ପ୍ରଶ୍ନ କଲେ–‘ଏଁ ! ମାରିଦିଆଗଲା ?

 

ଦୁର୍ଗାଦାସ ବାଷ୍ପାକୁଳ କଣ୍ଠରେ କହିଲେ–‘ହଁ ମହାରାଜ ! ବାଦଶାହା ତାଙ୍କୁ ଦରବାରକୁ ଡକେଇନେଇ ବିଷର ପ୍ରଲେପ ଥିବା ରାଜଭୂଷଣ ଦେଲେ ଏବଂ ସେଥିରେ କୁମାର ଘରକୁ ଫେରୁଫେରୁ ବାଟରେ ପ୍ରାଣତ୍ୟାଗ କଲେ ।’ ‘ପିତୃଦ୍ରୋହୀ ଭ୍ରାତୃ-ହତ୍ୟାକାରୀ ବାଦଶାହା କ’ଣ ନକଲା ଏକା ?

 

ଏ ସମସ୍ତ ଦୁଃସମ୍ବାଦ ଭିତରେ କୁମାରଙ୍କ ଜନ୍ମ ପାଇ ଆମେ କିଞ୍ଚିତ୍ ଆଶ୍ୱସ୍ତ ମହାରାଜ । ଅରାଜକ ଯୋଧପୁରକୁ ଦଖଲ କରି ନିଆଯାଇଥିବାର ସମ୍ବାଦ ପାଇଲୁ । ତେଣୁ ରାଜପରିବାର ବର୍ଟ ସହ ଆମକୁ ଦିଲ୍ଲୀରେ ପହଞ୍ଚିବା ଉଚିତ ।

 

‘କାହିଁକି ଠାକୁର ?’

 

‘ବାଦଶାହା କୁମାର ଓ ରାଣୀଙ୍କୁ ହସ୍ତଗତ କରିବାକୁ ଚାହିଁଥିଲେ ।’

 

‘ଏଥିରେ କିଛି ଗୂଢ଼ ରହସ୍ୟ ଥିବ ।’

 

‘ସେଇଆହିଁ ମହାରାଜ ! ଦିଲ୍ଲୀର ରୂପ ନଗର କୋଠାକୁ ଯାଉଯାଉ ଶାହୀସୈନ୍ୟ ଆମକୁ ଘେରିଗଲେ ଏବଂ ବଳପୂର୍ବକ କୁମାରଙ୍କୁ ନେବାକୁ ଚାହିଁଲେ । ଶେଷରେ ଆମେ ଜୀବନ ସହ ଖେଳି କୌଣସି ପ୍ରକାରେ ନିଜକୁ ରକ୍ଷାକରି ମୋଗଲମାନଙ୍କ ଛାତିରେ ଗୋଇଠା ମାରି ଆମେ ଚାଲି ଆସିଲୁ । ମହାରାଜ ! ଏଥିରେ ମୁକୁନ୍ଦଦାସ ସୋନି ଓ ମହାରାଣୀ ରକ୍ଷା ପାଇଗଲେ । ଅନେକ ସୈନ୍ୟ ହାଣ ଖାଇଗଲେ ଏବଂ ଅନ୍ତଃପୁରବାସିନୀମାନେ ନିଜେ ନିଆଁରେ ଝାସ ଦେଇ ମଲେ କିନ୍ତୁ କୁମାରଙ୍କ ପ୍ରାଣ ରକ୍ଷା ହୋଇଗଲା । ଆଉ ଗୋଟିଏ ବଳିଦାନ ଆମକୁ କରିବାକୁ ପଡ଼ିବ ମହାରାଜ ।’

 

‘କ’ଣ ଠାକୁର ଦୁର୍ଗାଦାସ ?’

 

‘ଧାଈ ଦୁର୍ଗାର ଶିଶୁପୁତ୍ରକୁ କୁମାର ବୋଲି ପରିଚୟ ଦେଇ ଆଉରଙ୍ଗଜେବଙ୍କୁ ସମର୍ପଣ କରିଦିଆଗଲା ଏବଂ ବାଦଶାହା ତାକୁ ମୁସଲମାନ କରି ମୁସଲମାନ ସଂସ୍କୃତିରେ ପ୍ରତିପାଳନ କରୁଛନ୍ତି ଏବଂ ତା’ର ନାମ ମହମ୍ମଦ ରଖିଛନ୍ତି ।’

 

‘ରାଣା କ୍ରୋଧ ଓ ଆବେଗ ସ୍ୱରରେ କହିଲେ–‘ଧନ୍ୟ ସୁର, ଧନ୍ୟ ବୀର ! କୁମାର ଓ ରାଣୀ ଏଇଲେ କେଉଁଠି ?’

 

‘ଛାମୁଙ୍କ ଶରଣରେ ।’ ଏହା କହି ଠାକୁର ସଂକେତ ଦେଲେ । ଜଣେ ଚର ଆଣି ଶିଶୁ ପୁତ୍ରକୁ ସିଂହାସନ ଉପରେ ଉପବେଶନ କଲା ।

 

ରାଣା ନିଜର ତରବାରି ଛୁଇଁ କହିଲେ–‘ଶରଣାପନ୍ନକୁ ଅଭୟ ।’

 

‘ଠାକୁର ଦୁର୍ଗା ଦାସ ! ମେବାରରେ ଜଣେ ମଧ୍ୟ ବୀର ଅସ୍ତ୍ର ଧାରଣ କରିବାକୁ ସକ୍ଷମ ଥିବା ପର୍ଯ୍ୟନ୍ତ ମାରଓ୍ୱାଡ଼୍‌ର ଭାବୀ ଅଧୀଶ୍ୱର ମେବାରର ଛତ୍ରଛାୟା ତଳେ ନିର୍ଭୟରେ ଖେଳି ବୁଲିବେ ।’

 

‘ମହାରାଣାଙ୍କର ଜୟ ହେଉ, ମହାରାଜ ! ଆପଣ ମାରୱାଡ଼୍‌ର ଅନାଥମାନଙ୍କୁ ବଡ଼ କୃପା ପ୍ରଦର୍ଶନ କଲେ ।’

 

‘କୃପା ନୁହେଁ ଠାକୁର । ଇଏ ତ ଧର୍ମ ପାଳନ । ଯେଉଁ ରାଜା ଧର୍ମ ପାଳନ ନ କରି ଶରଣାଗତକୁ ବିମୁଖ କରେ ସେ ବିଧର୍ମୀ ଛଡ଼ା ଅନ୍ୟ କିଛି ନୁହେଁ । ବାଦଶାହା ଆଲମଗୀର ମୂଳରୁହିଁ ଅନର୍ଥ ଘଟାଇଛନ୍ତି । ରକ୍ତପାତ ଓ ଅନ୍ୟାୟଦ୍ୱାରାହିଁ ତାଙ୍କର ରାଜ୍ୟାରୋହଣ ସମ୍ଭବ ହୋଇ ପାରିଛି ।

 

‘ଆକବର, ଜାହାଙ୍ଗୀର, ଶାହାଜାହାନ ପ୍ରମୁଖଙ୍କଦ୍ୱାରା ସ୍ଥାପିତ ସୁଦୃଢ଼ ମୋଗଲ ସାମ୍ରାଜ୍ୟକୁ ଏଇ ଆଲମଗୀର ଦୁର୍ବଳ କରିଦେଲାଣି ।’

 

‘ମହାରାଣା । ଭାଗ୍ୟହୀନତା ପାଇଁ ରାଜପୁତନା ଆଜି ସୁପ୍ତ । ଆତ୍ମସମ୍ମାନ ବୋଧ ଏବଂ ସଂଗଠନ ମନୋଭାବକୁ ଭୁଲିଯିବା ଯୋଗୁଁ ଏହାର ବୀରତ୍ୱର କଳଙ୍କି ଲାଗି ଯାଇଛି । ଏହାକୁ ଜାଗ୍ରତ କରିବାକୁ ପଡ଼ିବ ।’

 

‘ମହାରାଜା । ଆପଣ ହିନ୍ଦୁ ଶ୍ରେଷ୍ଠ ଅଟନ୍ତି । ସମଗ୍ର ରାଜପୁତନାର ସମ୍ମାନ ଓ ଅସ୍ତ୍ର ଆପଣଙ୍କର ଚରଣ ତଳେ ।’

 

‘ବୀରବର । ନିଶ୍ଚିତ ହୁଅ । ରାଠୋର ଓ ସିସୋଦ୍ୟାଁର ସମ୍ମିଳିତ ଶକ୍ତ ମୋଗଲ ସାମ୍ରାଜ୍ୟ ବିଧ୍ୱଂସର କାରଣ ହେବ । କିନ୍ତୁ ବର୍ତ୍ତମାନ ଆମକୁ ସୁଯୋଗ ଅପେକ୍ଷା କରିବାକୁ ପଡ଼ିବ ।’

 

‘ହଁ ମହାରାଣୀ ଏବେ କେଉଁଠି ? ଯଦି ସେ ମେବାର ରାଜମହଲର ଶୋଭା ବର୍ଦ୍ଧନ କରନ୍ତି ତେବେ ଏଇଟା ଆମର ସୌଭାଗ୍ୟ ବୋଲି ଧରିନେବାକୁ ହେବ ।’

 

ଧନ୍ୟ ମହାରାଣା । ରାଣୀମା ଓ ଆମେମାନେ ବର୍ତ୍ତମାନ ମାରୱାଡ଼୍‌କୁ ପୁନରୁଜ୍ଜୀବିତ କରିବୁ । ଆମର ପ୍ରିୟ ଯୋଧପୁର ସ୍ୱାଧୀନ ନହେବା ପର୍ଯ୍ୟନ୍ତ ଆମେ ବିପତ୍ତିର ପାହାଡ଼ ଭାଙ୍ଗି ଚୂରମାର କରିଦେବୁ ।’

 

‘ଧନ୍ୟ ବାର ଧନ୍ୟ ରାଠୋର । ବର୍ତ୍ତମାନ ମୁଁ ଯୋଧପୁରର ଭାବୀ ଅଧିପତିଙ୍କର ରକ୍ଷଣାବେକ୍ଷଣ ପାଇଁ ବାରଟି ଗାଁ ପଟ୍ଟା ଲେଖି ଦେଉଛି ।’

 

‘ମହାରାଣାଙ୍କର ଜୟ ହେଉ । ଆପଣଙ୍କ ଆଜ୍ଞା ପାଇଲେ ଦେଶ ଭକ୍ତର ଯୋଗ ସାଧନାପାଇଁ ଆମେ ମୋଗଲ ସିଂହାସନକୁ ଜାଳିପୋଡ଼ି ପାଉଁଶ କରିଦେବାର ବ୍ୟବସ୍ଥା କରିବୁ ।’

 

‘ଯାଅ ବୀର ଶୁଭ ମସ୍ତୁ ।’

 

ଚାରି

 

ଆଉରଙ୍ଗଜେବ ଛଅବର୍ଷ ପର୍ଯ୍ୟନ୍ତ ସିଂହାସନରେ ବସି ସାରିଥିଲେ ମଧ୍ୟ ସେ ରାଜପୁତମାନଙ୍କର ବୀରତ୍ୱ ଓ ସ୍ୱାତନ୍ତ୍ର୍ୟ ବୃତ୍ତିକୁ ଚପେଇ ଦେଇ ପାରି ନଥିଲେ । ରାଜପୁତମାନଙ୍କର ନିର୍ଭୀକତା ସଦାବେଳେ ତାଙ୍କୁ ଭୟଭୀତ କରି ରଖୁଥିଲା । ଦାରାଙ୍କର ମୃତ୍ୟୁ କଥା ମନେମନେ ଚିନ୍ତା କରି ମନେମନେ କହୁଥିଲେ–‘‘ସମୁଗଡ଼ ଯୁଦ୍ଧରେ ଦାରା ଫଉଜକୁ ଧୂଳିସାତ୍‌ କରିବା ଛଅବର୍ଷ ବିତିଗଲାଣି । ମାଛିକୁ ମ କହୁ ନଥିବା ସରଳ ଦାରା ଶେଷରେ କୁକୁର ପରି ମଲା । ଦାରାର ଛିନ୍ନ ଶିର ମୋ ଆଗରେ ପେସ୍ କଲାବେଳେ ମୁଁ ତ ଚିହ୍ନିପାରିଲିନି । ଶେଷରେ ମୁଁ ଚିହ୍ନିଲି ସେ ଦାରା....ଯିଏ ଶୈଶବରେ.....ଓଃ....... । ଉକ୍ତ ଦୃଶ୍ୟଗୁଡ଼ିକ ମନେପକାଇବା ବୋକାମି ଅଟେ । ଶେଷରେ ସିପାହୀ ସଦୃଶ ଜୀବନ ଯାପନ କରୁଥିବା ନିଜର ଅସ୍ତ୍ର ଓ ମଦ୍ୟ ଉପରେ ଭରସା କରୁଥିବା ମୁରାଦ ନିଜ କୃତକର୍ମରେ ଦଣ୍ଡିତ । ମୋ ଜୀବନର ଗୋଟିଏ ଗୋଟିଏ କାଢ଼ି ସଫା କରି ଦେଇ ଆଜି ମୁଁ ନିଷ୍କଣ୍ଟକ । ବର୍ତ୍ତମାନ ମୁଁ ସିଂହାସନରେ ବସି ଆକୁମାରୀ ହିମାଳୟ ଶିଖର ଏବଂ କାବୁଲଠାରୁ ସମୁଦ୍ର ଲହଡ଼ି ପର୍ଯ୍ୟନ୍ତ ଶାସନ କରୁଥିବା ସର୍ବୋଚ୍ଚ ବାଦଶାହା ଆଲମଗୀର ସହିତ କିଏ ଶକ୍ତି ପରୀକ୍ଷା କରିପାରେ ? ମୋର ରାସ୍ତାରେ ରାଜପୁତ ଓ ମୁଲ୍ଲା କାଜୀ କଣ୍ଟା ସଦୃଶ । ଏ ରାଜପୁତମାନେ ଏକପ୍ରକାର ପଶୁ ଅଟନ୍ତି । ବଦମାସଙ୍କ ହୃଦୟରେ ଦୟାର ସ୍ଥାନ ନାହିଁ । ଏମାନଙ୍କ ପକ୍ଷେ ମରିବା ମାରିବା ଅତି ସହଜ ବ୍ୟାପାର ଅଟେ । ଏକଥା ସତ୍ୟ ଯେ ରାଜପୁତମାନଙ୍କ ସହାୟତାରେ ମୋର ପୂର୍ବପୁରୁଷମାନେ ହିନ୍ଦୁସ୍ଥାନକୁ ଶାସନ କରୁଥିଲେ । ମାତ୍ର ଆଜି ସମୟ ଚକ୍ର ପରିବର୍ତ୍ତିତ ଏବଂ ସମଗ୍ର ଭାରତରେ ଦୀନ ଇସଲାମର ଜୟଜୟକାରରେ ଗଗନ ପବନ ମୁଖରିତ-। ସମଗ୍ର ଭାରତରେ ଦୀନ ଇସଲାମର ସମ୍ମାନ ବୃଦ୍ଧି ମୋର ମୂଳ ଲକ୍ଷ୍ୟ ।’’

 

ଏପରି ଚିନ୍ତା କରୁ କରୁ ସେ ଚିତ୍କାର କଲେ ‘ଆରେ କିଏ ଅଛିରେ ?’

 

ଜଣେ ଅନୁଚର ଆସି ସଲାମ ଜଣାଇ ଠିଆ ହେଲା । ତାଙ୍କୁ କିଛି ସମୟ ନିରୀକ୍ଷଣ କଲା ପରେ ଆଦେଶ ଦେଲେ–

 

‘ପାଟମନ୍ତ୍ରୀ ଅସଦୁଲ୍ଲାଙ୍କୁ ହାଜର କର ।’

 

ପାଟମନ୍ତ୍ରୀ ଆସିବାକ୍ଷଣି ବାଦଶାହା ପ୍ରଶ୍ନ କଲେ–‘ଯୋଧପୁର ରାଣୀ ଗିରଫ୍ ହେଲେ ?’

 

‘ନାଁ ଜାହାଁପନା । କେତେକ ରାଜପୁତଙ୍କ ସହ ରାଣୀ ରକ୍ଷା ପାଇଗଲେ, ଅନ୍ୟମାନେ ହଣା ଖାଇଲେ ଓ ରାଜପୁତ ରମଣୀମାନେ ନିଆଁରେ ଝାସ ଦେଲେ ।’

 

‘ତାଙ୍କୁ ବନ୍ଦୀ କରିବାକୁ କିଏ ଯାଇଥିଲା ?’

 

‘ଜାହାଁପନା ଫୌଜଦାର ହେବର ଖାଁ ଯାଇଥିଲେ ।’‘

 

‘ଆଉ ତାଙ୍କ ସଙ୍ଗେ କେତେ ସୈନ୍ୟ ଥିଲେ ।’

 

‘ଖୁଦା ବନ୍ଦ, ପାଞ୍ଚ ହଜାର ।’

 

‘ରାଜପୁତ କେତେ ଥିଲେ ?’

 

‘ସଠିକ କହିପାରିବିନି ହଜୁର । କିଏ କହୁଛି ପଚାଶ ଜଣ ଥିଲେ କିଏ କହୁଛି ଦୁଇ ଶହ ଥିଲେ ।’

 

ବାହଶାହା କ୍ରୋଧରେ ଗର୍ଜି ଉଠିଲେ–‘ଆଉ ସେମାନଙ୍କୁ ନେଇ ରାଣୀ ପାଞ୍ଚ ହଜାର ଶାହୀ ସେନାଙ୍କୁ ପାଦରେ ମାଡ଼ି ଦଳି ଚାଲିଗଲା ?’

 

‘ଜାହାଁପନା, ଦର୍ଶକମାନେ ଏଭଳି ଦୃଶ୍ୟ ପୂର୍ବରୁ ଦେଖି ନଥିଲେ ବୋଲି କହନ୍ତି । ରାଣୀ ବୀରତ୍ୱର ସହିତ ଦୁଇ ହାତରେ ଯୋଡ଼ିଏ ଖଣ୍ଡା ବୁଲାଇ ଆମର ରାଜ ସେନାକୁ ଖିନ୍‌ଭିନ୍‌ କରି ଚାଲିଗଲେ ।’

 

‘ଘୋର ଲଜ୍ଜା ଓ ପରିତାପର ବିଷୟ । ରାଣୀ କୁଆଡ଼େ ଗଲେ ସମ୍ବାଦ ପାଇଛ ?’

 

ରାଣା ରାଜସିଂହଙ୍କର ଶରଣ ଭିକ୍ଷାପାଇଁ ସେ ଉଦୟପୁର ଯାଇଛନ୍ତି ।’

 

ଏହା ଶୁଣି ବାଦଶାହାଙ୍କ କ୍ରୋଧାଗ୍ନିରେ ଘିଅ ପଡ଼ିବା ଭଳି ହେଲା । ‘ରାଜସିଂହ ବିରୁଦ୍ଧରେ ଆହୁରି ଅଭିଯୋଗ ଅଛି ତ ?’

 

‘ହଁ ଜାହାଁପନା, ସମ୍ବାଦ ମିଳିଛି ଯେ ରାଜସିଂହ ତାଙ୍କର ସମସ୍ତ ଇଲାକା ଦଖଲ କରିନେବା ସଙ୍ଗେ ସଙ୍ଗେ ଚିତୋର ଦୁର୍ଗକୁ ମରାମତି କରିନେଇଛନ୍ତି ।’

 

‘ଆଚ୍ଛା ! ଏକଥା ପରେ ଚିନ୍ତା କରିବା ମୁଲ୍ଲା ଆସିଛନ୍ତି ?’

 

‘ହଁ ଖୁଦାବନ୍ଦ ହଜୁରଙ୍କ ପଦଚୁମ୍ବନ ପାଇଁ ସେ ପ୍ରସ୍ତୁତ ।’

 

‘ତାଙ୍କୁ ଏଠାକୁ ପଠାଇଦିଅ ଓ ଯଶୋବନ୍ତ ସିଂହ ପୁତ୍ର ଉପରେ ଦୃଷ୍ଟି ରଖ ।’

 

‘ଯଥାଆଜ୍ଞା ମହାରାଜା ।’ –ପାଟମନ୍ତ୍ରୀ ଚାଲିଗଲେ ।

 

ତାଙ୍କରି ଯିବା ପରେ ମୁଲ୍ଲା ଆସି ଆଦାବ୍‌ ଜଣାଇଲେ ।

 

ବାଦଶାହା କହିଲେ–‘ଆସନ୍ତୁ ମୌଲାନା । ଦୀନ ଇସଲାମର କେତକ ପ୍ରତିଷ୍ଠାପାଇଁ ଆପଣମାନେ ଏଇ ଅକିଞ୍ଚନକୁ ଶାସକରୂପେ ଗାଦି ଦେଲେ, ଦୀନ ଇସଲାମର ବାକି କାର୍ଯ୍ୟ କିପରି ଶେଷ କରାଯିବ ?’

 

‘ଜାହାଁପନା, ଏ ଦିଗରେ ହଜୁରଙ୍କ ନଜିର ଅଛି । ଦୀନ ଇସଲାମର ସଂରକ୍ଷଣ ଓ ବିକାଶପାଇଁ ଖୋଦା ଯଦି ଆପଣଙ୍କୁ ସ୍ଥାନ ନ ଦିଅନ୍ତି ତେବେ ମୋତେ କହିବେ ।’

 

ମୁଁ ଚାହେଁ ସମଗ୍ର ଭାରତରେ ଦୀନ ଇସଲାମର ଆଲୋକ ବିଚ୍ଛୁରଣ ପାଇଁ ସମସ୍ତ ବିଗ୍ରହ ପୂଜାକୁ ବନ୍ଦକରି ଦିଆଯିବ ଏଣୁ ପ୍ରତ୍ୟେକ ହିନ୍ଦୁ ମନ୍ଦିରକୁ ଭାଙ୍ଗିଦେଇ ତା’ ସ୍ଥାନରେ ମସଜିଦ ନିର୍ମାଣପାଇଁ ମୁଁ ଆଦେଶ ଜାରି କରି ଦେଇଛି ।’

 

‘ବାଃ ଆଲ୍ଲା ! କି ବୁଦ୍ଧିମାନର କାର୍ଯ୍ୟ ହଜୁର ନକରିଛନ୍ତି ? ଆପଣ ପ୍ରକୃତରେ ଇସଲାମୀ ଅଟନ୍ତି ।’

 

‘ମୁଁ ଦୀନ ଇସଲାମର ସେବକ ଅଟେ ତେଣୁ ଏ ଆଦେଶକୁ କଡ଼ାକଡ଼ି ଭାବରେ ପାଳନ କରିବାପାଇଁ ନିର୍ଦ୍ଦେଶ ଦେଇଛି । ଏହାବ୍ୟତୀତ ସମସ୍ତ ରାଜପୁତ ଓ ହିନ୍ଦୁମାନଙ୍କୁ ଜମିଦାରୀରୁ ଉଚ୍ଛେଦ କରି ସେ ସ୍ଥାନରେ ମୁସଲମାନମାନଙ୍କୁ ନିଯୁକ୍ତି ଦେଇଛି ।’

 

‘ଶୁଭାନ୍‌ ଆଲାଃ, ଶୁଭାନ୍‌ ଆଲାଃ ।’ ଜାହାଁପନା ଅନେକ ସମ୍ଭବ କାର୍ଯ୍ୟ କରିଛନ୍ତି । ଏପରି ହେବା ତ ଉଚିତ ।’

 

‘ବର୍ତ୍ତମାନ ଆପଣ କୁହନ୍ତୁ ଦୀନ ଇସଲାମର ଉନ୍ନତିପାଇଁ ଆଉ କ’ଣ କରାଯାଇପାରେ-।’

 

‘ଜାହାଁପନା । ଅଧୀନର ମତରେ ପଠାଣ ଓ ବାଦଶାହାମାନେ ପୂର୍ବରୁ ବସାଇଥିବ ଜିଜିଆ କର ହିନ୍ଦୁମାନଙ୍କ ଉପରେ ପ୍ରଚଳନ କରାଯାଉ । ଏଥିରେ ଦୀନର ସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ରାଜକୋଷ ବୃଦ୍ଧି ହେବ ।’

 

‘ହଁ । ଏଇ ବିଷୟ ଉପରେ ଚିନ୍ତା କରାଯାଉଛି । କିନ୍ତୁ ମୁଁ ଭାବୁଛି ଏହାଦ୍ୱାରା ରାଜପୁତ ଓ ହିନ୍ଦୁମାନେ କ୍ଷୁବ୍ଧ ହେବେ ।’

 

‘କିନ୍ତୁ ଜାହାଁପନା ଖୋଦାର ଭକ୍ତ ମୂର୍ଖ ରାଜପୁତମାନଙ୍କୁ ଭୟ କରେ ନାହିଁ । ଜିଜିଆ କର ଆଦେଶ ଶୀଘ୍ର ଜାରି ହେବା ଉଚିତ ।’

 

‘ଉତ୍ତମ । ମୁଁ ଯଥାଶୀଘ୍ର ଏହାର ବ୍ୟବସ୍ଥା କରୁଛି ।’

 

‘ଶୁଭ ଅଭିନନ୍ଦନ ହଜୁର । ମୁଁ ଠିକ୍‌ ଜାଣେ ଜାହାଁପନା ଖାଣ୍ଟି ଇସଲାମୀ ଅଟନ୍ତି ।’

 

ପାଞ୍ଚ

 

ସଲୁମ୍ବରା ରାଜ୍ୟର ସର୍ଦାର ରାଉତ ରଘୁନାଥ ସିଂହ ଉଦୟପୁରର ରାଜଭକ୍ତ ସେବକ ଥିଲେ । କେହି ଜଣେ କିନ୍ତୁ ଈର୍ଷାପରବଶ ହୋଇ ରାଣାଙ୍କୁ ପ୍ରରୋଚିତ କରିବାଦ୍ୱାରା ରାଣା କ୍ରୋଧପରବଶ ହୋଇ ଅନ୍ୟ ସର୍ଦାର ଚୌହାନ କେଶରୀ ସିଂହଙ୍କୁ ତାଙ୍କର ଜାଗିରି ହସ୍ତାନ୍ତର କରିଦେଲେ ଓ ସଲୁମ୍ବରା ଦଖଲ କରିନେବା ପାଇଁ ଆଦେଶ ଦେଲେ । ଏ ସମ୍ବାଦ ପାଇ ରଘୁନାଥ ସିଂହ ଦୁଃଖିତ ହେବା ସଙ୍ଗେ ସଙ୍ଗେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ରୁଷ୍ଟ ହେଲେ । ଏଥିପାଇଁ ଦିଲ୍ଲୀ ବାଦଶାହାଙ୍କ ନିକଟରେ ଚାକିରି କରିବାପାଇଁ ସ୍ୱରାଜ୍ୟ ପରିତ୍ୟାଗ କରି ଚାଲିଗଲେ-। ତାଙ୍କର ପୁତ୍ର ରତ୍ନସିଂହ ତାଙ୍କୁ ଅନେକ ବୁଝାଇଲା ପରେ ମଧ୍ୟ ସେ ନମାନିବାରୁ ରତ୍ନସିଂହ ତାଙ୍କ ସଙ୍ଗେ ଗଲେ ନାହିଁ । ସଲୁମ୍ବରା ପରି ରାଜଭକ୍ତ ସର୍ଦାର ମେବାର ତ୍ୟାଗ କରିବା ସମ୍ବାଦ ମହାରାଣୀ କୃଷ୍ଣ କୁମାରୀଙ୍କୁ ଭଲ ନଲାଗିବାରୁ ସେ ଏହା ବିରୋଧ କରି ସ୍ୱାମୀଙ୍କୁ ପ୍ରଶ୍ନ କଲେ ।

‘ସ୍ୱାମୀ । ସଲୁମ୍ବରା ସର୍ଦାର ରାଉତ ରଘୁନାଥ ସିଂହ ମେବାର ତ୍ୟାଗ କରିବା କଥା କ’ଣ ସତ ?’

‘ସତ । ନିଜର ଧର୍ମ ତ୍ୟାଗ କରି ସେ ଦିଲ୍ଲୀ ବାଦଶାହାଙ୍କ ନିକଟକୁ ଚାଲିଗଲେ ।’

‘ରାଉତ ରଘୁନାଥ ସିଂହଙ୍କ ଭଳି ଚତୁର ରାଜନୀତିଜ୍ଞ ବୀର ମେବାରରେ ବିରଳ । ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି । ତାଙ୍କ ବାପ ଦାଦାଙ୍କ ରକ୍ତରେ ତିଆରି ସଲୁମ୍ବରା ରାଜ୍ୟକୁ ଆପଣ ଚୌହାନଙ୍କୁ ଦେଇଦେଲେ ?’

 

‘ମୁଁ ବୀରର ପୂଜକ ଅଟେ ଏବଂ ଚୌହାନ କେଶରୀ ସିଂହ ବୀର ଅଟନ୍ତି ।’

 

‘ତାହାହେଲେ ଆପଣ ନିଜର ଉଦୟପୁରର ଗାଦି ଦେଇପାରିଥାନ୍ତେ । ସର୍ଦାରର ମାନଭଞ୍ଜନ ବୀର ପୂଜା ନୁହେଁ । ରାଉତ ରଘୁନାଥ ସିଂହ ପ୍ରକୃତରେ ବୀର ଅଟନ୍ତି ।’

 

ମୁଁ ‘ଜାଣିପାରିଛି ସେ ମୋ ସହ ଦ୍ୱେଷ କରୁଛନ୍ତି ।’

 

‘ଏହା ମିଥ୍ୟା–ସେ ପ୍ରକୃତରେ ରାଜଭକ୍ତ ଅଟନ୍ତି ।’

 

‘ବାଦଶାହାଙ୍କ ନିକଟକୁ ଚାଲିଯିବା ତାଙ୍କର ଦୋଷ ସାବ୍ୟସ୍ତ କରୁଛି ।’

 

‘ଆହୁରି ମଧ୍ୟ ମୁଁ ଶୁଣିବାକୁ ପାଇଛି ସେ ମୋ ବିରୁଦ୍ଧରେ ବାଦଶାହାଙ୍କୁ ପ୍ରଭାବିତ କରୁଛନ୍ତି ।

 

‘ମହାରାଜ । ଖଳ ବ୍ୟକ୍ତିମାନେ ଆପଣଙ୍କୁ ମିଛ କହି ସର୍ଦାରଙ୍କ ବିରୁଦ୍ଧରେ ପ୍ରଭାବିତ କରିଛନ୍ତି । ରାଉତ ଏବଂ ତାଙ୍କ ବଂଶଜମାନଙ୍କ ଉପକାର ଆମେ କେବେ ଭୁଲିବା କଥା ନୁହେଁ, ଗାଦି ପୂର୍ବରୁ ତାଙ୍କର ଥିଲା, ଏକଥା ଆପଣ ନିଶ୍ଚୟ ଜାଣିଛନ୍ତି ।’

 

‘କିନ୍ତୁ ରାଣା ହେବା ଯୋଗୁଁ ମୋତେ ସବୁ ଆଡ଼େ ଦୃଷ୍ଟି ଦେବାକୁ ପଡ଼ିବ ।’

 

‘ହଁ ସ୍ୱାମୀ, ସେଇଆ ମୋର ଇଚ୍ଛା । ମୁଁ ରାଉତଙ୍କ ପୁତ୍ର ରତ୍ନସିଂହଙ୍କୁ ଡକାଇଛି ।’

 

‘କାହିଁକି ରାଣୀ ?’

 

‘ସଲୁମ୍ବରା ରାଜ୍ୟ ତାଙ୍କର ଅଟେ ଏବଂ ନୂଆ ପଟ୍ଟା ବାତିଲ କରିଦେବେ ବୋଲି ବିଶ୍ୱାସ ଆପଣ ଜନ୍ମାଇବେ ।’

 

‘ଏହା ଅସମ୍ଭବ ମହାରାଣୀ ! ରାଜକାର୍ଯ୍ୟରେ ସ୍ତ୍ରୀମାନଙ୍କ ଦଖଲ ଦେବା ଉଚିତ ନୁହେଁ ।’

 

‘ଯଦି ମହାରାଜଙ୍କର ଏଇଆ ବିଚାର, ତାହାହେଲେ ସେଇଆହିଁ ହେବ ।’

 

‘କିନ୍ତୁ ସ୍ୱାମୀନୀ । ସ୍ତ୍ରୀ ସ୍ୱାମୀର ଅର୍ଦ୍ଧାଙ୍ଗିନୀ, ତେଣୁ ସେ ସବୁ କିଛି ସହିପାରେ, କିନ୍ତୁ ସ୍ୱାମୀଙ୍କ ଯଶରେ କଳଙ୍କ ଲାଗିବା ସହିପାରେନା ।’

 

‘କ’ଣ କହିଲ ? –କଳଙ୍କ ? କିଏ ମୋ ଯଶରେ କଳଙ୍କ ଲେପନ କରିଛି ?

 

‘ମହାରାଜଙ୍କର ଏଭଳି ଛୋଟିଆ ଛୋଟିଆ ଭୁଲ୍‌ । ଏକଲିଙ୍ଗେଶ୍ୱରଙ୍କୁ ତୁଳାଦାନ ଦେଇଥିବା ଏବଂ ବାହୁବଳଦ୍ୱାରା ପୂର୍ବଜମାନଙ୍କରୁ ଛଡ଼ାଇ ନିଆଇଥିବା ରାଜ୍ୟଗୁଡ଼ିକର ପୁନରୁଦ୍ଧାର କରିଥିବା ଶ୍ରେଷ୍ଠ ନରପତି ରାଜସିଂହଙ୍କ ନାମ ପ୍ରତିଟି ଘରେ ଉଚ୍ଚାରିତ, ହିନ୍ଦୁ ଧର୍ମ ରକ୍ଷକ ହଜୁରଙ୍କର ସର୍ଦାରଙ୍କ ପ୍ରତି ଏତାଦୃଶ ଆଚରଣ ଯଥାଯଥ ନୁହେଁ । ବିଶାଳ ବୃକ୍ଷ ରୂପୀ ରାଜାଙ୍କର ସର୍ଦାରମାନେ ଶାଖା ଅଟନ୍ତି । ତାଙ୍କରି ସକାଶେ ରଜାଙ୍କର ଶୋଭା ବର୍ଦ୍ଧନ ହୁଏ । ମହାରାଜ କ’ଣ ଆପଣ ରୁଷ୍ଟ ହେଉଛନ୍ତି ?’

 

‘ନାଁ ମହାରାଣୀ, ମୁଁ ଭାବୁଛି ପ୍ରକୃତରେ ମୁଁ ଭୁଲ୍‌ କରୁଛି ।’

 

ଏ ସମୟରେ ଜନୈକା ଦାସୀ ରତ୍ନସିଂହଙ୍କ ସମ୍ବାଦ ଦେଲା । ରାଣୀ ନେଇ ଆସିବାକୁ ଆଦେଶ ଦେଲେ । ମୋର ପୁତ୍ର ଜୟସିଂହଠାରୁ କୌଣସି ଗୁଣରେ ରତ୍ନସିଂହ କମ୍‌ ଥିବାର ମୁଁ ଜାଣିପାରୁନି, ସେ ଅତି ବିନୟ ସୁଶୀଳ ଏବଂ ବୀର ସ୍ୱଭାବର ଅଟେ ।

 

କିଛି ସମୟ ପରେ ରତ୍ନସିଂହ ପ୍ରବେଶ କରି ଅଭିବାଦନ କଳ୍ପ–‘ଅନ୍ନଦାତାଙ୍କର ଜୟ ହେଉ, ସେବକକୁ ଆଦେଶ କରନ୍ତୁ ।’

‘ସଲୁମ୍ବରା ରାଜ୍ୟ କେଶରୀ ସିଂହଙ୍କୁ ଅର୍ପଣ କରି ଦେଇଛ ?’

 

‘ନାଁ ମହାରାଜ ।’

 

‘କାହିଁକି ଏତେ ବିଳମ୍ବ ? ତାଙ୍କ ନାମରେ ପଟ୍ଟା କରି ଦିଆଯାଇଛି ।’

 

‘ଧର୍ମାବତାର ରାଜାଜ୍ଞା ପାଳନରେ ମୁଁ ବିଳମ୍ବ କରିନାହିଁ । ମୁଁ ସ୍ୱୟଂ କେଶରୀ ସିଂହଙ୍କ ପାଖକୁ ରାଜ୍ୟ ଦଖଲ କରିନେବାକୁ କହିବାପାଇଁ ଯାଇଥିଲି ।’

 

‘ସେ କ’ଣ କହିଲେ ?’

 

‘ସେ କହିଲେ–ସଲୁମ୍ବରା ରାଜ୍ୟ ଚୂଡ଼ାମଣିମାନଙ୍କର ଅଟେ, ଏମାନେ ମେବାର ଗାଦିର ରକ୍ଷକ ଓ ପ୍ରତିପାଳକ ଅଟନ୍ତି । ତାଙ୍କରି ରାଜ୍ୟକୁ ମୁଁ ଅଧିକାର କରି ନ ପାରେ ।’

 

‘କ’ଣ ସେ ଏଇଆ କହିଲେ ?’

 

‘ହଁ ମହାରାଜ । ମୁଁ ଅନେକ ବୁଝାଇଲେ ମଧ୍ୟ ସେ ଏଥିପାଇଁ ପ୍ରସ୍ତୁତ ନୁହନ୍ତି ।’

 

‘ରତ୍ନସିଂହ ! ତୁମ ପିତା ଦିଲ୍ଲୀ ବାଦଶାହାଙ୍କ ନିକଟକୁ ଚାଲିଯିବା ସମ୍ବାଦ କ’ଣ ସତ୍ୟ ?’

 

‘ହଁ ମହାରାଜ ।’

 

‘ମୋର ବିନା ଆଜ୍ଞାରେ କେମିତି ?’

 

‘ସେ ଅନୁମତିନେବା ଆବଶ୍ୟକ ମଣିଲେ ନାହିଁ ।

 

‘ଏହା ରାଜଦ୍ରୋହ ଅଟେ । ମୁଁ ଏହାର ଶାସ୍ତି ବିଧାନ କରିବି ।’

 

‘ଏହା ରାଜଦ୍ରୋହ ନୁହେଁ ମହାରାଜ–ଏହା ଆତ୍ମସମ୍ମାନ ଅଟେ । ଦଣ୍ଡବିଧାନ କରିବା ନକରିବା ଆପଣଙ୍କ ଇଚ୍ଛାର କଥା ।’

 

‘ମୋରି ସର୍ଦାର ମୋରି ବିନାଦେଶରେ କେମିତି ଚାଲିଯାଇପାରେ ?’

 

‘ଯେତେବେଳେ ଛାମୁ ତାଙ୍କର ଜାଗିରି ଜବତ କରିନେଲେ ସେ ଆଉ ସର୍ଦାର ରହିଲେ କେଉଁଠି ? ଯେଉଁଠି ଜୀବିକା ସେଇଠାରେ ସେ ରହିବେ ମହାରାଜ ।’

 

‘ରଘୁନାଥ ସିଂହ ଜୀବିକା ନିର୍ବାହପାଇଁ ଦେଶାନ୍ତରୀ ହୋଇଛନ୍ତି ?’

 

‘ହଁ ଧର୍ମାବତାର ।’

 

‘ଆଉ ତୁମେ.........ତୁମେ କ’ଣ କରିବ ?’

 

‘ମୁଁ ! ମହାରାଜ, ମୁଠାଏ ଅନ୍ନ ଚେଷ୍ଟାରେ ଏଇ ମେବାରର ପଡ଼ିରହିବି ।’

 

‘ଆଉ ତୁମର ଏଇ ତରବାରି ? –‘ଆବଶ୍ୟକ ହେଲେ ଏହାର କରାମତି ଦେଖାଇବ ।’

 

ରାଣୀ ପ୍ରସନ୍ନ ହୋଇ କହିଲେ–‘ଦେଖିଲେ ମହାରାଜ ନିଜର ସେବକର ବିଚାର ଶୁଣିଲେ ।’

 

‘ଶୁଣିଲି ।’ ଏହା କହି ରାଣା ଆଗେଇ ଯାଇ ରତ୍ନସିଂହଙ୍କୁ ବକ୍ଷ ପ୍ରଦେଶରେ ଜଡ଼ାଇ ଧରିଲେ ଏବଂ କହିଲେ–‘ଧନ୍ୟବୀର ! ସଲୁମ୍ବରା ରାଜ୍ୟ ତୁମରି ଅଟେ । ମୁଁ ରଘୁନାଥ ସିଂହଙ୍କୁ ଫେରାଇ ଆଣିବାପାଇଁ ଦୂତ ପଠାଇବି ।’

 

ରାଣାଙ୍କ ପଦସ୍ପର୍ଶ କରି ରତ୍ନସିଂହ ଶପଥ କଲେ–‘ମହାରାଜ ଏ ଜୀବନ, ଏ ଅସ୍ତ୍ର, ଏ ଶରୀର ସବୁକିଛି ଏ ଦେଶର ସ୍ୱାର୍ଥପାଇଁ ଅର୍ପଣ କଲି ।’

 

‘ଧନ୍ୟ ବୀର । ଧନ୍ୟ ରତ୍ନସିଂହ ।’

 

ଛଅ

 

ମେବାରର ବିକଟ ବନ ନିକଟସ୍ଥ ପାହାଡ଼ୀପଡ଼ାସ୍ଥିତ ଗୋଟିଏ ଛୋଟିଆ ଭିଲ ବସ୍ତିରେ ଜଣେ ବୃଦ୍ଧବ୍ରାହ୍ମଣ ମୁଣ୍ଡରେ ବଡ଼ ବୋଝ ଧରି ଅବସନ୍ନ ଓ କ୍ଳାନ୍ତ ଅବସ୍ଥାରେ ପହଞ୍ଚିଲା । କିଛି ଲୋକ ସେଠାରେ ବସିଥିବାର ଦେଖି ବୃଦ୍ଧ ବ୍ରାହ୍ମଣ କହିଲା–‘ଆରେ ଭାଇ ! ବୃଦ୍ଧ ବ୍ରାହ୍ମଣଟିକୁ ଆଜି ରାତିକପାଇଁ ଆଶ୍ରା ମିଳିବ ?’

 

‘କିଏ ତୁମେ ?’

 

‘ମୁଁ ଜଣେ ବ୍ରାହ୍ମଣ ! ମୋ ସାଙ୍ଗେ ଦେବତା ଅଛନ୍ତି ।’

 

ଏକଥା ଶୁଣି ଭିଲମାନେ ଛିଡ଼ା ହୋଇଗଲେ । ଜଣେ ବୟୋବୃଦ୍ଧ ଭିଲ ବ୍ରାହ୍ମଣ ସମ୍ମୁଖକୁ ଆମି ପ୍ରଶ୍ନ କଲା–‘କ’ଣ ତୁମ ସାଙ୍ଗରେ ଦେବତା ଅଛନ୍ତି ?’

 

‘ହଁ ଭାଇ ।’

 

‘କୋଉଠାରୁ ଆସିଲ ?’

 

‘କେଉଁଠାରୁ ଆରମ୍ଭ କରିବି ଭାଇ ? ମୋ ଦୁଃଖ କାହାଣୀ ବହୁତ ଲମ୍ବା । ଯଦି ବସିବ ତେବେ କହିବି । ଆଜି ରାତିକପାଇଁ ମୋତେ ଆଶ୍ରୟ ଦେବ ?’

 

‘ଆରାମରେ ବସ, ମୁଣ୍ଡରୁ ଦେବତାଙ୍କୁ ଓହ୍ଲାଇ ଦିଅ । ଏଇଠି ନିଆଁ ଜଳୁଛି ବସ ।’

 

ବ୍ରାହ୍ମଣ ମୁଣ୍ଡରୁ ବୋଝ ଓହ୍ଲାଇ ଗୋଟିଏ ଉଚ୍ଚ ଜାଗାରେ ଥୋଇଦେଲା । ବୃଦ୍ଧ ଭିଲ ପାଖକୁ ଆସି ପ୍ରଶ୍ନ କଲା ‘ବର୍ତ୍ତମାନ କୁହ କେଉଁଠାରୁ ଆସିଲ ?’

 

‘ମୁଁ ଜୟପୁର, ଯୋଧପୁର, ବିକାନୀର, ଜେସଲମେର ମଧ୍ୟ ଦେଇ ସମଗ୍ର ରାଜପୁତନାରୁ ବୁଲି ଆସିଲି ।’

 

‘କାହିଁକି ବ୍ରାହ୍ମଣ ମହାପ୍ରଭୁ ?’

 

ବ୍ରାହ୍ମଣ ଗଦଗଦ କଣ୍ଠରେ କହିଲା–‘ଦେବତାଙ୍କ ନିରାପତ୍ତା ପାଇଁ ।’ ସଂସାର ପାଳକ ଦେବତାଙ୍କ ପାଇଁ, ଯାହାର ଆଜ୍ଞାରେ ବାରିବର୍ଷଣ ହୁଏ ରାତି ଜହ୍ନାଲୋକ ଦିଏ, ସୂର୍ଯ୍ୟ ଆଲୋକ ତାପ ପ୍ରଦାନ କରନ୍ତି, ଦିବସ ସୌନ୍ଦର୍ଯ୍ୟ ଆଣିଦିଏ ସେଇ ଦେବତାଙ୍କ ନିରାପତ୍ତା ଆଜି ଆଉ ଭାରତରେ ନାହିଁ । ଆର୍ଯ୍ୟ ଭୂମି ଭାରତରୁ ଧର୍ମ ଲୋପ ପାଇଗଲା ।’

 

‘ନାଁ, କିଏ ଦେବତାଙ୍କୁ ଅପମାନ କଲା ଆମେ ତାକୁ ହତ୍ୟା କରିବୁ ।’

 

‘ଭିଲ ଭାଇମାନେ ! ଏହାର ତୁମର ଶକ୍ତି ବହିର୍ଭୂତ । ଯାହାର ଆତଙ୍କରେ ରାଜପୁତନା ଆତଙ୍କିତ, ଯାହାର ସେବାରେ ରଜା ମହାରାଜା ଯୋଡ଼ହସ୍ତ ହୋଇ ରହିଥାନ୍ତି ତାହାରି ଭୟରେ ଦେବତାଙ୍କ ନିରାପତ୍ତା ପାଇଁ ମୁଁ ଏ ଦୁଆରୁ ସେ ଦୁଆର ଘୂରି ବୁଲୁଛି–ତାହାରି ଭୟରେ କେହି ମୋତେ ଆଶ୍ରୟ ଦେଲେ ନାହିଁ । ତୁମେବି କ’ଣ ତାହାରି ଭୟରେ ମୋର ଦେବତାଙ୍କୁ ରକ୍ଷା କରିପାରିବିନି ? ଏହା କହୁ କହୁ ବ୍ରାହ୍ମଣ ଆଖିରେ ଲୁହ ଜକେଇ ଆସିଲା ।

 

‘କିଏ ସେ ଏପରି ନରାଧମ ?’

 

‘ବାଦଶାହା ଆଲମଗୀର । ଯିଏ ବାପକୁ ବନ୍ଦୀ କରି ଭାଇମାନଙ୍କୁ ହତ୍ୟା କରି ଦିଲ୍ଲୀ ସିଂହାସନ ଆରୋହଣ କରିଛି । ସେ ହିନ୍ଦୁମାନଙ୍କର ମୂଳୋତ୍ପାଟନ ଆରମ୍ଭ କରି ଦେଇଛି । ଦେଶର ବଡ଼ବଡ଼ ଧର୍ମ ସ୍ଥାନ ଖଣ୍ଡବିଖଣ୍ଡ, ଦେବତାଙ୍କ ଶରୀର ଛିନ୍ନ ବିଛିନ୍ନ, କିନ୍ତୁ ଆଜି ହିନ୍ଦୁର ସମ୍ମାନ ଓ ଦେବତାଙ୍କ ନିରାପତ୍ତା ପାଇଁ ଏ ପାପରୁ ହିନ୍ଦୁମାନଙ୍କୁ ରକ୍ଷା କରିବା ନିମନ୍ତେ ଜଣେ ହେଲେ ପୁଅ ନାହିଁ ।’

 

ବୃଦ୍ଧ ଭିଲ ଉତ୍ତେଜିତ ହୋଇ କହି ଉଠିଲା–‘ଏପରି କୁହ ନାହିଁ ।’ ଧରିତ୍ରୀ କେବେହେଲେ ବୀର ଶୂନ୍ୟ ନୁହେଁ ।’

 

‘ବର୍ତ୍ତମାନ ସୁଦ୍ଧା ଜଣେ ବୀର ସୂର୍ଯ୍ୟ ଏ ପୃଥିବୀରେ ଜୀବିତ ଅଛି ।’

 

‘କିଏ ସେ ବୀର ଶ୍ରେଷ୍ଠ ?’

 

‘ମେବାରାଧିପତି ହିନ୍ଦୁ ଶ୍ରେଷ୍ଠ ମହାରାଣା ରାଜସିଂହ ।’

 

‘ତାଙ୍କର ଯଶଖ୍ୟାତି ମୁଁ ଶୁଣିଛି ଓ ସେଇଠାକୁହିଁ ଯାଉଥିଲି । କ’ଣ ସେଠାରେ ଆଶ୍ରୟ ମିଳିବ ?’

 

‘ଅବଶ୍ୟ ମିଳିବ । ତୁମ ସାଥିରେ କେଉଁ ଦେବତା ଅଛନ୍ତି ?

 

‘ଦ୍ୱାରିକାଧୀଶ’ । ଆମେ ସବୁ ଗୋବର୍ଦ୍ଧନରୁ ପଳାଇ ଆସିଛୁ ।

 

‘ବ୍ରାହ୍ମଣ ମହାପ୍ରଭୁ ! ସ୍ନାନ ପୂଜାଦି ସାରି ଦେବତାଙ୍କୁ ଭୋଗରାଗ ଦେଇ ନିର୍ଭୟରେ ବିଶ୍ରାମ କରନ୍ତୁ ।’

 

ବ୍ରାହ୍ମଣ ପ୍ରସନ୍ନ ଚିତ୍ତରେ କହିଲେ–‘ଈଶ୍ୱର ଆପଣଙ୍କର ମଙ୍ଗଳ କରନ୍ତୁ ।’

 

ପରଦିନ ପଦବ୍ରଜରେ ଯାଇ ବ୍ରାହ୍ମଣ ଉଦୟପୁରରେ ପହଞ୍ଚିଲେ । ତାଙ୍କର ଆସିବା ଆୟୋଜନ ଶୁଣି ସାରା ନଗରରେ ଉଦ୍‌ବିଗ୍ରତା ଦେଖାଦେଲା । ମହାରାଣାଙ୍କର ଜ୍ୟେଷ୍ଠ ପୁତ୍ର ଓ କନିଷ୍ଠ ପୁତ୍ର ଜୟ ସିଂହ ଓ ଭୀମ ସିଂହ ରାତିରେ ବ୍ରାହ୍ମଣର ଆଗମନ ସମ୍ବାଦ ପିତାଙ୍କୁ ଶୁଣାଇଲେ ।

 

ରାଣା ପଚାରିଲେ ‘ସେ କିଏ ?’

 

ସେ ଗୋବର୍ଦ୍ଧନ ଗୋସାଇଁ ! ତାଙ୍କ ସାଥିରେ ଦ୍ୱାରିକାଧୀଶ ଏବଂ ଶ୍ରୀନାଥେଶ୍ୱରଙ୍କ ବିଗ୍ରହ ଅଛି । ସେସବୁ ଦିଗରୁ ନିରାଶ ହୋଇ ବର୍ତ୍ତମାନ ଆପଣଙ୍କର ଆଶ୍ରୟ ପ୍ରାର୍ଥୀ ।’

 

‘ପାପୀ ବାଦଶାହା କ’ଣ ସବୁ ଦେବ ମନ୍ଦିରଗୁଡ଼ିକୁ ଧ୍ୱଂସ କରି ଦେଉଛି ?

 

‘ହଁ ମହାରାଜ’ ସୈନ୍ୟଗଣ ତାଙ୍କରି ନିର୍ଦ୍ଦେଶରେ ସବୁ ମନ୍ଦିରଗୁଡ଼ିକୁ ଭାଙ୍ଗି ପକାଉଛନ୍ତି । କାଶୀ–ବିଶ୍ୱନାଥ ମନ୍ଦିରକୁ ଭାଙ୍ଗି ଦେଇ ଯେ ସ୍ଥାନରେ ମସଜିଦ ନିର୍ମାଣ କରାଯାଇଛି ।’

 

‘ତାହାହେଲେ ଭାରତର ହିନ୍ଦୁମାନେ ଆଜି ପତିତ । କ’ଣ ତାଙ୍କ ଦେହରେ ରକ୍ତ ନାହିଁ, ସେ ଚୁପ୍‌ଚାପ୍‌ ସହିଯାଉଛନ୍ତି ?’

 

‘କେବଳ କ’ଣ ଏତିକି ? ସେମାନେ ଜିଜିଆ କର ମଧ୍ୟ ଆଦାୟ ଆରମ୍ଭ କରିଦେଲେଣି-।’

 

‘ଏହା ଅତ୍ୟନ୍ତ ଅପମାନଜନକ । ହିନ୍ଦୁମାନେ କ’ଣ ଏହାର ମଧ୍ୟ ବିରୋଧ କଲେ ନାହିଁ-।’

 

‘କରିଥିଲେ । ଏହି ଅନ୍ୟାୟର ପ୍ରତିରୋଧ କରିବାପାଇଁ ଦିଲ୍ଲୀର ହିନ୍ଦୁମାନେ ଜୁମା ମସଜିଦ ସାମନାରେ ଏକତ୍ରିତ ହୋଇଥିଲେ । ବାଦଶାହା ସେମାନଙ୍କୁ ହାତୀଦ୍ୱାରା ଦଳି ମକଚାଇଦେଲେ ।’

 

ରାଣା ଉତ୍ତେଜିତ ହୋଇଉଠିଲେ, ‘କ’ଣ ହାତୀଦ୍ୱାରା ଦଳାଇ ଦେଲେ ? ଦିଲ୍ଲୀ ଦରବାରରେ ଥିବା ହିନ୍ଦୁମାନେ କେହି କିଛି କହିଲେନି ?’

 

‘ନା ମହାରାଜ, କେହି ଉଁଚୁ ମଧ୍ୟ କରି ନାହାନ୍ତି ।’

 

‘ହାୟରେ ଭାରତୀୟ ହିନ୍ଦୁର ଦୁର୍ଭାଗ୍ୟ । ଗୋସାଇଁ କେଉଁ କେଉଁ ଆଡ଼େ ଯାଇଥିଲେ ?’

 

‘ମହାରାଜ ! ସେ ବୁନ୍ଦୀ, କୋଟା, ପୁଷ୍କର, କିଶନଗଡ଼ ଓ ଯୋଧପୁର ଯାଇଥିଲେ । କିନ୍ତୁ ଆମଲଗୀର ଭୟରେ କେହି ତାଙ୍କୁ ଆଶ୍ରୟ ଦେଲେ ନାହିଁ । ବର୍ତ୍ତମାନ ସେ ମେବାରରେ ଶରଣ ପଶିଛନ୍ତି ।’

 

‘ଶରଣାଗତକୁ ଅଭୟ ।’ ତାଙ୍କୁ କୁହ–ମୋର ଏକ ଲକ୍ଷ ରାଜପୁତଙ୍କ ଶିରଚ୍ଛେଦ କରି ସାରିଲା ପରେ ବାଦଶାହା କେବଳ ବିଗ୍ରହ ସ୍ପର୍ଶ କରିପାରିବ । ସିହାଡ଼ରେ ଶ୍ରୀନାଥ ଓ କାଙ୍କରୋଲୀରେ ଦ୍ୱାରିକାଧୀଶଙ୍କୁ ପ୍ରତିଷ୍ଠା କରିଦିଆଯିବ । ମୂର୍ତ୍ତିପୂଜାର ଭୋଗାଦିର ବ୍ୟବସ୍ଥା ମଧ୍ୟ କରାଯିବ । ତୁମେ ଦୁଇ ଭାଇ ସାଦରେ ତାଙ୍କୁ ରାଜ୍ୟକୁ ଆଣି ଆସ ।’

 

‘ଯଥା ଆଜ୍ଞା ମହାରାଜ ।’ ଏହା କହି ପ୍ରସନ୍ନ ମନରେ ଦୁହେଁ ବିଦାୟ ନେଲେ ।

 

ବ୍ରାହ୍ମଣକୁ ଆଶ୍ରୟ ଦେଲାପରେ ରାଣା ବାଦଶାହାଙ୍କୁ ଖଣ୍ଡେ ପତ୍ର ଲେଖି ଦରବାର ଡକାଇ ସାମନ୍ତଙ୍କ ସହ ପରାମର୍ଶ ନେଲେ, ସେ କହିଲେ–‘ସର୍ଦାରଗଣ, ଆମକୁ ଜ୍ୱଳନ୍ତ ଅଗ୍ନିରେ ଝାସ ଦେବାକୁ ପଡ଼ିବ । ହିନ୍ଦୁ ଜାତି ଏବଂ ଧର୍ମର ଏ ପ୍ରକାର ଧ୍ୱଂସ ରୋକିବାପାଇଁ ଯଦି ଆମର ସର୍ବସ୍ୱ ଚାଲିଯାଏ ତେବେ ଚାଲିଯାଉ । ବାଦଶାହା ଆଗରୁ ତ ଅନ୍ୟାୟ କରୁଥିଲେ, ଏଇ ଜିଜିଆ କର ସବୁଠାରୁ ବଳିଗଲା । କୌଣସି ଚିନ୍ତାଶୀଳ ବ୍ୟକ୍ତି ଏ ପ୍ରକାର କରକୁ ସମର୍ଥନ କରିବ ନାହିଁ ।’

 

‘ଅନ୍ନଦାତା । ହିନ୍ଦୁମାନଙ୍କର ମାନ ସମ୍ମାନ କେବଳ ଆପଣହିଁ ରଖିପାରିବେ । ଆମେ କ’ଣ ଶୁଣିଲୁ ବାଦଶାହା ହିନ୍ଦୁମାନଙ୍କୁ ହାତୀଦ୍ୱାରା ଦଳି ମକଚାଇ ଦେଲେ ?’

 

‘ହଁ, ମୁଁ ବାଦଶାହାଙ୍କ ନିକଟକୁ ଖଣ୍ଡେ ପତ୍ର ଲେଖିଛି, ଏଥିପ୍ରତି ଆପଣମାନେ ନିଜ ନିଜର ସମ୍ପତ୍ତି ପ୍ରଦାନ କରନ୍ତୁ । କାରଣ ଆପଣମାନେ ଆମ ରାଜ୍ୟର ରକ୍ଷକ । ଦେୱାନଜୀ ! ପତ୍ର ପାଠ କରି ସମସ୍ତଙ୍କୁ ଶୁଣାଇଦିଅ ।’

 

‘ଯଥା ଆଜ୍ଞା ମହାରାଜ’ କହି ଦେୱାନଜୀ ପତ୍ର ପାଠ କଲେ ।

 

‘ଯଦ୍ୟପି ଏ ଶୁଭାକାଂକ୍ଷୀ ଆପଣଙ୍କଠାରୁ ଅନେକ ଦୂରରେ, ତେବେ ମଧ୍ୟ ଅଧୀନତା ଏବଂ ରାଜଭକ୍ତି ସହିତ ମୁଁ ଆପଣଙ୍କ ପ୍ରତ୍ୟେକ ଆଜ୍ଞା ପାଳନପାଇଁ ପ୍ରସ୍ତୁତ ଅଛି ।’

 

ପୁରୋହିତ ଗରିବ ଦାସ ବାଧା ଦେଇ ଚିତ୍କାର କଲା–‘ଧନ୍ୟ ମହାରାଜ ।’ ଅତ୍ୟାଚାରୀ ବାଦଶାହାର ପ୍ରତିଟି ଆଦେଶ କିପରି ପାଳିତ ହେବ ?’

 

ରାଣା କହିଲେ–‘ଏଇଟା ତ ଶିଷ୍ଟାଚାର, ଆପଣ ଶୁଣନ୍ତୁ ।’

 

ଦେୱାନଜୀ ପଢ଼ିଲେ–‘ମୋର ପୂର୍ବର ସାହାଯ୍ୟଗୁଡ଼ିକୁ ସ୍ମରଣ କରାଇ ପ୍ରଜାମାନଙ୍କର ଉନ୍ନତି କଳ୍ପେ ନିମ୍ନଲିଖିତ ବିଷୟ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛି । ମୁଁ ଶୁଣୁଛି ଏଇ ଶୁଭଚିନ୍ତକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଯେଉଁ ବ୍ୟବସ୍ଥାମାନ ହେଉଛି ସେଥିରେ ଆପଣଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇଯିବାରୁ ଆପଣଙ୍କର ରାଜକୋଷ ଶୂନ୍ୟ । ତେଣୁ ଏହାର ପରିପୂରଣ ପାଇଁ ଆପଣ ଜିଜିଆ କର ବସାଇଛନ୍ତି ।’

 

ସମସ୍ତେ ପାଟି କରି ଉଠିଲେ–‘ଶିବ ଶିବ, ଏ ପ୍ରବୃତ୍ତିକୁ ଶତଧିକ୍‌ ।’

 

‘ଆପଣମାନେ ଶାନ୍ତିର ସହିତ ଶୁଣନ୍ତୁ ।’ ଦେୱାନଜୀ ପୁଣି ପଢ଼ିଲେ–‘ଆପଣ ଜାଣନ୍ତି ଆପଣଙ୍କର ପୂର୍ବଜ ସ୍ୱର୍ଗୀୟ ମହମ୍ମଦ ଜଲାଉଦିନ ଆକବର ଶାହା ୫୨ ବର୍ଷ ପର୍ଯ୍ୟନ୍ତ ନ୍ୟାୟ ଶାସନ କରି ସମଗ୍ର ଜାତିକୁ ସୁଖ ଶାନ୍ତି ପ୍ରଦାନ କରିଥିଲେ । ମୁସଲମାନ, ଦାଉଦ୍‌, ବ୍ରାହ୍ମଣ, ଇସାନ୍‌, ମୁସାଇ କିମ୍ବା ନାସ୍ତିକ ଯେ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ପ୍ରତି ତାଙ୍କର ସମଦୃଷ୍ଟି ଥିଲା । ସେଥିପାଇଁ ପ୍ରଜାମାନେ ତାଙ୍କୁ ‘ଜଗଦ୍‍ଗୁରୁ’ ଉପାଧି ଦେଇଥିଲେ । ପୁନଶ୍ଚ ସ୍ୱର୍ଗୀୟ ନୁରଉଦ୍ଦିନ ଜାହାଙ୍ଗୀର ୨୨ ବର୍ଷ ରାଜତ୍ୱ କରିଥିଲାବେଳେ ସ୍ୱର୍ଗୀୟ ଶାହାଜାହାନ ୩୨ ବର୍ଷ ଶାସନ କରି କ୍ଷମା ଓ ଦୟାଦ୍ୱାରା ଯଶ ଅର୍ଜନ କରିଥିଲେ । ଏଭଳି ସୁକାର୍ଯ୍ୟ ଯୋଗୁଁ ଆପଣଙ୍କ ପୂର୍ବଜମାନେ ଯେଉଁ ଆଡ଼େ ଦୃଷ୍ଟି ପକାଉଥିଲେ ସେହି ଆଡ଼େ ସମ୍ମାନ ତାଙ୍କୁ ବାଟ ଛାଡ଼ି ଦେଉଥିଲା । ସେମାନେ ଅନେକ ରାଜ୍ୟ ଓ ଦୁର୍ଗ ଅଧିକାର କରିଥିଲେ ମାତ୍ର । ସେଥିରୁ ଆପଣଙ୍କ କାରଣରୁ ଅନେକ ଲୁପ୍ତପ୍ରାୟ । ଯଦି ଏପରି ଅତ୍ୟାଚାର ଚାଲେ ତେବେ ଦିନେ ସମଗ୍ର ଶାସନ ଆପଣଙ୍କ ହାତଛଡ଼ା ହୋଇଯିବ । ଦେଶରେ ଦାରିଦ୍ର୍ୟ ବୃଦ୍ଧି ପାଇବାରେ ଲାଗିଛି । ହଁ, ଦାରିଦ୍ର୍ୟ ଯେତେବେଳେ ବାଦଶାହାଙ୍କ ଗୃହ ପର୍ଯ୍ୟନ୍ତ ପହଞ୍ଚିଗଲାଣି ସେତେବେଳେ ପ୍ରଜାଙ୍କ କଥା କିଏ ପଚାରେ ? ସେନାବାହିନୀ ଅସନ୍ତୁଷ୍ଟ, ମୁସଲମାନମାନେ ଅରାଜି, ଅନେକ ଲୋକ ଭୋକିଲା ଏବଂ ଆଶ୍ରୟହୀନ ବ୍ୟବସାୟୀମାନେ ଅରକ୍ଷିତ ।

 

‘କେତେକ ସର୍ଦାର ପାଟି କଲେ–‘ଧନ୍ୟ ଧନ୍ୟ ପ୍ରକୃତରେ ଏହା ସତ ମହାରାଜ । ଆଲମଗୀର ଶାସନରେ କେବଳ ଆତଙ୍କହିଁ ଆତଙ୍କ । କାହାରି ଧନ ଜୀବନମାନ ସମ୍ମାନ ନିରାପଦ ନୁହେଁ ।

 

ଦେୱାନ ପଢ଼ି ଚାଲିଲେ ‘ଏଭଳି କାଙ୍ଗାଳ ପ୍ରଜାଙ୍କ ଦାୟିତ୍ୱ ବହନ କରି ରଜାର ବଡ଼ପଣ ରହି ନପାରେ । ହିନ୍ଦୁ ଧାର୍ମିକ ପୁରୁଷମାନଙ୍କୁ ଏ ବାଦଶାହା ପାତର ଅନ୍ତର ଭାବ ପୋଷଣ କରୁଥିଲାବେଳେ ବ୍ରାହ୍ମଣ, ଯୋଗୀ ସନ୍ନ୍ୟାସୀଙ୍କଠାରୁ ଜିଜିଆ କର ନେବାକୁ ଇଚ୍ଛୁକ ବୋଲି ଗୁଜବ ଉଠେ । ଯେଉଁ ତୈମୁର ବଂଶ ପ୍ରତି ଦୃକ୍‍ପାତ ନ କରି ଓ ବଂଶ ବୃଦ୍ଧି ବା ପ୍ରତିଷ୍ଠା ପ୍ରତି ନଜିର ନଦେଇ ଏକାନ୍ତବାସୀ ଗରିବ ସାଧୁଙ୍କୁ ପରାକ୍ରମ ଦେଖାଇବାରେ ସେ ବ୍ୟଗ୍ର ଅଟନ୍ତି । ଯେଉଁ ଧାର୍ମିକ ଗ୍ରନ୍ଥ ପ୍ରତି ଆପଣଙ୍କର ବିଶ୍ୱାସ ଅତୁଟ ସେହି ଗ୍ରନ୍ଥ ଦେଖନ୍ତୁ, ସେ ଗ୍ରନ୍ଥ କହିବ ପରମାତ୍ମା କେବଳ ମନୁଷ୍ୟର ଈଶ୍ୱର, ଅଟେ କେବଳ ମୁସଲମାନର ନୁହେଁ । ତାହାର ଦୃଷ୍ଟିରେ ମୂର୍ତ୍ତି ପୂଜକ ହିନ୍ଦୁ ଓ ମୁସଲମାନ ଅଭିନ୍ନ ଅଟନ୍ତି । ସେହି ପରମାତ୍ମା ସମସ୍ତଙ୍କର ଜନ୍ମଦାତା ଏବଂ ତା’ରି ଆଜ୍ଞାରେ ବର୍ଣ୍ଣ ବୈଷମ୍ୟ ଦେଖାଯାଏ । ଆପଣ ସେଇ ପରମାତ୍ମା ନାମରେ ନମାଜ ପାଠ କରନ୍ତି, ମୂର୍ତ୍ତି ପୂଜକ ମନ୍ଦିରରେ ତାହାରିପାଇଁ ଘଣ୍ଟା ବଜାଏ ଓ ପ୍ରାର୍ଥନା କରେ । ତେଣୁ କୌଣସି ଧର୍ମକୁ ଲୋପ କରିବା ପରମାତ୍ମାଙ୍କ ବିରୁଦ୍ଧରେ ଯିବା ସଙ୍ଗେ ସମାନ ।’

 

ପୁରୋହିତ ‘ଗରିବ ଦାସ କହିଲେ–‘ନିଶ୍ଚୟ.....ସତକଥା ।’

 

ଦେୱାନ ପଢ଼ି ଚାଲିଲେ–‘କହିବାର ଉଦ୍ଦେଶ୍ୟ ଏଇଆ ଯେ ହିନ୍ଦୁମାନଙ୍କର ଉପରେ ଲଦିଦିଆ ଯାଇଥିବା ଜିଜିଆ କର ନୀତି ନିୟମ ବହିର୍ଭୂତ ଅଟେ ଏବଂ ଏହାଦ୍ୱାରା ଦେଶ ଦରିଦ୍ରର ସୀମାରେଖା ଟପିଯିବ । ଯଦି ସ୍ୱଧର୍ମ ଆପଣଙ୍କୁ ଏତେ ପ୍ରଭାବିତ କରିଛି ତେବେ ପ୍ରଥମେ ଆପଣ ହିନ୍ଦୁ ଶ୍ରେଷ୍ଠ ରୂପସିଂହ ପାଖରୁ ଜିଜିଆ କର ଆଦାୟ କରନ୍ତୁ ପରେ ଏ ଅଧମ ଶୁଭଚିନ୍ତକ ନିକଟରୁ । ନଗଣ୍ୟ ପିମ୍ପୁଡ଼ି ଓ ମାଛି ମାରିବା ଉଦାରମନା ବ୍ୟକ୍ତିଙ୍କ ପକ୍ଷେ ଅନୁଚିତ ଓ ଅଶୋଭନୀୟ ଅଟେ । ଆଶ୍ଚର୍ଯ୍ୟର କଥା ଆପଣଙ୍କ ମନ୍ତ୍ରୀମାନେ ନ୍ୟାୟ ଏବଂ ପ୍ରତିଷ୍ଠା ସମ୍ପର୍କରେ ବିଚାର ନ କରି ଆପଣଙ୍କୁ ପରାମର୍ଶ ହେଇ ନାହାନ୍ତି ।’

 

ପତ୍ରପାଠ ଶେଷରେ ରାଣା କହିଲେ–‘ବାଦଶାହାଙ୍କ ଉଦ୍ଦେଶ୍ୟରେ ଲିଖିତ ଏ ପତ୍ର ତାଙ୍କ କ୍ରୋଧାଗ୍ନିରେ ଘୃତ ସଦୃଶ କାର୍ଯ୍ୟ କରିବ ।’

 

‘ମହାରାଜ, ଦିନେହେଲେ ତ ଆମକୁ ଯୁଦ୍ଧ କରିବାକୁ ପଡ଼ିଥାନ୍ତା, ମେବାରର କ୍ଷତି ସାଧନପାଇଁ ବାଦଶାହା ଯେତେବେଳେ ଚେଷ୍ଟିତ, ସେତେବେଳେ ଯୁଦ୍ଧ ତ ଅନିବାର୍ଯ୍ୟ, ପୁନଶ୍ଚ ଆମ ଅସ୍ତ୍ରରେ ତ କଳଙ୍କି ଲାଗି ଯାଇନି । ଏ ପତ୍ର ପଠାଯାଉ ।’

 

‘ତାହାହେଲେ ସମସ୍ତଙ୍କ ମତ ଏଇଆ ?’

 

‘ହଁ ମହାରାଜ ସମସ୍ତଙ୍କ ଏଇ ମତ ।’

 

‘ତାହାହେଲେ ଯୁଦ୍ଧ ନିମନ୍ତ୍ରଣର ପୂର୍ଣ୍ଣାହୂତି ଦିଆଯାଉ । ଦେୱାନଜୀ ! ଏ ପତ୍ରଟି ସହିତ ଗୋଟିଏ କୋଶବିଦ୍ଧ ତରବାରି ଓ ଗୋଟିଏ କୋଷମୁକ୍ତ ତରବାରି ସୁବ୍ୟବସ୍ଥା କରି ପଠାଇ ଦିଆଯାଉ ।’

 

‘ଯଥା ଆଜ୍ଞା ମହାରାଜ ।’

 

ସାତ

 

ଶାହାଜାହାନ ମଣ୍ଡଳଗଡ଼ ପ୍ରଗଣାକୁ ରୂପନଗର ରାଜା ରୂପସିଂହଙ୍କୁ ଅର୍ପଣ କରିଦେଇଥିଲେ କିନ୍ତୁ ଆଉରଙ୍ଗଜେବ ଗାଦିରେ ବସିଲା ପରେ ପରେ ମଣ୍ଡଳଗଡ଼କୁ ନିଜର ଅଧୀନକୁ ନେଇ ଯିବାକୁ ରାଣା ରାଜସିଂହଙ୍କୁ ପରୱାନା ଜାରିକଲେ । ରାଣା ରାଜସିଂହ ଉକ୍ତ ପ୍ରଗଣା ଦଖଲ କରିନେଇ ଦୁର୍ଗରକ୍ଷକକୁ ତଡ଼ିଦେବାଦ୍ୱାରା ରୂପସିଂହ ଓ ତାଙ୍କ ମଧ୍ୟରେ ଶତ୍ରୁ ଭାବ ଉତ୍ପନ୍ନ ହେଲା । ମାତ୍ର ରୂପସିଂହଙ୍କ କନ୍ୟା ରାଜକୁମାରୀ ଚାରୁମତୀ ରାଣାଙ୍କ ଶୌର୍ଯ୍ୟ ବୀର୍ଯ୍ୟ ଓ ପରାକ୍ରମ ପ୍ରତି ଆକୃଷ୍ଟହୋଇ ତାଙ୍କୁ ଭଲପାଇବାକୁ ଲାଗିଲେ । ଏକଦା ରାଜକୁମାରୀ ସଖୀମାନଙ୍କ ସହ ରାଜଉଦ୍ୟାନରେ ଭ୍ରମଣରତା ଥିଲାବେଳେ ଦିଲ୍ଲୀରୁ ଜଣେ ବୃଦ୍ଧା ମୁସଲମାନ କିଛି ଚିତ୍ରପଟ ବିକ୍ରି କରିବା ଉଦ୍ଦେଶ୍ୟରେ ସେଠାରେ ପହଞ୍ଚିଲା । ନିଜକଥା କହିବାକୁ ଯାଇ ବୃଦ୍ଧା କହିଲା–‘ମା’ ମୁଁ ଚିତ୍ରପଟ ବିକ୍ରି କରେ, ଦିଲ୍ଲୀରେ ଆମେ ରହୁ ଏବଂ ମୋର ପୁଅ ଚିତ୍ରପଟ ଅଙ୍କନ କରେ, ବହୁତ ସୁନ୍ଦର ସୁନ୍ଦର ଚିତ୍ରପଟ ଅଛି ।’ ଜେମା ଫଟୋ ଦେଖାଇବାକୁ କହିବାରୁ ବୃଦ୍ଧା କହିଲା–‘ଧନ୍ୟ ରାଜକୁମାରୀ ! ଆପଣ ତ ନିଜେ ଗୋଟାଏ ଚିତ୍ରପଟ ।’

 

‘ତୁମ ନିକଟରେ ହିନ୍ଦୁ ରାଜାମାନଙ୍କର ଛବିନାହିଁ ?’

 

‘ହଁ ଆଜ୍ଞା ମୋ ନିକଟରେ ରାଜା ମାନ ସିଂହ, ଜଗତ୍‌ ସିଂହ ଓ ଜୟ ସିଂହଙ୍କ ଛବି ଅଛି । ଏଇ ଦେଖନ୍ତୁ ।’

 

‘ସେସବୁ ହିନ୍ଦୁ ରାଜାମାନଙ୍କର ଛବି ନୁହେଁ ବରଂ ବାଦଶାହାଙ୍କର ଚାକରମାନଙ୍କର ଛବି ଅଟେ ।’

 

ବୃଦ୍ଧା ଆହୁରି ଛବି ବାହାର କରି ଦେଖାଇଲା–‘ଏମାନେ ହେଲେ ରାଣା ପ୍ରତାପ ସିଂହ, କରଣ ସିଂହ ଓ ଯଶୋବନ୍ତ ସିଂହ ।’

 

‘ହଁ ରଖ ମୁଁ ଦେଖୁଛି । ଆଚ୍ଛା ସେଇଟା କ’ଣ ଲୁଚେଇ ଦେଲ ।’

 

‘କ୍ଷମା କରିବେ ରାଜକୁମାରୀ ଏହା ତୁମ ଶତ୍ରୁର ଛବି ଅଟେ ।’

 

‘ଦେଖିବା କାହାର ଛବି ?’

 

‘ଉଦୟପୁର ରାଣା ରାଜସିଂହଙ୍କର ହଜୁରା, ସେ ତୁମ ପିତାଙ୍କର ଶତ୍ରୁ ଅଟନ୍ତି ।’

 

‘ସ୍ତ୍ରୀମାନଙ୍କ ପ୍ରତି ବୀର ରାଜପୁତମାନେ ଶତ୍ରୁତା ଆଚରଣ କରି ନଥାନ୍ତି । ଏ ଛବିକୁ ମୁଁ ରଖୁଛି, ସଖୀଗଣ । ଦେଖ ଏହା ଜଣେ ପ୍ରକୃତ ରାଜପୁତଙ୍କର ଛବି ।’

 

ବୃଦ୍ଧା ଗୋଟାଏ ବିରାଟ ଛବି ବାହାର କରି ଦେଖାଇଲେ–‘ଦେଖନ୍ତୁ ଇଏ ବାଦଶାହା ଆଲମଗୀରର ଛବି ଅଟେ ।’

 

‘ଆଚ୍ଛା, ଅଦ୍ଭୁତଟାଏ ତ, ଦେଲ ମୁଁ ତାକୁ ପ୍ରଥମେ ଜୋତା ମାରେ ।’

 

ବୃଦ୍ଧା କହିଲା–ଚୁପ୍‌କର । ବାଦଶାହା ଶୁଣିଲେ ରୂପନଗରର ସତ୍ତା ରହିବ ନାହିଁ ।’

 

ଓଃ ଏଇ କଥା ତାହାହେଲେ ସଖୀଗଣ, ଏ ଚିତ୍ରପଟ ଉପରେ ବାରମ୍ବାର ଗୋଇଠା ପ୍ରହାର କର ।

 

ଭୟରେ ବୃଦ୍ଧା ଛବିଗୁଡ଼ିକ ଲୁଗାରେ ଲୁଚାଇ ଦେଇ ସେଠାରୁ ପଳାଇଗଲା । ସେଠାରୁ ସେ ଫେରିଆସି ଦିଲ୍ଲୀରେ ପହଞ୍ଚି ଶାହାଜାଦୀ ଜେବୁନ୍ନିସାଙ୍କୁ ସାକ୍ଷାତ କଲା । ସେହିଦିନ ଅନ୍ତଃପୁରରେ ଶାହାଜାଦୀମାନଙ୍କର ରାଜନୀତି ଚର୍ଚ୍ଚା ଚାଲିଥିଲା, କିଛିଦିନ ରୋଶନାରାଁଙ୍କ ପାଳି ପରେ ଆଜି ଜେବୁନ୍ନିସାଙ୍କ ପାଳି ପଡ଼ିଥିଲା । ଏଇ ଦୁଇଜଣ ଶାହାଜାଦୀ ପିତାଙ୍କ ବେଗମ୍‌ ଉଦୟପୁରୀ ବେଗମ୍‌ଙ୍କୁ ଭଲ ପାଉ ନଥିଲେ ।

 

ଜଣେ ବାନ୍ଦୀ ପରଚାରିକା ଆସି ସମ୍ବାଦ ଦେଲା–‘ଛବି ବିକାଳି ବୁଢ଼ୀ ହଜୁରଙ୍କ ପଦବନ୍ଦନା କରିବାକୁ ଚାହେଁ ।’

 

‘ବର୍ତ୍ତମାନ ସାକ୍ଷାତ ହୋଇପାରିବ ନାହିଁ ।’

 

‘ଖୋଦାବନ୍ଦ, ସେ ରାଜପୁତନାରୁ ସୁନ୍ଦର ସୁରମା ଆଣିଛି ବୋଲି କହୁଛି ।’

 

‘ସତେ ? ତାହାହେଲେ କିଛି ଜରୁରୀ ସମ୍ବାଦ ଅଛି, ଯାଆ ତାକୁ ଶୀଘ୍ର ପଠେଇଦେ ।’

 

ବୃଦ୍ଧା ଆସି ଅଭିବାଦନ କଲା । –କିରେ ଏଇଲେ କାହିଁକି ଆସିଲୁ ?’

 

‘ହଜୁର ଜରୁରୀ ସମ୍ବାଦ ଅଛି ।’

 

‘କୁହ ।’

 

‘ମୁଣ୍ଡ ରହିଲେ କହିବି ।’

 

‘ହଁ କୁହ ।’

 

‘ମୁଁ ରାଜପୁତନାର ରୂପନଗର ଯାଇଥିଲି, ମୋ ପାଖରେ କିଛି ଛବି ଥିଲା, ମୁଁ ରାଜକୁମାରୀଙ୍କୁ ଦେଖାଇଲି ।’

 

‘ସେଠୁ କ’ଣ ହେଲା, ତୋ ପାଖରେ କି କି ଛବି ଥିଲା ।’

 

‘ସବୁ ବାଦଶାହାଙ୍କଦି ଥିଲା ହଜୁର ।’

 

‘କ’ଣ ହେଲା କହ ବଜ୍ଜାତ୍‌ ?’

 

‘ଖୋଦାବନ୍ଦ, ମୋ ପାଖରେ ମହାନୁଭବ ଆଲମଗୀରଙ୍କ ଛବିଥିଲା । ମୁଁ ରାଜକୁମାରୀଙ୍କୁ ଦେଖାଇଲି ।’

 

‘ସେ କ’ଣ ପସନ୍ଦ କଲେ ?’

 

‘ତୋବା, ତୋବା, ସେ ଛବିକୁ ସେ ହତାଦର କଲେ ।’

 

‘କ’ଣ ?’

 

‘ଏହା ବର୍ଣ୍ଣନାତୀତ ହଜୁର ।’

 

‘ହାରାମଜାଦୀ କ’ଣ ହେଲା କହବେ ?’ ନହେଲେ କୁକୁର ଲଗାଇ ଜୀବନ ନେବି ।’

 

‘ସେ ନିର୍ବୋଧ କାଫେର ଟୋକୀ ବାଦଶାହାଙ୍କ ଛବିକୁ ପଦାଘାତ କଲା ।’

 

‘କ’ଣ କହିଲ ? ପଦାଘାତ ।’

 

‘ଆଜ୍ଞା ହଁ ତା’ର ସଖୀମାନେ ମଧ୍ୟ ସେଇଆ କଲେ ।’

 

‘ପୁଣି କ’ଣ ହେଲା ?

 

‘ହଜୁର, ମୁଁ ମୋର ପ୍ରାଣ ରକ୍ଷା କରି ଚାଲିଆସିଲି ।’

 

‘ସେ କ’ଣ ସୁନ୍ଦରୀ ?’ ତା’ର ବୟସ କେତେ ?’

 

‘ସରକାର ସେ ଗୋଟିଏ ଅର୍ଦ୍ଧ ପ୍ରସ୍ଫୁଟିତ କଳିକା ।’

 

‘କ’ଣ ସେ ମୋଠାରୁ ବେଶୀ ସୁନ୍ଦରୀ ?’

 

‘ତୋବା ତୋବା, ହଜୁର ଆପଣ ଆଉ ସେ ବାନ୍ଦୀ ।’

 

‘କ’ଣ ତାହାହେଲେ ଉଦୟପୁରୀ ବେଗମ୍‌ ଭଳି ।’

 

‘ନା ହଜୁର ସେ ଟୋକୀ ଚନ୍ଦ୍ରମା ତୁଲ୍ୟ ।’

 

‘ଦରକାରୀ ତଥ୍ୟ, ଉଦୟପୁରୀ, ବେଗମ୍‌ର ଗର୍ବ ଆଉ ଅସହ୍ୟ, ଆଜ୍‌ବାଜାନଙ୍କୁ ସେ ପ୍ରେମପାଶରେ ବାନ୍ଧି ରଖି ଆଜି ମଲିକା ସାଜିଛି ଓ ଆମକୁ ମଧ୍ୟ ତାକୁ ସଲାମ କରିବାକୁ ପଡ଼ୁଛି । ଏଇ ଗର୍ବୀ ରାଜପୁତ କନ୍ୟା ଯଦି ବାପାଙ୍କର ବେଗମ୍‌ ହୋଇପାରନ୍ତା ତେବେ ମୋର କଣ୍ଟାଦୂର ହୁଅନ୍ତା । ବୃଦ୍ଧାକୁ ପୁରସ୍କାର ଦେଇ ବିଦାକଲା ।

 

ଏହି ଘଟଣାକୁ ଅତିରଞ୍ଜିତ କରି ଜେବୁନ୍ନିସା ଉଦୟପୁରୀ ବେଗମ୍ ନିକଟରେ ବର୍ଣ୍ଣନା କଲା । ଏ ଅପମାନର ପ୍ରତିଶୋଧ ନେବାପାଇଁ ବେଗମ୍‌ ନାନାଦି ଉପାୟ ଚିନ୍ତା କରିବାକୁ ଲାଗିଲେ-। ରାତିରେ ଆଲମଗୀର ଶୟନକକ୍ଷକୁ ଆସିଲା ପରେ ସମସ୍ତ ଘଟଣା ବର୍ଣ୍ଣନା କରି ବେଗମ୍‌ ମଦ୍ୟପାତ୍ର ଦେଇ କହିଲେ–ଜାହାଁପନା, ‘ଏ ପିଆଲାଟି ଆପଣଙ୍କ ଛବିକୁ ପଦାଘାତ କରିଥିବା ପ୍ରେମିକା ନାମରେ ପାନ କରନ୍ତୁ ।’

 

ବାଦଶାହା କ୍ରୋଧରେ ଗର୍ଜି ଉଠି କହିଲେ–‘ପ୍ରଥମେ କୁହ ଏ ଖବର ତୁମେ ପାଇଲ କେଉଁଠାରୁ ?’

 

ହଜୁର ଉଡ଼ନ୍ତା ପକ୍ଷୀ ସମ୍ବାଦ ଦେଇଗଲା । ଯଦି ହଜୁରଙ୍କୁ ସୁନ୍ଦରୀ ନାମରେ ମଦ୍ୟପାନ କରିବାକୁ କୁଣ୍ଠାବୋଧ କରୁଛନ୍ତି ତେବେ ଏ ବାନ୍ଦୀ ତାହା ପାନ କରୁଛି । ଏହା କହି ସେ ଚଟାପଟ ପିଇଗଲେ ।

 

‘ବାଃ କି ଚମତ୍କାର ସୁରା । ତାହାହେଲେ ଜାହାଁପନା... ।

 

ମୁଁ ଠିକେ ଠିକେ ଜାଣିବାକୁ ଚାହେଁ ଏ ସମ୍ବାଦ ତୁମକୁ କିଏ ଦେଲା ?

 

‘ସମ୍ବାଦ ଯିଏ ଦେଉ, ମିଥ୍ୟା ସମ୍ବାଦ ନୁହେଁ ।’

 

‘ତୁମେ ଜାଣ ବେଗମ୍‌ ମୁଁ ତୁମଙ୍କୁ କେତେ ଭଲ ପାଏ ।’

 

‘ଜାଣେ ଜାହାଁପନା, ସେ ଟୋକୀର ଏଡ଼େ ଗର୍ବ...... ।’ ନିଅନ୍ତୁ ଗୋଟିଏ ପିଆଲା ପିଇ ନିଅନ୍ତୁ ।’

 

ମୋତେ କ୍ଷମାକର ବେଗମ୍‌ ମୁଁ ଠିକ୍‌ ଜାଣିବାକୁ ଚାହେଁ ଯେ ଏ ସମ୍ବାଦ କ’ଣ ସତ ?’

 

‘ହଁ ମହାରାଜ ।’ ‘କ’ଣ ସମ୍ପୂର୍ଣ୍ଣ ସତ ?’

 

‘ଏକଦମ୍‌ ସତ, କିନ୍ତୁ ମହାରାଜାଙ୍କର ଅଭିପ୍ରାୟ କ’ଣ ?’

 

‘ମୁଁ ରୂପନଗରର ସତ୍ତା ଲୋପ କରିଦେବି ।’

 

‘ବାଦଶାହାଙ୍କ ପାଇଁ ଏ ବାଁହାତର ଖେଳ, କିନ୍ତୁ ହଜୁର ମୋର ଛୋଟିଆ ଅନୁରୋଧ ରଖିବେ ?’

 

‘କୁହ ଶୁଣିବା ।’

 

‘ମୁଁ ସାମାନ୍ୟ ଥଟ୍ଟା କରିବାକୁ ଚାହେଁ ।’

 

‘କ’ଣ କହିବାକୁ ଚାହଁ ବେଗମ୍‌ ବ୍ୟକ୍ତ କର ।’

 

‘ହଜୁର ! ଗେଣ୍ଡାମୁଖୀ ସେଇ କୁତ୍ସିତା ସ୍ତ୍ରୀଲୋକଟି ମୋର ହୁକା ସଜାଡ଼ି ପାରୁନାହିଁ । ଶୁଣିଛି ରାଜପୁତନାର ବାନ୍ଦୀମାନେ ଅତିଶୟ ସୁନ୍ଦରୀ, ସେଇ ରୂପନଗର ବାନ୍ଦୀ ଯଦି ମୋର ହୁକା ସଜାଡ଼ନ୍ତା ତେବେ ଭଲ ହୁଅନ୍ତା । ଜାହାଁପନା ଏଇ ସାମାନ୍ୟ ଅଳି ମୋର ।’

 

‘ତୁମର ଅଳି ମୁଁ ପୂରଣ କରିବି । ସେ ଟୋକୀ ତୁମର ହୁକା ସଜାଡ଼ିବା କାର୍ଯ୍ୟ କରିବ ।’

 

‘ଧନ୍ୟବାଦ ଜାହାଁପନା, ତାହାହେଲେ ଏଇ ଖୁସିରେ ହଜୁର ବିଲାତିମଦ ପିଆଲାଟିଏ ପିଇବେନି ?’

 

‘ନା ବେଗମ୍ ଆଜି ମୁଁ କାର୍ଯ୍ୟବ୍ୟସ୍ତ’–ଏହା କହି ବାଦଶାହା ଚାଲିଗଲେ ।’

 

ପରଦିନ ବାଦଶାହା ମୁଖ୍ୟ ସିପାହୀକୁ ଫଉଜ ସହ ରୂପନଗର ପ୍ରେରଣ କଲେ । ତାକୁ ଆଦେଶ ଦିଆଗଲା ଯଦି ରୂପନଗରକୁ ରାଜକୁମାରୀଙ୍କୁ ନେଇ ପାଲିଙ୍କି ନଆସେ ତେବେ ରୂପନଗର ସମୂଳେ ଧ୍ୱଂସ କରି ଦିଆଯିବ ।’

 

ଆଠ

 

ମୁବାରକ ଖାଁ ରୂପନଗର ପହଞ୍ଚି ଏ ସମ୍ବାଦ ରୂପ ସିଂହଙ୍କୁ ଶୁଣାଇଲା ପରେ ରାଜା ଏଥିପ୍ରତି ଚିନ୍ତାମଗ୍ନ ହୋଇ ଏ ସମ୍ପର୍କରେ ବିଚାର କରିବାକୁ ଗୋଟିଏ ସପ୍ତାହ ସମୟ ମାଗିଲେ । ବିଚାର କରୁ କରୁ ଗୋଟାଏ ସପ୍ତାହ ବିତିଗଲା । ମନ୍ତ୍ରୀ କହିଲେ–‘ମହାରାଜ, ଜବାବ ଦେବାର ଆଜି ଶେଷ ଦିନ ।’

 

ରାଜା ସାମାନ୍ୟ ବିରକ୍ତ ହୋଇ କହିଲେ ‘ମୁଁ ଏତ ଅଧମ ନୁହେଁ । ମୋର ଜୀବଦ୍ଦଶା ମଧ୍ୟରେ ମୋର କନ୍ୟାକୁ କେବେ ବିଧର୍ମୀ ହାତରେ ଟେକି ଦେଇ ନପାରେ । ମୋର ଶରୀରରେ କ୍ଷତ୍ରିୟ ରକ୍ତ ପ୍ରବାହିତ ଏବଂ ମୋର ପୂର୍ବଜମାନେ ନିଜର ଆତ୍ମସମ୍ମାନ ପାଇଁ ଜୀବନ ଦେଇଯାଇଛନ୍ତି । ବାଦଶାହାଙ୍କୁ ଲେଖିଦିଅ ଏ ପ୍ରସ୍ତାବ ଆମ ପକ୍ଷେ ସମ୍ଭବ ନୁହେଁ ।

 

‘ମହାରାଜ ଟିକିଏ ଚିନ୍ତା କରନ୍ତୁ । ରାଜକୁମାରୀଙ୍କ ପ୍ରତି ଆକୃଷ୍ଟ ହୋଇ ଯେଉଁ ଅତ୍ୟାଚାରୀ ବାଦଶାହା ଶିଷ୍ଟାଚାର ନୀତିରେ କନ୍ୟା ପ୍ରାପ୍ତି ଇଚ୍ଛା କରିଛନ୍ତି ତାଙ୍କୁ ମନା କରିଦେବା ଫଳରେ ସେ ଯଦି ଜବରଦସ୍ତ କନ୍ୟାକୁ ଛଡ଼ାଇ ନେବେ ତାହାହେଲେ ଆମକୁ ରକ୍ଷା କରିବ କିଏ ? ରାଜପୁତନାର ଆଙ୍ଗୁଠିରେ ଗଣି ହେଉଥିଲା ଭଳି ସାମାନ୍ୟ କେତେ ଜଣ କନ୍ୟାଙ୍କ ବ୍ୟତୀତ ଅନ୍ୟମାନେ ବାଦଶାହା ଅନ୍ତଃପୁରର ଶୋଭାବର୍ଦ୍ଧନ କରୁଛନ୍ତି । କୋପ ଦୃଷ୍ଟିରେ ନପଡ଼ିବା ପର୍ଯ୍ୟନ୍ତ ସେମାନେ ମୁକ୍ତ । ରାଜ ଅନ୍ତଃପୁରର ଶୋଭାବର୍ଦ୍ଧନ କରୁଥିବା କଳଙ୍କିତ ରାଜପୁତ କନ୍ୟାମାନେ ଅନ୍ୟମାନଙ୍କର ନିଷ୍କଳଙ୍କତା କାହିଁକି ଚାହିଁବେ ? ପୁଣି ରାଜପୁତମାନଙ୍କ ମଧ୍ୟରେ ସଂଗଠନ କିମ୍ବା ଏକତା ନାହିଁ । ରାଜପୁତଙ୍କର ଅସ୍ତ୍ର ଧାର ନିଜର ସ୍ୱାର୍ଥପରତା ଏବଂ ଆତ୍ମଗର୍ବ ନିଜପାଇଁ ଅଭିଶାପ ହୋଇ ପଡ଼ିଛି । ତେଣୁ ମହାରାଜ ନିଜ ବିଚାରରେ ଯାହା ଠିକ୍‌ ସେଇଆହିଁ କରନ୍ତୁ ।’

 

‘ଚିନ୍ତା କରି ସାରିଛି । ବାଦଶାହାଙ୍କ ହାରେମ୍‌ପାଇଁ ମୋର କନ୍ୟା ପ୍ରଦାନ କରିପାରିବ ନାହିଁ ।’

 

‘ତାହାହେଲେ ମହାରାଜ, ଛୋଟିଆ ରାଜ୍ୟର ମଙ୍ଗଳ ହେବ ନାହିଁ; ଆମକୁ ସର୍ବସ୍ୱ ହରାଇବାକୁ ପଡ଼ିବ ।’

 

‘ମୁଁ ଆନନ୍ଦରେ ମୋର ସର୍ବସ୍ୱ ଦେଇପାରେ କିନ୍ତୁ ରାଜପୁତ ଜୀବନରେ କଳଙ୍କ ଲାଗିବାକୁ ଦେଇ ନପାରେ ।’

 

‘ଅଭୟ ପାଇଲେ ଗୋଟିଏ ଅନୁରୋଧ କରିବି ।’

 

‘ଆପଣ ବ୍ୟକ୍ତ କରନ୍ତୁ, ଆପଣ ଏ ରାଜ୍ୟର ଶୁଭାକାଂକ୍ଷୀ ତଥା ମୋର ବନ୍ଧୁ କେବେହେଲେ ଆପଣ ଅହିତ କହିବେନି ।’

 

‘ମହାରାଜ, ଆତ୍ମରକ୍ଷା ପାଇଁ ଆଉ ଏକ ଉପାୟ ଅଛି ।’

 

‘କ’ଣ ସେଇଟା ?’

 

‘ରାଜକୁମାରୀଙ୍କ ବିବାହପାଇଁ ତାଙ୍କୁ ରାଣା ରାଜସିଂହଙ୍କୁ ସମର୍ପଣ କରିଦିଅନ୍ତୁ । ସେ ରାଜପୁତନାର ଉଦୀୟମାନ ନକ୍ଷତ୍ର ଏବଂ ସୁଚତୁର, କର୍ମଠ, ପରମ ରାଜନୀତିଜ୍ଞ ଓ ପ୍ରତାପୀ ବୀର ଅଟନ୍ତି । ସମଗ୍ର ରାଜପୁତନାର ସେ କେନ୍ଦ୍ରସ୍ଥଳୀ, ତାଙ୍କ ସହ ମିତ୍ରତା ଓ ସମ୍ପର୍କ ଭବିଷ୍ୟତରେ ଆମପାଇଁ ଚରମ ସୁଖପ୍ରଦ ହେବ ।’

 

‘ଏହା ଅସମ୍ଭବ ଦେବାନ ସାହେବ, ସେ ମୋ ରାଜ୍ୟ ଆକ୍ରମଣ କରି ମୋଠାରୁ ମାଣ୍ଡଳଗଡ଼ ଛଡ଼ାଇ ନେଇଛି, ଏ ରକ୍ତପିପାସୁ ଖଣ୍ଡାରେ ଏହାର ତୃଷା ମେଣ୍ଟାଇବାକୁ ଚାହେଁ । ତାକୁ ପୁଣି ମୋର କନ୍ୟା ଅର୍ପଣ କରିବି ?

 

‘ମହାରାଜ, ବୃହତ୍ତର ସ୍ୱାର୍ଥ ନିମନ୍ତେ କ୍ଷୁଦ୍ର କ୍ଷୁଦ୍ର ସ୍ୱାର୍ଥକୁ ବଳି ଦେବାକୁ ପଡ଼ିଥାଏ । ବର୍ତ୍ତମାନ କ୍ରୋଧ ଏବଂ ଅଭିମାନର ସମୟ ନୁହେଁ । ରାଜନୀତି କୁହେ ଯଦି ଆମେ ଏଇଲେ ରାଣାଙ୍କର ସମସ୍ତ ଦୋଷାଦୋଷ କ୍ଷମା କରି ତାଙ୍କ ପାଖକୁ ରାଜକୁମାରୀଙ୍କର ବିବାହ ପ୍ରସ୍ତାବ ଦେବା ଆମର କେବଳ ମଙ୍ଗଳ ଓ ଉନ୍ନତି ସାଧିତ ହେବ । ପ୍ରଥମତଃ ରାଜକୁମାରୀଙ୍କୁ ବୀର ଶ୍ରେଷ୍ଠ ସ୍ୱାମୀ ଓ ଗୃହ ମିଳିବା ସଙ୍ଗେ ସଙ୍ଗେ ତାଙ୍କ ଚିନ୍ତାରୁ ଆମେ ମୁକ୍ତ ହେବା, ଦ୍ୱିତୀୟତଃ ରାଜସିଂହ ଭଳି ଶତ୍ରୁ ସଙ୍ଗେ ଆମର ମିତ୍ରତା ସ୍ଥାପିତହେବ ଏବଂ ତୃତୀୟତଃ ରାଜପୁତ ସଂଗଠନରେ ଏକତା ବୃଦ୍ଧି ପାଇବ । ଆପଣଙ୍କ ବିଚାରରେ ଯାହାହେବ ।’

 

‘ମୁଁ ରାଜସିଂହକୁ କସ୍ମିନ୍‍କାଳେ କ୍ଷମା କରିନପାରେ । ପ୍ରଥମେ ମାଣ୍ଡଳଗଡ଼ ଅଧିକାର କରିବି ପରେ ଅନ୍ୟ ଯାହା ।’

 

‘ମହାରାଜ, ଆମର ଛୋଟିଆ ରାଜ୍ୟାକାଶରେ ବର୍ତ୍ତମାନ ବିପଦର ଭସାମେଘ ଭାସି ବୁଲୁଛି, ଏଥିରୁ ଆମେ କିପରି ମୁକ୍ତି ପାଇବା ? ଏ ସମ୍ପର୍କରେ ପୁଣି ଚିନ୍ତା କରିବାପାଇଁ ଅଧୀନ ପ୍ରାର୍ଥନା କରେ ମହାରାଜ ।’

 

‘ଆଉ ଚିନ୍ତା କରିବା ଦରକାର ନାହିଁ, କ୍ଷତ୍ରିୟ ଜୀବନ ଜଳ ବୁଦ୍‌ ବୁଦ୍‌ ସଦୃଶ । ଏ ପ୍ରସ୍ତାବ ପରିଷ୍କାର ଭାବରେ ପ୍ରତ୍ୟାଖ୍ୟାନ କର ।

 

‘ମହାରାଜ, ଆଉ ଗୋଟିଏ ନିବେଦନ କରନ୍ତି ।’

 

‘ଆପଣ ଆଉ କ’ଣ କହିବାକୁ ଚାହାନ୍ତି ?’

 

‘ମହାରାଜ । ଆମକୁ କୂଟନୀତିରେ କାର୍ଯ୍ୟହାସଲ କରିବାକୁ ପଡ଼ିବ । ଏ ପ୍ରସ୍ତାବ ବିଚାରପାଇଁ ବାଦଶାହାଙ୍କଠାରୁ ଆଉ ଦୁଇମାସ ସମୟ ନିଆଯାଉ ।’

 

‘କିନ୍ତୁ ମୋର ତ ଆଉ ଚିନ୍ତା କରିବାର ନାହିଁ ।’

 

‘ମହାରାଜ । ଏ ଅଧମ ସେବକର ବିଚାରରେ ଏ ଦୁଇମାସ ମଧ୍ୟରେ ଆମେ କିଛି ଉପାୟ ସ୍ଥିର କରିବା ଏବଂ ଏଥିରୁ ରକ୍ଷା ପାଇବାପାଇଁ କିଛି ପଥ ପରିଷ୍କାର ହୋଇଯିବ ।

 

‘ଠିକ୍‌ ଅଛି । ସେଇଆ କର ।’

 

ଦୁଇମାସ ସମୟ ମିଳିଲାଣି, କିନ୍ତୁ ରାଜ ପରିବାରରେ ଆତଙ୍କ ଖେଳିଗଲା । ନିଜ କନ୍ୟା ଚିନ୍ତାରେ ରାଜାରାଣୀ ସଙ୍କଟ ମୁହୂର୍ତ୍ତରେ ଥିଲେ ମଧ୍ୟ ରାଜକୁମାରୀ ନିଶ୍ଚିନ୍ତ ଥିଲେ । ରାଜସିଂହଙ୍କର ଛବି ପାଇଲା ଦିନଠାରୁ ନିରୋଳାରେ ସେ ତାକୁ ଦେଖିବାକୁ ଲାଗୁଥିଲେ । ନିଜ ଶୟନକକ୍ଷରେ ବସି ଉକ୍ତ ଛବି ସହ ସେ କଥା ହେଉଥିଲେ–‘ମୋର ହୃଦୟର ଅନ୍ଧକାର ପ୍ରଦେଶରେ ପ୍ରବେଶ କରି ପ୍ରଭାତର ସୂର୍ଯ୍ୟ କିରଣ ଭଳି ମୋତେ ଆଲୋକ ପ୍ରଦାନ କଲ । ଆଶାର ଗୋଟିଏ ସୂକ୍ଷ୍ମ ସୂତା ମୋତେ ତୁମ ପର୍ଯ୍ୟନ୍ତ ଆକର୍ଷି ନେଉଛି । ତୁମର ସ୍ମୃତି କେଡ଼େ ମଧୁର, ତୁମର ଚିନ୍ତା କିପରି ତପସ୍ୟା, ତୁମର ଗୁଣଗାନ କେତେ ଆହ୍ଲାଦମୟ ସତେ । ହେ ବୀର, ପୁରୁଷ ଶ୍ରେଷ୍ଠ ! ଏ କ୍ଷତ୍ରିୟ କନ୍ୟା ଆଜି ନିଜର କୁମାରୀତ୍ୱ ତୁମରି ପାଦତଳେ ଅର୍ପଣ କରୁଛି ।’ ଏହା କହି ଛବିକୁ ମଥାପୋତି ମୁଣ୍ଡିଆ ମାରୁଥିଲାବେଳେ ସଖୀ ନିର୍ମଳା ପ୍ରବେଶ କରି–‘ୟେ କ’ଣ ହେଉଛି ?’

 

ରାଜକୁମାରୀ ଶୀଘ୍ର ଛବିଟିକୁ ଲୁଚାଇ ଦେଇ–‘କାହିଁ ? କିଛି ନାହିଁ ତ ।’

 

‘ହୁଁ ! ଚୋରୀ କରି ପାଇକପଣ । ଆଚ୍ଛା ସଖୀ, କିଛି ନୁହେଁ ନା ?

 

‘ଅଭିମାନ କରନା, ଶୁଣ ମୁଁ କିଛି ଚିନ୍ତା କରୁଥିଲି ।’

 

‘କ’ଣ ଭାବୁଥିଲ ଜେମାଦେଈ ?’

 

‘କ’ଣ କହିବି ?

 

‘କହିପାରିବନି, ମୁଁ ଜାଣେ କାରଣ ଛଳନା କରିପାରିଲନି ।

 

‘ତୁ କ’ଣ ବୁଝିଲୁ କହିଲୁ ?’

 

‘ଯାହା ରାଜକୁମାରୀ ଭାବୁଥିଲେ ସେଇଆ ।’

 

‘କ’ଣ ଭାବୁଥିଲି ?’

 

‘ଆପଣଙ୍କ ମନକଥା ମୁଁ କେମିତି ବୁଝିବି ?’

 

‘ତୁ ସବୁ ଜାଣୁ, କହ ।’

 

‘ସେ ଛବିଟା ଦିଅନ୍ତୁ ତାହାହେଲେ–କହିବି ।’

 

 

ମୁରୁକି ହସ ହସି ରାଜକୁମାରୀ କହିଲେ–‘ଆରେ କୋଉ ଛବି ?’

 

‘ସେଇମ, ଯାହାକୁ ଆପଣ ପଲଙ୍କ ଉପରେ ବସାଉଥିଲେ, ଏଇଲେ ଲୁଚାଇ ଦେଲେ ।’

 

‘ତୁ ବଡ଼ ଦୁଷ୍ଟ ।’

 

‘ତାହାହେଲେ ଯାଉଛି ସବୁକଥା ମହାରାଣୀଙ୍କୁ କହିଦେବି ।’

 

‘ଆରେ ଶୁଣିଯା ଗୋଟାଏ କଥା’

 

‘ମୁଁ ଆସେ–ଟିକେ ମହାରାଣୀଙ୍କୁ.....

 

‘ମାଡ଼ ଖାଇବୁ ।’

 

‘ହଁ ଆଉ କ’ଣ ଖାଇ ପାରିବି କି ?’

 

‘ଆଚ୍ଛା ଶୁଣିଯା ।’

 

‘କ’ଣ କୁହନ୍ତୁ ।’

 

‘କେମିତି କହିବି ।’

 

‘ଓଃ ବୁଝିଗଲି, କିନ୍ତୁ ଭାବିବାର କ’ଣ ଅଛି ?

 

‘ତୁ ସବୁ କଥା ଶୁଣିନୁ ?’

 

‘କୋଉକଥା ?’

 

‘ଦିଲ୍ଲୀରୁ ଦୂତ ଆସିଥିଲା ।’

 

‘ଶୁଣିଛି ଓ ଦେଖିସାରିଛି ।’

 

‘କ’ଣ ହେବ ତାହାହେଲେ ଏଇଲେ ?

 

‘ମହାରାଜ ବାଦଶାହାଙ୍କଠାରୁ ଦୁଇମାସ ସମୟ ନେଇଛନ୍ତି ।’

 

‘ଏହାପରେ ?’

 

ପ୍ରସ୍ତାବଟିକୁ ପ୍ରତ୍ୟାଖ୍ୟାନ କରି ଦିଆଯିବ ।’

 

‘ପ୍ରତ୍ୟାଖ୍ୟାନ କଲେ ଲାଭ କ’ଣ ହେବ ? ଆଖି ପିଛୁଳାକେ ବାଦଶାହା ସୈନ ମାଡ଼ିଆସି ରୂପନଗର ସତ୍ତା ଲୋପ କରିଦେବେ ।’

 

‘ତାହାହେଲେ ଉପାୟ କ’ଣ ?’

 

‘ଉପାୟ ଅଛି ।’

 

‘ବୁଝିଲି । ମାତ୍ର ଆପଣ ଗୋଟିଏ କଥା ଜାଣନ୍ତି ?

 

‘କୋଉ କଥା ?’

 

‘ରାଣାଙ୍କ ସହିତ ମହାରାଜାଙ୍କର ଶତ୍ରୁତା ଅଛି ।’

 

‘କାହିଁକି ?’

 

‘ଆକ୍ରମଣ କରି ମହାରାଣା ମାଣ୍ଡଳଗଡ଼ ଛଡ଼ାଇ ନେଇଛନ୍ତି । ମହାରାଜା ସେଠାକୁ ସୈନ୍ୟବାହିନୀ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି ।

 

‘ବାପା କ’ଣ ତାଙ୍କ ସଙ୍ଗେ ଲଢ଼ିପାରିବେ ?

 

‘ନପାରିଲେ ମଧ୍ୟ ସେ ବୀର, ହାରିଲେ ମଧ୍ୟ ଅସହନୀୟ, ପୁଣି ଶାହାଜାହାନ ତାଙ୍କୁ ନିଜେ ମାଣ୍ଡଳଗଡ଼ ଦେଇଥିଲେ ।’

 

‘କନ୍ୟା ପ୍ରତ୍ୟାଖ୍ୟାନ କଲେ, ବାଦଶାହା ରୂପନଗରର ସତ୍ତା ଲୋପ କରି ଦେବେ ।’

 

‘ଯାହା ଭାଗ୍ୟରେ ଥିବ ହେବ । ଆମେ ସ୍ତ୍ରୀ ଜାତି କ’ଣ କରିପାରିବା ? ସେଥିପାଇଁ ରାଜପୁତ ଘରେ କନ୍ୟା ଜନ୍ମ ହେଲେ ତାକୁ ମାରି ଦିଆଯାଏ ନଚେତ୍‌ ତାକୁ କଷଣ ଭୋଗ କରିବାକୁ ପଡ଼ିଥାଏ ।’

 

‘ଅଯଥାରେ ମନକଷ୍ଟ କରନି, ମହାରାଜ କିଛି ବ୍ୟବସ୍ଥା ନିଶ୍ଚୟ କରିବେ ।’

 

‘ମୋର ତ ଧୈର୍ଯ୍ୟ ରହୁନି ।’

 

ଈଶ୍ୱର ସମସ୍ତଙ୍କର ସ୍ୱାମୀ ଓ ରକ୍ଷକ ଅଟନ୍ତି ।’

 

ଦୁଇମାସ ପୂର୍ଣ୍ଣ ନ ହେଉଣୁ ଅକସ୍ମାତ୍‌ ରୂପସିଂହଙ୍କର ପରଲୋକ ହୋଇଗଲା । ଏକମାତ୍ର କନ୍ୟା ବ୍ୟତୀତ ତାଙ୍କର ପୁତ୍ରସନ୍ତାନ ନଥିଲେ । ତେଣୁ ତାଙ୍କର ପୁତୁରା, ରୂପସିଂହଙ୍କର ପରଲୋକ ସମ୍ବାଦ ସଙ୍ଗେ ରୂପନଗରର ଭାବୀ ଅଧୀଶ୍ୱର ତଥା ଉତ୍ତରାଧିକାରୀ ବୋଲି ଦାବି କରି ରାମସିଂହ ଦିଲ୍ଲୀ ବାଦଶାହାଙ୍କ ନିକଟକୁ ପତ୍ର ଲେଖିଲେ । ଏ ସମ୍ବାଦ ବାଦଶାହା ମହଲରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ସୁଯୋଗ ମିଳିଛି ବୋଲି ଭାବି ଜେବିନ୍ନୁସା ବାଦଶାହାଙ୍କୁ ସାକ୍ଷାତ କଲା ।

 

ବାଦଶାହା କହିଲେ–‘ରୂପନଗର ରାଜାଙ୍କର ଦେହାନ୍ତ ହୋଇଗଲା ।’

 

‘ହଁ ଜାହାଁପନା, ରୂପନଗର ଗାଦିର ହକ୍‌ଦାର ସ୍ୱୀକାରପାଇଁ ତାଙ୍କ ପୁତୁରା ରାମସିଂହ ଦରଖାସ୍ତ ପଠାଇଛି । ଉକ୍ତ ପୁରାତନ ବିଶ୍ୱାସୀ ଓ ରାଜଭକ୍ତଙ୍କୁ ସ୍ୱୀକାର କରି ଦିଆଯାଉ ।’

 

‘କିନ୍ତୁ ଉକ୍ତ କନ୍ୟା ପାଲିଙ୍କି ସମ୍ପର୍କରେ କ’ଣ ଲେଖିଛି ?’

 

‘ହଜୁର ! –ସେ କହି ପଠାଇଛି ଯେ ତାହାର ମୂଲ୍ୟହୀନ ଭଉଣୀକୁ ଯେ ବାଦଶାହା ଗ୍ରହଣ କରିବାକୁ ଚାହିଁଛନ୍ତି ଏହା ଅତ୍ୟନ୍ତ ସୌଭାଗ୍ୟର କଥା, ବାଦଶାହାଙ୍କ ସହ ସମ୍ପର୍କ ସ୍ଥାପନ ତାଙ୍କର ଇଜ୍ଜତ ସଦୃଶ ।

 

‘ଉତ୍ତମ । କାଲି ତାଙ୍କୁ ସ୍ୱୀକୃତି ଦିଆଯାଇ ରାଜସନନ୍ଦ ପଠାଯିବା ସଙ୍ଗେ ସଙ୍ଗେ ବଦନୋର ଓ ମାଣ୍ଡଳଗଡ଼ ପ୍ରଗଣା ମଧ୍ୟ ଫେରାଇ ଦିଆଯିବ । କିନ୍ତୁ ଯଥାଶୀଘ୍ର ସେ ନିଜ ଭଗ୍ନୀକୁ ଦିଲ୍ଲୀ ପ୍ରେରଣ କରୁ ।’

 

‘ହଜୁର, ଆଉ ଗୋଟିଏ ନିବେଦନ ମଧ୍ୟ ଅଛି ।’

 

‘ସେ କ’ଣ ?’

 

‘ସେ ଚାହାଁନ୍ତି କି ଖୋଦାବନ୍ଦ ନିଜେ ସଶରୀରେ ଯାଇ ରୂପନଗରରୁ କନ୍ୟା ବିବାହ କରି ତାଙ୍କର ସମ୍ମାନ ରକ୍ଷା କରନ୍ତୁ ।’

 

‘ତାହାର ଏପରି ସର୍ତ୍ତର କାରଣ କ’ଣ ?’

 

‘ଗୋଟିଏ ଗୁଳିରେ ଦୁଇଟି ଶିକାର ହଜୁର । ଏପରି କଲେ ତା’ର ଗୌରବ ବଢ଼ିବା ସଙ୍ଗେ ସଙ୍ଗେ ଆପଣ ତାକୁ ଅଧୀଶ୍ୱରଭାବେ ସ୍ୱୀକାର କରିବେ ।’

 

‘ଏ ସମ୍ପର୍କରେ ତୁମେ କ’ଣ ସ୍ଥିର କରିଛ ?’

 

‘ରାଣାଙ୍କର ଔଦ୍ଧତ୍ୟ ସମ୍ପର୍କରେ ଜାହାଁପନାଙ୍କୁ ଅଜଣା ନାହିଁ । ସେ କେବଳ ବାଦଶାହୀ ମୁଲକ ଅଧିକାର କରି ନାହାନ୍ତି ବରଂ ବାଗୀ ଯୋଧପୁର ରାଣୀଙ୍କୁ ଆଶ୍ରୟ ଦେବା ସଙ୍ଗେ ସଙ୍ଗେ ରାଠୋର ସଙ୍ଗେ ମିଳିତ ହୋଇ ସମଗ୍ର ରାଜପୁତନାକୁ ଏକ ବିଶାଳ ଶକ୍ତିରେ ପରିଣତ କରି ମୋଗଲ ଶାସନ ବିରୁଦ୍ଧରେ ଛିଡ଼ା କରାଇଛନ୍ତି । ତେଣୁ ହଜୁର ରୂପନଗର ଗଲେ ରାଜାଙ୍କ ଅଭିଳାଷ ପୂରଣ ହେବା ସଙ୍ଗେ ସଙ୍ଗେ ରାଣୀଙ୍କୁ ଦେଖାଯାଇ ପାରନ୍ତା ଓ ମୁଇନୁଦ୍ଦିନର ବ୍ୟବସ୍ଥା ହୋଇପାରନ୍ତା ।

 

‘ତୁମର ଖିଆଲ ବାସ୍ତବିକ ଚିନ୍ତାର ବିଷୟ । ଉତ୍ତମ । ସେଇ ରାଜାର ଦରଖାସ୍ତ ମଞ୍ଜୁର କରୁଛି ଓ ଆଜିହିଁ ଦିଲେର୍‌ ଖାଁ ତଥା ହୋସେନ ଅଲ୍ଲୀଙ୍କୁ ୫୦ ହଜାର ସୈନ୍ୟ ପ୍ରସ୍ତୁତପାଇଁ ଆଦେଶ ଦେଉଛି । କିନ୍ତୁ.....

 

‘ବର୍ତ୍ତମାନ ଜାହାଁପନା କେଉଁ ସୁନ୍ଦରୀ ବିଷୟରେ ଚିନ୍ତାମଗ୍ନ ?’

 

‘ଏହିକି ଯେ ରାଜକନ୍ୟା, ବାଦଶାହା ବେଗମ୍‌ ହେବାକୁ ପସନ୍ଦ କରିବ । ତୁମେ କହିଥିଲ ନା ସେ ମୋର ଛବିକୁ ପଦାଘାତ କରିଥିଲା ।’

 

‘ହଁ ଜାହାଁପନା ସେ ଖୁବ୍‌ ଚାଲାକ ଓ ଆଲମଗୀରଙ୍କୁ ଘୃଣା କରେ ।

 

‘ତା’ର ଏଡ଼େ ସାହସ ? ଜଣେ ମାମୁଲି କାଫେର ଜମିଦାର ଝିଅର ଏଡ଼େ ଦିମାକ । ତା’ର ଗର୍ବର ଦଣ୍ତ ପ୍ରଥମେ ଦିଆଯିବ ।’

 

‘ତୁମେ ତା’ ପ୍ରତି ଦଣ୍ତ ଠିକ୍‌ କରିଛ ଜେବିନ୍ନୁସା ?’

 

‘ଯଦି ସେ ମଫସଲୀ ଟୋକୀ ନିକଟରେ ସାମାନ୍ୟ ବ୍ୟତିକ୍ରମ ଦେଖେ ତାହାହେଲେ ତାକୁ କୁକୁରଦ୍ୱାରା କାମୁଡ଼ା ଖୁଆଇବି ।

 

‘ଆଉ ତା’ପରେ ?’

 

ତା’ପରେ ଆବ୍‌ବା........

 

‘କିନ୍ତୁ ପ୍ରିୟ କନ୍ୟା, ଯେକୌଣସି ଯୁବତୀକୁ ବାଦଶାହାଙ୍କର ବେଗମ୍‌ କରିବା ଏବଂ କୁକୁରଦ୍ୱାରା କାମୁଡ଼ା ଖୁଆଇବା ସମାନ କଥା ନୁହେଁ ।

 

‘ଜାହାଁପନା !’

 

‘ରୁହ ଶାହାଜାଦୀ । ଏ ଘଟଣା ଉପରେ ମୁଁ ପରେ ଚିନ୍ତା କରିବି । ବର୍ତ୍ତମାନ ମୁଁ ଯାଉଛି, ମୋ ସାଙ୍ଗେ ବିବାହରେ ଯିବାପାଇଁ ତୁମେ ମଧ୍ୟ ପ୍ରସ୍ତୁତ ରହିଥାଅ ।’

 

‘ହଜୁରଙ୍କ ଯାହା ଇଚ୍ଛା ।’

 

ବାଦଶାହା ଚାଲିଗଲେ । ଜେବୁନ୍ନିସା ଭାବିବାକୁ ଲାଗିଲେ । ଉକ୍ତ କନ୍ୟା ପ୍ରତି ବାପାଙ୍କର କିଞ୍ଚିତ୍ ଦୁର୍ବଳତା ଅଛି । ଦେଖାଯିବ । ଉଦୟପୁର ବେଗମ୍‌କୁ ଆଉ ସହି ହେଉନି । ବାନ୍ଦୀମାନେ କୁହନ୍ତି ମୁଁ ଅତିଶୟ ସୁନ୍ଦରୀ, ନିଷ୍ଠୁର ପିତାଙ୍କ ସ୍ନେହ ସହାନୁଭୂତିର ଅଂଶୀଦାର ଏଇ ବେଗମ୍‌ । ସେ ମୋର ପ୍ରତିଦ୍ୱନ୍ଦ୍ୱୀ, ଏହାକୁ ଦାରା ରାଜପୁତନାକୁ କ୍ରୟ କରିଥିଲେ । ଦାରା ହାଣ ଖାଇଲା ପରେ ଏ ବାନ୍ଦୀ ଆଲମଗୀରର ବାନ୍ଦୀ ହେବାପାଇଁ ପ୍ରସ୍ତୁତ ହୋଇ ପଡ଼ିଲା ଓ ନିଜର ରୂପ ବଳରେ ବାଦଶାହା ରଙ୍ଗମହଲକୁ ନିଜ ଅଧୀନରେ ରଖିବାକୁ ଚାହେଁ । ତା’ ପାଖକୁ ଆସିଲେ ପିତା ଆଲମଗୀର ଆସନରୁ ଓହରି ଆସି ଅନ୍ୟ କିଛି ହୋଇଯାଆନ୍ତି । ଉକ୍ତ ମାଇକିନା ବାପାଙ୍କ ସଙ୍ଗେ ମଦ ପିଏ ଓ ଏହାରି ପ୍ରେମ ସାଗରରେ ବାପା ନିଜେ ବୁଡ଼ିବା ସଙ୍ଗେ ସଙ୍ଗେ ନିଜର ବାଦଶାହାତ୍ୱ ବିସର୍ଜନ ଦିଅନ୍ତି । ଏଇ ହିନ୍ଦୁ କନ୍ୟା ଜରିଆରେ ଏ ନାଗୁଣୀର କାଳଫାଶରୁ ମୁକ୍ତ କରିବାକୁ ହେବ । ଏଆଡ଼େ ବେଗମ୍‌ ଜବତ ହେବା ସଙ୍ଗେ ସଙ୍ଗେ ରଙ୍ଗମହଲରେ ମୋର ଆଧିପତ୍ୟ ହେବ । ଏହା କହି ଦୁଇ ପିଆଲା ମଦ ପିଇଦେଇ ଚାଲିଗଲା ।

 

ନଅ

 

ବାପାଙ୍କର ରାଜ୍ୟତ୍ୟାଗ ପରେ ରତ୍ନସିଂହ ଏକାକୀ ଥିଲେ ମଧ୍ୟ ତାଙ୍କ ପାଖରେ ବୀରତ୍ୱ ଖୁନ୍ଦି ହୋଇ ରହିଥିଲା । ପିତାମାତା ତାଙ୍କର ବନ୍ଧୁ କନ୍ୟା ସୌଭାଗ୍ୟ ସୁନ୍ଦରୀ ସହ ତାଙ୍କର ନିର୍ବନ୍ଧ କରି ଦେଇଥିଲେ, ମାତ୍ର ବିବାହ ସମ୍ପନ୍ନ ହୋଇ ନଥିଲା । ରତ୍ନସିଂହ ସୌଭାଗ୍ୟ ସୁନ୍ଦରୀଙ୍କୁ ସାକ୍ଷାତ କରୁଥିଲେ ମାତ୍ର ସୌଭାଗ୍ୟ ସୁନ୍ଦରୀ ବିଚିତ୍ର ସ୍ୱଭାବର ନାରୀ ଥିଲେ । ସେ ପ୍ରେମ ସମ୍ଭାଷଣ ଅପେକ୍ଷା ବୀର, ତ୍ୟାଗ ପ୍ରବୃତ୍ତିକୁ ପସନ୍ଦ କରୁଥିଲେ । ଶରତ୍ ଋତୁ ଆଗତ ପ୍ରାୟ । ଆକାଶରେ ତାରାମାନେ ମୁଣ୍ତ ଟେକିଲେ । ଏ ଦୃଶ୍ୟ ଦେଖି ତାଙ୍କର ହୃଦୟ ଆହ୍ଲାଦିତ ହୋଇଉଠିଲା । ସେ ମନକୁ ମନ କହି ଉଠିଲେ–ଅନନ୍ତ ଆକାଶରେ ଏ ନକ୍ଷତ୍ର କେତେ ସୁନ୍ଦର ଜଣାପଡ଼ୁଛି, କିଏ ଜାଣେ କେତେ ଦୂରରୁ ସେ ଆଲୋକ ପ୍ରଦାନ କରୁଛି । ଏହାର କିମ୍ୱଦନ୍ତୀ କେତେ ପ୍ରାଚୀନ ଓ ପ୍ରଭାବଶାଳୀ ଅଟେ । ବିଭିନ୍ନ କବି ଏହାକୁ ସନ୍ଦର୍ଶନ କରିଛନ୍ତି, କେତେ ବିରହିଣୀ ନାରୀ ବ୍ୟାକୁଳ ହୃଦୟରେ ଅନାଇଛନ୍ତି ହେଲେ ଏ ମୂକ ଜ୍ୟୋତିମଣ୍ତଳ ସଂସାରରେ ସୌନ୍ଦର୍ଯ୍ୟ ବିସ୍ତାର କରୁଛି । ଏହାପାଇଁ ରାତ୍ରି କେତେ ସୁନ୍ଦର, ଏଟା କ’ଣ ଏହାର ଅସ୍ତିତ୍ୱ ? ନା ସୁଦୂର ଧ୍ରୁବତାରାର ପ୍ରଭାବରେ ଝିଲ୍‍ମିଲ୍‌ ହୋଇ ପ୍ରତିଭାତ । ଏମିତି ଭାବୁଥିବା ସମୟରେ ପଛ ପାଖରୁ ରତ୍ନସିଂହ ନିଃଶବ୍ଦରେ ଛିଡ଼ା ହୋଇ ତାଙ୍କର ଧ୍ୟାନଭଗ୍ନ କଲେ । ‘ବାଃ ଚୁପ୍‍ଚାପ୍‌ ରାତ୍ରି ନିରୀକ୍ଷଣ କରି ଚାଲିଛି ନା ?’

 

‘ଆରେ ଆପଣ ! ଆଜି ଛୁଟି ପାଇଗଲେ ?’

 

‘ହଁ ତୁମର ଅତୁଟ ସ୍ନେହ ବାନ୍ଧିରଖିଥିବା ଏ ପ୍ରାଣ ଯେଉଁଠିଥିଲେବି ଟାଣି ହୋଇ ଚାଲି ଆସୁଛି । ମହାରାଣା ଚାଲି ଆସିବାପରେ ମୋତେ ସମୟ ମିଳିଲା । ମାତ୍ର ତୁମେ କ’ଣ ଭାବୁଛ ?’

 

‘କିଛି ନାହିଁ ।’

 

‘କୁହ କ’ଣ ଭାବୁଥିଲ ?’

 

‘ଭାବୁଥିଲି–ଅନ୍ଧକାର ସଶରୀରେ ବିଶ୍ରାମ ଆଣିବା ସଙ୍ଗେ ସଙ୍ଗେ ବିଭୀଷିକା ମଧ୍ୟ ବହନ କରିଥାଏ । ସମଗ୍ର ଜଗତ ଅନ୍ଧକାରରେ ବିଶ୍ରାମରତ, ଏହା ଜାଣି ଚୋର ଚୋରୀ କରିବାର ସୁଯୋଗ ନିଏ ।’

 

‘ଏଥିରେ ତୁମେ କ’ଣ ଭାବୁଛ ପ୍ରିୟେ ?’

 

‘ଏଇଆ, ଯେ ଜୀବନରେ କ’ଣ କିଏ ବିଶ୍ରାମ ପାଇଥାଏ ? ହଁ ଜୀବନ ଅନ୍ତେ ଅଲଗା କଥା ।’

 

‘ଜୀବନ ଅନ୍ତେ କେମିତି ?’

 

‘କେମିତି କହିବି ? ମେବାରର ବୀରମାନେ ସ୍ୱଦେଶପ୍ରେମରେ ଆତ୍ମବିସର୍ଜନ କରି ବର୍ତ୍ତମାନ କେଉଁଠାରେ ତ ବିଶ୍ରାମ ନେଉଥିବେ । ସେମାନେ ତାଙ୍କର କଷ୍ଟସାଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିଲେ ।’

 

‘କହିପାରୁନି, ହେଲେ ବର୍ତ୍ତମାନ ତ ଚାଲ ଆମେ ବିଶ୍ରାମ ନେବା ।’

 

‘କ’ଣ କର୍ତ୍ତବ୍ୟ ସଂପାଦନ କରି ନ ସାରି ? ଜୀବନ ମସ୍ତକରେ କର୍ତ୍ତବ୍ୟର ବୋଝ ଲଦି ମଝି ରାସ୍ତାରେ ବିଶ୍ରାମ କାହିଁକି ?’

 

‘ତାହାହେଲେ ତୁମେ କହିବାକୁ ଚାହଁ ଯେ ଜୀବନ ଗୋଟାଏ ଭାରବାହୀ ବୋଝ ? ଏବଂ ବୋଝ ବୋହିବା କେବଳ ଆମର କର୍ତ୍ତବ୍ୟ ? ବୋଝ ବୋହି ମରିଗଲେ କର୍ତ୍ତବ୍ୟ ଶେଷ ହୋଇଥାଏ–ଅର୍ଥାତ୍ ମୃତ୍ୟୁ ଆମପାଇଁ ବଡ଼ ପୁରସ୍କାର ?

 

‘ଆପଣ କେବେ ଭାବିଛନ୍ତି–ଲୋକ ମଲାପରେ କାହିଁକି ତାକୁ ଦାହ କରାଯାଏ ? ସେମାନେ କ’ଣ ଭାଗ୍ୟଶାଳୀ ନୁହନ୍ତି ?’

 

‘କେମିତି କହିବି–ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଭାଗ୍ୟଶାଳୀ ଅଟେ ।’

 

‘ଆପଣହିଁତ କହନ୍ତି–କିନ୍ତୁ.......

 

କିନ୍ତୁ କ’ଣ ? ମୋର କଥା କ’ଣ ମୂଲ୍ୟହୀନ ସୁନ୍ଦରୀ ?’

 

‘ପତ୍ନୀ ପତିଙ୍କର କୌଣସି କଥା ମୂଲ୍ୟହୀନ ମନେକରିବା ସମ୍ଭବ ନୁହେଁ । ତେବେ ମୁଁ ପଚାରେ ଜୀବନଟା କ’ଣ ?’ କ’ଣ କେବଳ ଖାଇବା, ପିଇବା, ଶୋଇବା, ହସିବା, ଇନ୍ଦ୍ରିୟର ପରିତୃପ୍ତି ସାଧନ କରିବା ଏବଂ ବାଲ୍ୟାବସ୍ଥାରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ନିଜ ଶରୀରକୁ ସମସ୍ତ ପ୍ରକାର କେନ୍ଦ୍ରସ୍ଥଳୀ ବୋଲି ଧରିନେବାହିଁ ଜୀବନ ! ଯଦି ଏଇଆ ହୁଏ ତେବେ ଜୀବନଟା ଘୋର ସୌଭାଗ୍ୟ ବୋଲି ମୋର ସନ୍ଦେହ ହୁଏ ।’

 

‘ତେବେ ତୁମ ବିଚାରରେ ଜୀବନଟା କ’ଣ ?

 

‘ଜଣେ ମୂର୍ଖ ସ୍ତ୍ରୀର ବିଚାର କ’ଣ ? ଥୋକେ କହନ୍ତି ଜୀବନଟା ସ୍ୱପ୍ନ, ଥୋକେ କହନ୍ତି ସଂଗ୍ରାମ, କିଏ କହେ ଜୀବନଟା ଭୋଗବାଦୀ ଅଟେ ।’

 

‘କିନ୍ତୁ ତୁମେ କ’ଣ କହୁଛ ?’

 

‘ମୁଁ କହିବି.........ଜୀବନଟା ଗୋଟାଏ ସାଧନା ।’

 

‘ସାଧନା, କି ପ୍ରକାର ସାଧନା ?’

 

‘ସଂସାର ପ୍ରବାହକୁ ଚଳତ୍‍ଶକ୍ତି କରି ରଖିବା ସୃଷ୍ଟିର ନୈସର୍ଗିକ ଆବଶ୍ୟକ ତା’ର ପୂର୍ତ୍ତିପାଇଁ ଆଦିକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମାନ୍ୱୟରେ ଏବଂ ଗୋଟାଏ ଅବାରିତ ଗତିରେ କୃମି, କୀଟପତଙ୍ଗ, ପଶୁ ପକ୍ଷୀ ଦେବ, ମନୁଷ୍ୟ, ଯକ୍ଷ, ରାକ୍ଷସ ଏବଂ କିନ୍ନର ଜୀବନ ଜଳ ବୁଦ୍‌ ବୁଦ୍‌ ପ୍ରାୟ ଏହିପରି ଉଦୟ ହୋଇ ଅସ୍ତ ହେଉଛି । ଏ ମହାକାଳର ମହାପ୍ରାଙ୍ଗଣରେ ଜୀବନଟା ଗୋଟିଏ କ୍ଷଣଭଙ୍ଗୁର ପଦାର୍ଥ ବୋଲି ପ୍ରମାଣିତ ହୋଇ ସାରିଛି । ବଡ଼ବଡ଼ ମହାପୁରୁଷ, ବିଜୟୀ ଚକ୍ରବର୍ତ୍ତୀ କାଳଚକ୍ର ପରେ ନୃତ୍ୟ କରି ବିଲୀନ ହୋଇଗଲେ–କାଳ ସେମାନଙ୍କୁ ଜନ୍ମ ଦେଇ ଗ୍ରାସ କଲା । ତେଣୁ ଏ ମହାକାଳ ଜୀବନର ଏଇ ବ୍ୟବସାୟକୁ ନିଜର ସାଧନା କରିନେଇଛି ।

 

‘ତୁମ ଭିତରେ କିଏ ସବୁ ଏପରି କହୁଛି ? ତୁମେ ଦେବୀ ନା ମାନବୀ ?’ ଏ ମଣିଷର କଳ୍ପନା ଓ ବିଚାରଶକ୍ତି ବଳରେ ଅନ୍ୟ କଥା ତୁମେ ଭାବିବାରେ ବ୍ୟସ୍ତ, ଏଇ ନବୀନ ବୟସରେ କୋମଳ ଜୀବନରେ ତୁମରି ବୟସର ଯୁବତୀ କ’ଣ ଏଇଆ ଭାବୁଛନ୍ତି ?’

 

‘ମାତ୍ର ମୁଁ କହୁଛି ଯେଉଁ ଜୀବନ ନିଜସ୍ୱ ନୁହେଁ ତାକୁ ଆପଣାର କରିବା ମୂର୍ଖତା ମାତ୍ର । କାରଣ ଏହାର କୌଣସି ପରିଧି କିମ୍ୱା ନିର୍ଦ୍ଦିଷ୍ଟ ସୀମାରେଖା ନାହିଁ, ଅବସାନ ପରେ ଶରୀର ସହ ତାହାର ସମ୍ପର୍କ ନାହିଁ । ତେଣୁ ଏହାକୁ କେନ୍ଦ୍ର ମନେ କରି ସମସ୍ତ ସଂସାରକୁ ଏଥିସହ କେନ୍ଦ୍ରୀଭୂତ କରିବା ହାସ୍ୟାସ୍ପଦ ଅଟେ ।

 

‘ଏସବୁ କିଛି ମୋ ମୁଣ୍ତରେ ଜମା ପଶୁ ନାହିଁ । ଏ ସୁନ୍ଦର ରାତି, ସୁଶୀତଳ ମନ୍ଦଗନ୍ଧ ସମୀର, ତୁମର ସ୍ନିଗ୍ଧ ହୃଦୟ ଓ ମୋର ତୃଷାର୍ତ୍ତ ହୃଦୟ । ମୋର ଜାଣିବାରେ ଏଇତ ଜୀବନ । ତାରକା ବିମଣ୍ତିତ ଏଇ ରାତିରେ ଜୀବନ କେତେ ସ୍ନିଗ୍ଧବୋଧ ହେଉଛି । ପ୍ରାଣରେ ମନ ମୁଗ୍ଧକର ସ୍ନେହ ଯେମିତି ଫୁଟିଉଠୁଛି । ଏ ଜୀବନ ଏତେ ସୁନ୍ଦର କାହିଁକି ? ଏଥିପାଇଁ ଯେ ଜୀବନ ସଂସାରର କେନ୍ଦ୍ରସ୍ଥଳୀ ଅଟେ ।’

 

‘ସତକଥା । ପ୍ରକୃତରେ ପ୍ରଭାତ, ମଧ୍ୟାହ୍ନ, ଅପରାହ୍ନ, ସନ୍ଧ୍ୟା ହେଲାଭଳି ଜୀବନରେ ମଧ୍ୟ ହୋଇଥାଏ । ପ୍ରଭାତ ଜୀବନରେ ସବୁଠାରୁ ରମଣୀୟ ମୁହୂର୍ତ୍ତ ଅଟେ । ଏଥିରେ ଆଶା ଆଲୋକର କଳିକା ସବୁ ଅବିକଶିତ ଅବସ୍ଥାରେ ଥାଏ । ପ୍ରାତଃକାଳୀନ ମନ୍ଦ ସମୀର ପରି ଏଥିରେ ସରଳ ଶୁଦ୍ଧ ପ୍ରେମର ମହକ ବିଛୁରିତ ହୋଇ ହୃଦୟକୁ ବିକଶିତ କରୁଥାଏ । ଯେଉଁଠାରେ ଧୂଳିଝଡ଼ ନାହିଁ, ଅଧିକାର ମତ୍ତ–ଭଳି ଦ୍ୱି–ପ୍ରହର ନାହିଁ, କେବଳ ଉନ୍ମୁକ୍ତ ପ୍ରଜାପତିର ଉଡ଼ିବା ଦୃଶ୍ୟ ଅଛି, ଉଷାରାଣୀର ସୁନେଲି ମନୋହର କିରଣ ଅଛି, ଜୀବନର ସେଇ ପ୍ରଭାତ କେତେ ସୁନ୍ଦର, ଶୁଦ୍ଧ ଓ ପବିତ୍ର ! ମାତ୍ର ଯୌବନ ଜୀବନର ଦ୍ୱି–ପ୍ରହର ସଦୃଶ । ଏଥିରେ କାମ ବାସନା ପ୍ରବେଶ କରିବାମାତ୍ରେ ସଂସାରର ରୂପ ଅଲଗା ଜଣାଯାଏ । ତେଜ, ତାପ ଉତ୍କର୍ଷ ବିଦ୍ୟମାନ ଥିବା ଏ ଶକ୍ତି–ସାଗରର ସୌନ୍ଦର୍ଯ୍ୟ ଅନ୍ୟତମ । କିନ୍ତୁ ଏଇ ପ୍ରଖର ସୌନ୍ଦର୍ଯ୍ୟର ମଧ୍ୟ ଦୁର୍ବାର ବାସନାର ଜୁଆର ଭଳି ପ୍ରଚଣ୍ତ ବସ୍ତୁ ରହିଥାଏ । ଯଦି ଏଇ ବାସନା ପ୍ରବୃତ୍ତିକୁ ସଂଯମ ଓ ସୀମିତ ରଖାଯାଏ ତେବେ ଯୌବନହିଁ ସର୍ବୋତ୍କୃଷ୍ଟ ସମୟ ହୋଇଥାଏ ନଚେତ୍ ପତନର ସରଳ ମାର୍ଗ ଅଟେ ।’

 

‘ସୁନ୍ଦରୀ ! ମଧ୍ୟାହ୍ନର ଅବସାନ ପରେ ତେଜସ୍କ୍ରିୟ ସୂର୍ଯ୍ୟଙ୍କର ମଧ୍ୟ ପ୍ରଖର କିରଣ ପତନ ଘଟିଥାଏ ।’ ତାହାକୁ ପତନ ବୋଲି ଧରୁଛ କାହିଁକି ? ସେ ଜୀବନ ବିକାଶର ଗୋଟାଏ ସୀମା ଅଟେ । ତୁମେ କ’ଣ କହିବାକୁ ଚାହଁ ଯେ ଜୀବନରେ କେବଳ ପ୍ରଖରତା ବଢ଼ୁଥିବ । ପୁଣି ତୁମେ ଜାଣିଥିବ ପୃଥିବୀ ଗୋଲ ଏବଂ ସୂର୍ଯ୍ୟଙ୍କ ଚାରିପାଖରେ ପରିଭ୍ରମଣ କରେ, ଏଇ ଅବିରତ ଗତି କ୍ରମ ପରମ୍ପରାଭାବେ ଚାଲିଆସୁଛି । ଆମେ କହୁଥିବା ପ୍ରଭାତ ମଧ୍ୟାହ୍ନ, ସାନ୍ଧ୍ୟକାଳ ଓ ରାତ୍ରି ପ୍ରଭୃତି ସତ୍ୟ ଅନ୍ୟ କିଛି ନୁହେଁ କେବଳ ପରିସ୍ଥିତିରେ ପରିବର୍ତ୍ତନ । ପ୍ରକୃତି ତ ଗୋଟିଏ ରସ, ଗୋଟିଏ ଭାବ ଏବଂ ଅପ୍ରତିହତ ଗତିରେ ସ୍ୱମାର୍ଗରେ ଗତିଶୀଳ ।’

 

‘ତାହାହେଲେ ଜୀବନଟା କ’ଣ ଏଇଆ ?’

 

ତାହାହେଲେ କ’ଣ ? ଜୀବନର ଯେଉଁ କେନ୍ଦ୍ରବିନ୍ଦୁ କେବେ ବାଳକ ହୁଏନା ବୃଦ୍ଧ ହୁଏ କିମ୍ୱା ନା ତାହାର ବାସନା ଉଦ୍ଦୀପ୍ତ ହୁଏ ଅଥବା ପ୍ରଶମିତ । ଏ ସମସ୍ତ ଭୌତିକ ପରିବର୍ତ୍ତନ ଅଟେ । ଠିକ୍‌ ସେହିଭଳି ସୂର୍ଯ୍ୟ କେବେହେଲେ ଉଦୟ କିମ୍ୱା ଅସ୍ତ ହୁଅନ୍ତିନି ସେ କେବଳ ଧ୍ରୁବଭଳି ନିଜ ସ୍ଥାନରେ ଛିଡ଼ା ହୋଇ ସ୍ଥିରଭାବରେ ନିଜର କିରଣ ପ୍ରଦାନ କରନ୍ତି । ବିକଳ୍ପ ଚକ୍ଷୁ କେବଳ ତାଙ୍କର ଉଦୟ ଅସ୍ତ ଦେଖିପାରେ । ଠିକ୍‌ ସୂର୍ଯ୍ୟଙ୍କ ଭଳି ତେଜସ୍ୱୀଙ୍କର ଗତିଥାଏ ଏବଂ ତାଙ୍କର ଉତ୍ଥାନ ପତନ ଦେଖୁଥିବା ବ୍ୟକ୍ତିହିଁ ବିକଳ୍ପ ଅଟେ । ପ୍ରତ୍ୟେକ ଅବସ୍ଥାରେ ତଥାକଥିତ ତେଜ ଓ ଶକ୍ତିର ଅଧିଷ୍ଠାତା ରହନ୍ତି । ଆଚ୍ଛା କୁହନ୍ତୁ–କାଲି ଆପଣଙ୍କ ଶିକାର ଦିନ ନା ?’

 

‘ହଁ ତ’

 

କାଇଁ ପ୍ରସ୍ତୁତି ସମ୍ପର୍କରେ ମୁଁ କିଛି ଦେଖିପାରିଲିନି ?’

 

ଭାବୁଛି, ତୁମକୁ ଛାଡ଼ି ଯିବି କୁଆଡ଼େ, କାଲି ଜଙ୍ଗଲ ଶିକାର କଥାଛାଡ଼ ତୁମରି ଶିକାରର ଦିନ ।’

‘କେମିତି ?’

 

ଏକାବେଳକେ ସିଧା କଥା ପ୍ରିୟେ । ମୁଁ ତ ତୁମର ସର୍ବସୁଲଭ ଶିକାର, ।’

 

‘ସତେ ! ପୁରୁଷ.....ବିଶେଷକରି କ୍ଷତ୍ରିୟ ପତିମାନେ ସ୍ତ୍ରୀସୁଲଭ ଶିକାର ଅଟନ୍ତି !’

 

‘ମୁଁ ତ ସେୟାଭାବେ । ସ୍ତ୍ରୀ ଅନାୟାସରେ ପୁରୁଷକୁ ଶିକାର କରିଥାଏ । ସ୍ତ୍ରୀର ନୟନ ବାଣରେ....’

 

‘ଛି ! ବୀର ରାଜପୁତ ଯଦି କାମିନୀ ନୟନ ବାଣର ଶିକାର ହୁଅନ୍ତି ତାହାହେଲେ ସେ ଦେଶ, ଜାତି, ଧର୍ମପାଇଁ ଆତ୍ମୋତ୍ସର୍ଗ କରିବେ କେମିତି ?’

 

‘ଆତ୍ମୋତ୍ସର୍ଗ ! ଜୀବନର ଏଇ ମଧ୍ୟବସ୍ଥାରେ ! ତୁମେ ତ କହୁଥିଲ ଜୀବନ କେତେ ସୁନ୍ଦର ମନୋରମ ତ ବହୁମୂଲ୍ୟ’ ‘‘ସେଇଥିପାଇଁ ତ ଜୀବନ ଉତ୍ସର୍ଗର ଏତେ ମାହାତ୍ମ୍ୟ । ପଚାଶଢ଼ା ପଦାର୍ଥ ଲୋକେ ଫିଙ୍ଗି ଦିଅନ୍ତି କିନ୍ତୁ ନିଜର ପ୍ରିୟ ପଦାର୍ଥକୁ ଉତ୍ସର୍ଗ କରିବାହିଁ ଶ୍ରେଷ୍ଠ ତ୍ୟାଗ ।’

 

‘ପ୍ରିୟ ପଦାର୍ଥର ଉତ୍ସର୍ଗ ?’

 

‘ହଁ, କାହିଁକି ନୁହେଁ, ? ଫୁଲ ଫୁଟି କ୍ରମଶଃ ବିକଶିତ ହୋଇ ସେ ସୌନ୍ଦର୍ଯ୍ୟର ମହକ ଛୁଟାଇଥାଏ । ସମ୍ପୂର୍ଣ୍ଣ ବିକାଶ ଲାଭ ପରେ ତାହାରି ସୌରଭରେ ସମୁଦ୍ର ପ୍ରବାହିତ ହୁଏ । ସେଇଟା ତା’ର ଉତ୍ସର୍ଗର ସମୟ । ଏହି ସମୟରେ ତାହାକୁ ଅତର କରିନେବା ଉଚିତ ନୋହିଲେ.....’

 

‘ନୋହିଲେ ।’

 

‘ସେ ଶୁଖିଯିବ, ତା’ର ପାଖୁଡ଼ାଗୁଡ଼ାକ ଝରି ପଡ଼ିବ ଏବଂ ତା’ର ଅସ୍ତିତ୍ୱ ଲୋପ ହେବା ସଙ୍ଗେ ସଙ୍ଗେ ଜୀବନ ବ୍ୟର୍ଥ ହୋଇଯିବ ।’

 

‘ମନୁଷ୍ୟ ଜୀବନଟା ଯେ ଏଇଭଳି.....ତୁମେ କ’ଣ ଏଇଆ କହିବାକୁ ଚାହଁ ?’

 

‘ହଁ କୁମାର, ଆଉ ରାଜପୁତ ଜୀବନ ତା’ଠରୁ ବେଶୀ ।’

 

‘କାହିଁକି...... ?’

 

‘ସମସ୍ତେ କୁହନ୍ତି ତ୍ୟାଗହିଁ ଶ୍ରେଷ୍ଠ କିନ୍ତୁ ପ୍ରାଣତ୍ୟାଗହିଁ ସର୍ବଶ୍ରେଷ୍ଠ ଏବଂ କ୍ଷତ୍ରିୟ ଯୁଦ୍ଧରେ ପ୍ରାଣତ୍ୟାଗ କରେ । ସେଥିପାଇଁ କ୍ଷତ୍ରିୟକୁହିଁ ଶ୍ରେଷ୍ଠ ତ୍ୟାଗୀ ବୋଲାଯାଏ ।’

 

‘ଇଏ ହେଲା କ୍ଷତ୍ରିୟ ପୁରୁଷର ଧର୍ମ ଆଉ କ୍ଷତ୍ରିୟ କନ୍ୟାର ?’

 

‘ସେ ବିକଶିତ ପୁଷ୍ପର ସୌରଭ ଧର୍ମ ବର୍ଜନ କରିଥାଏ, ଏହାର ଜୀବନ–ପୁଷ୍ପର ଜୀବନ-। ଅତରପାଇଁ ପୁଷ୍ପକୁ ସିଦ୍ଧ କରାଗଲେ ମଧ୍ୟ ସେ ସତେଜ । ଫୁଲ ଜୀବନର ସାର୍ଥକତାତ ଏଇଠି-।’

 

‘ତୁମ ଅନ୍ତରରେ ଏସବୁ କେ କହୁଛି ପ୍ରିୟେ ?’ କ’ଣ ତୁମେ ମୋର ସେଇଆ ମୁଗ୍ଧା ସରଳ ସୁନ୍ଦରୀ ବାଳା ? ନିଶ୍ଚୟ ତୁମ ଭିତରେ ଦେବଶକ୍ତି ନିହିତ ଅଛି ।’

 

ସୌଭାଗ୍ୟ ସୁନ୍ଦରୀ ହସି ଉତ୍ତର ଦେଲା–ଏ ଶକ୍ତି ରାଜପୁତ ଅଂଶର, ଯିଏ ଆପଣଙ୍କ ଭାବୀ ଦାସୀର ସ୍ତ୍ରୀତ୍ୱଠାରୁ ପୃଥକ୍ ହୋଇ ତାକୁ ଶାସନ କରୁଛି । ନାରୀ ଶରୀର ଆପଣଙ୍କର ଦାସ କିନ୍ତୁ ରାଜପୁତ ଶକ୍ତି ନୁହେଁ ।’

 

‘ତାହାହେଲେ ସେଇଟା କ’ଣ ?’

 

‘ସେ ତୁମର ତରବାରି ଧାରଠାରୁ ମଧ୍ୟ ତୀକ୍ଷ୍ଣ ଅଟେ । ସେ ଉଭୟ ଘାତକ ଓ ରକ୍ଷକ ।’

 

ଏକଥାଛାଡ଼ । ମୋତେ ତୁମର ସ୍ତ୍ରୀତ୍ୱ ଆବଶ୍ୟକ ଯେଉଁଥିରେ ମାଧୁର୍ଯ୍ୟ, ସୌକୁମାର୍ଯ୍ୟ, କୋମଳତା ଓ ଭାବୁକତା ଓତପ୍ରୋତ ଭାବରେ ଜଡ଼ିତ ।’

 

‘ନା କୁମାର ! ଏ ଅଧମ ନାରୀ ଶରୀରରେ ବସାବାନ୍ଧିଥିବା ରାଜପୁତ ଶକ୍ତିହିଁ ତୁମର ଆବଶ୍ୟକ ।’

 

Unknown

‘କ’ଣ ଘାତକ ହେବାପାଇଁ ?’

 

ନା ରକ୍ଷକ ହେବାପାଇଁ ?’

 

ରତ୍ନସିଂହ କହିଲେ–କୁମାରୀ ! ମୋ ପିତାଙ୍କ ହସ୍ତରେ ନିଜ କନ୍ୟା ଅର୍ପଣ କରିବାପାଇଁ ତୁମ ପିତା ପ୍ରତିଜ୍ଞା କରିଥିଲେ, ମୋର ପିତା ପ୍ରସନ୍ନତାର ସହିତ ତୁମକୁ ପୁତ୍ରବଧୂରୂପେ ଗ୍ରହଣ କରିବାପାଇଁ ସ୍ୱୀକୃତି ଦେଇଥିଲେ । ତାଙ୍କର ଅନୁପସ୍ଥିତିରେ ତୁମ ପିତା ମୋତେ ବିବାହ ଦେବେନି-?’

 

‘ମୁଁ ଜାଣେନା । ଆପଣ ମୋ ବାପାଙ୍କୁ ପଚାରି ନିଅନ୍ତୁ । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶପ୍ରତି ଶତ୍ରୁଭୟ ଥିବାବେଳେ ଆପଣଙ୍କ ସୁଖରେ ବିବାହ ସମ୍ପର୍କୀୟ କଥାବାର୍ତ୍ତା କ’ଣ ଶୋଭାପାଏ ?’

 

ଶତ୍ରୁ ଆକ୍ରମଣରେ ଭୟ ଅଛି ବୋଲି ତୁମକୁ କିଏ କହିଲା ?’

 

‘ଶୁଣୁଛି ଦିଲ୍ଲୀ ବାଦଶାହା ରାଣାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି, ତେଣୁ ସେ ଯେକୌଣସି ମୁହୂର୍ତ୍ତରେ ମେବାର ଉପରେ ଝାମ୍ପିଦେବେ ।’

 

‘ଏଥିରେ ଚିନ୍ତା କରିବାର କ’ଣ ଅଛି ? ସେ ଯେତେବେଳେ ଝାମ୍ପିଦେବେ ସେତେବେଳେ ମୋର ଏଇ ତରବାରି ତାଙ୍କୁ ସ୍ୱାଗତ କରିବ ।’

 

‘ଆପଣ ବୀର ସନ୍ତାନ ଅଟନ୍ତି । ଆପଣଙ୍କ ପିତା ବଡ଼ବଡ଼ କରାମତି ଦେଖାଇଛନ୍ତି ।’

 

‘ଆଉ ଆମର ମର୍ଯ୍ୟାଦା ମେବାରରେ ସର୍ବୋଚ୍ଚ ଅଟେ, ଆମେ ପ୍ରତାପୀ ଚଡ଼ାଙ୍କର ବଂଶଧର ଅଟୁଁ କୁମାରୀ ।’

 

ଆପଣଙ୍କ ଚରଣତଳେ ଦାସୀ ମୋ ପକ୍ଷେ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଅଟେ କିନ୍ତୁ......

 

‘କିନ୍ତୁ କ’ଣ ?’

 

ମୁଁ ମଧ୍ୟ ମହାବୀର ହାଡ଼ିଙ୍କର କନ୍ୟା କୁମାର । ବୀର ହାଡ଼ାଙ୍କର ବଂଶ ଦବି ଯାଇନି । ଏବେବି ତାଙ୍କର କରାମତି ଓ ପରାକ୍ରମ ବିଶ୍ୱବିଖ୍ୟାତ । ମୁଁ ବୀର ପୁରୁଷର ପତ୍ନୀ ହେବାପାଇଁ ପ୍ରତିଜ୍ଞା କରିଛି ।’

 

ତାହାହେଲେ ମୋ ବୀରତ୍ୱରେ ତୁମର ସନ୍ଦେହ ଅଛି ?’

 

‘ନା, ମୁଁ କିନ୍ତୁ ସ୍ୱଚକ୍ଷୁରେ ଦେଖିବାକୁ ଚାହେଁ ।’

 

ସ୍ୱଚକ୍ଷୁରେ ଚାହଁ ହାଡ଼ି ରାଜକୁମାରୀ ?

 

କ’ଣ ଖରାପ ଭାବିଲ ରାଜକୁମାର ?’

 

ଠିକ୍‌ କଥା । କୁମାରୀ, ବୀରତ୍ୱର ପ୍ରମାଣ ଦେଲାପରେ ମୁଁ ଯାଇ ତୁମକୁ ବିବାହ କରିବି-।’

 

ରୂପନଗର ରାଜମହଲରେ ଶୋକଛାୟା ଦେଖାଦେଲା । ରାଜାଙ୍କ ପରଲୋକରେ ବାଦଶାହାଙ୍କ ନିକଟକୁ ରାମସିଂହଙ୍କ ପତ୍ର ଦୁଶ୍ଚିନ୍ତାର କାରଣ ହେଲା । ସେଥିପାଇଁ ରାଣୀ ନିଜର ବୈଧବ୍ୟ ଯନ୍ତ୍ରଣା ଭୁଲିଯାଇ କନ୍ୟା ସଙ୍କଟ ପାଇ ଆଶୀର୍ବାଦ କରିବାକୁ ଲାଗିଲେ । ସେ ରାମସିଂହଙ୍କୁ ଡକାଇ ପ୍ରଶ୍ନ କଲେ–

 

‘କନ୍ୟା ପାଲିଙ୍କି ଦେବା କଥା ତୁମେ ମଞ୍ଜୁର କରି ଦେଇଛ ଶୁଣିଲି ?’

 

‘କିଏ କହିଲା ରାଣୀମା ।’

 

‘ମୁଁ ପଚାରୁଛି କ’ଣ ଏଇଆ ସତ ?

 

‘ଯଦି ସତ ହୋଇଥାଏ ?’

 

ରାଜକୁମାରୀଙ୍କୁ ନେବାପାଇଁ ବାଦଶାହା ସଜବାଜ ହୋଇ ବାହାରିବା ସମ୍ବାଦ ମଧ୍ୟ କ’ଣ ସତ୍ୟ ?

 

‘ବାଦଶାହା ସ୍ୱୟଂ ବରବେଶରେ କନ୍ୟାକୁ ବିବାହ କରିବାକୁ ଆସୁଛନ୍ତି ଏପରି ସମ୍ମାନ ଆଉ କେଉଁ ରାଜାର ଅଛି ?’

 

‘ତୁମେ ମୋ ବିନାନୁମତିରେ ଏପରି କଲ କାହିଁକି ?’

 

‘ମୁଁ ରାଜା । ରାଜକାର୍ଯ୍ୟ ସମ୍ପର୍କରେ କେଉଁ କେଉଁ ବିଷୟରେ ଆପଣଙ୍କ ଅନୁମତି ନିଆଯିବ ?’

 

‘କନ୍ୟା ବିବାହ କ’ଣ ରାଜକାର୍ଯ୍ୟ ?’

 

‘ବାଦଶାହାଙ୍କ ସହ ସମ୍ପର୍କ ରଖୁଥିବା ସମସ୍ତ କାର୍ଯ୍ୟ ରାଜକାର୍ଯ୍ୟ ଅଟେ ।’

 

‘ସ୍ୱର୍ଗୀୟ ମହାରାଜାଙ୍କର ଇଚ୍ଛା ତୁମେ ଜାଣିଛ !’

 

‘ତାଙ୍କରି ଅଭିଳାଷ ତାଙ୍କ ସଙ୍ଗେ ସଙ୍ଗେ ବିଦାୟ ନେଇ ସାରିଛି ।’

 

‘ତାଙ୍କର ଇଚ୍ଛା ବିନା ଅନ୍ୟ କିଛି ହୋଇ ପାରିବନି ।’

 

ମୁଁ ରାଜା, ତେଣୁ ବର୍ତ୍ତମାନ ସବୁକିଛି ମୋହରି ଆଜ୍ଞାରେ ହେବ ।’

 

‘ଏହା ହୋଇ ପାରେନା ।’

 

‘ଏହାହିଁ ହେବ ।’

 

‘ମୁଁ ଆଦେଶ ଦେଉଛି ।’

 

ସେ କାମ ମୋର, ଆପଣଙ୍କର ନୁହେଁ । ଆପଣ ବସି ପୂଜାପାଠ, ଦାନଧର୍ମ କରନ୍ତୁ ।’

 

ତାହାହେଲେ ରାଜକୁମାରୀଙ୍କୁ ଅର୍ପଣ କରିବା ତୁମର ଶେଷ ନିଷ୍ପତ୍ତି ?’

 

‘ନିଶ୍ଚୟ । ଏଇତ ଅତି ମାମୁଲି କଥା ।’

ମାମୁଲି କାହିଁକି......ଟିକେ ଶୁଣେ ଭଲା ।’

 

‘ସବୁ ରାଜା ନିଜର କନ୍ୟାମାନଙ୍କୁ ବାଦଶାହାଙ୍କ ରଙ୍ଗମହଲକୁ ଅର୍ପଣ କରିଛନ୍ତି । ରାଣୀମା’, ଆମର ଭଉଣୀ ବେଗମ୍‌ ହେବ, ଏହା ଜାଣି ତୁମେ ଖୁସି ହେବା ଉଚିତ ।’

 

‘ଖୁସି ହେବି......କାହିଁକି ?’

 

‘ଏଇଥିପାଇଁ ଯେ ବାଦଶାହାଙ୍କ ବନ୍ଧୁବାନ୍ଧବ ହେବାଦ୍ୱାରା ଆମର ରାଜ୍ୟ, ପଦ, ମର୍ଯ୍ୟାଦା ସବୁ କିଛି ବୃଦ୍ଧି ପାଇବ । ଦିଲ୍ଲୀ ଦରବାରରେ ଆମର ପ୍ରଶଂସା ଗାନ ହେବ, ସବୁ ମୁଲକ ବାଦଶାହା ଆମକୁ ଦେଇ ସାରିଛନ୍ତି । ରାଣା ଆମଠାରୁ ଛଡ଼ାଇ ନେଇଥିବା ରାଜ୍ୟଗୁଡ଼ିକ ବାଦଶାହା ସୈନ୍ୟ ଦଖଲ କରି ଆମ ହାତରେ ଦେବେ ।’

 

‘ତୁମକୁ ଶତଧିକ୍‌, ତୁମେ ଏହା କହିପାରିବନି ରାମସିଂହ !’

 

‘ରୂପନଗର ରାଜାଙ୍କୁ କୌଣସି ଶକ୍ତି ବାଧା ଦେଇପାରିବନି ।’

 

‘ତାହାହେଲେ ଏ କୁକର୍ମ ତୁମେ ବଳପୂର୍ବକ କରିବ ?’

 

‘ରାଜ କର୍ତ୍ତବ୍ୟ ଅଧିକାରରେ ମୁଁ ମୋର କର୍ତ୍ତବ୍ୟ ହାସଲ କରିବି ।’

 

‘କ’ଣ କୁମାରୀର ଇଚ୍ଛା ବିରୁଦ୍ଧରେ ?’

 

‘ନିର୍ବୋଧ ବାଳିକା, ନିଜର ଭଲମନ୍ଦ ସମ୍ପର୍କରେ ସେ କ’ଣ ଜାଣେ ?’

 

‘ମୋରି ଇଚ୍ଛା ବିରୁଦ୍ଧରେ ?’

 

‘ମୋରି ଉପଦେଶରେ ଆପଣ ଏଇ ସମସ୍ୟାରେ ନ ପଡ଼ି ଦାନଧର୍ମ... ।’

 

‘ଆଉ ସ୍ୱର୍ଗୀୟ ମହାରାଜଙ୍କର ଇଚ୍ଛା ?’

 

‘ସେ ମଧ୍ୟ ସ୍ୱର୍ଗବାସୀ ।’

 

‘ଏସବୁ ଯୁକ୍ତିତର୍କ ଚାଲିଥିଲାବେଳେ ସ୍ୱୟଂ ଚାରୁମତୀ ସେଠାରେ ପହଞ୍ଚି କହିଲେ–‘ତୁମେ ଏହା କରିପାରିବନି ଭାଈ ।’

‘ନିର୍ବୋଧ ବାଳିକା ! ବାଦଶାହାଙ୍କ ବେଗମ୍‌ ହେବାପରେ.... ।

 

‘ମୁଁ ଜୀବନ ସହ ଖେଳିପାରେ କିନ୍ତୁ ଦେଶ ଓ ଧର୍ମର ଶତ୍ରୁ ନିକଟରେ ଆତ୍ମସମର୍ପଣ କରିପାରେନା ।’

 

‘ଦିଲ୍ଲୀ ରଙ୍ଗମହଲର ବିଭବ ଦେଖି ସବୁ ଭୁଲିଯିବୁ ଭଉଣୀ, କିନ୍ତୁ ମନେରଖିବୁ ଯେଉଁ ଭାଈପାଇଁ ଏ ସୌଭାଗ୍ୟ ପାଇବୁ ତାକୁ ଯେମିତି ଭୁଲିନଯାଉ ।’

 

‘ମୁଁ କ୍ଷତ୍ରିୟ ବାଳା ।’

 

‘ଆଉ ମୁଁ ମଧ୍ୟ କ୍ଷତ୍ରିୟ ରଜା ।’

 

‘ତୁମେ କ୍ଷତ୍ରିୟାଧର୍ମ ଅଟ ।’ କହି ସଜୋରେ ଚାଲିଯାଇ ନିଜ କୋଠରୀରେ କାନ୍ଦିବାକୁ ଲାଗିଲା ଓ ସଖୀ ନିର୍ମଳା ତାଙ୍କୁ ସାନ୍ତ୍ୱନା ଦେବାରେ ଲାଗିଲା । କ୍ରନ୍ଦନ ପ୍ରଶମିତ ହେଲାପରେ ନିର୍ମଳା କହିଲା–‘ମୁଁ ମଧ୍ୟ ଦିଲ୍ଲୀ ଯିବି ।’

 

‘କାହିଁକି ?’

 

‘ଦେଖିବି । ରାଜପୁତ କନ୍ୟା କିପରି ବାଦଶାହା ବେଗମ୍ ହୋଇ କୁର୍ଣ୍ଣିସ ଜଣାଇବ ।’

 

‘ସେ ଦିନ ସେ ଛବିକୁ ପଦାଘାତ କରିଥିଲି ନା !’

 

‘ହଁ ଗୋଇଠା ମାରିଥିଲ’

 

‘ସେ ଗୋଇଠାରେ ତାହାର ନାକ ଫାଠି ଯାଇଥିଲା ।’

 

‘ମୁଁ ମୋର ଗୋଇଠାରେ ଆଲମଗୀର ଗର୍ବ ଚୂର୍ଣ୍ଣ କରିବି ।’

 

‘ପାରିବୁ ସତରେ ?’

 

‘ଇଏ ରାଜପୁତ କନ୍ୟାର ଗୋଇଠାମାଡ଼ ।’

 

‘ହଁ, କିନ୍ତୁ ଗୋଇଠା ମାଡ଼ରେ ଗର୍ବ ଭାଙ୍ଗିବାକୁ ହେଲେ ଗୋଟାଏ ଉପାୟ ଚିନ୍ତା କରିବାକୁ ପଡ଼ିବ ।’

 

‘କି ଉପାୟ ?’

 

‘ମୋ ମୁଣ୍ତ ।’

 

‘ତୋର ମୁଣ୍ତ ? କ’ଣ ସେଇଟାକୁ ମଧ୍ୟ ଭାଙ୍ଗିବାକୁ ପଡ଼ିବ ?’

 

‘ବର୍ତ୍ତମାନ ନୁହ, ବର୍ତ୍ତମାନ କାର୍ଯ୍ୟ ହାସଲ କରିବାକୁ ପଡ଼ିବ, ପରେ ଯଦି ଆବଶ୍ୟକ ହୁଏ ତେବେ ରାଜପୁତ କନ୍ୟାର ଗୋଇଠା କୁଆଡ଼େ ଯାଇନି ?’

 

‘ତୁ ବାଜେ କଥା ନକହି ଭଲ କଥା କୁହ ।’

 

‘ରାଜକୁମାରୀ ! ଜିଇଁ ଥାଉଁଥାଉଁ ତୁମେ କ’ଣ ପ୍ରକୃତରେ ଦିଲ୍ଲୀର ଉକ୍ତ ପାପସ୍ଥଳୀ ରଙ୍ଗମହଲକୁ ପ୍ରବେଶ କରିବାକୁ ଚାହଁ ?’

 

‘ରାଜକୁମାରୀ ଅସହାୟ ଦୃଷ୍ଟିରେ କହିଲେ–‘ଥରେ ଭାରତେଶ୍ୱରୀ ହୋଇ ଦେଖେ ?’

 

‘ଥଟ୍ଟାର ସମୟ ଏ ନୁହେଁ, ଆଜିଠାରୁ ନବମ ଦିନ ବାଦଶାହା ଆସି ପହଞ୍ଚି ଯିବେ ।’

 

‘ମୋତେ ଦିଲ୍ଲୀ ଯିବାକୁହିଁ ପଡ଼ିବ, ନଚେତ୍ ରୂପନଗର ଧ୍ୱଂସ ପାଇଯିବ ।’

 

‘କ’ଣ ରାଜହଂସୀ ବଗର ସେବା କରିବ, ସିଂହୀ ଗଧ ବେକରେ ବରଣମାଳା ଦେବ ?’

 

‘ସେମିତି କୁହନି ସଖୀ ! ସେଠାରେ ପହଞ୍ଚି ବିଦ୍ରୋହ କରିବି ନଚେତ୍ ମୁଦିକା ଅଛି ।’

 

‘କ’ଣ ବିଷ ଖାଇ ଆତ୍ମହତ୍ୟା କରିବ ?’

 

‘ରାଜପୁତ କନ୍ୟା ଆଉ ଜନ୍ମ ନେଇଛି କାହିଁକି ?’

 

‘କୁକୁର ପରି ଜୀବନ ଦେବାପାଇଁ ! କିନ୍ତୁ ଯଦି ମୋ କଥା ମାନେ ତେବେ ବିପଦ ଏଡ଼ାଇ ହେବ ।’

 

‘କି କଥା କୁହ ? ଏମିତି କ’ଣ କେହି ବୀର ଅଛି ଯେ ନିଜର ଜୀବନକୁ ଜଳାଞ୍ଜଳି ଦେଇ ଏ ଅସହାୟା ରମଣୀର ମାନ ସମ୍ମାନ ରକ୍ଷା କରିପାରିବ ? ସବୁ ରାଜପୁତ ରାଜାମାନେ ତ ମୋଗଲ ବାଦଶାହାଙ୍କ ଚାକର ହୋଇ କୁଳରେ କଳଙ୍କ ଲଗାଇ ସାରିଲେଣି ।’

 

‘ବର୍ତ୍ତମାନ ମଧ୍ୟ ଧରିତ୍ରୀ ବୀର ଶୂନ୍ୟ ନୁହେଁ ସଖୀ । ଭଗବତୀ ବସୁଧା ଯେତେବେଳେ ବୀର ପ୍ରସବ ବନ୍ଦ କରିଦେବ ସେତେବେଳେ ସୃଷ୍ଟି ପ୍ରଳୟ ହୋଇଯିବ ।’

 

‘ହାୟ ! ମୋଗଲରୂପୀ ରାହୁ ସମଗ୍ର ରାଜପୁତ ବଂଶକୁ ଗୋଟିଏ ପରେ ଗୋଟିଏ ଗ୍ରାସ କରି ସାରିଲେଣି, ଏବେ ଏ ରମଣୀ କାହାଠାରେ ଶରଣ ପଶିବ ?’

 

ମେବାରର ରାଣା ରାଜସିଂହଙ୍କ ନିକଟରେ, ଯାହାର ବୀର ମୂର୍ତ୍ତି ମୋ ମନରେ ବସା ବାନ୍ଧିଛି, ଯାହାର ଅସ୍ତ୍ର ଅଜେୟ ଯାହାଙ୍କ ସ୍ନାୟୁରେ ବୀର ପ୍ରତାପୀ ସାଙ୍ଗାଙ୍କ ରକ୍ତ ପ୍ରବାହିତ ସେଇ ନିର୍ଭୀକ ସିଂହ ମୋଗଲ ଶକ୍ତିକୁ ଖାତିର କରେ ନାହିଁ । ବର୍ତ୍ତମାନ ତୁମେ ଲଜ୍ଜା ସଙ୍କୋଚ ତ୍ୟାଗ କରି ରୁକ୍ମିଣୀ ସାଜ ରାଜସିଂହଙ୍କ ନିକଟକୁ ପତ୍ରଲେଖ ।’

 

‘ମୁଁ ତାଙ୍କର ପୂଜା କରେ ସତ ! ମାତ୍ର ଏପରି କି ତପସ୍ୟା କରିଛି ଯେ ମୁଁ ତାଙ୍କର ଚରଣ ଦାସୀ ହୋଇପାରିବି ?’

 

ଚରଣଦାସୀ ହେବା କଥା ପରେ ଚିନ୍ତା କରାଯିବ । ଜଣେ ରାଜପୁତ ରମଣୀ ଆପଣଙ୍କର ଶରଣାର୍ଥୀ ବୋଲି ବର୍ତ୍ତମାନ ପତ୍ରଲେଖ ଏବଂ ଲେଖ ଯଦି ପାରନ୍ତି ତା’ର ଧର୍ମ ଓ ମାନସମ୍ମାନ ରକ୍ଷା କରନ୍ତୁ ।’

 

‘ଏପରି ନିର୍ଲଜ୍ଜ କାର୍ଯ୍ୟ କରିବି କେମିତି, ମୁଁ ତାଙ୍କୁ କେମିତି ପତ୍ର ଲେଖିବି ?’

 

ବିପଦ ସମୟରେ ମାନମର୍ଯ୍ୟାଦା ଦେଖାଯାଏନି ସଖୀ, ମୁଁ ଯାହା କହୁଛି ସେୟା କର, ରାଜାଙ୍କୁ ପତ୍ରଲେଖ । ଆଜି ଏକାଦଶୀ ପଞ୍ଚମୀ ଦିନ ବିବାହ ସମ୍ଭବ, ତେଣୁ ନଅ ଦିନର ଅବସର ମିଳିଛି ଚେଷ୍ଟାକଲେ ସନ୍ଦେଶ ପହଞ୍ଚି ଯାଇପାରେ ।’

 

‘ମାତ୍ର ଏ ସନ୍ଦେଶ ବହନ କରି ଯିବ କିଏ ?’

 

‘ରାଜ ପୁରୋହିତ ଅନନ୍ତ ମିଶ୍ରଙ୍କୁ ଠିକ୍‌ କରୁଛି, ସେ ଜଣେ ଧର୍ମାତ୍ମା ଓ ରାଜ ପରିବାରର ଶୁଭଚିନ୍ତକ ଅଟନ୍ତି ।’

 

‘ସେ କ’ଣ ଏଭଳି କଠିନ କାର୍ଯ୍ୟ କରିପାରିବେ ?’

 

ଅବଶ୍ୟ କରିବେ ।’

 

‘ଆଚ୍ଛା ! ମୋର ପ୍ରାଣ ରକ୍ଷାପାଇଁ ରାଣା ଯଦି କିଛି ବ୍ୟବସ୍ଥା ନକରନ୍ତି ? ମୋର ରକ୍ଷା ଅର୍ଥ ସର୍ବନାଶକୁ ବରଣ, ଜଣେ ବାଳିକା ପାଇ ନିଜ ରାଜ୍ୟ ପ୍ରତି ବିପଦ ବରଣ କରିବ କିଏ ?’

 

‘ସଖୀ, ତୁମେ ଯେଉଁ ବୀରର ପୂଜା କରୁଛ ସେ କ’ଣ ଏତେ ଭୀରୁ ଯେ ମନେମନେ ତାଙ୍କୁ ବରଣ କରିଥିବା ଜଣେ ସରଳ ନିରୀହା ରାଜପୁତ ରମଣୀ ଶରଣାର୍ଥୀକୁ ଅଭୟ ଦେବାରେ ପଛଘୁଞ୍ଚା ଦେବେ ?’

 

ଦୁଷ୍ଟାମି କର ନାହିଁ, କେମିତି ପତ୍ର ଲେଖିବି କୁହ ?

 

‘ରହ ! ମୁଁ ଅନନ୍ତ ମିଶ୍ରଙ୍କୁ ଡକାଇଛି ଓ ପତ୍ର ଲେଖିବା ଉପକରଣ ନେଇ ଆସୁଛି ।’

 

ନିର୍ମଳା ଉଠିଯାଇ ଅନନ୍ତ ମିଶ୍ର ଡକାଇ ଲେଖନୀ ସାମଗ୍ରୀ ନେଇ ଫେରି ଆସିଲା ।’

 

ରାଜକୁମାରୀ କହିଲେ–ନିର୍ମଳ–ମଣିଷର ଆଘ୍ରାଣ କଲେ ମୃତ୍ୟୁଲାଭ କରୁଥିବା ବିଷପୁଷ୍ପ ଭଳି ମୁଁ ଏକ ବିଷପୁଷ୍ପ । ଜାଣେନା ଏ ଅଭାଗୀନି କେତେ ବୀରଙ୍କର କାଳ ହୋଇ ଜନ୍ମ ନେଇଛି, ବୀରବରଙ୍କୁ ମୁଁ କାହିଁକି ଅସୁବିଧାରେ ପକାଇବି । କାହିଁକି ଆତ୍ମହତ୍ୟା କରି ପ୍ରଣିପାତ ନ କରିବି ?’

 

ଆବଶ୍ୟକ ହେଲେ ସେୟା ହେବ ସଖୀ, ସେତ ହାତର କଥା । କିନ୍ତୁ ତୁମକୁ ଆଲମଗୀରର ଦର୍ପ ଚୂର୍ଣ୍ଣ କରିବାକୁ ହେବ । ଏଇଲେ ତାହାର ଉପାୟ ଅଛି ମୁଁ ମଧ୍ୟ ଟିକିଏ ମଜା ଦେଖିବି । ନିଅ ପତ୍ର ଲେଖ ।’

 

‘କ’ଣ ଲେଖିବି ?’

 

‘ମୁଁ ଯାହା କହୁଛି ଲେଖ ।’

 

‘ନାଇଁ ତୁ ଲେଖ ।’

 

‘ଆରେ ଆଜି ତୁମେ ଲେଖ, ପରେ ଦରକାର ହେଲେ ମୁଁ ଲେଖିବି ।’

 

‘ଆଚ୍ଛା କୁହ ।’

 

‘ଲେଖ, ପ୍ରିୟତମ ପ୍ରା......

 

‘ମାଡ଼ ଖାଇବୁ ! ଯାଃ ମୁଁ ଲେଖିବିନି ।’

 

‘ତାହାହେଲେ ନିଜ ମନକୁ ଲେଖ ।’

 

‘ଲେଖିବାର ଦରକାର ନାହିଁ, ଭାଗ୍ୟରେ ଯାହାଥିବ ହେବ ।’

 

‘ଆଚ୍ଛା ଲେଖ ମହାରାଜାଧିରାଜ ।’

 

‘ଆଗକୁ କହ’

 

‘ଆପଣ ରାଜପୁତ କୁଳ ଶିରୋମଣି ଏବଂ ମୁଁ ଜଣେ ବିପଦଗ୍ରସ୍ତା ରାଜପୁତ ରମଣୀ, ପତ୍ରବାହକ ମୋର ଗୁରୁ ଅଟନ୍ତି । ନିଜ ଦୁର୍ଭାଗ୍ୟରୁ ଏ ଅଭାଗୀନିକୁ ଦିଲ୍ଲୀ ପତିଙ୍କ ବେଗମ୍ ହେବାକୁ ପଡ଼ୁଛି ଏବଂ ସେମାନେ ଯଥାଶୀଘ୍ର ଆସିଯିବେ । ଯଦ୍ୟପି ଅନେକ ରାଜପୁତ କନ୍ୟା ମୋଗଲ ବାଦଶାହାଙ୍କ ଶୟନକକ୍ଷର ଶୋଭାବର୍ଦ୍ଧନ କରିଛନ୍ତି....’

 

‘ନାଇଁ ସେ ଠିକ୍‌ ହେଲାନି ।’

 

‘ତାହାହେଲେ ଲେଖ–ମୁଁ ପ୍ରାଣ ଦେବି କିନ୍ତୁ ମୋଗଲ ଦାସୀ ହୋଇ ପାରିବିନି ଏହାର କାରଣ ଅଭିମାନ ନୁହେଁ–ମୋର ଧର୍ମ ଅଟେ । ଆପଣଙ୍କ ଭଳି ରାଜଧିରାଜ ଏବଂ ରାଜପୁତ ଅଧିପତିଙ୍କର ମୁଁ ଶରଣାଗତ ପ୍ରାର୍ଥୀ ।

 

‘ବାସ୍ ! ଏତିକି ଯଥେଷ୍ଟ ।’

 

‘ଆଉ ଗୋଟିଏ କଥା–ଆପଣ ନିଜର ଧର୍ମ ପାଳନ କରନ୍ତୁ । ବାସ୍‌ ।’

 

‘ବାସ୍‌ ଏଇଠି ଦସ୍ତଖସ୍ତ କରିଦିଅ ।’

 

‘ଦେଖିଲୁ ଗୁରୁଜୀ ଆସିଲେ ନା ନାହିଁ ।’ କିନ୍ତୁ ନିର୍ମଳକୁ ଯିବାପାଇଁ ପଡ଼ିଲା ନାହିଁ, ଜଣେ ଦାସୀ ସହ ଗୁରୁଜୀ ଆସି ପହଞ୍ଚିଗଲେ । ରାଜକୁମାରୀକୁ ଆଶୀର୍ବାଦ କରି ପଚାରିଲେ–‘କାହିଁକି ଡକାଇଲୁ ମା’ ?’

 

‘ନିର୍ମଳ କହିଲା–‘ତୁମକୁ ନିମନ୍ତ୍ରଣ କରାଯାଇଛି ମହାରାଜ, ବଢ଼ିଆ ବଢ଼ିଆ ଖାଦ୍ୟ ଦିଆଯିବ ପୁଣି ସ୍ୱର୍ଣ୍ଣ ଦକ୍ଷିଣା ।’

 

‘ଆରେ ଲକ୍ଷ୍ମୀ ବେଟୀ ! ଏଠିକା ଅନ୍ନ ଖାଇ ଖାଇ ଆସି ବୁଢ଼ା ହେଲି, ଆଉ ଏ ବ୍ରାହ୍ମଣକୁ ଲୋଭ ଦେଖାନି, କହ କି କାମ ଅଛି ?

 

‘ଗୁରୁଜୀ ଆପଣ ଶୁଣିଛନ୍ତି, ଦିଲ୍ଲୀରୁ ବର ଆସୁଛି ।’

 

‘ଶୁଣିଛି ବେଟୀ କିନ୍ତୁ କ’ଣ କରାଯିବ, ଭାରତାକାଶରୁ ହିନ୍ଦୁତ୍ୱ ନକ୍ଷତ୍ର ଅସ୍ତ ପ୍ରାୟ ।’

 

‘ଗୁରୁଜୀ ! ଜେମାଙ୍କୁ ଆପଣ ରକ୍ଷା କରିବେ ।’

 

‘ଏ ବ୍ରାହ୍ମଣର ପ୍ରାଣ ବଦଳରେ ଯଦି କୁମାରୀ ଜୀବନ ରକ୍ଷା ହୋଇପାରେ ତେବେ ହେବ-। କ’ଣ କରିବାକୁ ହେବ ବେଟୀ ।’

 

‘ଆପଣଙ୍କୁ ଉଦୟପୁର ଯିବାକୁ ହେବ ।’

 

‘ଓହୋ ବୁଝିଲି । ଶିଶୁପାଳ ହସ୍ତରୁ ରକ୍ଷା ପାଇବାପାଇଁ ରୁକ୍ମିଣୀଙ୍କର ସନ୍ଦେଶ ଶ୍ରୀକୃଷ୍ଣଙ୍କୁ ପହଞ୍ଚାଇବାର ଅଛି । ଆଚ୍ଛା ଯିବି, କିନ୍ତୁ କିଛି ଖର୍ଚ୍ଚ ଫର୍ଚ୍ଚ.... ।’

 

ନିର୍ମଳ ସୁନା ମୋହର ଥଳିଟିଏ ଦେଇ କହିଲେ–ଏ ନିଅନ୍ତୁ ଖର୍ଚ୍ଚପାଇଁ, ଦକ୍ଷିଣା ପରେ ଦିଆଯିବ ।’

 

ଗୁରୁଜୀ ମାତ୍ର ଚାରୋଟି ଅସର୍ପି ନେଇ ଅବଶିଷ୍ଟ ଫେରାଇ ଦେଉଦେଉ କହିଲେ–‘ଏତିକି ଯଥେଷ୍ଟ ବେଟୀ, ଯୁବରାଣୀଙ୍କ ସନ୍ଦେଶ ଦେବାକୁ ହେବ ଅଥବା କିଛି ପତ୍ର ଅଛି-?’

 

‘ପତ୍ର ଅଛି ନିଅନ୍ତୁ ଆଉ ମଧ୍ୟ ଏ ମୋତି ମାଳାଟି ନିଅନ୍ତୁ, ରାଣା ପତ୍ର ପଢ଼ିବାରେ ବ୍ୟସ୍ତ ଥିଲାବେଳେ ତାଙ୍କ ଗଳାରେ ଏଇଟା ପିନ୍ଧାଇ ଦେବେ, ଆପଣ ତ ସବୁ ଜାଣନ୍ତି, ଯେମିତି ହେଲେ ତାଙ୍କୁ ରାଜି କରାଇବେ ।’

 

‘ଆଚ୍ଛା ବେଟୀ, ମୁଁ ଯାଏଁ ବଡ଼ ଦୂର ରାସ୍ତା ।’

 

‘ସମୟ ମଧ୍ୟ କମ୍‌ ଗୁରୁଜୀ, ଆଜି ଏକାଦଶୀ ଓ ପଞ୍ଚମୀ ଦିନ ବିବାହ ତିଥି, ଏହାପୂର୍ବରୁ ଆପଣଙ୍କୁ ଏଠାକୁ ଫେରି ଆସିବାକୁ ପଡ଼ିବ ।’

 

‘ଈଶ୍ୱରଙ୍କ କୃପାରୁ ସେଇଆହିଁ ହେବ । ଯାଉଛି ବେଟୀ ।’

 

ଏଗାର

 

ବୃଦ୍ଧ ବ୍ରାହ୍ମଣ ଅନନ୍ତ ମିଶ୍ର ନିଜ ସାମର୍ଥ୍ୟ ଅନୁସାରେ ରାସ୍ତାରେ ବିଶ୍ରାମ ନ କରି ଉଦୟପୁରରେ ପହଞ୍ଚିଲେ । ସେ ରାଣାଙ୍କୁ ସାକ୍ଷାତ କରି ପତ୍ରଟି ଦେଇ ସମସ୍ତ ବିଷୟ ବର୍ଣ୍ଣନା କଲେ-। ଆହୁରି ମଧ୍ୟ ଏଇଆ କହିଲେ ଯେ ଶ୍ରୀମାନ ରାଜକୁମାରୀଙ୍କୁ ସାହାଯ୍ୟ ନକଲେ ସେ ବିଷ ଖାଇ ଆତ୍ମହତ୍ୟା କରିବେ ।’

 

ପତ୍ର ପାଠ କରି ରାଣା ଚିନ୍ତାରେ ପଡ଼ିଗଲେ ଓ ତାଙ୍କର ସମସ୍ତ ସାମନ୍ତଙ୍କୁ ଡକାଇ ଉକ୍ତ ପତ୍ର ପଢ଼ାଇ ପଚାରିଲେ–‘ତାହାହେଲେ ଆପଣ ସମସ୍ତଙ୍କର ମତ କ’ଣ ?’

 

ଜଣେ ସର୍ଦାର କହିଲେ–‘ଅନ୍ନଦାତା ! ଏଥିରେ ବିଚାର କରିବାର କ’ଣ ଅଛି, ଶରଣାର୍ଥୀ ରାଜପୁତବାଳାକୁ ବିମୁଖ କରାଯାଇପାରିବ ନାହିଁ । ରାଜପୁତ କନ୍ୟା ହିନ୍ଦୁପତି ରାଣାଙ୍କ ଶରଣ ବ୍ୟତୀତ କୁଆଡ଼େ ଯିବ ମହାରାଜ ? ଆମମାନଙ୍କ ଅସ୍ତ୍ରରେ ଅଦ୍ୟାବଧି ଯଥେଷ୍ଟ ପାଣି ଅଛି, ଅନ୍ତତଃ ମୋଗଲମାନେ ଏଇଥର ଚାଖନ୍ତୁ ।’

 

ଦ୍ୱିତୀୟ ସର୍ଦାର କହିଲେ–ସିଂହୀ ସିଂହର ଆଶ୍ରୟ ନେଇ ସାରିଲେ ଗଧକୁ ଡରିବ କାହିଁକି ମହାରାଜ ?’

 

‘ତୃତୀୟ ସର୍ଦାର–‘ଏ ବିଷୟରେ ବିଚାର କରି କିଛି କରିବା ଆମପକ୍ଷେ ଅପମାନଜନକ ଅଟେ ।’

 

ଅନ୍ୟ ସର୍ଦାରମାନେ ଏହି ପ୍ରକାର ମତ ଦେଲେ । ସମସ୍ତଙ୍କ ରାୟ ଜାଣି ରାଣା କହିଲେ–ବୀରଗଣ ! ଆପଣମାନେ ଆପଣଙ୍କ ଯୋଗ୍ୟ କଥା କହିଲେ । ଆପଣମାନେ କ୍ଷତ୍ରିୟ ଯୋଦ୍ଧା ଅଟନ୍ତି । ମାରିବା ଓ ମରିବା ସାହାସୀଙ୍କ ଭୂଷଣ ଅଟେ ଏବଂ ଶରଣାଗତକୁ ରକ୍ଷା କରିବା କ୍ଷତ୍ରିୟର ଧର୍ମ ଅଟେ ।

 

ସମସ୍ତେ ଏକସ୍ୱରରେ କହି ଉଠିଲେ–ଶରଣାଗତକୁ ଅଭୟ ଦିଆଯାଉ ।’

 

‘ମେବାରର ଶରଣାଗତକୁ ନିର୍ଭୟ ଓ ନିଃସନ୍ଦେହରେ ଆଶ୍ରୟ ମିଳିଥାଏ । କିନ୍ତୁ ଭାଈମାନେ ! ରାଜକାର୍ଯ୍ୟ କେବଳ ବୀରତ୍ୱରେ ସମ୍ପୂର୍ଣ୍ଣ ହୁଏ ନାହିଁ, ଏଥିପାଇଁ ରାଜନୀତି ଓ ଅତୀତ ଭବିଷ୍ୟତ ବିଚାର କରିବାକୁ ପଡ଼ିଥାଏ । ରାଜପୁତ ରମଣୀର ରକ୍ଷା କରାଯିବା ନିଷ୍ପତ୍ତି ତ ଠିକ୍‌ କିନ୍ତୁ କିପରି ? ଏହାଦ୍ୱାରା ଦିଲ୍ଲୀ ପତିର କ୍ରୋଧ ଆହୁରି ବୃଦ୍ଧି ପାଇବ । ଆଦେଶ ପରେ ଆବେଗ ଆସୁଛି ଆମେ କିନ୍ତୁ ଏଡ଼ାଇ ଚାଲିଛୁ । ଜିଜିଆ କର ବିରୁଦ୍ଧରେ ଚିଠି ଲେଖି ଆମେ ବାଦଶାହାଙ୍କୁ ଅରାଜି କରି ଦେଇଛୁ, ପୁଣି ଚିତୋର ଦୁର୍ଗ ମରାମତି କରିଛୁ, ଆମର ଲୁପ୍ତ ଅଧିକାରଗୁଡ଼ିକ ଅଧିକାର କରି ନେଇଛୁ । ଆହୁରି ଆମେ ମଥୁରା ଗୋସାଇଁଙ୍କୁ ଶରଣ ଦେଇଛୁ । ଆଉ ବର୍ତ୍ତମାନ ବାଦଶାହାଙ୍କ ଭାବି ବେଗମ୍‌କୁ ହରଣ କରି ନେଲେ ତାଙ୍କ ରାଗ ଆହୁରି ବଢ଼ିଯିବ ଓ ସେ ଆମ ଉପରେ ସଦଳବଳେ ଝାମ୍ପି ପଡ଼ିବେ, ସେତେବେଳେ ଆମେ ତାଙ୍କ ସହ ମୁକାବିଲା କରିପାରିବା ତ ? ମୋତେ ଜଣାଯାଉଛି ଯେମିତି ବାଦଶାହା ମୁହୂର୍ତ୍ତ ମଧ୍ୟରେ ମେବାରକୁ ଛିନ୍‌ଛତର କରି ପକାଇବେ ଆମର ଗାଁ ଲୁଟ ହୋଇଯିବ, ସ୍ତ୍ରୀମାନଙ୍କୁ ବେଇଜ୍ଜତ କରାଯିବ । ଲହଲହକା ଫସଲଗୁଡ଼ିକ ନଷ୍ଟ କରି ଦିଆଯିବ ଓ ମେବାର ଭୂମି ବୀରମାନଙ୍କ ରକ୍ତରେ ଲାଲ ହୋଇ ପଡ଼ିବ । ଗୋଟିଏ ବାଳିକାପାଇଁ ଏଭଳି ଭାବରେ ମେବାର ପ୍ରତି ବିପଦ ନିମନ୍ତ୍ରଣ କରିବା କ’ଣ ବୁଦ୍ଧିମାନର କାର୍ଯ୍ୟ ହେବ ?’

 

ରାଣାଙ୍କର ଏତାଦୃଶ କଥାଶୁଣି ରାଉତ କେଶରୀ ସିଂହ ସର୍ଦାର କହିଲେ–‘ଆଦେଶ ପାଇଲେ ଆପତ୍ତି କରନ୍ତି ହଜୁର । ଏଇ ସେବକ ବିଚାରରେ କର୍ତ୍ତବ୍ୟପାଳନ ପାଇଁ ହାନିଲାଭ ଦେଖାଯିବା ଉଚିତ ନୁହେଁ । ନିଷ୍ପତ୍ତିପାଇଁ ମରି ମାଟିରେ ମିଶିଯିବା କ୍ଷତ୍ରିୟର ପରିପାଟୀ ଅଟେ । ରକ୍ତପାତ ତ ତାଙ୍କର ବେଉସା ମହାରାଜ । ରାଜନୀତି ତାଙ୍କୁ ଏଥିରୁ ପ୍ରବର୍ତ୍ତାଇ ପାରିବନି । ବାକି ରହିଲା ଆଲମଗୀରର ଆକ୍ରମଣ, ସେ ଆଜି ନହେଲେ କାଲି ତ ନିଶ୍ଚୟ ହେବ । ମେବାର ତାଙ୍କ ଆଖିରେ ଚକ୍ଷୁଃଶୂଳ ଏବଂ ସେ ଯୁଦ୍ଧପାଇଁ ଆଳ ଖୋଜୁଛନ୍ତି । ସେ ନିଶ୍ଚୟ ମେବାର ଧ୍ୱଂସପାଇଁ ଆଗେଇ ଆସିବେ । ତେଣୁ ଆଜି ନୋହିଲେ କାଲିହିଁ ଆମକୁ ନିଃସ୍ୱ ହେବାକୁ ପଡ଼ିବ ।’

 

‘ଏହା ବାସ୍ତବିକ ସତ୍ୟ । କିନ୍ତୁ ବର୍ତ୍ତମାନ ଆମର ପ୍ରସ୍ତୁତି ସ୍ୱଳ୍ପ ଏବଂ ଦୃଢ଼ ପ୍ରସ୍ତୁତି ପର୍ଯ୍ୟନ୍ତ ଯଥାସମ୍ଭବ ଏଡ଼ାଇ ଯିବା ଉଚିତ ।’

 

ଭୀମସିଂହ କହିଲେ–‘ଶ୍ରୀମାନଙ୍କ ଅନୁମତି ପାଇଲେ ନିବେଦନ କରନ୍ତି । ଆମେ ଯୁଦ୍ଧକୁ ନିମନ୍ତ୍ରଣ କରୁ ନାହୁଁ କାହାରି ପ୍ରତି ଅନ୍ୟାୟ ଅତ୍ୟାଚାର ମଧ୍ୟ କରୁ ନାହୁଁ, କେବଳ ଏହାର ବିରୋଧ କରୁଛୁ । ଯଦି ଏଇଆ ମଧ୍ୟ ଆମେ ନକରୁ ତେବେ ଆମର ରାଜପୁତ ଜୀବନକୁ ଧିକ୍‌ ।’

 

‘ତାହାହେଲେ ରାଜକୁମାରୀଙ୍କ ପ୍ରାର୍ଥନା ସ୍ୱୀକାର କରିନିଆଯିବ । ଏଇଆ ସମସ୍ତଙ୍କର ମତ ।’

 

‘ଅବଶ୍ୟ ଯେକୌଣସି ପ୍ରକାରେ । ଏଇ ରାଜପୁତମାନଙ୍କ ଅସ୍ତ୍ର ରୂପକ ଧନ ବିନିମୟରେ ।’

 

ରାଣା ନିଜର ତରବାରି କୋଷ ମୁକ୍ତ କରି କହିଲେ–‘ତାହାହେଲେ ଶରଣାଗତକୁ ଅଭୟ-। ହେଲା ବ୍ରାହ୍ମଣ, ରାଜକୁମାରଙ୍କୁ କହିଦିଅ ଆମେ ଆମର ପ୍ରାଣ ବିନିମୟରେ ତାଙ୍କୁ ରକ୍ଷା କରିବୁ-।’

 

ଅନନ୍ତ ମିଶ୍ର ହର୍ଷମୁଖରେ କହିଲେ–‘ଧନ୍ୟ ମହାରାଣା, ଧନ୍ୟ କ୍ଷତ୍ରିୟ ବୀର, ବୀରେନ୍ଦ୍ର ।’

 

ସେ ଆଗେଇ ଆସି ମୋତି ମାଳାଟି ରାଜାଙ୍କୁ ପିନ୍ଧାଇ ଦେବା ସଙ୍ଗେ ସଙ୍ଗେ ଆଶୀର୍ବାଦ ପୂର୍ବକ ପ୍ରଶଂସା କରି କହିଲେ–‘ଆପଣଙ୍କର ଜୟ ହେଉ । ମହାରାଜ ! ରାଜକନ୍ୟା କାୟମନୋବାକ୍ୟରେ ଆପଣଙ୍କୁ ବରଣ କରି ସାରିଛି । ଯଦିଓ ରୂପନଗରର ଗୃହିଣୀ ଆପଣଙ୍କ ସମକ୍ଷରେ ଅତି ସାଧାରଣ, ହେଲେ ମଧ୍ୟ ମହାରାଜ ! ଆମ ଜେମା ଅଧ୍ୟାବଧି ନିଷ୍କଳଙ୍କ ସରଳ ପୁଷ୍ପ । ରାଜକନ୍ୟା ଚାରୁମତୀ ରୂପ, ଗୁଣ ଓ ବ୍ୟବହାର ରାଜକୁମାରୀଙ୍କୁ ବିବାହ କରି ନେଇ ଆସନ୍ତୁ, ଏଥିରେ ଆପଣ ଧର୍ମ ପୂର୍ବକ ତା’ର ରକ୍ଷକ ହେବେ ।’

 

ସମସ୍ତ ସର୍ଦାର ଏକସଙ୍ଗରେ ଅନୁମୋଦନ କରି କହିଉଠିଲେ–‘ସାଧୁ, ସାଧୁ, ଏହା ଅତି ଉତ୍ତମ ପ୍ରସ୍ତାବ ।’

 

ରାଣା ଗମ୍ଭୀର ହୋଇ ଅନନ୍ତ ମିଶ୍ରଙ୍କୁ ପ୍ରଶ୍ନ କଲେ–‘ମାତ୍ର ବ୍ରାହ୍ମଣ ଦେବତା ! ବିପଦରେ ପଡ଼ି କ’ଣ କୁମାର ଏ ପ୍ରସ୍ତାବ ଦେଇଛି ?

 

‘ନାଇଁ ମହାରାଜ ! ଯେଉଁ ବୀରର ଯଶ ଗାଥା ରାଜପୁତନାର ପ୍ରତିଟି ଘରେ ଉଚ୍ଚାରିତ, ଯିଏ ରାଜପୁତ ଜାତିର ରତ୍ନ ମୁକୁଟ ତାଙ୍କୁ ପାଇ କେଉଁ ବାଳା ଧନ୍ୟ ନ ହେବ ମହାରାଜ ? କିନ୍ତୁ କନ୍ୟା କାୟମନୋବାକ୍ୟରେ ଆପଣଙ୍କ ମହିଷୀ ହୋଇ ସାରିଛି, ଏବେ ଆପଣ ଅଗ୍ନି ସାକ୍ଷୀ ରଖି ତାକୁ ଗ୍ରହଣ କରନ୍ତୁ ।’

 

ରାଣା ସମସ୍ତ ସର୍ଦାରଙ୍କୁ ମତପାଇଁ ପ୍ରଶ୍ନ କଲେ–‘ଏ ସମ୍ପର୍କରେ ଆପଣମାନଙ୍କର କ’ଣ ମତ ?’

 

ସର୍ଦାର ପ୍ରମୁଖ ହାତଯୋଡ଼ି କହିଲେ–‘ଅନ୍ନଦାତା ! ରାଜକନ୍ୟା ହରଣ କରି ରାଣୀ କରିବା ରାଜପୁତମାନଙ୍କର ସନାତନ ଧର୍ମ ଅଟେ । ରାଜକନ୍ୟା ଏବେ ହଜୁରଙ୍କୁ ଛାଡ଼ି ଯାଉଛି କୁଆଡ଼େ ?’

 

ଏହାଶୁଣି ରାଣା କିଛିକ୍ଷଣ ମୌନ ରହି କହିଲେ–‘ଆଚ୍ଛା, ଆଉ ଗୋଟିଏ କଥା ବିଚାର କରିବାକୁ ଅଛି ।’

 

‘କ’ଣ ମହାରାଜ ?’

 

‘ବାଦଶାହା ନିଜର ୫୦ ହଜାର ସୈନ୍ୟ ନେଇ ରୂପନଗର ଆସୁଛି । ଯଦି ଆମେ ବର୍ତ୍ତମାନ ରୂପନଗର ଯିବା, ତେବେତ ଆମ ମେବାରକୁ ଅରକ୍ଷିତ କରି ଛାଡ଼ି ଯିବାନି, ଯଦି ସବୁ ସୈନ୍ୟ ନେଇଯିବା ଆଉ ବାଟରେ ମୋଗଲ ସୈନ୍ୟ ସହ ସମ୍ମୁଖୀନ ହେବା ତେବେ ବିଶେଷ ଲାଭ ହେବନି । ଆମେ ବିଜୟ ହାସଲ ନ କଲେ ପୁଣି କୁମାରୀ ପାପୀ ହାତରେ ପଡ଼ିଯିବ । ତେବେ କୁମାରୀ ରକ୍ଷା ପାଇବ କେମିତି ?’

 

‘ବାଦଶାହୀ ସୈନ୍ୟ ପହଞ୍ଚିବା ପୂର୍ବରୁ ଆମେ କନ୍ୟା ଉଦ୍ଧାର କରି ଫେରି ଆସିବାର ବ୍ୟବସ୍ଥା କରିବାକୁ ପଡ଼ିବ ।’

 

‘ମାତ୍ର ଏହାତ ସମ୍ଭବ ନୁହେଁ । ଆଜି ଚତୁର୍ଦ୍ଦଶୀ, ପଞ୍ଚମୀ ଦିନ ବିବାହ ତିଥି । ରାତିଦିନ ଅବିଶ୍ରାମଭାବେ ଯାତ୍ରା କଲେ ମଧ୍ୟ ଆମକୁ ଚାରି ଦିନ ଲାଗିଯିବ, ପୁଣି ରାସ୍ତା ଆବଡ଼ାଖାବଡ଼ା ଦୁରୂହ । ପୁଣି ସବୁ ସୈନ୍ୟ ନେଇ ଚାଲିଯିବା ଓ ଆକ୍ରମଣ କରିବା ସମ୍ଭବ ନୁହେଁ ।’

 

‘ହଜୁର ଗୋଟାଏ ଯୁକ୍ତି ।’

 

‘କ’ଣ ?’

 

ଶ୍ରୀମାନ ଅଳ୍ପ ସୈନ୍ୟ ନେଇ ରୂପନଗର ଯାଇ କୁମାରୀଙ୍କୁ ବିବାହ କରି ଆସନ୍ତୁ ଏବଂ କେତେଜଣ ସର୍ଦାର ମେବାର ସେନା ନେଇ ରୂପନଗର ଦିଲ୍ଲୀ ଓ ମେବାରର ସୀମା ପାଖରେ ବାଦଶାହୀ ସେନାଙ୍କୁ ବାଧା ଦେଇ ରଖନ୍ତୁ ।’

 

‘ଏହା ଅତି ଉତ୍ତମ ଯୁକ୍ତି । ମାତ୍ର ଏଭଳି ଅଳ୍ପ ସମୟଭିତରେ ବିପଦ ନିଜ ମୁଣ୍ତ ଉପରକୁ ମୁଣ୍ତାଇ ନେବା ବୀର କିଏ ଅଛି ? କେଉଁ ବୀର ସର୍ଦାର ଏହାର ଅଧିନାୟକତ୍ୱ ସ୍ୱୀକାର କରିବ ?’

 

‘ରାଣାଙ୍କ ଏ ପ୍ରଶ୍ନରେ କିଛି ସମୟ ନୀରବ ରାଜୁତି କଲା । ଏହା ଦେଖି କୁମାର ଭୀମସିଂହ ଛିଡ଼ାହୋଇ କହିଲେ–‘ମହାରାଜ ! ମେବାରର ସମସ୍ତ ସର୍ଦାର ଯଦି ବଳ ଶୂନ୍ୟ ତେବେ ଏ ସେବକକୁ ଆଜ୍ଞା....’

 

ମାତ୍ର ରାଉତ ରଘୁନାଥ ସିଂହଙ୍କ ପୁତ୍ର ରତ୍ନ ସିଂହ ବାଧା ଦେଇ କହିଲେ–‘ଅନ୍ନଦାତାଙ୍କର ଜୟ ହେଉ । ଏ କାର୍ଯ୍ୟ ମୁଁ କରିବି ମୋତେ ଆଜ୍ଞା ଦିଆଯାଉ ।’

 

ରାଣା କହିଲେ–‘ରତ୍ନସିଂହ ! ଏ ଅଳ୍ପ ବୟସରେ ଏପରି ଅସାଧ୍ୟ କାର୍ଯ୍ୟ କରିବ ? ନା, ଏଭଳି ଦୁଃସାହସିକ କାର୍ଯ୍ୟ ମୁଁ ତୁମକୁ ଅର୍ପଣ କରି ନ ପାରେ ।’

 

‘ଧନ୍ୟବାଦ ଅନ୍ନଦାତା ! ଚୂଡ଼ାମଣିମାନଙ୍କର ଏହା ଜନ୍ମଗତ ଅଧିକାର । ଏ ଦାୟିତ୍ୱ ମୁଁ ଉଠାଉଛି ।’

 

‘କିନ୍ତୁ ବୀରବର, ଏଥିରେ ବହୁ ଉତ୍ତରଦାୟିତ୍ୱ ରହିଛି ।’

 

‘ମୁଁ ଜାଣେ ମହାରାଜ ।’

 

ଶତ୍ରୁ ପ୍ରବଳ ଓ ତାହାର ଅକଳନୀୟ ସେନା ।’

 

ଶୃଗାଳର ଭିଡ଼କୁ ସିଂହ ପରଓ୍ୱା କରେନା ହଜୁର ।’

 

ଆମର ସୈନ୍ୟ ଅତି ଅଳ୍ପ, ଓ ମୋଟଉପରେ ପ୍ରସ୍ତୁତି ଅବସର ନାହିଁ ।’

 

‘ଆମର ମହତ୍ ଉଦ୍ଦେଶ୍ୟ ଓ ଅସ୍ତ, ଏତିକିହିଁ ଆମପାଇଁ ଯଥେଷ୍ଟ ମହାରାଜ ।’

 

‘କିନ୍ତୁ ଶୁଣ, ଚିନ୍ତାକର । ତୁମେ ଯଦି ବାଦଶାହୀ ସୈନ୍ୟକୁ ବାଧା ଦେବାରେ ନିଷ୍ଫଳ ହୁଅ ତେବେ ଆମର ଯୋଜନା ପଣ୍ତ ହୋଇଯିବ ।’

 

ରତ୍ନସିଂହ ଅସ୍ତ୍ର ଛୁଇଁ ଶପଥ କରି–‘ମହାରାଜ ! ହଜୁର କୁମାରୀଙ୍କୁ ବିବାହ କରି ସକୁଶଳେ ନ ଫେରିବା ପର୍ଯ୍ୟନ୍ତ ମୁଁ ବାଦଶାହୀ ସୈନ୍ୟଙ୍କୁ ତିଳେମାତ୍ର ଅଗ୍ରସର ହେବାକୁ ଦେବି ନାହିଁ, ହାରିଯିବ ନାହିଁ ଅଥବା ମରିଯିବ ନାହିଁ ।’

 

ତାହାର ବୀର ବାଣୀ ଶୁଣି ସମସ୍ତେ କହିଉଠିଲେ–‘ଧନ୍ୟ ଧନ୍ୟ ବୀର, ତୁମେ ଧନ୍ୟ ।’

 

ରାଣା ପୁଣି କହିଲେ–‘ତୁମର ସାହସତ ସତ୍ୟବ୍ରତ ପାଇଁ ତୁମେ ଧନ୍ୟବାଦାର୍ହ, କିନ୍ତୁ ବୀର ! ଏଭଳି ବିପଦ ସଂକୁଳ କାର୍ଯ୍ୟ ଦେବାପାଇଁ ସଙ୍କୋଚବୋଧ କରୁଛି ।’

 

‘ତାହାହେଲେ ମୁଁ ବର୍ତ୍ତମାନ ଏଇଠାରେ ମୋର ଶିର ଅର୍ପଣ କରିବି, ଏହା ମୋର ବୀରବ୍ରତ ।’

 

‘ଭଲକଥା ତୁମର ଦୃଢ଼ ବୀର ବ୍ରତ ଅଟଳ ରହୁ । ଆସ, ମୁଁ ତୁମକୁ ମେବାର ସେନାପତିରୂପେ ଅଭିଷିକ୍ତ କରିବି । ସମୟ ଅଳ୍ପ ଓ କର୍ତ୍ତବ୍ୟ ଦୀର୍ଘ । କାଲି ସକାଳୁ ଗୋଟାଏ ପ୍ରହର ଥାଉଁଥାଉଁ ଆମର ଯାତ୍ରା ଆରମ୍ଭ ହେବ । କୁମାର ଜୟସିଂହ ଓ ଭୀମସିଂହ ଉଦୟପୁର ଦେଖାଶୁଣା କରିବେ । ସୋଲାଙ୍କ ଦଳପତି ଆଉ ସୁଲତାନ ସିଂହ ରତ୍ନସିଂହଙ୍କ ସହିତ ମେବାର ସୈନ୍ୟ ସଙ୍ଗେ ରହିବେ । ରାଓ କେଶରୀ ସିଂହ ଏବଂ ରାଠୋର ଯୋଧା ସିଂହ ଆମ ସାଙ୍ଗରେ ଯିବେ । ଯାଅ ବ୍ରାହ୍ମଣ କୁମାରୀଙ୍କୁ ସନ୍ଦେଶ ଦିଅ । ଦେୱାନଜୀ ବ୍ରାହ୍ମଣଙ୍କୁ ଦାନ ମାନ ସମ୍ମାନ ଦେଇ ସସମ୍ମାନେ ସୁରକ୍ଷିତ ଭାବରେ ବିଦା କର ।’

 

ବାର

 

ସେଦିନ ସ୍ନିଗ୍ଧ ରଜନୀରେ ସୌଭାଗ୍ୟ ସୁନ୍ଦରୀଙ୍କୁ ରତ୍ନସିଂହ ପ୍ରେମ ନିବେଦନ କରି ନିଷ୍ଫଳ ହେବାପରେ ସୌଭାଗ୍ୟ ସୁନ୍ଦରୀଙ୍କ ଅଭିଳାଷ ପୂରଣପାଇଁ ଏହି ଅବସରରେ ବୀରତ୍ୱ ଓ କ୍ଷତ୍ରିୟତ୍ୱର ପ୍ରମାଣପାଇଁ ଅନ୍ୱେଷଣ କରିବାକୁ ଚାଲିଗଲା । ଉକ୍ତ ସୁଯୋଗ ମଧ୍ୟ ଯଥାଶୀଘ୍ର ମିଳିଗଲା । ଜନାରଣ୍ୟ ଦରବାରରେ ସେନାପତି ପଦ ଦାୟିତ୍ୱ ଗ୍ରହଣ କରି ଯୁଦ୍ଧଭୂମି ଯିବାର ଦାୟିତ୍ୱ ଗ୍ରହଣ କଲାପରେ ରତ୍ନସିଂହ ସିଧାସଳଖ ରାଜକୁମାରୀଙ୍କ ପାଖରେ ପହଞ୍ଚିଲେ । ସୌଭାଗ୍ୟସୁନ୍ଦରୀ ବହୁତ ପ୍ରସନ୍ନ ଥିଲେ । ତାଙ୍କର ପ୍ରସନ୍ନତାରେ ଆପ୍ୟାୟିତ ହୋଇ ରତ୍ନସିଂହ କହିଲେ–‘ବିଦାୟ କୁମାରୀ ! ଆମର ମିଳନର ମାହେନ୍ଦ୍ର ମୁହୂର୍ତ୍ତ ଉପସ୍ଥିତ ନ ହେଉଣୁହିଁ ବିଦାୟବେଳା ପହଞ୍ଚିଗଲା ।’

 

‘ଏଇତ ରାଜପୁତ ଜୀବନ । ଆପଣ ଶୀଘ୍ର ବିଜୟୀ ହୋଇ ଫେରି ଆସନ୍ତୁ ।’

 

‘ଫେରିବାର ଆଶା ଖୁବ୍ କମ୍ । ଆମର ଶକ୍ତି କମ୍ ଶତୁ ପ୍ରବଳ । ହେଲେ ମଧ୍ୟ ମୁଣ୍ତ ଉପରେ ମୋର ଗୁରୁତର ବୋଝ ।’

 

‘ଆପଣ ବୀର, ଆପଣଙ୍କୁ ଭୟ କ’ଣ ?’

 

‘କିଛି ନୁହେଁ କୁମାରୀ । ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି । ତୁମେ ବୀରତ୍ୱର ପ୍ରତ୍ୟକ୍ଷ ପ୍ରମାଣ ଚାହୁଁଛ ନା ?’

 

‘ତାହା ମୁଁ ପାଇ ସାରିଛି ।’

 

‘କେମିତି ?’

 

‘ଆପଣ ବଡ଼ ଗୁରୁଦାୟିତ୍ୱ ବହନ କରିଛନ୍ତି । ସେଇଥିରୁ ।’

 

‘ଏଥିରୁ କେମିତି ? ବିଜୟ ଲାଭ କଲେ ସିନା ଯାଇ ହେବ ।’

 

‘କ୍ଷତ୍ରିୟର ଜୟପରାଜୟ ଉଭୟ ବିଜୟ ଅଟେ ।’

 

‘କେମିତି କୁମାରୀ ?’

 

ମାନ ସମ୍ମାନପାଇଁ କ୍ଷତ୍ରିୟ ବୀର, ଲଢ଼େ, ଓ ସେ ମରି କରି ଅମର ହୁଏ । ଏହା ଆପଣ ଜାଣନ୍ତି, ମୁଁ ମୂର୍ଖ କ’ଣ କହିବି ?’

 

‘ତାହାହେଲେ ଯାଉଛି କୁମାରୀ ବିଦାୟ ।’

 

‘ଆପଣ ଯାଆନ୍ତୁ, ଆମର ପୁଣି ସାକ୍ଷାତ ହେବ ?’

 

‘ହଁ ! ହୋଇପାରେ ଏଠାରେ କିମ୍ୱା ସେଠାରେ ।’

 

‘ଏମିତି କୁହନ୍ତୁନି ।’

 

‘ପରୀକ୍ଷା ତ କଠିନ ହୋଇଥାଏ କୁମାରୀ ।’

 

‘ଦାସୀର ଅପରାଧ କ୍ଷମା କରନ୍ତୁ ।’

 

‘ଆହା ! ବୀରା ରମଣୀ ! ତୁମ ଭଳି କ୍ଷତ୍ରିୟ ରମଣୀ ପୁରୁଷମାନଙ୍କୁ ବୀର କରନ୍ତି ଅଥଚ......

 

‘କୁହନ୍ତୁ ।’

 

‘ମୋର ଗୋଟାଏ ଇଚ୍ଛାଥିଲା କି ଯିବା ପୂର୍ବରୁ.......

 

‘କୁହନ୍ତୁ ।’

 

‘ଥରେ ତୁମକୁ ପ୍ରିୟା ବୋଲି ଡାକିବି ।’

 

କୁମାରୀ ଲଜ୍ଜାବନତ ହୋଇ କହିଲେ–‘କୁହନ୍ତୁ ନା ।’

 

‘ଅଧିକାର ନପାଇ ?’

 

‘କେମିତି ଅଧିକାର ?’

 

‘ପତ୍ନୀର ।’

 

‘ଅଧିକାର ତ ପାଇ ସାରିଛନ୍ତି । ମୁଁ କାୟମନୋବାକ୍ୟରେ ଆପଣଙ୍କର ଦାସୀ ହୋଇ ସାରିଛି ।’

 

‘ମାତ୍ର ଧର୍ମରେ ନୁହେଁ ।’

 

କେମିତି ? ଆପଣ ଓ ମୋର ସତ୍ୟାସତ୍ୟ ହୋଇ ସାରିଛି । ଧର୍ମତଃ ମୁଁ ଆପଣଙ୍କର.....-।’

 

‘ହେଲେ ମଧ୍ୟ ବିଧିପୂର୍ବକ ସମ୍ପନ୍ନ ହୋଇନି ।’

 

‘ଠିକ୍‌ ସମୟରେ ସେଇଟା ହୋଇଯିବ ।’

 

‘ଏଇଲେ ସମୟ ନାହିଁ କୁମାରୀ ।’

 

‘ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ।’

 

ଏହୁଁ ଶୁଣ କୁମାରୀ । ମୁଁ କ୍ଷତ୍ରିୟ କୁମାର ଓ ତୁମେ କ୍ଷତ୍ରିୟ ରମଣୀ ।’

 

‘ହଁ ।’

 

‘କ’ଣ ତୁମେ ମୋତେ ସ୍ୱୀକାର କରୁଛ ?’

 

‘କାୟମନୋବାକ୍ୟ ଓ କାର୍ଯ୍ୟରେ ମଧ୍ୟ ।’

 

‘ଆଉ ଭଲ ପାଅ ମଧ୍ୟ ।’

 

‘ନିଜ ପ୍ରାଣଠାରୁ ବଳି ।’

 

‘କୁମାରୀ ! ଏଇ ସୂର୍ଯ୍ୟ ଅସ୍ତ ହୋଇ ଯାଉଛନ୍ତି ।’

 

‘ହଁ ।’

 

‘ଏଇ ସୁନ୍ଦର ମେଘମାଳ ମଧ୍ୟରେ ପ୍ରକାଶମାନ ନକ୍ଷତ୍ର ଶୁକ୍ର ଅଛି, ସୁଶୀତଳ ବାୟୁ ବହୁଛି ।’

 

‘ବହୁଛି ।’

 

‘ଆମ ହୃଦୟରେ ପ୍ରେମ ଓ ତ୍ୟାଗର ପବିତ୍ର ଅଗ୍ନି ଜଳୁଛି ।’

 

‘ଜଳୁଛି ।’

 

ଏ କ୍ଷତ୍ରିୟ ପୁତ୍ର ଏ ଶରୀରକୁ ବଳିଦାନ ଦେବା ସକାଶେ ରଣସ୍ଥଳକୁ ଯାତ୍ରା କରୁଛି ।’

 

‘ଆମର ସମ୍ୱନ୍ଧ କେବଳ ଦେହରେ ନୁହେଁ ଆତ୍ମାରେ ମଧ୍ୟ ।’

 

‘ଅବଶ୍ୟ, କିନ୍ତୁ ଶରୀରହିଁ ଏହାର ମାଧ୍ୟମ । ଧର୍ମ ବିଧି ଶରୀରପାଇଁହିଁ ବିହିତ ।’

 

‘ମୁଁ ମୂର୍ଖ କ’ଣ ଜାଣେ ।’

 

‘ତୁମେ ଜଣେ ଦେବୀ । ଏଇଟାହିଁ ଉଚିତ ସମୟ ।’

 

‘କେମିତି ।’

 

‘ଆସ ଏଇ ସୂର୍ଯ୍ୟ, ନକ୍ଷତ୍ର, ଆକାଶ, ହୃଦୟାଗ୍ନି ଓ ବାୟୁଙ୍କୁ ସାକ୍ଷୀ ରଖି ଆମେ ପରସ୍ପର ଆତ୍ମା ବିନିମୟ କରିବା ।’

 

‘ପାଖକୁ ଆସ ।’

 

ସୌଭାଗ୍ୟ ସୁନ୍ଦରୀ ଆହୁରି ପାଖକୁ ଆସି କହିଲେ–ସମସ୍ତ ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ ଦେବତାଙ୍କ ସମ୍ମୁଖରେ ମୁଁ ମୋର ଏଇ ଅଧମ ମନ ଓ ଶରୀରକୁ ଆପଣଙ୍କୁ ଅର୍ପଣ କରୁଛି ଏବଂ ଆପଣ ମୋର ପ୍ରାଣଧାର ପତି ।’

 

‘ପ୍ରିୟେ ।’

 

‘ପ୍ରାଣଧନ ।’

 

‘ଓଃ ମୁଁ କୃତ୍ୟ କୃତ୍ୟ ଆଜି ।’

 

ମୁଁ ଆଜି ଧନ୍ୟ ।’

 

‘ବର୍ତ୍ତମାନ ଜୀବନ ମରଣ ମୋପାଇଁ ଖେଳ ସଦୃଶ ।’

 

‘ଏହା ରାଜପୁତ ଜୀବନର ସୌନ୍ଦର୍ଯ୍ୟ ।’

 

‘ଏବେ ଯାଉଛି ପ୍ରିୟେ ! ବିଦାୟ ।’

 

‘ବିଦାୟ ପ୍ରାଣନାଥ ।’

 

‘ଆମେ ପୁଣି ମିଳିତ ହେବା ।’

 

‘ଅବଶ୍ୟ ମିଳିତ ହେବା’

 

‘ଏ ଜନ୍ମରେ ଅଥବା ପରଜନ୍ମରେ ।’

 

‘କୀର୍ତ୍ତିର ପୋଲ ଉପରେ ରହି ।’

 

‘ମୁଁ ମୋର କର୍ତ୍ତବ୍ୟ ପାଳନ କରିବାପାଇଁ ଯାଉଛି, ତୁମେ ନିଜର କର୍ତ୍ତବ୍ୟ ପାଳନ କରିବ-।’

 

‘କରିବି ସ୍ୱାମୀ ।’

 

‘ଏଇ ସ୍ୱଳ୍ପ ବୟସରେ ? ଆଶା, ପ୍ରେମ ଆକାଂକ୍ଷା ଓ ପରିପୂର୍ଣ୍ଣ ହୃଦୟକୁ ନେଇ ?’

 

‘ନିଶ୍ଚୟ ସ୍ୱାମୀ ।’

 

‘ଅନେକ କଷ୍ଟସାଧ୍ୟ ପ୍ରିୟେ ।’

 

‘କ୍ଷତ୍ରିୟ ରମଣୀପାଇଁ କଠିନ ନୁହେଁ ।’

 

‘ତାହାହେଲେ ବିଦାୟ ।’

 

‘ବିଦାୟ ପ୍ରାଣେଶ୍ୱର ।’

 

ରତ୍ନସିଂହ ଚାଲିଗଲେ ଓ ସୌଭାଗ୍ୟ ସୁନ୍ଦରୀ ଭୂମି ଉପରେ ଲୋଟି ପଡ଼ି ଘନଘନ କାନ୍ଦିବାକୁ ଲାଗିଲେ । ପରଦିନ ପ୍ରାତଃକାଳରୁ ଯୁଦ୍ଧ ବାଦ୍ୟ ସ୍ୱର ଶୁଣାଗଲା । ନାଗରାଦ୍ୱାରା ଯୁଦ୍ଧ ଘୋଷ ଶୁଭିଲା । ସୌଭାଗ୍ୟ ସୁନ୍ଦରୀଙ୍କ ଶୋକ ସ୍ଥାନରେ ବୀରଭାବ ଜାଗ୍ରତ ହେଲା । ସେ ବାହାରକୁ ଆସି ଛାତ ଉପରେ ଛିଡ଼ା ହୋଇ ପଡ଼ିଆରେ ସୁସଜ୍ଜିତ ସେନାବାହିନୀକୁ ନିରୀକ୍ଷଣ କରିବାକୁ ଲାଗିଲେ । ତାଙ୍କ ମୁଖରୁ ବାହାରି ପଡ଼ିଲା–ଏଇତ ରାଜପୁତ ମର୍ଯ୍ୟାଦା, ରାଜମହଲର ଏ ବିଶାଳ ପ୍ରାଙ୍ଗଣ ବୀରମାନଙ୍କଦ୍ୱାରା ପରିପୂର୍ଣ୍ଣ ହୋଇ ଉଦ୍ଦୀପ୍ତମାନ ହୋଇ ଉଠୁଛି । ଠିକ୍ ଯେପରି ଚପଳ ଅଶ୍ୱ ମାଲିକର ଆଦେଶକୁ ଅପେକ୍ଷା କରି ଧୈର୍ଯ୍ୟହରା ହୋଇପଡ଼େ ନିଜର କରାମତି ଦେଖାଇବା ପାଇଁ । ବୀରମାନଙ୍କର ଅସ୍ତ୍ର ଖରାରେ କିପରି ଝଲମଲ ହୋଇ ଉଠୁଛି । ହେଇଟି ମୋର ପ୍ରାଣପ୍ରିୟ ଶ୍ୱେତ ଅଶ୍ୱ ଉପରେ ବସି ସେନାମାନଙ୍କୁ ନିରୀକ୍ଷଣ କରୁଛନ୍ତି । ତାଙ୍କ କଣ୍ଠରେ ସେଇ ମୁକ୍ତା ହାର କେଡ଼େ ସୁନ୍ଦର ମାନୁଛି । କାଲି ସେ ଯେତେବେଳେ ମୋତେ ସ୍ପର୍ଶ କଲେ ସେତେବେଳେ ସତେ ଯେପରି ମୋର ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହେଲା । ଆଜିର ପ୍ରଭାତ କେଡ଼େ ସୁନ୍ଦର । ଏଭଳି ତ ଜୀବନ ପ୍ରଭାତ ମଧ୍ୟ ଦେଖାଦିଏ । ‘ପ୍ରିୟେ’ କେତେ ପ୍ରିୟ ଶବ୍ଦ, ଏହାଶୁଣି ପ୍ରତିଟି ଲୋମ ପୁଲକିତ ହୋଇ ଉଠିଲା । ବାରମ୍ୱାର ସେହି ଶବ୍ଦ ଶୁଣିବାକୁ ଇଚ୍ଛା ହେଉଛି-। ସେହି ମଧୁର ଶବ୍ଦ ସଙ୍ଗୀତଠାରୁ ମଧୁରମୟ । କିନ୍ତୁ ହାୟରେ ରାଜପୁତ ଜୀବନ । ନା ଆଖିରେ ଲୁହ ଧରି ଅମଙ୍ଗଳ ଚିନ୍ତା କରିବା ଅନୁଚିତ । ପୃଥିବୀ ଓ ଆକାଶର ଦେବତା ତାଙ୍କୁ ରକ୍ଷା କରିବେ-। ହେଇ ! ସେ ଏଇ ଆଡ଼େ କ’ଣ ସଙ୍କେତ କରୁଛନ୍ତି । ଏଇ, ସେ ଘୋଡ଼ାରୁ ନଇଁପଡ଼ି କ’ଣ କହିଲେ-। ସେ କିଏ ? ଆରେ ଇଏତ ତାଙ୍କର ବିଶ୍ୱସ୍ତ ଭୃତ୍ୟ ଗୋଲାପ । ସେ ମଧ୍ୟ ବେକ ଭାଙ୍ଗି ମୋ ଆଡ଼କୁ ଦେଖୁଛି । ଆରେ ! ସେ ତ ଏଆଡ଼େ ଆସିଲା, ହେଇ ଏଇଆଡ଼େ ଆସୁଛି । ସ୍ୱାମୀ ମୋର କିଛି ସନ୍ଦେଶ ପଠାଇଛନ୍ତି । ମୋର ସ୍ୱାମୀ ସେ କହିଥିଲେ ପ୍ରିୟେ, ପ୍ରିୟେ ।’

 

କିଛିକ୍ଷଣ ପରେ ଆସି ଗୋଲାପ ନମସ୍କାର କଲା ଜୁହାର ହାଡ଼ି ରାଜକୁମାରୀ ।’

 

‘ସନ୍ଦେଶ କୁହ’

 

‘ସେ ଯାତ୍ରା ଆରମ୍ଭ କରୁଛନ୍ତି ।’

 

‘ଯାତ୍ରା ତାଙ୍କର ଶୁଭହେଉ, ସେ ବିଜୟୀ ହୋଇ ଫେରି ଆସନ୍ତୁ ।’

 

‘କିନ୍ତୁ’......

 

‘କିନ୍ତୁ କ’ଣ ?’

 

‘ସେ କହିଛନ୍ତି’–ଏ କାଳ ଯୁଦ୍ଧରେ ବିଜୟୀ ହୋଇ ପ୍ରାଣ ଧରି ଫେରି ଆସିବା ସମ୍ଭବ ନୁହେଁ ।

 

‘କ୍ଷତ୍ରିୟକୁ ବୀରତ୍ୱ ପ୍ରାପ୍ତଠାରୁ ଆଉ ବଳି ସୌଭାଗ୍ୟ କ’ଣ ଅଛି ।’

 

‘କିନ୍ତୁ ସେ ଦ୍ୱିଧାରେ ପଡ଼ିଛନ୍ତି ।’

 

‘କି ପ୍ରକାର ଦ୍ୱିଧା ମୁଁ ଶୁଣେ ।’

 

‘ଆପଣଙ୍କ ଦ୍ୱିଧା ।’

 

ମୋ ଦ୍ୱିଧା ! କିପରି ?’

 

ସେ କହୁଛନ୍ତି–ଆପଣ ଯୁବା ବୟସୀ, କଅଁଳ ବୟସ, ସଂସାର ଆପଣ ଦେଖିନାହାନ୍ତି, ଯଦି କିଛି ହୋଇଯାଏ ତେବେ ଆପଣ କଷ୍ଟକର କ୍ଷତ୍ରିୟ–ବାଳା ବ୍ରତ ପାଳନ କରିବେ କେମିତି ?’

 

‘କାହିଁକି ? ମୁଁ କ’ଣ କ୍ଷତ୍ରିୟ ବାଳା ନୁହେଁ ?’

 

ଆପଣଙ୍କ ଏ ବୟସ ଉପଭୋଗର ବୟସ ।’

 

କିନ୍ତୁ କ୍ଷତ୍ରିୟ ବାଳା ନିଜ ଇଚ୍ଛାନୁସାରେ ଆତ୍ମୋତ୍ସର୍ଗ କରିପାରେ । ତାଙ୍କୁ କହ ସେ ନିଶ୍ଚିନ୍ତ ରହି ଶତ୍ରୁଠାରୁ ବିଜୟୀ ହୋଇ ନିଜର କର୍ତ୍ତବ୍ୟ ପାଳନ କରିବେ । ମୁଁ ମୋର କର୍ତ୍ତବ୍ୟ ପାଳନ କରିବି ।’

 

‘ମୁଁ ବୁଝାଇଥିଲି ରାଣୀମା’, କିନ୍ତୁ ସେ ନିରନ୍ତର ଆପଣଙ୍କ ଚିନ୍ତାରେ ବ୍ୟସ୍ତ ।’

 

‘ଛି’ ଯୁଦ୍ଧ ସମୟରେ ସ୍ତ୍ରୀ ଚିନ୍ତା ।’

 

‘ସେ ପ୍ରମାଣ ଚାହାଁନ୍ତି ।’

 

‘କିପରି ପ୍ରମାଣ ?’

 

‘ଯାହାକୁ ପାଇ ଆପଣଙ୍କ ପ୍ରତି ନିଶ୍ଚିନ୍ତ ରହି ଶତ୍ରୁଠାରୁ ବିଜୟ ହୋଇ ପାରିବେ ।’

 

‘ପ୍ରମାଣ ଚାହାଁନ୍ତି ?’

 

‘ହଁ ରାଣୀମା’, ଆପଣଙ୍କୁ ତାଙ୍କର ଦ୍ୱିଧାଭାବ ଦୂର କରିବାକୁ ହେବ ।’

 

‘ତାହାହେଲେ ମୁଁ ତୁମକୁ ପ୍ରମାଣ ଦେଉଛି । କିଛିକ୍ଷଣ ଚିନ୍ତା କରି ସେ କହିଲେ ତୁମେ ଏ ପ୍ରମାଣ ନେଇ ମୋର ସ୍ୱାମୀଙ୍କୁ ଦେଇ କହିବ ଏହା ହାଡ଼ି ରାଣୀଙ୍କ ପ୍ରମାଣ, ଏବେ ନିଶ୍ଚିନ୍ତ ହୋଇ ଶତ୍ରୁ ସହ ଯୁଦ୍ଧ କରନ୍ତୁ ।’

 

‘ଯଥା ଆଜ୍ଞା ରାଣୀ ସାହେବା ।’

 

‘ଠାକୁର ! ତୁମର ଖଣ୍ତାଦେଲ ଦେଖିବା କିପରି ଧାର ଅଛି ?’

 

‘ଅତି ସାଧାରଣ ରାଣୀମା’ ! ନିଅନ୍ତୁ !’

 

‘ହେଲେ ମଧ୍ୟ ରାଜପୁତର ଅସ୍ତ୍ର, ପୁଣି ଏଥିରେ ବଡ଼ବଡ଼ କାର୍ଯ୍ୟ ହୋଇଥିବ । କାହିଁକି ନା ତୁମେ ବୀର ଶ୍ରେଷ୍ଠଙ୍କର ସେବକ ।’

 

‘ଏଇ ତରବାରି ତାଙ୍କରି ପ୍ରଦତ୍ତ ରାଣୀମା’, ତାଙ୍କର କୈଶୋରାବସ୍ଥାରେ ଏ ସେବକ ଏଥିରେ ତାଙ୍କୁ ଅସ୍ତ୍ରଶିକ୍ଷା ଦେଇଥିଲା ।’

 

ସୌଭାଗ୍ୟ ସୁନ୍ଦରୀ ଧାର ପରୀକ୍ଷା କରି କହିଲେ ‘ପାଣି ଭଳି ଧାର ।’

 

‘ଆଚ୍ଛା ! ଏଇ ନିଅ ପ୍ରମାଣ ! ମୋର ସ୍ୱାମୀଙ୍କୁ ମୋର ଏଇ ଛିନ୍ନ ଶିର ଦେଇ ଦେବ’ ଏହା କହି ବିଜୁଳି ବେଗରେ ଖଣ୍ତା ବେକରେ ବସାଇଦେଲେ ଓ ବେକ କଟି ଭୂଇଁରେ ପଡ଼ିଲା ।

 

ଗୋଲାପ ହତଚକିତ ହୋଇ ଦେଖିବାକୁ ଲାଗିଲା । ରାଜପୁତ ଆତ୍ମସମ୍ମାନ ଜ୍ଞାନ ସେ ବୁଝିପାରିଲା । ତତ୍‍କ୍ଷଣାତ୍ କୁମାରୀଙ୍କ ଛିନ୍ନଶିର ତୋଳି ନେଇ ଯଥାଶୀଘ୍ର ବାହାରିଗଲା ।

 

ରାଜମହଲ ପ୍ରାଙ୍ଗଣରେ ସମସ୍ତ ସୈନ୍ୟ ସୁସଜ୍ଜିତ ଥିଲେ ଓ ରତ୍ନସିଂହ ଅଶ୍ୱ ଉପରେ ବସି ଅନ୍ୟମନସ୍କ ଭାବରେ କିଛି ଚିନ୍ତା କରୁଥିଲେ । ସେ କେବେକେବେ ରାଜଉଆସ ଆଡ଼କୁ ଚାହିଁ ଦେଉଥିଲେ । ଏଇ ସମୟରେ ତାଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଲା । କୁମାରୀର ଅକ୍ଷତ ଯୌବନ ଓ ଯୁଦ୍ଧ ଭୂମିର ଭୀଷଣତା ତାଙ୍କ ଚକ୍ଷୁ ସମ୍ମୁଖରେ ଜଳଜଳ ହୋଇ ଦିଶି ଯାଉଥିଲା । କ୍ଷତ୍ରିୟପାଇଁ ଯୌବନ ବିପଜ୍ଜନକ ସତରେ । ସେ ଭାବବିହ୍ୱଳ ହୋଇ ପଡ଼ି ଭାବୁଥିଲେ । କି ମଧୁର ସୁଖଦାୟକ ସ୍ପର୍ଶ । କି ମନମତାଣିଆ କଣ୍ଠ ସ୍ୱର ! କହୁଥିଲା ପ୍ରାଣନାଥ ! ଆଉ କ’ଣ ସତରେ ଏପରି ଡାକ କର୍ଣ୍ଣଯୁଗଳ ସ୍ମରଣ କରିବ ! ! କାଳାନ୍ତକ ସଦୃଶ ଦିଲ୍ଲୀଶ୍ୱର ମାଡ଼ି ଆସୁଛି । ତା’ ସହ ଯୁଦ୍ଧ ନ କରି ମୋତେ ବାଧା ଦେବାକୁ ପଡ଼ିବ । ମୋତେ ନ ମରି ଜୀବିତ ରହିବାକୁ ପଡ଼ିବ, ଯୁଦ୍ଧରେ କ୍ଷତ୍ରିୟର ମୃତ୍ୟୁ ସହଜ ମାତ୍ର ଜୀବିତ ରହିବା କଷ୍ଟକର ବ୍ୟପାର । ମୁଁ କିନ୍ତୁ କାର୍ଯ୍ୟ ସିଦ୍ଧି ପର୍ଯ୍ୟନ୍ତ ଜୀବିତ ରହିବି, ଏହା ମୋର ଦୃଢ଼ପ୍ରତିଜ୍ଞା । ସତ୍ୟସନ୍ଧି ଚୂଡ଼ାମଣିଙ୍କର ମୁଁ ବଂଶଧର । ମାତ୍ର ଯଦି ମୁଁ ଯୁଦ୍ଧରେ ମରି ଯାଏଁ ? ଯଦି ବିଜୟ ଲକ୍ଷ୍ମୀ ମୋତେ ପ୍ରସନ୍ନ ନ ହୁଅନ୍ତି ତାହାହେଲେ ? ତାହାହେଲେ ଅବିକଶିତ କୁସୁମ କଳି ପରି ଏଇ କୁମାରୀ, ଅଚୁମ୍ୱିତ ପୁଷ୍ପ ପରି କୋମଳ କୁମାରୀ କ’ଣ କଠୋର କ୍ଷତ୍ରିୟ ବ୍ରତ ପାଳନ କରିପାରିବ ? ହାୟ ! ମୁଁ କାହିଁକି ତା’ର କୁମାରୀ ବ୍ରତ ଭଗ୍ନ କଲି ? ବାକ୍ ଦାନ ତ ହୋଇଥିଲା ମାତ୍ର ଏଇଲେ ? ହେଇ ମହାରାଣାଙ୍କ ସେନା ଯାତ୍ରା ଆରମ୍ଭ କଲେ । ଗୋଟାଏ ପ୍ରହର ବିତିଗଲାଣି ଆଉ ମୁଁ ବିମୂଢ଼ ହେଇ ସ୍ତ୍ରୀ ଚିନ୍ତା କରୁଛି । ମାତ୍ର ଗୋଲାପ ଏପର୍ଯ୍ୟନ୍ତ ଆସିଲାନି-। ପୁଣି ସାମାନ୍ୟ ଚମକି ‘କିଏ ଗୋଲାପ ? ଜଣେ ସର୍ଦାର ଆଗକୁ ଆସି–‘ନାହିଁ ମୁଁ ସେନାପତି-! ବର୍ତ୍ତମାନ ଯାତ୍ରା ଆରମ୍ଭ କରିବା ଉଚିତ । ସେନାବାହିନୀ ଅଧୀର ହେଲେଣି ।’

 

‘ବର୍ତ୍ତମାନ ଯାତ୍ରା ଆରମ୍ଭ ହେବ ରାଓଜୀ ! ମାତ୍ର ଗୋଲାପ ଆସିନି । ବୋଧହୁଏ ହେଇ ଆସୁଛି । କିନ୍ତୁ ତା’ ହାତରେ ସେଇଟା କ’ଣ ?’

 

ଗୋଲାପ ଝଡ଼ ଭଳି ରତ୍ନସିଂହଙ୍କ ସମ୍ମୁଖରେ ଆସି ଛିଡ଼ା ହେଲା । କୁମାରୀଙ୍କ ଛିନ୍ନ ଶିର ଦେଉ ଦେଉ କହିଲା–ନିଅନ୍ତୁ ମହାରାଜ ପ୍ରମାଣ !’

 

‘କି ପ୍ରମାଣ ?’

 

‘ହାଡ଼ିରାଣୀଙ୍କର ପ୍ରମାଣ । ସ୍ୱାମୀ ସେ ଏହାକୁ ଦେଇ କହିଛନ୍ତି ଯୁଦ୍ଧ ସମୟରେ ସ୍ତ୍ରୀ ଚିନ୍ତା କରିବା ଉଚିତ ନୁହେଁ । ସ୍ୱାମୀ ଯଦି ସ୍ତ୍ରୀକୁ ଅବିଶ୍ୱାସ କରେ ତେବେ ଧରିତ୍ରୀ କାହାବଳରେ ତିଷ୍ଠି ରହିବ ? ମହାରାଜ ! ସେ ସ୍ୱହସ୍ତରେ ନିଜର ଶିରଚ୍ଛେଦ କରି ପ୍ରମାଣ ପେସ୍ କରିଛନ୍ତି ।’

 

ରତ୍ନସିଂହ ଦଣ୍ତେ କ୍ଷଣ କୁମାରୀଙ୍କ ଛିନ୍ନ ଶିରକୁ ବିସ୍ଫାରିତ ନୟନରେ ଚାହିଁ ରହିଲେ । କୁମାରୀଙ୍କ ଚିତ୍ର ତାଙ୍କ ଚକ୍ଷୁରେ ଜଳଜଳ କରି ଦେଖାଗଲା । ସେ ଉନ୍ନତ ହୋଇ କହିଲେ–‘ତାହାହେଲେ ଆଣିଛ ବୀର ବାଳାଙ୍କର ଏଇ ବହୁମୂଲ୍ୟ ପ୍ରମାଣ !’

 

ଛିନ୍ନ ଶିରଟିକୁ ହାତରେ ଧରି ବାଳଠାରୁ ଚିରି ଗଳାରେ ଝୁଲାଇ ଦେଇ ତରବାରି ଉତ୍ତୋଳନ କରି କହିଲେ–‘ବୀରଗଣ ! ଆଜି ଆମପାଇଁ ଏକ ପବିତ୍ର ଦିନ ଆସିଛି । ଏବେ ଆମର ରକ୍ତ ଓ ବାହୁବଳ ରାଜପୁତ ଜୀବନପାଇଁ ପରୀକ୍ଷା ସଦୃଶ । ତୁମମାନଙ୍କ ମଧ୍ୟରେ ଯିଏ ଜୀବନ ପ୍ରତି ଲୋଭ ରଖିଛ ସେମାନେ ଅଲଗା ହୋଇଯାଅ । ମହାରାଣାଙ୍କର ଜୟ । ଶ୍ରୀ ଏକଲିଙ୍ଗେଶ୍ୱରଙ୍କର ଜୟ । ଆମେ ମରିଯିବୁ ପଛେ ହଟିବୁ ନାହିଁ ।

 

ନା ଆମେ ମରିବାକୁ ଯାଉନୁଁ । ସମସ୍ତେ ପ୍ରତିଜ୍ଞା କର, ବାଦଶାହା ସକୁଶଳେ ରୂପନଗରରୁ ଫେରି ନ ଆସିବା ପର୍ଯ୍ୟନ୍ତ ଆମେ ବାଦଶାହାଙ୍କୁ ତିଳେହେଲେ ଅଗ୍ରସର ହେବାକୁ ଦେବା ନାହିଁ ।’

 

‘ଆମେ ପ୍ରତିଜ୍ଞା କରୁଛୁ ।’

 

‘ଆମେ ମରିବୁ ନାହିଁ, ଟଳିବୁ ନାହିଁ କିମ୍ୱା ପଛେଇ ଯିବୁ ନାହିଁ ।’

 

ଆମେ ପ୍ରତିଜ୍ଞା କରୁଛୁ ।’

 

‘ତାହାହେଲେ ଚାଲ ବୀରଗଣ । ଆଜି ଆମମାନଙ୍କର ତୃଷିତ ତରବାରି ଶତ୍ରୁ ରକ୍ତପାନ କରିବେ ।’

 

ଜୟ ଶ୍ରୀ ଏକଲିଙ୍ଗେଶ୍ୱରଙ୍କର ଜୟ । ମେବାରପତିଙ୍କର ଜୟ ।

 

ତେର

 

ରୂପନଗରର ସ୍ୱର୍ଗତ ରାଜା ରୂପସିଂହଙ୍କର ବିକ୍ରମ ସିଂହ ନାମରେ ଭାଇ ଥିଲେ । ସେ ବୃଦ୍ଧ ହୋଇ ଯାଇଥିଲେ ମଧ୍ୟ ତାଙ୍କଠାରେ ଯଥେଷ୍ଟ ବଳ ପରାକ୍ରମ ଥିଲା । ନିଜର ବୟସବୋଧ ବିଚାର କରି ସେ ରାଜକାର୍ଯ୍ୟ ଝାମେଲାରେ ପଡ଼ିବାକୁ ଚାହୁଁ ନଥିଲେ । କିନ୍ତୁ ସେ ଯଦି ଇଚ୍ଛା କରିଥାନ୍ତେ ତେବେ ରାମସିଂହ ବଦଳରେ ନିଜେ ରାଜା ହୋଇପାରିଥାନ୍ତେ । ଚାରୁମତୀକୁ ଦିଲ୍ଲୀ ବାଦଶାହାଙ୍କୁ ଅର୍ପଣ କରିବା କଥା ତାଙ୍କୁ ଭଲଲାଗିଲାନାହିଁ । ସେ ଏଥିପାଇଁ ରାମସିଂହଙ୍କୁ ଅନେକ ଗାଳିମନ୍ଦ ଦେଲେ ମଧ୍ୟ ସେସବୁ ନ ଶୁଣି ରାମସିଂହ ଆଉରେଙ୍ଗଜେବଙ୍କ ସ୍ୱାଗତ ସମ୍ଭାଷଣ ଆୟୋଜନରେ ଲାଗିପଡ଼ିଲା । ବିକ୍ରମ ସିଂହ ମଧ୍ୟ ନିଜ ସର୍ଦାରମାନଙ୍କ ସହ ମନ୍ତ୍ରଣା କରି ରାଜସିଂହଙ୍କ ସହିତ ଚାରୁମତୀର ବିବାହ କରିଦେବା ପାଇଁ ସମସ୍ତେ ଆୟୋଜନ ଗୁପ୍ତରେ କରିବାକୁ ଲାଗିଲେ । ବାଦଶାହା ପହଞ୍ଚିବା ପୂର୍ବରୁ ମୋଗଲ ସୈନ୍ୟମାନେ ପହଞ୍ଚି ରୂପନଗରରେ ଆତଙ୍କ ଖେଳାଇ ଦେଲେ । ତନ୍ମଧ୍ୟରୁ ଗୋଟିକୁ ବିକ୍ରମ ସିଂହ କାଟି ପକାଇବାରୁ ରାମସିଂହ ରାଗରେ ଭୂମିରେ ପାଦ କଚାଡ଼ି ପ୍ରଶ୍ନ କଲେ–‘ମୁଁ ପଚାରୁଛି ଆପଣଙ୍କର ସାହସ କେମିତି ହେଲା ? ଶାହୀ ସୈନ୍ୟଙ୍କର ହାବଭାବ ଅଥବା ଗର୍ବ ନ ଦେଖି ଆପଣ ଖଟ୍‌ କରି କାଟି ପକାଇଲେ । ଏଇଲେ କୈଫିୟତ୍ ତ ମୋତେ ଦେବାକୁ ହେବ, ଆପଣଙ୍କୁ ନୁହେଁ । ଆପଣ କ’ଣ ଭାବୁଛନ୍ତି କକା ।’

 

ବିକ୍ରମ ସିଂହ ଉପେକ୍ଷିତ ସ୍ୱରରେ କହିଲେ–‘ଭାବୁଛି ରୂପନଗର ରାଜା ରାମସିଂହ, ବିକ୍ରମ ସିଂହ ନୁହେଁ ।’

 

‘ସେ ତ ଠିକ୍‌ । ମୁଁ ପଚାରେ ବିନା ଆଦେଶର ଆପଣ ବାଦଶାହୀ ସୈନ୍ୟ କେମିତି ହାଣିଦେଲେ ?’

 

‘କେମିତି ବୁଝାଇବି ଯଦି କେହି ବାଦଶାହୀ ସୈନ୍ୟ ଏଠାରେ ଉପସ୍ଥିତ ହୁଅନ୍ତା ତେବେ ସଙ୍ଗେ ସଙ୍ଗେ କଚ୍ କରି ତାହାର ମୁଣ୍ତ କାଟି ବୁଝାଇ ଦିଅନ୍ତି ।

 

‘ଆଚ୍ଛା ମୁଁ ପଚାରୁଛି କାହିଁକି ? କେଉଁଥିପାଇଁ ?

 

‘ଆପଣ ଏହା କେତେବେଳେ ପଚାରିଲେ ?’

 

‘ଧରନ୍ତୁ ଏଇଲେ ପଚାରିଲି । କୁହନ୍ତୁ ଆପଣ କାହିଁକି ତା’ର ଶିରଚ୍ଛେଦ କଲେ ?’

 

‘ସେ ଦେବୀ ମନ୍ଦିରରେ ଥିବା ସ୍ତ୍ରୀଲୋକମାନଙ୍କୁ କୁଦୃଷ୍ଟିରେ ଦେଖୁଥିଲା, ମୁଁ ଚାଲିଯିବାକୁ କହିବାରୁ ମୋତେ ଅପମାନ ଦେଲା । ବିକ୍ରମ ସିଂହ ସୋଲାଙ୍କି କ’ଣ ଅପମାନ ସହିପାରେ ? ଖଣ୍ତା କୋଷ ମୁକ୍ତ କରି ଖଚ୍ କରି ମୁଣ୍ତଟାକୁ ଉଡ଼ାଇ ଦେଲି । ବାସ୍ ଏତିକି ତ ଆଉ କ’ଣ ?’

 

‘ଆପଣ ମୋର କାକା ବୋଲି ମନଇଚ୍ଛା କାର୍ଯ୍ୟ ରାଜ୍ୟରେ କରିଯିବେ ।’

 

‘ତୁମେ ରାଜା ହୋଇଗଲ ବୋଲି କ’ଣ ନିଜ ଗୁରୁଜନ କଥା ଶୁଣିବନି, ଧର୍ମକୁ ନିନ୍ଦା କରିବ ସମସ୍ତଙ୍କୁ ଓଲଟା ନୀତି ଓ ମର୍ଯ୍ୟାଦା ଶିଖାଇବ ?’

 

‘ବହୁତ ହୋଇଗଲା । ଆପଣ କ’ଣ ମୋଠାରୁ କୈଫିୟତ୍ ତଲବ କରିବେ ? ରାଜାଠାରୁ ?’

 

‘କାହିଁକି ନୁହେଁ ? ତୁମକୁ ରାଜା କଲା କିଏ ? ଆମ୍ଭେମାନେ ନା ? ତୁମେ ଯଦି ଠିକ୍‌ ଭାବରେ ରାଜକାର୍ଯ୍ୟ ନଚଳାଇବ ଯେମିତି ଗାଦି ଦେଇଥିଲୁ ସେମିତି ଗାଦିଚ୍ୟୁତ କରିବୁ ।’

 

‘ଆପଣଙ୍କର ଏତେ ସାହାସ ? ଆପଣ ରାଜାଙ୍କ ସହିତ ଏପରି କଥାଭାଷା ହେଉଛନ୍ତି-?’

 

‘ହଁ କାହିଁକି ନୁହେଁ ? ପ୍ରଥମେ ତ ମୁଁ ରାଜାଙ୍କର କାକା, ଦ୍ୱିତୀୟତଃ ମୋ ପାଖରେ ମୋର ପ୍ରିୟ ଅସ୍ତ୍ର ଥିବା ପର୍ଯ୍ୟନ୍ତ ମୁଁ ନିର୍ଭୟରେ ସତ୍ୟ କହିବି, ତୁମେ ବନ୍ଦ କରିପାରିବନି ।’

 

‘ମୋ ରାଜ୍ୟରେ ଆପଣଙ୍କ ସ୍ୱେଚ୍ଛାଚାରିତା ଚଳିବନି ।’ ମୁଁ ରାଜ୍ୟର ରାଜା ।’

 

‘ଅନୀତି କଲେ ରାଜା ପଦରେ ରହିପାରିବନି ।’

 

‘ମୁଁ ଆପଣଙ୍କୁ ବନ୍ଦୀ କରୁଛି । ଆରେ କିଏ ଅଛ ?’

 

ଆଦେଶ ଶୁଣି ଦୁଇଜଣ ସିପାହୀ ଧାଇଁ ଆସିଲେ । ରାମସିଂହ ଆଦେଶ ଦେଲା–‘ଏହାଙ୍କୁ ବାନ୍ଧି ପକାଅ ।’

 

ବିକ୍ରମ ହସି ଉଠି କହିଲେ–‘କ’ଣ କହିବି, ଯାହାର ସାହସ ଅଛି ଆଗେଇ ଆସ ।’ କହି ତରବାରି କୋଷମୁକ୍ତ କଲେ । ନଗ୍ନ ତରବାରି ଦେଖି ଦ୍ୱୟ ଥମି ଗଲେ । ରାମ ସିଂହ ଚିତ୍କାର କଲା–ଦେଖୁଛ କ’ଣ ଆଗେଇ ଯାଅ ।’

 

‘ରାମସିଂହ କହିଲେ–‘ତୁମେ ନିଜେ କାହିଁକି ଆଗେଇ ଆସୁନ ।’ ଏହାଶୁଣି ରାମସିଂହ ନିଜର ଅସ୍ତ୍ର କୋଷ ମୁକ୍ତ କରି କହିଲେ–‘ଏଇ ନିଅ ଉପଯୁକ୍ତ ପୁରସ୍କାର, ରାଜା ଅପମାନର ଫଳ ରଖି ନିଅ ।’

 

ବିକ୍ରମ ସିଂହ ନିଜକୁ ରକ୍ଷା କରୁ କରୁ କହିଲେ–‘ରାମସିଂହ ! ବାଲ୍ୟ ସମୟରେ ତୋତେ କେତେ ଅସ୍ତ୍ର ଶିକ୍ଷା ଦେଇଥିଲି ମାତ୍ର ତତେ କିଛି ଆସୁନି । ଦେଖ୍‌, ଆତ୍ମରକ୍ଷା ଏଇଭଳି କରାଯାଏ ।’ ଏହା କହି ସେ ଆଘାତ କଲେ ଓ ସେଥିରେ ରାମସିଂହର ତରବାରି ଝଣ୍‌ କରି ଭାଙ୍ଗିଗଲା । ବିକ୍ରମ ସିଂହ କହିଲେ–‘କୁହ ମୁଣ୍ତ କାଟିନେବି ନା ବକ୍ଷ ଚିରିଦେବି ?’

 

‘ରାଜାଙ୍କ ଅପମାନର ପ୍ରତିଶୋଧ ଠିକ୍‌ ସମୟରେ ନିଆଯିବ’ କହି ରାମସିଂହ ରାଗରେ ଚାଲିଗଲା ।’

 

ବିକ୍ରମ ସିଂହ ନିଜର ସର୍ଦାରଙ୍କୁ କହିଲେ–‘ଶାର୍ଦ୍ଦୂଳ ସିଂହ ! ବର୍ତ୍ତମାନ ଆମର ଅନେକ କର୍ତ୍ତବ୍ୟ । ସୂର୍ଯ୍ୟାସ୍ତ ସୁଦ୍ଧା ରାଣା ରାଜସିଂହ ଆସି ପହଞ୍ଚି ଯିବା ଉଚିତ, ମୋତେ ସମ୍ବାଦ ମିଳିଛି । ମାତ୍ର ସୂର୍ଯ୍ୟାସ୍ତକୁ ଆଉ ଦୁଇ ଘଡ଼ି ବାକି ଏପର୍ଯ୍ୟନ୍ତ ଆସିଲେ ନାହିଁ । କେତେକ ମୋଗଲ ସୈନ୍ୟ ଦୁର୍ଗ ପାଖରେ ବାଦଶାହାଙ୍କୁ ଅପେକ୍ଷା କରୁଛନ୍ତି । ବାଦଶାହା ଆଜି କେବେ ପହଞ୍ଚି ପାରୁ ନାହାନ୍ତି, କିନ୍ତୁ ବିବାହର ମୁହୂର୍ତ୍ତ ଆଜି ଅଛି, ସାବଧାନ ରୁହ । ସୂର୍ଯ୍ୟାସ୍ତ ପରେ ସମସ୍ତ ମୋଗଲ ସୈନ୍ୟଙ୍କୁ ବନ୍ଦୀ କରି ନିଆଯାଇ ସବୁ ଦ୍ୱାର ଓ ରାସ୍ତା ଉପରେ ଆମ ନିଜର ବିଶ୍ୱସ୍ତ ଲୋକଙ୍କୁ ପହରା ରଖାଯାଉ ।

 

‘ଯେ ଆଜ୍ଞା’ କହି ଶାର୍ଦ୍ଦୂଳ ସିଂହ ତରବାରିକୁ ସଜୋରେ ଧରି ନେଲେ ।

 

ଚଉଦ

 

ରାଜଉଆସରେ ଧୁମ୍‌ଧାମ୍‌ରେ ବିବାହ ଉତ୍ସବ ଆୟୋଜନ ଚାଲିଥିଲା । ଭାଟ୍ଟମାନେ ସଙ୍ଗୀତ ଗାନ ରତ ଥିଲେ ଓ ସଖୀମାନେ ଚାରୁମତୀକୁ ଶୃଙ୍ଗାର ସଜ୍ଜା କରି ଦେଉଥିଲେ । ଆଖିରୁ ଲୋତକ ଝରାଇ ଚାରୁମତୀ ଚୁପ୍‌ଚାପ୍‌ ସବୁ ଦେଖିଯାଉଥିଲା । ନିର୍ମଳ ରତ୍ନ ଅଳଙ୍କାର ଥାଳି ଧରି ତା’ ପାଖକୁ ଯାଇ କହିଲା–‘ରତ୍ନ ଅଳଙ୍କାର ପିନ୍ଧ କୁମାରୀ ! ଆଜି ତୁମର ବିବାହ ତିଥି ।’

 

‘ପିନ୍ଧେଇବେ ସଖୀ ! ବିବାହର ସୁଆଙ୍ଗ ତ ଚାଲିଛି । ଆଣିଲୁ କନ୍ୟା କିପରି ସଜାହୁଏ ଦେଖିବା । ଭଲ କରି ସଜାଅ, କନିଆଁ ଭଳି ।’ କହି କାନ୍ଦିବାକୁ ଲାଗିଲା ।

 

‘ଛି ! ଶୁଭକାର୍ଯ୍ୟରେ କାନ୍ଦନ୍ତି, ଧୈର୍ଯ୍ୟ ଧର । ତୁ ଅଧୈର୍ଯ୍ୟ ହେଲେ ଆମେ କ’ଣ କରିବୁ-?’

 

‘ଧୈର୍ଯ୍ୟ ଧରିବି କେମିତି ? ବର୍ତ୍ତମାନ ପର୍ଯ୍ୟନ୍ତ ରାଣା ପହଞ୍ଚିଲେ ନାହିଁ ।’

 

‘ଆଉ ମଧ୍ୟ ବାଦଶାହାଙ୍କ ପତ୍ତା ନାହିଁ, ତାଙ୍କୁ ଖୋଜିବାପାଇଁ କାସିନ୍‌ ଦୌଡ଼ାଦୌଡ଼ି କରୁଛନ୍ତି ।’

 

‘ତାଙ୍କୁ ଖୋଜିବାପାଇଁ କିଏ ଯାଇଛି ?’

 

‘ତାଙ୍କୁ ଖୋଜିବାପାଇଁ ବିକ୍ରମ ସିଂହ ଚର ପଠେଇଛନ୍ତି ଆଶା....’

 

‘ଆଶା, ଆଶା, ଆଶା ଏ କିଭଳି ପଦାର୍ଥ ହାୟ କଠିନ ଓ ନିଷ୍ଠୁର । ସଖୀ ଏଇ ହଳାହଳ ମୁଦ୍ରିକାହିଁ ମୋର ତ୍ରାଣକର୍ତ୍ତା ।’

 

‘ତୁମର ଶତ୍ରୁ ମରୁ, ତୁମେ ବଞ୍ଚି ରହ ସଖୀ । ଏଥିରେ କିଛି ରହସ୍ୟ ଜଣାଯାଉଛି ।’

 

‘କି ରହସ୍ୟ ।’

 

‘ବାଦଶାହା କିମ୍ୱା ରାଣା କେହି ଆସିଲେନି । ବାଟରେ ଯଦି ଭେଟାଭେଟି ହୋଇ ଯାଇଥିବେ ତାହାହେଲେ.....’

 

‘ହେ ପରମେଶ୍ୱର ! କ’ଣ ହେବ ?’

 

‘ସବୁ ଠିକ୍‌ ହୋଇଯିବ ! ଚୁପ୍‌ ! ରାଜା ଆସୁଛନ୍ତି ।’

 

ରାମସିଂହ ବ୍ୟଗ୍ର ଭାବରେ ପହଞ୍ଚି ବକ୍ ବକ୍ ହେବାକୁ ଲାଗିଲା । ‘ବଡ଼ ମୁସ୍କିଲ୍, ସବୁଠାରେ କମ୍ ଜଣାପଡ଼ୁଛି । ସବୁ ଠିକ୍‍ଠାକ୍‌ ପାଇଁ ଅନେକ ଚେଷ୍ଟା କରାଗଲାଣି ମାତ୍ର ଦେଖୁଛି ବ୍ୟତିକ୍ରମ ।’ ବାଦଶାହା ଏପର୍ଯ୍ୟନ୍ତ ଆସିଲେ ନାହିଁ । ସୂର୍ଯ୍ୟାସ୍ତ ହେବ ପ୍ରାୟ ବିବାହ ମୁହୂର୍ତ୍ତ ଆଗେଇ ଆସିଲାଣି ।’

 

ଚିତ୍କାର କରି ଚରକୁ ଡାକି–‘କାମଦାର ସାହେବ କୁଆଡ଼େ ଗଲେ ହତଭାଗା ?’

 

‘ହଜୁର ଅଛନ୍ତି ।’

 

‘ତାଙ୍କୁ ଏଠାକୁ ନେଇଆ । ଆରେ ! ଠିଆ କ’ଣ ମୋତେ ଗିଳିଯିବୁ ?

 

ଯେ ଆଜ୍ଞା ?

 

ଚାରୁମତୀ ପ୍ରତି–‘ରାଜକୁମାରୀ ! ତୁମେ ଜାଣିବା ଉଚିତ ଯେ ତୁମେ ଭାରତେଶ୍ୱରୀ ହେବାକୁ ଯାଉଛ, ତୁମ ଭାଗ୍ୟରେ ବଡ଼ବଡ଼ ରାଜକୁମାରୀମାନଙ୍କର ସେବାବି ମିଳିବ । ହଁ ହଁ ମୁଁ.....

 

ଚାରୁମତୀ ରାଗରେ ଗର୍ଜି ଉଠିଲେ–ଚୁପ୍‌କର ଭାଇ ।’

 

‘ଓଃ ବୁଝିଗଲି । ରୂପନଗର ରାଜାଙ୍କୁ ଧମକ ଦେବା ଅଧିକାର ଅଗ୍ରିମ ପାଇଗଲାଣି । ମାତ୍ର ଟିକେ ଅପେକ୍ଷା କର ସାମ୍ରାଜ୍ଞୀ ! ବଡ଼ବଡ଼ ମହାରାଜଙ୍କୁ ଧମକ ଦେବ । କିନ୍ତୁ ବାଦଶାହାଙ୍କୁ ନିଜ ହାତମୁଠାରେ ରଖିଥିବ ।’–ରାମ ସିଂହ ନମ୍ରତା ସହିତ କହିଲେ ।’

 

କାମବାର ଆସି ନମସ୍କାର ଜଣାଇ–‘ସେବକକୁ କି ଆଦେଶ ପ୍ରଭୋ !’

 

‘ସେବକକୁ କି ଆଦେଶ–ତାହାହେଲେ ତୁମେ ଏଇଲେ ଆଦେଶ ବାଟ ଚାହିଁ ବସିଛ । ହଇହୋ ! ଦୁର୍ଗରେ ଆଲୋକ ବନ୍ଦୋବସ୍ତ ହେଲା ?’

 

‘ହୋଇଯାଇଛି ହଜୁର ।’

 

ଆଉ ବାଦଶାହାଙ୍କ ସଲାମପାଇଁ ।’

 

‘ଠିକ୍ ହୋଇ ଯାଇଛି ।’

 

‘ମୁଁ କହିଥିଲିନା ଯେତେବେଳେ ବାଦଶାହୀ ସବାରୀ ସେନା ଦେଖିବ....’

 

‘ଦୁର୍ଗରେ ଧାୟଁ ଧାୟଁ ସଲାମୀ ତୋପ ଲଗାଇ ଦିଆଯିବ ।’

 

‘ବିଲ୍‌କୁଲ୍‌ ଠିକ୍‌ । କିନ୍ତୁ ଏପର୍ଯ୍ୟନ୍ତ ତୋପ ଲଗାଯାଇ ନାହିଁ । କଥା କ’ଣ ।’

 

‘ମହାରାଜ ! ବାଦଶାହୀ ସବାରୀର ଠିକଣା ନାହିଁ ।’

 

‘କାହିଁକି ଠିକଣା ନାହିଁ । ମୁଁ ପଚାରୁଛି–ବିବାହ ଲଗ୍ନ ପାଖେଇଗଲା ।’ ଠିକ୍ ଅଛି । ଏଆଡ଼େ ସବୁ ବ୍ୟବସ୍ଥା ଠିକ୍ ଅଛି । ଆଉ ତୁମେ କହୁଚ ଯେ ସେଆଡ଼େ ଆଲୁଅ ଓ ସଲାମର ସବୁ ବ୍ୟବସ୍ଥା ପ୍ରସ୍ତୁତ ।’

 

‘ହଁ ମହାରାଜ ।’

 

‘ଆଖିରେ ଦେଖିଲେ ଯାଇ ବିଶ୍ୱାସ ହେବ ।’ ରାମସିଂହ ଚାଲିଗଲା ।’

 

‘ନିର୍ମଳ କହିଲା–‘ବିପଦ ଚାଲିଗଲା ।’

 

‘ଚାରୁମତୀ ଉଦାସ ସ୍ୱରରେ କହିଲା–କାହିଁ ? ଏଇଲେ ବିପଦ ମୁଣ୍ତ ଉପରେ ଘୂରି ବୁଲୁଛି ।’

 

ନିର୍ମଳ ତାହାକୁ କର୍ଣ୍ଣପାତ ନକରି ଦୁର୍ଗ ଆଡ଼କୁ ଇଙ୍ଗିତ କରି କହିଲା–ଦେଖ, ଦୁର୍ଗରେ ଆଲୋକ ଜଳାଗଲାଣି । ସାହାନାଇ ବାଜି ଉଠୁଛି । ନୃତ୍ୟ ଗୀତ ମଧ୍ୟ ଚାଲିଛି । କିନ୍ତୁ ଇଏ କ’ଣ ? ଦୁର୍ଗ ପ୍ରାଚୀର ଉପରେ କ’ଣ କିଛି ହେଉଛି । ଶୁଣ ଶୁଣ । ବଡ଼ ଜୋରରେ ଗର୍ଜନ ହେଲା ରାଣା ସିଂହ ତାଙ୍କର ଦୁଇଜଣ ସାଥୀ ସହ ତରବାରି ହସ୍ତେ ପ୍ରବେଶ କଲେ । ତାଙ୍କୁ ଦେଖି ସବୁ ସ୍ତ୍ରୀଲୋକ ଇତସ୍ତତଃ ହୋଇ ପଡ଼ିବେ, ଚାରୁମତୀ ଖୁସିରେ ଅବାକ୍‌ ହୋଇଗଲା ।

 

‘ନିର୍ମଳ ସାହସରେ ପଚାରିଲା–‘କ’ଣ ମୁଁ ଭାବିବି ଯେ ମହାରାଣାଙ୍କର ଶ୍ରୀଚରଣ ସ୍ପର୍ଶ ପାଇ ରୂପନଗର ରାଜଉଆସ ପବିତ୍ର ହେଲା ?’

 

‘ରାଜସିଂହ କହିଲେ–‘ହଁ ମୁଁ ରାଜସିଂହ ! କିନ୍ତୁ ମୁଁ କ’ଣ ଭୁଲ୍‌ରେ ଏଠାକୁ ପଶି ଆସିଲି ।’

 

ନିର୍ମଳ ତାଙ୍କୁ ପ୍ରଣାମ କରି କହିଲା–‘ନା ମହାରାଜ ! ଭାଗ୍ୟ ଯୋଗୁଁହିଁ ଆପଣ ଚାଲି ଆସିଛନ୍ତି ।’

 

‘ଦୁର୍ଗରେ ଆଲୋକ ସଜ୍ଜା, ମହଲରେ ମଙ୍ଗଳ ସଙ୍ଗୀତ, ରାଜକୁମାରୀଙ୍କ ସାଜସଜ୍ଜା, ଏସବୁ କ’ଣ ?’

 

ନିର୍ମଳ ମୁରୁକି ହସି ହସି–‘ଆଜି ରୂପନଗର ରାଜକୁମାରୀଙ୍କ ବିବାହ । ମହାରାଜ ଆଗେଇ ଆସନ୍ତୁ ।’

 

‘କାହା ସଙ୍ଗରେ ?’

 

‘ଯାହାର ପ୍ରତାପରେ ରାଜପୁତ ଜାତି ଜାଗ୍ରତ, ଦିଲ୍ଲୀ ପତି ଯାହାକୁ ଭୟ କରେ, ଯିଏ ସମଗ୍ର ଭାରତର ରାଜରାଜେଶ୍ୱରଙ୍କ ଆଶ୍ରୟ ସ୍ଥଳ ସେଇ ମେବାର ପତି ରାଜସିଂହଙ୍କ ସତେ । ସମୟ ଏବଂ ସୁବିଧା ଦେଖି ସବୁ କାର୍ଯ୍ୟ ହୁଏ ମହାରାଜ, ଆଜିହିଁ ସୁଯୋଗ । ହାତ ଦିଅନ୍ତୁ ।’

 

‘କୁମାରୀଙ୍କ ଇଚ୍ଛା କ’ଣ ସେଇଆ ?’

 

‘ତାହା ହଜୁରଙ୍କୁ ଜଣା ।’

 

‘ମୁଁ କୁମାରୀ ମୁହଁରୁ ଶୁଣିବାକୁ ଚାହେଁ ।’

 

‘ମହାରାଜ ! କୁଳବତୀ ଲଳନାମାନେ ଏ ସମ୍ପର୍କରେ ମୁହଁ ଖୋଲି କେମିତି କହିବେ ? ହେଲେ ପ୍ରସଙ୍ଗ ସେଇଆ, ବର୍ତ୍ତମାନ ଏହା ଥାଉ । କନ୍ୟା ବାଦଶାହାର ବେଗମ୍‍ପାଇଁ ଅନିଚ୍ଛୁକ ?’

‘ନା ଅନିଚ୍ଛୁକ ।’

 

‘ମୁଁ କନ୍ୟା ମୁହଁରୁ ଶୁଣିବାକୁ ଚାହେଁ ।’

 

ଚାରୁମତୀକୁ ନିର୍ମଳ କହିଲା–‘କୁହ ସଖୀ, ଏଇଟା ଲଜ୍ଜାର ସମୟ ନୁହେଁ ।

 

‘ଚାରୁମତୀ ସଲ୍ଲଜ ବଦନରେ ମଥାନତ କରି ଉତ୍ତର ଦେଲା–‘ନା ମହାରାଜ ! ମୁଁ ଆପଣଙ୍କର ଶରଣାର୍ଥୀ ।’

 

ରାଜସିଂହ ତରବାରି ଉତ୍ତୋଳନ କରି କହିଲେ–‘ଶରଣାର୍ଥୀକୁ ଅଭୟ । ଚାଲ କୁମାରୀ । ମେବାର ତୁମପାଇଁ ଜୀବନ ଦେବ ।’

 

ନିର୍ମଳ ଆଗେଇ ଆସି କହିଲା–ଏମିତି ନୁହେଁ ମହାରାଜ । ରାଜପୁତ ରମଣୀମାନେ ଏପରି ଭାବରେ ବାପଘର ଛାଡ଼ି ଚାଲି ଯାଆନ୍ତିନି ।’

 

‘ତାହାହେଲେ ?’

 

‘ବୀରଶ୍ରେଷ୍ଠ ! ଆପଣଙ୍କ ଖଡ଼୍‌ଗରେ ଯଦି ଶକ୍ତି ଥାଏ ତେବେ ଆପଣ ରୂପନଗର ରାଜକୁମାରୀଙ୍କୁ ହରଣ କରନ୍ତୁ ।’

ରାଜକନ୍ୟା କେବଳ ବିପଦରେ ପଡ଼ି ମୋର ଶରଣ ପଶିଛନ୍ତି । ରାଜଧର୍ମ ଭାବି ମୁଁ ଶରଣ ରକ୍ଷା କଲି । ହରଣ ଏବଂ ବରଣ ଭିନ୍ନ ପଦାର୍ଥ ।

 

‘ମହାରାଣା ଆପଣ ଏ କ’ଣ କହୁଛନ୍ତି ? ରାଜକନ୍ୟା କାୟମନୋବାକ୍ୟରେ ଆପଣଙ୍କୁହିଁ ବରି ସାରିଛି ।’

 

‘ନିରୁପାୟ ହୋଇ ।’

 

ଏହାଶୁଣି ଚାରୁମତୀ କାନ୍ଦି ଉଠିଲା ଓ ନିର୍ମଳକୁ ବାଧା ଦେଇ କହିଲେ–‘ତୁ କାହିଁକି ତାଙ୍କ ସଙ୍ଗେ ଅଯଥା କଥାବାର୍ତ୍ତା କରୁଛୁ ।’ ପୁଣି ହାତ ଯୋଡ଼ି ରାଣାଙ୍କୁ କହିଲେ–‘ମୋ ପରି ଅଳ୍ପ ମତିକୁ କ୍ଷମା କରନ୍ତୁ, ଆପଣ ମେବାର ଫେରି ଯାଆନ୍ତୁ ।’

 

‘ଆଉ ତୁମେ ? ତୁମେ ମୋର ଶରଣ ପ୍ରାର୍ଥୀ ।’

 

‘ଆପଣଙ୍କଠାରୁ ଶକ୍ତିଶାଳୀ ଶରଣ ମୋତେ ମିଳିଯାଇଛି ହଜୁର ।’

 

‘ଅଧିକ ଶକ୍ତିଶାଳୀ । ସେ କିଏ ?’

 

‘ବିଷ । ସାମାନ୍ୟ ଏକ ନଗଣ୍ୟ ବାଳିକାପାଇଁ ବୀର ଶ୍ରେଷ୍ଠ ବିପଦରେ ପଡ଼ନ୍ତୁ, ଏହା ମୁଁ ଚାହେଁନା ।’

 

‘ତାହାହେଲେ ମୋତେ ଡକାଇଥିଲେ କାହିଁକି ?’

 

‘କହି ଦେଇଛି ତ ତାହା ମୋର ମୂର୍ଖତା ।’

 

ତା’ ହୋଇନପାରେ ବର୍ତ୍ତମାନ ତୁମକୁ ମୋ ସହ ମେବାର ଯିବାକୁ ପଡ଼ିବ, ପରେ ତୁମର ଯା ଇଚ୍ଛା.....’

 

‘ମୁଁ ଏଠାରେ ପ୍ରାଣପାତ କରିବି ।’

 

ନିର୍ମଳ ମଝିରେ କହିଉଠିଲା–‘ମହାରାଜ ! କୁଳ ଲଳନାମାନେ କ’ଣ ସ୍ୱାମୀ ବ୍ୟତୀତ ଅନ୍ୟ କାହା ସଙ୍ଗେ ପିତୃ ଗୃହତ୍ୟାଗ କରନ୍ତି ?’

 

ଚାରୁମତୀ ରାଣାଙ୍କୁ ପ୍ରଣାମ କରି କହିଲେ–‘ଏ ତୁଚ୍ଛ ରାଜକନ୍ୟା ବୋଧେ ମହାମହିମ ରାଣାଙ୍କର ଯୁଦ୍ଧ ସାଥୀ ହେବା ଯୋଗ୍ୟ ନୁହେଁ ।’

 

ନିର୍ମଳ ପୁଣି କହିଲା–‘ମହାରାଜ, କଥାବାର୍ତ୍ତାରେ ମଜ୍ଜିଯିବାର ସମୟ ଏ ନୁହେଁ । ଆସନ୍ତୁ-।’ ଏହା କହି ରାଣାଙ୍କର ଲୁଗାକାନି ସହ ଚାରୁମତୀର ଶାଢ଼ି ଅଞ୍ଜଳ ବାନ୍ଧିଦେଲା । ସଖୀମାନେ ଫୁଲ ଓ ଅତର ଫିଙ୍ଗି ଗୀତ ଗାଇବାକୁ ଲାଗିଲେ ।

 

ରାଣା ଆହ୍ୱାନ ଦେଇ କହିଲେ–‘ମେବାରର ରାଣା ଏଇ ରାଜସିଂହ ରୂପନଗର ରାଜକନ୍ୟା ଚାରୁମତୀକୁ ହରଣ କରୁଛି, ଶକ୍ତି ଥିଲେ ବାଧା ଦେଇପାର । ଚାଲ ରାଜକୁମାରୀ ।’

 

ଚାରୁମତୀ ନିର୍ମଳକୁ ଜଡ଼ାଇ ଧରି–‘ସଖୀ । ସ୍ତ୍ରୀ ହେବା ଦୁର୍ଭାଗ୍ୟଜନକ, ପୁଣି ରାଜପୁତ କନ୍ୟା ଆହୁରି ବେଶୀ ଦୁର୍ଭାଗ୍ୟଜନକ ।’

 

‘ଯାଅ ସଖୀ ତୁମକୁ ଶୀଘ୍ର ଦେଖା କରିବି । ମୁଁ କହୁଥିଲି ଆଜିର ଶଙ୍ଖାସିନ୍ଦୁର ସୀମନ୍ତିନୀର ଶଙ୍ଖା ସିନ୍ଦୁର ।’

 

ରାଣା ଯିବାକୁ ପ୍ରସ୍ତୁତ ହେବାବେଳେ କେତେକ ସୈନ୍ୟ ସହ ତରବାରି ହସ୍ତେ ରାମସିଂହ ପ୍ରବେଶ କରି–‘ବାନ୍ଧିଦିଅ, ମାରିଦିଅ କିଏରେ ତୁ ଚୋର, ଏହାକୁ ଧର ।’

 

ରାଣା ତରବାରି ଉଠାଇ–‘ମୁଁ ଉଦୟପୁର ରାଣା ରାଜସିଂହ । ତୁମେ କିଏ ?

 

ଏହାଶୁଣି ରାମସିଂହ ବିବ୍ରତ ହୋଇପଡ଼ି–‘ତୁମେ......ଆପ.....ରାଜସିଂହ.....ତୁମେ ଆପଣ ଏଠାରେ କେମିତି.... ?’

 

‘ତୁମେ କିଏ ?’

 

‘ମୁଁ ରାମସିଂହ.......ନା ରୂପନଗର ରାଜା । ହଁ ଆପଣ ମୋର ପ୍ରକୋଷ୍ଠରେ କେମିତି ପ୍ରବେଶ କଲେ ?’

 

‘ତୁମ ଭଉଣୀକୁ ହରଣ କରିବା ଉଦ୍ଦେଶ୍ୟରେ । ପ୍ରଥମେ ଆତ୍ମରକ୍ଷା କର ।’

 

‘ଏହାଶୁଣି ରାମସିଂହ ନିଜ ସୈନ୍ୟଙ୍କୁ ଆଦେଶ ଦେଲେ–‘ଦେଖୁଛ କ’ଣ ମାର, ସମସ୍ତେ ମାର ।’

 

ସେଇ ସମୟରେ ମହାରାଣାଙ୍କର ଜୟଧ୍ୱନି କରି ବିକ୍ରମ ସିଂହ ତରବାରି ଉତ୍ତୋଳନ ହସ୍ତେ ନିଜର ସୈନ୍ୟଗଣ ସହ ପହଞ୍ଚିଗଲେ । ସେ କହିଲେ–‘ଜୟ ମହାରାଣା ରାଜସିଂହଙ୍କର ଜୟ-। ଇଏ ସେହି କୁଳାଙ୍ଗାର ରାମସିଂହ ରାଜକନ୍ୟା ବିବାହପାଇଁ ବାଦଶାହାଙ୍କୁ ନିମନ୍ତ୍ରଣ କରି ଡକାଇଛି-।’

 

ରାମସିଂହ କ୍ରୋଧରେ ଗର୍ଜି ଉଠି–‘ତାହାହେଲେ ଏ ସମସ୍ତର ମୂଳ ତୁମେ ! ଏଇ ନିଅ । ସେ ତାଙ୍କ ଉପରେ ଅସ୍ତ୍ରାଘାତ କଲେ ।’

 

ବିକ୍ରମସିଂହ କହିଲେ–ନିଅ ମୂର୍ଖ, ନିଜ କୃତକର୍ମର ଫଳ ଭୋଗ’ ଏବଂ ସେ ସ୍ଥାନ ବଦଳାଇ ଅସ୍ତ୍ରାଘାତ କଲେ, ରାମସିଂହର ମୁଣ୍ତ ଛିଟିକି ପଡ଼ିଲା ।’

 

ରାମସିଂହ ହାତ ଉଠାଇ କହିଲେ ‘ବାସ୍‌ ! ଯୁଦ୍ଧ ବନ୍ଦ କରନ୍ତୁ । ଏ ଆପଣ କ’ଣ କଲେ-? ନିଜର ସମ୍ପର୍କୀୟକୁ ମାରିଦେଲେ ?’

 

‘ସେ ଏହାର ହକ୍‌ଦାର ମହାରାଜ । ନିଜର କୃତକର୍ମର ଫଳ ଭୋଗିଲା । ବର୍ତ୍ତମାନ ଏଭଳି ପରିସ୍ଥିତିରେ କନ୍ୟାଦାନ କରିବି ।’ ବିକ୍ରମସିଂହ ହାତଦ୍ୱୟ ମିଳାଇ ତାଙ୍କୁ ଆଶୀର୍ବାଦ ଦେଲେ-। ରାଜପରିବାର ଅନ୍ୟ ସ୍ତ୍ରୀମାନେ ମଙ୍ଗଳଗାନ କଲେ । ଚାରୁମତୀ ମାତାଙ୍କୁ ଦେଖି କୁଣ୍ଢାଇ ଧରିଲେ-। ମହାରାଣୀ କହିଲେ–‘ମାଆ’ । ତୋର ସୌଭାଗ୍ୟ ଅଟଳ ରହୁ ।’ ତା’ପରେ ରାଜସିଂହଙ୍କୁ ପ୍ରାର୍ଥନା କରି କହିଲେ–‘ମହାରାଜ ! ରାଜପୁତ କନ୍ୟାକୁ ଉଦ୍ଧାର କରି ଆପଣ ଯଥାଯଥ କାର୍ଯ୍ୟ କରିଛନ୍ତି-। ଆମଦ୍ୱାରା କିଛି ଅତିଥି ସତ୍କାର ହୋଇପାରିଲା ନାହିଁ ତେବେ ଏଇ ପ୍ରେମ ସନ୍ତକଟିକୁ ଗ୍ରହଣ କରନ୍ତୁ-।’ ସେ ବହୁମୂଲ୍ୟ ମୋତି ହାରଟିକୁ ରାଣାଙ୍କ ଗଳାରେ ପିନ୍ଧାଇ ଦେଲେ ।

 

ରାଜସିଂହ କହିଲେ–‘ସୁବିଧାନୁସାରେ ସବୁ କିଛି ହୁଏ । ଅତଏବ ଆମେ ବର୍ତ୍ତମାନ ଚାଲିଯାଉଁଛୁ ।’

 

‘ହଁ ବିକ୍ରମସିଂହ ମହାଶୟ ! ଆପଣଙ୍କୁ ମୁଁ ରୂପନଗର ମହାରାଜାରୂପେ ସ୍ୱୀକାର କଲି ।’ ଏହା କହି ନିଜର ରତ୍ନଖଚିତ ତରବାରି ବିକ୍ରମସିଂହଙ୍କ ଅଣ୍ଟାରେ ବାନ୍ଧି ଦେଲେ ।’

 

ପନ୍ଦର

 

ସକୁଶଳେ ଉଦୟପୁର ପହଞ୍ଚି ରାଣା ପ୍ରଥମେ ରତ୍ନସିଂହଙ୍କ ସମ୍ୱାଦ ଜାଣିବାକୁ ବ୍ୟଗ୍ର ହୋଇ ଉଠିଲେ । ବାଦଶାହା ଯଥାସମୟରେ ରୂପନଗର ପହଞ୍ଚିନଥିବାରୁ ରତ୍ନସିଂହଙ୍କ କୁଶଳୀ ସେନା ଚାଳନା ସମ୍ପର୍କରେ ଅନୁମାନ କରୁଥିଲେ । ସେ ନିଜ ସର୍ଦାରମାନଙ୍କୁ କହିଲେ–‘ସର୍ଦାରଗଣ ! ରାଉତ ରତ୍ନସିଂହଙ୍କ ସମ୍ୱାଦ ନ ଜାଣିବା ପର୍ଯ୍ୟନ୍ତ ମୋର ଉଦ୍‌ବିଗ୍ନତା ପ୍ରଶମିତ ହେବ ନାହିଁ । ଏପର୍ଯ୍ୟନ୍ତ ଯୁଦ୍ଧ ସମ୍ୱାଦ କିଛି ମିଳିଲା ନାହିଁ ।’ –ଏହିପରି କହୁଥିଲାବେଳେ ଜଣେ ଯୋଦ୍ଧା ରକ୍ତାକ୍ତ ଅବସ୍ଥାରେ ଝଡ଼ ଭଳି ପ୍ରବେଶ କରି କହିଲା–‘ଅନ୍ନଦାତାଙ୍କର ଜୟ ହେଉ, ମୁଁ ଯୁଦ୍ଧକ୍ଷେତ୍ରରୁ ଆସୁଛି-।’

 

ରାଣା ବ୍ୟଗ୍ରତାର ସହ ପ୍ରଶ୍ନ କଲେ–‘କୁହ ବୀର ! ଯୁଦ୍ଧ ସମ୍ୱାଦ ଜଣାଅ ।’

 

‘ମହାରାଜ ! ବର୍ଷାଦିନର ବାରିଧାରା ପରି ଏଇଥର ପ୍ରଖର ଯୁଦ୍ଧରେ ରାଜପୁତମାନେ ଚାରିଆଡ଼ୁ ଘେରିଯାଇ ମୋଗଲ ସୈନ୍ୟଙ୍କୁ କାଟି ପକାଇଲେ ।’

 

‘ତାହାହେଲେ ଆମର ଜୟ ହେଲା ?’

 

‘ଅନ୍ନଦାତା ! ଏଥିରେ କ’ଣ ଆଉ ସନ୍ଦେହ ଥାଇପାରେ ? ଶ୍ରୀମାନ ସକୁଶଳେ କନ୍ୟାହରଣ କରି ନେଇ ଆସିଲେ ଓ ଆଲମଗୀର ମୁହଁରେ କାଳି ଲାଗିଗଲା ଏବଂ ଚିରଦିନ ପାଇଁ ଏହା ତା’ର ମନେରହିବ ।’

 

‘କ’ଣ ବିଜୟୀ ରତ୍ନସିଂହ ପଛରେ ଆସୁଛନ୍ତି ?’

 

‘ହଁ ମହାରାଜ ! ବିଜୟୀ ବୀର ରାଜପୁତ ଧର୍ମ ପାଳନ କରି ଏପରି ଆଡ଼ମ୍ୱରପୂର୍ଣ୍ଣ ଭାବରେ ଆସୁଛନ୍ତି ଯେ କେହି ଏହା ପୂର୍ବରୁ ଏମିତି ଆସି ନଥିଲେ ।’

 

‘କ’ଣ କହୁଛ ତୁମେ ?’

 

‘ଅନ୍ନଦାତା ! ବୀର ଶିରୋମଣି ତରବାରି–ଯୋଦ୍ଧା ମେବାର ଫେରି ଆସୁଛନ୍ତି ।’

 

‘ସର୍ଦାରଗଣ ! ଯାଅ ବିଜୟୀ ବୀରଙ୍କୁ ସ୍ୱାଗତ କରାଯାଉ । ଦୁର୍ଗମାନଙ୍କରେ ଆଲୋକ ଜଳାଇ ଦିଆଯାଉ । ପରମ୍ପରାଗତ ବିଧିରେ ସେଥିପାଇଁ ଛତ୍ର, ଚାମର, ଶିଙ୍ଗା ଇତ୍ୟାଦି ପ୍ରଦାନ କଲି-।’

 

‘ଢୋଲ ବାଇଦ ବାଜୁ, ଆଲୋକ ଦିଆଯାଉ ମହାରାଜା, ସମସ୍ତେ ଦେଖନ୍ତୁ ତାଙ୍କର ଏଇ ଉତ୍ସର୍ଗକୁ, ତାଙ୍କରି ଆତ୍ମବଳି ଦାନକୁ ।’

 

ରାଣା ଚମକି ଯାଇ ପ୍ରଶ୍ନ କଲେ–‘କ’ଣ ଠାକୁର ! ତୁମେ କ’ଣ କହୁଛ ?’

 

ଆଖିରୁ ଲୁହ ପୋଛି ଯୋଦ୍ଧା କହିଲେ–‘ଠିକ୍ କହିଲି ।’

 

‘ନା ସନ୍ଦେହ ହୁଏ ମୋର ! ରାଉତ ରତ୍ନସିଂହ ଜୀବିତ ନାହିଁ !’

 

‘ମହାରାଜ । ସେ ଜୀବନକୁ ଜୟ କରି ସାରିଛନ୍ତି ।’

 

ରାଣା ଦୀର୍ଘଶ୍ୱାସ ନେଇ କହିଲେ–‘ତାହାହେଲେ କହୁଛ ବୀର ଶ୍ରେଷ୍ଠ ରତ୍ନସିଂହ ଆଉ ନାହାନ୍ତି !’

 

‘ମହାରାଜ ! ରାଉତ ରତ୍ନସିଂହ ଅମର ହୋଇଗଲେ ଓ ଶତ୍ରୁଙ୍କଠାରୁ ଏଭଳି ପ୍ରତିଶୋଧ ନେଲେ କି ଯାହାର ନାମ.......’

 

‘ମହାରାଜ, ଆମେ ତାଙ୍କ ମୃତ ଶରୀରକୁ ନେଇ ଆସିଛୁ ।’

 

‘ରତ୍ନଗର୍ଭା ବସୁନ୍ଧରାର ଗୋଟାଏ ପୁତ୍ର ଆଜି ଜୀବନର ଉଦୟ ପଥରେହିଁ ଅସ୍ତ ହୋଇଗଲା । ଧର୍ମ ଓ କର୍ତ୍ତବ୍ୟ ବେଦୀରେ ବଳିଦାନ ଦେବାର ଏକ ଚରମ ଦୃଷ୍ଟାନ୍ତ । ମାତ୍ର ଏ ବୀରକୁ ମୁଁ କିଛି ପୁରସ୍କାର ଦେଇ ପାରିଲି ନାହିଁ ।’

 

ଜଣେ ସର୍ଦାର କହିଲେ–‘ମହାରାଜ ! ନିଜର ଯଶସ୍ୱୀ ମୃତ୍ୟୁହିଁ ବୀରର ପୁରସ୍କାର ଅଟେ-। କର୍ତ୍ତବ୍ୟ ପାଳନ ଓ ଧର୍ମ ରକ୍ଷାପାଇଁ ଜୀବନ ଉତ୍ସର୍ଗ କରିଥିବା କ୍ଷତ୍ରିୟର କିଏ ଅପମାନ କରିପାରେ ହଜୁର ? କର୍ତ୍ତବ୍ୟ ଏବଂ ବଳିଦାନ ମୂଲ୍ୟ ବୃଦ୍ଧି କରିଥାଏ । ରାଉତ ରତ୍ନସିଂହର ଦୁର୍ଲ୍ଲଭ-। ଆମେ ତାକୁ ଦହନ କରି ସତ୍କାର କରିବୁ ।’

 

ରାଣା ଯୋଦ୍ଧାଙ୍କୁ ପଚାରିଲେ–‘ଧନ୍ୟ ସେ ରତ୍ନସିଂହ । ଠାକୁର, ସେ ବୀର ଶ୍ରେଷ୍ଠଙ୍କ ଯୁଦ୍ଧ କାହାଣୀ ବର୍ଣ୍ଣନା କର ।’

 

‘ମହାରାଜ ! କୋଉ ପର୍ଯ୍ୟନ୍ତ ବର୍ଣ୍ଣନା କରିବି । କୃଷକ ଫସଲ କାଟିଲା ଭଳି ଚୂଡ଼ାମଣି ବୀର ଶତ୍ରୁ ସେନାକୁ କାଟି ପକାଇଲେ । ଅନେକ ବିଳମ୍ୱରେ ତାଙ୍କ ଶରୀର ଶତ୍ରୁ ହାତକୁ ଗଲା ।’

 

‘ଆଦର୍ଶ ଓ ତ୍ୟାଗର ମୂର୍ତ୍ତି ଚୂଡ଼ାମଣି ମେବାରର ଆଦର୍ଶ ରଖିଗଲେ । କୁହ ବୀର । କେତେ ଯୋଦ୍ଧା ଆଉ ଜୀବିତ ଅଛନ୍ତି ?’

 

‘ହାତରେ ଗଣି ହୋଇଯିବ ମହାରାଜ ! କିନ୍ତୁ ଯାହାହେଉ ଶରଣାର୍ଥୀର ସୁରକ୍ଷା ସଙ୍ଗେ ସଙ୍ଗେ ମେବାରର ଆତ୍ମସମ୍ମାନ ବଜାୟ ରହିଲା ।

 

ବୀର ବାଳକ ରତ୍ନସିଂହ ଏବଂ ହାଡ଼ିରାଣୀ ଜନ୍ମ ନେଉଥିବା ଭଳି ଦେଶ ପ୍ରକୃତରେ ଧନ୍ୟ ଅଟେ ଓ ବୀର ପ୍ରସବିନୀ ଜୀବନ–ଆଦର୍ଶ ଓ ଜୀବନ ଉତ୍ସର୍ଗର ଚୂଡ଼ାନ୍ତ ଉଦାହରଣ ଅଟେ । ଯାଅ ବୀର ତୁମେ ବିଶ୍ରାମ କରିବ । ମୁଁ ଏ ଯୋଦ୍ଧା ଏବଂ ବିଜୟୀ ବୀରଙ୍କୁ ଏଭଳି ସ୍ୱାଗତ କରିବି କି ଯାହାର ନାମ..... । ସର୍ଦାରଗଣ ଆସନ୍ତୁ ବୀରପୂଜାର ପ୍ରସ୍ତୁତି କରିବା ।’

 

ଷୋହଳ

 

ଦିନ ପରେ ଦିନ ବିତିଗଲା । ସୁବିଧା ଦେଖି ରାଣା ଦିନେ ଚାରୁମତୀ ସଙ୍ଗେ କଥା ହେଲେ–‘ବାଦଶାହାଙ୍କ କବଳରୁ ତୁମ ରକ୍ଷା ହୋଇଗଲା । ଏବେ ତୁମର ଇଚ୍ଛା କ’ଣ କୁହ ।’

 

ଏଭଳି ପ୍ରଶ୍ନରେ ଲଜ୍ଜାପାଇଁ ସେ ଉତ୍ତର ଦେଲେ–‘ମହାରାଜ ! ଆପଣ ହରଣ କରିଥିବା କ୍ଷତ୍ରିୟ କନ୍ୟାର ଇଚ୍ଛା ଆସିଲା କୁଆଡ଼ୁ ? କ୍ଷତ୍ରିୟମାନେ କନ୍ୟା ହରଣ କରିବା କାରଣରୁ ଆପଣ ମୋତେ ହରଣ କରିଛନ୍ତି ।’

 

‘ମୁଁ ନିଜ ଇଚ୍ଛାରେ ତ ତୁମକୁ ହରଣ କରିନାହିଁ । ତୁମର ପତ୍ର ପାଇ ଶରଣାର୍ଥୀକୁ ଅଭୟ ଦେଇ କର୍ତ୍ତବ୍ୟ ପାଳନ କରୁଛି ମାତ୍ର ।’

 

‘ମହାରାଜ ହରିତ କନ୍ୟାର ଅନ୍ୟଗତି କାଇଁ ?’

 

‘କାହିଁକି ? ତୁମେ ଏଇଲେ ରୂପନଗର ଯାଇପାର । ବିକ୍ରମ ସିଂହ ଖାଣ୍ଟି କ୍ଷତ୍ରିୟ, ସେ ତୁମର ଇଚ୍ଛାନୁସାରେ ବିବାହ ଦେବେ ।’

 

ଚାରୁମତୀ ଲୋତକ ନୟନରେ କହିଲେ–‘ବିପତ୍ତି ମୋଠାରୁ ଲାଜ ସରମ ଛଡ଼ାଇ ନେଇଛି ମହାରାଜ । ମୁଁ ସ୍ୱୟଂ ନିଜକୁ ଯେତେବେଳେ ସମର୍ପି ଦେଲି ଗୁରୁଜନମାନେ ଆପଣଙ୍କ ସଙ୍ଗେ ମୋର ଗଣ୍ଠି ବାନ୍ଧି ଦେଲେ ସେତେବେଳେ ଏ ମନ ଶରୀର ଆପଣଙ୍କର ହୋଇଗଲା । ଆଉ କ’ଣ କହିବି ?’

 

‘କିନ୍ତୁ କୁମାରୀ ! ବାଦଶାହାଙ୍କଠାରୁ ରକ୍ଷା ପାଇବାକୁ ନିରୁପାୟ ହେବାରୁ ଏ ସମସ୍ତ ଘଟିଗଲା । ମୋର ରାଜଧର୍ମ ଓ କ୍ଷତ୍ରିୟ ଧର୍ମ ଅନୁଚିତ ଭାବରେ ଶରଣାର୍ଥୀଙ୍କଠାରୁ ଅସହାୟର ସୁଯୋଗ ନେଇ ଲାଭ ଉଠାଇବା ବାରଣ କରେ ।’

 

‘ତାହାହେଲେ ମହାରାଜ କ’ଣ କହିବାକୁ ଚାହାଁନ୍ତି ?’

 

‘ଏଇଆ ଯେ ତୁମେ ରୂପନଗର ଫେରିଯାଇ ଗୁରୁଜନଙ୍କ ଇଚ୍ଛାନୁସାରେ କାର୍ଯ୍ୟ କର ।’

 

‘ଯାହା ଆପଣଙ୍କର ଆଦେଶ । ଆପଣଙ୍କ ଆଦେଶାନୁସାରେ ମୁଁ ରୂପନଗର ଚାଲିଯିବି, ସେଠାରେ ରାଜଶକ୍ତି ଦିଲ୍ଲୀ ବାଦଶାହାଙ୍କ କୋପାନଳରୁ ମୋତେ ରକ୍ଷା କରିପାରିବ ନାହିଁ । ମୋତେ ପୁଣି ଛାମୁଙ୍କ ଶରଣ ନେବାକୁ ପଡ଼ିବ, ମାତ୍ର ମୁଁ ଆପଣଙ୍କୁ ଆଉ କଷ୍ଟ ନ ଦେଇ ଦିଲ୍ଲୀ ଚାଲିଯିବି ।’

 

‘କ’ଣ ଦିଲ୍ଲୀ ରଙ୍ଗମହଲକୁ ଯିବ ? ଯଦି ଆଗରୁ ସେଇ ଇଚ୍ଛା ଥିଲା । ତେବେ ଗଲ ନାହିଁ କାହିଁକି ?’

 

‘ପ୍ରଥମେ ଭାବିଥିଲି....ଛାଡ଼ନ୍ତୁ ସେ କଥା ।’

 

‘କୁମାରୀ ! ତୁମେ ଯଦି ବାଦଶାହାଙ୍କ ବେଗମ୍‌ ହେବାକୁ ଇଚ୍ଛା କର ତେବେ ସେଥିରେ ମୁଁ ବାଧାଦେବିନି ।’

 

‘ରାଜପୁତ ବୀରାଙ୍ଗନାର ଇଚ୍ଛାରେ ବାଧା ଦେଲାଭଳି ପୃଥିବୀରେ କେହି ଜନ୍ମ ହୋଇନି । ମୁଁ ଆପଣଙ୍କୁ କହିଥିଲି ନା ମୋତେ ଶକ୍ତିଶାଳୀ ଆଶ୍ରୟ ମିଳିଯାଇଛି ବୋଲି, ଏଥର ମୁଁ ତାହାର ଆଶ୍ରୟ ପ୍ରାର୍ଥୀ ହେବି ।’

 

‘କିଏ ସେ ଶକ୍ତିଶାଳୀ ?’

 

‘ହଳାହଳ ବିଷ ! ଶେଷରେ ରାଜପୁତ କନ୍ୟାମାନଙ୍କର ଗତିତ ଏଇଠାକୁ ମହାରାଜ ।’

 

‘କ’ଣ ବିଷ ପାନ କରିବ କୁମାରୀ ?’

 

‘ଆଉ ଉପାୟ କ’ଣ ? ସେ ଆପଣଙ୍କ ଭଳି ନିରାଶ କରିବନି ବୋଲି ଆଶା ।’

 

‘କ’ଣ ମୁଁ ନିରାଶ କରୁଛି, ମୁଁ ତୁମକୁ ନିରାଶ୍ରୟ କରୁନାହିଁ କୁମାରୀ ।’

 

‘ତାହାହେଲେ ରୂପନଗରରେ ମୋର ରକ୍ଷାକର୍ତ୍ତା କିଏ ?’

 

‘ତାହାହେଲେ ତୁମେ ଏଇଠି ରୁହ ।’

 

‘ଅତିଥି ହୋଇ ନା ଦାସୀ ହୋଇ !’

 

ଏହା ଶୁଣି ରାଣାଙ୍କୁ ହସ ମାଡ଼ିଲା–‘ତୁମକୁ ଜିଣିବା କଠିନ, ମୁଁ ତୁମର ବାଚାଳତା ଦେଖୁଥିଲି ! ଆଚ୍ଛା ତୁମର ଇଚ୍ଛା ପୂର୍ଣ୍ଣ ହେବ, ତୁମର ଇଚ୍ଛାନୁସାରେ ତୁମେ ଏଇଠି ରୁହ ।’

 

‘ଚାରୁମତୀ ରାଣାଙ୍କ ଚରଣ ସ୍ପର୍ଶ କରି କହିଲେ–‘ମହାରାଜ ! ଆପଣଙ୍କ ଛବି ଦେଖିଲା ଦିନରୁ ମୁଁ ଆପଣଙ୍କର ହୋଇ ସାରିଥିଲି । ଆପଣ ଭାବୁଥିବେ ମୋହରିପାଇଁ ବାଦଶାହାଙ୍କ ସଙ୍ଗେ କନ୍ଦଳ ହୋଇଗଲା ।’

 

‘ଛାଡ଼ନ୍ତୁ ! ଯାହା ହେବାର ହୋଇ ସାରିଛି । ମହାରାଜଙ୍କ ବିଶାଳ ଦର୍ପ ଆଗରେ ମୋଗଲ ଦର୍ପ ଚୂର୍ଣ୍ଣ ହୋଇଛି ।’

 

‘ମୋଗଲଙ୍କୁ ମୁଁ ତିଳେହେଲେ ଭ୍ରୂକ୍ଷେପ କରେନା, ତୁମ ପରି ସୁଚତୁରା ରୂପବତୀ ଗୁଣବତୀ ଭାର୍ଯ୍ୟାକୁ ପାଇ କେଉଁ ରାଜା ଧନ୍ୟ ନ ହେବ । ଆସ, କାୟମନୋବାକ୍ୟରେ ମୁଁ ତୁମକୁ ପାଟମହିଷୀ କଲି ।’

 

‘ମହାରାଜ, ମୁଁ ପ୍ରତିଜ୍ଞା କରିଥିଲି ଯଦି ଆପଣ ମୋତେ ଗ୍ରହଣ ନ କରିଥାନ୍ତେ ତେବେ ସମୁଦ୍ରରେ ଝାସ ଦେଇଥାନ୍ତି ।’

 

‘ପ୍ରିୟେ ! ପ୍ରକୃତରେ ମୋର ଅନ୍ତର କଥା ଶୁଣ । ବିପଦରେ ପଡ଼ି ମୋର ସାହାଯ୍ୟ ଆଶା କରିଥିବାରୁ ମୁଁ ଏତେ କଥା ସବୁ କହିଲି । ମାତ୍ର ରୂପନଗର ଖବର ପଠାଇ ଗୁରୁଜନମାନଙ୍କ ସପକ୍ଷରେ ବିଧିବଦ୍ଧ ଭାବରେ ପାଣିଗ୍ରହଣ କରି ଧର୍ମ ଓ ଔଚିତ୍ୟ ରକ୍ଷା କରିବାପାଇଁ ମୁଁ ଇଚ୍ଛା କରୁଛି-।’

 

‘ଉତ୍ତମ ! ମୁଁ ମଧ୍ୟ ସେମାନଙ୍କର ଆଶୀର୍ବାଦ ନେଇ ଆପଣଙ୍କର ପଦ ସେବିକା ହେବାକୁ ଚାହେଁ ।’

 

ରାଣା ରୂପନଗର ସମ୍ବାଦ ପଠାଇଦେଲେ । ସଙ୍ଗେ ସଙ୍ଗେ ରାଣୀ ଏବଂ କାକା ପରିଜନମାନଙ୍କ ସହ ଆସି ଯଥାରୀତି ନିଜର କନ୍ୟାର ବିବାହ ସମ୍ପନ୍ନ କରିଦେଲେ । ଚାରୁମତୀ ମହାରାଣୀ ହେଲେ ଏବଂ ନିର୍ମଳ ଆସି ତାଙ୍କ ପାଖରେ ରହିଲେ ।

 

ସତର

 

ଆଉରେଙ୍ଗଜେବ ରୂପନଗର ଯାଉ ଯାଉ ବାଟରେ ବାଧା ପ୍ରାପ୍ତ ହେଲେ । ରତ୍ନସିଂହ ଉନ୍ମତ୍ତ ହୋଇ ବାଦଶାହାଙ୍କ ରାସ୍ତା ଅବରୋଧ କରି ସେନାବାହିନୀ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏପରି ଅପ୍ରତ୍ୟାଶିତ ଆକ୍ରମଣକୁ ଆଶା ନ କରି ସେମାନେ ହତୋତ୍ସାହ ହୋଇ ପଡ଼ିଲେ । ଯେତେ ଚେଷ୍ଟା କଲେ ମଧ୍ୟ ବାଦଶାହୀ ସୈନ୍ୟ ସୀମା ପାରି ହୋଇ ପାରିଲେ ନାହିଁ । ଏଭଳି ଛୋଟିଆ ରାଜପୁତ ସେନା କେଉଁ ଶକ୍ତିବଳରେ ବଳୀୟାନ୍‌ ଏହି କଥା ଚିନ୍ତା କରି ବାଦଶାହା ବିବ୍ରତ ହୋଇପଡ଼ିଲେ । ତିନିଦିନ ଘମାଘୋଟ ଲଢ଼େଇ ପରେ ରତ୍ନସିଂହ ଓ ତାଙ୍କର ସାଥୀଗଣ ହାଣ ଖାଇଲାବେଳକୁ ଚାରୁମତୀଙ୍କୁ ନେଇ ରାଣା ରୂପନଗରରୁ ଚାଲି ଯାଇ ସାରିଥିଲେ । ରାଜପୁତ ସୈନ୍ୟ ଦଳଟିଯେ ଖାସ୍ ଉଦୟପୁର ସୈନ୍ୟ ଏକଥା ଜାଣି ବ୍ୟଗ୍ରତାର ସହ ଆଉରେଙ୍ଗଜେବ ପ୍ରଶ୍ନ କଲେ–‘କ’ଣ କହିଲ ମେବାର ସେନା !’

‘ହଁ ଜାହାଁପନା ! ସେମାନେ ରାଣାଙ୍କର ସୈନ୍ୟ, ହଜୁର ଉକ୍ତ ସର୍ଦାରମାନେ ବେପରୁଆ ଓ ଗମ୍ଭୀର କଣ୍ଠରେ ଜବାବ ଦେଲେ ଯେ ଆମ୍ଭମାନଙ୍କୁ କାଟି ସାରିଲା ପରେହିଁ ଯାଇ ରୂପନଗର ସୀମା ଅତିକ୍ରମ କରିବ !’

‘କିଏ ସେ ହତଭାଗା ?’

ହଜୁର ! ସ୍ୱଳ୍ପ ବୟସର ସେଇ ସେନାନାୟକ, ତା’ର ଚକ୍ଷୁରେ ଅଗ୍ନିର ସ୍ଫୁଲିଙ୍ଗ, କଣ୍ଠରେ ଘୂର୍ଣ୍ଣିବାତ୍ୟା ଭଳି ଜବାବ । ତରବାରିରେ ରକ୍ତ ତୃଷ୍ଣାର ଝଡ଼, ଏବଂ ଲମ୍ପରେ ବିଜୁଳି ଝଟକୁଥିଲା । ତାହାର ଗଳା ପ୍ରଦେଶରେ ଗୋଟାଏ ସ୍ତ୍ରୀଲୋକର ଛିନ୍ନ ଶିର ଝୁଲୁଥିଲା ହଜୁର ।’

 

‘ସ୍ତ୍ରୀର ଛିନ୍ନଶିର ?’

 

‘ହଁ ହଜୁର ! ସେ ମରିବା ଇଚ୍ଛାରେହିଁ ଆସିଥିଲା । ଆମ ସେନାବାହିନୀ ଭିତରେ ପ୍ରବେଶ କରି ସେ କେବଳ ଆମ ସେନାଙ୍କୁ ବିଦୀର୍ଣ୍ଣ କରି ଚାଲିଗଲା, ଶବ ପରେ ଶବ ତା’ରି ଅସ୍ତ୍ରରେ ଲୋଟି ପଡ଼ିଲା, ମାତ୍ର ତା’ର ତରବାରି ଭାବରେ ହାତମୁଠାରେ ରହିଥିଲା ।’

 

ରୂପନଗର ଏଠାରୁ କେତେଦିନର ବାଟ ।’

 

‘ହଜୁର ତିନିଦିନର ବାଟ ।’

 

‘କିନ୍ତୁ ଆଜି ତ ବିବାହ ତିଥି ।’

 

‘ଆଜି କ’ଣ, କାଲି ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ନୁହେଁ, ସୈନ୍ୟଗଣ କ୍ଷତାକ୍ତ କ୍ଳାନ୍ତ ଅବସନ୍ନ....’

 

‘ଯାହାବି ହେଉ ଏଇ ଦୁର୍ଗମ ସ୍ଥାନରୁ ଯଥାଶୀଘ୍ର ପ୍ରସ୍ଥାନ କରିବା ଉଚିତ ଏବଂ ଆମ ଆଗମନ ସମ୍ବାଦ ରୂପନଗର ପହଞ୍ଚିବା କଥା ।’

 

ଯଥା ଆଜ୍ଞା । ମୋତେ କିନ୍ତୁ କଥାଟା କେମିତି....କେମିତି ଜଣାପଡ଼ୁଛି ହଜୁର ।’

 

‘ମାନେ ।’

 

‘କୌଣସି ଗୁରୁତର କାରଣ ଓ ଉଦ୍ଦେଶ୍ୟ ନେଇ ମେବାର ସେନା ଆମର ରାସ୍ତା ଅବରୋଧ କରିପାରିଥାନ୍ତି !’

 

‘ତୁମେ କ’ଣ କହିବାକୁ ଚାହଁ ?’

 

ଏଇ ସମୟରେ ଜଣେ ଦୂତ ଆସି ସମ୍ବାଦ ଦେଲା ଯେ ରୂପନଗର ରାଜା ରାମସିଂହଙ୍କୁ ହତ୍ୟାକରି ରାଣାରାଜସିଂହ କୁମାରୀକୁ ଉଦୟପୁର ନେଇ ଯାଇଛନ୍ତି । ଏ ସମ୍ବାଦ ଶୁଣି ଆଉରେଙ୍ଗଜେବ ରକ୍ତ ଚାଉଳ ଚୋବେଇ କିଛିକ୍ଷଣ ଚିନ୍ତା କରି ରୂପନଗର ଯିବା ବ୍ୟର୍ଥ ବୋଲି ଭାବି ଦିଲ୍ଲୀ ଫେରିଯିବାକୁ ଆଦେଶ ଦେଲେ ।

 

ହତାଶ ଏବଂ ରିକ୍ତହସ୍ତରେ ଆଉରେଙ୍ଗଜେବ ଦିଲ୍ଲୀ ପହଞ୍ଚିବାକ୍ଷଣି ଉଦୟପୁରୀ ବେଗମ୍ ତାଙ୍କୁ ବ୍ୟଙ୍ଗ ସୂଚକ ପ୍ରଶ୍ନ କରି କହିଲେ–‘ବନ୍ଦେଗୀ ଜାହାଁପନା ! କୁହନ୍ତୁ ସେ ଚାକରାଣୀ କାଇଁ ? ମୋତେ ହୁକା ସଜିଲ କରିବାରେ ବିରକ୍ତିବୋଧ ହେଉଛି ।’

 

ବାଦଶାହା ଚିଡ଼ି ଉଠି ଜବାବ ଦେଲେ ‘ଥଟ୍ଟା ଥାଉ ବେଗମ୍‌ । ଅତି ଶୀଘ୍ର ତାକୁ ତୁମ ପାଖରେ ଦାଖଲ କରାଯିବ ।’

Unknown

 

‘ଆଲାଃ ! ଜାହାଁପନା ଏଭଳି କହୁଛନ୍ତି ସତେ ଯେପରି ସବୁକିଛି ହଜୁରଙ୍କ ହାତମୁଠାରେ-।’

 

‘ମୁଁ ଆଲମଗୀର ! ମୋ ଶକ୍ତି କଳନା କରିବା ସ୍ତ୍ରୀମାନଙ୍କର କାର୍ଯ୍ୟ ନୁହେଁ ।’

 

‘ଶୁଣିଲି, ଜଣେ ଗରିବ କନ୍ୟା ହଜୁରଙ୍କ ଶକ୍ତିର କଳନା କରିପାରେ । ବୋଧହୁଏ ଉକ୍ତି କାଫେର ଟୋକୀ ହଜୁରଙ୍କ ଶକ୍ତିର କଳନା କରି ନପାରି ହଜୁରଙ୍କ ନାକ ଗୋଇଠା ମାଡ଼ରେ ଫଟାଇ ଦେଇଥିଲା ।’

 

ବାଦଶାହା ଆହୁରି ରାଗିଯାଇ କହିଲେ–‘ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ । ସେ ଯେଉଁଠାରେ ଥିଲେ ମଧ୍ୟ ତାକୁ ଧରି ଆଣି ତା’ର କାର୍ଯ୍ୟର ଉପଯୁକ୍ତ ଦଣ୍ତ ଦିଆଯିବ ।’

 

‘ସତକଥା ! ତେବେ କୌଣସି ଖାସ୍ କାରଣରୁ ହଜୁର ଉକ୍ତ ଟୋକୀକୁ ବିବାହ କରି ନପାରି ମଝି ରାସ୍ତାରୁ ଫେରି ଆସିଲେ ।’

 

‘ମୋତେ ଦଗା ଦିଆଗଲା ।’

 

‘ଭାବି ନଥିଲି ଯେ ସେ ଟୋକୀ ଏଡ଼େ ଚାଲାଖ ଥିବ ଓ ଆଲମଗୀରଙ୍କୁ ଠକି ଦେଇ ଚାଲିଯିବ ।’

 

‘କିନ୍ତୁ ଆଲମଗୀରର ରାଗ ବଢ଼ାଇବା ଅର୍ଥ ନିଆଁ ସଙ୍ଗେ ଖେଳିବା ।’

 

‘ଶୁଣୁଛି, ନିଆଁ ସହ ଖେଳିବା ରାଜପୁତ ରମଣୀଙ୍କର ପ୍ରଧାନ ସଉକ । ହେଲେ ଉକ୍ତ କନ୍ୟା ରାଣାରାଜସିଂହଙ୍କୁ ବିବାହ କରିଥିବା ସମ୍ବାଦ କ’ଣ ସତ୍ୟ ?’

 

‘ମୁଁ ତ ସେଇଆ ଶୁଣୁଛି ।’

 

‘ତାହାହେଲେ ଅନ୍ୟୋନ୍ୟପାୟ ହୋଇ ଫେରି ଆସିଥିବା କାରଣରୁ ବାଦଶାହା ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରିବେ ?’

‘ଆଲମଗୀର ପ୍ରତିଶୋଧ ନେବ । ତୁମେ ଦେଖିବ ଉଦୟପୁର ରାଣା ଆସି ମୋ ନିକଟରେ ନାକ ଘଷିହେବ । ମୁଁ ସମଗ୍ର ଉଦୟପୁରକୁ ଜାଳି ପୋଡ଼ି ପାଉଁଶ କରିଦେବି । ଗାଁ, ଘର ଗୋଟାଏ ହେଲେ ଜନମାନବ ଜୀବିତ ରହିପାରିବେ ନାହିଁ । ମୁଁ ସ୍ତ୍ରୀ, ଶିଶୁ, ବୃଦ୍ଧ କାହାରିକୁ ଛାଡ଼ିବ ନାହିଁ । ସମଗ୍ର ରାଜପୁତନା ମାଟିରେ ମିଶି ଯିବ ।’

 

ଉଦୟପୁରୀ ବେଗମ୍ ବ୍ୟଙ୍ଗ ସହକାରେ କହିଲେ–‘ବୋଧହୁଏ ।’

 

‘ସେ ନିଶ୍ଚୟ ବାଦଶାହା ରଙ୍ଗମହଲ ଆସି ତୁମର ସିଲମ ସଜାଡ଼ିବ ।’

 

ଅଠର

 

ରାଜସିଂହଙ୍କ ସୁରକ୍ଷାପାଇଁ ଦୁର୍ଗାଦାସ ରାଠୋରମାନଙ୍କୁ ସଂଗଠିତ କରି ମୋଗଲ ସୈନ୍ୟଙ୍କ ଛାଉଣୀ ଓ ମୋଗଲ କେନ୍ଦ୍ରମାନଙ୍କୁ ମନଇଚ୍ଛା ଲୁଟିବାରେ ଲାଗିଲେ । ସେମାନେ ସିରୋହୀର ପାର୍ବତ୍ୟ ଅଞ୍ଚଳ ଗିରିକନ୍ଦର ମଧ୍ୟରେ ସ୍ୱୟଂ ନିଜେ ଏବଂ ମୁକୁନ୍ଦ ଦାସଙ୍କ ସହାୟତାରେ ନାବାଳକ ଅଜିତ ସିଂହଙ୍କୁ ପାଳନ ପୋଷଣ କରିବାକୁ ଲାଗିଲେ । ସନ ୧୬୮୭ ପର୍ଯ୍ୟନ୍ତ ଏହିଭଳି ରାଠୋରମାନେ ମୋଗଲ ଛାଉଣୀ ଲୁଟ କରି ନିଜର ଶକ୍ତି ଓ ସଂଗଠନ ବୃଦ୍ଧି କରିବାରେ ଲାଗିଲେ-। ନାବାଳକ ଅଜିତ ସିଂହଙ୍କୁ ଆଠବର୍ଷ ହେଲାପରେ ରାଠୋରଙ୍କ ଭାବୀ ରାଜାଙ୍କ ସମ୍ପର୍କରେ ବିଶିଷ୍ଟ ସର୍ଦାରମାନଙ୍କ ମଧ୍ୟରେ ପ୍ରଚାର କରି ଦିଆଗଲା । ଏଥିରେ ସେମାନେ ଉତ୍ସାହିତ ହୋଇ ବୀର ଦର୍ପରେ ନାଗୁର ଓ ଶିବାନାର ଦୁର୍ଗ ବାଦଶାହାଙ୍କଠାରୁ ଛଡ଼ାଇ ନେଲେ । ଏ ସମସ୍ତ ସମ୍ୱାଦ ପାଇ ବାଦଶାହା ନିଜର ପାଟମନ୍ତ୍ରୀ ଅସ୍‌ଦୁଲ୍ଲାଙ୍କୁ ଡକାଇ ତାଙ୍କ ସହ ଏକାନ୍ତରେ କଥାବାର୍ତ୍ତା ହେଲେ–‘ଆପଣ କହୁଛନ୍ତି ଆମକୁ ଜାଲ୍‌ ଶିଶୁ ସମର୍ପଣ କରାଯାଇ ଯଶୋବନ୍ତ ସିଂହଙ୍କ ପୁଅକୁ ଜୀବିତ ରଖାଯାଇଛି ।’

‘ଜାହାଁପନା ସେଇଆ !’

‘କିନ୍ତୁ ଏହା କେମିତି ବିଶ୍ୱାସ କରାଯିବ !’

‘ମୁଁ ମଧ୍ୟ ପ୍ରଥମେ ବିଶ୍ୱାସ କରି ନଥିଲି । କିନ୍ତୁ ଯେତେବେଳେ ଶୁଣିଲି ଯେ ଉଦୟପୁର ରାଣା ରାଜସିଂହ ଶିଶୁର ଲାଳନପାଳନ ପାଇଁ ଗୁଡ଼ାଏ ଜାଗିରି ଦେଇଛନ୍ତି ସେତେବେଳେ ବିଶ୍ୱାସ କରିବାକୁ ପଡ଼ିଲା ।’

 

‘ଆଉ ବାରମ୍ୱାର ଲେଖିଲେ ମଧ୍ୟ ଉକ୍ତ ବାଳକକୁ ଫେରାଇ ଦେବାକୁ କିମ୍ୱା ଠିକଣା ଦେବାକୁ ରାଣା କୁଣ୍ଠାବୋଧ କରିଛନ୍ତି ବୋଲି ଆପଣ କହୁଛନ୍ତି !’

 

‘ହଁ ହଜୁର !’

 

‘କେବଳ ରୂପନଗର ଘଟଣା ନେଇ ରାଣାଙ୍କୁ ଦଣ୍ତିତ କରିବା ଯଥେଷ୍ଟ ଥିଲା, ତାହା ବ୍ୟତୀତ ତା’ ବିରୁଦ୍ଧରେ ଅନେକ ଆପତ୍ତି ଶୁଣାଯାଇଛି । ବର୍ତ୍ତମାନ ଯଦି ଏ ଦାମ୍ଭିକତାକୁ ଦଳିଦିଆ ନଯାଏଁ ତାହାହେଲେ ଦିଲ୍ଲୀ ସିଂହାସନର ଭବିଷ୍ୟତ ନିରାପଦ ନୁହେଁ । ମାରଓ୍ୱାଡ଼୍‌ ଓ ମେବାର ସେନା ମିଳିତ ହୋଇ ବିରାଟ ଆତଙ୍କ ଖେଳାଇ ଦେବେ । ଯଥାଶୀଘ୍ର ଯୁଦ୍ଧପାଇଁ ସୈନ୍ୟ ପ୍ରସ୍ତୁତି ମୋର ଏକାନ୍ତ ଇଚ୍ଛା ।’

 

‘ହଜୁର ! ବର୍ତ୍ତମାନ ପରିସ୍ଥିତି ଜଟିଳ, ଚାରିପାଖେ ଶତ୍ରୁ ! ଜାହାଁପନା ଏପରି ସମୟରେ.... ।’

 

‘ବିପଦ ସହ ଖେଳ ଖେଳିବା ଆଲମଗୀରର ଏକ ସଉକ, ବର୍ତ୍ତମାନ ଆପଣ ଶାହାଜାଦା ଆକବରଙ୍କୁ ତାଙ୍କର ଫଉଜ ନେଇ ଆଜମୀର ଦିଗକୁ ଯାତ୍ରା କରିବାକୁ ସମ୍ବାଦ ଦିଅନ୍ତୁ ଏବଂ ଆଜିଠାରୁ ତୃତୀୟ ଦିବସରେ ଆମର ଗଣ ଯାତ୍ରାପାଇଁ ପ୍ରସ୍ତୁତି କରନ୍ତୁ ।’

 

ଅପରପକ୍ଷରେ ରାଣା ଦିଲ୍ଲୀ ସମ୍ୱାଦ ଶୁଣି ନିଜର ସର୍ଦାରମାନଙ୍କୁ ଡକାଇ ମନ୍ତ୍ରଣା କଲେ-। ରାଣା କହିଲେ–‘ଆଜି ଏକ ମହତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରିବାକୁ ଆମେ ସମସ୍ତେ ଏକତ୍ରିତ । ଏଇ ସମସ୍ୟା ଉପରେ ମେବାରର ଧନ, ଜୀବନ, ମରଣ ଏବଂ ପ୍ରତିଷ୍ଠା ପର୍ଯ୍ୟବସିତ-।’

 

କୁମାର ଜୟସିଂହ କହିଲେ–‘ମେବାର ନିଜର ପ୍ରତିଷ୍ଠାପାଇଁ ପ୍ରାଣ ବିନିଯୋଗ କରିବ ।’ ‘ଆଉ କୁମାର ଭୀମସିଂହ କହିଲେ–‘ଆଉ ଏହାର ଜୀବନ ଅତି ଚଢ଼ାଦରରେ ବିକ୍ରି କରାଯିବ-।’

 

ରାଣା ଅଳ୍ପ ହସି ଦୁହିଁଙ୍କୁ ଦେଖି କହିଲେ–‘ଶାନ୍ତ ହୁଅ କୁମାର ! ବର୍ତ୍ତମାନ ସବୁ କଥା ଶୁଣ ।’

 

‘ଆପଣ ଜାଣନ୍ତି ମୋଗଲ ଶକ୍ତି ସମଗ୍ର ହିନ୍ଦୁ ଜାତିକୁ କଳଙ୍କିତ କରିଯିବା ସଙ୍ଗେ ସଙ୍ଗେ ସବୁ ରାଜପୁତ, ବାଦଶାହାଙ୍କ ପଦଚଟା କୁକୁର ଭଳି ପଦମର୍ଯ୍ୟାଦା ଭୁଲି ଯାଇ ନିଜ କନ୍ୟାମାନଙ୍କୁ ବାଦଶାହୀ (…..) କରିବା ସୁନ୍ଦର ଜିନିଷ ବୋଲି ଭାବି ବସିଲେଣି । କେବଳ ମେବାର ଏଥିରୁ ବଞ୍ଚିତ, ସେ ଏପର୍ଯ୍ୟନ୍ତ ବାଦଶାହାଙ୍କୁ ନା କନ୍ୟା ଦେଇଛି ନା ସ୍ୱାଧୀନତା !

 

‘ଜଣେ ସିସୋଦ୍ୟାଁ ବଞ୍ଚିଥିଲା ପର୍ଯ୍ୟନ୍ତ ମେବାରରେ ଏହା ହୋଇପାରେନା ।’

 

‘ଏହିକଥା ପାଇ ବାଦଶାହା ଈର୍ଷାରେ ଜଳି ଉଠୁଛି ଏବଂ ସମୟେ ସମୟେ ମେବାରକୁ ଦଳି ଦେବାପାଇଁ ସମସ୍ତ ଶକ୍ତିକୁ ପରୀକ୍ଷା କରିଛି । ସେଥିପାଇଁ ମେବାର ଭୂମିର ପ୍ରତିଟି ଇଞ୍ଚ୍ ଲାଲ ହୋଇଯିବା ସଙ୍ଗେ ସଙ୍ଗେ ମେବାରକୁ କେବେ ସୁଖ ନିଦ୍ରା ଘୋଟି ନାହିଁ । କିଏ ଜାଣେ କେତେ ବୀରାଙ୍ଗନା ଜଳିପୋଡ଼ି ପାଉଁଶ ହୋଇଛନ୍ତି ।’

 

ଜଣେ ସର୍ଦାର ଆବେଗ ସ୍ୱରରେ କହିଉଠିଲେ–‘ଏବେ ମଧ୍ୟ ମେବାରର ପୂର୍ବ ବୀରତ୍ୱ ଓ ଆତ୍ମତ୍ୟାଗ ଜୀବିତ ଅଛି । ଆବଶ୍ୟକ ହେଲେ ମେବାର ନିଜର ପୂର୍ବପୁରୁଷଙ୍କ କରାମତି ପ୍ରଦର୍ଶନ କରିଯିବ ।’

 

‘ମେବାରଙ୍କ ଅନିଚ୍ଛାଭାବ ପୁରୁଣା କାରଣରୁ ହେଲେ ମଧ୍ୟ ଏଥିରେ ନୂଆ କାରଣ ସ୍ଥାନ ପାଇଛି ।’

 

‘କ’ଣ ସବୁ ନୂଆ କାରଣ ଆମେ ଶୁଣିବାକୁ ଚାହୁଁ

 

‘ସେଥିପାଇଁ ଆମେ ଏକତ୍ରିତ ହୋଇଛୁ । ଶୁଣନ୍ତୁ ! ଶାହାଜାହାନଙ୍କ ଦ୍ୱାରା ଅଧିକୃତ ପ୍ରଗଣାମାନ ଆମେ ଅଧିକାର କରିନେଇଛୁ ।’

 

‘ୟେ ପ୍ରଗଣା ତ ଆମର ଥିଲା । ବାଦଶାହା ଅନ୍ୟାୟରେ ଆମଠାରୁ ଛଡ଼ାଇ ନେଇଥିଲେ ।’

 

‘ଦେବ ମନ୍ଦିର ନଷ୍ଟ କରିବାରେ ସମସ୍ତ ବାଦଶାହାଙ୍କଠାରୁ ଏ ବାଦଶାହା ବେଶୀ ଦକ୍ଷ ଓ ଦ୍ୱିତୀୟ ଦକ୍ଷ ହେଲା ଧର୍ମାନ୍ଧ ଘାତକ ମୁଲ୍ଲା । ସେ ଗୁଜୁରାଟର ସୁବେଦାର ଥିଲାବେଳେ ଅହମଦାବାଦର ଚିନ୍ତାମଣି ମନ୍ଦିର ଭାଙ୍ଗି ସେ ସ୍ଥାନରେ ମସଜିଦ ତିଆରି କରିଥିଲା । ଏଇ କିଛିଦିନ ପୂର୍ବରୁ ସମସ୍ତ ଦେବ ମନ୍ଦିର ଭାଙ୍ଗିଦେବାକୁ, ପାଠଶାଳା ବନ୍ଦ କରି ଦେବାକୁ ଆଦେଶ ଦେଇ ଧର୍ମ ସମ୍ୱନ୍ଧୀୟ ପୂଜାପାଠ ବନ୍ଦ କରି ଦେଇଛି । କାଠିଆବାଡ଼ର ସୋମନାଥ ମନ୍ଦିର, କାଶୀର ବିଶ୍ୱନାଥ ମନ୍ଦିର, ମଥୁରାର ପ୍ରସିଦ୍ଧ କେଶବ ରାୟ ମନ୍ଦିରକୁ ବିଧ୍ୱଂସ କରି ସେ ସ୍ଥାନରେ ମସଜିଦ ନିର୍ମାଣ କରି ଦେଇଛି । ରାଜ୍ୟର ସମସ୍ତ ମନ୍ଦିରର ଧ୍ୱଂସ ସାଧନପାଇଁ ଗୋଟାଏ ମହକୁମା କାଏମ କରି ଦେଇଛି ଓ ବର୍ତ୍ତମାନ ସୁଦ୍ଧା ହଜାର ହଜାର ମନ୍ଦିର ଧ୍ୱଂସ କରି ସାରିଲାଣି । ଗୋବର୍ଦ୍ଧନ ବଲ୍ଲଭ ସଂପ୍ରଦାୟର ଦ୍ୱାରିକାଧୀଶ ମନ୍ଦିର ପ୍ରତି ଶନିଦୃଷ୍ଟି ପକାଇବାରୁ ଗୋସ୍ୱାମୀମାନେ ମେବାରର ଶରଣ ନେଲୁ ଓ କାଙ୍କରୋଣୀରେ ତାଙ୍କର ସ୍ଥାପନା କରାଯାଇଛି ।

 

‘ଜୟ ହିନ୍ଦୁପତି ସୂର୍ଯ୍ୟ ମହାରାଣାଙ୍କର ଜୟ । ଏ କାର୍ଯ୍ୟ କରି ମହାରାଜା ବୁଦ୍ଧିମତାର ପରିଚୟ ଦେଇଛନ୍ତି ।’

 

‘ପୁଣି ସଙ୍କଟରେ ପଡ଼ି ଆମେ ବାଦଶାହା ବାଗ୍‌ଦତ୍ତା ଚାରୁମତୀଙ୍କୁ ହରଣ କରି ତା’ର ଜୀବନ ରକ୍ଷା କଲୁ ।’

 

‘ଏହାତ କ୍ଷତ୍ରିୟୋଚିତ କାର୍ଯ୍ୟ କରାଗଲା ମହାରାଜ !’

 

‘ପୁଣି ଜିଜିଆ କର ବିରୁଦ୍ଧରେ ପତ୍ର ବିଷୟରେ ଆପଣମାନେ ଜାଣନ୍ତି । ଶହେବର୍ଷ ପରେ ପୁଣି ଏଇ ଅପମାନ ସୂଚକ କର ଆଦାୟପାଇଁ କେହି ମୁହଁ ଫିଟାଇବାକୁ ସାହସ ନ କରିବାରୁ ବାଧ୍ୟ ହୋଇ ମୋତେହିଁ ପାଟି ଫିଟାଇବାକୁ ପଡ଼ିଲା ।’

 

‘ଏ କାର୍ଯ୍ୟତ ଆପଣଙ୍କର ଯୋଗ୍ୟ କାର୍ଯ୍ୟ ହଜୁର !’

 

ମହାରାଜଙ୍କ ବିରକ୍ତିଭାବ ପାଇଁ ଏସବୁ କାରଣ ଯଥେଷ୍ଟ ଥିଲା । କିନ୍ତୁ ଆଉ ଗୋଟିଏ ଦୋଷ କରି ବସିଲା ମାରଓ୍ୱାଡ଼୍‌ ପତି ଯଶୋବନ୍ତ ସିଂହଙ୍କୁ ଜମ୍‌ରୁଦ୍‌ ଥାନାରେ ବାଦଶାହା ନିହତ କରାଇଦେଲା ଏବଂ ବିଧବାରାଣୀ ଓ ସଦ୍ୟ ରାଜକୁମାର ଅଜିତସିଂହ ଫେରିବାବେଳେ ତାଙ୍କୁ ଘେରାଉ କରି ହସ୍ତଗତ କରିବାକୁ ଚେଷ୍ଟା କଲା ନିଜର ଜୀବନ ପ୍ରତି ବିପଦ ଦେଖି ବିଧବା ରାଣୀ ଆସି ମେବାରର ଶରଣ ପଶିଲେ । ଦୁର୍ଗାଦାସ ରାଠୋର ସମସ୍ତ ଘଟଣା ବୟାନ କରିବାଦ୍ୱାରା ଭାବୀ ରାଜାଙ୍କୁ ମୋତେ ଆଶ୍ରୟ ଦେବାକୁ ପଡ଼ିଲା । ବାରମ୍ୱାର ବାଦଶାହାଙ୍କ ଅନୁରୋଧକୁ ଏଡ଼ାଇ ଦେଇ ମୁଁ ତାଙ୍କୁ ନିରାଶ କରି ଅଜିତ ସିଂହଙ୍କୁ ଫେରାଇ ଦେଲି ନାହିଁ ।’

 

‘ଆମେ ମରି ଧୂଳିସାତ୍ ହୋଇଯିବୁ ପଛେ ଶରଣାଗତକୁ ଫେରାଇ ଦେଇ ନ ପାରୁ ।’

 

ଏ ସମସ୍ତ ଘଟଣାରେ ଆମକୁ ଦଣ୍ତିତ କରିବାକୁ ଏବଂ ଆମଠାରୁ ଜିଜିଆ କର ଆଦାୟ କରିବାକୁ ବିଶାଳ ସେନାବାହିନୀ ନେଇ ବାଦଶାହା ଆଜମୀରରେ ଛାଉଣି ପକାଇ ଶାହାଜାଦା ଆକବରକୁ ବିଶାଳ ସେନାବାହିନୀ ଦେଇ ଏଇଠିକୁ ପଠାଇ ଦେଇଛି । ଏହି କଥାକୁ ଲକ୍ଷ୍ୟ ରଖି ଆମକୁ ନିଜ ଭବିଷ୍ୟତ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ ।’

 

‘କର୍ତ୍ତବ୍ୟ ଆମେ ଠିକ୍ କରିନେଇଛୁ ହଜୁର ! ଆମେ ଯୁଦ୍ଧ କରି ବାଦଶାହାର ଗର୍ବ ଚୂନା କରିଦେବୁ ।’

 

ପୁରୋହିତ ଗରିବ ଦାସ ହାତ ଯୋଡ଼ି ନିବେଦନ କଲେ–ଆଜ୍ଞାପାଇଲେ କହିବି । ବାଦଶାହାଙ୍କ ନିକଟରେ ଅନେକ ସୈନ୍ୟ ଥିବା ସଙ୍ଗେ ସଙ୍ଗେ ଫିରିଙ୍ଗି ତୋପ ମଧ୍ୟ ଅଛି । ତେଣୁ ସମ୍ମୁଖ ଋଣ କରିବା ଅନୁଚିତ । ମହାରାଣା ପ୍ରତାପ ସିଂହ ଓ ଉଦୟ ସିଂହ ମଧ୍ୟ ସେଇଆ କରିଥିଲେ-। ଆକ୍ରମଣ ସମୟରେ ସେମାନେ ନଗର ତ୍ୟାଗ କରି ପାହାଡ଼ମାନଙ୍କୁ ଚାଲିଯାଉଥିଲେ ଓ ସୁବିଧା ଦେଖି ମୋଗଲମାନଙ୍କୁ ଆକ୍ରମଣ କରୁଥିଲେ । ମହାରାଣା ଅମର ସିଂହ ମଧ୍ୟ ଏଇ ନୀତି ଅନୁସରଣ କରୁଥିଲେ । ସେଥିପାଇଁ ବାଦଶାହାମାନଙ୍କୁ ପରାସ୍ତ ହେବାକୁ ପଡ଼ୁଥିଲା । ଆପଣ ମଧ୍ୟ ଏହି ନୀତି ଗ୍ରହଣ କରନ୍ତୁ ଓ ଆରାବଳୀ ପର୍ବତ ସାହାଯ୍ୟରେ ଶତ୍ରୁଠାରୁ ବିଜୟ ହାସଲ କରନ୍ତୁ-।’

 

‘ରାଜପୁରୋହିତଙ୍କ ବିଚାର ଅତି ଉତ୍ତମ ଅଟେ । ମୋର ବିଶ୍ୱାସ ଆମେ ଶତ୍ରୁମାନଙ୍କୁ ପାହାଡ଼ିଆ ଘାଟିରେ ଘେରିଯାଇ ଭୋକ ଉପାସରେ ମାରି ପକାଇବା ସଙ୍ଗେ ସଙ୍ଗେ ବାଦଶାହୀ ସେନାକୁ ଲୁଟପାଟ କରି ନଷ୍ଟ କରିଦେବା ।’

 

‘ଅନ୍ନଦାତାଙ୍କ ବିଚାର ଅତି ଉତ୍ତମ ।’

 

‘ବର୍ତ୍ତମାନ ଆମ ନିକଟରେ ୨୦ ହଜାର ଅଶ୍ୱାରୋହୀ, ୨୫ ହଜାର ପଦାତିକ ଏବଂ ୫୦ ହଜାର ଭିଲ ଯୋଦ୍ଧା ଅଛନ୍ତି । ଏତଦ୍‍ବ୍ୟତୀତ ପାନବାଡ଼ା, ଶେରପୁର, ଜୁଡ଼ା ଏବଂ ଜବାସ୍‌ର ଭୋପିୟା ସର୍ଦାର ମୁଖିଆମାନେ ଆମର ହିତାକାଂକ୍ଷୀ ଓ ସାହାଯ୍ୟକାରୀ । ମୁଁ ଯୋଜନା କରିଛି ଯେ ୫୦ ହଜାର ଭିଲ ଯୋଦ୍ଧା ମେବାରର ସମସ୍ତ ପାହାଡ଼ ଗୁମ୍ଫା ଓ ଘାଟିମାନଙ୍କର ଦଶ ଦଶ ହଜାର ହୋଇ ଲୁଚି ରହନ୍ତୁ ଏବଂ ବାଦଶାହା ସୈନ୍ୟଙ୍କପାଇଁ ଖାଦ୍ୟ ପଦାର୍ଥ, ଗୁଳିଗୋଳା ବହନ କରିଯାଉଥିବା ସୈନ୍ୟ ଦଳକୁ ଆକ୍ରମଣ କରି ତାଙ୍କର ଖାଦ୍ୟ ପଦାର୍ଥ ଇତ୍ୟାଦି ଆମ ପାଖରେ ପହଞ୍ଚାଇ ଦେବେ । ଉଦୟପୁର ଏବଂ ସମସ୍ତ ବସ୍ତି ଖାଲି କରି ସମସ୍ତେ ପାହାଡ଼ମାନଙ୍କୁ ଚାଲି ଯାଆନ୍ତୁ । ଆମର ସମସ୍ତ ସେନା ତିନି ଭାଗରେ ବିଭକ୍ତ ହେବେ । ଗୋଟିଏ ଭାଗ କୁମାର ଜୟସିଂହଙ୍କ ଅଧୀନରେ ପାହାଡ଼ ଶିଖରରେ ଅବସ୍ଥାନ କରିବେ । ଦ୍ୱିତୀୟ ଭାଗ ସେନାଙ୍କୁ ନେଇ କୁମାର ଭୀମସିଂହ ପଶ୍ଚିମ ଦିଗରେ ରହିବେ ଓ ସୁଯୋଗ ପାଇଲାମାତ୍ରେ ମାଳବ ଓ ଗୁଜୁରାଟର ଶାହୀ ସେନାଙ୍କୁ ଲୁଟି ନେବେ । ତୃତୀୟ ଭାଗ ସେନାବାହିନୀ ମୋର ଅଧୀନରେ ରହିବେ ଓ ମୁଁ ଦେବରୀ ଘାଟିକୁ ରକ୍ଷା କରିବି ।’

 

‘ବଡ଼ ସୁନ୍ଦର ଯୋଜନା ।’

 

ବର୍ତ୍ତମାନ ସବୁ ସର୍ଦାର ନିଜ ନିଜର ସୈନ୍ୟ ସଜ୍ଜିତ କରି କାଲି ପ୍ରାତଃକାଳରୁ ଦେବୀ ମାତାଙ୍କ ପାହାଡ଼ ନିକଟରେ ଏକତ୍ରିତ ହେବେ । କାରଣ ସମୟ ଖୁବ୍‌ କମ୍ ।

 

ଉଣେଇଶ

 

ସନ ୧୬୭୯ ସେପ୍‌ଟେମ୍ୱର ତୃତୀୟ ଦିବସ ଦିନ ରାଜସିଂହଙ୍କ ଯୁଦ୍ଧ ପାଇ ବାଦଶାହା ଯାତ୍ରାରମ୍ଭ କଲେ ଓ ୧୩ ଦିନ ଯାତ୍ରା ପରେ ଆଜମୀରର ଅଣାସାଗର ପାଖଣେ ଛାଉଣି ପକାଇଲେ । ପ୍ରଥମରୁ ଆଦେଶ ପାଇ ଶାହାଜାଦା ଆକବର ଉଦୟପୁରଠାରୁ ଘେରାଉ କରିନେଲେ । କିନ୍ତୁ ସହରରେ କେହି ଜଣେ ହେଲେ ନଥିଲେ ଓ ସମଗ୍ର ବସ୍ତି ନିସ୍ତବ୍ଧ ଓ ନିଶୂନ ଜଣାପଡ଼ୁଥିଲା । ସେଥିପାଇଁ ଆକବରଙ୍କ ବିଶାଳ ବାହିନୀଙ୍କୁ ଖାଦ୍ୟ ପାନୀୟପାଇଁ ହଇରାଣ ହେବାକୁ ପଡ଼ିଲା ଏବଂ ସେମାନେ ମେବାର ଘାଟିରେ ପିଞ୍ଜରାବଦ୍ଧ ପକ୍ଷୀ ପରି ଛଟପଟ ହେବାକୁ ଲାଗିଲେ ।

 

ଆକବର ନିଜର ଦୁରବସ୍ଥା ବାଦଶାହାଙ୍କୁ ଜଣାଇଲେ । ଆଜମୀରଠାରେ ଛାଉଣୀ ପକାଇଥିଲାବେଳେ ବାଦଶାହା ନିଜ ସେନାପତି ତହବୀର ଖାଁକୁ ପଚାରିଲେ ‘ଆକବର କି ସମ୍ବାଦ ପଠାଇଛନ୍ତି ।’

 

‘ଜାହାଁପନା ! ମେବାରକୁ ପ୍ରବେଶ କରିବାକୁ ବଡ଼ବଡ଼ ପ୍ରତିବନ୍ଧକମାନ ଅଛି ।’

 

ସେଗୁଡ଼ାକ କି ଅସୁବିଧା ଯେ ବାଦଶାହୀ ସୈନ୍ୟଙ୍କୁ ଅସୁବିଧା ହେଉଛି ।

 

ଖୋଦାବନ୍ଦ ! ମେବାରର ଶାହୀଥାନାଗୁଡ଼ିକ ଅନେକ ଦୂରତ୍ୱ ବ୍ୟବଧାନରେ ଅଛି ଓ ମଝି ମଝିରେ ଆରାବଳୀ ପର୍ବତ ଅବସ୍ଥିତ । ଆରାବଳୀ ପର୍ବତ ଉପର ଅଂଶରେ ରାଣାଙ୍କ ଦଖଲ ଅଛି । ସୁଯୋଗ ପାଇଲାମାତ୍ରେ ସେମାନେ ଚିତାବାଘ ସଦୃଶ ପୂର୍ବ କିମ୍ୱା ପଶ୍ଚିମ ଦିଗରୁ ଲମ୍ଫ ପ୍ରଦାନ କରି ଆମ ଫଉଜକୁ କାଟି ପକାଇ ଛାଉଣୀକୁ ଲୁଟପାଟ କରି ସାରି ପାହାଡ଼ ଉପରେ ଲୁଚି ଯାଉଛନ୍ତି ।’

 

‘ଆଉ ?’

 

‘ପୁଣି ମେବାରର ପାର୍ବତ୍ୟ ଅଞ୍ଚଳ ଉଦୟପୁରଠାରୁ ପଶ୍ଚିମ ଦିଗରେ କୁମ୍ଭଳଗଡ଼ ପର୍ଯ୍ୟନ୍ତ, ରାଜସମୁଦ୍ରଠାରୁ ଦକ୍ଷିଣ ଦିଗରେ ସଲୁମ୍ୱରା ପର୍ଯ୍ୟନ୍ତ ଗୋଟାଏ ଶକ୍ତିଶାଳୀ ଦୁର୍ଗ ଅଛି ଓ ତାହା ମଧ୍ୟରେ ପ୍ରବେଶ କରିବାପାଇଁ ମାତ୍ର ତିନୋଟି ନାଳ–ଉଦୟପୁର, ରାଜସମୁଦ୍ର ଏବଂ ଦେସୁରୀ-।’

 

‘ସେନାବାହିନୀ କ’ଣ କହନ୍ତି ।’

 

ଚିତୋରରୁ ମାରୱାଡ଼୍ ଯିବାପାଇଁ ସେମାନଙ୍କୁ ବଦନୌର, ସୋଜତ୍ ଏବଂ ବାବର ମଧ୍ୟ ଦେଇ ଦୀର୍ଘ ଓ ବନ୍ଧୁର ପଥ ଅତିକ୍ରମ କରିବାକୁ ପଡ଼ୁଛି । ସେଠାରେ ଜଳ କିମ୍ବା ଖାଦ୍ୟ କିଛି ନାହିଁ । ଆହୁରି ମଧ୍ୟ ଗୋଟିଏ ବିପଦ ।’

 

ସେ କ’ଣ ?’

 

ଏ ରାସ୍ତାର ସମସ୍ତ ଘାଟି ଏବଂ ଉଚ୍ଚ ସ୍ଥାନମାନଙ୍କରେ ୫୦ ହଜାର ଭିଲ ଯୋଦ୍ଧା ତୀର କମାଣାଦି ନେଇ ପ୍ରସ୍ତୁତ ଅଛନ୍ତି । ଏହି ଭିଲମାନେ ସରୀସୃପ ପରି ପାହାଡ଼ ଚଢ଼ି ଓହ୍ଲାଇ ଆସି ପାରନ୍ତି ଏବଂ ଏମାନଙ୍କର ଲକ୍ଷ୍ୟ ଅତି ଅବ୍ୟର୍ଥ । ଖାଦ୍ୟ ପହଞ୍ଚାଇଲେ ମଧ୍ୟ ଖିନ୍‍ଭିନ୍ କରି ସେମାନେ ଲୁଟି ନେଉଛନ୍ତି ।

 

ବାଦଶାହା କ୍ରୋଧରେ ଆଦେଶ ଦେଲେ–ସମଗ୍ର ପାହାଡ଼ିଆ ଅଞ୍ଚଳକୁ ଘେରି ଦିଆଯିବା ସଙ୍ଗେ ସଙ୍ଗେ ଦେସୁରୀ, ଉଦୟପୁର ଓ ରାଜସମୁଦ୍ର ଘାଟି ଭିତରେ ପ୍ରବେଶ କର ।’

 

‘ଯଥା ଆଜ୍ଞା ମହାରାଜ ।’

 

‘ଶାହାଜାଦା ଆକବରକୁ ଉଦୟପୁରଙ୍କୁ ଉଦୟପୁର ମୁହାଣଠାରେ ଜଗି ରହିବାକୁ ଆଦେଶ ଦିଅ । ତାଙ୍କର ସାହାଯ୍ୟପାଇଁ ହୋସେନ ଅଲ୍ଲୀ ଖାଁ, ଶୁରଜାତ୍ ଖାଁ, ରାଜିଉଦ୍ଦିନ ଖାଁ ଏବଂ ସାତହଜାର ଫଉଜ ଓ ଫିରିଙ୍ଗି ତୋପଖାନା ରହିବେ ।

 

‘ଯଥା ଆଜ୍ଞା ।’

 

‘ଆଉ ତୁମେ ଦେବାରୀ ଘାଟି ଓ ମାଣ୍ଡଳଗଡ଼କୁ ଦଖଲ କରିନିଅ । ମୁଁ ନିଜେ ରାଜସମୁଦ୍ର ଦିଗକୁ ଯିବି । ହଁ ସାଦୁଲ୍ଲା ଖାଁକୁ ଲେଖିଦିଅ ସେ ନିଜ ସୈନ୍ୟ ସହ ମୋର ପ୍ରତୀକ୍ଷା କରିବ ।

 

‘ଭଲ । କିନ୍ତୁ ଶତ୍ରୁ ତ ସମ୍ମୁଖରେ ଆସୁନି, ଯୁଦ୍ଧ ହେବ କେମିତି ?’

 

‘ସମଗ୍ର ମୁଲକକୁ ଚାରିପାଖରୁ ଘେରିଯାଇ ଭିତରକୁ ପଶି ସମଗ୍ର ମେବାରକୁ ଧୂଳିସାତ୍ କରିଦିଅ ଓ ଶତ୍ରୁକୁ ଦେଖିଲାକ୍ଷଣି କାଟି ପକାଅ । ଶେଷରେ ସେମାନେ କେଉଁଠି ଆଶ୍ରୟ ନେବେ ଦେଖିବା । ସମସ୍ତ ସିପାହୀଙ୍କୁ ଆଦେଶ ଦିଅ ମନ୍ଦିର ଶିବାଳୟ ଧ୍ୱଂସ କରି ଦେବା ସଙ୍ଗେ ସଙ୍ଗେ ଗାଁଗୁଡ଼ିକ ଜାଳିପୋଡ଼ି ପାଉଁଶ କରିଦେବେ ।

 

‘ଯଥା ଆଜ୍ଞା ।’

 

ଅମୀର ଚାଲିଯିବା ପରେ ବାଦଶାହା ପଦଚାରଣ କରିବାକୁ ଲାଗିଲେ ଓ ହାତ ମୁଠାମୁଠା କରି କହିଲେ–‘ଏଇଥର ଏ ଚାଲାକ ରାଜପୁତ ଜାତିକୁ ଉଡ଼ାଇ ଦେବି । ରାଜପୁତନାର ବକ୍ଷ ପ୍ରଦେଶରେ ଚିତୋର ମୁଣ୍ଡ ଟେକିଥିଲା ପର୍ଯ୍ୟନ୍ତ ମୋଗଲର ସ୍ୱପ୍ନ ଫିକା । ପୂର୍ବପୁରୁଷମାନେ ଚେଷ୍ଟା କରି ମଧ୍ୟ ଏହାକୁ ଅକ୍ତିୟାର କରିପାରିନାହାନ୍ତି କିନ୍ତୁ ଆଲମଗୀରର ଶନିଦୃଷ୍ଟି ଏଡ଼ାଇଦେବା ଆଉ ସହଜ ନୁହେଁ ।’

 

ମାତ୍ର ପର ସପ୍ତାହଠାରୁ ସମ୍ବାଦ ମିଳିଲା ଯେ ନଅଦିନ ହେଲା ହୋସେନ୍ ଅଲ୍ଲୀ ଖାଁ ଓ ତାଙ୍କ ସେନାବାହିନୀର ଖୋଜ୍‍ଖବର ନାହିଁ । ମାଳବଠାରୁ ମନ୍ଦସୌର ଓ ନିମତ ରାସ୍ତାରେ ଦଶହଜାର ବଳଦ ଗାଡ଼ିରେ ଆସୁଥିବା ଖାଦ୍ୟ ପଦାର୍ଥକୁ ଭିଲମାନେ ରାସ୍ତାରେ ଛଡ଼ାଇ ନେଲେ । ବର୍ତ୍ତମାନ ଆଉ ଖାଦ୍ୟ ପଦାର୍ଥ ନାହିଁ । ପୋଖରୀରେ ଜଳନାହିଁ, ସୈନ୍ୟମାନେ ଗୋଟା ଗୋଟା ମରିବାକୁ ବସିଲେଣି । ଶତ୍ରୁ ବାଜପକ୍ଷୀ ପରି ଆସି ଝାମ୍ପ ମାରି ଦେଇ ଗଲା ଭଳି କାଟି ଦେଇ କୁଆଡ଼େ ଲୁଚିଯାଉଛନ୍ତି । ଘାଟି ଓ ସାଗର ଆଡ଼କୁ ସେନାବାହିନୀ ଯିବାକୁ ଅନିଚ୍ଛୁକ, ତାଙ୍କର ମନୋବଳ ଆଉ ନାହିଁ । ଆହୁରି ଗୋଟିଏ ବଡ଼ ବିପଦ ଯେ ଚିତୋର ଆଖପାଖ ସମସ୍ତ ଯୋଗାଯୋଗ କେନ୍ଦ୍ର ଭାଙ୍ଗିଗଲାଣି, ରାଜପୁତମାନେ ପାହାଡ଼ରୁ ବାହାରି ଆସି ବଦନୌର ପର୍ଯ୍ୟନ୍ତ ନିଜର ସେନା ପ୍ରସାରିତ କରିସାରିଲେଣି ଏବଂ ଏହାଦ୍ୱାରା ଆଜମୀର ସହ ବାଦଶାହୀ ସେନାଙ୍କର ସମ୍ପର୍କ ଛିନ୍ନ ହୋଇଯାଇଛି । ମୋଗଲ ସେନା କ୍ଳାନ୍ତ, ଅବସନ୍ନ ଅବସ୍ଥାରେ ପଡ଼ିଛନ୍ତି ।

 

ମୋଗଲ ସୈନ୍ୟମାନେ ଚାରିଦିଗରୁ ମେବାରକୁ ଘେରିଗଲେ । ମାତ୍ର ସମଗ୍ର ରାଜ୍ୟ ନିସ୍ତବ୍ଧ । ଥିଲା ଗାଁଗୁଡ଼ାକ ଜାଳିଦିଆ ଯାଇଥିଲା, କୂଅ ପୋଖରୀ ପୋତି ଦିଆଯାଇଥିଲା । କ୍ଷେତସବୁ ଜାଳି ଦିଆଯାଇଥିଲା ଏବଂ ସବୁ ପଶୁପକ୍ଷୀ ସହ ପ୍ରଜାମାନେ ଆରାବଳୀ ପର୍ବତର ଦୁର୍ଗମ ଘାଟିମାନଙ୍କରେ ଅବସ୍ଥାନ କରୁଥିଲେ ।

 

ମୋଗଲମାନଙ୍କ ମଧ୍ୟରେ ଆତ୍ମବଳ ଭାଙ୍ଗିଯାଇଥିଲା ଆଦେଶ ଏବଂ ଆତ୍ମଗର୍ବ ପାଇଁ ସେମାନେ ରଙ୍ଗୀନ ସ୍ୱପ୍ନରେ ଭାସି ବୁଲୁଥିଲେ, ମାତ୍ର ଏଭଳି ବ୍ୟବସ୍ଥାରେ ସେ ଅତିଷ୍ଠ ହୋଇ ପଡ଼ିଥିଲେ । ତେଣୁ ବାଦଶାହାଙ୍କ ପ୍ରତି ତାଙ୍କର ଆଉ ପୂର୍ବ ଶ୍ରଦ୍ଧା ନଥିଲା । ବାଦଶାହାଙ୍କ ସୈନ୍ୟବାହିନୀରେ ଗେଟ ପାଇଁ ଚାକିରି କରୁଥିବା ଅନେକ ମୋଗଲ, ପଠାଣ, ସୟଦ ଓ ଶିଖ ଭଳି ଅନେକ ସମ୍ପ୍ରଦାୟର ସୈନ୍ୟ ଥିଲେ । ତେଣୁ ତାଙ୍କର ସ୍ୱଦେଶ ପ୍ରେମ ନଥିଲା । ସେମାନେ ନିଜର ସୁଖ ସ୍ୱାର୍ଥ ପ୍ରତି ଯଥେଷ୍ଟ ସଚେତନ ଥିଲେ । ମାତ୍ର ଠିକ୍‌ ଏହାର ବିପରୀତ ଭଳି ରାଜପୁତ୍ରମାନେ ନିଜ ଜୀବନକୁ ହାତମୁଠାରେ ରଖୁଥିଲେ । ଜାତି ଦେଶପାଇଁ ଜୀବନ ଦେଉଥିଲେ । ରାଜାଙ୍କୁ ପ୍ରଭୁ ଭଳି ମନେ ନକରି ନିଜର ମିତ୍ର ଭଳି ମନେ କରି ଯୁଦ୍ଧ କରୁଥିଲେ ।

 

ଦୁର୍ଗମ ଆରାବଳୀ ଘାଟିମାନଙ୍କରେ ଭିଲମାନେ ବସବାସ କରୁଥିଲେ, ଅପରିଚିତ ବ୍ୟକ୍ତି ତା’ ମଧ୍ୟରେ ପ୍ରବେଶ କରିବା ଅସମ୍ଭବ । ଭିଲମାନେ ରାଜାଙ୍କ ସାହାଯ୍ୟ ପାଇ ସେଠାରେ ବସବାସ କରୁଥିଲେ । ପ୍ରକାଶ୍ୟରେ ସେମାନେ ଜଙ୍ଗଲୀ ଭଳି ରହୁଥିଲେ । ମାତ୍ର ସେମାନେ ନିର୍ଭୀକ ବୀର ଥିଲେ । ନିଜ ସର୍ଦାରଙ୍କର ଅନନ୍ୟ ଭକ୍ତ ଥିଲେ । ଏଭଳି ଦୁର୍ଦ୍ଧର୍ଷ ଦଳର ପରାଭାବରେ ମୋଗଲ ସର୍ଦାର ସର୍ବଦା ଚିନ୍ତିତ ଥିଲେ ।

 

ରାତ୍ରି ସମୟରେ ନିଆଁ ଜାଳି ଚାରିପାଖେ ବସି ଭିଲମାନେ ତମାଖୁ ପିଉଥିଲେ । ତାଙ୍କର କୃଷ୍ଣକାୟ ନଗ୍ନ ଶରୀର ଜ୍ୱଳନ୍ତ ଅଗ୍ନିରେ ଝଲସି ଉଠୁଥିଲା । ଜଣେ ରାଜପୁତ ସୈନ୍ୟ ଆସି ଭିଲ ସର୍ଦାରଙ୍କୁ ସସମ୍ମାନେ ଅଭିବାଦନ ଜଣାଇଲା ଓ ସନ୍ଦେଶ ଥିବାର ଜଣାଇବାରୁ ଢୋଲ ପିଟାଗଲା । ଏବଂ ତତ୍‌କ୍ଷଣାତ୍‌ ଦୁଇ ହଜାର ଭିଲ ଆସି ଏକତ୍ରିତ ହୋଇଗଲେ । ରାଜପୁତ ସୈନ୍ୟ କହିଲା–‘ଭିଲ ସର୍ଦାରଗଣ ! ବର୍ତ୍ତମାନ ଦେଶ ରକ୍ଷାର ଶୁଭ ଅବସର ଆସିଯାଇଛି, ଶତ୍ରୁ ଦେଶକୁ ଚାରିପାଖରୁ ଘେରି ଯାଇଛନ୍ତି । ରାଣା ଆପଣଙ୍କର ସାହାଯ୍ୟ ଚାହାଁନ୍ତି ।’

 

ଭିଲ ସର୍ଦାର ଉଚ୍ଚ ସ୍ୱରରେ କହିଲା–‘ରାଣାଙ୍କପାଇଁ ଆମ ଶରୀର ମହଜୁଦ୍ ଅଛି ।’ ସେଇ ରାତ୍ରିରେ ଦୁଇ ହଜାର ଭିଲ ହାତରେ ଅସ୍ତ୍ର, ଧନୁର୍ବାଣ ଧରି ରାଜପୁତ ସୈନ୍ୟକୁ ଅନୁସରଣ କଲେ ଓ ରାତାରାତି ଦୁର୍ଗରେ ନିଜର ଆସ୍ଥାନ ଜମାଇ ଦେଲେ ।

 

ସେମାନଙ୍କ ଘରେ ସ୍ତ୍ରୀଲୋକମାନେ ଏକାକୀ ରହିଗଲେ । ପରଦିନ ଦ୍ୱିପ୍ରହର ଟାଣୁଆ ଖରାରେ କେଇଜଣ ଭିଲ ରମଣୀ ମୟୂରକଣ୍ଠୀ ପିନ୍ଧି, ଘୁଙ୍ଗୁର ନାଇ ଲୁଣି ନଦୀକୂଳରୁ ପାଣି ଆଣୁଥିଲେ । ଦୁଇଜଣ ବାଳିକା ସୁନା ପରି ଝଟକୁଥିବା ଲୁଣି ନଦୀ ବାଲିରେ ଖେଳୁଥିବା ଅବସ୍ଥାରେ ସାଇଁସାଇଁ ହୋଇ ଗୋଟିଏ ତୀର ଆସି ଗୋଟିଏ ବାଳିକା ଅନ୍ତବୁଜୁଳା ଚିରି ଦେଇ ବାହାରି ଗଲା । ବାଳିକା ମୁହଁରୁ ଗୋଟିଏ ଅସ୍ପଷ୍ଟ ଧ୍ୱନି ବାହାରି ତାହାର ନିଥର ଦେହଟି ଲୋଟି ପଡ଼ିଲା । ନଦୀକୂଳରେ ଛିଡ଼ାହୋଇ ବାଳକମାନେ ଆଶ୍ଚର୍ଯ୍ୟ ଓ ରୋଷ ନୟନରେ ନଦୀର ଆରପାଖକୁ ଦେଖିଲେ । ଦୁଇ ଜଣ ମୋଗଲ ସୈନ୍ୟ ଦାନ୍ତ ନିକୁଟି ହସୁଥିଲେ । ଗୋଟିଏ ଯୁବତୀ ଚିତ୍କାର କରି ତତ୍‌କ୍ଷଣାତ୍‌ କଣ୍ଟାଝଣ୍ଟା ଗଛମାନଙ୍କ ମଧ୍ୟରେ ଅଦୃଶ୍ୟ ହୋଇଗଲା । ରାଣାଙ୍କ ରଣ–ନିମନ୍ତ୍ରଣକୁ ଯାଇ ପାରି ନଥିବା ଜଣେ ବୟୋବୃଦ୍ଧ ଭିଲ ଗାଁରେ ରହିଥିଲା । ସେ ନିଜର ବିଶାଳ ଧନୁ ଓ ତିନି ଚାରୋଟି ବାଣ ନେଇ ବାହାରକୁ ଆସି ଗଛ ଉହାଡ଼ରେ ଛିଡ଼ା ହୋଇ ଅନ୍ୟ ପାଖରେ ଥିବା ମୋଗଲ ସୈନ୍ୟ ଦ୍ୱୟଙ୍କୁ ଲକ୍ଷ୍ୟ କରି ତୀର ଛାଡ଼ିଲା । ବଜ୍ରପାତ ସଦୃଶ ଉକ୍ତ ତୀର ସୈନିକର କଣ୍ଠରେ ଲାଖି ରହିଲା । ସୈନିକଟି ଚିତ୍କାର କରି ଭୂମିରେ ଲୋଟି ପଡ଼ିଲା ଏବଂ ସମସ୍ତ ସ୍ତ୍ରୀଲୋକ ନିଜ ନିଜର ମାଠିଆ ଛାଡ଼ି ପଳାଇଗଲେ ।

 

ପାଞ୍ଚ ହଜାର ମୋଗଲ ସୈନ୍ୟ ଭିଲ ବସ୍ତିକୁ ଘେରି ଯାଇ ଗାଁ ଭିତରକୁ ଅଗ୍ରସର ହେଉଥିଲେ । ଦୁଇ ତିନିଜଣ କିଶୋର ବାଳକ ତୀର ଚଳାଇ ସେମାନଙ୍କୁ ବାଧା ଦେବାର ପ୍ରୟାସ କରୁଥିଲେ । ସ୍ତ୍ରୀଲୋକମାନେ ମଧ୍ୟ ଯଥେଷ୍ଟ ବାଣ ଆଣି ବୁଢ଼ା ପାଖରେ ରଖୁଥିଲେ ଓ ବୁଢ଼ାର ଲକ୍ଷ୍ୟ ଅବ୍ୟର୍ଥ ଥିଲା । ବୁଢ଼ା ଦେଖିଲା ବାଣ ବର୍ଷଣଦ୍ୱାରା ମଧ୍ୟ ମୋଗଲମାନଙ୍କୁ ବାଧାଦେଇ ହେବ ନାହିଁ । ଦୁଇ ଚାରିଜଣ ସିପାହୀ ଗାଁରେ ନିଆଁ ଲଗାଇବାର ଆୟୋଜନ କରୁଥିଲେ । ସେ ସ୍ତ୍ରୀଲୋକମାନଙ୍କୁ ଏକାଠି କରି ପିଲାଛୁଆଙ୍କ ସମେତ ପଛୁଆ ବାହାରିବାକୁ ଆରମ୍ଭ କଲା । ଗୋଟାଏ ବାଣ ଆସି ତାହାର ବାହୁରେ ବିଦ୍ଧ ହେବାଦ୍ୱାରା ଝରଣାରୁ ଝରିଲା ଭଳି ରକ୍ତ କ୍ଷରଣ ହେବାକୁ ଲାଗିଲା । ବୁଢ଼ା ଚିତ୍କାର କଲା ‘ସମସ୍ତେ ଅନ୍ୟ ଜଙ୍ଗଲକୁ ଚାଲିଯାଅ ।’ ଏଇ ସମୟରେ ଗାଁର କୁଡ଼ିଆଗୁଡ଼ିକ ଧାଏଁ ଧାଏଁ ଜଳିବାକୁ ଲାଗିଲା । ବୁଢ଼ା କୌଶଳର ସହିତ ତୀର ମାରି ମାରି ପଛକୁ ଘୁଞ୍ଚୁଥିଲା । ତା’ର ବୀରତ୍ୱ, ଧୈର୍ଯ୍ୟ ଓ ସାହସ ଅନ୍ୟମାନଙ୍କୁ ଚକିତ କଲା ଭଳି ମନେ ହେଉଥିଲା ।

 

ଜଣେ ବଳିଷ୍ଠ ଭିଲ ଯୁବତୀ ତୀର ଭଳି ଧାଇଁ ଧାଇଁ ଆରାବଳୀ ଉପତ୍ୟକା ଆଡ଼କୁ ଯାଇ ଗୋଟାଏ ବଡ଼ ଗଛରେ ଚଢ଼ି ନିଜର ଲାଲ ଶାଢ଼ିକୁ ଲାଠି ସାହାଯ୍ୟରେ ଉପରକୁ ଟେକିଲା । ଏଇ ସଙ୍କେତ ପାଇ କିଛିକ୍ଷଣ ପରେ ଚଢ଼େଇ ଦଳ ଭଳି ଭିଲ ଯୋଦ୍ଧାଗଣ ଧନୁର୍ବାଣ ଧରି ପର୍ବତ ଶୃଙ୍ଗରୁ ଓହ୍ଲାଇ ଆସିଲେ । ସ୍ତ୍ରୀଲୋକଟି ଗଛରୁ ଓହ୍ଲାଇ ନିଜ ରକ୍ତ ବସ୍ତ୍ରକୁ ପବନରେ ଉଡ଼ାଇ ଆଗେ ଆଗେ ଦଉଡ଼ିଲା ଓ ପଛେ ପଛେ ଭିଲଙ୍କର ଚଞ୍ଚଳଗତି ମଧ୍ୟ ।

 

ଗାଁରେ ଆସି ଦେଖାଗଲା ଘରଗୁଡ଼ିକ ହୁହୁ ହୋଇ ଜଳୁଛି । ଭିଲ ସର୍ଦାର ହାତ ଉଚ୍ଚ କରି ବାଘ ଭଳି ଚିତ୍କାର କଲା ଏବଂ ଭିଲ ବୀରଗଣ ଚାରିଦିଗକୁ ଖେଳେଇ ଗଲେ । ତତ୍‌କ୍ଷଣାତ୍‌ ବାରିଧାରା ପରି ବାଣ ବର୍ଷା ହେବାକୁ ଲାଗିଲା ଓ ମୋଗଲମାନଙ୍କ ଆର୍ତ୍ତନାଦ ଶୁଣାଗଲା । ମୋଗଲମାନଙ୍କ ଛିନ୍ନ ଶିର ଲୋଟି ପଡ଼ିଲା, ଘୋଡ଼ାମାନେ ପାଣିରେ ପଡ଼ିଲେ, ସେମାନଙ୍କ ରକ୍ତରେ ଲୁଣି ନଦୀ ଲାଲ ହୋଇ ପଡ଼ିଲା । ଯୁଦ୍ଧରେ ଭିଲ ବୀରମାନେ ଜୟ ଲାଭ କଲେ । କିନ୍ତୁ ସେଇ ବୃଦ୍ଧ ଭିଲ ଦେହରେ ଶହଶହ ବାଣ ବିଦ୍ଧ ହୋଇ, ନିର୍ଜୀବ ଅବସ୍ଥାରେ ପଡ଼ିଥିବାର ଦେଖାଗଲା ।

 

କୋଡ଼ିଏ

 

ବର୍ତ୍ତମାନ ଆଉରଙ୍ଗଜେବ ଉଦୟପୁର ଦିଗକୁ ଅଗ୍ରସର ହେଲେ । ବଙ୍ଗଳାରୁ ଶାହାଜାଦା ସୁଅଜ୍ଜମ ନିଜର ସେନାବାହିନୀ ସହ ପହଞ୍ଚି ଯାଇଥିଲେ । ଖାତନ ଜହାଁ ଶାଦୁଲ୍ଲ ଖାଁ ଏବଂ ଇକ୍‌କା ତାଜ ଖାଁଙ୍କ ସହ ମୁଅଜ୍ଜମ ଖାଁଙ୍କୁ ଉଦୟପୁର ପଠାଗଲା । ସେ ଦୁହେଁ ଉଦୟପୁର ଶୂନଶାନ୍ ଦେଖି ରାଜମହଲ ସାମନାରେ ଥିବା ପ୍ରସିଦ୍ଧ ଜଗଦୀଶ ମନ୍ଦିରକୁ ଭାଙ୍ଗି ପକାଇଲେ । କୋଡ଼ିଏ ମଞ୍ଚା ଭାଙ୍ଗି ମହଜୁଦ୍ ଥିବା ରାଜପୁତମାନଙ୍କୁ ମାରି ପକାଇଲେ । ଉଦୟ ସାଗର ନିକଟସ୍ଥ ତିନୋଟି ମନ୍ଦିର ଭଙ୍ଗାଗଲା । ସେଠାକାର ରକ୍ଷକଙ୍କ ସଙ୍ଗେ ଯୁଦ୍ଧ ହେଲା ଏବଂ ରାଠୋର ଗୋରା ସିଂହ ମଲେ, ରାଉତ ମାନ ସିଂହ ଆହତ ହେଲେ । ହୋସେନ୍‌ ଅଲ୍ଲୀ ଅନେକ ଖାଦ୍ୟ ଲୁଟି ୨୦ଟି ଓଟ ଉପରେ ଲଦି ବାଦଶାହାଙ୍କ ନିକଟକୁ ପଠାଇଥିଲେ, ତେଣୁ ବାଦଶାହା ପ୍ରୀତ ହୋଇ ତାକୁ ‘ବାହାଦୁର’ ଉପାଧି ଦେଲେ । ଏଠାରେ ୧୭୨ଟି ମନ୍ଦିର ଭଙ୍ଗାଗଲା । ବାଦଶାହା ନିଜେ ୬୩ଟି ମନ୍ଦିର ଭାଙ୍ଗିଲେ ଓ ଶାହାଜାଦା ଆକବର ହୋସେନ୍‌ ଅଲ୍ଲୀ ଖାଁ, ମୁଅଜ୍ଜମ ଖାଁ, ରଜିଉଦିନ ଖାଁଙ୍କୁ ଚିତୋରର ରକ୍ଷାଭାର ଦେଇ ଆଜମୀର ଫେରି ଆସିଲେ । ତାଙ୍କର ଯିବା ପରେ ପରେହିଁ ରାଜପୁତମାନେ ବାଦଶାହୀ ସେନାଙ୍କୁ ଲୁଟପାଟ କରିବା ଆରମ୍ଭ କରି ଦେଇ ଆତଙ୍କର ଛାୟା ଖେଳାଇ ଦେଲେ । ଏଇ ମଧ୍ୟରେ ରାଣା ଅନେକ ରାଜ–ଖାଦ୍ୟ ଭାର ଲୁଟିଲେ ଏବଂ ଶାହୀ–ଥାନା ନଷ୍ଟ କରି ଦେଲେ । ଫଳତଃ ପ୍ରଥମ ଆକ୍ରମଣ ନିଷ୍ଫଳ ହେଲା ।

 

ଏହାପରେ ବାଦଶାହା ଦ୍ୱିତୀୟ ଯୁଦ୍ଧ ଯୋଜନା କଲେ କି ଶାହାଜାଦା ଆଜମ ଚିତୋରଠାରୁ ଦେବାରୀ ଏବଂ ଯୋଧପୁର ହୋଇ ପାହାଡ଼ ଉପରେ ଚଢ଼ିବେ, ମୁଅଜ୍ଜମ ରାଜନଗରରୁ ଏବଂ ଶାହାଜାଦା ଆକବର ଦେସୁରୀଠାରୁ ଚଢ଼ିବେ । ଏଇ ଆକ୍ରମଣରେ ବାଦଶାହା ଚିତୋର, ମାଣ୍ଡଳଗଡ଼, ବିରାଟ, ଭୈମ୍‌ଗଡ଼, ନିମଚ୍‌, ଜୀରନ୍‌, ଉଁଶଲା, କପାସନ, ରାଜନଗର ଏବଂ ଉଦୟପୁରରେ ନିଜର ଅଧିକାର ବଜାୟ ରଖି ଥାନାଦର ନିଯୁକ୍ତ କଲେ । ଆକବର ଉଦୟପୁର ଆସି ଶ୍ରୀ ଏକଲିଙ୍ଗେଶ୍ୱରଙ୍କ ଦିଗକୁ ଅଗ୍ରସର ହେଲେ । ରାସ୍ତାରେ ଖଣ୍ଡଯୁଦ୍ଧମାନ ହେଲା । ଏଥିରେ କୋଠାରିଏର ରୁକ୍‌ ମାଡ଼ଗଁଜଙ୍କ ପୁତ୍ର ଉଦୟଭାନୁ ଓ ଅମର ସିଂହ ବିଶେଷ ବୀରତ୍ୱ ପ୍ରଦର୍ଶନ କଲେ-। ବୀରତ୍ୱପାଇଁ ଉଦୟଭାନୁ ୧୨ଟି ଗ୍ରାମ ପାଇଲେ । ହୋସେନ୍‌ ଅଲ୍ଲୀ ଖାଁ ପରାସ୍ତ ହୋଇ ପଳାଇଗଲା । ବର୍ତ୍ତମାନ ମହାରାଣା କୁମାର ଭୀମସିଂହଙ୍କୁ ଗୁଜୁରାଟ ପଠାଇଲେ । ସେ ଇଡ଼ରକୁ ଧ୍ୱଂସ କରି ବଡ଼ ନଗରକୁ ଲୁଟି ନେଲେ ଓ ଦଣ୍ଡସ୍ୱରୂପ ୪୦ ହଜାର ଟଙ୍କା ଆଣିଲେ । ପୁଣି ଅହମ୍ମଦନଗର ଯାଇ ୨ ଲକ୍ଷ ଟଙ୍କାର ମାଲ ଲୁଟ କଲେ । ବାଦଶାହା ମନ୍ଦିର ଭାଙ୍ଗିଥିଲେ, ତେଣୁ କୁମାର ଭୀମସିଂହ ପ୍ରାୟ ୩୦୦ ମସଜିଦ ଭାଙ୍ଗିପକାଇଲେ । ଅପରପକ୍ଷରେ ମନ୍ତ୍ରୀ ଦୟାଲ ଦାସ ମାଳବ ଉପରେ ଚଢ଼ାଉ କରି ଗୁଡ଼ାଏ ମସଜିଦ ଭାଙ୍ଗିପକାଇଲେ । ନଗରମାନଙ୍କୁ ଜୋରିମାନା ଆଦାୟ କରି ସ୍ଥାନେ ସ୍ଥାନେ ରାଜପୁତ ଥାନା ବସାଇଗଲେ ଏବଂ କେତେକ ଓଟରେ ସୁନା ଲଦି ନେଇ ଆସିଲେ । ସେ ପାଖରେ ରାଠୋର ଶ୍ୟାମଳଦାସ ବଦନୌର ଉପରେ ଭୟାନକ ଆକ୍ରମଣ କରି ଫୌଜଦାର ରୁହିଲ୍ଲା ଖାଁଙ୍କୁ ଛିନ୍‍ଛତର କରିଦେଲେ ଏବଂ ରୁହିଲ୍ଲା ଖାଁ ପ୍ରାଣଭୟରେ ରାତାରାତି ପଳାଇଗଲା । ସେହିଭଳି ଶକ୍ତାବତ୍‌ କେଶରୀ ସିଂହଙ୍କ ପୁତ୍ର ଗଙ୍ଗାଦାସ ୫୦୦ ସବାରୀଙ୍କ ସଙ୍ଗେ ଚିତୋର ନିକଟସ୍ଥ ଶାହୀ ଛାଉଣି ଉପରେ ଚଢ଼ାଉ କରି ୧୮ଟି ହାତୀ, ୨ଟି ଘୋଡ଼ା ଓ କେତୋଟି ଓଟ ଛଡ଼ାଇ ନେଇ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାଣା କୁମାରକୁ ପଦବୀ, ସ୍ୱର୍ଣ୍ଣାଳଙ୍କାର, ଉତ୍ତମ ଘୋଡ଼ା ଓ ଗ୍ରାମ ଦେଇ ସମ୍ମାନିତ କଲେ । ଏହିଭଳି କୁମାର ରାଜସିଂହ ବେଁଗୁ ପରେ ଆକ୍ରମଣ କରି ସେନାବାହିନୀ ଛିନ୍‍ଛତର କରି ଦେଲେ ।

 

ଶାହାଜାଦା ଆକବର ୫୦ ହଜାର ସେନା ନେଇ ମହଜୁଦ୍ ଥିବା ସମୟରେ କୁମାର ଜୟ ସିଂହ ୩୦ ଜଣ ବଡ଼ବଡ଼ ସର୍ଦାର, ୧୩୦୦୦ ସବାରୀ ଓ ୨୦ ହଜାର ପଦାତିକ ସୈନ୍ୟ ସହ ଚଢ଼ାଉ କରିବାକୁ ଆକବର ଛତ୍ରଭଙ୍ଗ ଦେଲେ । ରାଜପୁତମାନେ ହାତୀ, ଘୋଡ଼ା, ତମ୍ବୁ, କମାଣ ଆଦି ଛଡ଼ାଇ ଛାଉଣିରେ ନିଆଁ ଲଗାଇ ଦେଲେ । ଆକବର ପଳାଇଯାଇ ଯଠୋଳଠାରେ ଯୁଦ୍ଧ ଆୟୋଜନ କରୁଥିଲାବେଳେ କୁମାର ଭୀମ ସିଂହ, ରାଠୋର ଗୋପୀନାଥ ଓ ବିକ୍ରମ ସୋଲାଙ୍କୀ ୧୨ ହଜାର ସୈନ୍ୟ ସହ ଘେରାଉ କରିବାରୁ ଯୁଦ୍ଧ ହେଲା ଏବଂ ବାଦଶାହୀ ସୈନ୍ୟଙ୍କ ସମସ୍ତ ଖଜଣା ଲୁଟି ନିଆଗଲା ।

 

ଉଦୟପୁର ନିକଟରେ ଆକବର ପରାସ୍ତ ହେବା ସମ୍ବାଦ ଆଉରଙ୍ଗଜେବ ଶୁଣିଲେ । ବଙ୍ଗଳା ଓ ଦକ୍ଷିଣ ବାଦଶାହାଙ୍କ ସହାୟତା ନ ମିଳିବାରୁ ଏପରି ହେଲା ବୋଲି ବାଦଶାହାଙ୍କୁ ଜଣାଇ ଦିଆଗଲା । ରାଣା କୌଶଳର ସହିତ ଆସ୍ଥାନ ଜମାଇଥିବାଦ୍ୱାରା ସାହାଯ୍ୟ ମିଳିପାରି ନଥିଲା, ପୁଣି ଜୟ ସିଂହ ଅନେକ ସୈନ୍ୟ ଏକାକୀ କାଟି ପକାଇଥିଲେ । ଖାଦ୍ୟ ଅସ୍ତ୍ର ନ ପାଇ ଶାହାଜାଦା ବିବ୍ରତ ହୋଇ ପଡ଼ିଥିଲେ । ପାହାଡ଼ିଆ ଅଞ୍ଚଳରେ ଯେ ଆଗକୁ ରାସ୍ତା ନ ପାଇ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ । ଘୋଡ଼ା, ଓଟ, ତୋପ କମାଣ ଆଗକୁ ବଢ଼ିପାରିଲା ନାହିଁ । ଶାହାଜାଦା କେତେକ ପଦାତିକ ଓ ବଛା ବଛା ସବାରୀ ନେଇ ଘାଟିମାନଙ୍କ ଭିତରେ ପଶିଯିବାକୁ ଚେଷ୍ଟା କଲେ କିନ୍ତୁ ଉପରୁ ରାଣାଙ୍କ ସୈନ୍ୟମାନେ ବଡ଼ବଡ଼ ଶିଳାବୃଷ୍ଟି କରିବାକୁ ଲାଗିଲେ । ବନ୍ଦ ରୋଷେଇଶାଳାର କବାଟ ଖଡ଼ଖଡ଼ କରି କୁକୁର ଫେରି ଆସିଲା ଭଳି ସବୁ ଦିଗରୁ ନିରାଶ ହୋଇ ଶାହାଜାଦା ଗୁଜୁରାଟ ଚାଲିଗଲେ ।

 

ଆକବରଙ୍କୁ ଶୀଘ୍ର ଫେରିଆସିବା ପାଇଁ ଆଉରଙ୍ଗଜେବ ସ୍ୱୟଂ ଘାଟି ମଧ୍ୟଦେଇ ମେବାରରେ ପ୍ରବେଶ କଲେ । ମାତ୍ର ରାଣାଙ୍କର ଜଣେ ଅନୁଚର ମାର୍ଗଦର୍ଶକ ହୋଇ ବାଦଶାହା ଘାଟିରେ ଆଣି ଫାନ୍ଦରେ ପକାଇ ଦେଲା । ବାଦଶାହା ନିଜର ସମସ୍ତ ସୈନ୍ୟ ନେଇ ସମୂଳୋତ୍ପାଟନ ଇଚ୍ଛାରେ ଯାଇଥିଲେ । ସର୍ବପ୍ରଥମେ ରାସ୍ତା ସୁବିଧାଜନକ କରିବା ନିମନ୍ତେ ଗଇନ୍ତି, ଫାଉଡ଼ା, ଆଦି ଉପକରଣ ନେଇ ରାସ୍ତା ସଫା କରି ଗୋଟିଏ ଦଳ ସୈନ୍ୟ ଅଗ୍ରସର ହେଉଥିଲେ । ପରେ ପରେ ତୋପକାରମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଗଲା । ତା’ ପଛରେ ହାତୀମାନଙ୍କ ଉପରେ ଖଜଣା ଥିଲା । ଖଜଣା ଘାଟି ମଧ୍ୟକୁ ପ୍ରବେଶ କଲାମାତ୍ରେ ରାଜପୁତମାନେ ଲୁଟି ନେବାକୁ ଚାହିଁବାରୁ ରାଠୋର ଗୋପୀନାଥ ସାମାନ୍ୟ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ । ଖଜଣା ପରେ ଖାଦ୍ୟ, ପାନୀୟ ଗଙ୍ଗାଜଳ ଇତ୍ୟାଦି ଗଲା ପରେ ପରେ କମାଣଧାରୀ ଓ ଅଗଣିତ ଅଶ୍ୱାରୋହୀ ଥିଲେ । ଏଇ ପ୍ରଥମ ଭାଗ ଫଉଜଙ୍କୁ ଘାଟି ଭିତରକୁ ପ୍ରବେଶ କରିବାକୁ ଦିଆଗଲା ।

 

ଏହାପରେ ଦ୍ୱିତୀୟ ଭାଗ ଫଉଜରେ ସ୍ୱୟଂ ବାଦଶାହା ଥିଲେ । ତାଙ୍କ ସମ୍ମୁଖରେ ଓଟମାନଙ୍କରେ ସୁଗନ୍ଧ ଦ୍ରବ୍ୟ ପ୍ରଜ୍ଜ୍ୱଳିତ ହେଉଥିଲା ଓ ଆଖପାଖ ସୁବାସ ମହକି ଉଠୁଥିଲା । ବାଦଶାହା ବହୁମୂଲ୍ୟ ଘୋଡ଼ାରେ ବସି ଆସୁଥିଲେ ସେହି ଅଶ୍ୱ ଉପରେ ମୂଲ୍ୟବାନ ଛତ୍ର ଥିଲା । ତାଙ୍କ ପଛରେ ହାତୀ ଉପରେ ବଡ଼ବଡ଼ ଯୋଦ୍ଧା ଏବଂ ପଛରେ ବେପରୁଆଭାବେ ସିପାହୀ ପରି ବସିଥିବା ଅନୁଚରଗଣ ଚାଲିଥିଲେ । ସର୍ବଶେଷରେ ଗୋଲନ୍ଦାଜ ସୈନ୍ୟ ଥିଲେ । ଏହି ଦ୍ୱିତୀୟ ଭାଗ ସୈନ୍ୟବାହିନୀଙ୍କୁ ମଧ୍ୟ ଭିତରକୁ ପଶିବାକୁ ଦିଆଗଲା ।

 

ବର୍ତ୍ତମାନ ତୃତୀୟ ଭାଗ ସେନା ଫଉଜ ଆସିଗଲେ । ଏଥିରେ ଅଗଣିତ ପଦାତିକ, ପଛେ ପଛେ ଅନୁଚର, ଶ୍ରମିକ, ବେଶ୍ୟା, ବେହିଆ, ନିର୍ଲଜ୍ଜ ସର୍ବସାଧାରଣ, ଘୋଡ଼ା ପାଲିଙ୍କି, କାହାଳୀ, ତମ୍ବୁ ଇତ୍ୟାଦି ଥିଲା । ଏହି ପ୍ରକାରେ ବଢ଼ି ନଈ ପରି ଏଇ ସେନା ଘାଟି ମଧ୍ୟରେ ପ୍ରବେଶ କରିଗଲେ । ରାଜପୁତମାନେ ଲୁଚି ଲୁଚି ସବୁ ଦେଖିବାରେ ଲାଗିଥିଲେ । ପୂର୍ବରୁ ଆକବର ମଧ୍ୟ ଦିନେ ଯାଇଥିଲେ । ବାଦଶାହାଙ୍କର ଯୋଜନା ଥିଲା ଯେ ସେ ଚଟାପଟ ଶାହାଜାଦା ଆକବରଙ୍କ ସହ ମିଳିତ ହେବେ, ବାଟରେ ଯଦି କୁମାର ଜୟସିଂହଙ୍କୁ ଦେଖନ୍ତି ତେବେ ଦଳି ମକଚି ପକାଇବେ ଏବଂ ପୁଣି ଦୁଇ ଦଳ ମିଶି ଉଦୟପୁର ରାଜ୍ୟକୁ ଛିନ୍‍ଛତର କରି ଦେବେ । ମାତ୍ର ଉପରେ ସଦର୍ପେ ଦୃଢ଼ ଥିବା ରାଜପୁତମାନଙ୍କୁ ଦେଖିପକାଇ ତାଙ୍କର ହୋସ ଉଡ଼ିଗଲା । ସେ ଦେଖିଲେ ପଛ ଶତ୍ରୁକୁ ଛାଡ଼ିଦେଇ ଆଗେଇଯିବା ବୋକାମି ଓଲଟି ଯୁଦ୍ଧ କରିବାପାଇଁ ସେଠାରେ ପ୍ରଶସ୍ତ କ୍ଷେତ୍ର ନଥିଲା । ସେ ଆଶଙ୍କା କଲେ ସେନାବାହିନୀକୁ ବୁଲାଇ ଦେଲାମାତ୍ରେ ରାଜପୁତମାନେ ଚିତାବାଘ ପରି ଝାମ୍ପ ଦେବେ । ଆଗକୁ ଯିବା ନିରାପଦ, ପଛରେ ଖାଦ୍ୟ ପଦାର୍ଥ ଲୁଟି ହେବାର ଭୟ ଥିଲା, ପୁଣି ଫେରିଯିବା ଅସମ୍ଭବ । ବାଧ୍ୟ ହୋଇ ସେ ଉକ୍ତ ରାଜପୁତ ମାର୍ଗଦର୍ଶକକୁ ନୂଆ ବାଟ ଦେଖାଇବା ପାଇଁ ଶରଣ ନେଲେ । ସେ ମାର୍ଗଦର୍ଶକ ସମସ୍ତ ରଣକୁଶଳୀ ମହଜୁଦ୍ ଥିବା ସଂକୀର୍ଣ୍ଣ ଗୁମ୍ଫା ଦିଗକୁ ବାଟ କଢ଼ାଇ ନେଇ ପ୍ରବେଶ କରାଇ ଦେଲା । ସୈନ୍ୟମାନଙ୍କୁ ବୁଲି ପଡ଼ିବାକୁ ବାଦଶାହା ଆଦେଶ ଦେଲାମାତ୍ରେ ମାମଲା ଓଲଟା ହୋଇଗଲା । ସେନାବାହିନୀର ଶେଷଭାଗ ଗୁମ୍ଫା ମଧ୍ୟରେ ପ୍ରବେଶ କଲେ । ତମ୍ବୁ ଇତ୍ୟାଦି ଉଦୟ ସାଗର ରାସ୍ତାରେ ଯିବାପାଇଁ ବାଦଶାହା ଆଦେଶ ଦେଲେ । ତାଙ୍କର ଆଦେଶରେ ସେନାପତି ତହବୁର ଖାଁ ପ୍ରଥମେ ପଦାତିକ ଓ କମାଣବାହିନୀକୁ ନେଇ ପ୍ରବେଶ କଲାମାତ୍ରେ ରାଣା ଚିତାବାଘ ସଦୃଶ ଝାମ୍ଫ ଦେଇ ବାଦଶାହୀ ସେନାକୁ ଚିରି ଖଣ୍ଡଖଣ୍ଡ କରି ଦେଲେ-। ଫଉଜର ଗୋଟିଏ ଅଂଶ ବାଦଶାହାଙ୍କ ସହ ଗୁମ୍ଫାରେ ପଶିଗଲେ ଓ ଅନ୍ୟ ଅଂଶଟିକୁ ରାଣା କାଟି ପକାଇଲେ । ଏଇ ଭାଗଟିରେ ବେଗମାଦି ଥିଲେ । ବେଗମ୍‌ର ରକ୍ଷାକର୍ତ୍ତା ଆହୁଦୀ ଅସ୍ତ୍ର ଚଳାଇ ନ ପାରିବାକୁ ସମସ୍ତ ବେଗମ୍‌ଗଣ, ସମସ୍ତ ଖଜଣା, ଓ ଖାଦ୍ୟ ପଦାର୍ଥ ରାଣାଙ୍କ ହସ୍ତଗତ ହେଲା-। ସେ ପକ୍ଷରେ ଜୟ ସିଂହଙ୍କର ସୈନ୍ୟ ସମାବେଶ ଏବଂ ଏ ପକ୍ଷରେ ବିକ୍ରମ ସିଂହଙ୍କର ଥାନା ଥିଲା, ପୁଣି ପାହାଡ଼ରେ ୫୦ ହଜାର ଭିଲ ସୈନ୍ୟ ଭାରି ଭାରି ପଥର ଠୁଳ କରି ଧନୁର୍ବାଣ ନେଇ ରାଣାଙ୍କ ଆଦେଶ ଅପେକ୍ଷାରେ ଥିଲେ । ଆଲମଗୀର ଭୋକିଲା ଶୋଷିଲା ହୋଇ ଅସହାୟ ଅବସ୍ଥାରେ ବନ୍ଦୀ ହୋଇ ପଡ଼ି ରହିଲେ । ବେଗମ୍‌ମାନଙ୍କୁ ସସମ୍ମାନେ ରାଜମହଲର ମହାରାଣୀ ଚାରୁମତୀଙ୍କ ନିକଟକୁ ପଠାଇ ଦିଆଗଲା । ତାଙ୍କ ଚର୍ଚ୍ଚାରେ ତ୍ରୁଟି ନ କରିବାକୁ ରାଣାଙ୍କର କଡ଼ା ଆଦେଶ ଥିଲା-। ସମସ୍ତ ଜବତ ଖଜଣା ଦେବାନଜୀଙ୍କୁ ଅର୍ପଣ କରି ଦିଆଗଲା । ନଷ୍ଟ ଖାଦ୍ୟ ପଦାର୍ଥ ସବୁ ଡମମାନଙ୍କୁ ଦେଇ ଦିଆଗଲା ।

 

ହଳଦୀଘାଟ ଯୁଦ୍ଧରେ ରାଣାପ୍ରତାପଙ୍କ ଦ୍ୱାରା ଆକବର ପରାଭବ ପାଇଥିଲା ଭଳି ଏଠାରେ ଆଉରଙ୍ଗଜେବଙ୍କର ଅବସ୍ଥା ହେଲା । ସେହି ଅନ୍ଧକାର ଗୁମ୍ଫାରେ ଅନ୍ଧାର ଦୂର କରିବାପାଇଁ ତେଲ ମିଳିଲା ନାହିଁ, ପିଆଦା ଓ ଅନ୍ୟ ସବାରମାନେ ଠକ୍‍ଠାକ୍‌ ମରିଗଲେ । ଖାଦ୍ୟ ପଦାର୍ଥ କିମ୍ବା ପାନୀୟ ନଥିଲା, ଅନେକ ସୈନ୍ୟ ଛଟପଟ ହୋଇ ମରିଗଲେ ଓ ବାଦଶାହା ଆଶଙ୍କାରେ ସମୟ ଅତିବାହିତ କଲେ । ସକାଳ ହେବାରୁ ବାଦଶାହା ରାଣାଙ୍କ ନିକଟକୁ ସନ୍ଧି ବାର୍ତ୍ତା ପ୍ରେରଣ କଲେ । ରାଣା ସମ୍ବାଦ ପଠାଇଲେ ଯେ ବାଦଶାହା ଶୀଘ୍ର ନିଜ ସେନାବାହିନୀ ସହ ମେବାର ତ୍ୟାଗ କରି ଚାଲି ଯିବେ, ଏବଂ ପୁଣି କେବେ ମେବାର ଉପରେ ଆକ୍ରମଣ ନହୁଏ । ଆହୁରି ମଧ୍ୟ ମେବାରରେ ଗୋହତ୍ୟା, ମନ୍ଦିର ଧ୍ୱଂସ ଓ ଜିଜିଆ କର ଆଦାୟ କରାଯିବ ନାହିଁ । ଏସବୁ ସ୍ୱୀକାର କଲେ ବେଗମ୍‍ମାନଙ୍କୁ ମଧ୍ୟ ଛାଡ଼ି ଦିଆଯିବ । ଆଉରଙ୍ଗଜେବ ରାଗରେ ଓଠ କାମୁଡ଼ି ସବୁ ସ୍ୱୀକାର କରିନେଲେ ଓ ସେଠାରୁ ମୁକ୍ତି ପାଇଲେ । ପୂର୍ବରୁ ଆକବର ପଳାୟନ କରିଥିଲେ, ତେଣୁ ଆଉରଙ୍ଗଜେବ ଭର୍ତ୍ସନା କରି ଅପମାନ ଦେଲେ ଯହିଁରେ ସେ ପିତାଙ୍କୁ ଘୃଣା କରିବାକୁ ଲାଗିଲେ । ସେ ଆଶଙ୍କା କଲେ ଯେପରି ତାଙ୍କୁ ବନ୍ଦୀ କରି ଦିଆଯାଇ ହତ୍ୟା କରାଯିବ । ତେଣୁ ସେ ରାଜପୁତମାନଙ୍କ ସହ ଦୁର୍ଗାଦାସ ରାଠୋରଙ୍କ ସହ ମିତ୍ରତା କରି ଆଉରଙ୍ଗଜେବଙ୍କ ବିରୁଦ୍ଧରେ ବିଦ୍ରୋହ କରି ସ୍ୱୟଂ ଦିଲ୍ଲୀ ସିଂହାସନ ନେବାପାଇଁ ଚେଷ୍ଟା କଲେ । ଦୁର୍ଗାଦାସ ତାଙ୍କୁ ନିଜର ସାନଭାଇ ଭଳି ସ୍ନେହ ଓ ସହାୟତା ଦେଲେ । ଆକବର ଶତଚେଷ୍ଟା ସତ୍ତ୍ୱେ ଆଉରଙ୍ଗଜେବଙ୍କ ବିରୁଦ୍ଧରେ ଯାଇପାରିଲେ ନାହିଁ । ଶେଷରେ ସେ ଦୁର୍ଗାଦାସର ସଂରକ୍ଷଣରେ ନିଜର କିଶୋରୀ କନ୍ୟା ରେଜିୟାକୁ ସମର୍ପି ଦେଇ ମକ୍‌କା ଚାଲିଗଲେ । ରେଜିୟାଙ୍କ ନିରାପଦ ରକ୍ଷଣାବେକ୍ଷଣ ପାଇଁ ଶିରୋହୀରେ ତାଙ୍କୁ ଅଜିତ ସିଂହଙ୍କ ସହ ରଖାଗଲା । ଦୁଇଜଣ କିଶୋର ଏକା ସଙ୍ଗେ ରହିଲେ ।

 

ଏକୋଇଶି

 

ରାଣୀ ଚାରୁମତୀଙ୍କୁ ସଖୀ ନିର୍ମଳ କହିଲେ–‘ବାଦଶାହାଙ୍କ ସଙ୍ଗେ ରାଣାଙ୍କର ସନ୍ଧି ହୋଇଗଲା । ଆପଣଙ୍କ ଆଦେଶାନୁସାରେ ଉଦୟପୁରୀ ବେଗମ୍‌ ଏବଂ ଶାହାଜାଦୀ ଜେର୍ବୁନ୍ନିସା ଉପସ୍ଥିତ, କ’ଣ ହାଜର କରିବି ?’ ଚାରୁମତୀ ହସି ହସି ଉତ୍ତର ଦେଲେ ‘ଆଗେ ଉଦୟପୁରୀ ବେଗମ୍‌ଙ୍କୁ ହାଜର କର । ଇଏ ସେହି ବେଗମ୍‌ ଯିଏ ବାଦଶାହାଙ୍କୁ ପ୍ରଭାବିତ କରିଥିଲା, ମୋତେ ବେଗମ୍‌ କରିବାକୁ ନୁହେଁ ମୋ ହାତରେ ଚିଲମ ଭରାଇବାକୁ । ଦେଖେଁ ସେ କିମିତିଆ ?’

 

ବେଗମ୍‌ ଆସିବାରୁ ଚାରୁମତୀ ସସମ୍ମାନେ କହିଲେ–‘ଆସନ୍ତୁ ଏଇ ଚଉକିରେ ଉପବେଶନ କରନ୍ତୁ ।’ ବେଗମ୍‌ ଗର୍ବର ସହିତ ରାଗରେ କହିଲେ–‘ତୁମର ଏତେ ଗର୍ବ, ତୁମର ଜୀବନ ପ୍ରତି ଲୋଭ ନାହିଁ ଯେ ତୁମେ ବାଦଶାହାଙ୍କ ବେଗମ୍‌କୁ ଗିରଫ୍ କରିଛ ?’

 

ସାମାନ୍ୟ ହସି ଚାରୁମତୀ କହିଲେ–‘ଆଜ୍ଞା ନା, ରାଜପୁତମାନେ ମରଣକୁ ଭୟ କରନ୍ତି ନାହିଁ ବରଂ ମରଣ ସଙ୍ଗେ ଖେଳିଥାନ୍ତି ।’

 

‘କିନ୍ତୁ ସତର୍କ ରୁହ ! କାପେରଗୁଡ଼ାକ ନିଜର କୃତକର୍ମର ଫଳ ଭୋଗ କରିବ ।’

 

‘ଦେଖାଯିବ । କିନ୍ତୁ ବର୍ତ୍ତମାନ ତୁମେ ନିଜର କୃତକର୍ମର ଫଳ ଭୋଗ କର । ମୋର ଚିଲମ ସଜାଡ଼ । ନିର୍ମଳ ! ଚାକରାଣୀ କାହାକୁ କୁହ ଏ ନୂଆ ପରିଚାରିକାକୁ ଚିଲମ ସଜାଡ଼ିବାର ଉପକରଣମାନ ଆଣିଦେବ ।’

 

‘ତୁମର ଏଡ଼େ ଆସ୍ପର୍ଦ୍ଧା ! ତୁମେ ସମସ୍ତେ ଦଣ୍ଡ ପାଇବ, ମୁଁ ଉଦୟପୁରର ନାଁ ସୁଦ୍ଧା ରଖାଇ ଦେବିନି ।’

 

ରେଖାକୁଞ୍ଚିତ କରି ଚାରୁମତୀ କହିଲେ–‘ମୁଁ ଚାହୁଁଥିଲି ତୁମେ ସ୍ୱାଭାବିକ ହେବ । ମାତ୍ର ତୁମର ଏଇ ଗର୍ବ ତୁମ ମନରୁ କୋମଳତା ଟିକକ ନଷ୍ଟ କରି ଦେଇଛି । ଆଉଥରେ ଜିଣିବାପାଇଁ ମହାରାଜ ବାଦଶାହାଙ୍କୁ ଛାଡ଼ିଦେଲେ ଏବଂ ତୁମେମାନେ ଯିବାପାଇଁ ମଧ୍ୟ ଆଦେଶ ଦେଇଛନ୍ତି । ଜାଣନାହିଁ ! ରାଜପୁତ ରମଣୀମାନଙ୍କ ନିକଟରେ କଥାର ମୂଲ୍ୟ ଯଥେଷ୍ଟ । ଯାଅ ଚିଲମ ସଜାଡ଼ିବା ପରେ ଚାଲିଯାଅ ।’

 

ବେଗମ୍ କାନ୍ଦିଉଠି କହିଲେ–‘ମୁଁ ଚିଲମ ସଜାଡ଼ି ଜାଣେନା ।’

 

ଚାରୁମତୀ ନିର୍ମଳକୁ କହିଲେ–‘କୌଣସି ଚାକରାଣୀକୁ କୁହ ଏହାଙ୍କୁ ଚିଲମ ସଜାଡ଼ିବା ଶିଖାଇଦେବ ।’

 

ଚାକରାଣୀ ଆସି କହିଲା–‘ଚାଲ ଉଠ ବେଗମ୍‌ ।’

 

ବେଗମ୍‌ କପାଳରେ ହାତମାରି କହିଲେ–‘ହାୟରେ କପାଳ’ ଏବଂ କାନ୍ଦି କାନ୍ଦି ଚିଲମ ସଜାଡ଼ିଲେ ।

 

ଚାକରାଣୀ କହିଲା–‘ଏବେ ଉଠ ବେଗମ୍‌ ! ସମସ୍ତ ଘଟଣା ଆଲମଗୀରକୁ କହିଦେବ-।’ ବେଗମ୍‌ ଚୁପ୍‌ଚାପ୍‌ ଚାଲିଗଲେ ଏବଂ ଚାରୁମତୀ ନିର୍ମଳକୁ କହିଲେ–‘ଏବେ ଶାହାଜାଦୀଙ୍କୁ ଆଣ-। ୟାଙ୍କର ଅନେକ ପ୍ରଶଂସା ମୁଁ ଶୁଣିଛି ଏବଂ ଏହାଙ୍କ ପ୍ରଭାବ ରଙ୍ଗମହଲରେ ଅଛି ।’ ଶାହାଜାଦୀ ଆସିଲାପରେ–‘ବସନ୍ତୁ ରାଜକୁମାରୀ ।’

 

‘ଧନ୍ୟବାଦ । ଆପଣ ମଧ୍ୟ ବସନ୍ତୁ ମହାରାଣୀ ।’

 

‘ରାଜକୁମାରୀଙ୍କୁ ଅନେକ କଷ୍ଟ ହେଉଥିବ, ଏଠାରେ ଦିଲ୍ଲୀର ରଙ୍ଗମହଲ ଅଛି ନା କିଛି ସୁବିଧା ଅଛି ।’

 

‘ଜଣେ ବନ୍ଦୀ ପ୍ରତି ଏତେ ସମ୍ମାନ କରୁଛନ୍ତି ମହାରାଣୀ, ଆପଣ ଥିବା ସ୍ଥଳରେ କ’ଣ ନାହିଁ ।’

 

‘ଆପଣ ବନ୍ଦୀ ନୁହନ୍ତି ରାଜକୁମାରୀ ! କୁହନ୍ତୁ ଆପଣଙ୍କ କି ସେବା କରିପାରେ !’

 

‘ଆପଣଙ୍କ ବଦାନ୍ୟତା ମୁଁ ଭୁଲି ପାରିବିନି ମହାରାଣୀ, କୁହନ୍ତୁ କି କାମରେ ଆପଣଙ୍କର ଆସିପାରେ !’

 

‘ଅନେକ କିଛି । ଯଦି ମହାମହିମ ବାଦଶାହାଙ୍କୁ ବୁଝାଇଦେଇ ପାରିବେ ଯେ ନିଜ ରାଜ୍ୟର ମା’ ବାପା ସଦୃଶ ରାଜା, ଏବଂ ପ୍ରଜାମାନେ ରାଜାଙ୍କର ସନ୍ତାନ ସଦୃଶ । ସେ ହିନ୍ଦୁ ହେଉ ଅଥବା ମୁସଲମାନ–ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ ।

 

‘ମହାରାଣୀ ! ସୁଲତାନିଆର ପରିବେଶ ଏବଂ ସମସ୍ୟା ବାଦଶାହାଙ୍କୁ ପ୍ରଭାବିତ କରି ଏପରି କାର୍ଯ୍ୟମାନ କରାଇ ନିଅନ୍ତି ଯାହାକି ସମସ୍ତେ ବୁଝିପାରିବେ ନାହିଁ । କିନ୍ତୁ ଆପଣଙ୍କ ଖିଆଲକୁ ଧନ୍ୟବାଦ ଜଣାଉଛି ।

 

ଚାରୁମତୀ ରାଜକୁମାରୀଙ୍କୁ ସସମ୍ମାନେ ବିଦାକଲେ ।

 

ବାଇଶି

 

ଶିରୋହୀର ବନ୍ଧୁର ଓ ବିପର୍ଯ୍ୟସ୍ତ ପାହାଡ଼ କନ୍ଦରରେ ଷୋହଳବର୍ଷର ଜଣେ କୁମାର ଯୁବକ କାଷ୍ଠ ଜଳାଇ ସେଥିରେ ହରିଣକୁ ସେକୁଥିଲା, ସେ ଛିନ୍ନ ଓ ମଇଳା ବସ୍ତ୍ର ପରିଧାନ କରିଥିଲା-। କହିବା ବାହୁଲ୍ୟ ଯେ ତା’ର ଦେହରୁ ଏକ ତେଜସ୍ୱୀ ମୁଖମଣ୍ଡଳ ଓ ବିଶାଳ ବାହୁ ବାଦ ଦେଇପାରୁ ନଥିଲା । ତା’ର ଜ୍ୱଳନ୍ତ ଗହୀର କଳା ଆଖି, ଓସାରିଆ ବକ୍ଷ ପ୍ରଦେଶ, ଘଞ୍ଚ କୃଷ୍ଣ କେଶ ଏବଂ ଚଉଡ଼ା କପାଳ ତାହାର ଅସାଧାରଣ ବ୍ୟକ୍ତିତ୍ୱ ପ୍ରଦର୍ଶନ କରୁଥିଲା । ପ୍ରଖର ଗରମ ହେବା ସଙ୍ଗେ ସଙ୍ଗେ ଲୁହ ବହୁଥିଲା, ଦ୍ୱିପହର ଖରା ଓ ନିଆଁଧାସରେ ତାହାର ମୁଖମଣ୍ଡଳ ଲାଲ ହୋଇଯିବା ସଙ୍ଗେ ଟପ୍‌ଟପ୍‌ ଝାଳ ବହି ପଡ଼ୁଥିଲା । ହେଲେ ମଧ୍ୟ ସର୍ବଦା ସେ ଫୁର୍ତ୍ତି ଓ ଉଦ୍ଦୀପନା ସହ କାର୍ଯ୍ୟ କରି ଚାଲିଥିଲା । ଆଲମଗୀର ଏକଲକ୍ଷ ଟଙ୍କା ବିନିମୟରେ ଜୀବନ୍ତ କିମ୍ବା ମୃତ ଧରାଇଦେବା ପାଇଁ ଗୋଇନ୍ଦା ବିଛାଇଥିବା ବ୍ୟକ୍ତି ଅଜିତ ସିଂହହିଁ ଏଇ ଯୁବକ । କିଛି ସମୟପାଇଁ ତାଙ୍କୁ ଏଇ ପର୍ବତ ଉପତ୍ୟକାରେ ଲୁଚାଇ ରଖାଯାଇଥିଲା । ରାଠୋର ଦୁର୍ଗା ଦାସ ଅଜିତ ସିଂହଙ୍କ ପରିଚୟ ସର୍ଦାରମାନଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ ସ୍ୱୟଂ ଅଜିତ ସିଂହ ଜାଣି ନଥିଲେ । କେତେଜଣ ବଛାବଛା ସର୍ଦାର ଏହା ଜାଣିଥିଲେ ଏବଂ ଆଉରଙ୍ଗଜେବଙ୍କ କ୍ରୂର କବଳରୁ ରକ୍ଷା କରିବାକୁ ପଡ଼ିବ ବୋଲି ସେମାନଙ୍କୁ କୁହାଯାଇଥିଲା । ଉକ୍ତ ବାଳକ ବହୁତ ଭୋକିଲା ଥିଲା କିନ୍ତୁ ଅତ୍ୟଧିକ ବ୍ୟତିବ୍ୟସ୍ତ ଥିଲା । ଦୀର୍ଘଶ୍ୱାସ ନେଇ କାମରେ ଲାଗି ପଡ଼ିଥିବାବେଳେ କ’ଣ ଚିନ୍ତାକରି ଏକ ଲମ୍ବା ନିଃଶ୍ୱାସ ନେଇ ନିଜର ଅଲରା କେଶଗୁଡ଼ିକ ସଜାଡ଼ି ନେଲା । ହଠାତ୍‌ ନିଜ ପଛରେ କାହାର ଛାଇ ଦେଖାଦେଲା । ସେ ଦେଖିଲା ବୀର ମୁକୁନ୍ଦ ଦାସ ପ୍ରସନ୍ନ ବଦନରେ ଠିଆହୋଇ କୌତୂହଳ ହୋଇ ତାହାର କାର୍ଯ୍ୟାବଳୀ ଦେଖିବାରେ ବ୍ୟସ୍ତ । ତାଙ୍କ ମୁହଁରେ ଧଳା ଶ୍ମଶ୍ରୁ, ବିଶାଳ ଚକ୍ଷୁରେ ସନ୍ତୋଷଭାବ ପ୍ରକଟନ କରୁଥିଲା । ସେ ନିଜର ବିଶାଳକାୟ ବର୍ଚ୍ଛାକୁ କଡ଼କୁ ରଖୁରଖୁ କହିଲେ ବାଃ କୁମାର ! ଏଇ ଗରମରେ ଆପଣ କାମ ଚଳେଇଛନ୍ତି ।’ କୁମାର ଖିଲିଖିଲି ହସି ଉଠିଲେ କିନ୍ତୁ ସେ ଦେଖିଲେ ମୁକୁନ୍ଦ ଦାସଙ୍କ ପଛପଟେ ଆଉ କେତେଜଣ ଅଛନ୍ତି । ତନ୍ମଧ୍ୟରୁ ଜଣେ ପ୍ରୌଢ଼ା, କିଶୋରୀ ବାଳିକା ଏବଂ ପ୍ରତିଭାଶାଳୀ ଭଦ୍ରଲୋକ ଅଛନ୍ତି । କୁମାର ଉତ୍ସୁକତା ସହ ସେ ଆଡ଼କୁ ଦେଖି ଅଭିବାଦନ କଲେ ଓ ପ୍ରଶ୍ନବାଚୀ ଦୃଷ୍ଟିରେ ମୁକୁନ୍ଦ ଦାସଙ୍କୁ ଅନାଇ ରହିଲେ । ମୁକୁନ୍ଦ ଦାସ କହିଲେ–‘ଇଏ ମେଡ଼ିୟାର ସର୍ଦାର ବିଜୟ ସିଂହ । ଧାଈମା ଆପଣଙ୍କୁ ସବୁକଥା କହିଦେଇଛନ୍ତି । ଏମାନେ ତାଙ୍କର ପତ୍ନୀ ଓ କନ୍ୟା ଅଟନ୍ତି, ବର୍ତ୍ତମାନ ଆମ ପାଖରେ ରହିବେ ।’ କୁମାରର ଦୃଷ୍ଟି ମହିଳାଙ୍କ ଦିଗକୁ ଗଲା ସେ କିଶୋରୀ ଝିଅଟିକୁ ଚୋରାଚାହାଣିରେ ଦେଖିବାକୁ ଲାଗିଲେ । ନବପଲ୍ଲବିତ କଦଳୀ ପତ୍ର ସଦୃଶ ଶୁଭ୍ର ବର୍ଣ୍ଣା କିଶୋରୀଟି ଲାଜରେ ସଙ୍କୁଚିତ ହୋଇ ଯାଉଥିଲା । ବୀର କୁମାର ନିଜର ଛିନ୍ନ ପରିଧାନ ଦିଗକୁ ଦୃଷ୍ଟି ପ୍ରସାରିତ କରି କହିଲେ–‘ମୋର ସୌଭାଗ୍ୟ ଯେ ଆପଣମାନେ ଆସିଛନ୍ତି । ଯଦିଓ ଏ ସ୍ଥାନ ଆପଣଙ୍କର ଯୋଗ୍ୟ ନୁହେଁ ତେବେ ମଧ୍ୟ ବିରାଜମାନ କରନ୍ତୁ ।’ ହରିଣ ସିଝି ସାରିଥିଲା, ଅଟାପୁଟୁଳି ଖୋଲିଲାବେଳେ ବିଜୟ ସିଂହ ବାଧାଦେଇ କହିଲେ–‘ଆପଣ ହଇରାଣ ହୁଅନ୍ତୁନି, ଆମ ପାଖରେ ଖାଦ୍ୟ ପଦାର୍ଥ ଅଛି !

 

କୁମାର ମୁକୁନ୍ଦ ଦାସଙ୍କୁ ଦେଖିଲାବେଳେ ମୁକୁନ୍ଦ ଦାସ କହିଲେ–‘ଆଜି ଏମାନଙ୍କର ଖାଦ୍ୟ ଖିଆଯାଉ ! ଆସନ୍ତୁ ଶ୍ରୀ ବିଜୟ ସିଂହ–ପ୍ରଥମେ ଭୋଜନ ନିଆଯାଉ । ଆପଣଙ୍କ ପାଖରେ ଯଥେଷ୍ଟ ଖାଦ୍ୟ ଅଛିତ ?

 

‘ବହୁତ ଯଥେଷ୍ଟ ! ଆପଣ ଆସନ୍ତୁ’ କହି ଭୋଜନର ବ୍ୟବସ୍ଥା କରିବାକୁ ଲାଗିଲେ । ଭୋଜନ ଶେଷ ପରେ ବିଜୟ ସିଂହ କୁମାରଙ୍କୁ କହିଲେ–‘ଆଉ କ୍ଷଣେ ରହିବା ନିରାପଦ ନୁହେଁ । ମୋଗଲ ଗୋଇନ୍ଦା ଆପଣଙ୍କ ସମ୍ବାଦ ଜାଣିପାରି ଖୋଜିବାରେ ଲାଗିଛନ୍ତି ।’

 

‘ମାସ ମାସ ଧରି ତ ମୁଁ ସେଇଆ ଶୁଣୁଛି’–କୁମାର ହସି ଉତ୍ତର ଦେଲେ ।

 

ବିଜୟ ସିଂହ କହିଲେ–‘କିନ୍ତୁ ଏଥର ତାଙ୍କର ପୂର୍ଣ୍ଣ ସନ୍ଦେହ ଯେ ଆପଣ ଏଇଠି ଅଛନ୍ତି । ମୋଗଲ ଗୋଇନ୍ଦା ଦଶ ଦଶ ସୈନ୍ୟଙ୍କୁ ବାଣ୍ଟି ଦେଇ ଏ ସମଗ୍ର ଅଞ୍ଚଳରେ ଘୂରି ବୁଲୁଛନ୍ତି । ଅତ୍ୟନ୍ତ ଗୁପ୍ତ ଭାବରେ ଆମେମାନେ ଚାଲିଯିବା ଉଚିତ । ଏଠାରୁ ଦଶକୋଶ ଦୂରବର୍ତ୍ତୀ ଗ୍ରାମରେ ମୋର ଜଣେ ସମ୍ପର୍କୀୟ ଅଛନ୍ତି । ସେଠାରେ କିଛିଦିନ ଲୁଚି ରହିବା, ଗୋଇନ୍ଦାମାନେ ଚାଲିଗଲେ ପୁଣି ଏଠାକୁ ଚାଲି ଆସିବା । ସେ ସ୍ଥାନଟି ବଡ଼ ନିରାପଦ, ଠାକୁର ଦାସ ଏଥିରେ ରାଜି ଅଛନ୍ତି ।’

 

ମୁକୁନ୍ଦଦାସ ଏଥିରେ ସମ୍ମତି ଦେଲେ ମଧ୍ୟ କହିଲେ–‘କିନ୍ତୁ କୁମାରଙ୍କୁ ମୁକ୍ତରୂପେ ନିରାପଦ ନୁହେଁ । ମହିଳା ଜଣକ ହସି ଉଠି କହିଲେ–‘ମୋତେ ଗୋଟିଏ ଉପାୟ ଦିଶୁଛି, ଆମେ ସମସ୍ତେ ତୀର୍ଥଯାତ୍ରୀରୂପେ ଯିବା, କୁମାରଙ୍କୁ ସ୍ତ୍ରୀ ବେଶରେ ସ୍ୱର୍ଣ୍ଣଲତାର ସଖୀରୂପେ ନେଲେ କେମିତି ହୁଅନ୍ତା ? ବିପଦରେ ସମ୍ଭାବନା ସଙ୍ଗେ ସଙ୍ଗେ ଆମେ ଏ ସ୍ଥାନ ଯଥାଶୀଘ୍ର ତ୍ୟାଗ କରିବା ଉଚିତ ।’

 

ମହିଳାଙ୍କ ଏକଥା ଶୁଣି କୁମାର ବିବ୍ରତ ହୋଇ କିଶୋରୀ ଆଡ଼କୁ ଦେଖିଲେ ସେ ଲଜ୍ଜା ଓ ସଙ୍କୋଚରେ ଶଢ଼ି ଯାଉଥିଲା । ମହିଳା କହିଲେ–‘ବେଟୀ, ଏଇଟା କୁମାରଙ୍କ ପ୍ରାଣରକ୍ଷାର ପ୍ରସଙ୍ଗ, ସଂକୋଚ କଲେ ଚଳିବ ନାହିଁ, ତୁ ଏହାଙ୍କ ସଙ୍ଗେ ସଖୀ ଭଳି କଥାବାର୍ତ୍ତା କରିବୁ ଯେପରି କାହାର ତିଳେହେଲେ ସନ୍ଦେହ ନହୁଏ ।’

 

କୁମାର ହସି ଉଠି କହିଲେ–‘ମାଆ ଆପଣଙ୍କ କନ୍ୟାର ସଖୀ ହେବାପାଇଁ ସ୍ୱୀକାର କରୁଛି । କିନ୍ତୁ...’ ସେ ନିଜର ପରିଧାନ ଆଡ଼କୁ ଦେଖିଲେ । ମହିଳା ଜଣକ କହିଲେ–‘ବସ୍ତ୍ରାଦି ଆମ ପାଖରେ ଅଛି ।’

 

‘ତାହାହେଲେ ଠିକ୍‌ ଅଛି’–କୁମାର ପୁଣି ଥରେ ହସି ଉଠିଲେ ।

 

କିଛି ସମୟରେ ସଖୀ ବେଶରେ ଆସି ସ୍ୱର୍ଣ୍ଣଲତା ନିକଟରେ ଛିଡ଼ା ହେଲେ । ମହିଳା କହିଲେ–‘ମନେରଖନ୍ତୁ ଆପଣଙ୍କ ନାମ ରତ୍ନକୁମାରୀ ଅଟେ ।

 

‘ବୁଝିଗଲି ମାଆ ।’

 

ମହିଳା ଜଣକ ହସି କହିଲେ–‘ବାଃ, ଆପଣ କ’ଣ ଏଇଟା ଭୁଲିଗଲେ ଯେ ଆପଣ ପୁରୁଷ ନୁହଁନ୍ତି, ସ୍ତ୍ରୀ ଅଟନ୍ତି ମୋର କନ୍ୟାର ସଖୀ ।’

 

କୁମାର ଓଢ଼ଣା ଟେକି କହିଲେ–ମାଆ ! ଏ ସଖୀ ସବୁ ମନେରଖିବ ।’ ଏଇ ଥର ସେ ଖିଲି ଖିଲି ହସି ଉଠିଲେ । ତୀର୍ଥଯାତ୍ରୀ ବେଶରେ ସମସ୍ତ ବାହାରି ଗଲେ ।

 

ସତର୍କତା ସହ ସାରା ଦିନ ଲୁଚିଛପି ସନ୍ଧ୍ୟାରେ ଏ ଦଳଟି ଗାଁର ସୀମାରେ ପହଞ୍ଚିଲେ । ବିଜୟ ସିଂହ କହିଲେ–‘ଆପଣମାନେ ସମସ୍ତେ ଏଇ ଗଛତଳେ ରହନ୍ତୁ । ମୁଁ ଯାଇ ମୋର ସମ୍ପର୍କୀୟଙ୍କୁ ଦେଖିଆସେ ।’ କିଛିକ୍ଷଣ ପରେ ଜଣେ ବୃଦ୍ଧଙ୍କ ସହ ଫେରି ଆସିଲେ । ବୃଦ୍ଧଙ୍କର ଶ୍ୱେତ ଶ୍ମଶ୍ରୁ ପବନରେ ଦୋହଲି ଉଠୁଥିଲା । ପାଖକୁ ଆସି ମୁକୁନ୍ଦ ଦାସଙ୍କୁ ଚିହ୍ନିଲାମାତ୍ରେ ବୃଦ୍ଧର ମୁହଁ ଧଳା ପଡ଼ିଗଲା । ସେ ନିଜର ଦୁଇ ହାତ ବିଜୟ ସିଂହଙ୍କ କାନ୍ଧ ଉପରେ ରଖି ଭୟଭୀତ ସ୍ୱରରେ କହିଲା–‘ଠାକୁର ଆପଣ ଜାଣନ୍ତି ଯେ ମୁଁ ମାରୱାଡ଼୍‌ର ଶୁଭଚିନ୍ତକ ଅଟେ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଆଶ୍ରୟ ଦେଇପାରିବି ନାହିଁ, ଆପଣ ଏଠାରେ ଆଉ ଦଣ୍ଡେ ମାତ୍ର ରହିବା ଉଚିତ ନୁହେଁ । ବିଜୟ ସିଂହଙ୍କ ମୁଖମଣ୍ଡଳ ନାଲି ପଡ଼ିଗଲା । ସେ ତରବାରି ମୁଠାକୁ ହାତରେ ଧରି କହିଲେ–‘ଏମାନେ ଆପଣଙ୍କ ଘରେ ରହିବେ । ଆପଣ ମୋର ସମ୍ପର୍କୀୟ ବୋଲି କ’ଣ ଭୁଲିଗଲେ-।’

 

‘ଠାକୁର ! ଆପଣ ମୋ କଥା ନବୁଝି ରାଗୁଛନ୍ତି ।’ ପୁଣି କାନରେ କହିଲେ–ଗଡ଼ ଭିତରେ ମୋଗଲ ସର୍ଦାରମାନେ ଅଛନ୍ତି, ଯଦି ରହସ୍ୟ ଜଣାପଡ଼ିଯାଏ ତାହାହେଲେ ଆମକୁ ମାଟିରେ ମିଶାଇ ଦେବେ । ବର୍ତ୍ତମାନ ତିନି ଜଣ ସର୍ଦାର ପରାମର୍ଶ କରିବାକୁ ଲାଗିଲେ । ବିଜୟ ସିଂହ କହିଲେ–‘ଆମେମାନେ କ୍ଳାନ୍ତ ଓ ଅବସନ୍ନ’ ମୁକୁନ୍ଦ ଦାସ କହିଲେ–‘ଯଦି ଆମେ ଚୁପ୍‌ଚାପ୍‌ ଚାଲିଯିବା ତେବେ ସେମାନେ ସନ୍ଦେହ କରିବେ ।’

 

କୁମାର ପାଖକୁ ଆସି କହିଲେ–‘ମୁଁ ଆପଣଙ୍କ ସହ ଭାଗ ନେଇପାରେ କି ?’

 

‘ନା ଆପଣ ସେଇଠି ଥାଆନ୍ତୁ, ପରିସ୍ଥିତି ବଡ଼ ଜଟିଳ, ଗଡ଼ ଭିତରେ ମୋଗଲ ସର୍ଦାର ରହିଛନ୍ତି ।’

 

‘ଯେତେବେଳେ ମୁଁ ମୁଣ୍ଡରୁ ପାଣି ଛଡ଼ାଇ ଦେଇଛି ତେବେ ଡର କିଆଁ ? ଆପଣମାନଙ୍କ ପାଇଁ ତ ଭୟ ନାହିଁ, କାକା ଧରାଯାଇ ପାରନ୍ତି କିନ୍ତୁ ସେ ଆପଣଙ୍କର ପୁରୋହିତ ହୋଇ ପାରନ୍ତି ଆଉ ମୁଁ ତ ସଖୀ ହୋଇଛି ।’

 

ନିରୁପାୟ ହୋଇ ସମସ୍ତେ ଗଡ଼ ମଧ୍ୟରେ ପ୍ରବେଶ କଲେ । ସ୍ତ୍ରୀମାନଙ୍କୁ କୁମାରଙ୍କ ସହ ଅନ୍ତଃପୁରକୁ ପଠାଇ ଦିଆଗଲା । ମୁକୁନ୍ଦ ଦାସ ଚିନ୍ତାମଗ୍ନ ହୋଇ ପଡ଼ିଲେ ।

 

ମୋଗଲ ସର୍ଦାରମାନେ ଏମାନଙ୍କ ଆସିବା ସମ୍ବାଦ ପାଇ ସେମାନଙ୍କୁ ଡକାଇ କଥାବାର୍ତ୍ତା କଲେ । ମଦ୍ୟ ପାତ୍ର ହାତକୁ ନେଇ କହିଲେ ‘ତାହାହେଲେ ଆପଣମାନେ ଉକ୍ତ ନକଲି ରାଜକୁମାରର ଖୋଜ୍‍ଖବର ପାଇ ନାହାନ୍ତି । କିଛି ପରୱା ନାହିଁ । ଉକ୍ତ ମୂଷାକୁ ଆମେ ସେଇ ପାହାଡ଼ରୁ ଖୋଜି ବାହାର କରିନେବୁ । କିନ୍ତୁ ସେ ବଡ଼ ଚତୁର ମୂଷା । ଏହା ଶୁଣି ମୁକୁନ୍ଦ ଦାସଙ୍କ ଚକ୍ଷୁର ଅଗ୍ନି ସ୍ଫୁଲିଙ୍ଗ ହେବାକୁ ଲାଗିଲା । ବିଜୟ ସିଂହ କହିଲେ–‘ଜନାବ୍‌ ! ଇଏ ଆମ ପୁରୋହିତ ମହାଶୟ, ଏଇ ଅଞ୍ଚଳର ବିଶେଷ ଖବର ରଖନ୍ତି, ତାଙ୍କୁ ପଚାରନ୍ତୁ କାଳେ ଜଣାପଡ଼ିବ ।’

 

ମୋଗଲ ସର୍ଦାର ହସିଲେ–‘କ’ଣ ବୁଢ଼ା, କହି ପାରିବୁ ସେ କାଫେର କେଉଁଠି ଅଛି-? ସେ ନିକଟରେହିଁ କେଉଁଠି ଅଛି ।’ ବିଜୟ ସିଂହ ଥରିବାକୁ ଲାଗିଲେ । ମୋଗଲ ସର୍ଦାର ଉତ୍ତେଜିତ ହୋଇ କହିଲା ‘ଖୁଦାଙ୍କ ରାଣ, ମୁଁ ତା’ର ସତ୍ତା ଲୋପ କରିଦେବି । ଆଚ୍ଛା, ଆପଣମାନେ ଆରାମ କରନ୍ତୁ ।’

 

ବିଜୟ ସିଂହଙ୍କ ପିଣ୍ଡରେ ପ୍ରାଣ ରହିଲା । ଦ୍ୱିତୀୟ ଦିନ ଏଇ ଦଳ ପୁଣି ନୂତନ ସୁରକ୍ଷିତ ସ୍ଥାନ ଅନ୍ୱେଷଣ ପାଇଁ ବାହାରି ଗଲେ । ଏମାନେ କେଉଁଠାରେ ମଧ୍ୟ ବିଶ୍ରାମ ନକରି ଦକ୍ଷିଣ ପୂର୍ବ ଦିଗରୁ ଥଣ୍ଡା ପବନ ବହୁଥିବା ଦିଗକୁ ଅଗ୍ରସର ହେଲେ ।

 

ସର୍ଦାର ବିଜୟ ସିଂହ କହିଲେ–‘ମୋତେ କାହିଁକି ଭଲ ଲକ୍ଷଣ ଜଣାପଡ଼ୁନି । ଜଣାପଡ଼ୁଛି ମୋଗଲ ସୈନ୍ୟମାନେ ଘୂରି ବୁଲୁଛନ୍ତି । ଆପଣମାନେ ସାବଧାନ ରୁହନ୍ତୁ ।’

 

କୁମାର ଓଢ଼ଣା ଉଠାଇ କହିଲେ–‘ମୁଁ କେବଳ ସ୍ତ୍ରୀ ବେଶ ଧାରଣ କରିଛି ସିନା, ନୋହିଲେ ମୁଁ ରଣ ହୁଙ୍କା ରାଠୋର ରାଓଜୀ ! ଆପଣ ଚିନ୍ତା କରନ୍ତୁନି । ମୋଗଲ ଗୋଟେ ହେଉ ବା ଏକାଧିକ ହେଉ ମୁଁ ସମସ୍ତଙ୍କୁ ଚିରି ଫିଙ୍ଗିଦେବି ।’

 

‘ରୁହନ୍ତୁ କୁମାର’–ମୁକୁନ୍ଦ ଦେବ ଆଗେଇ ଆସି କହିଲେ ‘ସେମାନେ ଏଇ ଆଡ଼କୁ ଆସୁଛନ୍ତି । ବର୍ତ୍ତମାନ ଆପଣ ସ୍ତ୍ରୀ ବେଶରେ ଚୁପ୍‌ଚାପ୍‌ ରୁହନ୍ତୁ । ଏଇଟା ଯୁଦ୍ଧର ସମୟ ନୁହେଁ ।’ ତତ୍ପରେ ସେ ସାବଧାନ ସହ ଚଉଦିଗକୁ ଦୃଷ୍ଟିପାତ କରି ଦେଖିଲେ, ଏଗାର ଜଣ ମୋଗଲ ଅଛନ୍ତି-

 

ମୋଗଲ ସର୍ଦାର କହିଲେ–‘ରୁହ, ତୁମେମାନେ କିଏ ?’

 

ବିଜୟ ସିଂହ ମୁରୁକି ହସି ଆଗେଇ ଆସିଲେ ମୁଁ ମନସବଦାର ବିଜୟ ସିଂହ, ତୀର୍ଥଯାତ୍ରାରୁ ଫେରୁଛୁ ।’

 

ମୋଗଲ ସର୍ଦାର ଉଦଣ୍ଡଭାବେ ପଚାରିଲା ‘ତୁମର ପରୁଆନା କାଇଁ ?’

 

ସର୍ଦାର ଉତ୍ତର ଦେବା ଆଗରୁ ମୁକୁନ୍ଦ ଦାସ ଆଗେଇ ଆସି କହିଲେ–‘କିଭଳି ପରୁଆନା ଆଜ୍ଞା ।’

 

ମୋଗଲ ସର୍ଦାର ଧମକ ଦେଇ କହିଲା–‘ତୁମମାନଙ୍କ ଭିତରେ ମୁଖିଆ ଯିଏ ସେ ଉତ୍ତର ଦେଉ, ଯାହା ତାହା ସଙ୍ଗେ କଥା ହେବାକୁ ମୋତେ ଭଲଲାଗେ ନାହିଁ ।’

 

ବିଜୟ ସିଂହ ପୁଣି ଆଗେଇଲେ ଓ ମୁକୁନ୍ଦ ଦାସଙ୍କୁ ପଛକୁ ପେଲିଦେଇ ଛାତି ଫୁଲାଇ କହିଲେ–‘ମୁଁ ବଡ଼, ତୁମେ କ’ଣ ଚାହଁ ?’

 

ମୋଗଲ ସର୍ଦାର ରାଗିଉଠି କହିଲା–‘ଖୋଦାଙ୍କ ରାଣ, ମୁଁ ଏତେ ଔଦ୍ଧତ୍ୟ ! ବରଦାସ୍ତ କରିପାରୁନି । ଏମାନଙ୍କୁ ମୋର ସନ୍ଦେହ ହେଉଛି । କମ୍‌ରୁଦ୍ଦିନ୍ୟ ସ୍ତ୍ରୀମାନଙ୍କର ଓଢ଼ଣା ଖୋଲି ତଲାସି ନିଅ ।’

 

ମୁକୁନ୍ଦ ଦାସ ଓ ବିଜୟ ସିଂହ ତରବାରି ଟାଣିନେଇ ସ୍ତ୍ରୀମାନଙ୍କ ଆଗରେ ଛିଡ଼ା ହୋଇଗଲେ । ମୁକୁନ୍ଦ ଦାସ ଆଗେଇ ଆସି କହିଲେ–‘ଯିଏ ଆଗକୁ ଆସିବ ଦୁଇଗଡ଼ ହୋଇଯିବ ।’

 

ଏହା ଦେଖି ମୋଗଲମାନେ ତରବାରି ଧରିନେଲେ । କୁମାର ନିଜର ସ୍ତ୍ରୀ ବେଶ ଭୁଲିଯାଇ ଚିତାବାଘ ସଦୃଶ ଝାମ୍ପମାରି ଗୋଟିଏ ମୋଗଲ ସୈନିକକୁ ଗୋଇଠା ମାରି ଘୋଡ଼ାରୁ ପକାଇ ଦେଇ ତା’ ତରବାରି ଝିଙ୍କିନେଇ ଏକାଥରକେ ଦିଗଡ଼ କରିଦେଲେ । ମୁକୁନ୍ଦ ଦାସ ଚିତ୍କାର କରି ଶତ୍ରୁମାନଙ୍କ ଉପରକୁ ଡେଇଁ ପଡ଼ିଲେ । ଫଳରେ ଭୟଙ୍କର ଯୁଦ୍ଧ ହୋଇଗଲା । ସ୍ୱୟଂ କମ୍‌ ଲଢ଼ି ସିପାହୀମାନଙ୍କୁ ଉତ୍ସାହିତ କରୁଥିବା ମୋଗଲ ସର୍ଦାରର ତରବାରି ଥରେ କୁମାରଙ୍କ କାନ୍ଧରେ ବାଜିଲା ଓ ସେ ତାକୁ ପରୱା ନକରି ନିଜର ଓଜନଦାର ବର୍ଚ୍ଛା ଫୋପାଡ଼ିଲେ । ଉକ୍ତ ବର୍ଚ୍ଛା ସର୍ଦାରକୁ ଚିରିଦେଇ ବାହାରିଗଲା । ସର୍ଦାର ଚିତ୍କାର କରି ନିଶ୍ଚଳ ହୋଇଗଲା । ଏହି ସମୟରେ ‘ଜୟଶଙ୍କର’ ବୋଲି ଘୋର ନାଦରେ ଲହଲହ କରି ତରବାରିଗୁଡ଼ିକ ମୋଗଲ ସୈନ୍ୟମାନଙ୍କ ଉପରେ ଆସି ପଡ଼ିଲା । ଏଇ ରାଠୋର ଦଳ, ଶତ୍ରୁପକ୍ଷୀୟ ଗୋଇନ୍ଦାଙ୍କୁ ଖୋଜିକରି ଆସୁଥିଲେ । ସ୍ୱର୍ଣ୍ଣଲତା କୁମାରୀ କାନ୍ଧରୁ ରକ୍ତ ବୋହୁଥିବାର କିଛିକ୍ଷଣ କୁଣ୍ଠିତ ହୋଇ ଦେଖିବାକୁ ଲାଗିଲା । ମାତ୍ର ଶେଷରେ ସମ୍ଭାଳି ନପାରି କୁମାରଙ୍କ ପାଖକୁ ଆସି ମୃଦୁ କଣ୍ଠରେ କହିଲା–‘ଆପଣଙ୍କ କାନ୍ଧରେ ବଡ଼ ଘା’ ହୋଇଯାଇ ରକ୍ତ ବହୁଛି, ପଟି ବାନ୍ଧି ଦିଅନ୍ତୁ ।’ ତାହାର ସୁମଧୁର ବୀଣାଜିଣା କଣ୍ଠରେ ସହାନୁଭୂତି ବାକ୍ୟ ଶୁଣି କୁମାର ହସିଦେଇ ଜୋରରେ ତରବାରି ମୁଠାଇ କହିଲେ–‘କୁମାରୀ, କ୍ଷତ୍ରିୟ ପୁତ୍ର ଏଥିପାଇଁ ଚିନ୍ତା କରନ୍ତି ନାହିଁ । ତୁମେ ଟିକେ ସତର୍କ ରୁହ, ଏପରି ନ ହେଉ ତୁମେ ଆଘାତ ପାଅ ।’

 

କୁମାରୀ ସହି ନପାରି ସ୍ନିଗ୍ଧ କଣ୍ଠରେ କହିଲା–‘କ’ଣ ମୁଁ ବୀର କନ୍ୟା ନୁହେଁ ।’ ସେ ନିଜର ପଣତ କାନିକୁ ଚିରିଦେଇ ପଟି ତିଆରି କରି କୁମାର ନିକଟରେ ବସି କହିଲା–‘ବସନ୍ତୁ ।’

 

କୁମାର ହସିଦେଇ ବସି ପଡ଼ିଲା ଓ କୁମାରୀ ନିଜର କୋମଳ ହାତରେ ପଟି ବାନ୍ଧିଦେଲା-। ଏହାପରେ ଯେତେବେଳେ ବେକ ନୁଆଁଇ ଠିଆହେଲା କୁମାର ତାହାର ଦୁଇହାତ ଧରି କହିଲେ–‘କୁମାରୀ ତୁମର ଏ ଦୟାର ପ୍ରତିଦାନ ଏଇ ଜନ୍ମରେ ସୁଝିବାର ଚେଷ୍ଟା କରିବି-।’

 

ତେଇଶି

 

ଶିରୋହୀର ଚତୁର୍ଭୁଜ ମନ୍ଦିରରେ ଅଜିତ ସିଂହ ଚିନ୍ତିତ ହୋଇ ଏକାକୀ ପଦଚାରଣା କରୁଥିଲେ । ବର୍ତ୍ତମାନ ତାଙ୍କୁ ଅଠରବର୍ଷ । ସୁଗଠିତ ଉଜ୍ଜ୍ୱଳ ଶ୍ୟାମବର୍ଣ୍ଣ ଶରୀର, ବଳିଷ୍ଠ ଭୁଜ, ଉନ୍ନତ ନାସା, ପ୍ରଶସ୍ତ ବକ୍ଷ, କଳା କଳା ଗହୀରା ଆଖି ଏବଂ ଉତ୍‌ଫୁଲିତ ଓଠ ସାଧାରଣ ପରିଧାନରେ ମଧ୍ୟ ତାଙ୍କୁ ଝଲସାଇ ଦେଉଥିଲେ । ପଦଚାରଣା କରୁକରୁ ସେ ମନକୁମନ କହୁଥିଲେ–ଆଜି ସେହି ବହୁ ପ୍ରତୀକ୍ଷିତ ଦିନ, ରହସ୍ୟ ଆଜି ପ୍ରକଟ ହେବ, ସେ ଶୁଭ ହେଉ ଅଥବା ଅଶୁଭ । ମା’ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଆସିଲେ ନାହିଁ । ଏହି ସମୟରେ ଧାଈ ଦୁର୍ଗା ମନ୍ଦିରରେ ପ୍ରବେଶ କରି ଅଜିତ ସିଂହଙ୍କୁ ଦେଖିଲେ–‘ପୁତ୍ର ଅଜିତ ଆସିଗଲି, କିନ୍ତୁ ତୁମେ ଏତେ ଚିନ୍ତିତ କାହିଁକି-!’

 

‘କାହିଁକି ଚିନ୍ତିତ ହେବିନି ମା’, ଆଜି ସେଇ ୧୭୫୩ ମସିହା ଚୈତ୍ର କୃଷ୍ଣ ଚତୁର୍ଥୀ । ଏଇ ଦିନକୁ ପ୍ରତୀକ୍ଷା କରି ମୁଁ ଜୀବନର ଏତେବର୍ଷ ବିତାଇ ଦେଇଛି । ଆଉ କ୍ଷଣେମାତ୍ର ବିଳମ୍ବ ସହ୍ୟ ନୁହେଁ ।’

 

‘ଧୈର୍ଯ୍ୟଧର ପୁତ୍ର । ଏଇଲେ...’

 

‘ନାଇଁ ମା’ ଆଉ ନୁହେଁ, ତୁମେ କହିଥିଲ ଯେ ସନ ୧୭୫୩ ମସିହା ଚୈତ୍ର କୃଷ୍ଣ ଚତୁର୍ଥୀ....’

 

‘ତୁମେ ପୂରା ଅଠରବର୍ଷର ହୋଇଯିବ, ସେତେବେଳେ.....’

 

‘ଭଗବାନ ଚତୁର୍ଭୁଜଙ୍କ ସମକ୍ଷ....’

 

‘ତୁମକୁ ତୁମର ଆତ୍ମପରିଚୟ ଦେବି, ତୁମେ କିଏ ?’

 

‘ଏବଂ ମୋର ପିତାମାତା..... ?’

 

‘ସବୁ କହୁବି । ଆଜି ତୁମେ ଅଠରବର୍ଷର ଯୁବକ । ବର୍ତ୍ତମାନ ତୁମେ ତୁମର ଯଶସ୍ୱୀ ପିତାଙ୍କର ତରବାରି ଧାରଣ କରିବ । ଯେଉଁ ଉହସ୍ୟ ପ୍ରକଟ କରିବାପାଇଁ ଆଜି ପର୍ଯ୍ୟନ୍ତ ତୁମକୁ ସାନ୍ତ୍ୱନା ଦେଇ ଆସିଛି, ଯାହାପାଇଁ ହଜାର ହଜାର ପାହାଡ଼ ଭାଙ୍ଗି ପଡ଼ିଛି, ହଜାର ହଜାର ପ୍ରାଣ ବିନିମୟରେ ତୁମକୁ ଲୁକ୍କାୟିତ ରଖାଯାଇଛି ତାହା ପ୍ରକାଶ କଲାବେଳେ ହୃଦୟ ମୋର ଧକଧକ ହୋଇ ପଡ଼ୁଛି ପୁତ୍ର ।’

 

‘ତାହାହେଲେ କୁହ ମା’ ! ମୋର ପିତା କିଏ, ମୁଁ ଆଉ ଦଣ୍ଡେ ରହିପାରୁନି, ମୋ ପିତାଙ୍କ ତରବାରି ମୋତେ ଦିଅ, ପ୍ରାଣ ମୋର ଅଧୀର ହୋଇ ଉଠୁଛି ।’

 

‘ଏଠାରେ ନୁହେଁ ପୁତ୍ର, ଆଗକୁ ଆସ, ସେଇ ବେଦୀ ଉପରେ ନତମସ୍ତକ ହୋଇ ବସ । ଅଜିତ ସିଂହ ସେହି ବେଦୀ ଉପରେ ନତମସ୍ତକ ହୋଇ ବସିଲା ପରେ ତାଙ୍କ ମସ୍ତକପରେ ହାତରଖି ଦୁର୍ଗାଧାଈ କହିଲେ–ପୁତ୍ର ! ଗତ ଅଠରବର୍ଷ ଧରି ମୁଁ ତୁମର ମାଆ ଥିଲି, ନିଜର ପଣତ ଦୁଗ୍ଧରେ କେବଳ ନୁହେଁ ମୁଁ ତୁମକୁ ହୃଦୟର ସ୍ନେହଦେଇ ପାଳନ କଲି । ତୁମେ ମଧ୍ୟ ମୋତେ ମାଆ ବୋଲି ଭାବି ଆସିଛ । କିନ୍ତୁ ଆଜି ତୁମେ ତୁମ ପ୍ରକୃତ ପିତାମାତାଙ୍କର ପରିଚୟ ପାଇବ । ଏଣୁ ପୁତ୍ର-! ଏଇ ଦୀର୍ଘକାଳ ଭିତରେ ମୋର ଯଦି କିଛି ଭୁଲ ହୋଇ ଯାଇଥାଏ ତେବେ କ୍ଷମା ଦେବ-। ବାସ୍ତବରେ ମୁଁ ତୁମର ଅଧମ ଦାସୀ ଅଟେ ।’

 

ନାଇଁ ମା’, ମୋର ଏ ପ୍ରାଣ, ଏ ଶରୀର ସର୍ବଦା ତୁମର ହୋଇ ରହିବ ।’

 

ଦୁର୍ଗା ଗଦଗଦ କଣ୍ଠରେ କହିଲେ–ଧନ୍ୟ ପୁତ୍ର ଧନ୍ୟ । ତୁମପାଇଁ ପ୍ରାଣଦାନ କରିଥିବା ସମସ୍ତ ବୀରଙ୍କୁ ଦେଖିପାରିବ ନାହିଁ, ତନ୍ମଧ୍ୟରୁ କେତେକ ଭାଗ୍ୟଶାଳୀ ଅଦ୍ୟାବଧି ଜୀବିତ ଅଛନ୍ତି, ତୁମେ ତାଙ୍କୁ ଦେଖିବ ଏବଂ ସେମାନେ ମଧ୍ୟ ନିଜର ମହାନ୍‌ ତ୍ୟାଗର ପୁଣ୍ୟଫଳ ସ୍ୱଚକ୍ଷୁରେ ଦେଖି ହର୍ଷିତ ହେବେ ।’

 

‘ଆରେ ! ମୋ ପ୍ରାଣ କ’ଣ ଏତେ ମୂଲ୍ୟବାନ ଥିଲା ! କୁହ ମା’ ସେ ମହାପୁରୁଷମାନେ କିଏ !’

 

‘ପୁତ୍ର ! ସବୁଠାରୁ ଅଧିକ ପୁଣ୍ୟର ଭାଗୀଦାର ଏଇ ମନ୍ଦିର ମହନ୍ତ ମହାରାଜ ହରିନାଥ ଗିରି ଅଟନ୍ତି ଯିଏ କେବଳ ତୁମକୁ ଆଶ୍ରୟ ଦେଇନାହାନ୍ତି ବରଂ ତୁମକୁ ଶାସ୍ତ୍ର ଶିକ୍ଷା ଦେଇ ତୁମର ଜ୍ଞାନଚକ୍ଷୁ ଖୋଲି ଦେଇଛନ୍ତି । ଦ୍ୱିତୀୟତଃ ଠାକୁର ଦୁର୍ଗା ଦାସ ଯିଏ ତୁମକୁ ଏଭଳି ଯୋଦ୍ଧାକରି ଗଢ଼ି ତୋଳିଲେ ଯେ ସାରା ଭାରତରେ ବର୍ଚ୍ଛା ଓ ତରବାରି ଯୁଦ୍ଧରେ ତୁମଠାରୁ ଜିଣିବା ପୁଅ ନାହିଁ ।’

 

‘ଓଃ ମା’ ! ଏଇ ଗୁରୁଜନମାନଙ୍କଠାରେ ମୁଁ କେତେ ୠଣୀ ।’

 

ଆଜି ତୁମେ ସମସ୍ତ ବାଧାବିଘ୍ନ ପାରିହୋଇ ଏଇ ମହାପୁରୁଷମାନଙ୍କ ସହାୟତାରେ ପ୍ରବଳ ଯୋଦ୍ଧା ଓ ପ୍ରଖର ବିଦ୍ୱାନରୂପେ ଏଇ ଦେବତାଙ୍କ ସମ୍ମୁଖରେ ଦଣ୍ଡାୟମାନ । ମୋର ମହାରାଜ, ମରୁଧରାଧୀଶ ଯୋଧପୁର ରାଜବଂଶର ସୂର୍ଯ୍ୟ ତୁମର ଜୟ ହେଉ, ତୁମେ ଚିରଞ୍ଜୀବୀ ହୁଅ ।’

 

ଅଜିତ ସିଂହ ଅବରୁଦ୍ଧ କଣ୍ଠରେ କହିଲେ–ମା’, ଏ ତୁମେ କ’ଣ କହୁଛ !’

 

‘ମୋର ସ୍ୱାମୀ । ଆଜି ଏଇ ହତଭାଗିନୀ ଦାସୀର ବ୍ରତ ସଫଳ ହେଲା । ହେଇ ଦେଖ ! ସ୍ୱର୍ଗବାସୀ ପ୍ରତାପୀ ମହାରାଜ ଯଶୋବନ୍ତ ସିଂହ ନିଜର ସୁଯୋଗ୍ୟ ତେଜସ୍ୱୀ ବୀର ପୁତ୍ରକୁ ଏଠରେ ଛିଡ଼ା ହୋଇଥିବାର ଦେଖି ଆନନ୍ଦରେ ଅଶ୍ରୁମୋଚନ କରୁଛନ୍ତି ।’

 

‘ମହାରାଜ ଯଶୋବନ୍ତ ସିଂହ ? ଯୋଧପୁର ନରେଶ ? ମୋର ପିତା !!!’

 

‘ହଁ ପୁତ୍ର । କାବୁଲର ଦୁର୍ଦ୍ଦାନ୍ତ ପଠାଣମାନଙ୍କୁ ଦମନ କରିଥିବା ଓ ଆଲମଗୀରକୁ ଖାତିର କରୁ ନଥିବା ମହାବୀର ମହାରାଜ ଯଶୋବନ୍ତ ସିଂହ ତୁମର ପୂଜ୍ୟ ପିତା ଥିଲେ ।’

 

‘ଯେଉଁ ଶୌର୍ଯ୍ୟବୀର୍ଯ୍ୟ ଏବଂ ତେଜର ଆତଙ୍କରେ ମୋଗଲ ସାମ୍ରାଜ୍ୟ ଆଜି ମଧ୍ୟ ପ୍ରକମ୍ପିତ, ଯାହାର ଯଶସ୍ୱୀ ତରବାରି ଗାଥା ଆଜି ମଧ୍ୟ ମାରୱାଡ଼୍‌ର ପ୍ରତିଟି ଘରେ ଗାନ ହୁଏ, ମା’ ମୁଁ କ’ଣ ସେଇ ମହାଭାଗ ମହାରାଜ ଯଶୋବନ୍ତ ସିଂହଙ୍କ ପୁତ୍ର ଅଟେ ?’

 

‘ହଁ ମହାରାଜ । ମୋଗଲ ସେନାକୁ ଚଢ଼େଇ ଭଳି ଜାଳିଦେଇ ଦୁଇ ହାତରେ ତରବାରି ଚଳାଇ ଦିଲ୍ଲୀର ବକ୍ଷ ବିଦୀର୍ଣ୍ଣ କରି ତୁମରି ରକ୍ଷାକଲେ, ଯିଏ ମୋଗଲ ସାମ୍ରାଜ୍ୟକୁ ସ୍ତମ୍ଭିତ କରି ରଖିଥିଲେ ସେଇ ସିସୋଦ୍ୟା ମା’ର କୋଳକୁ ତୁମେ ପବିତ୍ର କରିଛ ।’

 

‘ମା’, ଅଙ୍ଗାର ଭଳି ଜଳିପୋଡ଼ି ପାଉଁଶ ହୋଇଥିବା ମୋର ପୂର୍ବଜମାନଙ୍କର ଇତିହାସ ମୁଁ ପଢ଼ି ସାରିଛି । ମୋର ସେଇ ଜନନୀ–ସିଂହ ବୀରାଙ୍ଗନା ରାଜସ୍ଥାନ ପ୍ରାଣର ସାକ୍ଷୀ ହୋଇଛନ୍ତି । ହାୟ ! ମୁଁ ଅଭାଗା ଆଜି ମୋର ସେଇ ପିତାମାତାଙ୍କର ଚରଣଧୂଳି ମଧ୍ୟ ନେଇ ପାରୁନି । ମୋର ଜନ୍ମ ବୃତ୍ତାନ୍ତ ବିଶଦ ଭାବରେ ବର୍ଣ୍ଣନା କର ମା’ ।’

 

‘ମହାରାଜ ! ଆଲମଗୀର ଯଶୋବନ୍ତ ସିଂହଙ୍କୁ ଭୟ କରୁ‌ଥିଲା ଏବଂ ଅନ୍ୟ ଉପାୟରେ ଶେଷ ନକରିପାରିବାରୁ ଶେଷରେ କୁଚକ୍ର କରି କାବୁଲର ସୁବେଦାରରୂପେ ପ୍ରେରଣ କଲା । ମାତ୍ର ଯଶସ୍ୱୀ ମହାରାଜ ତାହାର ଆଶାକୁ ଚୂରମାର କରି ପଠାଣମାନଙ୍କୁ ଅଧୀନକୁ ନେଇ ଆସିଲେ । ତେଣୁ ଧୂର୍ତ୍ତ ଆଲମଗୀର ଷଡ଼ଯନ୍ତ୍ର କରି ତାଙ୍କୁ ବିଷ ଦେଇ ହତ୍ୟା କରାଇ ଦେଲା ।’

 

ଅଜିତ ସିଂହ ଉତ୍ତେଜିତ ହୋଇ କହିଲେ–‘ବିଷ ଦେଇ ମରାଇ ଦେଲା ! ହାୟ !’

 

‘ପୁତ୍ର ସେହି ସମୟରେ ତୁମେ ଗର୍ଭରେ ଥିଲ, ମହାରାଜାଙ୍କର ସ୍ୱର୍ଗବାସ ହେଉ ହେଉ ବାଦଶାହାଙ୍କର ବିନା ଅନୁମତିରେ ଦୁର୍ଗାଦାସ ପ୍ରମୁଖ ସର୍ଦାରମାନେ ମହାରାଣୀଙ୍କୁ ନେଇ ଦେଶକୁ ଫେରିବା ସମୟରେ ତୁମର ଜନ୍ମ ହେଲା ଲାହୋରଠାରେ ।

 

‘ଏ ଅଭାଗା ଏଭଳି ବିପତ୍ତି ସମୟରେ ଜନ୍ମ ନେଲା ।’

 

ଯୋଧପୁରକୁ ଧୂର୍ତ୍ତ ବାଦଶାହା ଦଖଲ କରି ନେଇଥିବା ଏବଂ ମହାରାଣୀଙ୍କୁ ବନ୍ଦୀ କରିବାପାଇଁ ଯୋଧପୁର ରାସ୍ତାରେ ପ୍ରହରୀ ମୁତୟନ କରିଥିବା ସମ୍ବାଦ ପାଇ ଆମ୍ଭେମାନେ ସର୍ଦାର ଓ ମହାରାଣୀଙ୍କ ସହ ଆପଣଙ୍କୁ ନେଇ ନିରୁପାୟ ହୋଇ ଦିଲ୍ଲୀ ଚାଲିଗଲୁ ।’

 

ଆଶ୍ଚର୍ଯ୍ୟ ! ଆପଣ ସମସ୍ତେ ସିଂହ ଗୁମ୍ଫାରେ ପ୍ରବେଶ କଲେ ?’

 

ଅନ୍ୟ ଉପାୟ ନଥିଲା । ଆମେ ଭାବିଥିଲୁ ଅନୁନୟ ବିନୟ କଲେ ବାଦଶାହା ମାନିଯିବେ, କିନ୍ତୁ କପଟୀ ବାଦଶାହା ଅନର୍ଥ କରି ବସିଲା ।’

 

‘କିପରି ଅନର୍ଥ ।’ ‘ଉପରଠାଉରିଆ ଭାବରେ ସର୍ଦାରଗଣ ଓ ମହାରାଣୀଙ୍କୁ ଖେଦ ପ୍ରଦର୍ଶନ କରି ଆପଣଙ୍କ ବଡ଼ଭାଈ ଉମିଦ୍ଦ ସିଂହଙ୍କୁ ଦରବାରକୁ ଡକାଇ ନେଇ ରାଜଭୂଷଣ ପ୍ରଦାନ କଲା । ଘାତକ ବିଷରେ ରଞ୍ଜିତ ସେଇ ରାଜଭୂଷଣକୁ ପିନ୍ଧିବା ସଙ୍ଗେ ସଙ୍ଗେ ଘରେ ପହଞ୍ଚି କୁମାର ପ୍ରାଣତ୍ୟାଗ କଲେ ।’

 

‘ଓଃ ! ମୁଁ ପ୍ରତିଜ୍ଞା କରୁଛି କି.....’

 

‘ଶାନ୍ତ ହୁଅ ପୁତ୍ର । ପ୍ରଥମେ ଶୁଣିସାର । ତୁମକୁ ହସ୍ତଗତ କରିବାପାଇଁ ରାଜଉଆସ ଘେରାଉ କଲା । ତୁମକୁ ରକ୍ଷା କରିବାପାଇଁ ମୁକୁନ୍ଦଦାସ ସାପୁଆକେଳା ବେଶରେ ମୁଣିରେ ପୂରାଇ ମହୁରି ବଜାଇ ବଜାଇ ବାହାରିଗଲେ ଓ ମହାରାଣୀ ପୁତ୍ରୀକୁ ପିଠିରେ ବାନ୍ଧି ଦୁଇ ହାତରେ ତରବାରି ଧରି ସର୍ଦାରଙ୍କ ମୋଗଲ ସିପାହୀଙ୍କ ଉପରେ ଝାମ୍ପ ଦେଇ ମୋଗଲଙ୍କୁ ବିଦୀର୍ଣ୍ଣ କରି ଖସି ଚାଲିଗଲେ । ସେ ଯୁଦ୍ଧରେ କେବଳ ନଅଜଣ ଯୋଦ୍ଧା ଜୀବିତଥିଲେ । ସେମାନଙ୍କୁ ନେଇ ମହାରାଣୀ ଉଦୟପୁର ପହଞ୍ଚିଲେ । ମୁଁ ଅଭାଗୀନି କେଇ ଜଣ ସେବକ ତଥା ରାଜପରିବାରର ସ୍ତ୍ରୀଲୋକଙ୍କ ସହ ମହଲରେ ରହିଗଲି ।’

 

‘ସେମାନଙ୍କର କ’ଣ ହେଲା ?’

 

ସ୍ୱୟଂ ମହାରାଣୀ ସେମାନଙ୍କ ସକାଶେ ଚିତା ରଚନା କରି ଯାଇଥିଲେ । ତାଙ୍କ ଯିବା ପରେ ପରେ ଆଦେଶ ପାଇ ଚିତାରେ ଅଗ୍ନିସଂଯୋଗ କରି ସେମାନେ ଝାସ ଦେଲେ ଓ ଜଳିପୋଡ଼ି ପାଉଁଶ ହୋଇଗଲେ ।’

 

‘ଜଳିପୋଡ଼ି ପାଉଁଶ ହୋଇଗଲେ, ଆଉ ତୁମେ !’

 

‘କୁମାରଙ୍କର ରକ୍ଷାଭାର ନେବାପାଇଁ ମହାରାଣୀଙ୍କ ପାଖରେ ଶପଥ କରିଥିଲି । ନିଜର ପୁତ୍ର ସହିତ ମୁଁ ଗିରଫ୍ ହେଲି ।’

 

‘ଗିରଫ୍ ହେଲ ! ତୁମେ ଆଉ ତୁମର ପୁତ୍ର ! କାହିଁକି !’

 

‘ଏ ଯୋଜନା ଆମରି ପୂର୍ବ ପରିକଳ୍ପିତ । ବାଦଶାହା ତୁମକୁ ହସ୍ତଗତ କରିବାକୁ ଚାହୁଁଥିଲେ । ମୁଁ ନିଜ ପୁତ୍ରକୁ ରାଜକୁମାର ବୋଲି କହି ବାଦଶାହାଙ୍କୁ ସମର୍ପି ଦେଲି । ତେଣୁ ବାଦଶାହା ତୁମକୁ ଓ ମହାରାଣୀଙ୍କୁ ଖୋଜିବା ବନ୍ଦ କରି ଦେଲେ ।’

 

ଅଜିତ ସିଂହ ଚିଡ଼ି ଉଠି କହିଲେ ‘ନିଜ ପୁତ୍ରକୁ ଶତ୍ରୁ ହସ୍ତରେ ଦେଇ ଦେଲ ! ହାୟ ମା’ ମୋର ସେଇ ଭାଈର କ’ଣ ହେଲା । ଶୀଘ୍ର କୁହ ମା’ ।’

 

‘ତାକୁ ପାଇଲାମାତ୍ରେ ରାଜପୁତ୍ର ଭାବି ମୋତେ ମୁକ୍ତି ଦେଇ ଦେଲେ । ମୁଁ ଭିକ ମାଗି ପଡ଼ିଉଠି ଏଇ ହରିନାଥ ଗିରିଙ୍କ ପାଖରେ ପହଞ୍ଚିଲି । ପୂର୍ବ ଯୋଜନାନୁଯାୟୀ ମୁକୁନ୍ଦଦାସ ଏଠାରେ ପହଞ୍ଚିସାରିଥିଲେ । ତୁମକୁ ସକୁଶଳେ ପାଇ ଛାତିରେ ଜଡ଼ାଇ ଧରି ମୁଁ ନିଜର ସବୁ ଦୁଃଖ ଭୁଲିଗଲି-।’

 

‘ଆଉ ତୁମର ପୁତ୍ର ?’

 

‘ଶୁଣିଥିଲି ବାଦଶାହା ତାକୁ ମୁସଲମାନ କରି ତା’ ନାଆଁ ମହମ୍ମଦ ରଖିଥିଲେ, ଆଠବର୍ଷର ହୋଇ ସେ ମରିଗଲା ।’

‘ବିଚରା ମାତୃ ସୁଖରୁ ବଞ୍ଚିତ ଶିଶୁ । ମାଆ ତୁମେ ମୋପାଇଁ ନିଜର ପୁତ୍ରକୁ ବଳି ଦେଇଛ, ତୁମେ ମୋର ପ୍ରକୃତ ମା’ । ମୋତେ ଆଶୀର୍ବାଦ ଦିଅ ମା’ ଯେପରି ମୋର ଶତ୍ରୁଠାରୁ ମୁଁ ପ୍ରତିଶୋଧ ନେଇ ପାରିବି ।’

 

‘ପୁତ୍ର ! ସିଂହର ଶିଶୁ ସିଂହହିଁ ହୁଏ । ତୁମର ସତେଜ ଚକ୍ଷୁ, ପ୍ରଶସ୍ତ ଲଲାଟ, ବିଶାଳ ବକ୍ଷ, ପ୍ରଲମ୍ବ ବାହୁ ସବୁ କିଛି ତୁମ ପିତାଙ୍କ ସହ ସମାନ । ଲୌହମାନବ ପରି ଛିଡ଼ା ହୋଇ, ବଜ୍ରମୁଷ୍ଟିରେ ନିଜର ଯଶସ୍ୱୀ ପିତାଙ୍କ ତରବାରିରେ ନିଜର ଅଧିକାର ସାବ୍ୟସ୍ତ କରି ସ୍ୱାଧୀନତାକୁ ଉଦ୍ଧାର କର ।’

 

ଏହି କଥା ଚାଲିଥିବାବେଳେ ଶଙ୍ଖ ଧ୍ୱନି ଓ ଜୟ ଜୟକାର କରି ହରିନାଥ ଗିରି ଓ ଦୁର୍ଗାଦାସ ସେଠାରେ ଆସି ପହଞ୍ଚିଗଲେ ।

ଗୋସାଇଁ କହିଲେ–‘ମହାରାଜାଙ୍କର ଜୟ ହେଉ । ଆଜିର ଏହି ଶୁଭମୁହୂର୍ତ୍ତରେ ମୁଁ ଆପଣଙ୍କୁ ନଅଲକ୍ଷ ରାଠୋରଙ୍କ ଅଧିପତିରୂପେ ଘୋଷଣା କଲି ।’

ଅଜିତ ସିଂହ ଅଭିବାଦନ କରି କହିଲେ–‘ଗୁରୁଦେବ ! ମୋତେ ଆଶୀର୍ବାଦ ଦିଅନ୍ତୁ ଯେପରି ମୁଁ ମୋର ଦେଶର ରକ୍ଷା କରିବି ଓ ମୋର ନିର୍ଦ୍ଦୋଷ ପୂର୍ବଜମାନଙ୍କର ହତ୍ୟାର ପ୍ରତିଶୋଧ ନେଇ ପାରିବି ।’

ଦୁର୍ଗାଦାସ ଗଦଗଦ ହୋଇ କହିଲେ–‘ଧନ୍ୟ ମହାରାଜ ଧନ୍ୟ ! ଆଜି ଆମର ବହୁଦିନର ତପସ୍ୟା ସଫଳ ହେଲା । ମହାରାଜ ! ମାରୱାଡ଼୍‌ ଆଜି ଆପଣଙ୍କର ଆବଶ୍ୟକତା ଅନୁଭବ କରେ, ସେ ଆଜି ସୁପ୍ତ । ସମଗ୍ର ନଗର, ଗ୍ରାମ, ବନସ୍ଥଳୀରେ ନିଃଶବ୍ଦତା ବିରାଜମାନ କରୁଛି, ଗାଁ ଭାଙ୍ଗିରୁଜି ପଡ଼ୁଛି । ସେଠାରେ ଭୋକିଲା ଲଙ୍ଗଳା ବୀରମାନଙ୍କର ବଂଶଧରମାନେ ନିଜର ଧୂଳି ଧୂସରିତ ଶ୍ମଶ୍ରୁକୁ ନିଜର ବିବେଶ ଶରୀରରେ ସଜ୍ଜିତ କରି ବିଫଳ ପ୍ରତିହିଂସାରେ ଜଳିଉଠୁଛନ୍ତି । ସେମାନଙ୍କ ଅଣ୍ଟାରୁ ତରବାରି କୋଷମୁକ୍ତ କରିବାକୁ ପଡ଼ିବ । ବୀରମାନଙ୍କର ଆତ୍ମା ଚିରଦିନ ପାଇଁ ଶୋଇ ପଡ଼ିଥିବା ସେହି ବନସ୍ଥଳୀମାନଙ୍କରେ ସାଇଁସାଇଁ ପବନ ବହିଲାବେଳେ ବୃକ୍ଷମାନେ ନତମସ୍ତକ ହୋଇ ତାଙ୍କ ଆତ୍ମାକୁ ପ୍ରଣାମ କରନ୍ତି । ହଜୁର ସେତେବେଳେ ଆମେ ବୃଦ୍ଧଗଣ ସ୍ଥିର ହୋଇ ରହିପାରୁ ନାହୁଁ । ମରି କରି ଅମର ହୋଇଥିବା, ବୃଦ୍ଧ ହେଲେ ମଧ୍ୟ ଜୀର୍ଣ୍ଣ ହୋଇ ନଥିବା, ଦୈନ୍ୟ ଓ ରୋଦନଠାରୁ ଦୂରରେ ଥିବା ମୃତ୍ୟୁ ବ୍ୟବସାୟୀ ସେଇ ସ୍ୱର୍ଗୟୀ ମହାରାଜାଙ୍କର ଆମେ ଦାସ ଅଟୁ । ଆପଣ ଚାଲନ୍ତୁ ସୁପ୍ତ ମାରୱାଡ଼୍‌କୁ ଜାଗ୍ରତ କରନ୍ତୁ ଯଦ୍ଦ୍ୱାରା ତାହାର ଅସ୍ତ୍ରର ଝଙ୍କାରରେ ପାହାଡ଼ ପର୍ବତ ପ୍ରକମ୍ପିତ ହୋଇଉଠୁ, ଶତ୍ରୁର ସାମ୍ରାଜ୍ୟ ଥରି ଉଠି ଧ୍ୱଂସ ହୋଇଯାଉ ।’

ଦୁର୍ଗାଧାଈ କହିଲେ–‘ମୋର ବୀର ପୁତ୍ର ! ସୁପ୍ତ ମାରୱାଡ଼୍‌କୁ ଜାଗ୍ରତ କରି ପୁଣି ଥରେ ରଣକ୍ଷେତ୍ରରେ ଛିଡ଼ା କରିଦିଅ ।’

ଅଜିତ୍‌ ସିଂହ ବାହୁ ଉତ୍ତୋଳନ କରି କହିଲେ–‘ଉଠ ମାରୱାଡ଼୍‌ ମାତୃଭୂମି ଉଠ, ମାରୱାଡ଼୍‌ର ଭାଗ୍ୟଦେବୀ ଜାଗ୍ରତ ହୁଅ, ମାରୱାଡ଼୍‌ର ରାଜଲକ୍ଷ୍ମୀ ଉଠ, ଅଗମ୍ୟ ଗିରିବର ଶିଖର ଉଠିପଡ଼, ମରୁସ୍ଥଳୀର ଧୂଳିକଣା, ପଥର ପ୍ରାଙ୍ଗଣ ଜାଗ୍ରତ ହୁଅ । ମୁଁ ଅଜିତ ସିଂହ ଆଜି ନିଜର ପିତାଙ୍କ ବିଜୟୀ ତରବାରି ଧରି ଦେବତା, ଗୁରୁଜନ ଓ ମାତାଙ୍କର ସମ୍ମୁଖରେ ପ୍ରତିଜ୍ଞା କରୁଛି କି ଶତ୍ରୁମାନଙ୍କର ସାମ୍ରାଜ୍ୟର ବିଧ୍ୱଂସ ସାଧନ କରିବି । ତାଙ୍କର ସିଂହାସନକୁ ଖଣ୍ଡବିଖଣ୍ଡ କରିଦେବି । ମୁଁ ସେଇ ଅତ୍ୟାଚାରୀ ବଂଶ ସମୂଳେ ଲୋପ କରିଦେବି । ଦିଅ ମୋର ପିତାଙ୍କର ସେଇ ତରବାରି-।’

ଦୁର୍ଗାଦାସ ତାଙ୍କୁ ଯଶୋବନ୍ତ ସିଂହଙ୍କର ତରବାରି ଦେଇ କହିଲେ ‘ନିଅନ୍ତୁ ମହାରାଜ । ଅଠରବର୍ଷ ଦିନୁଁ ନିଜର ଜୀବନ ଦେଇ ଆମେ ଏହାର ରକ୍ଷା କରିଛୁ । ବର୍ତ୍ତମାନ ଏହାକୁ ଗ୍ରହଣ କରନ୍ତୁ ।’

ଅଜିତ ସିଂହ ହାତ ଟେକି ଖଡ଼୍‌ଗ ଗ୍ରହଣ କଲେ । ମନ୍ଦିରରେ ମଙ୍ଗଳବାଦ୍ୟ ବାଜିଲା, ରାଠୋର ବଂଶର ପ୍ରଶସ୍ତି ଗାନ କରାଗଲା । ଅଜିତ ସିଂହଙ୍କ ଆତ୍ମପ୍ରକାଶ ପରେ ରାଠୋରମାନଙ୍କ ମଧ୍ୟରେ ନବଉଦ୍ଦୀପନା ଖେଳିଗଲା । ମାରୱାଡ଼୍‍ର ଘରେ ଘରେ ପ୍ରସନ୍ନତା ଛାଇଗଲା ।

 

ଏକଦା ଶିରୋହୀ ଦୁର୍ଗରେ ଦୁର୍ଗାଦାସ ଓ ଅଜିତ ସିଂହ ମନ୍ତ୍ରଣା କରି ବସିଲେ । ଦୁର୍ଗାଦାସ କହିଲେ–‘ମହାରାଜ ! ଆପଣଙ୍କୁ ଆପଣଙ୍କ ଦାୟିତ୍ୱ ସମର୍ପି ମୁଁ ନିଶ୍ଚିନ୍ତ ଓ ଧନ୍ୟ ହେଲି ।

 

ଅଜିତ ସିଂହ ଉତ୍ତର ଦେଲେ–‘ଠାକୁର ଦାଦା ! ଆପଣ ରାଠୋର ରାଜବଂଶକୁ ନିଜ ପାଖରେ ଚିର ୠଣୀ କରିଦେଲେ । ମୋତେ ବର୍ତ୍ତମାନ ଆଜ୍ଞା ଦିଅନ୍ତୁ ମୁଁ କିଭଳି ଶତ୍ରୁଠାରୁ ପ୍ରତିଶୋଧ ନେବି । ଶାନ୍ତ ହୋଇ ବସି ରହିବା ଦଣ୍ଡେ ମାତ୍ର ମୋ ପକ୍ଷେ ସମ୍ଭବ ନୁହେଁ ।’

 

‘ଏହାତ ବଡ଼ ସୌଭାଗ୍ୟର ବିଷୟ ମହାରାଜ ! ମୁଁ କହିବାକୁ ଚାହେଁ ବିଗତ ଅଠରବର୍ଷ ଧରି ରାଠୋର ଏକାବେଳେକେ ଚୁପ୍‌ଚାପ୍ ହୋଇ ବସିନାହିଁ । ଆମ୍ଭେମାନେ ସାମର୍ଥ୍ୟ ଅନୁସାରେ ବିନା ସର୍ଦାରରେ ମଧ୍ୟ ଲଢ଼ି ଆସୁଛୁ ।’

 

‘ଠାକୁର ଦାଦା ! ଆପଣଙ୍କ ଭଳି ସର୍ଦାର ଥାଉଁଥାଉଁ ଆଉ ସର୍ଦାରର ଆବଶ୍ୟକତା କ’ଣ ଥିଲା ?’ ‘ମହାରାଜ ! ଆମର ସ୍ୱର୍ଗୀୟ ମହାରାଜାଙ୍କ ପ୍ରଦର୍ଶିତ ପଥ ଆମେ ଅନୁସରଣ କରି ଆସିଛୁ-।’

 

‘ଆଉ ମୁଁ ମଧ୍ୟ ସେଇଆ କରିବି ।’

 

‘ବର୍ତ୍ତମାନ ଆମେ ସିବାନା ଓ ଜାଲୋର ପ୍ରଗଣା ବାଦଶାହା ସେନାଙ୍କଠାରୁ ଛଡ଼ାଇ ନେଇଛୁ । ବଦନୌରରେ ବୀର ଶ୍ରେଷ୍ଠ ମୁକୁନ୍ଦ ଦାସ ଘେରାଉ କରି ରଖିଛନ୍ତି । ଯଦି ମହାରାଜଙ୍କର ଇଚ୍ଛାଥାଏ ତେବେ ଆପଣ ବଦନୌର ପରି ଦୁର୍ଜୟ ଦୁର୍ଗକୁ ନିଜର ପ୍ରଥମ ବିଜୟର ଅବସରଭାବେ ଗ୍ରହଣ କରନ୍ତୁ ।’

 

‘ଅବଶ୍ୟ ! କିନ୍ତୁ ଆପଣ କ’ଣ ମୋ ସଙ୍ଗେ ଯିବେ ନାହିଁ ?’

 

‘ନା ମହାରାଜ, ଅନ୍ୟ ଜଣେ ବିଶ୍ୱସ୍ତ ରାଠୋର ଆପଣଙ୍କ ସଙ୍ଗରେ ଯିବ । ଆପଣଙ୍କୁ ଏକାକୀ ଏବଂ ଗୁପ୍ତ ରୂପରେ ଯାତ୍ରା କରିବାକୁ ପଡ଼ିବ । ସେନାବାହିନୀ ଆପଣଙ୍କଠାରୁ ପୃଥକ୍‍ଭାବେ ଯାଇ ଆପଣଙ୍କ ଆଗରୁ ପହଞ୍ଚିଯିବେ ।’

 

‘ଆଉ ଆପଣ ।’

 

‘ମୋତେ ବାଦଶାହା ଆଲମଗୀର ଦକ୍ଷିଣକୁ ଡକାଇ ପଠାଇଛି । ସେଠାକୁ ଯିବାକୁ ପଡ଼ିବ ।’

 

‘ଆଲମଗୀର ପାଖକୁ ! ନାଇଁ ଠାକୁର ଦାଦା ସେ କୁଟିଳ ଘାତକ ପାଖକୁ ଯିବାର କୌଣସି ଆବଶ୍ୟକତା ନାହିଁ ।’ ଦୁର୍ଗାଦାସ ହସି ଉଠି କହିଲେ–‘ନାଇଁ ମହାରାଜ । ଭୟର କିଛି କାରଣ ନାହିଁ । ଆମେ ଦୁହେଁ ରାଜନୀତିର ପୁରୁଣା ଖେଳାଳି, ସ୍ୱର୍ଗବାସୀ ମହାରାଜାଙ୍କ ତରବାରି ତ ବର୍ତ୍ତମାନ ଆପଣଙ୍କ ନିକଟରେ । ଆପଣ ଏଥିରେ ଖେଳନ୍ତୁ, ଆପଣ ବର୍ତ୍ତମାନ ଯୁବକ, ମୁଁ କିନ୍ତୁ ବୁଢ଼ା ହେଲିଣି । ଏବେ ଆଲମଗୀର ସଙ୍ଗେ ଟିକିଏ ରାଜନୀତିର ଖେଳ ଖେଳିବି । ହୋଇପାରେ ଏହା ଶେଷ ବାଜି ଓ ଏଥିରେ ମୁଁ ହିଁ ଜିତିଯିବି ।’

 

‘କିନ୍ତୁ ଠାକୁର ଦାଦା ! ରାଠୋରମାନଙ୍କ ରାଜନୀତି ରେଖା ତ ତରବାରିରେ ଟାଣିବା ଉଚିତ ।’

 

‘ନାଇଁ ମହାରାଜା, ଏ ବିଷୟ ଆପଣ ମୋ ଉପରେ ଛାଡ଼ି ଦିଅନ୍ତୁ ଏବଂ ଆଜିହିଁ ଯାତ୍ରା ଆରମ୍ଭ କରନ୍ତୁ । ରଣ ପ୍ରସ୍ତୁତି ହୋଇ ସାରିଛି । ରାଠୋର ସର୍ଦାର ଘୋଡ଼ା ସହ ଆପଣଙ୍କର ପ୍ରତୀକ୍ଷା କରୁଥିବେ । ଯାଆନ୍ତୁ । ଶୁଭସ୍ୟ ଶୀଘ୍ରଂ ।’

 

‘କ’ଣ ଆଜିହିଁ ଯାତ୍ରା ଆରମ୍ଭ କରିବି ?’

 

‘ଆଜି ନୁହେଁ । ବର୍ତ୍ତମାନ ଆତ୍ମପ୍ରକାଶ କରି ସାରିଲା ପରେ ଆଉ କ୍ଷଣେ ମାତ୍ର ଏଠାରେ ରହିବା ଉଚିତ ନୁହେଁ । ଯଥାଶୀଘ୍ର ଆପଣଙ୍କୁ ଯୋଧପୁର ଦଖଲ କରିବାକୁ ପଡ଼ିବ । ସବୁ ସର୍ଦାର ଓ ମୁକୁନ୍ଦଦାସ ସେଠାରେ ଶାହୀ ସେନାଙ୍କୁ ହାଣିବାରେ ଲାଗିଛନ୍ତି, ଆପଣ ସମସ୍ତେ ମିଶି କର୍ତ୍ତବ୍ୟ ନିର୍ଣ୍ଣୟ କରି ନିଅନ୍ତୁ ।’

 

‘ଠିକ୍ ଅଛି ଠାକୁର ଦାଦା’ ଆପଣ ଦକ୍ଷିଣକୁ କେବେ ଯିବେ ?’

 

ଆଜି ରାତ୍ର ଦ୍ୱି–ପ୍ରହର ପରେ ମୁଁ ଯାତ୍ରା କରିବି । ପ୍ରଥମେ ଉଦୟପୁର ଯାଇ ମହାରାଣାଙ୍କୁ ସାକ୍ଷାତ କରି ପୁଣି ଦକ୍ଷିଣକୁ ଆଲମଗୀର ପାଖକୁ ଯିବି ।’

 

‘ମାନ୍ୟବର ସେନାପତିଙ୍କ ଯେମିତି ଇଚ୍ଛା ।’

 

ଚବିଶ

 

ଅଜିତ୍ ବର୍ତ୍ତମାନ ଯୌବନକୂଳରେ ଥିଲାବେଳେ ସ୍ୱର୍ଣ୍ଣଲତା–ପୁଷ୍ପ ମଧ୍ୟ ବିକାଶ ଲାଭ କରୁଥିଲା । କିଶୋର ସମୟର ସ୍ମରଣ ଅନେକ କିଛି କହି ଯାଉଥିଲା, ହୃଦୟରେ ପ୍ରେମର ଜୁଆର ଖେଳୁଥିଲା । ନିଜର ଆତ୍ମପରିଚୟ ଜାଣି ଅଜିତ ସ୍ୱର୍ଣ୍ଣଲତାକୁ ଚକିତ କରି ଦେବାପାଇଁ ଗଲେ । ଦେଖିଲେ ସ୍ୱର୍ଣ୍ଣଲତା କୁଞ୍ଜର ଛାଇରେ ବସି ଗୀତ ଗାଉଥିଲେ । ଅଜିତ ସିଂହ ବାଧା ଦେଇ କହିଲେ–‘କେଉଁ ଭାଗ୍ୟବାନର ସ୍ମରଣ କରୁଛ ସ୍ୱର୍ଣ୍ଣଲତା ?’

 

ତାଙ୍କୁ ଦେଖି ସ୍ୱର୍ଣ୍ଣଲତା ଲଜ୍ଜା ପାଇଗଲା, ପୁଣି କହିଲା–‘ଓଃ ତୁମେ ଆସିଗଲ । ମୁଁ ଗୀତ ଗାଇ ମନ ଖୁସି କରୁଥିଲି ।

 

‘ଆଚ୍ଛା ତୁମେ କିଛି ଶୁଣିଲ ?’

 

‘ତାହାହେଲେ ତୁମେ ମଧ୍ୟ ଶୁଣି ସାରିଛ ।’

 

‘ଏଇଲେ ଶୁଣି ଆସୁଛି । ମୋର ପ୍ରତିଟି ରକ୍ତ ବିନ୍ଦୁ ଗରମ ହୋଇ ଉଠୁଛି । ସ୍ୱର୍ଣ୍ଣଲତା !’

 

‘ଏଇଲେ କ’ଣ ହେବ କୁହ ?’

 

‘କ’ଣ ହେବ ଆମେ ଶୀଘ୍ର ମିଳିତ ହେବା ।’

 

‘ମିଳିତ ହେବା । କ’ଣ କୁଆଡ଼େ ଯାଉଛ ।’

 

‘ତୁମେ ତ ଜାଣିଛ !’

 

‘ତାହାହେଲେ ପ୍ରକୃତରେ ତୁମେ ଯାଉଛ ।’

 

‘ହଁ ବର୍ତ୍ତମାନ ।’

 

‘ମୋତେ ଛାଡ଼ି ?’

 

‘କ’ଣ କରିବି ସ୍ୱର୍ଣ୍ଣଲତା ! ମୋତେ ଯିବାକୁ ପଡ଼ିବ ।’

 

‘ଏହା ମୁଁ ଭାବିଥିଲି, ଯାଅ ତେବେ ।’ ସ୍ୱର୍ଣ୍ଣଲତା ବାଷ୍ପାକୁଳ କଣ୍ଠରେ କହିଲା ।

 

‘କାନ୍ଦୁଛ ! ନା ସ୍ୱର୍ଣ୍ଣଲତା କାନ୍ଦନି ।’

 

‘ଯାଅ ।’

 

‘ସ୍ୱର୍ଣ୍ଣଲତା ।’

 

‘ସ୍ୱର୍ଣ୍ଣଲତା ରାଜକୁମାରୀ ହୋଇଛି ଦୁର୍ଭାଗ୍ୟ ଯୋଗୁଁ ।’

 

‘ରାଜକୁମାରୀ କ’ଣ କହିଲ ?’

 

‘ତାହାହେଲେ ତୁମେ ଶୁଣିନାହଁ ?’

 

‘କ’ଣ !’

 

‘କି ମୁଁ ରାଜକୁମାରୀ ଅଟେ ।’

 

‘ତୁମେ !’

 

‘ବାଦଶାହା ଆଲମଗୀରର ନାତୁଣୀ ଏବଂ ହତଭାଗ୍ୟ ପିତା ଆକବରଙ୍କ କନ୍ୟା ରେଜିୟା ।’

 

‘ତୁମେ ରେଜିୟା ? ଆଉ ତୁମେ ଶୁଣିଛ !’

 

କ’ଣ ?’

 

‘କି ମୁଁ ଯୋଧପୁର ରାଜା ଅଟେ ।’

 

‘ତୁମେ ।’

 

‘ପ୍ରତାପୀ ଯଶୋବନ୍ତ ସିଂହଙ୍କର ପୁତ୍ର ।’

 

‘ତୁମେ’

 

‘ହଁ ରେଜିୟା ! ଆଉ ମୁଁ ଯାଉଛି ନିଜର ପିତୃଘାତୀ ବାଦଶାହା ଆଲମଗୀରଠାରୁ ପ୍ରତିଶୋଧ ନେବାକୁ ।’

 

‘ହଁ ! ମୁଁ ମୋର ପିତାଙ୍କର ତରବାରି ଛୁଇଁ ଶପଥ କରିଛି ଯେ ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରିଦେବି, ରାଜସିଂହାସନକୁ ଜାଳି ପାଉଁଶ କରିଦେବି । କିନ୍ତୁ.....’

 

‘କ’ଣ ଭାବୁଛ ଅଜିତ ?’

 

‘ତାହାହେଲେ ତୁମେ ଶତ୍ରୁ କନ୍ୟା ଅଟ ରେଜିୟା ।’

 

‘ମୁଁ ? ମୁଁ ତ ତୁମକୁ...... ।’

 

‘ଆଉ ମୁଁ ମଧ୍ୟ ତୁମକୁ.......’

 

‘ବୁଝିଗଲି, ସେଇଥିପାଇଁ..... ।’

 

‘କ’ଣ ବୁଝିଲ ରେଜିୟା ?’

 

‘ସେଥିପାଇଁ ତ ମୋତେ ନିଷେଧ କରାଯାଇଥିଲା ।’

 

‘କୋଉ କଥାପାଇଁ ।’

 

ତୁମ ସହ ମିଶିବାପାଇଁ, କଥାଭାଷା ହେବାପାଇଁ, ମୋର ପ୍ରକୃତ ପରିଚୟ ଜଣାଇବା ପାଇଁ ମାତ୍ର । ତୁମ ବିନା ମୁଁ କେମିତି ରହିପାରିବି ଅଜିତ୍ ? କାଲି ପର୍ଯ୍ୟନ୍ତ ତୁମେ ମୋପାଇଁ ରାଜା ନଥିଲା କି ମୁଁ ତୁମପାଇଁ ରାଜକୁମାରୀ ନଥିଲି । କାଲି ଆମେ କେତେ ଖୁସି ଥିଲେ, କେତେ ହସିଥିଲେ । ପୁଣି ଆମେ ଏତେ ହସି ପାରିବାତ ଅଜିତ ?’

 

‘ମୁଁ ତୁମକୁ ସେତିକି ହସାଇବି ରେଜିୟା । ଆମ ଦୁହିଁଙ୍କୁ କିଏ ପୃଥକ୍ କରିପାରିବ । କିନ୍ତୁ....... ।’

 

‘ପୁଣି କ’ଣ ଚିନ୍ତା କରୁଛ ଅଜିତ୍–ନାଇଁ ରାଜା ?’

 

ମନର ଭାବ ଗୋପନ କରି ଅଜିତ କହିଲେ–‘କିଛି ନୁହେଁ ରେଜିୟା, ହତ୍ୟାକାରୀ ଆଲମଗୀର....ଛାଡ଼ ।’

 

‘କାହିଁକି ରାଗିଗଲ ରାଜା ? ତୁମର ଆଖି ନାଲି ପଡ଼ି ଯାଇଛି ।’

 

‘କିଛି ଚିନ୍ତା ନାହିଁ । ମୁଁ ବାଦଶାହା ଆଲମଗୀରଠାରୁ ମୋର ବାପ ଦାଦାଙ୍କ ଗାଦି ଛଢ଼ାଇ ନେବ ଆଉ ରେଜିୟାକୁ ମଧ୍ୟ ।

 

ମୋତେ ଛଡ଼ାଇନେବ ? ତୁମେ ? ମୋତେ ? –ଯିଏ ସ୍ୱୟଂ ତୁମର ଅଟେ । ପ୍ରଥମେ ତ ମୋତେ ଛାଡ଼ି ତୁମେ ଚାଲିଯିବ ? ଆଉ ପୁଣି ମୋତେ ଛଡ଼ାଇନେବ ଲଢ଼ି କରି ? ସେଥିପାଇଁ ତୁମେ ଏ ବିଶାଳ ତରବାରି ବାନ୍ଧିଛ ।’

 

‘ଇଏ ମୋର ପିତାଙ୍କର ତରବାରି ରେଜିୟା, ଏହାର ତୀକ୍ଷ୍ଣ ଧାର କାବୁଲ ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟେ ।’

 

‘ଏଥିରେ ମୋର ଅଜାଙ୍କୁ ମାରିବ ରାଜା ?’

 

‘ରେଜିୟା ! ତୁମର ଅଜା ମୋର ପିତା ଏବଂ ଭାଇଙ୍କୁ ହତ୍ୟା କରିଛନ୍ତି ।’

 

‘ନାହିଁ ରାଜା ଏପରି ହୋଇ ପାରେନା ।’

 

‘ଏପରି ହେବ ନିଶ୍ଚୟ, ମୁଁ ଅବଶ୍ୟ ଯିବି ଓ ତରବାରିର ଧାର ପରୀକ୍ଷା କରିବି ।’

 

ଆଃ ନାଇଁ, ପୁଣି ଆମେ ପରସ୍ପରକୁ ଦେଖି ପାରିବାନି ? ମୁଁ ବଞ୍ଚି ପାରିବିନି, ତୁମେ ବଞ୍ଚି ପାରିବ ରାଜା ।’

 

‘କେବେ ନୁହେଁ ରେଜିୟା ।’

 

ରେଜିୟା କାନ୍ଦି କାନ୍ଦି କହିଲା–‘ଠାକୁର ଦାଦା ମୋତେ ଆଣିବା ଦିନଠାରୁ ମୁଁ ତୁମ ସଙ୍ଗେ ଅଛି, ଅନେକ ଥର ଅଭିମାନ କରିଛି ତୁମେ ବୁଝାଇଛ । ବଡ଼ବଡ଼ ପାହାଡ଼ ଘାଟି ଚଢ଼ି ଗଲାବେଳେ ତୁମେ ମୋତେ କାନ୍ଧରେ ବହନ କରିଛ । ତୁମେ ସେଇ ବ୍ୟକ୍ତି, ଏଇଲେ ମୋତେ ଛାଡ଼ିଯିବ ? ରାଜା ହୋଇ ମଧ୍ୟ ତୁମେ ଏତେ ଅବିଶ୍ୱାସୀ....’

 

‘କ’ଣ କରିବି ରେଜିୟା ମୋତେ ଯାଇ ଯୁଦ୍ଧ କରିବାକୁ ହେବ । କିନ୍ତୁ ମୁଁ ଶୀଘ୍ର ତୁମ ନିକଟକୁ ଫେରି ଆସିବି ଏବଂ ତୁମକୁ ପାଖକୁ ନେବି ।’ ଏଇ ସମୟରେ ଦୁର୍ଗା ଭାଇ ସୂଚନା ଦେଲେ–‘ରେଜିୟା ମା’, ତୁମକୁ ଠାକୁର ଦାଦା ଡାକୁଛନ୍ତି ।’

 

ରେଜିୟା ଲୋତକଭରା ନୟନରେ ‘ଯାଉଛି ଧାଈମା’ କହି ଆଖି ପୋଛି ପୋଛି ଚାଲିଗଲା ।

 

ଦୁର୍ଗା ଅଜିତ ସିଂହଙ୍କୁ କହିଲେ–‘ମୋର ପ୍ରିୟ ପୁତ୍ର ! ତୁମେ ଜାଣିଲ ରେଜିୟା କିଏ ?’

 

‘ହଁ ମା’, ମୋର–ସେ ମୋରି ପରି ଉଚ୍ଚ ବଂଶର ରାଜକୁମାରୀ ।’

 

କିନ୍ତୁ ଶତ୍ରୁ କନ୍ୟା ଏବଂ ବିଧର୍ମୀ । ତୁମ ଦୁହିଁଙ୍କର ପ୍ରେମ ବଢ଼ିବାରେ ଲାଗିଛି, ତାହା ସୀମା ପାରି ନହେଉ, ଏଥିପାଇଁ ଠାକୁର ଦାଦା ତାହାକୁ ତାହାର ପରିଚୟ ଦେଇଗଲେ, ସେ ବୁଝିବା ପିଲା । ଭାବିନିଅ ରେଜିୟା ସଙ୍ଗେ ତୁମର ପ୍ରେମ ମଙ୍ଗଳକର ହୋଇ ନପାରେ । ସେ ତୁମର ରାଣୀ–ମାରଓ୍ୱାଡ଼୍‍ର ରାଜଲକ୍ଷ୍ମୀ ହୋଇ ପାରେନା କିମ୍ୱା ତା’ର ସନ୍ତାନ ମାରଓ୍ୱାଡ଼୍‍ର ଅଧିପତି ହୋଇ ପାରିବନି । ତେଣୁ ପୁତ୍ର ! ସବୁ ବିଚାର କରି ଔଚିତ୍ୟ ପୂର୍ଣ୍ଣ କାର୍ଯ୍ୟ କରିବ ।’

 

‘ମା’ ବର୍ତ୍ତମାନ ତାକୁ ମୁଁ ତୁମ ସେବାରେ ଛାଡ଼ି ଯାଉଛି । ଆଚ୍ଛା ମା’ ନିଜ ପୁତ୍ରକୁ ଆଶୀର୍ବାଦ ଦିଅ ।’

 

‘ଯାଅ ପୁତ୍ର । ଈଶ୍ୱର ଓ ଦେବତାଗଣ ତୁମର ରକ୍ଷା କରିବେ । ତୁମେ ଚିରଞ୍ଜୀବୀ ହୁଅ ।’

 

ପଚିଶ

 

ବଦନୌର ଦୁର୍ଗ ବାହାରେ ରାଜପୁତମାନଙ୍କର ଛାଉଣୀ ପଡ଼ିଥିଲା । ଶିବିର ମଧ୍ୟରେ ମୁକୁନ୍ଦ ଦାସ ନିଜର ସର୍ଦାରଗଣଙ୍କ ସହ ପରାମର୍ଶ କରୁଥିଲେ । ସର୍ଦାର ମହାସିଂହ କହିଲେ–‘ଆଜି ଚାନ୍ଦିନୀ ରାତି । ବଦନୌର ଘେରାଉ କରିବା ୧୫ ଦିନ ହୋଇଗଲାଣି । ଦୁର୍ଗା ଦାସ ସନ୍ଦେଶ ପଠାଇଛନ୍ତି କି ମହାରାଜ ଆତ୍ମପ୍ରକାଶ କରି ସାରିଲେଣି ଓ ଆମର ସହାୟତା ପାଇଁ ଯାତ୍ରା ଆରମ୍ଭ କଲେଣି । ସେ ବର୍ତ୍ତମାନ ଆସି ପହଞ୍ଚିଯିବେ । ଆମେ ତାଙ୍କୁ ସ୍ୱାଗତ ଜଣାଇବା ଉଚିତ ।’

 

ଅନ୍ୟ ସର୍ଦାରମାନେ ପରାମର୍ଶ ଦେଲେ ‘ଆମକୁ ଆଜି ରାତିରେହିଁ ବଦନୌର ଦୁର୍ଗ ଦଖଲ କରିବାକୁ ହେବ ।’

 

ମହାସିଂହ କହିଲେ–‘କିନ୍ତୁ ସର୍ଦାରଗଣ, ଏହା ଅତ୍ୟନ୍ତ କଠିନ କାରଣ ଆମର ସୈନ୍ୟ ଖୁବ୍‌ ଅଳ୍ପ, ପୁଣି ରାୟ ଭଗବାନ ଦାସଙ୍କ ସୈନ୍ୟ ଆସି ନାହାନ୍ତି ।’

 

ମୁକୁନ୍ଦ ଦାସ କହିଲେ–‘ବୀର ଶ୍ରେଷ୍ଠ ! ନିରାଶ ହେବାର କାରଣ ନାହିଁ ।’

 

‘ତାହାହେଲେ ଜୀବନକୁ ପାଣି ଛଡ଼ାଇ ଆମକୁ ଦୁର୍ଗ ଅଧିକାର କରିବାକୁ ହେବ । କିନ୍ତୁ ମୁଁ ଭାବୁଛି ଏଇ ଯୁଦ୍ଧରେ କ୍ୱଚିତ୍ ଜୀବନ ରକ୍ଷା ପାଇବ ।’

 

‘ନା ଠାକୁରଗଣ । ଆଜି ନିଶ୍ଚୟ ଦୁର୍ଗ ଅଧିକୃତ ହେବ ଏବଂ ପ୍ରାତଃକାଳରୁ ରାଠୋର ପତାକା ଫରଫର ଉଡ଼ିବ ।’

 

‘କେମିତି ଠାକୁର ?’

 

‘ଜୀବନ ପ୍ରତି ମମତା ନଥିବା ଦଶଜଣ ବଛାବଛା ସୈନ୍ୟ ମୋତେ ଦରକାର ।’

 

ଏହା ଶୁଣି ସର୍ଦାରଗଣ କହି ଉଠିଲେ–‘ଆମେ ପ୍ରସ୍ତୁତ ।’

 

‘ମୁଁ କେବଳ ଦଶଜଣ ବୀର ଚାହେଁ ।’

 

‘ତାହାହେଲେ ସର୍ବପ୍ରଥମେ ମୋର ଏବଂ ମୋର ପାଞ୍ଚ ଭାଇଙ୍କ ସେବା ସ୍ୱୀକାର କରନ୍ତୁ-।’ ଜଣେ ସର୍ଦାର କହିଲେ ।

 

‘ଠିକ୍ ! ସାତଜଣ ହେଲେ ।’

 

ମହାସିଂହ କହିଲେ–‘ମୁଁ ମଧ୍ୟ ପ୍ରସ୍ତୁତ ଅଛି ।’

 

ମୁକୁନ୍ଦ ଦାସ ଅସ୍ୱୀକାର କରି କହିଲେ–‘ନା ଆପଣଙ୍କଦ୍ୱାରା ଅନ୍ୟ କାର୍ଯ୍ୟ ସମ୍ପନ୍ନ ହେବ-।’

 

ଅନ୍ୟ ସର୍ଦାରମାନେ କହିଲେ–‘ଏଠାରେ ସମସ୍ତେ ପ୍ରସ୍ତୁତ ! ଆପଣ ଇଚ୍ଛାନୁସାରେ ବାଛି ନିଅନ୍ତୁ ।’

 

ମୁକୁନ୍ଦ ଦାସ ତନ୍ମଧ୍ୟରୁ ଦଶ ଜଣଙ୍କୁ ଅଲଗା କରି ଗଣିନେଇ କହିଲେ–‘ଶୁଣ ବୀରଗଣ । ମହାରାଜ ଆସୁଛନ୍ତି । ଆମକୁ କାଲି ପ୍ରାତଃକାଳରୁ ବଦନୌର ଦୁର୍ଗ ସହିତ ତାଙ୍କୁ ସ୍ୱାଗତ କରିବାକୁ ପଡ଼ିବ ।’

 

‘ବହୁତ ଭଲ । ଆମେ କାଲିଠାରୁ ମଧ୍ୟ ଯୁଦ୍ଧପାଇଁ ପ୍ରସ୍ତୁତ ଅଛୁ ।’

 

‘ଠିକ୍, ରାତି ଅନ୍ଧାରମୟ, ପ୍ରାଚୀରଗୁଡ଼ାକ ଭଙ୍ଗା, ଆମେ ଦୁର୍ଗର ପଛ ପାଖରୁ ଦଉଡ଼ି ସାହାଯ୍ୟରେ ଚଢ଼ିଯିବା ।’

 

‘ଏତ ଅତି ସହଜ ଉପାୟ ।’

 

‘ଏବଂ ଚୁପ୍‌ଚାପ୍‌ ପ୍ରହରୀମାନଙ୍କୁ ମାରିଦେଇ ଦ୍ୱାର ଖୋଲିଦେବା ଏବଂ ଦୁର୍ଗ ଉପରେ ପତାକା ସ୍ଥାପନ କରିଦେବା ।’

 

‘ବାଃ, ଏଥିରେ ତିଳେମାତ୍ର ବିଳମ୍ୱ ହେବ ନାହିଁ ।’

 

ମହାସିଂହ ମହାଶୟ ସବୁ ସୈନ୍ୟ ସହ ଦ୍ୱାର ପାଖରେ ଲୁଚିକରି ଅପେକ୍ଷା କରିଥିବେ, ଦୁର୍ଗରେ ପତାକା ଉଡ଼ିବାର ଦେଖି ଦ୍ୱାର ପାଖରେ କୋଳାହଳ କରିବେ ଏବଂ ଖୋଲା ଦ୍ୱାର ଦେଇ ଧଡ଼ାଧଡ଼ ପଶିଯିବେ ।’

 

ସମସ୍ତେ କହିଲେ–‘ତାହାହେଲେ ତ ବେହୋସ ଶତ୍ରୁମାନଙ୍କୁ ପରାସ୍ତ କରି ସମକ୍ଷ ଦୁର୍ଗ ଦଖଲ କରିନେବା କଠିନ ହେବନି । ତାହାହେଲେ ରାତି ତିନି ପ୍ରହର ପରେ ଆମେ ଯୁଦ୍ଧ ସ୍ଥଳକୁ ଯିବା ।’

 

‘ଠିକ୍ ଅଛି କୁମାର !’

 

ଛବିଶି

 

ଉଦୟପୁର ରାଜମହଲର ଭିତିରି ଉଦ୍ୟାନରେ ଫୁଲ ବିଛାହୋଇ ପଡ଼ିଥିଲା, ଶଙ୍ଖ ମଲମଲ ଚଉକି ଉପରେ ରେଜିୟା ବସି ପଥର ଉପରେ ଫୁଲରେ ଅଜିତ ସିଂହଙ୍କ ନାଁ ଲେଖି ଗୁଣୁଗୁଣୁ ହୋଇ ଗାଉଥିଲା । ପଛରୁ ରାଜକୁମାରୀ ଚନ୍ଦ୍ର କୁମାରୀ ଆସି ତାଙ୍କ ଆଖି ବୁଜି ଧରିଲେ । ରେଜିୟା କହିଲେ ‘କିଏ, ଆଃ ? ରାଜକୁମାରୀ, ପୁଷ୍ପ ସଦୃଶ ତୁମର ଏଇ କୋମଳ ହାତ କ’ଣ ଲୁଚିପାରେ ? କିନ୍ତୁ ଆଖି ଛାଡ଼ ।’

 

ଚନ୍ଦ୍ରକୁମାରୀ ହସି ପଚାରିଲେ ‘କାହିଁକି ?’

 

‘ମୁଁ ଫୁଲରେ ଫୁଲ ତିଆରି କରୁଛି ।’

 

‘କ’ଣ ଫୁଲରେ ଫୁଲ ? କେମିତି ଶାହାଜାଦୀ ?’

 

‘ତୁମେ ବୁଝିପାରିବନି ।’

 

‘ତୁମଭଳି ଗୁରୁ ପାଇ ମଧ୍ୟ ବୁଝିପାରିବିନି !’

 

‘ଆଚ୍ଛା ଏଇଟା କ’ଣ କହିଲ ?’

 

ଯୋଧପୁର ମହାରାଜାଙ୍କ ନାଆଁ ।’

 

‘ଆଉ କ’ଣ ?’

 

‘ଆଉ ମୁଁ ତୁମେ, ଏ ଫୁଲ, ଏ ପଥର, ଏ ଉଦ୍ୟାନ, କୋଇଲି, ଏ ସୂର୍ଯ୍ୟ, ଏ ଧରିତ୍ରୀ, ଏ ଆକାଶ । କ’ଣ ସବୁ ଗଣିବାକୁ ପଡ଼ିବ !’

 

‘ନାଇଁ ପ୍ରିୟେ । ଏଇ ଫୁଲ ଓ ଶଙ୍ଖ ମଲମଲ ପଥର, ଏ ଦୁଇଟି ଯଥେଷ୍ଟ । ଏଥିରେ ଫୁଲରେ ଫୁଲ କରୁଛି ।

 

‘କେମିତି ।’

 

‘ଦେଖୁ ନାହଁ, ତଳେ ଶଙ୍ଖ ମଲମଲ ପଥର ଉପରେ ଫୁଲ ।’

 

‘ଦେଖୁଛି ତ, ହେଲେ ?’

 

‘ପଥର ଚିକ୍କଣ, ସୁନ୍ଦର, କିନ୍ତୁ ପଥର । ମାତ୍ର ଫୁଲ ସବୁବେଳେ ଫୁଲ ।’

 

‘ଏଇଟା ତୁମର ଅନ୍ୟାୟ ଶାହାଜାଦୀ ।’

 

‘କେମିତି ରାଜକୁମାରୀ ?’

 

‘ପଥର ବକ୍ଷରେ ସୁଗନ୍ଧିତ ପୁଷ୍ପ ନ ରଖି ହୃଦୟ ମଧ୍ୟରେ ରଖିଥାନ୍ତ ।’

 

‘ରାଜକୁମାରୀ ! ଫୁଲ ଉପରେ ପଥର ରଖିଥିଲେ ସିନା ଅନ୍ୟାୟ ହୋଇଥାନ୍ତା କିନ୍ତୁ ପଥର ଉପରେ ଫୁଲ ରଖିବା ଅନ୍ୟାୟ ନୁହେଁ । ପୁଣି ହୃଦୟ ଓ ଶଙ୍ଖ ମଲମଲ ପଥର ମଧ୍ୟରେ ପାର୍ଥକ୍ୟ ବେଶୀ କିଛି ନାହିଁ ।’

 

‘ତାହାହେଲେ ତୁମର ହୃଦୟ ଏଭଳି କଠୋର କାହିଁକି ?’

 

‘ସମ୍ଭବତଃ ଏହା ଅପେକ୍ଷା ଅଧିକ । ସେଥିପାଇଁ ଫୁଲ ହୃଦୟରେ ରଖେ ନାହିଁ ।’

 

‘ମୁଁ ତ ଢେର୍ ଫୁଲ ହୃଦୟରେ ଲଦି ବୁଲେ ।’

 

‘ତୁମର ହୃଦୟ ବହୁତ କୋମଳ ରାଜକୁମାରୀ । ତୁମେ ସୌଭାଗ୍ୟବତୀ ।’ କହୁ କହୁ ରେଜିୟା ଆଖିରେ ଲୁହ ଜକେଇଗଲା ।

 

ଏହାଦେଖି ଚନ୍ଦ୍ରକୁମାରୀ କହିଲା–‘ତୁମେ କାନ୍ଦୁଛ ! ମୁଁ କୁତ୍‌କୁତ୍ କରୁଛି ତୁମେ ହସିଦିଅ-!’

 

ରେଜିୟା ଆଖିରୁ ଲୁହ ପୋଛିଲେ ଓ ହସିଦେଲେ–‘ଏବେ ଖୁସି ହେଲ ରାଜକୁମାରୀ ।’

 

‘ହଁ ହେଲି । ଏଇଲେ କୁହ ଫୁଲରେ ଫୁଲ କେମିତି କର ?’

 

‘ଦେଖିପାରୁନାହଁ, ଫୁଲରେ କ’ଣ କରିଛି !’

 

‘ମହାରାଜାଙ୍କ ନାମ ଆଉ କ’ଣ ?’

 

‘ଏହି ତ ଫୁଲ ଆଉ କରିବା ?’

 

‘ପ୍ରଥମେ କ’ଣ ଥିଲା ?’

 

‘ପଥର’

 

‘ବାଃ ଶାହାଜାଦୀ, ମାରଓ୍ୱାଡ଼୍ ରାଜାଙ୍କୁ ପଥର କହୁଛ । ତୁମେ ତ ବହୁତ ଭଲ । ମୁଁ ବାପାଙ୍କୁ କହିବି ।’

 

‘ଖୋଦା ତ ତାଙ୍କୁ ପଥର କରିଛନ୍ତି । ମୁଁ କିନ୍ତୁ ତାଙ୍କୁ ଫୁଲ କରି ଗଢ଼ୁଛି ।’

 

‘କାହିଁକି ?’

 

‘ଶୁଣି କ’ଣ କରିବ ! ଭାବିନିଅ ଏହା ଏକ ରୋଗ । ଆଚ୍ଛା କୁହ ତାଙ୍କର ଖବର କିଛି ପାଇଛ ?’

 

‘ନା ସେ ଯୋଧପୁର ଆକ୍ରମଣରେ ପ୍ରସ୍ତୁତି କରୁଛନ୍ତି ।’

 

‘ରାଜକୁମାରୀ ! ବାପା କେବେ ଫେରିବେ ଜାଣିନି, ଶୁଣୁଛି, ଅଜା ଶକ୍ତ ବେମାର । ଆମେ ସ୍ତ୍ରୀମାନେ କେଡ଼େ ଅସହାୟ ରାଜକୁମାରୀ । ଆମ ଜୀବନ ପୋଷା ମେଷ ପରି ଯାହାକୁ ଠିକ୍‌ ସମୟରେ ଖାଇବାକୁ ଦିଆଯାଏ ଓ ଗୁହାଳରେ ବନ୍ଦ କରି ଦିଆଯାଏ, ଯେପରି ଶୃଗାଳ ନେଇ ନ ପଳାଏ । ଏଇ ଠାକୁର ଦାଦା ଆସୁଛନ୍ତି ।’

 

‘ଠାକୁର ଦୁର୍ଗାଦାସଙ୍କୁ ଦେଖି ଦୁହେଁ ଛିଡ଼ା ହୋଇ ଅଭିବାଦନ କଲେ । ରେଜିୟା ପଚାରିଲା ‘ବାପାଙ୍କ ଖବର କ’ଣ ?’

 

‘ସଠିକ୍‌ ଜାଣିପାରିଲିନି, ଶୁଣୁଛି ସେ ସୁରାଟଠାରୁ ଫିରିଙ୍ଗିମାନଙ୍କ ଜାହାଜରେ ବସି ମକ୍‌କା ଆଡ଼କୁ ଚାଲିଗଲେ ।’

 

ରେଜିୟା ଆଖିରେ ଲୁହ ରଖି କହିଲା–‘ବୁଝିଲି ! ଏଇଲେ ସବୁ ସମସ୍ୟାରୁ ମୁକ୍ତି ପାଇଗଲେ । ଯାହାଙ୍କପାଇଁ ବୁଢ଼ା ଅଜାଙ୍କୁ ନିଷ୍ଠୁରଭାବେ ବନ୍ଦୀ କରିଥିଲେ ସେଇ ଅଜାଙ୍କ କୋପଦୃଷ୍ଟିରୁ ମୁକ୍ତି ପାଇ ମକ୍‌କା ଚାଲିଗଲେ । ମୁଁ କେଡ଼େ ଅନାଥ ହୋଇଗଲି ।’

 

‘ନାଇଁ ରେଜିୟା ତୁମକୁ ସେ ମୋତେ ସମର୍ପି ଦେଇଯାଇଥିଲେ । ନିଜ ଜୀବନର ବାଜି ପ୍ରତିବଦଳରେ ଏ ବୁଢ଼ା ତୁମ ଭଲମନ୍ଦ ଦେଖିବାପାଇଁ କର୍ତ୍ତବ୍ୟ ମନେକରିବ । ଶିଶୁ କାଳରେ ଯେମିତି ଥିଲ ସେମିତି ରହ ।’

 

‘ଠାକୁର ଦାଦା । ଆପଣ ସଦାବେଳେ ପିତାଙ୍କର ମର୍ଯ୍ୟାଦାର ସୁରକ୍ଷା କରି ମୋତେ କନ୍ୟା ଭଳି ଦେଖି ଆସିଛନ୍ତି । ମୋର ପ୍ରିୟ ପିତା, ଆଜିଠାରୁ ରେଜିୟା ନିଜକୁ ଆପଣଙ୍କର କନ୍ୟା ମନେକରିବ ।’

 

‘ଶାହାଜାଦୀ, କେବଳ ମୋର ନୁହେଁ–ନଅ ଲକ୍ଷ ରାଠୋରଙ୍କର ତୁମେ କନ୍ୟା ଅଟ, ରାଠୋରଙ୍କର ମୁକ୍ତ ତରବାରି ସଦାବେଳେ ତୁମରି ମସ୍ତକ ଉପରେ ଛତ୍ରଛାୟା ହୋଇ ରହିବ ।’

 

‘ଏଇଟା ମୋର ସୌଭାଗ୍ୟ । ଆଚ୍ଛା ରାଜା ଆଜିକାଲି କେଉଁଠି ?’

 

‘ସେ ଯୋଧପୁର ଆଡ଼କୁ ଅଗ୍ରସର ହେଉଛନ୍ତି ।’

 

‘ତାହାହେଲେ ଠାକୁର ଦାଦା, ମୋତେ ମଧ୍ୟ ସେଇଠାକୁ ପଠେଇ ଦିଅ ।’

 

‘ଶାହାଜାଦୀ ଏଠି ତୁମର କିଛି ଅସୁବିଧା ହେଉଛି କି ?’

 

‘ନାଇଁ ଦାଦା; ମୁଁ ରାଜାଙ୍କୁ ଦେଖିବାକୁ ଚାହେଁ ।’

 

‘ବର୍ତ୍ତମାନ ମାରଓ୍ୱାଡ଼୍‌ରେ ଭୟଙ୍କର ଯୁଦ୍ଧ ହେଉଛି । ଯୋଧପୁର ଦଖଲ ହେଲାମାତ୍ରେ ତୁମକୁ ସେଠିକୁ ପଠାଇ ଦିଆଯିବ ।’

 

‘ମୁଁ ମଧ୍ୟ ଯୁଦ୍ଧ କରିପାରେ ବାପା, ମୁଁ ଯେତେବେଳେ ରାଠୋରଙ୍କ କନ୍ୟା ତେବେ ରାଠୋରଙ୍କ ପାଇଁ ଯୁଦ୍ଧ ନ କରିବି କାହିଁକି ?’

 

‘କିନ୍ତୁ ମାଆ, ବର୍ତ୍ତମାନ ତୋତେ ମୁଁ ମହାରାଣାଙ୍କ ମାର୍ଫତ୍‍ରେ ଛାଡ଼ି ଦେଇ ଯିବାକୁ ଆସିଥିଲି । ବାଦଶାହା ମୋତେ ଡକାଇଛନ୍ତି ମୁଁ ଦକ୍ଷିଣକୁ ତାଙ୍କ ସେବାରେ ଯାଉଛି ।’

 

‘ତାହାହେଲେ ଠାକୁର ଦାଦା, ମୋତେ ଅଜାଙ୍କପାଖକୁ ନେଇଚାଲ, ମୁଁ ତାଙ୍କୁ କହିବି ଯେ ମୋର ରାଜାଙ୍କୁ ତାଙ୍କର ପ୍ରଗଣା ଓ ଦୁର୍ଗମାନ ଫେରାଇଦେବେ । ନୋହିଲେ ମୁଁ ଅଜାଙ୍କ ସହ ଲଢ଼ିବି ଓ ବାପାଙ୍କ ପ୍ରତିଶୋଧ ନେବି ।’

 

‘ନା ଶାହାଜାଦୀ ! ଏମିତି ହୋଇ ପାରେନା, ଏଭଳି ଅଙ୍କାବଙ୍କା ରାଜନୀତି ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ, ତୁମ ପରି ପୁଷ୍ପ ସଦୃଶ ସୁକୁମାରୀଙ୍କ ପାଇଁ ନୁହେଁ । ତୁମେ ଫୁଲ ସହ ଖେଳ । ମୁଁ ଠିକ୍ କରି ସାରିଛି ଆଜିହିଁ ଯାତ୍ରା କରିବି । ସେଶକ୍ତ ବେମାର ।’

 

‘ଶକ୍ତ ବେମାର ? ତାହାହେଲେ ମୋତେ ସଙ୍ଗରେ ନେଇ ଚାଲ, ମୁଁ ତାଙ୍କୁ ଦେଖିବି, ସେବା କରିବି । ସେ ମୋତେ ଅନେକ ସ୍ନେହ କରୁଥିଲେ । ଥରେ ମୋତେ ନେଇଚାଲ ଦାଦା ।’

 

‘ଥରେ ମୋତେ ବାଦଶାହାଙ୍କ ନିକଟରୁ ଆସିବାକୁ ଦେ, ମୋର ଆଶା ସେ ଭଲ ହୋଇଯିବେ, ପରେ ଯାହା କରାଯିବ ।’

 

ପୁଣି ଚନ୍ଦ୍ରକୁମାରୀଙ୍କୁ କହିଲେ–‘ରାଜକୁମାରୀ ! ରାଜକୁମାରୀଙ୍କ ସେବା ଶୁଶ୍ରୂଷା ଦାୟିତ୍ୱ ତୁମ ଉପରେ ରହିଲା । ଏଥିରେ ଯେମିତି ଅସୁବିଧା ନହୁଏ ।’

 

ଚନ୍ଦ୍ରକୁମାରୀ ହସି କହିଲେ–‘କିନ୍ତୁ ଦାଦାଜୀ ! ଶାହାଜାଦୀ ତ ଫୁଲରେ ଫୁଲ କରୁଛନ୍ତି, ଏହା ବଡ଼ ଅଡ଼ୁଆ କଥା ।’

 

ଏହା ଶୁଣି ଦୁର୍ଗାଦାସ ହସିଦେଲେ–‘ପାଗଳୀ ଏ ବୁଢ଼ା ଫୁଲ କଥା କ’ଣ ବୁଝେ ? ତରବାରି ଓ ଘୋଡ଼ା ଏହାର ପାଥେୟ । ଖରା ପ୍ରଖର ହେଲାଣି, ଏବେ ଯାଉଛି ।’

 

ସତେଇଶ

 

ଦୌଲତାବାଦରେ ବାଦଶାହା ଆଉରଙ୍ଗଜେବ ନିଜର ସେନା ଛାଉଣି ପକାଇ ମୃତ୍ୟୁଶଯ୍ୟା ପରେ ଇଆଡ଼ୁ ସେଆଡ଼ୁ ଚିନ୍ତା କରୁଥିଲେ । ପାଟମନ୍ତ୍ରୀ ଆସଦ୍ ଖାଁ ସେନାପତି ଦିଲେର୍‌ ଖାଁ, ହେବୁର ଖାଁ ଓ ପାଞ୍ଚଜଣ ଅମୀର ଚୁପ୍‌ଚାପ୍‌ ଛିଡ଼ାହୋଇଥିଲେ ।’

 

ଆଉରଙ୍ଗଜେବ ବ୍ୟତିବ୍ୟସ୍ତ ହୋଇ ଚମକି ପଡ଼ି ପ୍ରଶ୍ନ କଲେ–‘ଦୁର୍ଗାଦାସ ଆସିଲେ ? ମୋର ରେଜିୟାକୁ ଆଣିଲେ ? ମୋର ଶିଶୁ ରେଜିୟା, ପ୍ରିୟ ରେଜିୟାକୁ ।’

 

ଦିଲେର ଖାଁ ତାଙ୍କୁ ପୁଣି ପଲଙ୍କରେ ଶୁଆଉ ଶୁଆଉ କହିଲେ–‘ଜାହାଁପନା, ଆସିନାହାନ୍ତି, କିନ୍ତୁ ଶୀଘ୍ର ଆସିଯିବାର ଆଶା । କାଶିଦ୍‌ଙ୍କୁ ଜୋରରେ ତାଗିଦା କରାଯାଇଛି ।’

 

‘କ’ଣ ମୋ ମୃତ୍ୟୁ ପୂର୍ବରୁ ଆସି ପାରିବ ? ଓଃ କେତେ ଗରମ ! ଏ କିଏ ଆସୁଛି ? କି ଭୟଙ୍କର । ମୋତେ ବଞ୍ଚାଅ ଦିଲେର ଖାଁ ।’

 

‘ବନ୍ଦୀ ହାଜର ଅଛି ଜାହାଁପନା କୁହନ୍ତୁ ।’

 

ବାଦଶାହା ଚମକି ଉଠିଲେ–କିଏ ମୋତେ ସ୍ପର୍ଶ କଲା, କିଏ ନିଆଁ କେଞ୍ଚି ଦେଲା, ମୁଁ ପୋଡ଼ିଗଲି ।’

 

ପୁଣି ବିସ୍ଫାରିତ ଚକ୍ଷୁରେ ଦିଲେର୍ ଖାଁକୁ ଚିହ୍ନି ପାରିଲେ । ତୁମେ ଦିଲେର ଖାଁ ।’

 

‘ହଁ ଜାହାଁପନା ।’

 

‘ମୁଁ ଜଳିଯାଉଛି, କଲିଜା ପୋଡ଼ି ଯାଉଛି । ଆଉ ଆକବର ସେ ଏପର୍ଯ୍ୟନ୍ତ ଆସିନି ।’

 

ହେବୁର ଖାଁ ଆଗେଇ ଯାଇ କହିଲା–‘ଶୁଣିଲୁ ସେ ମକ୍‌କା ତୀର୍ଥ ଚାଲି ଯାଇଛନ୍ତି ।’

 

ଚାଲିଗଲା ? କିପରି ଚାଲିଗଲା ? ସତ କହୁଛ ।’

 

ଜାହାଁପନା, ଅଧୀନ ସ୍ୱଚକ୍ଷୁରେ ସେ ଫିରିଙ୍ଗି ଜାହାଜରେ ବସିବାର ଦେଖିଛି ।’

 

‘ଦେଖିଛ ? କେବଳ ଦେଖିଲ ? ଅଟକେଇ ପାରିଲନି ? ମୋ ଆଦେଶ ଶୁଣାଇଲନି ? କ୍ଷମାର ପରୁଆନା ଦେଲନି ? ଥରଟିଏ ମୋ ପାଖକୁ ତ ନେଇ ଆସିଥାନ୍ତ ।’

 

‘ଚେଷ୍ଟା କରିଥିଲି ହଜୁର ।’

 

‘କହିଥିଲ ଯେ ତୁମ ବୁଢ଼ା ବାପା ଥରେ ତୁମକୁ ଦେଖିବାକୁ ବ୍ୟଗ୍ର ।’

 

‘କହିଥିଲି ଜାହାଁପନା ।’

 

‘ସେ କ’ଣ ଉତ୍ତର ଦେଲା ?’

 

ସେ କହିଲେ–‘ଜାହାଁପନାଙ୍କ ପାଖକୁ ଯିବା ଅପେକ୍ଷା ସିଂହର ମୁହଁକୁ ଯିବା ଶ୍ରେୟସ୍କର ।’

 

‘ଠିକ୍ କହିଥିଲା ତହବୁର୍‌, ଏଇ ବୃଦ୍ଧ ପିତା ନିଜ ପୁତ୍ରପାଇଁ ସିଂହ ଭଳି ଭୟଙ୍କର । ଦିଲେର୍‌ ଖାଁ ।’

 

‘ହଜୁର ।’

 

‘କ’ଣ ସିଂହ ଶାବକ ସିଂହକୁ ଭୟ କରେ ?’

 

‘ନା ଜାହାଁପନା ।’

 

‘ତାହାହେଲେ ବାଦଶାହାକୁ ତାହାର ପୁତ୍ର ଭୟ କରେ କାହିଁକି ?’

 

ଜାହାଁପନା, ବର୍ତ୍ତମାନ ଏଗୁଡ଼ାକ ଚିନ୍ତା କରି.......’

 

‘ବାହାରେ କିଏ ? ଏ କୋଳାହଳ କାହିଁକି ? କ’ଣ ଦୁର୍ଗାଦାସ ଆସିଲେ ?’

 

ଦିଲେର ଖାଁ ବାହାରକୁ ଯାଇ ଫେରି ଆସି–‘ହଜୁର ଶମ୍ଭୁଜୀ ମରାଠାଙ୍କୁ ଗିରଫ୍ କରି ସିପାହୀ ନେଇ ଆସିଛି ।’

 

ଶମ୍ଭୁଜୀଙ୍କ ନାମ ଶୁଣି ବାଦଶାହା ଉତ୍ତେଜିତ ହୋଇ କହିଲେ–‘ଶିବାଜୀଙ୍କର ଏଇ ଉଦ୍ଧତ ପୁତ୍ର ଯିଏ ଦକ୍ଷିଣରେ ଆଲମଗୀରକୁ ୨୫ ବର୍ଷ ହେଲା ସୁଖ ନିଦ୍ରା ଦେଇ ନାହିଁ । ତହବୁର ।’

 

‘ହଜୁର ।’

 

‘ତା’ର ଶିରଚ୍ଛେଦ କରି ମୋ ସମ୍ମୁଖକୁ ଆଣ ।’

 

‘ଯେ ଆଜ୍ଞା’ କହି ତହବୁର ଖାଁ ଚାଲିଗଲା । କିଛିକ୍ଷଣ ପରେ ବାଦଶାହା ଚମକି ପୁଣି ପାଟି କଲେ–‘ଦିଲେର୍‌ ଖାଁ ।’

 

‘ଜାହାଁପନା ।’

 

ଏ କିଏ ଆସିଲା ? ଦୁର୍ଗାଦାସ କି ?’

 

‘ଆଜ୍ଞା ନା ତହବୁର ଖାଁ ଶମ୍ଭୁଜୀଙ୍କ ମୁଣ୍ତ କାଟି ଆଣିଛନ୍ତି ।’

 

ଏ ସମୟରେ ତହବୁର ଖାଁ ରୁମାଲ ହଟାଇ ବାଦଶାହାଙ୍କୁ ଛିନ୍ନଶିର ଦେଖାଇଲା, ଏହା ଦେଖି ବାଦଶାହା ଚମକି ଉଠି କହିଲେ–‘ବାସ୍ ଶେଷ ସବୁ ଶେଷ । ଶାହାଜାହା ଓ ରାଜାମାନଙ୍କର ଛିନ୍ନ ଶିରମାନଙ୍କ ଉପରେ ପାଦ ଥାପି ଅଗ୍ରସର ହେଉଥିବା ଆଲମଗୀରର ସୁଲତାନୀ ଶେଷ । ତହବୁର ।’

 

‘ଜାହାଁପନା ।’

 

‘ଏହାକୁ କିଏ ବନ୍ଦୀ କରିଥିଲା ?’

 

‘ଏହାର ଖାସ୍ ଚାକର । କ’ଣ ତାକୁ ହାଜିର୍‌ କରିବି ?’

 

‘ନାଇଁ ତାକୁ କତଲ କରିଦିଅ ।’

 

‘ଯେ ଆଜ୍ଞା ।’

 

‘ବାସ୍ ଏଇଲେ ଶେଷ । ଦିଲେର୍‌ ଖାଁ ?’

 

‘ଜାହାଁପନା’

 

ଆଉ ବିଳମ୍ୱ ନାହିଁ । ଶେଷ ସବୁ ଶେଷ । ଦୁର୍ଗାଦାସ ଆସିଲେନି ?’

 

‘ଜାହାଁପନା, କ୍ଷମା କରିବେ, ଜଣାଯାଉଛି ଆପଣ ବର୍ତ୍ତମାନ ବାଦଶାହା ଆଲମଗୀରର ନୁହନ୍ତି !’

 

‘ସତ କହିଲ ଦିଲେର୍‌ ଖାଁ, ମୋର ପ୍ରକୃତ ବନ୍ଧୁ । ମୁଁ ଜଣେ ଗରିବ ଫକୀର ଜଣେ ବୁଲନ୍ତା ଫକୀର, ଜୀବନସାରା ଘୂରି ବୁଲୁଥିଲି–ମୋତେ ସବୁ ମିଳିଲା, ସବୁ ପାଇ ସବୁ ହରାଇ ଦେଲି । କିନ୍ତୁ ଏହା କ’ଣ ସତ ? ମୁଁ ଫକୀର ନୁହେଁ, କେବେ ନୁହେଁ । ଦିଲେର୍‌ ଖାଁ !’

 

‘ତାହାହେଲେ ହଜୁର !’

 

‘ମୁଁ ଜଣେ ନିର୍ମମ ନିଷ୍ଠୁର ପାଜି ସଇତାନ ଅଟେ, ମୁଁ କ’ଣ ନିଜ ଭାଇଙ୍କ ରକ୍ତରେ ହାତ ଧୋଇନି ? ବୁଢ଼ା ବାପକୁ ବନ୍ଦୀ କରିନି ? ବନ୍ଧୁମାନଙ୍କୁ ଧୋକା ଦେଇନି ? ଦୁଃଖର କଥା ବର୍ତ୍ତମାନ ମୋତେ ଯାହା ଜଳଜଳ ହୋଇ ଦିଶୁଛି ସେତେବେଳେ ଦିଶୁ ନଥିଲା । ଦେଖ ମେଘ ଗର୍ଜୁଛି, ଝଡ଼ ଆସୁଛି । ଆରେ ମୁଁ କୁଆଡ଼େ ଯାଉଛି ? କିଏ ଅଛି, ଆରେ ମୋତେ କିଏ ଧର, ରକ୍ଷାକର, ସେଠାକୁ ନୁହେଁ ନା ନା ସେଠାକୁ ନୁହେଁ, ସେଠାରେ ନିଆଁ ଜଳୁଛି । ଓଃ ଖୋଦା କିଏ ? କ’ଣ ଦୁର୍ଗାଦାସ ଆସିଛନ୍ତି ? ଆଉ ରେଜିୟା ? ମୋର ପ୍ରିୟ କନ୍ୟା !’

 

ଜଣେ ପିଆଦା ଆସି ସୂଚନା ଦେଲା ଯେ ଦୁର୍ଗାଦାସ ଆସିଛନ୍ତି । ଦୁର୍ଗାଦାସ ନାଁ ଶୁଣି ଉତ୍ତେଜିତ ହୋଇ ଉଠିଲେ–ଦୁର୍ଗାଦାସ କେଉଁଠି ? କେଉଁଠି ତାଙ୍କୁ ଆଣ । ରେଜିୟାକୁ ନେଇ ଆସ-।’

 

ଏହି ସମୟରେ ଦୁର୍ଗାଦାସ ସମ୍ମୁଖକୁ ଆସି ଅଭିବାଦନ କଲେ । ବାଦଶାହା ହସ୍ତଦ୍ୱୟ ପ୍ରାସରିତ କରି କହିଲେ–‘ଦୁର୍ଗାଦାସ !’

 

‘ଜାହାଁପନା ! କି ଆଦେଶ ଅଛି ?’

 

‘ଦୁର୍ଗାଦାସ, ବାହାଦୁର ରାଜପୁତ ନିଜ ସ୍ୱାମୀର ପ୍ରକୃତ ହିତାକାଂକ୍ଷୀ ଦୁର୍ଗାଦାସ ! ସଦାସର୍ବଦା ମୁଁ ତୁମକୁ ଈର୍ଷା କରି ଆସିଛି ।’

 

‘ଜାହାଁପନା, ଆପଣଙ୍କ କି ସେବାରେ ଆସିପାରେ ?’

 

‘ମୋର ରେଜିୟାକୁ ମୋତେ ଦେଇଦିଅ ଦୁର୍ଗାଦାସ ।’

 

‘ଜାହାଁପନା, ସେ ସବୁ ପ୍ରକାର ସୁଖ ମଧ୍ୟରେ ଅଛି ।’

 

‘ତାକୁ ମୋତେ ଦେଇଦିଅ ।’

 

‘ଜାହାଁପନା, ଆକବର ତାଙ୍କ ପିଲାକବିଲା ମୋତେ ସମର୍ପି ଦେଇ ଗଲାବେଳେ ମୁଁ ତାଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲି ।’

 

‘ମୁଁ ଖୋଦାଙ୍କ ନାମରେ ଶପଥ କରୁଛି, ମୋତେ ବିଶ୍ୱାସ କର ଦୁର୍ଗାଦାସ, ଥରେ ଅନ୍ତତଃ ମୁଁ ରେଜିୟାକୁ ସ୍ନେହ କରିବାକୁ ଚାହେଁ । ମୁଁ କେବେହେଲେ ଧୋକା ଦେବିନି । ନିଜର ଉପକାର ବଦଳରେ ତୁମେ କ’ଣ ଚାହଁ କୁହ ଦୁର୍ଗାଦାସ ।’

 

‘ଜାହାଁପନା.......’

 

‘ଯୋଧପୁର ଦୁର୍ଗ ନା ? ନେଇ ଯାଅ । ଅଜିତ ସିଂହଙ୍କୁ ମାରଓ୍ୱାଡ଼୍‌ର ଅଧିପତିରୂପେ ସ୍ୱୀକାର କରୁଛି । ତହବୁର ଆଦେଶ ତିଆରି କରି ଦୁର୍ଗାଦାସଙ୍କୁ ଦେଇଦିଅ । କ’ଣ ଦୁର୍ଗାଦାସ ଠିକ୍‌ ଅଛି ? କୁହ ମୋର ରେଜିୟାକୁ ମୋତେ ଦେବନା ?’

 

‘ଦେବି ଜାହାଁପନା ।’

 

‘ଖୋଦା ତୁମର ମଙ୍ଗଳ କରନ୍ତୁ ! ତୁମେ ଗୋଟିଏ ବାପାର କଲିଜା ଥଣ୍ତା କରିଦେଲ । ଯାଅ ତହବୁର ଖାଁ ।

 

‘ତୁମେ ନିଜେ ଯାଇ ଦୁର୍ଗା ଦାସଙ୍କ ପାଖରୁ ରେଜିୟାକୁ ନେଇଆସ ।’

 

‘ଅତି ଉତ୍ତମ ଜାହାଁପନା ।’

 

‘ଦୁର୍ଗାଦାସ, ସାହସୀ ରାଜପୁତ । ନିଜର ହାତ ଦିଅ ।’

 

ଦୁର୍ଗା ଦାସ ହାତ ବଢ଼ାଇ କହିଲେ–‘ଜାହାଁପନା ସେବକର ହାତ ହାଜିର ଅଛି ।’

 

ନିଜର କମ୍ପିତ ହାତରେ ଦୁର୍ଗା ଦାସଙ୍କ ହାତକୁ ନେଇ ଭାବାବେଗରେ ବାଦଶାହା କହିଲେ–‘ମୁଁ ତୁମକୁ କ୍ଷମା ମାଗୁଛି । ସବୁ ରାଜପୁତମାନଙ୍କୁ କ୍ଷମା ମାଗୁଛି, ସେମାନଙ୍କୁ କେବେହେଲେ ମୁଁ ଚିହ୍ନିପାରିନାହିଁ, ମୋତେ କ୍ଷମାକର, ରାଜପୁତମାନେ, ପଠାଣମାନେ, ମରହଟ୍ଟାମାନେ ମୋତେ କ୍ଷମାକର । ଆଖି ଦେଖାଉଛ କିଆଁ ? ଓଃ ଖୋଦା ମୁଁ ସମସ୍ତଙ୍କ ସହ ବିଶ୍ୱାସଘାତକତା କରିଛି । ଅନୁତାପ !’

 

ଦୁର୍ଗା ଦାସ ତାଙ୍କୁ ଧୈର୍ଯ୍ୟଦେଇ କହିଲେ–‘ଜାହାଁପନା ଯଦି ରାଜପୁତ ସେନା ଆପଣଙ୍କ ସହିତ ଥାଆନ୍ତେ, ତେବେ ମୋଗଲ ଶାସନ ଏଭଳି ଟଳମଳ ହୋଇ ନଥାନ୍ତା । ଛାଡ଼ନ୍ତୁ, ବର୍ତ୍ତମାନ ଆପଣଙ୍କର ଯେଉଁଭଳି ଉତ୍ତମ ମନୋଭାବ ଈଶ୍ୱର କରନ୍ତୁ ସବୁଦିନେ ଏହିଭଳି ଥାଉ ।’

 

‘ଆଉ ବିଳମ୍ୱ ନାହିଁ ଦୁର୍ଗା ଦାସ । ଦୀପର ତେଲ ସରିଯାଇଛି କେବଳ ସଳିତା ଜଳୁଛି । ତୁମେ ଶୁଣିଲ ! ଆକବର ମକ୍‌କା ଚାଲିଗଲା ।

 

‘ହଁ ଜାହାଁପନା ।’

 

‘ଆଉ କାମ୍‌ବକ୍‌ଶ ବିଜାପୁର ଯୁଦ୍ଧକ୍ଷେତ୍ରରେ ଅଛି । ମୁଁ ସମ୍ୱାଦ ପଠାଇଥିଲି କି ପୁତ୍ର ! ମରଣମୁଖୀ ପିତାକୁ ଟିକେ ଦେଖିଯା, ସେ ନଶୁଣି ଫଉଜ ନେଇ ଆଗ୍ରା ଧାଇଁଗଲା, ତା’ର ବାଦଶାହା ହେବାଟା ଏଡ଼େ ଜରୁରୀ ହୋଇ ପଡ଼ିଲା । ମୋର ନିଜର କେହି ନାହାନ୍ତି । ଶାହାଜାହା ମୁଅଜ୍ଜିମ୍ ମଧ୍ୟ କାବୁଲରେ ସୈନ୍ୟ ସଜ୍ଜା କରୁଛି । ଆଜମ୍‌ ମଧ୍ୟ ନିଜର ଚେଷ୍ଟାରେ ଅଛି ।’

 

 

‘ଜାହାଁପନା, ଆପଣ ବର୍ତ୍ତମାନ ଏସବୁ ସମସ୍ୟା ତ୍ୟାଗ କରି ପରମାତ୍ମାଙ୍କ ସହ ହୃଦୟ ମିଳାନ୍ତୁ ।’

 

‘ଠିକ୍‌ କହୁଛ ଦୁର୍ଗା ଦାସ, ମୁଁ ମକ୍‌କା ତୀର୍ଥ ଯିବି । ଏ ଦୁନିଆରେ ରହିବି ନାହିଁ । କିନ୍ତୁ ସେ କିଏ ? ‘ଆରେ ଅଟକାଅ, ଅଟକାଅ । ମୃତ୍ୟୁର କଳା ସମୁଦ୍ର ଲହଡ଼ି ଭାଙ୍ଗୁଛି, ଜୀବନ ନଉକା ସେଥିରେ ବୁଡ଼ି ଯାଉଛି । ଅଟକାଅ, ଅଟକାଅ ।’ ଏହା କହି ବାଦଶାହା ଉତ୍ତେଜିତ ହୋଇ ପଡ଼ିଲେ ଏବଂ ପୁଣି ଚେତନାଶୂନ୍ୟ ହୋଇ ପଡ଼ିଲେ ।

 

ଅଠେଇଶି

 

ଯୋଧପୁର ଦୁର୍ଗରେ ଦୁର୍ଗରକ୍ଷକ ଜାଫରକୁଲି ଖାଁ ନୃତ୍ୟଗୀତରେ ମତ୍ତଥିଲେ । ସ୍ତାବକମାନେ ବସିଥିଲେ, ସଜ୍ଜିତ ବେଶଭୂଷା ହୋଇ ଗାୟିକାମାନେ ଉପସ୍ଥିତ ଥିଲେ । ଜାଫରକୁଲି ଖାଁ ମଦ୍ୟପାନ କରି ଗାୟିକାକୁ କହିଲା ‘ଶୁଣିଲି ବାଦଶାହା ସାହେବ ଦକ୍ଷିଣରେ ଶକ୍ତ ବେମାର ପଡ଼ିଛନ୍ତି ।’

 

ଜଣେ ଗାୟିକା କହିଲା–‘ହୋଇଥିବ । କିନ୍ତୁ ଆମପାଇଁ ତ ହଜୁର ବାଦଶାହା ଅଟନ୍ତି ।’

 

ଆଉ ଜଣେ ସ୍ତାବକ କହିଲା–‘ଆରେ କ’ଣ ନ କହିଛ ! ଲକ୍ଷେ ଟଙ୍କିଆ କଥା କହିଛ ।’

 

ଜାଫରକୁଲି ଖାଁ ହସି କହିଲା–ପୁରସ୍କାର ଯୋଗ୍ୟ କଥା ଏକା । ଏଇ ନିଅ ଏଇ ମୋହର, ଆଉ କିଛି ନୂଆ କଥା ଶୁଣାଅ ।

 

ଗାୟିକା ଥଳିଟି ନେଇ ସଲାମ କରି କହିଲା–‘ହଜୁରଙ୍କ ଆଦେଶ ସର୍ବୋପରି ।’

 

ଜାଫରକୁଲି ଖାଁ ମଦ୍ୟର ଅନ୍ୟ ପାତ୍ରଟି ଧରି ପିଇଲା ଓ କହିଲା–‘ଏଇଲେ ବୁଢ଼ା ବାଦଶାହା କ’ଣ କରୁଥିବ ଭଲା ? ଜଣେ ତୋଷାମୋଦକାରୀ ଉତ୍ତର ଦେଲା–‘ହଜୁର ଆମେ କି ଜାଣୁ, ଆପଣ ତ ଆମର ବାଦଶାହା !

 

‘ହଁ ଠିକ୍‌ କହୁଛ । ପୁଣି ଗାୟିକାକୁ କହିଲା–ଗାଅ–

 

ଜଣେ ଗାୟିକା ଆପତ୍ତି କଲା–‘ହଜୁର ଶୁଣିଛି ଇଏ ଜଙ୍ଗଲୀ ରାଜପୁତମାନେ ଯୋଧପୁରକୁ ପଇଁତରା ମାରୁଛନ୍ତି, ଆମକୁ ଭୟ ଲାଗୁଛି ।’

 

କୋଉଠି ? କିଏ ? କିଏ ଶୁଣିଲା ?’

 

ଜଣେ ଖୋସାମତିଆ କହିଉଠିଲା–‘କିଏ ଶୁଣିଲା ? ଆମେ ତ ଶୁଣି ନାହୁଁ ।

 

ଜାଫରକୁଲି ଖାଁ କହିଲା–‘ଦୁର୍ଗର ସବୁ ଦ୍ୱାର ବନ୍ଦ କରିଦିଅ–ଗାଅ ।’

 

ଜଣେ ତୋଷାମୋଦକାରୀ–‘କହିଲା ଶୁଣିଛୁ ସଇତାନ ଦୁର୍ଗାଦାସକୁ ବୁଢ଼ା ବାଦଶାହା ଡକେଇଛି ।’

 

‘ଆଚ୍ଛା ! ଭଲ ହେଲା ଭୟ ନାହିଁ ଗାଅ ।’

 

‘ବାଜା ବାଜିବା ଆରମ୍ଭ ହେଲା, ଜଣେ ଗାୟିକା ସ୍ୱର ଧରିବାକୁ ଆରମ୍ଭ କଲାବେଳେ ବ୍ୟତିବ୍ୟସ୍ତଭାବେ କମ୍‍ରୁଦ୍ଦିନ ଆସି କହିଲା ‘ଜନାବ୍‌’

 

ଜାଫରକୁଲି ଖାଁ ରାଗରେ ପଚାରିଲା–‘କିଏ କମ୍‌ରୁଦ୍ଦିନ ? ସବୁ ମାଟି କରିଦେଲା, ତୁମେ ଗାଅ, ବନ୍ଦ କରନା ।’

 

‘.....ହଜୁର ଟିକେ ଏ ଆଡ଼କୁ ଆସନ୍ତୁ ।’

 

କାହିଁକି ପାଜି, ସବୁ ମଜା ମାଟି କରିଦେଲା, ଗୀତ ଆରମ୍ଭ ହୋଇନି ଅଥଚ....’

 

‘ହଜୁର ଦୁର୍ଗ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି ।’

 

‘ଆକ୍ରମଣ ? କେମିତି ହେଲା ? ସବୁ ଫାଟକ ବନ୍ଦ ଅଛି ନା ?’

 

‘ହଁ ଆଜ୍ଞା ।’ ନିଶ୍ଚୟ ଫାଟକ ବନ୍ଦ ଥିବ, ତେବେ କି ଆକ୍ରମଣ ବୁଝି ହେଉନି ।’

 

‘ଆହେ ! ଆକ୍ରମଣ ହେବା ଅସମ୍ଭବ ତୁମେ ଗୀତ ଆରମ୍ଭ କର ।’

 

ଶତ୍ରୁମାନେ ପଛ ପାଖରୁ ଚଢ଼ି ଆସି ପ୍ରହରୀମାନଙ୍କୁ ହତ୍ୟା କରି ଫାଟକ ଖୋଲି ଦେଇଥିଲେ । କୋଳାହଳ କରି ଏଇ ଦିଗକୁ ଆସୁଥିଲେ । ଏହା ଶୁଣି କୁଲି ଖାଁ କହିଲା–‘ଖୋଦାଙ୍କ ରାଣ, ମୁଁ କାହାକୁ କ୍ଷମା କରିବିନି, ସମସ୍ତଙ୍କୁ ମାଟିରେ ମିଶାଇ ଦେବି । କମ୍‍ରୁଦ୍ଦିନ ।’

 

‘ଜନାବ୍‌’

 

‘କିଏ ଏଇ ହତଭାଗାମାନେ ? ସମସ୍ତଙ୍କୁ ତୋପରେ ଉଡ଼େଇ ଦିଅ ।’

 

‘ବୋଧହୁଏ ସେମାନେ ଏ ଆଡ଼କୁ ଆସୁଛନ୍ତି ହଜୁର !’

 

କୋଳାହଳ ପାଖେଇ ଆସିଥିଲା, ଜଣେ ସିପାହୀ ସମ୍ବାଦ ଦେଲା–‘ଖୋଦାବନ୍ଦ ଶତ୍ରୁ ପ୍ରହରୀକୁ ହତ୍ୟା କରି ଫାଟକ ହସ୍ତଗତ କରି ପଶି ସାରିଲେଣି, ପଳାଇ ଯାଆନ୍ତୁ ହଜୁର, ଆତ୍ମରକ୍ଷା କରନ୍ତୁ ।’

 

‘ଜାଫରିକୁଲି ଖାଁ ! ହେ ଭଗବାନ, ଏ ଅନ୍ଧାର ରାତି ପୁଣି ମୂଷଳଧାରାରେ ବର୍ଷା ! ତୁମର ସୈନ୍ୟ କାହିଁ କମ୍‍ରୁଦ୍ଦିନ !

 

‘ଜନାବ୍‌ ! ଯୁଦ୍ଧ କରୁଛନ୍ତି, ଫାଟକ ଭାଙ୍ଗିଗଲା, ଶତ୍ରୁ ସଂଖ୍ୟା ଅଧିକ ।’

 

‘ନିଜର ଅସ୍ତ୍ର ଆଣ, କମାଣ ତରବାରି ଆଣ, ଶୀଘ୍ର ।’

 

ଏଇ ସମୟରେ ଉଦ୍ୟତ ତରବାରି ହସ୍ତେ ଅଜିତ ସିଂହ ସର୍ଦାରମାନଙ୍କ ସହ ଭିତରକୁ ପଶି ଆସି କହିଲେ–‘କୁହ ! ନିର୍ବିବାଦରେ ବନ୍ଦୀ ହେବାକୁ ଚାହଁ ନା ମରିବାକୁ ଚାହଁ !’

 

ଗାୟିକାମାନେ ଗୋଟାଏ ଦିଗକୁ ପଳାଇଗଲେ । ଜାଫରକୁଲି ଖାଁ କହିଲା–‘ଏହାଙ୍କ କଥା ମାନିବା ! କମ୍‌ରୁଦ୍ଦିନ, ଏ କି ଆସ୍ପର୍ଦ୍ଧା, ୟାଙ୍କୁ ଟିକେ କହିଦିଅ ମୁଁ କିଏ ?

 

‘ଜନାବ୍’

 

ଅଜିତ ସିଂହ ଦର୍ପର ସହ ପଚାରିଲେ–‘କିଏ ତୁମେ ?

 

‘ମୁଁ ବାଦଶାହା ଆଲମଗୀରର ଶାଳକ, ରାଜବର୍ଗ ଏବଂ ଯୋଧପୁର ହାକିମ ଜାଫରକୁଲି ଖାଁ । ତୁମେ ସବୁ ବିନା ଆଦେଶରେ ପଶି ଆସିଲ କିପରି ?’

 

ଅଜିତ ସିଂହ ଅସ୍ତ୍ର ଉଠାଇ କହିଲେ–‘ଏହାର ଆଦେଶରେ ! କୁହ ଶୀଘ୍ର କୁହ ବନ୍ଦୀ ହେବ ନା ମରିବ ?’

 

‘କିଏ ତୁମେ’

 

‘ମହାରାଜ ଯଶୋବନ୍ତ ସିଂହଙ୍କ ପୁତ୍ର ଅଜିତ ସିଂହ, ତୁମର ଯମ ।’

 

‘ବାପ୍‌ରେ ମୃତ ପିତାର ଜୀବିତ ପୁତ୍ର ।’

 

‘ଥରୁଛ କାହିଁକି ପୁରୁଷ ଭଳି ଜବାବ ଦିଅ ।’

 

‘ଖୋଦାଙ୍କ ରାଣ ଜୀବନରେ ଆମକୁ ମାରନି, ବନ୍ଦୀ କର ।’

 

ଅଜିତ ସିଂହ ଏମାନଙ୍କୁ ବାନ୍ଧିଦେବାକୁ ନିର୍ଦ୍ଦେଶ ଦେଲେ ! ‘ଯାହାର ଜୀବନ ପ୍ରତି ଲୋଭ ଅଛି ସେମାନେ ଦୁର୍ଗ ଛାଡ଼ି ବାହାରିଯାଅ । ସର୍ଦାରଗଣ ?’

 

‘ମହାରାଜ !’

 

‘ପଳାତକମାନଙ୍କୁ ଯିବାକୁ ଦିଅ, ଲଢ଼ିବା ଲୋକର ମୁଣ୍ତ କାଟି ପକାଅ, ଏଇମାନଙ୍କୁ ବନ୍ଦୀ କରିନିଅ । ଏହାଙ୍କ ବିଚାର ପରେ କରାହେବ । ମଦ୍ୟ ପାତ୍ର ଫିଙ୍ଗି ମହଲରେ ଗଙ୍ଗା ପାଣି ଛିଞ୍ଚି ପବିତ୍ର କରିଦିଅ ।’

 

‘ଯଥା ଆଜ୍ଞା ମହାରାଜ ।’

 

‘ଦୁର୍ଗ ଆମେ ଅଧିକାର କରି ନେଇଛୁ, ବର୍ତ୍ତମାନ ଏହା ଘୋଷଣା କରିଦିଅ ।’

 

‘ଯେ ଆଜ୍ଞା ମହାରାଜ ।’

 

ଅଣତିରିଶ

 

‘ଯୋଧପୁର ଦୁର୍ଗ ଅଧିକୃତ ହୋଇ ସାରିବା ପରେ ପରଦିନ ପ୍ରାତଃକାଳରୁ ଅଜିତ ସିଂହଙ୍କ ରାଜତିଳକ ତିଆରି ହେଲା । ମଙ୍ଗଳବାଦ୍ୟ ବାଜିଲା, ସବୁ ପ୍ରଜା ଛିଡ଼ା ହୋଇ ଅଜିତ ସିଂହଙ୍କୁ ଅଭିବାଦନ କଲେ ।

 

ରାଜଗୁରୁ କହିଲେ–‘ମହାରାଜ, ରାଜତିଳକ ମୁହୂର୍ତ୍ତ ପାଖେଇ ଆସିଲା, ଅନୁମତି ପାଇଲେ ଆରମ୍ଭ ହେବ ।’

 

ଅଜିତ ସିଂହ କହିଲେ–‘ସବୁ ସର୍ଦାରଙ୍କ ଯାହାଇଚ୍ଛା ।’

 

Unknown

ରାଜଗୁରୁ ମନ୍ତ୍ର ପାଠ କରି ତାଙ୍କୁ ସିଂହାସନରେ ବସାଇଲେ, କୁମାରୀମାନେ ଆସି ସାତ ତୀର୍ଥର ଜଳ ସ୍ୱର୍ଣ୍ଣ ପାତ୍ରରୁ ଛିଞ୍ଚିଲେ । ଏହାପରେ ରାଜଗୁରୁ ତିଳକ ଲଗାଇ ଦେଲେ । କହିଲେ–

 

‘ଆଜି ବିଧିପୂର୍ବକ ଆପଣ ବର୍ତ୍ତମାନ ମାରୱାଡ଼୍‍ର ରାଜା ହେଲେ । ମହାରାଜ ମୁଁ ଆଶୀର୍ବାଦ କରୁଛି ଯେ ଆପଣଙ୍କ ରାଜ୍ୟ ଅଟଳ ରହୁ ।’

 

‘ମହାରାଜ ! ମହାଧିବୀରବର ଆଉରଙ୍ଗଜେବ ଗର୍ବ ଭଙ୍ଗ କରି ମହାରାଜଙ୍କର ପ୍ରାଣରକ୍ଷାକାରୀ ମୁକୁନ୍ଦଦାସ ଆପଣଙ୍କୁ ଅଭିବାଦନ ଜଣାନ୍ତି ।’

 

ମୁକୁନ୍ଦ ଦାସ ନଗ୍ନ ତରବାରି ମୁଣ୍ତରେ ଛୁଆଇ କହିଲେ–‘ଜୟ ମରୁଧରାଧୀଶ ଅଜିତ ସିଂହଙ୍କର ଜୟ । ଆଜି ଆମର ମନୋରଥ ପୂର୍ଣ୍ଣ ହେଲା, ମାରଓ୍ୱାଡ଼୍‌ ଆଜି ସନାଥ ହେଲା । ସ୍ୱର୍ଗୀୟ ମହାରାଜ ଏଇ ଦୃଶ୍ୟ ଦେଖି ଚକ୍ଷୁତୃପ୍ତ କରୁଥିବେ ।’

 

ଅଜିତ ସିଂହ ତାଙ୍କ କଥା ମାନି କହିଲେ–‘ବୀର ଶ୍ରେଷ୍ଠ ! ଏଇ ଯୋଧପୁର ସିଂହାସନ ସବୁଦିନ ପାଇଁ ଆପଣଙ୍କ ନିକଟରେ ଋଣୀ ।’ ତା’ପରେ ରାଓ ଭଗବାନଙ୍କ ଆଡ଼େ ଦୃଷ୍ଟି ପକାଇଲେ-।’

 

ଈଶ୍ୱର ଦାସ କହିଲେ–‘ଶତ୍ରୁଙ୍କର ପାଇଁ ଯମ ସଦୃଶ ଭଗବାନ ଦାସ ଅଭିବାଦନ ଜଣାନ୍ତି-।’

 

ଅଜିତ ସିଂହ କହିଲେ–‘ଆପଣଙ୍କ ଯୋଗୁଁ ମାରଓ୍ୱାଡ଼୍‍ର ସୌନ୍ଦର୍ଯ୍ୟ ବର୍ଦ୍ଧିତ । ମୀର ମୁନସୀ ମହାଶୟ । ଏହାଙ୍କ ପଟ୍ଟା ନୂଆ କରିଦେଇ ଦଶଟି ଗାଁ ମାଫ୍‌ କରିଦିଅ ଓ ଜାଗିରି ବଢ଼ାଇଦିଅ ।’

 

ଏହାପରେ ଯୋଗୀ ଦାସଙ୍କୁ ଦୃଷ୍ଟି ପକାଇ ଈଶ୍ୱର ଦାସ କହିଲେ–‘ଶତ୍ରୁ ଛାଉଣୀକୁ ଜାଳିପୋଡ଼ି ଧ୍ୱଂସ କରିଥିବା ଯୋଗୀ ଦାସଙ୍କ ପ୍ରତି ମହାରାଜଙ୍କର ଦୃଷ୍ଟି ଆକର୍ଷଣ କରୁଛି ।’

 

ଅଜିତ ସିଂହ ଦୃଷ୍ଟି କରି କହିଲେ–‘ଆପଣଙ୍କୁ ପାଇ ଏ ରାଜ୍ୟ ଧନ୍ୟ । ଆଉ ଉପସ୍ଥିତି ପାଇଁ ଦରବାର କୃତଜ୍ଞ ମନେକରେ ।’ ଗୋଟିଏ ରତ୍ନଖଚିତ ତରବାରି ଦେଉ ଦେଉ ଅଜିତ ସିଂହ କହିଲେ–‘ନିଅନ୍ତୁ ଏହା ଆପଣଙ୍କର କଟି ଦେଶର ଶୋଭାବର୍ଦ୍ଧନ ଯୋଗ୍ୟ ।’

 

ଏହି ସମୟରେ ଘୋଷକ ଈଶ୍ୱର ଦାସ ସୂଚନାଦେଲେ କି ବୀରଶ୍ରେଷ୍ଠ ସେନାପତି ଦୁର୍ଗା ଦାସ ଆଗମନ କରୁଛନ୍ତି ।

 

ଏହାଶୁଣି ଅଜିତ ସିଂହ କହିଲେ–‘ଆଚ୍ଛା ଠାକୁର ଦାଦା ଆସିଗଲେ ? ତାଙ୍କୁ ଆଦରପୂର୍ବକ ନେଇଆସ ।’

 

ଠାକୁର ଦୁର୍ଗା ଦାସ କହିଲେ–‘ମହାରାଜାଧିରାଜଙ୍କର ଜୟ ହେଉ । ମହାରାଜ କହି ଆପଣଙ୍କୁ ଅଭିବାଦନ କରିବାଦ୍ୱାରା ମୋର ଜୀବନର ଅନ୍ତିମ ସାଧନା ସଫଳ ହେଲା ।’

 

ଅଜିତ ସିଂହ ଆସନରୁ ଉଠି ତାଙ୍କୁ ସ୍ୱାଗତ କରୁକରୁ କହିଲେ–‘ଆସନ୍ତୁ ମେବାରର ଭାଗ୍ୟବିଧାତା, ମୋର ଜୀବନରକ୍ଷକ ବୀରବରଙ୍କୁ ମୁଁ ସ୍ୱାଗତ ଜଣାଉଛି ।’

 

ଦୁର୍ଗାଦାସ କହିଲେ–‘ମହାରାଜ ! ଆପଣ ସ୍ୱୟଂ ନିଜେ ଯୋଧପୁର ରାଜ୍ୟକୁ ଶତ୍ରୁଠାରୁ ଛଡ଼ାଇ ଯଥାଯୋଗ୍ୟ କାର୍ଯ୍ୟକରି ଧନ୍ୟବାଦର ଅଧିକାରୀ ଅଟନ୍ତି । ତେବେ ରାଣୀମାନଙ୍କୁ ମୁଁ ଗୋଟାଏ ପ୍ରତିଶ୍ରୁତି ଦେଇଥିଲି ।

 

‘ସେ କ’ଣ ?’

 

‘ଏଇଆ ଯେ, ମୁଁ ମହାରାଜଙ୍କୁ ନିଜ ହାତରେ ସିଂହାସନାସୀନ କରିବି ।’

 

ଏହାଶୁଣି ଅଜିତ ସିଂହ ଶୀଘ୍ର ଆସନରୁ ଉଠିପଡ଼ି କହିଲେ–‘ଆପଣଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ ସେନାପତି ମହାଶୟ ।’

 

ଦୁର୍ଗାଦାସ ହସହସ ମୁଖରେ ତାଙ୍କ ହାତ ଧରି ପକାଇ କହିଲେ–‘ଆସନ୍ତୁ ମହାରାଜ, ଆପଣଙ୍କ ପୂଜ୍ୟ ପିତାଙ୍କ ଗାଦି ଉପରେ ବିରାଜମାନ କରନ୍ତୁ ଏବଂ ଏଇ ସେବକକୁ ନିଜ ଭାଗ୍ୟ ଉପରେ ଗର୍ବ କରିବାକୁ ଦିଅନ୍ତୁ ।’ ଏହାକହି ଦୁର୍ଗା ଦାସ ଅଜିତ ସିଂହଙ୍କୁ ସିଂହାସନ ଉପରେ ବସାଇଲେ ଏବଂ ନିଜର ଅଙ୍ଗୁଳି ଚିରି ରକ୍ତ ଟିକା କରି ତରବାରି ମୁଣ୍ତରେ ଲଗାଇ କହିଲେ–‘ଜୟ ମରୁଧରାଧିଶଙ୍କର ଜୟ ।’ ସବୁ ସର୍ଦାରମାନେ ସମସ୍ୱରରେ କହିଲେ–‘ଜୟ ମରୁଧରାଧୀଶଙ୍କର ଜୟ ।’

 

ତିରିଶ

 

ଏକଦା ଚାନ୍ଦିନୀ ରାତିରେ ପ୍ରସନ୍ନ ମନରେ ଏକାକିନୀଭାବେ ସଙ୍ଗୀତ ଗାନ କରୁଥିଲେ ରେଜିୟା । ଅଜିତ ସିଂହ ସେ ପାଖରୁ ବାହାରି ଆସି ପ୍ରଶ୍ନକଲେ–‘କ’ଣ ଗାଉଥିଲ ରେଜିୟା ?’

 

‘କ’ଣ ମୋ ଗୀତ ଖରାପ ଲାଗିଲା ମହାରାଜ ?’

 

‘ଖରାପ, ତୁମ ଗୀତ ପୁଣି ଖରାପ ? ନାଇଁ ତୁମର ସମ୍ମୋହନୀ ସଙ୍ଗୀତ ଶୁଣି ମୋର ଜୀବନ ନିଜକୁ ନିଜେ ଏ ଦିଗକୁ ଟାଣି ହୋଇ ଆସୁଛି ।’

 

‘ନିଜକୁ ନିଜେ ! କେବଳ ଜୀବନ ! କାହିଁକି ମହାରାଜ ?’

 

ଅଜିତ ସିଂହ ଆହୁରି ନିକଟକୁ ଆସି କହିଲେ–‘ନାଇଁ ରେଜିୟା, ଏ ତୁଚ୍ଛ ପ୍ରାଣ କେବଳ ନୁହେଁ, ଏ ଶରୀର ଏ ଆତ୍ମା ଏ ଜୀବନ ସବୁକିଛି ।’

 

‘ରାଜା, ମୋର ମହାରାଜା, ଦେଖ କି ସୁନ୍ଦର ରାତ୍ରି । ଚମ୍ପାଫୁଲ ମହକ ଭଳି ତାରାମାନେ ଏହାର କୋଳରେ ବିଚ୍ଛୁରିତ ହୋଇ ପଡ଼ିଛନ୍ତି ଓ ଚନ୍ଦ୍ର ତାଙ୍କୁ ହସାଉଛି ।’

 

‘ସତକଥା ରେଜିୟା । କିନ୍ତୁ ଏସବୁ ତୁମଠାରୁ ସୁନ୍ଦର ନୁହନ୍ତି । ଯାହାର କୋଳ ଆଶା ଓ ଆନନ୍ଦ ପୁଷ୍ପରେ ପୂରି ଉଠିଛି, ଯାହାର ଆଖିଠାରୁ ଦୀପ୍ତିମନ୍ତ ତାରା ଆକାଶରେ ନାହିଁ, ଯାହାଙ୍କ ମୁଖମଣ୍ତଳ ସମକ୍ଷରେ ଏକଲକ୍ଷ ଚନ୍ଦ୍ର ମ୍ଳାନ ପଡ଼ିଯିବେ ତା’ଠାରୁ କିଏ ସୁନ୍ଦର ହୋଇପାରେ ?

 

‘ସତେ । କ’ଣ ମୁଁ ଏତେ ସୁନ୍ଦର ! ଆଉ ତୁମେ ରାଜା ? କେତେ ଭଲ । ମନ କହୁଛି–ସଦାବେଳେ ତୁମ ସଙ୍ଗେ କଥା ହୁଅନ୍ତି । ସେଇ ଦିନଗୁଡ଼ିକ ମନେଅଛି ମହାରାଜ ? ‘ଶିରୋହୀ ଉପତ୍ୟକାର ସେଇ ସୁନେଲି ଦିନ–‘ରେଜିୟା, ଯାହାକୁ ତୁମେ ଅଧିକ ମଧୁର କରି ଗଢ଼ି ତୋଳିଥିଲ-।’

 

‘ଆଉ ତୁମେ ଜଙ୍ଗଲରେ ଲୁଚି ଯାଉଥିଲ ?’

 

‘ସେତେବେଳେ ମୋତେ ଖୋଜି ନପାଇ କାନ୍ଦିବାରେ ଲାଗୁଥିଲ ।’

 

‘ପୁଣି ତୁମେ ଧୀରେ ଧୀରେ ଆସି ମୋର ଆଖି ବୁଜି ଦେଉଥିଲ ।’

 

‘ଆଉ ତୁମେ ଖିଲିଖିଲି ହସି ଉଠୁଥିଲ ।’

 

‘କେମିତି ସୁନ୍ଦର ଥିଲା ଦିନଗୁଡ଼ିକ, ରାଜା ।’

 

‘ଅନେକ ସୁନ୍ଦର ପ୍ରିୟେ । କିନ୍ତୁ ବଦମାସ ମଧ୍ୟ । ସେ ଆମର ଶୈଶବର ମିଠା, ମିଠା ଦିନ ନେଇ ଯୌବନରେ ଆମକୁ ଠେଲିଦେଇ ଚାଲିଗଲା । ଜାଣ ରେଜିୟା ବର୍ତ୍ତମାନ ମୁଁ ସେଇ ଅଜିତ ନୁହେଁ ।’

 

‘କାହିଁକି ନୁହେଁ । ସେଇ ରାଜା ତ !’

 

‘ନାଇଁ ରେଜିୟା, ସେତେବେଳେ କେବଳ ମୁଁ ତୁମ ହୃଦୟର ରାଜା ଥିଲି, ବର୍ତ୍ତମାନ ମାରଓ୍ୱାଡ଼୍‌ର ରାଜା ମଧ୍ୟ ।’

 

‘କିନ୍ତୁ ବର୍ତ୍ତମାନ ମଧ୍ୟ ତୁମେ ମୋର ରାଜା ।’

 

ଅଜିତ ସିଂହ ଦୀର୍ଘଶ୍ୱାସ ମାରି କହିଲେ–‘ବୋଧହୁଏ’–

 

‘ବୋଧହୁଏ’ କାହିଁକି ଏଇ ବୋଧହୁଏ ରାଜା ।’

 

‘ମାରଓ୍ୱାଡ଼୍‌ର ରାଜା ବୋଧହୁଏ ମଣିଷ ନୁହେଁ, ସେ ଏକ ଖେଳନା, ତାହାର ଶରୀରରେ କିଛି ନାହିଁ । ସବୁକିଛି ଅନ୍ୟର । ସର୍ଦାର ତାହାର ହାତଗୋଡ଼ ଓ ଆଖି, ରାଜ୍ୟ ଏହାର ଶରୀର ।’

 

‘ଏହାର ଅର୍ଥ ?’

 

‘ତାହାର ହୃଦୟ କିମ୍ୱା ଆତ୍ମା ନାହିଁ ।’

 

‘କ’ଣ ଯୋଧପୁର ରାଜାର ହୃଦୟ ନାହିଁ ।’

 

‘ହଁ ! ସେ ନିଜ ଇଚ୍ଛାରେ କାହାରିକୁ ପ୍ରେମ କରିପାରେନା । ସର୍ଦାର ଓ ଦରବାରୀ ଲୋକେ ଯେଉଁ ଝିଅକୁ ଚାହିଁବେ ତାକୁ ରାଣୀ କରିପାରିବେ । ସେଇଆକୁ ପ୍ରେମ କରିବାକୁ ପଡ଼ିବ-।’

 

‘ମୁଁ ମଧ୍ୟ ରାଜକୁମାରୀ । କିନ୍ତୁ ଏଇ ଦେଖ, ମୋର ତ ହୃଦୟ ଅଛି ।’

 

‘ଭୁଲି ଯାଉଛ ରେଜିୟା, ତୁମେ ମଧ୍ୟ ମୋ ପରି ଭାଗ୍ୟହୀନ ଅଟ ବୋଧହୁଏ ।’

 

‘କ’ଣ ମୁଁ ଯାହାକୁ ଚାହିଁବି ତାକୁ ଭଲ ପାଇପାରିବିନି ?’

 

‘ବୋଧହୁଏ ନା ।’

 

‘ନା ନା, ତୁମେ ଭୁଲ୍‌ କରୁଛ ରାଜା ।’

 

‘ଅବଶ୍ୟ ପ୍ରଥମେ ମୁଁ ଭୁଲଟାହିଁ କରୁଥିଲି କିନ୍ତୁ ରାଜା ହେବାପରେ ମୁଁ ଭୁଲଟା ବୁଝିପାରିଛି ।’

 

‘ରାଜା ମୁଁ ତୁମକୁ ପ୍ରାଣଠାରୁ ବଳି ଭଲପାଏ, ଜୀବନଠାରୁ ବେଶୀ । ଦେଖିବି କିଏ ତୁମକୁ ମୋଠାରୁ ଛଡ଼ାଇନେବ ? କିନ୍ତୁ....ରାଜା.....ବୋଧହୁଏ ତୁମେ........’

 

‘ମୁଁ ? ରେଜିୟା ମୁଁ ତୁମ ବିନା ବଞ୍ଚିପାରେନା ।’

 

‘ତାହାହେଲେ ଯୋଧପୁର ରାଜସିଂହାସନ କ’ଣ ଆମପାଇଁ ପ୍ରତିବନ୍ଧକ ହେବ ?’

 

‘ବୋଧହୁଏ ।’

 

‘ତାହାହେଲେ ଚାଲ’ ଏହାକୁ ଗୋଇଠାମାର ଅଜିତ । ପ୍ରେମ ପାଖରେ ରାଜସିଂହାସନ ତୁଚ୍ଛ ।’

 

‘ଅବଶ୍ୟ ଯଦି କେବଳ ଦୁନିଆର କଥା ହୋଇଥାଏ । ରେଜିୟା, ଇଏ ଦୁନିଆ ବାହାରର କଥା । ଯୋଧପୁର ଗାଦି ମୋର ନୁହେଁ, ଏହା ରାଠୋରମାନଙ୍କର । ମୁଁ କେବଳ ଏହାର ରକ୍ଷାକର୍ତ୍ତା-। ନିଜର ସର୍ବସ୍ୱ ବଳିଦେଇ ମୋତେ ଜଣେ ରାଜପୁତର ମର୍ଯ୍ୟାଦା ରକ୍ଷା କରିବାକୁ ହେବ-। ମୋର ପୂର୍ବପୁରୁଷମାନେ ଏଇଆ କରିଆସିଛନ୍ତି-।’

 

‘ତାହାହେଲେ ମୋତେ ତୁମେ ତ୍ୟାଗ କରିବ ?’ ‘ଜୀବଦ୍ଦଶାରେ ଏହା ସମ୍ଭବ ନୁହେଁ ରେଜିୟା ।’

 

‘ଯଦି ଏହା କରିବାକୁ ପଡ଼େ ।’

 

‘ତାହାହେଲେ ମୁଁ ଲଢ଼ିବି ଯେପରି ତରବାରି ବଳରେ ରାଠୋରମାନଙ୍କର ଗାଦି ଉଦ୍ଧାର କରିଛି ସେଭଳି ତୁମକୁ ମଧ୍ୟ ପାଇବି । ମନେଅଛି ତୁମର–ମୁଁ କହିଥିଲି......’

 

‘ରାଜା, ତୁମର ଅସ୍ତ୍ର ଛୁଇଁ କୁହ ।’

 

ଅଜିତ ସିଂହ ନିଜର ତରବାରି ଛୁଇଁ–‘ରେଜିୟା ମୋର ରାଣୀ ! ନିଶ୍ଚିନ୍ତ ରୁହ ।’

 

ରେଜିୟା ନିଜ ହାତରେ ଅଜିତଙ୍କର ହାତ ରଖି ଗଦଗଦ କଣ୍ଠରେ–‘ଯାଅ ତାହାହେଲେ ରାଜା, ଆଉ କିଛି ଭୟନାହିଁ ।’

 

ରେଜିୟା ମୁଣ୍ତରେ ହାତ ବୁଲାଇ ଅଜିତ ସିଂହ ଚାଲିଗଲେ । କିଛିକ୍ଷଣ ପାଇଁ ରେଜିୟା ତାଙ୍କ ଯିବା ବାଟକୁ ଚାହିଁରହି ମନକୁମନ ଚିନ୍ତା କରୁଥିଲା । ମୁଁ ଏକ ବୃନ୍ତଚ୍ୟୁତ ପୁଷ୍ପ, ବାପା ମକ୍‌କା ଚାଲିଗଲେ, ଯାତ୍ରା କରୁକରୁ ମାଆ ଚାଲିଗଲେ । ପୁଣି ମୋର ରାଜାଙ୍କୁ ଦୁନିଆ ଛଡ଼ାଇ ନେବାକୁ ଚାହେଁ । ଏପରି ଚିନ୍ତା କରୁକରୁ ଦୁର୍ଗା ଦାସଙ୍କୁ ‘ଶାହାଜାଦୀ’ ଡାକରେ ତା’ର ସ୍ୱପ୍ନ ଭାଙ୍ଗିଗଲା । ‘କିଏ ଠାକୁର ଦାଦା ?’

 

‘ହଁ, ଶାହାଜାଦୀ ମୁଁ କହିବାକୁ ଆସିଥିଲି ଯେ ତୁମକୁ ଯିବାକୁ ହେବ ।’

 

‘କୁଆଡ଼େ ଠାକୁର ଦାଦା ।’

 

‘ବାଦଶାହାଙ୍କ ନିକଟକୁ ।’

 

‘କ’ଣ ଗୋଟିଏ ଅଭାଗୀନି ନାରୀପାଇଁ ତୁମ ଦୁର୍ଗରେ ମୁଠାଏ ଅନ୍ନ ନାହିଁ ?’

 

‘ନାଇଁ ରେଜିୟା, ତୁମେ ଆମ ଦେଶର ସୌନ୍ଦର୍ଯ୍ୟ, କିନ୍ତୁ ମୁଁ ବାଦଶାହାଙ୍କୁ କଥା ଦେଇଛି, ତୁମକୁ ଯିବାକୁ ହେବ ।’

 

‘ଆଉ ଯଦି ମୁଁ ନଯାଏଁ ?’

 

‘ନା ଶାହାଜାଦୀ ଯିବାକୁ ପଡ଼ିବ ।’

 

‘କ’ଣ ଏ ଅଭାଗୀନିକୁ ତୁମେ ଜବରଦସ୍ତ ବାହାର କରିଦେବ, ଠାକୁର ଦାଦା । ମୋର ବାପା ନାହାନ୍ତି, ମା’ ନାହିଁ, ମୁଁ ଶାହାଜାଦୀ ନୁହେଁ, ଚାକରାଣୀ । ଚାକରାଣୀ ହୋଇ ମୋତେ ରହିବାକୁ ଦିଅ ଠାକୁର ଦାଦା ।’

 

‘ମୁଁ ନାଚାର ଶାହାଜାଦୀ ।’

 

କ୍ରୋଧିତ ହୋଇ ରେଜିୟା କହିଲା–‘ନାଚାର ! ତାହାହେଲେ ମୁଁ ମଧ୍ୟ ନାଚାର ଠାକୁର । ଜୀବଦ୍ଦଶାରେ ମୁଁ ଏଠାକୁ ଯିବିନାହିଁ ।’

 

‘କାହିଁକି ଶାହାଜାଦୀ ?’

 

‘କାରଣ ମୁଁ ରାଜାଙ୍କୁ ଭଲପାଏ’ କହି କାନ୍ଦିବାକୁ ଲାଗିଲା ।

 

ଦୁର୍ଗା ଦାସ ସ୍ନେହରେ କହିଲେ–‘ସେଇଥିପାଇଁ ତୁମକୁ ଯିବାକୁ ହେବ ରେଜିୟା । ଭଲପାଇଥିବା ପଦାର୍ଥକୁ ନଷ୍ଟ କରିଦେବା ଉଚିତ ନୁହେଁ ।’

 

‘ନଷ୍ଟ ! କ’ଣ କହୁଛ ଠାକୁର ଦାଦା ! ମୋ ପ୍ରେମରେ କ’ଣ ରାଜା ନଷ୍ଟଭ୍ରଷ୍ଟ ହୋଇଯିବେ ! ମୁଁ ଏଇଠି ରହିବାଦ୍ୱାରା କ’ଣ ତାଙ୍କର କ୍ଷତି ହେବ ?’

 

‘ହଁ ରେଜିୟା, ତୁମେ ଯଦି ଏଠାରୁ ନଯାଅ, ତେବେ ଉଦୟପୁର ରାଣାଙ୍କ କୁମାରୀ ସଙ୍ଗେ ତାଙ୍କର ବିବାହ ହୋଇ ପାରିବନି ଏବଂ ଆମ ସମସ୍ତଙ୍କ ଯୋଜନା ମାଟିରେ ମିଶିଯିବ ।’

 

ରେଜିୟା ଭାରି କଣ୍ଠରେ କହିଲେ–‘ତାହାହେଲେ.....ତାହାହେଲେ ମୁଁ ଚାଲିଯିବି ଠାକୁର-।’

 

ଦୁର୍ଗା ଦାସ ଭାରି କଣ୍ଠରେ କହିଲେ–‘ଈଶ୍ୱର ତୁମର ମଙ୍ଗଳ କରନ୍ତୁ, ଶାହାଜାଦୀ ତୁମେ ଏ ବୃଦ୍ଧର କଥାରଖି ବଡ଼ କାମକଲ । ଶୀଘ୍ର ପ୍ରସ୍ତୁତ ହୋଇପଡ଼ ।’

 

‘କ’ଣ ବର୍ତ୍ତମାନ ।’

 

‘ହଁ ଫଉଜଦାର ତହବୁର ଖାଁ ତୁମକୁ ନେବାପାଇଁ ଆସି ଛିଡ଼ା ହୋଇଛି ।’

 

‘ତାହାହେଲେ ମୁଁ ରାଜାଙ୍କୁ ଥରେ ଦେଖା କରିବି ?’

 

‘ନା ନା ଶାହାଜାଦୀ ।’

 

‘ଦୂରରୁ ତାଙ୍କୁ ଦେଖିପାରେ ?’

 

‘ନାଇଁ ଶାହାଜାଦୀ ସମୟ ନାହିଁ ।’

 

ରେଜିୟା ଚକ୍ଷୁରେ ଲୋତକ ଦେଖାଦେଲା । ସେ ବଡ଼ କଷ୍ଟରେ କହିଲେ–‘ତାହାହେଲେ ଚାଲ ଠାକୁର ଦାଦା । ବାପାଙ୍କର ଅନେକ ଉପକାର ତୁମେ କରିଛ । ତୁମର ଆଦେଶ ପାଳିବା ମୋର କର୍ତ୍ତବ୍ୟ ଅଟେ ।’

 

‘ଚାଲ ମାଆ, ତୁମେ ସାକ୍ଷାତ ଦେବୀ । ରାଠୋର ବଂଶର ଗୌରବ ଚିରଦିନ ତୁମ ନିକଟରେ ଊଣା ରହିବ ।’

 

ଏକତିରିଶ

 

ଯୋଧପୁର ଦୁର୍ଗ ଭିତର ଭାଗରେ ରତ୍ନଖଚିତ ଚଉକି ଉପରେ ବସି ମହାରାଜ ଅଜିତ ସିଂହ ଭାବୁଥିଲେ–ମାନବ ଜୀବନ କ’ଣ କେବଳ ସଂଘର୍ଷ ଓ ବିଷମତା ? ମଣିଷର ନିଜର କିଛି ନାହିଁ । ଛି ! ଏହାଠାରୁ ବନ୍ୟ ପଶୁପକ୍ଷୀଙ୍କର ଜୀବନ ଆହୁରି ସରଳ, ଅଧିକ ସୁନ୍ଦର । ତାଙ୍କର ଭାବନା ବାଧା ପ୍ରାପ୍ତ ହେଲା । ଠାକୁର ଦୁର୍ଗାଦାସ ପହଞ୍ଚି ଅଭିବାଦନ କଲେ ‘ମହାରାଜ, ସବୁ ଦୃଷ୍ଟିରୁ ଏ ସମ୍ବନ୍ଧ ସର୍ବଶୁଭଙ୍କରୀ, ଉଦୟପୁରର ରାଜକୁମାରୀ ଯୋଧପୁର ପାଟମହିଷୀ ହେବା ଯୋଗ୍ୟ । ମାରୱାଡ଼୍ ଓ ମେବାର ମଧ୍ୟରେ ପୁଣି ଥରେ ସମ୍ପର୍କ ସଂଯୋଜନା କରିବା ବାସ୍ତବରେ ମଙ୍ଗଳକର ହେବ !’

 

‘ଠାକୁର ଦାଦା ! ବର୍ତ୍ତମାନ ଏ ସମ୍ପର୍କରେ ମୁଁ କିଛି କହିପାରୁନି, ମୁଁ ଆଉ କିଛି ଚିନ୍ତା କରୁଛି ।’

 

‘କ’ଣ ଭାବୁଛନ୍ତି ମହାରାଜ ?’

 

‘ସମୟ ଆସିଲେ କହିବ । ବର୍ତ୍ତମାନ ରାଣାଙ୍କୁ ଆପଣ କଥା ଦିଅନ୍ତୁ ନାହିଁ ।’

 

‘କଥା ତ ମୁଁ ଦେଇ ଆସିଛି ମହାରାଜ ।’

 

‘ମୋର ବିନା ଅନୁମତିରେ ? ଦାଦା ଇଏ ମୋର ସୁଖ ଦୁଃଖର ପ୍ରଶ୍ନ ।

 

‘ନାଇଁ ମହାରାଜ, ତା’ ପୂର୍ବରୁ ଏହା ମାରୱାଡ଼୍‌ ରାଜଲକ୍ଷ୍ମୀଙ୍କର ସୁଖ ଦୁଃଖର ପ୍ରଶ୍ନ ଅଟେ-।’

 

‘ଆଉ ମୋର ବ୍ୟକ୍ତିତ୍ୱ ?’

 

‘ମାରୱାଡ଼୍‍ହିଁ ତ ଆପଣଙ୍କର ବ୍ୟକ୍ତିତ୍ୱ ଅଟେ ମହାରାଜ ।’

 

‘ତାହାହେଲେ କ’ଣ ନିଜର ହାନିଲାଭ ସ୍ୱତନ୍ତ୍ରଭାବେ ମୁଁ କରିପାରିବି ନାହିଁ ?’

 

‘ମାରୱାଡ଼୍‌ର ହାନିଲାଭ ଆପଣଙ୍କର ହାନିଲାଭ ଅଟେ; ବରଂ ଏହାଠାରୁ ଊର୍ଦ୍ଧ୍ୱରେ ।’

 

‘ତାହାହେଲେ କ’ଣ ମୁଁ ମାରୱାଡ଼୍‌ର ଚାକର–ଅଧିଶ୍ୱର ନୁହେଁ ?’

 

‘ସେଭଳି ଭାବି ନେବାକୁ ମହାରାଜ । ଆପଣଙ୍କ ଶରୀର, ରକ୍ତମାଂସ ସବୁ ମାରୱାଡ଼୍‌ ଭୂମିରେ ତିଆରି । ଆପଣ ତା’ର ରକ୍ଷକ । ଏଇ ବିଶ୍ୱାସରେ ନଅ ଲକ୍ଷ ରାଠୋର ଆପଣଙ୍କୁ ସ୍ୱାମୀ ବୋଲି ମାନି ପ୍ରାଣ ଉତ୍ସର୍ଗପାଇଁ ତତ୍‌କ୍ଷଣାତ୍‌ ପ୍ରସ୍ତୁତ ହୋଇଯାନ୍ତି ।’

 

‘କିନ୍ତୁ ଏହା ଅସମ୍ଭବ । ମୁଁ ଏ ବିବାହରେ ରାଜି ନୁହେଁ ।’

 

‘ଏହାତ ଠିକ୍‌ ହୋଇ ସାରିଛି ମହାରାଜ ! ମୁଁ କଥା ଦେଇ ଆସିଛି ।’

 

‘ମୋ ବିନା ଅନୁମତିରେ କଥାଦେବା ଆପଣଙ୍କର କି ଅଧିକାର ଥିଲା ?’

 

ଅଜିତ ସିଂହ ଏହି ଉତ୍ତରରେ ମର୍ମାହତ ହୋଇ ଦୁର୍ଗାଦାସ ମଥାନତ କରି ନେଲେ ଓ କିଛିକ୍ଷଣ ପରେ କହିଲେ–‘ମହାରାଜ ! ଏ ବିଷମ ପ୍ରଶ୍ନ । ଏ ପ୍ରଶ୍ନର ଜବାବ ଦେବାକୁ ପଡ଼ିବ ବୋଲି ମୁଁ କେବେ ଭାବି ନଥିଲି ।’

 

‘ସେନାପତି ! ରାଜାର ପ୍ରଶ୍ନ ପ୍ରତି ସମସ୍ତେ ଉତ୍ତରଦାତା ଅଟନ୍ତି । ଇୟେ ତ ମୋର ବ୍ୟକ୍ତିଗତ ବିଷୟ ।’ ‘କ୍ଷମା କରିବେ ମହାରାଜ ! ଏକମାସର ନବଜାତ ଶିଶୁ ଥିଲାବେଳେ ରାଣୀମାନଙ୍କ ଆଦେଶରେ ଜୀବନ ସହ ଖେଳି ଏଇ ଦାସଆପଣଙ୍କୁ ବଞ୍ଚେଇ ଥିଲା, ତା’ପରେ ଶିରୋହୀ ଉପତ୍ୟକାରେ ଅଠରବର୍ଷ ପର୍ଯ୍ୟନ୍ତ ଏ ସେବକ ଆପଣଙ୍କ ଶରୀର ରକ୍ଷା କଲା, ଏଇ ଅଠରବର୍ଷ ମଧ୍ୟରେ ଏ ସେବକର ଓ ତାହାର ସାହାଯ୍ୟକାରୀଙ୍କୁ କେବେହେଲେ ସୁଖ ନିଦ୍ରା ଆସି ନାହିଁ, ଘୋଡ଼ା ପିଠିରେ ଦିନରାତି କଟିଛି, ଯୁଦ୍ଧର ଭୀଷଣ ଅଗ୍ନିକୁଣ୍ଡରେ ନିଜର ପୁତ୍ର ପୌତ୍ରିଙ୍କୁ ଆହୁତି ଦେବାକୁ ପଡ଼ିଛି । ତେଣୁ ଆପଣଙ୍କର ସ୍ୱର୍ଗବାସୀ ପିତାମାତା ଆପଣଙ୍କୁ ତାଙ୍କର ଆସନରେ ଥିବା ଦେଖି ପ୍ରସନ୍ନ ହେଉଛନ୍ତି । ସେଇ ଅଧିକାରରେ ମୁଁ ଭାବିଥିଲି କି ଅଧିକାର ସମ୍ପର୍କରେ ମହାରାଜ କେବେ ମୋତେ ପ୍ରଶ୍ନ କରିବେ ନାହିଁ । ବୋଧହୁଏ ତାହା ମୋର ଭୁଲ ଥିଲା । ଆଜି ମହାରାଜଙ୍କ ଦୃଷ୍ଟିରେ ଅପରାଧୀ ଦଣ୍ଡ ପାଇବାପାଇଁ ପ୍ରସ୍ତୁତ ମହାରାଜ ।’ ରୁଦ୍ଧ କଣ୍ଠରେ ଏହା କହି ମଥାନତ କଲେ । ଏହା ଦେଖି ଅଜିତ ସିଂହ ଅନୁତାପ କଲେ ସେ ବାଷ୍ପାରୁଦ୍ଧ କଣ୍ଠରେ କହିଲେ–‘ଠାକୁର ଦାଦା !’

 

‘ମହାରାଜ ।’

 

‘ମୁଁ ରେଜିୟାକୁ ଭଲ ପାଏ, ତା’ ବିନା ମୁଁ ବଞ୍ଚିପାରେନା, ମୁଁ ତାକୁ ବିବାହ......’

 

‘ୟେ କ’ଣ କହୁଛନ୍ତି ମହାରାଜ !’

 

‘ମୁଁ ସତ କହୁଛି । ମୁଁ ତାକୁ କଥା ଦେଇଛି ।’

 

‘ଏହା ଅସମ୍ଭବ ମହାରାଜ ।’

 

‘କାହିଁକି ଅସମ୍ଭବ ?’

 

‘ବିଧର୍ମୀ ଯବନ କନ୍ୟା ମାରୱାଡ଼୍‌ର ଅଧିଶ୍ୱରୀ ହୋଇ ନ ପାରେ ।’

 

‘ସେନାପତି ! କ’ଣ ରାଜପୁତରମଣୀ ମୋଗଲ ସମ୍ରାଟର ମହିଷୀ ହୋଇ ନାହାନ୍ତି, ତାଙ୍କ ପୁତ୍ର ସିଂହାସନରେ ବସିନାହାନ୍ତି ।’

 

‘ହୋଇଛନ୍ତି ମହାରାଜା କିନ୍ତୁ ଆପଣ କ’ଣ ମୋଗଲମାନଙ୍କୁ ଅନୁସରଣ କରିବାକୁ ଚାହାଁନ୍ତି ? ଜାଣନ୍ତି ମହାରାଜା ! ପିପ୍‌ପଳି ପତ୍ର ସଦୃଶ ମୋଗଲ ସାମ୍ରାଜ୍ୟ ଥରି ଉଠୁଛି କାହିଁକି ? କାରଣ ସେଥିରେ ରାଷ୍ଟ୍ରିୟତା ନାହିଁ । କିନ୍ତୁ ନଅ ଲକ୍ଷ ରାଠୋରଙ୍କ ଆଜି ଏକ ଦେଶ, ଏକ ଜାତି । ଏହାଙ୍କ ବିରୁଦ୍ଧରେ କାହାର ସାହାଯ୍ୟ ନେଇ ମୋଗଲ ସମ୍ରାଟ ବଳୀୟାନ୍‌ ଜାଣନ୍ତି ମହାରାଜ ?’

 

‘କାହା ବଳରେ ?’

 

‘କେବଳ ଭଡ଼ାଟିଆ ସିପାହୀ ଓ ସ୍ୱାର୍ଥପର ସେନାପତିଙ୍କ ସାହାଯ୍ୟରେ, ସେମାନଙ୍କ ବିଜୟରେ ଉଚ୍ଚସ୍ୱାର୍ଥ ନାହିଁ, ସାତ୍ତ୍ୱିକ ତ୍ୟାଗର ଭାବନା ତାଙ୍କ ନିକଟରେ ନାହିଁ, କେବଳ ବେତନ, ଲୁଟପାଟ ଓ ପୁରସ୍କାର ଲୋଭରେ ସେମାନେ ଲଢ଼ୁଛନ୍ତି । ରାଠୋରଙ୍କର ଭଳି ମରଣ ଗୌରବ ଓ ଆତ୍ମ ବଳିଦାନର ଗୌରବ ସେମାନଙ୍କ ଭିତରେ କେମିତି ହେବ ଭଲା !’

 

‘କିନ୍ତୁ ଇସଲାମୀ ସେମାନଙ୍କ ଧର୍ମ ନୁହେଁ ? ଇସଲାମର ଇଜ୍ଜତପାଇଁ ସେମାନେ ମରନ୍ତିନି ?’

 

‘ମହାରାଜା ଆମର ମଧ୍ୟ ଧର୍ମ ଅଛି । ଆମେ ହିନ୍ଦୁ । କିନ୍ତୁ କେବଳ ଧର୍ମ ଭାବନାରେ କୌଣସି ଜାତି ସଂଗଠିତ ହୋଇ ପାରନ୍ତି ନାହିଁ, ସେଥିପାଇଁ ରାଜନୀତିକ ସ୍ୱାର୍ଥ ହିତ ସମ୍ବଳ ଆବଶ୍ୟକ ।’

 

‘ଯାହାବି ହେଉ ସେନାପତି ! ମୁଁ ରେଜିୟାକୁ ନିଶ୍ଚୟ ବିବାହ କରିବି ।

 

‘ଏହା ଅସମ୍ଭବ ମହାରାଜ । କାଲି ଖୋଲା ଦରବାରରେ ଏହା ମୁଁ ଘୋଷଣା କରିବି, ଯଥାଶୀଘ୍ର ଏ ବିବାହ ମୁଁ ସାରିଦେବାକୁ ଚାହେଁ । ମୋର ଆଦେଶ ଆପଣ ଏହାର ଆୟୋଜନ କରନ୍ତୁ ।’

 

ଏଇ ସମୟରେ ମୁକୁନ୍ଦ ଦାସ ଦୁର୍ଗା ଦାସଙ୍କୁ ଖୋଜି ଖୋଜି ଆସି ସୂଚନା ଦେଲେ–‘ସେନାପତି, ସୁରକ୍ଷିତ ଅବସ୍ଥାରେ ମୋଗଲ ସର୍ଦାର ତହବୁର ଖାଁଙ୍କୁ ଶାହାଜାହୀଙ୍କୁ ସମର୍ପି ଦିଆଗଲା ।’

 

ଅଜିତ ସିଂହ ମଝିରେ ପଚାରି ଉଠିଲେ–‘ଶାହାଜାଦୀ ! କେଉଁ ଶାହାଜାଦୀ !!’

 

ଦୁର୍ଗା ଦାସ ତାଙ୍କୁ ଉତ୍ତର ନଦେଇ ମୁକୁନ୍ଦ ଦାସଙ୍କୁ କହିଲେ–‘ଠିକ୍‌ ଯଦିଓ କୌଣସି ବିପତ୍ତି ନାହିଁ, ତେବେ ମଧ୍ୟ ତୁମେ ସ୍ୱୟଂ ଦୁଇ ହଜାର ସୈନ୍ୟ ନେଇ ତହବୁର ଖାଁ ସଙ୍ଗେ ଯାଇ ବାଦଶାହାଙ୍କୁ ସମର୍ପିଦେଇ ଆସ ।’

 

ଅଜିତ ସିଂହ ମୁକୁନ୍ଦ ଦାସଙ୍କୁ ଜୋରରେ ପଚାରିଲେ–‘କେଉଁ ଶାହାଜାଦୀ ଠାକୁର !’

 

ମୁକୁନ୍ଦ ଦାସ ମଧ୍ୟ ତାଙ୍କୁ ଉତ୍ତର ନଦେଇ ଦୁର୍ଗା ଦାସଙ୍କ ଆଦେଶର ଉତ୍ତର ଦେଇ କହିଲେ–‘ଖୁବ୍‌ ଭଲକଥା ଭାଇ ।’ ଏହା କହି ସେ ଯିବାକୁ ବସିଲେ । ଅଜିତ ସିଂହ ମୁକୁନ୍ଦ ଦାସଙ୍କୁ ଅଟକାଇ ପୁଣି ପ୍ରଶ୍ନକଲେ–‘ରୁହ ଠାକୁର ! କେଉଁ ଶାହାଜାଦୀ ?’

 

ମୁକୁନ୍ଦ ଦାସ ଛିଡ଼ାହେଲେ କିନ୍ତୁ ଦୁର୍ଗା ଦାସ ଉତ୍ତରଦେଲେ–‘ରେଜିୟା ମହାରାଜ ! ଶାହାଜାଦୀ ଆକବରର ପୁତ୍ରୀ ଓ ବାଦଶାହା ଆଲମଗୀରଙ୍କ ପୌତ୍ରୀ ।’

 

‘ରେଜିୟା ! ତାକୁ ଆପଣ କାହାକୁ ଦେଇଦେଲେ ।’

 

‘ସେନାପତି ତହବୁର ଖାଁଙ୍କୁ ।’

 

‘କାହିଁକି ସେନାପତି ?’

 

‘ବାଦଶାହାଙ୍କ ନିକଟକୁ ଯିବାପାଇଁ ।’

 

‘ଆପଣଙ୍କର ଏତେ ସାହସ ଯେ ଆପଣ ରେଜିୟାକୁ ଆଉରଙ୍ଗଜେବଙ୍କ ପାଖକୁ ପଠାଇ ଦେଲେ ?’

 

‘ହଁ ମହାରାଜ ।’

 

‘ମୋର ବିନା ଆଜ୍ଞାରେ ।’

 

‘ମୁଁ ଏହାର ଆବଶ୍ୟକତା ଅନୁଭବ କରିନାହିଁ, କାରଣ ଆକବର ପରିବାର ମୋରି ଆଶ୍ରୟରେ ଥିଲେ, ସେ ମୋର କନ୍ୟା ।’

 

‘ତୁମର ଏଡ଼େ ସାହସ ସେନାପତି ।’ କହି ଅଜିତ ସିଂହ ତରବାରି କୋଷମୁକ୍ତ କଲେ ।

 

ଏହାଦେଖି ମୁକୁନ୍ଦ ଦାସ ମଧ୍ୟ ତରବାରି ଉତ୍ତୋଳନ କଲେ । ଏହାଦେଖି ଦୁର୍ଗା ଦାସ କହିଲେ–‘ଶାନ୍ତ ହୁଅ ଭାଇ ।’

 

‘ଶୁଣନ୍ତୁ ମହାରାଜ ! ଏଭଳି କରିବା ମୁଁ ଉଚିତ ମନେକଲି । ଆପଣଙ୍କ ପ୍ରେମ ସମ୍ପର୍କରେ ମୁଁ ପୂର୍ବରୁ ଜାଣିଥିଲି ଓ ଏହାଦ୍ୱାରା ଭବିଷ୍ୟତରେ ବାଦଶାହାଙ୍କ ସହ ସଦ୍‌ଭାବ ପ୍ରତିଷ୍ଠା ହେବାର ଭୟ ଅଛି ।’

 

ଅଜିତ ସିଂହ ରାଗିଯାଇ କହିଲେ–‘ଆପଣଙ୍କର ଏ ଅପରାଧ କେବେହେଲେ ମୁଁ କ୍ଷମା କରିପାରିବି ନାହିଁ ।’

 

‘ଯାହା ମହାରାଜଙ୍କର ଇଚ୍ଛା । ସେବକ ଦଣ୍ଡପାଇଁ ପ୍ରସ୍ତୁତ ।’

 

‘ଏଇ ଅପରାଧର ଦଣ୍ଡ ମୃତ୍ୟୁ କିନ୍ତୁ ତୁମର ଅତୀତ ସେବା ଖାତିରରେ..... ।’

 

ଦୁର୍ଗା ଦାସ ହସିଉଠି ବ୍ୟଙ୍ଗ ସ୍ୱରରେ କହିଲେ–‘ଉକ୍ତ ସେବାମାନଙ୍କ ଖାତିରରେ ? ହଁ କୁହନ୍ତୁ ମହାରାଜ ।’

 

‘ମାରୱାଡ଼୍‌ରୁ ମୁଁ ତୁମକୁ ନିର୍ବାସିତ କଲି ।’

 

‘ଯେ ଆଜ୍ଞା ମହାରାଜ !’ ସେ ଯିବାପାଇଁ ପ୍ରସ୍ତୁତ ହେଲେ ଓ ମୁକୁନ୍ଦ ଦାସଙ୍କୁ କହିଲେ–‘ଯାଅ ଭାଇ, ଶାହାଜାଦୀଙ୍କୁ ନିରାପଦରେ ବାଦଶାହାଙ୍କ ନିକଟରେ ପହଞ୍ଚାଇ ଦିଅ ।’

 

ଅଜିତ ସିଂହ କ୍ରୋଧପୂର୍ବକ କହିଉଠିଲେ–‘କଦାପି ନୁହେଁ ମୁକୁନ୍ଦ ଦାସ ।’ ତାକୁ ଶୀଘ୍ର ମହଲକୁ ଆଣି ହାଜିର କର ।’

 

ମୁକୁନ୍ଦ ଦାସ ଉତ୍ତର ଦେଲା–‘ମହାରାଜ, ସାପୁଆକେଳା ବେଶରେ ଆପଣଙ୍କୁ ମୁଣାରେ ପୂରାଇ ଆପଣଙ୍କ ଜୀବନରକ୍ଷା କରିବା ଦିନୁଁ ଆପଣଙ୍କ ଜୀବନ ଏଇ ମୁଣାରେ ବନ୍ଧକ ଅଛି, ଆପଣ ଏହାର ସୁଧମୂଳ କରି ହିସାବ ଚୁକ୍ତି ନକଲା ପର୍ଯ୍ୟନ୍ତ ମୋତେ ଆଦେଶ ଦେବାର ସାହସ କରିପାରିବେନି । ମୋର ଏଇ ଜୀବନସଙ୍ଗିନୀ ତରବାରି ମୁକୁନ୍ଦ ଦାସର ବାଧାବନ୍ଧନଗୁଡ଼ାକୁ ସର୍ବଦା ମୋଠାରୁ ଦୂରରେ ରଖିଛି । ଏହାରି ମନରେ ସେ ନିଜ ଜୀବନ–ରେଖା ଟାଣିଥାଏ ।’ ଏହାକହି ମୁକୁନ୍ଦ ଦାସ ଚାଲିଗଲେ । ଦୁର୍ଗା ଦାସ ମଧ୍ୟ ମଥାନତ କରି ସେଠାରୁ ବିଦାୟ ନେଲେ । ଅଜିତ ସିଂହ ହତାଶ ଓ ନିଷ୍ଫଳ ଭାବରେ ପାଦତଳେ ପିଟିବାକୁ ଲାଗିଲେ । ରେଜିୟା ଗଲା, ଠାକୁର ଦୁର୍ଗାଦାସ ମଧ୍ୟ ଗଲେ, ଜୀବନ ପ୍ରଭାତରେ ଅନ୍ଧାର ଘୋଟିଗଲା । ହାୟରେ ରାଜା ! ଦେଶ, ବଂଶ ଗୌରବ ସବୁଥାଇ ମଧ୍ୟ ଆଜି ଭିକାରିଠାରୁ ଅଧିକ ଅଭାଗା ଓ ବନ୍ଦୀଠାରୁ ଅଧିକ ପରାଧୀନ । ଦୁର୍ଗା ଦାସଙ୍କ ବିତାଡ଼ନ ଆଦେଶ ରାଜପରିବାର ଏବଂ ରାଠୋରମାନଙ୍କ ମଧ୍ୟରେ ଖେଳିଗଲା । ଦୁର୍ଗାଧାଈ ଆସି ଅଜିତ ସିଂହଙ୍କୁ ପଚାରିଲେ–‘ଅଜିତ ! ଠାକୁର ଦାଦାଙ୍କୁ ତୁ ବିତାଡ଼ିତ କରିଥିବା କଥା କ’ଣ ସତ୍ୟ ?’

 

‘ହଁ ମା’ ସତ ।’

 

‘କୋଉ ଦୋଷରେ–ମୁଁ ଟିକେ ଶୁଣେ ଭଲା ।’

 

‘ଧାଈମା–ରାଜକାର୍ଯ୍ୟ ବିଷୟ ସ୍ତ୍ରୀମାନେ ଜାଣିବା ଅନୁଚିତ, ତୁମେ ନିଜ କାର୍ଯ୍ୟ ଦେଖ ।’

 

‘ତେବେ ମଧ୍ୟ, ମୁଁ ଟିକେ ଶୁଣେ ଠାକୁର ଦାଦାଙ୍କ ଦୋଷ କ’ଣ ।’

 

‘ସେ ବିଶ୍ୱାସଘାତକତା କରିଛନ୍ତି–ସେ ବାଦଶାହାଙ୍କ ସହ ହାତ ମିଳାଇଛନ୍ତି ।’

 

‘ବିଶ୍ୱାସଘାତକତା ? ଦୁର୍ଗାଦାସ ? ତୋଠାରେ ? ବାଃରେ କୃତଘ୍ନ । ମୋତେ ଶତଧିକ୍ ଯେ ମୁଁ ତୋତେ ମୋର ଦୁଗ୍ଧ ପାନ କରାଇ ବଡ଼କଲି । ତୋଭଳି ଦଶ କୋଡ଼ିଏ ରାଜା ଗଢ଼ିବା ଭାଙ୍ଗିବା ଯାହାଙ୍କ ହାତର ଖେଳ, ସେ ପୁଣି ତୋ ସାଙ୍ଗେ ବିଶ୍ୱାସଘାତକତା କରିବେ ! ଯାହାର ଯଶୋଗାଥା ମାରୱାଡ଼୍‌ର ପ୍ରତିଟି ଶିଶୁ ମୁଖରେ ଉଚ୍ଚାରିତ, ଯିଏ ନିଜର ଜୀବନକୁ ଯଜ୍ଞକରି ମାଂସପିଣ୍ଡୁଳାଟାକୁ ଅଜିତ ସିଂହକରି ଗଢ଼ି ତୋଳିଲା, ତାକୁ ରାଜାକଲା, ସେ ପୁଣି ତୋ ସଙ୍ଗେ ବିଶ୍ୱାସଘାତକତା କରିବ ।’

 

‘କିନ୍ତୁ ଧାଈମା, ମୁଁ ରାଜା ଏବଂ ମୋ ରାଜ୍ୟରେ ମୋରି ଆଦେଶ ସର୍ବୋପରି ପାଳିତ ହେବ ।’

 

‘ବାଃରେ ରାଜା ! ତାହାହେଲେ ଏ ଚାକରାଣୀଟାକୁ ମଧ୍ୟ ଏଇଲେ ରାଜମହଲରୁ ତଡ଼ିଦେ । ଏଇଲେ ତା’ର ଆଉ ଏଠାରେ କି କାମ ଅଛି ?’

 

‘ଧାଈମା ।’

 

‘ରାଜା ! ମହାରାଜ । ୟେ ଧାଈମା କିଏ ? ନିଜ ପୁତ୍ରକୁ ବଳିଦେଇ ସାପଟାକୁ ଦୁଧଦେଇ ପାଳି ବଡ଼ କରିଥିବା ଏ ଅଧମ ଆଜି କିଏ ! ମୋର ଅଭାଗା ପୁତ୍ର ଧର୍ମ ହରାଇ ମାତୃସ୍ନେହ ହରାଇ ବଞ୍ଚି ରହିଲାନି । ସେଇ ପାପର ପ୍ରାୟଶ୍ଚିତ୍ତ କରିବାପାଇଁ ମୁଁ ଭିକମାଗି ବୁଲିବି ।’

 

‘ଧାଈମା ଶୁଣ, ଶୁଣ–

 

‘ଚୁପ୍‌ କୃତଘ୍ନ, ରାଜପୁତ କୁଳ–କଳଙ୍କ । ରାଠୋର ହୃଦୟର ରାଜା ଓ ଦୁର୍ଗା ଦାସ, ସେ ଯେଉଁଠି ମୁଁ ମଧ୍ୟ ସେଇଠି । ତାଙ୍କରି ଆଜ୍ଞାରେ ମୁଁ ନିଜ ପୁଅର ପ୍ରାପ୍ୟ ତୋତେ ଦେଇ ଏଡ଼ୁଟିରୁ ଏଡ଼ୁଟିଏ କରିଥିଲି । ଏବେ ତୁ ରାଜା ହୋଇ ମାତୃପିତୃ ତୁଲ୍ୟ ଗୁରୁଙ୍କୁ ଆଦେଶ ଜାରି କରିବୁ, ବିଶ୍ୱାସଘାତକ ବୋଲି କହିବୁ । ମାରୱାଡ଼୍‌ ରାଜଲକ୍ଷ୍ମୀକୁ ତୋ ଭଳି ସ୍ୱାମୀ ମିଳିଲା, ହାୟରେ ଦୁର୍ଭାଗ୍ୟ ।’ ଏହାକହି ପ୍ରଖର ବେଗରେ ଧାଈମା ଚାଲିଗଲେ ।

 

ବତ୍ରିଶ

 

ଯୋଧପୁର ନିକଟସ୍ଥ ପାର୍ବତ୍ୟ ପ୍ରଦେଶରେ ଭୈରବଜୀଙ୍କ ପ୍ରସିଦ୍ଧ ମନ୍ଦିରରେ କେତେଜଣ ସର୍ଦାର ଏକାଠି ହୋଇ କଥାଭାଷା ହେଉଥିଲେ ।

 

ଯୋଗୀଦାସ କହିଲେ–‘ଏହା ସେନାପତିଙ୍କର ଅପମାନ ନୁହେଁ, ଆମ ସମସ୍ତଙ୍କର ଅପମାନ ।’

 

ରାୟ ଭଗବାନ ଦାସ କହିଲେ,–‘ଆମେ ଏହା ସହ୍ୟ କରିପାରୁନୁ । ଆମେ ରାଜ୍ୟର ଚାକର ନୋହୁଁ, ସେବକ ଅଟୁ ।’

 

ମହାସିଂହ କହିଲେ–‘ଯଦି ଆଜି ବୀରଶ୍ରେଷ୍ଠ ଦୁର୍ଗା ଦାସଙ୍କୁ ବିତାଡ଼ିତ କରାଗଲା, କାଲି ଆମ ପାଳି ମଧ୍ୟ ପଡ଼ିପାରେ ।’

 

ଗୋବିନ୍ଦ ଦାସ କହିଲେ–‘ରାଜାର ଅର୍ଥ ପ୍ରଜାନୁରଞ୍ଜନ, ଜନମତକୁ ସମର୍ଥନ ଦେବା । ଏଇ ଗୁଣରୁ ବଞ୍ଚିତ ହୋଇ ରାଜା, ରାଜା ପଦବାଚ୍ୟ ନୁହେଁ । ରାଜା କୌଣସି ବ୍ୟକ୍ତିର ନାମ ନୁହେଁ–ଏହା ନିଜ ସ୍ୱୀକୃତିରେ ରାଷ୍ଟ୍ର ସ୍ଥାପନା କରୁଥିବା ମହାସତ୍ୟ ଅଟେ । ରାଜାର ଶରୀର କେବଳ ଏହାର ମାଧ୍ୟମ । କୁପାତ୍ରକୁ ମାଧ୍ୟମ କରୁଥିବା ମାଧ୍ୟମକୁ ନଷ୍ଟ କରିଦିଆଯିବା ଉଚିତ ।’

 

ଏହାଶୁଣି ମୁକୁନ୍ଦ ଦାସ କହିଲେ–

 

‘ଏହିପରି ଅନେକ ରାଜା ଗଢ଼ିବା, ଭାଙ୍ଗିବା ଆମର ବାମ ହାତର ଖେଳ । ମନେରଖ, ଯଦି ଉଦୟପୁର ରାଜକୁମାରୀଙ୍କୁ ରାଜଲକ୍ଷ୍ମୀ କରାନଯାଏ ତେବେ ମାରୱାଡ଼୍‌ର ଘୋର ଅହିତ ହେବ-।’

 

‘ମହାରାଜ ଶିକାର ଖେଳିବାକୁ ଯାଇଛନ୍ତି, ତାଙ୍କୁ ଅଟକାଇବାକୁ ପଡ଼ିବ ।’

 

‘ଆଉ ସେନାପତିଙ୍କ ଅପମାନର କାରଣ ପଚରାଯିବ ।’

 

‘ଆଉ ଉଦୟପୁର ରାଜକୁମାରୀଙ୍କ ସହ ବିବାହ କରିବା ସ୍ୱୀକୃତି ଆଦାୟ କରାଯିବା ଉଚିତ ।’

 

ମୁକୁନ୍ଦ ଦାସ ତରବାରି ଝିଙ୍କି କହିଲେ–‘ନୋହିଲେ ଏଇ ହାତରେ ପାଳିପୋଷି ବଡ଼ କରିଥିବା ରାଜାଙ୍କୁ ଏଇ ହାତରେ ବଧ କରିଦେବା ଉଚିତ ।’

 

‘ଆମେ ସମସ୍ତେ ଭୈରବଙ୍କ ସମ୍ମୁଖରେ ଶପଥ କରୁଛୁ ସ୍ୱେଚ୍ଛାଚାରୀ ହେବାକୁ ରାଜାଙ୍କୁ ପ୍ରଶ୍ରୟ ଦେବୁନାହିଁ ।’

 

‘ଏଇ ଶୁଣନ୍ତୁ, ଘୋଡ଼ାର ଟାପୁ ଶବ୍ଦ ଶୁଭୁଛି, ମହାରାଜ ଆସିଗଲେ । ସମସ୍ତେ ପ୍ରସ୍ତୁତ ହୋଇଯାଅ ।’

 

ମୁକୁନ୍ଦ ଦାସ କହିଲେ–‘ଆମମାନଙ୍କ ମଧ୍ୟରେ ଜଣେ ମୁଖିଆ ହୋଇ କଥାଭାଷା କରୁ । ମୋ ମତରେ ରାୟ ଭଗବାନ ଦାସ ଏଥିପାଇଁ ସୁଯୋଗ୍ୟ ବ୍ୟକ୍ତି ।’

 

‘ଠିକ୍‌ ଅଛି ! ମୁଁ ଭଗବାନ ଦାସ ଏଥିପାଇଁ ମୁଖିଆ ହେଲି ।’

 

ଅଜିତ ସିଂହ କେତେଜଣ ଅନୁଚରଙ୍କ ସହ ଏଇଆଡ଼େ ଆସୁଥିଲେ । ମନ୍ଦିର ନିକଟ ହେବା ଦେଖି ଜଣେ ଅନୁଚର କହିଲା–‘ଏଇଟା ଚାମୁଣ୍ଡାଙ୍କ ଆସ୍ଥାନ, ମହାରାଜ ଟିକିଏ ଶୀତଳ ଛାଇରେ ବସି ସୁସ୍ଥ ହୁଅନ୍ତୁ, ଘୋଡ଼ାମାନେ ଥକି ଯାଇଛନ୍ତି ।’

 

ଅଜିତ ସିଂହ ମଧ୍ୟ ଥକି ଯାଇଥିଲେ–‘କହିଲେ ଭଲକଥା, ତୁମମାନଙ୍କ ମଧ୍ୟରୁ ଜଣେ ଗଛ ଛାଇରେ ଘୋଡ଼ାମାନଙ୍କ ଦେଖାଶୁଣା କର, ମୁଁ ମନ୍ଦିରରେ ବିଶ୍ରାମ ନେବି ।’

 

ଅଜିତ ସିଂହ ଘୋଡ଼ାରୁ ଓହ୍ଲାଇ ମନ୍ଦିର ଭିତରକୁ ଆସି ଅନେକ ସର୍ଦାରଙ୍କୁ ଏକତ୍ରିତ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘ଆପଣମାନେ ଏଠାରେ କ’ଣ କରୁଛନ୍ତି ?’

 

ରାୟ ଭଗବାନ ଦାସ ଉତ୍ତର ଦେଲେ–‘ମହାରାଜାଙ୍କ ସମ୍ବନ୍ଧରେ ପରାମର୍ଶ କରୁଛୁ ।’

 

‘ମୋ ସମ୍ବନ୍ଧରେ ? କି ପରାମର୍ଶ, କିଛି ଷଡ଼ଯନ୍ତ୍ର ନୁହେଁ ତ ?’

 

‘ଷଡ଼ଯନ୍ତ୍ର ଅଥବା ରାଜଦ୍ରୋହ, ମହାରାଜ ଯାହା ବୁଝିପାରନ୍ତି ।’

 

‘ଟିକିଏ ଶୁଣେ, କେମିତିକା ପରାମର୍ଶ ?’

 

‘ମହାରାଜ, ଏଇ ସର୍ଦାରମାନେ ଜାଣିବାକୁ ଚାହାଁନ୍ତି ଯେ ସେନାପତି ଦୁର୍ଗାଦାସଙ୍କୁ ଆପଣ ଦେଶରୁ ବାହାର କରିଦେଲେ କାହିଁକି ?’

 

‘ମୁଁ ରାଜା ଦେଶର ସ୍ୱାମୀ ! ମୋଠାରୁ ଉତ୍ତର ତଲବ କରିବାରେ ଆପଣଙ୍କର କି ଅଧିକାର ଅଛି ?’

 

‘ପ୍ରଜାଠାରୁ ନଗଣ୍ୟ ପ୍ରଜାଟିଏର ମଧ୍ୟ ଏଇ ଅଧିକାର ଅଛି ମହାରାଜ । ଭଗବାନ ଶ୍ରୀରାମଚନ୍ଦ୍ର ଧୋବଣୀ ଲାଞ୍ଛନାଠାରୁ ରକ୍ଷା ପାଇବାପାଇଁ ନିର୍ଦ୍ଦୋଷୀ ସୀତାଙ୍କୁ ମଧ୍ୟ ତ୍ୟାଗ କରିଦେଇଥିଲେ ।’

 

‘କିନ୍ତୁ ମୁଁ ଶ୍ରୀରାମଚନ୍ଦ୍ର ନୁହେଁ ମୁଁ ଅଜିତ ସିଂହ ।’

 

‘ଏହା ଆମେ ଜାଣୁ ମହାରାଜ, ସେଥିପାଇଁ ମହାରାଜାଙ୍କର ଭୁଲ୍‌ ହୋଇଛି ।’

 

‘ମୋରି ଦାନ ପାଇ ଜାଗିରି ଭୋଗ କରୁଥିବା ଆପଣମାନେ ମୋରି ଅପମାନ କରୁଛନ୍ତି-।’

 

‘ନାଇଁ ମହାରାଜ ! ସବୁବେଳ ପରି ବର୍ତ୍ତମାନ ମଧ୍ୟ ଅପମାନରୁ ଆପଣଙ୍କୁ ରକ୍ଷା କରିବାପାଇଁ ଆମେମାନେ ସଚେଷ୍ଟ । ଆପଣଙ୍କ ଜାଗିରି ରହିଲା, ଏଗୁଡ଼ାକ ଆମକୁ ବଡ଼ କଷ୍ଟବୋଧ ହେଉଛି । ଆମ ପୂର୍ବପୁରୁଷଙ୍କ ପ୍ରାଣ ବଦଳରେ ସେଗୁଡ଼ାକ ଆମେ ପାଇଛୁ, ସେଗୁଡ଼ାକ ପାଇଁ ଆମେମାନେ ପାଣି ପରି ରକ୍ତନଦୀ ବୁହାଇ ଦେଇଛୁ ।

 

‘ମୁଁ ସମସ୍ତଙ୍କ ଜାଗିରି ଜବତ କରି ରାଜ୍ୟକୁ ବହିଷ୍କାର କଲି ।’

 

ମୁକୁନ୍ଦଦାସ ତରବାରି ଝିଙ୍କି କହିଲେ–ତରବାରି ଆମ ହାତରେ ଥିବା ପର୍ଯ୍ୟନ୍ତ ଏହା ଅସମ୍ଭବ ମହାରାଜ ! ଆମେ ଆପଣଙ୍କୁ ଗାଦିଚ୍ୟୁତ କରିବୁ ।’

 

ଅଜିତ ସିଂହ କ୍ରୋଧରେ ସିପାହୀମାନଙ୍କୁ ଆଦେଶ ଦେଲେ–‘ଏ ସର୍ଦାରମାନଙ୍କୁ ଗିରଫ୍ କରିନିଅ ।’

 

ମୁକୁନ୍ଦ ଦାସ ଗର୍ଜିଉଠି କହିଲେ–‘ସର୍ଦାରଗଣ ! ଏଇ କୃତଘ୍ନ ରାଜାଠାରୁ ଅସ୍ତ୍ର ଛଡ଼ାଇ ନିଅ ।’

 

ଏହାଶୁଣି ସବୁ ସର୍ଦାର ତରବାରି କୋଷମୁକ୍ତ କରି ଅଜିତ ସିଂହଙ୍କୁ ଘେରିଗଲେ । ଏହା ଦେଖି ରାୟ ଭଗବାନ ଦାସ କହିଲେ–‘ସର୍ଦାରଗଣ ! ଆପଣମାନେ ମୋତେ ପ୍ରତିନିଧି କରିଛନ୍ତି । ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନେ ଶାନ୍ତ ହୁଅନ୍ତୁ । ମୋତେ ମହାରାଜାଙ୍କୁ ପ୍ରଶ୍ନ କରିବାକୁ ଦିଅନ୍ତୁ-।’

 

ଯୋଗୀ ଦାସ ସମସ୍ତଙ୍କୁ ଶାନ୍ତ କରୁ କରୁ କହିଲେ–‘ଶାନ୍ତ ହୁଅନ୍ତୁ ! ଭଗବାନ ଦାସହିଁ କହିବେ ।’

 

ରାୟ ଭଗବାନ ଦାସ ଅଜିତ ସିଂହଙ୍କୁ କହିଲେ–‘ମହାରାଜ ! ଏଠାକୁ ବିରାଜମାନ ହୁଅନ୍ତୁ ଏବଂ ଦୟା କରି ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ।’

 

ଅଜିତ ସିଂହ ବସି ପଡ଼ି କହିଲେ–‘ପଚାରନ୍ତୁ ।’

 

‘ଆପଣ କାହାର ରାଜା ?’

 

‘ମୁଁ ଆପଣମାନଙ୍କର, ମାରୱାଡ଼୍‌ର ରାଜା ।’

 

‘ଯଦି ଆମେ ନଥିବୁ, କି ମାରୱାଡ଼୍‌ ନଥିବ ତେବେ ଆପଣ କାହାର ରାଜା ?’

 

‘ଏହାର ଅର୍ଥ କ’ଣ ? ମୁଁ ମାରୱାଡ଼୍‌ ଅଧିଶ୍ୱର ଯଶୋବନ୍ତ ସିଂହଙ୍କ ପୁତ୍ର, ମାରୱାଡ଼୍‌ର ପ୍ରକୃତ ରାଜା ।’

 

‘କିନ୍ତୁ ମହାରାଜ ଆପଣଙ୍କୁ ଆମେ ଶତ୍ରୁ ନିକଟରୁ ରକ୍ଷା କରି ନିଜର ରକ୍ତ ବିନିମୟରେ ରାଜା କଲୁ–ଏହା ତ ସତ୍ୟ !’

 

‘ଏହା ସତ୍ୟ ! ଏହା ଆପଣଙ୍କର କର୍ତ୍ତବ୍ୟ ଥିଲା । ଆପଣମାନେ ଏ ରାଜ୍ୟର ସେବକ ଅଟନ୍ତି ।’

 

‘ଆଉ ଆପଣ ଆମମାନଙ୍କର ସର୍ଦାର ଅଟନ୍ତି, ସବୁଠାରୁ ବଡ଼ ସେବକ । ମାରୱାଡ଼୍‌ ରାଜ୍ୟ ଓ ତାହାର ପ୍ରତିଷ୍ଠା ଆମର ଓ ଆପଣଙ୍କର କର୍ତ୍ତବ୍ୟ ଅଟେ ନୁହେଁ ?’

 

‘ହଁ ।’

 

‘ତାହାହେଲେ କୁହନ୍ତୁ ଏ ରାଜ୍ୟର ରକ୍ଷା କୀର୍ତ୍ତିର ମହାନ୍‌ ସ୍ତମ୍ଭ ଦୁର୍ଗା ଦାସଙ୍କୁ ତିରସ୍କାର କଲେ କାହିଁକି ? ସେ କି ଦୋଷ କରିଥିଲେ ଯାହାପାଇଁ ମାରୱାଡ଼୍‌ର ପ୍ରତିଷ୍ଠା ଓ ସମ୍ମାନରେ ଆଞ୍ଚ ଆସିଲା ।’

 

‘ସେ ମୋ ବିନା ଅନୁମତିରେ ଶାହାଜାହୀଙ୍କୁ ବାଦଶାହାଙ୍କ ପାଖକୁ ପଠାଇଦେଲେ ।’

 

‘ରେଜିୟା ପ୍ରତି ଆପଣଙ୍କର କି ଅଧିକାର ଥିଲା ? ଶାହାଜାଦା ଆକବର ନିଜ ପରିବାରକୁ ଦୁର୍ଗା ଦାସଙ୍କ ମାର୍ଫତ୍‍ରେ ଛାଡ଼ି ଯାଇଥିଲେ, ତେଣୁ ସେ ଯାହା ଉଚିତ ତାହାକଲେ । ପୁଣି ଏହି କାର୍ଯ୍ୟ ମାରୱାଡ଼୍ ପ୍ରତିଷ୍ଠାପାଇଁ କରିଛନ୍ତି, ନିଜର ବ୍ୟକ୍ତିଗତ ସ୍ୱାର୍ଥସାଧନ ପାଇଁ ନୁହେଁ ।’

 

‘ଏଥିରେ ମାରୱାଡ଼୍‌ର ପ୍ରତିଷ୍ଠା କଥା କ’ଣ ଥିଲା ?’

 

‘ମହାରାଜ, ରେଜିୟାକୁ ବିବାହ କରିବାକୁ ଚାହୁଁଥିଲେ ନା ।’

 

‘ହଁ, କିନ୍ତୁ ଏହା ମୋର ବ୍ୟକ୍ତିଗତ ମାମଲା, ମାରୱାଡ଼୍‌ ଶାସନ ସଙ୍ଗେ ଏହାର କିଛି ସମ୍ପର୍କ ନଥିଲା ।’

 

‘କ୍ଷମା କରିବେ ମହାରାଜ, ଏଇଟା ଆପଣଙ୍କର ଭୁଲ୍‌ ଥିଲା । ରାଜାର ନିଜର ବ୍ୟକ୍ତିତ୍ୱ ନଥାଏ । ତା’ର ପ୍ରତିଟି କେଶ ମଧ୍ୟ ବିକ୍ରି ହୋଇ ଯାଇଥାଏ, ରାଷ୍ଟ୍ରର ଅସ୍ତିତ୍ୱ ସଙ୍ଗେ ନିଜର ଅସ୍ତିତ୍ୱ ମିଶାଇ ଦେବାକୁ ପଡ଼େ । ମୁଁ ଭଗବାନ ରାମଚନ୍ଦ୍ରଙ୍କର ଦୃଷ୍ଟାନ୍ତ ଦେଇଥିଲି ନା ।’

 

‘ମୁଁ ମଧ୍ୟ କହିଥିଲି ନା ମୁଁ ରାମଚନ୍ଦ୍ର ନୁହେଁ ।’

 

‘ଆପଣ ସତକଥା କହିଥିଲେ ମହାରାଜ । ଆପଣ ରାମଚନ୍ଦ୍ରଙ୍କ ପାଦଧୂଳି ସଙ୍ଗେ ସମାନ ନୁହନ୍ତି । ତାଙ୍କର ତ୍ୟାଗ ଓ ଆଦର୍ଶକୁ ଆପଣ ଶିକ୍ଷା କରିବା ଉଚିତ ।’

 

‘ତାହାହେଲେ ଆପଣମାନେ ଶିକ୍ଷା ଦେବାକୁ ଚାହାଁନ୍ତି ?’

 

‘କ୍ଷତି କ’ଣ ? ଯଦି ଆମଦ୍ୱାରା କିଛି ଲାଭ ହେଉଥାଏ ତେବେ ଆମେ କୃତ୍ୟକୃତ୍ୟ ହୋଇଯିବୁ । ଶେଷରେ ବୟୋବୃଦ୍ଧ ହେବା ଯୋଗୁଁ ଏହା ଆମର ପବିତ୍ର କର୍ତ୍ତବ୍ୟ ବୋଲି ଧରିନେଇଛୁ ।’

 

‘ଆପଣମାନେ କ’ଣ ଚାହାନ୍ତି ସ୍ପଷ୍ଟ କୁହନ୍ତୁ ।’

 

‘ଏଇଆ ଯେ ଆପଣ ଦୁର୍ଗା ଦାସଙ୍କୁ କ୍ଷମା ପ୍ରାର୍ଥନାକରି ଉଦୟପୁର ରାଜକୁମାରୀଙ୍କ ପାଣିଗ୍ରହଣ କରନ୍ତୁ ।’

 

‘ମୁଁ କ୍ଷମା ମାଗିବି ନାହିଁ ଓ ରେଜିୟାକୁହିଁ ବିବାହ କରିବି ।’ ‘ଆପଣ କେବେ କରିପାରିବେ ନାହିଁ ।’

‘କହିଦେଲି ଏହା ମୋର ବ୍ୟକ୍ତିଗତ ବ୍ୟାପାର ।’

‘ଆମ୍ଭେ ମଧ୍ୟ କହୁଛୁ ଏହା ମାରୱାଡ଼୍‌ ସ୍ୱାର୍ଥର ମାମଲା, ମୋଗଲ କନ୍ୟାର ଗର୍ଭ ସମ୍ଭୂତ ସନ୍ତାନ ମାରୱାଡ଼୍‌ର ଅଧିକାର ହୋଇପାରେନା, ଏଥିପାଇଁ ସିସୋଦ୍ୟା ବଂଶର ରାଜଲକ୍ଷ୍ମୀ ଦରକାର, ବୁଝିଲେ ମହାରାଜ !’

ଅଜିତ ସିଂହ ତରବାରି ଖୋଲି ସାମନାରେ ଥୋଇଦେଇ କହିଲେ ମୁଁ ରାଜା ହେବାକୁ ଚାହେଁନା, ମୁଁ ରେଜିୟାକୁ ଛାଡ଼ିପାରେନା ।’

ଯୋଗୀଦାସ ରୁଦ୍ଧ କଣ୍ଠରେ କହିଲେ–‘ଜୀବନର ସର୍ବୋତ୍ତମ ଅଂଶ ଯୁଦ୍ଧରେ ଅତିବାହିତ କରି ଏ ରାଜ୍ୟ ପାଇଲୁ । ସଦାବେଳେ ରାଷ୍ଟ୍ର ସ୍ୱାର୍ଥପାଇ ଆମେ ବଳିଦାନ ଦେଇଛୁ । ପ୍ରତିଟି ସ୍ୱେଦବିନ୍ଦୁ ବିନିମୟରେ ରକ୍ତ ଝରାଇଛୁ ଓ ଝରାଇବୁ ମଧ୍ୟ । ମହାରାଜ ବର୍ତ୍ତମାନ ଆପଣଙ୍କର ଆତ୍ମ ବଳିଦାନର ସମୟ ପହଞ୍ଚି ଯାଇଛି । ଆପଣ ଯଦି ବର୍ତ୍ତମାନ ପଛେଇଯିବେ ତାହାହେଲେ ମାରୱାଡ଼୍‌ର ମାନସମ୍ଭ୍ରମ ନଷ୍ଟ ହୋଇଯିବ । ଆପଣ ଜିଦ୍‌ କରନ୍ତୁ ନାହିଁ ମହାରାଜ, ଆମମାନଙ୍କର ଅନୁରୋଧ ସ୍ୱୀକାର କରିନିଅନ୍ତୁ ।’

ନିଜର ବୟୋବୃଦ୍ଧ ସର୍ଦାରଙ୍କ ଏଇ ଭାବ ଦେଖି ଅଜିତ ସିଂହଙ୍କ ଚକ୍ଷୁରେ ଲୋତକ ଜକେଇ ଆସିଲା । ସେ ନିଜର ଭୁଲ୍‌ ବୁଝିପାରି କହିଲେ–‘ଠିକ୍‌ ଅଛି ମୁଁ ଆତ୍ମବଳି ଦେବି । ସର୍ଦାରଗଣ ! ମୋତେ କ୍ଷମା କରନ୍ତୁ । ମୁଁ ବଡ଼ ସ୍ୱାର୍ଥପର ଓ ଲୋଭୀ ।’

ରାୟ ଭଗବାନ ଦାସ କହିଲେ–‘ମହାରାଜ ଏଥିରେ ଆପଣଙ୍କର ଦୋଷ ନାହିଁ । ଏହା ବୟସର କରାମତି । ରାଜନୀତିତ ଏହିପରି ଜଟିଳ ମହାରାଜ । ରାଜା ବଜ୍ରଠାରୁ କଠିନ ଏକ ଅଦୃଶ୍ୟ ଶକ୍ତି ଅଟେ ମହାରାଜ । ଏ ଶରୀର ତାହାର ପ୍ରତିବିମ୍ବ ମାତ୍ର । ତରବାରି ଅଣ୍ଟାରେ ବାନ୍ଧି ନିଅନ୍ତୁ ମହାରାଜ । ଏଇ ତରବାରିକୁ କେନ୍ଦ୍ର କରି ଆଜି ନଅ ଲକ୍ଷ ରାଠୋର ଜୀବିତ ଅଛନ୍ତି, ରହିବେ ଓ ମରିବେ ମଧ୍ୟ ।’ ଏହା କହି ଭଗବାନ ଦାସ ଅଜିତ ସିଂହଙ୍କ ଅଣ୍ଟାରେ ତରବାରି ବାନ୍ଧି ଦେଲେ ଏବଂ ଜୟ ଘୋଷ କଲେ ‘ଜୟ ମରୁଧରାଧୀଶ ଅଜିତ ସିଂହଙ୍କର ଜୟ ।’ ସମସ୍ତେ ସ୍ୱର ମିଳାଇଲେ ।

 

ତେତିଶ

 

ସବୁସର୍ଦାରଙ୍କ କହିବା ଅନୁସାରେ ଅଜିତ ସିଂହ ଚନ୍ଦ୍ରକୁମାରୀଙ୍କୁ ବିବାହ କଲେ । ମାତ୍ର ସେ ନିଜ ମନରୁ ରେଜିୟାର ସ୍ମୃତି ଫୋପାଡ଼ିଦେଇ ପାରିଲେ ନାହିଁ । ଭଗ୍ନହୃଦୟରେ ଅବଶ୍ୟ ସେ ଚନ୍ଦ୍ରକୁମାରୀଙ୍କୁ ଆଦର କରୁଥିଲେ । ଏକାକୀ ବସି ସେ ଚିନ୍ତା କରୁଥିଲେ–‘ଆତ୍ମବଳିଦାନ ପୂର୍ଣ୍ଣାହୂତି ସମାପ୍ତ, ବିବାହ ହେଲା, କିନ୍ତୁ ହୃଦୟ ଅସ୍ଥିର । ଏହାକୁ ଦିନେ ଶାନ୍ତ କରିବାକୁ ହେବ ।’

 

ତାଙ୍କ ଚିନ୍ତାରେ ବାଧାଦେଇ ଚନ୍ଦ୍ରକୁମାରୀ ପଶିଆସିଲେ । ରାଜା ତାଙ୍କୁ କହିଲେ–‘ଯୋଧପୁର ରାଜଭବନରେ ମୁଁ ତୁମର ସ୍ୱାଗତ କରୁଛି ମହାରାଣୀ ! ଆଜି ସମସ୍ତ ମାରୱାଡ଼୍‌ର ତୁମେ ସ୍ୱାମୀନୀ ।’

 

‘ମୋର ଏଡ଼େ ଭାଗ୍ୟ ମହାରାଜ ! କିନ୍ତୁ ମାରୱାଡ଼୍‌ର ସ୍ୱାମୀ ଆପଣହିଁ ମହାରାଜ ।’

 

‘ପୂର୍ବରୁ ଥିଲି କିନ୍ତୁ ଏବେ ନୁହେଁ ।’

 

ରାଣୀ ହସି କହିଲେ–‘ମାରୱାଡ଼୍‌ ସ୍ୱାମୀନୀଙ୍କର ସ୍ୱାମୀ ।’

 

‘ନାଇଁ ଦେବୀ ! ମାରୱାଡ଼୍‌ ସ୍ୱାମୀନୀଙ୍କର ଜଣେ ସେବକ ମାତ୍ର ।’

 

‘ବୋଧହୁଏ ସ୍ୱେଚ୍ଛାସେବକ ।’

 

‘ସ୍ୱେଚ୍ଛାସେବକ ! କେମିତି ମହାରାଣୀ ।’

 

‘ଯେବେ ଇଚ୍ଛା ହେଲା ସେବା କଲେ, ନ କଲେ ମଧ୍ୟ ଚଳିବ ।’

 

‘ଏମିତି କାହିଁକି କହୁଛ ପ୍ରିୟେ ?’

 

‘ଅନୁମାନ କରି, ଗୋଟାଏ କଥା ପଚାରିବି ?’

 

‘ପଚାର ।’

 

‘ମହାରାଜ ମଧ୍ୟ ଆଉ କାହାର ସେବକ ଅଟନ୍ତି ?’

 

‘ଦେଶର, ଜନ୍ମଭୂମିର ଓ ଆଉ ଏ ତରବାରିର ।’

 

‘ଆଉ ମୋଗଲ ଶାହାଜାଦୀର ନୁହଁନ୍ତି !’

 

‘କେଉଁ ମୋଗଲ ଶାହାଜାଦୀ ?’

 

‘ସେଇ, ଯିଏ ଫୁଲରେ ଫୁଲ କରି ମହାରାଜାଙ୍କ ନାଆଁ ଲେଖୁଥିଲା ।’

 

‘କିଏ ରେଜିୟା, ସେ କ’ଣ ଏଭଳି କରୁଥିଲା ମହାରାଣୀ ?’

 

‘ତା’ର ଜୀବନ ମହାରାଜାଙ୍କ ସହିତ ଓତପ୍ରୋତଭାବେ ଜଡ଼ିତ । ମହାରାଜ ମଧ୍ୟ ସେଥିରେ ସଦାବେଳେ ମଗ୍ନ ।’

 

‘ମହାରାଣୀ, ସେ ତୁମକୁ କିଛି କହିଥିଲା ?’

 

‘ନାଇଁ କିଛିଦିନ ପାଇଁ ମୋ ସଙ୍ଗେ ସେ ରହିଥିଲା, ଏ ଦାସୀ ଏଇ ଅନ୍ତଃପୁରକୁ ଆସିବାଜାଣି ସରଳା ଶାହାଜାଦୀ ତା’ର ହୃଦୟରେ ଗଣ୍ଠି ଖୋଲି ଦେଇଥିଲା, ତା’ର ପ୍ରତିଟି ଲୋମକୂପରେ ଆପଣଙ୍କ ସ୍ମୃତି ଥିଲା, ଆପଣ ବଡ଼ ଭୁଲ୍‌ କଲେ ମହାରାଜ !’

 

‘କି ଭୁଲ୍‌ ମହାରାଣୀ !’

 

‘ଆପଣ ତାକୁ ବିବାହ କରିବାର ଥିଲା । ଆପଣ ମୋତେ ଛଳନା କଲେ ଚିନ୍ତା ନାହିଁ । ଆତ୍ମବଳି ଦାନରେହିଁ ସ୍ତ୍ରୀ ଜନ୍ମ ସାର୍ଥକ ହୁଏ ଓ ସେହି ଆତ୍ମବଳିଦାନରେ ମୋତେ ସୁଖ ସନ୍ତୋଷ ମିଳିଲା । କିନ୍ତୁ ଆପଣ ନିଜକୁ ନିଜେ ଛଳନା କଲେ । ହୃଦୟର ଶୂନ୍ୟ ସିଂହାସନର ପାବଚ୍ଛ ଉପରେ ଆପଣ ଏଇ ଦାସୀକୁ ଆଣି ଛିଡ଼ା କଲେ, ବର୍ତ୍ତମାନ ସେ କାହାର ସେବା କରିବ ମହାରାଜ !’

 

‘ସେବା କାହିଁକି କହୁଛ ପ୍ରିୟେ ? ତୁମେ ଏଇ ସିଂହାସନର ରାଣୀ !’

 

‘ନାଇଁ ନାଥ ! ଏ ବିଷୟରେ ସ୍ତ୍ରୀମାନେ କେବେହେଲେ ଠକି ଯାଇପାରନ୍ତିନି । ଆପଣଙ୍କ ହୃଦୟରେ ଘୂରି ବୁଲୁଥିବା ରେଜିୟା ମୋତେ ଜଳଜଳ କରି ଦିଶି ଯାଉଛି ।’

 

‘ପ୍ରିୟେ ତୁମର ଅନୁମାନ ଠିକ୍‌ ହେଲେ ମଧ୍ୟ ପ୍ରକୃତ ସ୍ୱାମୀ ଭଳି ମୁଁ ତୁମ ପ୍ରତି କର୍ତ୍ତବ୍ୟ ପାଳନ କରିଯିବି, ସମଗ୍ର ମାରୱାଡ଼୍‌ ତୁମର ହୋଇ ରହିବ ।’

‘ସ୍ତ୍ରୀପାଇଁ ନଗଣ୍ୟ ରାଜ୍ୟ ଆବଶ୍ୟକ ନାହିଁ, ସେ ଯାହା ଚାହେଁ ତାହା ହଜାରେ ରାଜ୍ୟଠାରୁ ବଳି ସ୍ୱାମୀ !’

‘ସେଇଟା କ’ଣ ପ୍ରିୟେ ?’

‘ପତିର ହୃଦୟ ।’

‘ସେ ମଧ୍ୟ ତମର ପ୍ରିୟେ ।’

‘ବାରମ୍ବାର ଆତ୍ମ ପ୍ରତାରଣା କେଉଁଥିପାଇଁ ସ୍ୱାମୀ ?’

‘ସତ ମଣ ପ୍ରିୟେ । ମୁଁ ରେଜିୟାକୁ ସମ୍ପୂର୍ଣ୍ଣ ଭୁଲି ଯାଇ ତୁମକୁ ପ୍ରାଣ ଭରି ଭଲ ପାଇବାକୁ ଚାହେଁ । କିନ୍ତୁ ଯେପରି ଛାଇ ଭଳି ସେ ସଦାବେଳେ ମୋ ପଛରେ ଘୂରି ବୁଲୁଛି । ମହାରାଣୀ ମୋତେ ଶକ୍ତି ଦିଅ, ତୁମ ଜୀବନରେ ସାଥୀ, ପତି, ସେବକ ହେବାପାଇଁ ସାହାଯ୍ୟ ଦିଅ-।’

‘ନାଥ, ମୁଁ ଜଣେ ଅବଳା ନାରୀ, ସର୍ବୋପରି ଆପଣଙ୍କୁ ମୁଁ ଇହ ପରକାଳର ଦେବତା ମନେକରେ । ଆପଣ ପତି, ବୀର ପୁରୁଷ ଅଟନ୍ତି । ମୋର ଅପୂର୍ଣ୍ଣ ନାରୀତ୍ୱକୁ ପୂର୍ଣ୍ଣ କରିବେ ସ୍ୱାମୀ, ଏଇ ଆଶା ରଖୁଛି ।’

 

ଅଜିତ ସିଂହ ରାଣୀଙ୍କୁ ଜଡ଼ାଇ ଧରି କହିଲେ–‘ମହାରାଣୀ, ପ୍ରକୃତରେ ତୁମକୁ ପାଇ ଧନ୍ୟ ହେଲି ।’

 

କିଛିଦିନ ସ୍ୱାମୀ ସଙ୍ଗେ ରହିସାରି ଚନ୍ଦ୍ରକୁମାରୀ ପିତ୍ରାଳୟ ଉଦୟପୁର ଚାଲିଗଲେ । ସେଠାରେ ସେ ବିଗତ କଥା ସବୁ ଭାବୁଥିଲେ । ସ୍ୱାମୀଙ୍କ ହୃଦୟରୁ ରେଜିୟାକୁ ଦୂର କରାଯାଇପାରିବ ନାହିଁ । ଚନ୍ଦ୍ରକୁମାରୀ ସେଇ ଶିଳା ଉପରେ ଆସି ବସନ୍ତି ଯେଉଁଠି ରେଜିୟା ଫୁଲରେ ଫୁଲ କରୁଥିଲେ । ମନକୁ ମନ କହୁଥିଲେ–‘ଜୀବନର ସର୍ବୋତ୍ତମ ସୌଭାଗ୍ୟ ମୋତେ ମିଳିଲା । ସୂର୍ଯ୍ୟ କିରଣ ସ୍ପର୍ଶରେ ପଦ୍ମ ଫୁଲ ପ୍ରସ୍ଫୁଟିତ ହେଲାଭଳି ବିବାହରେ ନାରୀତ୍ୱ ସାର୍ଥକ ହୋଇଥାଏ । ମାତ୍ର ଗ୍ରୀଷ୍ମକାଳରେ କମଳିନୀ ସଂକୁଚିତ ହେଲାଭଳି ମୋର ନାରୀତ୍ୱ ଆଜି ସଂକୁଚିତ-। ବିବାହ ପରେ ସେ ଚାଲିଗଲେ, ଥରେ ହେଲେ ଦର୍ଶନ ଦେଲେ ନାହିଁ । ଲୋକେ କହନ୍ତି ସେ ବୀର, ଯୁବକ । ଶାସ୍ତ୍ର କହେ ସେ ମୋର ସ୍ୱାମୀ ଦେବତା ! କିନ୍ତୁ କାହିଁ ? ହୃଦୟ ମନ୍ଦିରର ଦେବସ୍ଥାନ ଅଦ୍ୟାବଧି ଖାଲି । ରେଜିୟାଙ୍କ ସେ ଦିନର ବ୍ୟଞ୍ଜନା ମୁଁ ବୁଝିପାରି ନଥିଲି-। ତାହାହେଲେ କ’ଣ ମୁଁ ପଥରକୁ ଫୁଲ କରିଦେଇ ପାରିବ ? ତାଙ୍କ ନାମ ତ ମୋ ହୃଦୟରେ ଲେଖି ହୋଇ ଯାଇଛି କିନ୍ତୁ ରହିପାରୁନି କାହିଁକି ? ବୋଧହୁଏ ଶାହାଜାଦୀ ତାଙ୍କୁ ଭଲ ପାଉଥିଲେ । ତାଙ୍କର ଚିନ୍ତାରେ ବାଧା ସୃଷ୍ଟି କରି ମାଆ ଆସି ପହଞ୍ଚିଲେ–‘ମାଆ ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଇଠି ବସିଛୁ ? ଭିତରକୁ ଯା’ ଥଣ୍ଡା ଧରିବ-।’

 

‘ଯାଉଛି ମା’ ।’

 

‘ମାଆ ତୁ ଏତେ ଉଦାସ କାହିଁକି ? କ’ଣ ତୁ କାନ୍ଦୁଛୁ, କପାଳରେ ଶୁଖିଲା ଲୁହର ଝଲକ, ମୁହଁ ମଳିନ ।’

 

‘ନାଇଁ ମା’ ।’

 

‘ମା’ ଯୋଧପୁରର ରାଜପୁରୋହିତ ଓ ସର୍ଦାର ଆସିଛନ୍ତି ।’

 

‘ଆଉ କିଏ ଆସିଛି ?’

 

‘ମହାରାଜ ଅଜିତ ସିଂହ ଆସି ପାରିଲେନି, ସେ ଭାରି ବ୍ୟସ୍ତ ଅଛନ୍ତି, ତୋତେ ଯିବାକୁ ହେବ ।’

 

‘ମୋତେ ଯିବାକୁ ହେବ । ଏକାକୀ ? ନାଇଁ ମା’ ! ମୁଁ ଏତେ ଉପେକ୍ଷା ସହି ପାରିବିନି । ମୁଁ ପତ୍ନୀ-ଦାସୀ ନୁହେଁ, ମୁଁ ଯିବି ନାହିଁ ।

 

‘ଏ କି କଥା ଝିଅ । ଝିଅ ତ ପରଘରିଆ, ତାକୁ ନିଜ ଘରକୁ ଯିବାକୁ ପଡ଼ିଥାଏ ।’

 

‘ମୁଁ ତ ନିଜ ଘରେ ଅଛି ମା’ ।’

 

‘ମୋ ମାଆଟା ପରା, ତୋ ନିଜ ଘର ମାରୱାଡ଼୍‌, ତୁ ମାରୱାଡ଼୍‌ର ରାଜଲକ୍ଷ୍ମୀ ।’

 

‘ମା’ ମୁଁ ସିସୋଦ୍ୟା ବଂଶର କନ୍ୟା ।’

 

‘ଆଉ ରାଠୋର ବଂଶର କୁଳବଧୂ ।’

 

‘ମା’..........’

 

‘ଦେଖ ଝିଅ । ତୋ’ ସ୍ୱାମୀ କେଡ଼େ ବୀର......।’

 

‘କେତେ ଉତ୍ତମ ମଣିଷ । ଜଣେ ଚାକରାଣୀକୁ ନେବାପାଇଁ ଏତେ ଲୋକ ପଠାଇଛନ୍ତି-।’

 

‘ମାଆ, ରାଜକାର୍ଯ୍ୟ ସମସ୍ୟା ଏହିପରି, ଏ କଥାକୁ ମନରେ ଧରିବା ଅନୁଚିତ ।’

 

ଏହି ସମୟରେ ମହାରାଣା ଆସି କହିଲେ–‘ରାଜଗୁରୁ କହୁଛନ୍ତି କି ରାଜକୁମାରୀ ବିଦାୟର ଶୁଭମୁହୂର୍ତ୍ତ କାଲି ପ୍ରାତଃକାଳରୁ ।’

 

‘ରାଜକୁମାରୀ ଚକ୍ଷୁ ଅଶ୍ରୁ ସଜଳ କରି ପିତାଙ୍କୁ କହିଲେ ‘ବାପା ଆପଣ ଏଭଳି ନିଷ୍ଠୁର ଭାବରେ ନିଜ ଝିଅକୁ ବାହାର କରି ଦେବାକୁ ଏଡ଼େ ବ୍ୟଗ୍ର କାହିଁକି ।’

 

‘ଝିଅ ସମସ୍ତଙ୍କ ପାଇଁ ସମାନ, ଘରେ ସେମାନେ ରହନ୍ତି ନାହିଁ ।’

 

‘ସ୍ତ୍ରୀଙ୍କର ପତିମାନେ ଆଦର ପୂର୍ବକ ସ୍ତ୍ରୀଙ୍କୁ ନେବାକୁ ଆସନ୍ତି କିନ୍ତୁ ମୋର ଦୁର୍ଭାଗ୍ୟ ।’

 

‘ସେଗୁଡ଼ାକ ଚିନ୍ତା କରନା ମାଆ, ପ୍ରସନ୍ନତା ପୂର୍ବକ ସ୍ୱାମୀସେବା ପାଇଁ ଯାଆ, ନିଜ ସ୍ୱାମୀଙ୍କ ପ୍ରତିଷ୍ଠା କଥା ଚିନ୍ତା କର ।’

 

ରାଜକୁମାରୀ କାନ୍ଦିକାନ୍ଦି କହିଲେ–‘ପିତା ଆପଣ ଯଦି ଏତେ ନିଷ୍ଠୁର ହୋଇପାରନ୍ତି ତେବେ ଠିକ୍‌ ଅଛି ମୋତେ ପଠାଇ ଦିଅନ୍ତୁ ।’

 

ଚଉତିରିଶ

 

ଆଉରଙ୍ଗଜେବଙ୍କ ଅର୍ଦ୍ଧ ଶତାବ୍ଦୀର ଶାସନର ପୂର୍ବାଦ୍ଧ ଦିଲ୍ଲୀ ଏବଂ ଉଦ୍ଦରାର୍ଦ୍ଧ ଦକ୍ଷିଣରେ ଯୁଦ୍ଧ କରିବାରେ ବିତିଗଲା । ପନ୍ଦରବର୍ଷପରେ ସେ ଦକ୍ଷିଣରେ ଯୁଦ୍ଧ କରିବା ପରେ ବୃଦ୍ଧ ଓ ନିସ୍ତେଜ ହୋଇ ପଡ଼ିଥିଲେ । ତାଙ୍କର ବନ୍ଧୁବାନ୍ଧବ ଓ ସୈନ୍ୟସାମନ୍ତ ଗୋଟିଗୋଟି କରି ଛାଡ଼ି ଚାଲିଯାଇଥିଲେ । ପିତାଙ୍କଠାରୁ ଦୂରରେ ଥାଇ ପୁତ୍ରମାନେ ପିତାଙ୍କର ମୃତ୍ୟୁ ସମ୍ବାଦକୁ ଚାହିଁ ବସିଥିଲେ । ନିଜର ଅନ୍ତିମ ସମୟ ଜାଣିପାରି ଆଉରଙ୍ଗଜେବ ପୁତ୍ର ଆଜାମ୍‌ଙ୍କ ପାଖକୁ ପତ୍ର ଲେଖିଲେ ‘ମୁଁ ଏକାକୀ ଆସିଥିଲି ଓ ଏକାକୀ ଯାଉଛି, ରାଜ୍ୟ ଓ ପ୍ରଜାଙ୍କର କିଛି ଉପକାର ମୁଁ କରିନାହିଁ, ମୋର ଭବିଷ୍ୟତର ଆଶା ମଧ୍ୟ ନାହିଁ ।’ କାମବକ୍‌ସ ପାଖକୁ ଲେଖିଥିଲେ ‘ମୋର ପାପର ବୋଝ ନିଜ ସାଥିରେ ନେଇ ଚାଲିଯାଉଛି । ଯାହାବି ହେଉ ନିଜ ଭାଗ୍ୟକୁ ଆଦରି ମୁଁ ଯାଉଛି ।’

 

ଜୀବନସାରା କଠିନ ପରିଶ୍ରମ କରି ଏବଂ ଚିନ୍ତାଭାରରେ ଲଦିହୋଇ ବାଦଶାହା ଅହମ୍ମଦ ନଗର ଦୁର୍ଗରେ ୧୭୦୭ ମାର୍ଚ୍ଚ ତିନି ତାରିଖ ଦିନ ସକାଳୁ ପରଲୋକ ଗମନ କଲେ । ତାଙ୍କର ଶବ ଦୌଲତାବାଦ ନିଆଯାଇ ପ୍ରସିଦ୍ଧ ମୁସଲମାନ ସନ୍ଥ, ବୁରୁହାଁ ଉଦ୍ଦୀନଙ୍କ କବର ନିକଟରେ କଫିନ୍‌ ଦିଆଗଲା । ଏହାଙ୍କର ପରଲୋକ ସମ୍ବାଦ ଦକ୍ଷିଣରେ ଝଡ଼ଭଳି ଦିଲ୍ଲୀ ଓ ଆଗ୍ରାରେ ପ୍ରଚାରିତ ହୋଇଗଲା । ଏ ସମ୍ବାଦ ପାଇବାମାତ୍ରେ ସମଗ୍ର ଉତ୍ତର ଭାରତରେ ଜନବଳ ଅସ୍ତବ୍ୟସ୍ତ ହୋଇଗଲା, ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ସ୍ୱେଚ୍ଛାଚାରୀ ହୋଇ ଉଠିଲେ । ଧନୀମାନେ ନିଜର ସମ୍ପତ୍ତି ଭୂଇଁତଳେ ପୋତିଦେଇ ପ୍ରତି ମୁହୂର୍ତ୍ତରେ ବିପଦର ପ୍ରତୀକ୍ଷା କରିବାକୁ ଲାଗିଲେ । ଗାଁମାନଙ୍କରେ ଲୁଟତରାଜ, ଡକାୟତି, ବଳାତ୍କାରର ସୀମା ନଥିଲା । ରାଜା ନଥିଲେ କିମ୍ବା ନିୟମ ନଥିଲା । କୃଷକମାନେ ଦରପାଚିଲା ଶସ୍ୟକ୍ଷେତ୍ର ଛାଡ଼ି ଜଙ୍ଗଲରେ ଯାଇ ଲୁଚୁଥିଲେ । ଖାଦ୍ୟ ପଦାର୍ଥ ଓ ଫସଲ ଦର ହୁହୁ ହୋଇ ବଢ଼ିଲା । ପ୍ରତିକ୍ଷଣ ଲୁଟପାଟ ଓ ଡକାୟତିର ଭୟଥିଲା ତେଣୁ ଦିଲ୍ଲୀ ଓ ଆଗ୍ରା ବଜାର ପ୍ରାୟ ବନ୍ଦ ରହୁଥିଲା । ଲୋକମାନେ ନିଜ ଘରେ ଲୁଚି ରହୁଥିଲେ । ଧନୀମାନେ ସ୍ୱାର୍ଥପର, ଅଫିସରମାନେ ଲାଞ୍ଚୁଆ ଓ ସୈନିକମାନେ ଡକାୟତ ହୋଇପଡ଼ିଥିଲେ । ରାତିରେ ନଗରରେ ଆଲୋକର ସୁ-ବ୍ୟବସ୍ଥା ନଥିଲା, ସନ୍ଧ୍ୟା ହେଉ ନହେଉଣୁ ଦିଲ୍ଲୀ ରାସ୍ତାଘାଟ ଜନଶୂନ୍ୟ ହୋଇ ପଡ଼ୁଥିଲା । ଏଇ ପ୍ରକାର ଅରାଜକତାକୁ ଲୋକମାନେ ପ୍ରାରବ୍ଧ ରେଖାଭଳି ଦେଖି ନିରୁପାୟଭାବେ ହାତଗୋଡ଼ ଜାକି ବସି ଯାଉଥିଲେ । ସହର ଲୁଟକରି ଜଳାଇ ଦିଆଯାଉଥିଲା । ଧନଜୀବନ କାହାରି ରକ୍ଷା ଓ ନିରାପତ୍ତା ନଥିଲା ।

 

ମୃତ୍ୟୁ ପୂର୍ବରୁ ପୁତ୍ରମାନଙ୍କର ରାଜ୍ୟ ଲିପ୍ସା ଦେଖି ଆଉରଙ୍ଗଜେବ ପୃଥକ୍ ପୃଥକ୍‍ଭାବେ ନିଜର ତିନି ପୁତ୍ର ମହମ୍ମଦ ମୁଆଜମ୍‌, ମହମ୍ମଦ ଆଜମ୍‌ ଏବଂ ମହମ୍ମଦ କାମବକ୍‌ସଙ୍କୁ ରାଜ୍ୟ ବାଣ୍ଟି ଦେଇ ଉଇଲ୍‍ କରିଦେଇଥିଲେ । ତାଙ୍କ ମୃତ୍ୟୁ ସମୟକୁ ମୁଆଜମ୍‌ କାବୁଲର, ଆଜମ୍‌ ଗୁଜୁରାଟର ଏବଂ କାମବକ୍‌ସ ବିଜାପୁରର ଶାସକ ଥିଲେ । କାମବକ୍‌ଶ ଦକ୍ଷିଣ ଛାଡ଼ି ଦିଲ୍ଲୀ ଯାଇପାରିଲେ ନାହିଁ-। କିନ୍ତୁ ମୁଆଜମ୍‌ କାବୁଲରୁ ଏବଂ ଆଜମ୍‌ ଗୁଜୁରାଟରୁ ଆଗ୍ରାଭିମୁଖେ ଯାତ୍ରା କଲେ । ପିତାଙ୍କ ଉଇଲ୍ ଅନୁଯାୟୀ ରାଜ୍ୟ ବାଣ୍ଟି ନେବାକୁ ମୁଆଜମ୍‌ ଆଜମ୍‌ଙ୍କୁ କହିଲେ ମାତ୍ର ସେ ସ୍ୱୀକାର ନକରି ଯୁଦ୍ଧ ଇଚ୍ଛାକଲେ । ସେ ନିଜର ତରବାରି ଚମକାଇ ଜୁନ୍‌ ୧୭୦୭ରେ ଆଗ୍ରା ନିକଟରେ ଜାନୋ ପଡ଼ିଆରେ ମୁଆଜମ୍‌ ସହ ଯୁଦ୍ଧକଲା । ଏହି ଯୁଦ୍ଧରେ ଆଜମ୍‌ ପ୍ରାଣତ୍ୟାଗ କଲା । ଆଜମ୍‌–କଣ୍ଟା ଦୂରକରି ମୁଆଜମ୍‌ ନିଜେ ନିଜକୁ ବାହାଦୁର ଶାହା (ଶାହା ଆଲମ ପ୍ରଥମ) ନାମ ଧାରଣକରି ଏକମାତ୍ର ଦିଲ୍ଲୀର ବାଦଶାହା ବୋଲି ଘୋଷଣା କଲେ ।

 

ଆହୁରି ମଧ୍ୟ କାମ୍‌ବକଶକୁ ଶେଷ କରିଦେବା ଉଦ୍ଦେଶ୍ୟରେ ଦକ୍ଷିଣ ଆଡ଼କୁ ଚାଲିଲେ । କିନ୍ତୁ ତା’ର ସାଥୀଗଣ ପ୍ରଥମେ ମାରୱାଡ଼୍‌–କଣ୍ଟା ଅଜିତ ସିଂହଙ୍କୁ ଶେଷ କରିଦେବାର ପରାମର୍ଶ ଦେବାରୁ ନିଜର ମୋଡ଼ ମାରୱାଡ଼୍ ଦିଗକୁ ପରିବର୍ତ୍ତନ କଲେ ।

 

ବିଶାଳ ସେନାବାହିନୀ ନେଇ ମୁଆଜମ୍‌ ମାରୱାଡ଼୍‌ ଦିଗକୁ ଆସୁଥିବାର ଦେଖି ଯୋଧପୁର ମନ୍ତ୍ରଣା ଭବନରେ ନିଜର ସର୍ଦାର ରାୟ ଭଗବାନ ଦାସ, ଯୋଗୀ ଦାସ, ଗୋବିନ୍ଦ ଦାସ ପ୍ରମୁଖଙ୍କୁ ନେଇ ଅଜିତ ସିଂହ ପରାମର୍ଶ କରି ବସିଲେ ।

 

ଯୋଗୀ ଦାସ କହିଲେ–‘ମହାରାଜ, ମୋଗଲ ଶାହାଜାଦା ମୁଆଜମ୍‌ ଭାଇ ଆଜମ୍‌କୁ ହତ୍ୟାକରି ବାହାଦୁର ଶାହା ନାମରେ ବାଦଶାହା ହୋଇଛି ।’

 

ଗୋବିନ୍ଦ ଦାସ ଦାୟିତ୍ୱ ସୂଚନାଦେଲେ–‘ଏବଂ ନିଜର ସାନଭାଇ କାମ୍‌ବକ୍‌ଶକୁ ଶେଷ କରିଦେବା ଇଚ୍ଛାରେ ସେନା ନେଇ ଦକ୍ଷିଣକୁ ଯାତ୍ରା କରୁଛି ।’

 

ରାୟ ଭଗବାନ ଦାସ ହସି କହିଲେ–‘କିନ୍ତୁ ତା’ର ଅସଲ ଉଦ୍ଦେଶ୍ୟ ଏଇଆ ଯେ ମହାରାଜଙ୍କୁ ଦଣ୍ଡଦେଇ ଯୋଧପୁର ଦଖଲ କରିବ । ସେନାପତି ମହାରାଜ ଖାଁ ୫୦ ହଜାର ସୈନ୍ୟନେଇ ପହଞ୍ଚିଗଲେଣି ।’

 

ଅଜିତ ସିଂହ ପଚାରିଲେ–‘ଏ ସମସ୍ତ ସମ୍ବାଦ ଆପଣ ବିଶ୍ୱସ୍ତ ସୂତ୍ରରୁ ପାଇଛନ୍ତି ତ ?’

 

‘ସ୍ୱୟଂ ଗୋସାଇଁ ହରିନାଥ ଗିରି ମହାରାଜ ଏଇ ସନ୍ଦେଶ ଆଣିଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀରୁ ଆସିଲେ । ବର୍ତ୍ତମାନ ଆମକୁ ନିଜର କର୍ତ୍ତବ୍ୟ ସ୍ଥିର କରିନେବାକୁ ହେବ ।’

 

‘ତାହାହେଲେ ଆପଣମାନେ ପରସ୍ପର ପରାମର୍ଶ କରି କର୍ତ୍ତବ୍ୟ ସ୍ଥିର କରି ନିଅନ୍ତୁ’–ଅଜିତ ସିଂହ କହିଲେ ।

 

‘ମହାରାଜ, ଆମେ ପରାମର୍ଶ କରିସାରିଛୁ । ଆମର–ମତ–ଯୁଦ୍ଧ ।’

 

‘ଏହା ଚିନ୍ତା କରିବା ଆମର କାମ ନୁହେଁ ମହାରାଜ, ଆମେ କେବଳ ଲଢ଼ିବା ଜାଣୁ ।’

 

ଅଜିତ ସିଂହ ପୁଣି ବୁଝାଇଲେ–‘ଆମର ଶକ୍ତି ସୀମିତ, ଏଡ଼େ ବିଶାଳ ସେନା ନିକଟରେ ଆମ ଶକ୍ତି ନଷ୍ଟ ହୋଇଯିବ, ହେଲେ ପୁଣିଥରେ ଯୋଧପୁର ଉଦ୍ଧାର ଆଶା ପାଣି ଫାଟିଯିବ । ଆପଣଙ୍କ ମତ କ’ଣ ଠାକୁର ମୁକୁନ୍ଦ ଦାସ ?’

 

ମୁକୁନ୍ଦ ଦାସ ଉତ୍ତରଦେଲେ ‘ମୋର ମତ–ଜାଣି କ’ଣ କରିବେ ମହାରାଜ ! ମୁଁ କେବେ ଶତ୍ରୁର ବଳ ସମ୍ପର୍କରେ ଚିନ୍ତା କରିନାହିଁ । କେବଳ ସେଇ ମହାପୁରୁଷଙ୍କ ଅନୁଗତ ହୋଇ ମୁଁ କ୍ଷତ୍ରିୟ ଧର୍ମ ପାଳନ କରିଛି ମାତ୍ର, ନିଜର ଝଡ଼ପୂର୍ଣ୍ଣ ଜୀବନର ସୁନ୍ଦର ମଧ୍ୟଭାଗକୁ ଶେଷ କରିଦେଇଛି, ସେଥିରେ ମୁଁ ହାରି ମଧ୍ୟ ବିଜେତା ଓ ଜିତି ମଧ୍ୟ ବିଜେତା । ମହାରାଜ, ଏଇ ହାତରେ ମୁଁ ଅସାଧ୍ୟ ସାଧନ କରିଛି । ଅଗଣିତ ଶତ୍ରୁ ସେନା ମଧ୍ୟରୁ ପକ୍ଷୀଶାବକକୁ ରକ୍ଷା କଲାଭଳି ଆପଣଙ୍କୁ ରକ୍ଷାକରି ନେଇଆସିଛି । ସଙ୍କଟବେଳେ ସର୍ବଦା ଯୁଦ୍ଧ କରିଛି । ଯୁଦ୍ଧ ସମ୍ବାଦ ପାଇଲାମାତ୍ରେ ମୁଁ ପ୍ରସ୍ତୁତ ହୋଇଯାଏ, ଆଉ ଶତ୍ରୁ ସଂଖ୍ୟା କଳନା କରିବି କେତେବେଳେ ? ମୋର ବର୍ତ୍ତମାନ ସମୟ ଚାଲିଯାଇଛି । ମହାରାଜ, ଆପଣ ବର୍ତ୍ତମାନ ମହାରାଜ ହୋଇଛନ୍ତି, ଯାହା ଠିକ୍‌ କରିବେ କରିବେ । ବୃଦ୍ଧ ରାଜପୁତର ତରବାରି ତାହାର ଜୀବନର ମୂଲ୍ୟ ଅଟେ, ଯେବେ ଇଚ୍ଛାହେବ ତାକୁ ପରୀକ୍ଷା କରିନେବେ । ‘ନହେଲେ ଈଶ୍ୱରଙ୍କ ଇଚ୍ଛା ।’ ଗୋପୀନାଥ ମୁକୁନ୍ଦ ଦାସଙ୍କ ଆତ୍ମକଥା ବୁଝିପାରି କହିଲେ–‘ବୀରଶ୍ରେଷ୍ଠ ।’ ଆପଣଙ୍କର ଏଇ ତରବାରି ଉପରେ ସମଗ୍ର ମାରୱାଡ଼୍‌ର ଗର୍ବ ଅନୁଭବ କରେ । ଆପଣଙ୍କ ତୀକ୍ଷ୍ଣ ତରବାରି ମୁନର ଇଙ୍ଗିତ ପାଇଲାମାତ୍ରେ ନଅଲକ୍ଷ ରାଠୋର ତରବାରି ବିଦ୍ୟୁତଭଳି ଚମକି ଉଠିବାକୁ ପ୍ରସ୍ତୁତ ଅଛନ୍ତି ।’

 

ଏହାଶୁଣି ମୁକୁନ୍ଦ ଦାସଙ୍କ ଚକ୍ଷୁ ସଜଳ ହୋଇଉଠିଲା, ସେ କହିଲେ ସ୍ୱର୍ଗବାସୀ ମହାରାଜଙ୍କ ଚରଣରେ ସର୍ବଦା ବୀର ରସର ଗଙ୍ଗାହିଁ ବୋହୁଥିଲା । ମୋରି ତରବାରି ତାଙ୍କରି ଆଶ୍ରିତ ହୋଇ ଧନ୍ୟ ହୋଇଛି । ମହାରାଜ ସେଇ ପୁଣ୍ୟାତ୍ମାଙ୍କ ପୁତ୍ର । ଭାଗ୍ୟର କଥା, ସୂର୍ଯ୍ୟରେ ମଧ୍ୟ ଗ୍ରହଣ ଲାଗେ । ଶତ୍ରୁ ସବଳବଳେ ମାଡ଼ି ଆସୁଛି ଅଥଚ ମହାରାଜ ବିଚାର ପରାମର୍ଶ ଗ୍ରହଣ କରୁଛନ୍ତି । ମାରୱାଡ଼୍‌ର ସର୍ବଶ୍ରେଷ୍ଠ ରକ୍ଷକ ଦୁର୍ଗା ଦାସଙ୍କୁ ମହାରାଜ ପୂର୍ବରୁ ବହିଷ୍କୃତ କରିଦେଇଛନ୍ତି-। ସେ ଆଜି ପର୍ଯ୍ୟନ୍ତ ଫେରିଲେ ନାହିଁ । ମହାରାଜଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ଅଧୀନକୁ ମଧ୍ୟ ନିଜ ଆଖି ଆଗରୁ ଦୂର କରିଦିଅନ୍ତୁ । ଜାଣେନା କେବେ ଇଏ ମଧ୍ୟ ମହାରାଜଙ୍କୁ ଅବଜ୍ଞା କରି ବସିବ ।’

 

ଅଜିତ ସିଂହ କହିଲେ–‘ଠାକୁର ! ଏହା ସତ୍ୟ ଯେ ରାଜ୍ୟର ସୁରକ୍ଷା ସର୍ଦାରମାନଙ୍କ ଉପରେହିଁ ନିର୍ଭର କରେ । କିନ୍ତୁ ସବୁ କଥାରେ ଆଗପଛ ବିଚାରକରି କାର୍ଯ୍ୟ କରିବା ରାଜାର ଧର୍ମ ଅଟେ । ରାଜା ଉପରେ ସବୁ ଦାୟିତ୍ୱ ରହେ, ରାଜନୀତି ତାହାର ବଡ଼ ବସ୍ତୁ ଅଟେ ।’

 

‘ଭଲକଥା ମହାରାଜ, ଆମର ତରବାରି ବର୍ତ୍ତମାନ ବୁଢ଼ା ହୋଇଗଲାଣି, ଆପଣ ନିଜର ଯୁବକ ରାଜନୀତି ସାହାଯ୍ୟରେ ମାରୱାଡ଼୍‌ର ଗୌରବ ରକ୍ଷା କରନ୍ତୁ ।’

 

ରାୟ ଭଗବାନ ଦାସ କହିଲେ–‘ମୁକୁନ୍ଦ ଦାସ ମହାଶୟ । ଆପଣଙ୍କ ତରବାରି ଥିବା ପର୍ଯ୍ୟନ୍ତ ମାରୱାଡ଼୍‍ର ଗୌରବ ପ୍ରତି ମହାରାଜଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ଆମର ନିଶ୍ଚିତ ଇଚ୍ଛା ଆମେ ଯୁଦ୍ଧ କରିବୁ ।’

 

ସବୁ ସର୍ଦାର ପାଟି କରି କହି ଉଠିଲେ–‘ଆମ୍ଭେମାନେ ଅବଶ୍ୟ ଯୁଦ୍ଧ କରିବୁ ।’

 

ଅଜିତ ସିଂହ ଦୃଢ଼ତା ସହ କହିଲେ–‘ଯୁଦ୍ଧ ନୁହେଁ, ମୁଁ ସନ୍ଧି କରିବି ।’

 

ରାଓ ଭଗବାନ ଦାସ କହିଲେ–‘ଆପଣଙ୍କ ପ୍ରତିଜ୍ଞା ସ୍ମରଣ ଅଛି ମହାରାଜ ?’

 

‘ସ୍ମରଣ ଅଛି, ମୁଁ ମୋର ପ୍ରତିଜ୍ଞା ପୂରଣ କରି ନେଇଛି, ନିଜ ପୂର୍ବପୁରୁଷଙ୍କ ରାଜ୍ୟ ଶତ୍ରୁମାନଙ୍କଠାରୁ ଛଡ଼ାଇ ନେଇଛି । ବର୍ତ୍ତମାନ ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରିବାକୁ ପଡ଼ିବ । ଅବଶ୍ୟ ମୁଁ ଏହା କରିବି କିନ୍ତୁ ବ୍ୟର୍ଥ ଯୁଦ୍ଧରେ ମରିବା ରାଜନୀତି ନୁହେଁ, ଶତ୍ରୁବଳ ଓ ସୁଯୋଗ ଦେଖି ଆବଶ୍ୟକୀୟ ପଦକ୍ଷେପ ନେବି ।’

 

‘ତାହାହେଲେ ଆମ ଭଳି ଅଯୋଗ୍ୟ ସର୍ଦାରଙ୍କର କି ଆବଶ୍ୟକତା ଅଛି ?’ ଏ ସେବକ ଆଜ୍ଞା ଚାହେଁ ।’

 

‘ଆମେ ମଧ୍ୟ ଆଦେଶ ଚାହୁଁ–ସବୁ ସର୍ଦାର ଏହା କହି ଦୁଃଖ ଓ କ୍ଷୋଭରେ ଗୋଟି ଗୋଟି କରି ଚାଲିଗଲେ ।

 

ଅଜିତ ସିଂହ ଏକାକୀ ବସି ଭାବିବାକୁ ଲାଗିଲେ । –ଗଲେ, ସବୁ ଗଲେ, ଯୁଦ୍ଧ ଯୁଦ୍ଧ । ପାଗଳା କୁକୁର ଝାମ୍ପ ମାରିଲା ଭଳି ଏ ରାଜପୁତ ଜାତି ସର୍ବଦା ଯୁଦ୍ଧ ଚାହାଁନ୍ତି । ଏମାନେ ଯୁଦ୍ଧ ଉନ୍ମାଦ, ମରିବେ କିମ୍ବା ମାରିବେ । କିନ୍ତୁ ରାଜ୍ୟ ଶାସନ କେବଳ ଯୁଦ୍ଧରେ ପର୍ଯ୍ୟବସିତ ନୁହେଁ । ଏ ବିଶାଳ ସେନା ସଙ୍ଗେ ଯୁଦ୍ଧ କରି ନିଜର ଛୋଟିଆ ଶକ୍ତିକୁ ବୃଥାରେ ନଷ୍ଟ କରିବି କାହିଁକି ? ଯୁଦ୍ଧ ଓ ରାଜନୀତି ପରସ୍ପର ପୃଥକ୍ । ମୁଁ ପ୍ରଥମେ ରାଜନୀତିଜ୍ଞ ଓ ପରେ ଯୋଦ୍ଧା । ମୋର ରାଜନୀତି ସମୟାନୁକୂଳ ଅଟେ । ବର୍ତ୍ତମାନ ବାଦଶାହାଙ୍କ ସହ ସନ୍ଧି କରିବି । ଏଥିରେ ମାରୱାଡ଼୍‌ର ଲାଭ ହେବ ।

 

ପଇଁତ୍ରିରିଶ

 

ଯୋଧପୁର ଦୁର୍ଗର ନିଜ ମହାଳୟରେ ମହାରାଣୀ ଚନ୍ଦ୍ରକୁମାରୀ ବସି କିଛି ଚିନ୍ତା କରୁଥିଲେ । ପାର୍ଶ୍ୱସ୍ଥ ଚଉକିରେ ଗୋଟିଏ ନଗ୍ନ ତରବାରି ରଖାଯାଇଥିଲା । ଦାସୀ ବିମଳା ଧାଇଁ ଆସି କହିବାକୁ ଲାଗିଲା–‘ମହାରାଣୀ ଆପଣ କିଛି ଶୁଣିଛନ୍ତି ?’

 

ଦାସୀ କଥା ପ୍ରତି ଅନ୍ୟମନସ୍କ ରହି ତରବାରି ଧାର ପରୀକ୍ଷା କରୁକରୁ କହିଲେ–‘ଆଜି ପ୍ରବଳ ଗରମ’–

 

‘ମହାରାଣୀ, ମହାରାଣୀ, ଆପଣ କିଛି ଶୁଣିଛନ୍ତି ?’

 

‘କ’ଣ ହେଲା ବିମଳା ?’

 

‘ମହାରାଜ ଆସୁଛନ୍ତି ମହାରାଣୀ ।’

 

‘ଆସନ୍ତୁ ।’

 

‘ସେ ଯୁଦ୍ଧରେ ହାରି ପିଠି ଦେଖାଇ ଆସୁଛନ୍ତି ।’

 

‘କ୍ଷତି କ’ଣ ? କହି ତରବାରି ଧାର ପୁଣି ପରୀକ୍ଷା କରିବାରେ ଲାଗିଲେ ।

 

‘ମହାରାଣୀ ଆପଣ ୟେ କ’ଣ କରୁଛନ୍ତି ?’

 

ରାଣୀ ତରବାରି ଅଣ୍ଟାରେ ଖୋସି ଯିବାକୁ ଉଦ୍ୟତ ହୋଇ କହିଲେ–‘କିଛି ନୁହେଁ ।’

 

‘କୁଆଡ଼େ ଯାଉଛନ୍ତି ମହାରାଣୀ ?’

 

‘ଯୁଦ୍ଧକ୍ଷେତ୍ରକୁ, ସେଇ ଅଧମ ଶତ୍ରୁ ସେନା ଅନ୍ତତଃ ଥରେ ଦେଖନ୍ତୁ ସିସୋଦ୍ୟା ବଂଶର ତରବାରିର ଧାର କିଭଳି ?’

 

‘ରୁହନ୍ତୁ ମହାରାଣୀ, ଦୁର୍ଗର ଫାଟକ ବନ୍ଦ କରାଇ ଦିଅନ୍ତୁ, ମହାରାଜ ଦୁର୍ଗକୁ ଆସିପାରିବେନି ।’

 

‘କାହିଁକି ବିମଳା ? ଦୁର୍ଗ ତାଙ୍କର, ମୁଁ କିଏ ?’

 

‘ଦୁର୍ଗ ଆମର ମହାରାଣୀ । ମୁଁ ଦାସୀ ହେଲେ କ’ଣ ହେଲା ? ରାଠୋର କନ୍ୟାତ, ଆମେ କ୍ଷତ୍ରିୟ ରମଣୀମାନେ ମାନ ସମ୍ମାନକୁ ନଷ୍ଟ ହେବାକୁ ଦେଉନା । ମୁଁ ତାହା ଉଦ୍ଧାର କରିବି ମହାରାଣୀ । ଦୁର୍ଗର ଫାଟକ ବନ୍ଦ କରାଇ ଦିଅନ୍ତୁ । ଦାରୋଗାକୁ ଶୀଘ୍ର ଡକାନ୍ତୁ । ସ୍ୱର୍ଗୀୟା ମହାରାଣୀ ମା’ ମଧ୍ୟ ଏଇଆ କରିଥିଲେ ।’

 

‘ଶୁଣିଛି ସ୍ୱର୍ଗୀୟ ମହାରାଜ ଛଅ ମାସ ପର୍ଯ୍ୟନ୍ତ ବାହାରେ ପଡ଼ି ରହିଥିଲେ । କିନ୍ତୁ ସେମିତି କରିବା ମୋର ଦରକାର ନାହିଁ । ବୋଧହୁଏ ସେ ଫାଟକରେ ଆସି ପହଞ୍ଚିଗଲେଣି । ସୈନ୍ୟଙ୍କ କୋଳାହଳ ବଢ଼ୁଛି । ଦାରୋଗା ଆସୁଛନ୍ତି ।’

 

ଦାରୋଗା ଆସି ରାଣୀଙ୍କୁ ନମସ୍କାର କଲେ । ‘ମହାରାଜା ପହଞ୍ଚି ଗଲେଣି ଠାକୁର ?’

 

‘ହଁ ମହାରାଣୀ । ମହାରାଜା ମହଲକୁ ଆଗମନ କରୁଛନ୍ତି ।’

 

‘ଭଲକଥା ।’

 

ଏହି ସମୟରେ ଅଜିତ ସିଂହ ସେଠାରେ ଆସି ପହଞ୍ଚିଗଲେ । ତାଙ୍କୁ ଦେଖି ରାଣୀ ପଚାରିଲେ–‘ମହାରାଜ ସର୍ବ କୁଶଳ ତ ? ଟିକେ ଛିଡ଼ା ହୁଅନ୍ତୁ । ରାଠୋର କୁଳବଧୂ ଆପଣଙ୍କୁ ବନ୍ଦାଇବାକୁ ଚାହେଁ ।’

 

‘ବିମଳା.......’

 

‘ମହାରାଣୀ, ଆପଣ କହିଥିଲେ କି ପ୍ରଥମେ ମହାରାଜଙ୍କ ପିଠିରୁ ଧୂଳି ଝାଡ଼ିବେ ।’

 

ରାଣୀ କହିଲେ–‘ଦୂର୍‌ ପାଗଳୀ ! ସେଇଟା ମୁଁ ଥଟ୍ଟା କରିଥିଲି । ସେ ଧୂଳି କ’ଣ ଝାଡ଼ିବା ଜିନିଷ ? ତାହାତ ମାତୃଭୂମିର ଧୂଳି, ରାଠୋରଙ୍କ ପିଠିରେ ଶୋଭା ।’

 

ଅଜିତ ସିଂହ ରାଣୀଙ୍କ ଭାବ ଠଉରେଇ ନେଇ କହିଲେ–‘ମହାରାଣୀ ! ଏଇଟା ବିବାଦର ସମୟ ନୁହେଁ, ବିବେକ ସହ କାର୍ଯ୍ୟ କରିବା ଉଚିତ । ରାଜନୀତି ମଧ୍ୟ ରଣନୀତିର ଗୋଟାଏ ଆବଶ୍ୟକୀୟ ଅଙ୍ଗ । ବୃଥା ଯୁଦ୍ଧ କରିବାକୁ ମୁଁ ଉଚିତ ମନେକଲି ନାହିଁ ।’

 

‘ବହୁତ ଭଲକଲେ ମହାରାଜ ! ଫୁଲପରି କୋମଳ ଶରୀରରେ ଯଦି ଆଞ୍ଚ ଆସିଥାନ୍ତା, ତେବେ ମହାରାଜ ଏ ଅଭାଗୀନିକୁ କୁଆଡ଼େ ସ୍ଥାନ ମିଳନ୍ତା । ଏଇ ଅସହାୟା ପ୍ରତି ବଡ଼ ଦୟାକଲେ-।’

 

ଅଜିତ ସିଂହ ଲଜ୍ଜିତ ହୋଇ କିଛିକ୍ଷଣ ପରେ କହିଲେ–‘ମହାରାଣୀ ! ବାଦଶାହାଙ୍କ ସହ ମୁଁ ସନ୍ଧି କରିଦେଇଛି । ଆମକୁ ଶୀଘ୍ର ଦୁର୍ଗ ଛାଡ଼ିଦେବାକୁ ପଡ଼ିବ ।’

 

‘ଭଲକଥା ମହାରାଜ ! ମତେ ଉଦୟପୁର ଆଶ୍ରୟ ତ ମିଳିଯିବ ।’

 

‘ଏହାର ଆବଶ୍ୟକତା ନାହିଁ, ବଦନୌର ଦୁର୍ଗରେ ରହିବାକୁ ପଡ଼ିବ ।’

 

‘ବଦନୌର ଦୁର୍ଗରେ ? କାହିଁକି ? ବୋଧହୁଏ ବାଦଶାହାଙ୍କଠାରୁ ଆପଣ ମାଗିନେଇଛନ୍ତି ?’

 

‘ହଁ ମହାରାଣୀ । ମୁଁ ଫେରିଆସିବା ପର୍ଯ୍ୟନ୍ତ ତୁମମାନଙ୍କୁ ସେଠାରେ ରହିବାକୁ ପଡ଼ିବ ।’

 

‘ଫେରିବା ପର୍ଯ୍ୟନ୍ତ ? କ’ଣ ମହାରାଜ ଯୁଦ୍ଧକୁ ଯାଉଛନ୍ତି ?’

 

‘ଯୁଦ୍ଧର ଆବଶ୍ୟକତା ନାହିଁ, ବାଦଶାହାଙ୍କ ସହିତ ମୋତେ ଆଜମୀର ଯିବାକୁ ହେବ ।’

 

ଏହାଶୁଣି ରାଣୀ ହସି ଉଠିଲେ–‘ବୁଝିଗଲି, ବୋଧହୁଏ ବନ୍ଦୀହୋଇ ଯାଆନ୍ତୁ ମହାରାଜ, ପୁଣି ଏଠାକୁ ଆସିବାର କଷ୍ଟବରଣ କାହିଁକି କଲେ ମହାରାଜ ?’

 

‘ମହାରାଣୀ ! ଆଜି ଆମକୁ ଦୁର୍ଗ ଖାଲି କରିବାକୁ ପଡ଼ିବ ।’

 

‘ଆମେ ଦୁର୍ଗ ଖାଲି କରିବୁନି ମହାରାଜ !’

 

‘କାହିଁକି ମହାରାଣୀ ?’

 

ଏହା ଆମର ଇଚ୍ଛା, ଦୁର୍ଗ ଆମର, ଆପଣ ଯୁଆଡ଼େ ଇଚ୍ଛା ଯାଆନ୍ତୁ, ଆପଣଙ୍କ ପାଇଁ ରାସ୍ତା ମୁକ୍ତ । କିନ୍ତୁ ଜୀବନ ଥାଉଁଥାଉଁ ଦୁର୍ଗ ମଧ୍ୟରେ ଶତ୍ରୁ ପ୍ରବେଶ କରିପାରିବେ ନାହିଁ ।’

 

‘ପାଗଳାମି ରଖ ପ୍ରିୟେ ।’

 

ରାଣୀ ବିମଳାକୁ କହିଲେ–‘ଚାଲ ବିମଳା, ଆମେ ଯୁଦ୍ଧ କରିବା, ବୃଥାରେ ଏଠି ସମୟ ନଷ୍ଟ ହେଉଛି ।’

 

ଅଜିତ ସିଂହ ତାଙ୍କୁ ବାଧାଦେଇ କହିଲେ–‘ପ୍ରିୟେ, ସବୁକଥା ତୁମେ ବୁଝିପାରିନ, ରାଜନୀତି ବଡ଼ ଗହନ ।’

 

‘ମୂର୍ଖ ସ୍ତ୍ରୀ ଆମେ, ରାଜନୀତି କ’ଣ ବୁଝିବୁ ମହାରାଜ ?’

 

‘ମହାରାଣୀ ! ଦେଶ–କାଳ ଓ ରାଜନୀତି ବିଚାରକରି ସିଦ୍ଧାନ୍ତ କରିଥିବା ବିଷୟ ମୋତେ କରିବାକୁ ଦିଅ ।’

 

‘ଆପଣ କରୁନାହାନ୍ତି କିଏ ବାଧାଦେଉଛି ?’

 

‘ତାହାହେଲେ ଦୁର୍ଗ ଖାଲି କରିଦିଅ ।’

 

‘ଏ ପ୍ରାଣ ଥିବାପର୍ଯ୍ୟନ୍ତ କସ୍ମିନ୍‍କାଳେ ସମ୍ଭବ ନୁହେଁ, ମୁଁ କେବଳ ରାଠୋର ବଧୂ ନୁହେଁ ସିସୋଦ୍ୟା କନ୍ୟା ମଧ୍ୟ ।’

 

‘ରାଣୀ । ରାଠୋର ମଧ୍ୟ ମରିବାକୁ ଚାହେଁ ।’

 

‘ମହାରାଜ, ନିଜର ପୂର୍ବଜମାନଙ୍କର ପରମ୍ପରା ଅନୁଯାୟୀହିଁ କାର୍ଯ୍ୟ କରିଛନ୍ତି ।’

 

ଅଜିତ ସିଂହ କ୍ରୋଧରେ କହିଲେ–‘ମହାରାଣୀ, ମୋର ଅପମାନ କରନାହିଁ ।’

 

‘ଆରେ ଦେଖ, କଥା କଥାରେହିଁ ମହାରାଜଙ୍କୁ ଅପମାନବୋଧ ହେଲା । କିନ୍ତୁ ମନେପଡ଼ିଲାନି ମହାରାଜ, ଦାସୀର ଦୋଷ କ୍ଷମା କରନ୍ତୁ । ଆପଣ ମହାନ୍‌ ହୃଦୟବାନ ରାଠୋର ।’

 

ଦାସୀ ରାଣୀଙ୍କୁ କହିଲା–‘ମହାରାଣୀ, କଥାରେ ବିଳମ୍ବ ହେଉଛି, ଚାଲନ୍ତୁ ଦୁର୍ଗ ରକ୍ଷାର ବ୍ୟବସ୍ଥା କରିବା ।’

 

ଏ ସମୟରେ ମହାସିଂହ ଆସି କହିଲେ–‘ମହାରାଜ, ମୋଗଲ ସେନାପତି ଦୁର୍ଗକୁ ଆସିବାକୁ ଚାହାନ୍ତି । ସେ ଖଜଣା ଓ ଦୁର୍ଗର ଚାବି ମାଗୁଛନ୍ତି ।’

 

ଅଜିତ ସିଂହ କହିଲେ–‘ତାଙ୍କୁ ଆସିବାକୁ ଦିଅ ଓ ଚାବି ଦେଇଦିଅ ।’

 

ମହାସିଂହ ଅବରୁଦ୍ଧ କଣ୍ଠରେ କହିଲେ–‘ତାହାହେଲେ ମହାରାଜ, ସ୍ୱୟଂ ନିଜେ ଏ କଷ୍ଟ କରନ୍ତୁ, ଏ ନିଅନ୍ତୁ ଚାବି ।’

 

ରାଣୀ ଦୃଢ଼ତାର ସହ କହିଲେ–‘ଠାକୁର ! ମୋଗଲ ସେନାପତି ଦୁର୍ଗ ମଧ୍ୟକୁ ଆସିପାରିବେ ନାହିଁ, ଫାଟକ ବନ୍ଦ କରିଦିଅ । ପୋଲ ଭାଙ୍ଗିଦିଅ ଓ ଗମ୍ବୁଜମାନଙ୍କର କମାଣ ଖଞ୍ଜିଦିଅ ।’

 

‘କଦାପି ନୁହେଁ । ଏହା ସନ୍ଧିର ବିରୁଦ୍ଧ ଅଟେ’–ଅଜିତ ସିଂହ କ୍ରୋଧରେ ଗର୍ଜି ଉଠିଲେ ।

 

ରାଣୀ ଦର୍ପର ସହିତ କହିଲେ–‘ଏହା ମୋର ଆଦେଶ । ଶୀଘ୍ର ପାଳନ କରାଯାଉ ।’

 

ଏହାଶୁଣି ମହାସିଂହ ଖୁସିହୋଇ ଚାବିକୁ ରଖୁରଖୁ–‘ଯେ ଆଜ୍ଞା ମହାରାଣୀ ।’

 

ଅଜିତ ସିଂହ ପୁଣି କହିଲେ–‘ମୋର ଆଦେଶ ସେନାପତିଙ୍କୁ ଆସିବାକୁ ଦିଅ ।’

 

‘ମୁଁ ଆଦେଶ ଦେଲି ଶତ୍ରୁ ଦୁର୍ଗରେ ପ୍ରବେଶ କଲାମାତ୍ରେ ମାରିଦିଆଯାଉ ।’

 

‘ମୁଁ ରାଜା, ମୋର ଆଦେଶ ପାଳିତ ହେବ । ରାଣୀ ପାଗଳାମୀ କରନାହିଁ । ମହାସିଂହ ତୁମେ ସୈନିକ, ଯଦି ଅନୁଶାସନ ଭଙ୍ଗକର ତେବେ ଦଣ୍ଡ ପାଇବ ।’

 

ରାଣୀ ମର୍ମାହତ ହୋଇ କହିଲେ–‘ଠିକ୍‌ କଥା ମହାରାଜ । ଆପଣ ଆଦେଶ ଜାହିର କରନ୍ତୁ । ରାଜନୀତି ଓ ଅନୁଶାସନର ଶୃଙ୍ଖଳରେ ଆପଣଙ୍କ ଅସହାୟ ପୌରୁଷକୁ ଜାବୁଡ଼ି ଧରିଥାନ୍ତୁ-। ମୁଁ ବୀର କନ୍ୟା ଓ ବୀର ବଧୂ । ମୋର ନାରୀତ୍ୱ ଏଇ କ୍ଷୁଦ୍ର ବନ୍ଧନକୁ ସ୍ୱୀକାର କରିବାକୁ ଅପ୍ରସ୍ତୁତ-। ଆପଣ ନିଜର ଦୁର୍ଗ ଓ ରାଜ୍ୟ ଶତ୍ରୁ ହାତରେ ଟେକିଦେଇ ଆଜମୀର ଯାଆନ୍ତୁ । ଏକାକୀ ମୁଁ ଯୁଦ୍ଧକରି ରାଠୋର ସମ୍ମାନ ରକ୍ଷା କରିବି । ଚାଲ ବିମଳା ।’ ଏହାକହି ଦାସୀ ହାତଧରି ରାଣୀ ସେଠାରେ ଚାଲିଗଲେ ।

 

ରାଣୀଙ୍କର ଏଇ ଦର୍ପ ଦେଖି ଅଜିତ ସିଂହ କିଛିକାଳ ସ୍ତମ୍ଭିତ ହୋଇପଡ଼ିଲେ । ପୁଣି ମହାସିଂହଙ୍କୁ କହିଲେ–‘ମହାସିଂହ ଯାଅ । ସେନାପତିଙ୍କୁ କୁହ ଶାନ୍ତିରକ୍ଷାର କଡ଼ା ବ୍ୟବସ୍ଥା କରିବେ-। କ୍ଷଣିକ ଉତ୍ତେଜନାରେ ପଡ଼ି ମୋର ସିଦ୍ଧାନ୍ତକୁ ନଷ୍ଟ ହେବାକୁ ଦେବିନାହିଁ ।’ ଏହାଶୁଣି ମହାସିଂହ କ୍ଷିପ୍ର ଗତିରେ ଚାଲିଗଲେ । ଅଜିତ ସିଂହ ବର୍ତ୍ତମାନ କିଛି ଭାବୁଥିଲେ, ଜଣେ କେବଳ ଆସି ସୂଚନା ଦେଲା–‘ମହାରାଜ, ଜୟପୁର ନରେଶ ମହାରାଜ ଜୟସିଂହ ଆସିଛନ୍ତି, ବର୍ତ୍ତମାନ ସେ ଆପଣଙ୍କର ଦର୍ଶନ ପ୍ରାର୍ଥୀ ।’

 

‘ତାଙ୍କୁ ସାଦରେ ଏଠାକୁ ନେଇଆସ । ବର୍ତ୍ତମାନ ।’

 

ଅଜିତ ସିଂହ ଚିନ୍ତା କରିବାକୁ ଲାଗିଲେ । ମୋର ଚିତ୍ତକୁ ଚଞ୍ଚଳ କରିଦେବା ଅନୁଚିତ । ବଡ଼ ଗମ୍ଭୀର ସମସ୍ୟା, ମହାରାଜ ଜୟସିଂହ ଉପଯୁକ୍ତ ସମୟରେ ଆସି ଯାଇଛନ୍ତି । ତାଙ୍କୁ ମଧ୍ୟ ସାଥୀ କରିବାକୁ ପଡ଼ିବ ।’

 

ଜୟସିଂହ ଆସି କହିଲେ–ୟେ’ ମୁଁ କ’ଣ ଶୁଣୁଛି ମହାରାଜ, ଆପଣ ଯୁଦ୍ଧ ନକରି ସନ୍ଧିକଲେ ଓ ଦୁର୍ଗ ଶତ୍ରୁମାନଙ୍କୁ ଅର୍ପଣ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଆପଣ ଏତେ ହତୋତ୍ସାହ କାହିଁକି ? ମୁଁ ଆପଣଙ୍କ ସହାୟତା ପାଇଁ ପ୍ରସ୍ତୁତ ଅଛି । ମୋ ପାଖରେ ଯଥେଷ୍ଟ ସୈନ୍ୟ ବଳ, ଆମେମାନେ ଶତ୍ରୁର ନାମଲୋପ କରିଦେଇ ପାରିବା ।’

 

‘ଆପଣଙ୍କ ସଦ୍‌ଭାବ ପାଇଁ ମୁଁ କୃତଜ୍ଞ । ବର୍ତ୍ତମାନ କିନ୍ତୁ ଯୁଦ୍ଧ କରିବା ମୋର ରାଜନୀତି–ବିରୁଦ୍ଧ, ବର୍ତ୍ତମାନ ସନ୍ଧିହିଁ ହିତକର ।’

 

‘କିନ୍ତୁ ଆପଣଙ୍କ ରାଜନୀତି ମୋ ମୁଣ୍ଡରେ ପଶୁନି ।’

 

‘ଠିକ୍‌ ସମୟରେ ଜାଣିପାରିବେ ମହାରାଜ ! ଆପଣ ମୋ ସହ ଆଜମୀର ଯିବାର ବ୍ୟବସ୍ଥା କରନ୍ତୁ ।’

 

‘ଆଜମୀର ? କାହିଁକି ?’

 

‘ବାଦଶାହାଙ୍କୁ ସାକ୍ଷାତ କରିବାପାଇଁ ।’

 

‘କ’ଣ ଆପଣ ବନ୍ଦୀଭାବେ ଯାଉଛନ୍ତି ?’

 

‘ନା, ସନ୍ଧି ପ୍ରସ୍ତାବକୁ ପକ୍କା କରିବାପାଇଁ ମିତ୍ର ହୋଇ ।’

 

‘ମିତ୍ର ହୋଇ ? ନା କଦାପି ନୁହେଁ, ଆପଣ ସନ୍ଧି କରନ୍ତୁ । ମୁଁ ଏକାକୀ ବାଦଶାହା ସଙ୍ଗେ ଯୁଦ୍ଧ କରିବି ।’

 

‘ଯୁଦ୍ଧପାଇଁ ଅନେକ ସମୟ ଅଛି ମହାରାଜ ଜୟସିଂହ ।’

 

‘ଶତ୍ରୁ ମୁଣ୍ଡ ଉପରେ ଖଡ଼୍‌ଗ ବୁଲାଇ ଗଲାବେଳେ ସମୟକୁ ଛାଡ଼ି ଦେଇ ନୁହେଁ ।’

 

‘ମହାରାଜ, ଗରମ ଲୁହାକୁ ଥଣ୍ଡା ଲୁହା କାଟିବାର ଶୁଣିଛନ୍ତି ?’

 

‘ହଁ ଶୁଣିଛି ।’

 

‘ବାସ୍ ଏଇଟା ରାଜନୀତି ! ବୁଝିଲେ ?’

 

‘ବୁଝିପାରିଲିନି ମହାରାଜ ।’

 

‘ତାହାହେଲେ ବୁଝନ୍ତୁ ! ବର୍ତ୍ତମାନ ବାଦଶାହା ସମସ୍ତ ସୈନ୍ୟ ନେଇ ଆମ ବକ୍ଷ ପ୍ରଦେଶରେ ଛାଉଣୀ ପକାଇ ବୁଲୁଛନ୍ତି । ତାଙ୍କ ସଙ୍ଗେ ସର୍ବୋତ୍କୃଷ୍ଟ ଫ୍ରାନସିସ୍‌ ତୋପ ଓ ତିନିଲକ୍ଷ ସେନା ଅଛନ୍ତି ! ତାଙ୍କର ଜଣେ ସେନାପତି ମହାରାଓ ଖାଁ ୫୦ ହଜାର ସେନା ନେଇ ଆମ ଉପରେ ଚକ୍କର କାଟୁଛନ୍ତି ଓ ଅନ୍ୟ ଜଣେ ସେନାପତି ଜାଫର ଖାଁ ୨୫ ହଜାର ସୈନ୍ୟ ନେଇ ଯୋଧପୁର ଘେରି ରଖିଛନ୍ତି । ଏହିପରି ଆମ ଭାଗ୍ୟର ଅନ୍ତିମ ସମାଧାନ ପାଇଁ ବାଦଶାହା ଉପସ୍ଥିତ-। ଏପରି ଅବସ୍ଥାରେ ଆମେ କ’ଣ ମୁକାବିଲା କରିପାରିବା ?’

 

‘ଯାହାବି ହେଉ, ଶେଷ ପର୍ଯ୍ୟନ୍ତ ଆମକୁ ମୁକାବିଲା କରିବାକୁ ପଡ଼ିବ ।’

 

‘କେବଳ ଏଇଆ ହେବ, ଆମ ପୂର୍ବଜଙ୍କର ଗାଦି ହାତଛଡ଼ା ହୋଇଯିବ । ବୀରମାନେ କଟି କଟି ମରିବେ, ଆଉ ଆମେ ଛିନ୍ନଭିନ୍ନ ହୋଇ ସବୁଦିନ ପାଇଁ ନଷ୍ଟ ହୋଇଯିବା ।’

 

‘ତାହାହେଲେ ଆପଣ କ’ଣ ଭାବୁଛନ୍ତି ?’ ‘ମୁଁ କେବଳ ନାମକୁ ମାତ୍ର ଯୁଦ୍ଧକରି ମୋଗଲମାନଙ୍କୁ ଦୁର୍ଗ ଦେବାପାଇଁ ସ୍ୱୀକାର କରି ଦେଇଛି ଓ ଯୁଦ୍ଧ ବନ୍ଦ ହୋଇ ଯାଇଛି ।’

 

‘ଏଇଲେ କ’ଣ କରିବେ ?’

 

‘ବାଦଶାହାଙ୍କ ନିକଟକୁ ଯିବା ।’

 

‘ଏଥିରେ କି ଲାଭ ହେବ ?’

 

‘ମୁଁ ନିଜ ପକ୍ଷରୁ ସଦ୍‌ଭାବ ଓ ମିତ୍ରତା ପ୍ରଦର୍ଶନ କରିବି ।’

 

‘ପୁଣି ।’

 

ବାଦଶାହା ଦକ୍ଷିଣ ଯିବାକୁ ବ୍ୟଗ୍ର । ସିକନ୍ଦରାବାଦରେ କାମବକ୍‌ଶ ଶାହାଜାଦା ବିପୁଳ ସେନା ସଂଗ୍ରହ କରୁଛି । ବୁଢ଼ାକୁ ରାଜ୍ୟ ଲିପ୍ସା ପୈତୃକ ସମ୍ପତ୍ତି । ତେଣୁ ସେ ଗୋଟାଏ ଭାଇର ରକ୍ତରେ ହାତ ଧୋଇ ଆଉ ଗୋଟାକୁ ଶେଷ କରିଦେବାକୁ ଚାହେଁ । ମରାଠୀ ଓ ନିଜାମ୍ବଲ ମୁଲକ ଶାହାଜାଦା କାମ୍‌ବକ୍‌ମଙ୍କୁ ସାହାଯ୍ୟ ଦେବାପାଇଁ କଥା ଦେଇଛନ୍ତି । ତେଣୁ ବୁଢ଼ା ଭୟଭୀତ ଓ ସେ ଶୀଘ୍ର ଦକ୍ଷିଣ ଯିବ ।’

 

‘ଏଥିରେ ଆମର କ’ଣ ଅଛି ?’

 

‘ଏହା ନିଶ୍ଚିତ, ଯେ ସେ ଆମକୁ କାମବକ୍‌ସ ବିରୁଦ୍ଧରେ ଯୁଦ୍ଧ ସାହାଯ୍ୟ ମାଗିବ ।’

 

‘ତାହାହେଲେ ମହାରାଜ ମଧ୍ୟ ଦକ୍ଷିଣ ଯିବେ ?’

 

‘ଅବଶ୍ୟ, ଆମେ ଦୁହେଁ ବାଦଶାହାଙ୍କ ସଙ୍ଗେ ଦକ୍ଷିଣକୁ ଯିବା ।’

 

‘ଏହା ମଧ୍ୟ ଆପଣଙ୍କର ରାଜନୀତି ।’

 

‘ନିଃସନ୍ଦେହରେ.....

 

‘କିନ୍ତୁ ମହାରାଜ, ମୁଁ ଆପଣଙ୍କ ସହ ଏକମତ ନୁହେଁ ।’

 

‘ତାହାହେଲେ ମହାରାଜ, ଆପଣ ସବୁ ବିଷୟ ବୁଝି ନାହାଁନ୍ତି ।’

 

‘ଆଉ କ’ଣ ରହିଲା ?’

 

‘ଆମେ ସୈନ୍ୟ ସହ ବାଦଶାହାଙ୍କୁ ମର୍ମଦା ପାରି କରି ଦେଲାପରେ ସୁବିଧା ଦେଖି ହାରନ୍‌ପୁର ନିକଟରୁ ଫେରି ଆସିବୁ ଓ ନିଜ ରାଜ୍ୟ ଦଖଲ କରିନେବୁ । ଲାଭ ହେବ ଏତିକି ଯେ ଶାମ୍ବର ରାଜ୍ୟ ମଧ୍ୟ ଛଡ଼ାଇ ନେବୁ । ବାଦଶାହା ସେତେବେଳେ ସୁଦୂର ଦକ୍ଷିଣରେ ଥିବେ ଓ ଆମ ପଥ ନିଷ୍କଣ୍ଟକ ହେବ ।’

 

‘କିନ୍ତୁ ବାଦଶାହା ଫେରି ଆସିବା ପରେ ?’

 

ବୁଢ଼ା ଦକ୍ଷିଣରୁ ଫେରି ଆସିବା ସମ୍ଭବ ନୁହେଁ । ଇଏ ଆଲମଗୀର ନୁହେଁ, ଏଇ ମୂର୍ଖ, କାମୁକ ବୁଢ଼ା ସିଂହାସନ ବୋଝ ସମ୍ଭାଳି ପାରିବ ନାହିଁ । ମୁଁ ସିନ୍ଧି ଓ ମରହଟ୍ଟାମାନଙ୍କ ନିକଟକୁ ଦୂତ ପ୍ରେରଣ କରିଛି । ମୋଗଲ ସାମ୍ରାଜ୍ୟ ଟଳମଳ । ଏଥର ଅବଶ୍ୟ ଏହା ସମାପ୍ତ ହେବ ଓ ମୁଁ ନିଜର ତରବାରି ମୁନ ସାହାଯ୍ୟରେ ତାହାର ଭାଗ୍ୟରେଖା ଅଙ୍କନ କରିବି । ଇଏ ମୋର ଯୋଜନା, ବୁଝିଲେ ମହାରାଜ ?’

 

‘ଯଦି ଏଇଆ ଆପଣଙ୍କର ଇଚ୍ଛା, ତାହାହେଲେ ଚାଲନ୍ତୁ ମୁଁ ପ୍ରସ୍ତୁତ ।’

 

‘ତାହାହେଲେ ଶୀଘ୍ର ଚାଲନ୍ତୁ, ଆମ ସାଙ୍ଗେ କେବଳ ଦୁଇ ହଜାର ସୈନ୍ୟ ଯିବେ, ବାକିମାନଙ୍କର ସୁବ୍ୟବସ୍ଥା କରିବାକୁ ହେବ ।’

 

‘ଆପଣଙ୍କ କଥା ଯୁକ୍ତିସଂଗତ ଅଟେ । ମୁଁ ଏହାର ବ୍ୟବସ୍ଥା କରୁଛି ।’ କହି ଜୟସିଂହ ଚାଲିଗଲେ ।’

 

ଅଜିତ ସିଂହ ଜୟ ସିଂହଙ୍କ ସ୍ୱୀକୃତି ପାଇବା ପରେ ଆଶ୍ୱସ୍ତ ହୋଇ ଭାବିବାକୁ ଲାଗିଲେ–କୂଟନୀତିର ସଭ୍ୟ ନାମ ରାଜନୀତି ଅଟେ । ଏହା ଏକ ଯାଦୁ । ଏଥିରେ ଶେଷରେ ଜୟସିଂହ ହାର ମାନିଲେ । କିନ୍ତୁ ସେ ଜାଣନ୍ତିନି ଯେ ଅଜିତ୍‌ର ରାଜନୀତିରେ ପ୍ରେମନୀତି ଲୁଚିରହିଛି-। ରେଜିୟାର ସ୍ମୃତି ଫିଙ୍ଗି ଦେଇ ହେଉନି, ସେ ମୋ ଜୀବନ ସହ ଜଡ଼ିଯାଇଛି । ରେଜିୟାପାଇଁହିଁ ମୋର ରାଜନୀତି ଧାବିତ । ତା’ପାଇଁ ମୋ ଜୀବନ ପ୍ରତି ଲୋଭ । ସେଥିପାଇଁ ଆଜି ମୁଁ ଯୋଦ୍ଧାସ୍ଥାନରେ ରାଜନୀତିଜ୍ଞ । ପିତାଙ୍କ ତରବାରି ପ୍ରତିଷ୍ଠା ଓ ନିଜପଣକୁ ପଛକୁ ଠେଲି ନେଇ ମାରୱାଡ଼୍‌ର ଭାଗ୍ୟତରୀକୁ ରାଜନୀତି ଭଉଁରୀରେ ଠେଲି ଦେଇଛି । ବର୍ତ୍ତମାନ ଏପାଖ ନୋହିଲେ ସେପାଖ । ପତଙ୍ଗପରି ପୋଡ଼ି ମରିବା ମୂର୍ଖତା, ମୁଁ ସୁଯୋଗ ଅପେକ୍ଷାରେ ରହିବି । ରଣନୀତି ଓ ରାଜନୀତିର କୌଶଳ ପୂର୍ଣ୍ଣ ସାମଞ୍ଜସ୍ୟ ବଳରେ ପିତାଙ୍କ ରାଜ୍ୟ ଓ ରେଜିୟାର ପ୍ରେମ ଦୁଇଟାଯାକ ନିଷ୍କଣ୍ଟକ ପ୍ରାପ୍ତ ହେବି ।’

 

ଛତିଶ

 

ଅଜିତ ସିଂହ ଓ ଜୟସିଂହ ବାଦଶାହାଙ୍କ ଛାଉଣୀରେ ପହଞ୍ଚିଲେ । ତାଙ୍କ ଆଗମନରେ ବାଦଶାହା ଦରବାରକୁ ଡକାଇ କହିଲେ–‘ମହାରାଜା ଅଜିତ ସିଂହ ମହାଶୟ ! ଆପଣଙ୍କ ସାହାସ ଓ ସାହାଯ୍ୟପାଇଁ ମୁଁ ପ୍ରୀତ । ନିଜ ପିତାଙ୍କ ପରି ଆପଣ ମୋଗଲ ସାମ୍ରାଜ୍ୟର ବନ୍ଧୁ ହୋଇ ରହିବେ-।’

 

ଅଜିତ ସିଂହ ଜୋର ଦେଇ କହିଲେ–‘ଜାହାଁପନା, ଯୋଧପୁର ରାଠୋର ସବୁଦିନେ ସମ୍ରାଟଙ୍କର ବନ୍ଧୁ ହୋଇ ଆସିଛନ୍ତି ।’

 

‘ଆଉ ଆପଣ ଜୟସିଂହ ?’

 

‘ଜାହାଁପନା, ମୋଗଲ ଦରବାର ସଙ୍ଗେ ଜୟପୁର ସିଂହାସନର ଖାସ୍‌ ସମ୍ପର୍କ ଅଛି ।’

 

‘ଆପଣ ଠିକ୍‌ କହୁଛନ୍ତି । ମୋର ଇଚ୍ଛା ଆମ ସାମ୍ରାଜ୍ୟ ପ୍ରିୟତାର ପ୍ରମାଣ ଶୀଘ୍ର ମିଳିଯିବ ।’

 

‘ଜାହାଁପନାଙ୍କ ଆଦେଶ ବିଳମ୍ବ, ଆପଣ କେଉଁ ପ୍ରକାରେ ଚାହାଁନ୍ତି ?’

 

ପାଟମନ୍ତ୍ରୀ ଜୁଲ ଫିକର କହିଲେ–‘ମହାରାଜ, କାମବକ୍‌ଶଙ୍କୁ ଆକ୍ରମଣ କରିବାକୁ ଯାଉଛନ୍ତି ।’

 

‘ଆପଣମାନେ ଏ ଯୁଦ୍ଧରେ ବିଶ୍ୱସ୍ତତା ଓ ବାହାଦୁରି ଦେଖାଇବା ତାଙ୍କର ଇଚ୍ଛା ।’

 

‘ବାଦଶାହା କହିଲେ–‘ଠିକ୍‌, ମୁଁ ଏଇଆ ଚାହେଁ ।’

 

‘ଆମେ ଏହା ମାନିନେଲୁ ।’

 

‘ଅତି ଉତ୍ତମ କଥା ।’

 

ଜୁଲ ଫିକର ଆଗେଇ ଆସି କହିଲେ–‘ବାଦଶାହା ଆପଣଙ୍କୁ ଉପାଧି, ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଯୋଧପୁର ଦୁର୍ଗ ଆମ ଦଖଲରେ ରହିବ ଏବଂ ବଦନୌର ଦୁର୍ଗ ମେବାଢ଼ର ରଣବାଜ ଖାଁଙ୍କୁ ଦିଆଯିବ । ଆପଣଙ୍କ ରାଜପରିବାର ଜାଲୋର ଦୁର୍ଗରେ ରହିବେ ।’

 

ଅଜିତ ସିଂହ କହିଲେ–‘ଜାହାଁପନାଙ୍କର ଯାହା ଇଚ୍ଛା ।’

 

‘ଆଉ ମହାରାଜ ଜୟସିଂହ ଆପଣଙ୍କୁ ମଧ୍ୟ ତିନି ହଜାର ଜାଠ, ମହାରାଜାଙ୍କ ତରଫରୁ ଆଦେଶ ହେଲା । ଯୋଧପୁର ରାଜ୍ୟ ଆପଣଙ୍କ ଭାଇ ବିଜୟ ସିଂହଙ୍କୁ ଦିଆଗଲା ।’

 

‘ଯଥା ଆଜ୍ଞା ଜାହାଁପନା ।’

 

‘ଖାଁ ଦକ୍ଷିଣରୁ କିଛି ସମ୍ବାଦ ଆସିଛି ?’

 

‘ଶୁଣିଛି ଶାହାଜାଦା କାମବକ୍‌ଶ ବୁରହାନପୁର ଆଡ଼କୁ ଅଗ୍ରସର ହେଉଛନ୍ତି ।’

 

‘ଅଗ୍ରସର ହେଉଛନ୍ତି ? ତାଙ୍କୁ ଅହମଦନଗର ହାକିମ ବାଧା ଦେଇନାହିଁ ?’

 

‘ସେ ମିଛକହି ଚାଲିଆସିଲେ ।’

 

‘ତାହାହେଲେ ଉଦ୍ଦେଶ୍ୟ କିଛି ମହତ୍‌ ନୁହେଁ ।’

 

‘ମହାରାଜ ଅଜିତ ସିଂହ, ଜୟସିଂହ ! ଆପଣ ଆଜି ରାତିରେ ବାହାରିଯାଇ ବୁରହାନ୍‌ପୁର ପହଞ୍ଚି କାମବକ୍‌ଶକୁ ବାଧା ଦିଅନ୍ତୁ ।’

 

‘କିଛିକ୍ଷଣ ପରେ ମେବାର ରାଣାଙ୍କ ଭାଇ ବଖତ୍‌ ସିଂହ ଚିଠି ଓ କିଛି ଉପହାର ନେଇ ହାଜର ହେଲା । ଜାହାଁପନା ! ଆପଣଙ୍କର ଖାସନଜର ପାଇଁ ମହାରାଣୀ ଶହେ ମୋହର, ନଗଦ ହଜାରେ ରୁପା, ସ୍ୱର୍ଣ୍ଣ ଜିନ୍‌ଥାଇ ଜୋତା, ଗୋଟାଏ ହାତୀ, ଦୁଇଟି ତରବାରି ସହ ଏ ଅଭିନନ୍ଦନ ପତ୍ରଦେଇ କହିଛନ୍ତି ଯେ ମେବାର ବନ୍ଧୁତ୍ୱ ସବୁଦିନ ପାଇଁ ମୋଗଲ ସିଂହାସନ ପାଇଁ ମହଜୁଦ୍ ଅଛି-।’

 

ଜୁଲଫିକର କହିଲେ–‘ରାଜା ବଖତ୍‌ ସିଂହ ମହାଶୟ ! ମହାରାଣାଙ୍କ ବନ୍ଧୁତ୍ୱରେ ପ୍ରୀତହୋଇ ଆବୁ ଓ ଶିରୋହୀ ପ୍ରଗଣା ମହାରାଣାଙ୍କୁ ଦେଇଦିଆଗଲା ଏବଂ ଏହା ବଦଳରେ ଜାହାଁପନା ମହାରାଣାଙ୍କଠାରୁ ବାଦଶାହାଙ୍କ ସାହାଯ୍ୟାର୍ଥେ ଏକ ହଜାର ଅଶ୍ୱାରୋହୀ ଚାହାନ୍ତି । ଆପଣ ଯଥାଶୀଘ୍ର ଦକ୍ଷିଣକୁ ପ୍ରେରଣ କରନ୍ତୁ ।’

‘ଜାହାଁପନାଙ୍କ ଯଥା ଆଦେଶ ।’

ଛାଉଣି ଅନେକ ଦୂର ପର୍ଯ୍ୟନ୍ତ ପଡ଼ିଥିଲା । ପବନ ସାଇଁସାଇଁ ଗର୍ଜୁଥିଲା କିନ୍ତୁ ରେଜିୟା ମନରେ ଭୟ ନଥିଲା । ସେ ଭାବୁଥିଲା–ବାଃରେ ମୋର ଭାଗ୍ୟ ଆଉ ମୋର ଅଜା । ଥରେ ମାତ୍ର ମୋତେ ଦେଖିବାପାଇଁ ବ୍ୟାକୁଳହୋଇ ଚାଲିଗଲେ । ଶୁଣିଥିଲି, ଶିଶୁ ଅବସ୍ଥାରେ ମୁଁ ତାଙ୍କ ଦାଢ଼ିସହ ଖେଳୁଥିଲି । ପଚାଶବର୍ଷ ହିନ୍ଦୁସ୍ଥାନକୁ ଶାସନ କରିଥିବା ଆଲମଗୀରର ମୁଁ ନାତୁଣୀ । କିନ୍ତୁ ଉକ୍ତ ସିଂହାସନରେ ବର୍ତ୍ତମାନ ଶୃଗାଳ ଆସୀନ । ଆଜି ମୁଁ ଦୁନିଆରେ ସବୁଠାରୁ ବେଶୀ ହତଭାଗିନୀ ଓ ଅନାଥ କନ୍ୟା । ଆଃ ସେ କିନ୍ତୁ କେତେ ନମ୍ର ଓ ସାହସୀ, ମୋତେ କେତେ ଭଲପାଆନ୍ତି । ମୁଁ ପଳାଇ ଆସିଲି ତାଙ୍କର ଭଲପାଇଁ । ଠାକୁର ଦାଦା କହିଲେ ମୋପାଇଁ ସେ ବରବାଦ ହୋଇଯିବେ, ପୂର୍ବପୁରୁଷଙ୍କ ନାମରେ କଳଙ୍କ ଲାଗିଯିବ, ତେଣୁ ମୁୀଁ ଜାଣିଶୁଣି ମୋର ରାଜାଙ୍କୁ ନଷ୍ଟ କରିଥାନ୍ତି କେମିତି ? ସେ ନିଜର ଯୋଧପୁର ଦୁର୍ଗ ମୋଗଲକୁ ସମର୍ପି ଦେଇ ଏଠାକୁ ଆସିଛନ୍ତି ବୋଲି ଏଇଲେ ଶୁଣିଲି । ଛି । ୟେ କିଏ ? ବୋଧହୁଏ ରାଜା ଆସୁଛନ୍ତି ।

ପ୍ରକୃତରେ ଅଜିତ ସିଂହ ଖୋଜିଖୋଜି ସେଠାରେ ପହଞ୍ଚି–‘ରେଜିୟା । ମୋର ହୃଦୟର ରାଣୀ, ମୁଁ ଆସିଗଲି ।’

‘ତୁମେ ଆସିଗଲ ? ମୋର ରାଜା । କିନ୍ତୁ.......’

‘ମୁଁ ଦୁଃଖିତ ଯେ ଠାକୁର ଦାଦା ସାରା ଜୀବନ ନିଜର ରକ୍ତ ବୁହାଇ ରକ୍ଷା କରିଥିବା ଯୋଧପୁର ଦୁର୍ଗକୁ ତୁମେ ନିଜର ମାନସମ୍ମାନ ଓ କର୍ତ୍ତବ୍ୟକୁ ପାଦରେ ଦଳି ଦେଇ ବିନା ଯୁଦ୍ଧରେ ଦୁର୍ଗ ଛାଡ଼ିଦେଲ ! କେମିତି ?’

 

‘ରେଜିୟା । ଅସଲ କଥା ମୁଁ ଯୁଦ୍ଧ କରିପାରିଲିନି । ମାରୱାଡ଼୍‌ର ପ୍ରତିନିଧି ହେବାପାଇଁ ମୋତେ ତୁମକୁ ହରାଇବାକୁ ପଡ଼ିଲା, ମୁଁ ପ୍ରଥମେ ମନୁଷ୍ୟ ଓ ପରେ ରାଜା । ତେଣୁ ମୋର ହୃଦୟକୁ ନଷ୍ଟକରି ଦେବିନି ରେଜିୟା । ମୁଁ ରାଜା ହେବାର ମୋହ ତ୍ୟାଗକରି ବାଦଶାହାଙ୍କ ସେବାରେ ଆସିଛି ।’

 

‘ବାଦଶାହାଙ୍କ ସେବାରେ ? ରେଜିୟା ସେବାରେ ନୁହେଁ ?’

 

‘ହଁ ରେଜିୟା, ତୁମପାଇଁହିଁ ମୁଁ ବାଦଶାହା ସେବା.......’

 

‘କ’ଣ ମହାରାଣୀଙ୍କୁ ଛାଡ଼ି ଆସିଛ ରାଜା ?’

 

‘ହଁ ରେଜିୟା ।’

 

‘ଶୁଣିଲି ଯେ ଦୁର୍ଗ ଖାଲି କରିଦେବାକୁ ଅସ୍ୱୀକାର କରି ବାଦଶାହାଙ୍କ ସେନା ସହ ଯୁଦ୍ଧ କରିଥିଲେ ? କ’ଣ ସତ ?’

 

‘ହଁ ରେଜିୟା ।’

 

‘ସେ କିନ୍ତୁ ରାଜପୁତ କନ୍ୟା ରାଜା, ତୁମେ ମଧ୍ୟ ରାଜପୁତ୍ର ହେବାର ଥିଲା ।’

 

‘କାହିଁକି ? ମୁଁ ମଧ୍ୟ ରାଜପୁତ୍ର ସନ୍ତାନ, କାବୁଲ ପର୍ଯ୍ୟନ୍ତ ବିଖ୍ୟାତଥିବା ମହାବୀର ଯଶୋବନ୍ତ ସିଂହଙ୍କ ପୁତ୍ର ।’

 

‘ଏଇଆ ତ ଶୁଣିଥିଲି, ମାତ୍ର ସେଇ ସାହସୀ ପିତାଙ୍କ ତରବାରିକୁ ଖୋପରେ ରଖିଦେଇ ନିଜର ମାନସମ୍ମାନକୁ ପଦାଘାତକରି ଗୋଟାଏ ସ୍ତ୍ରୀପାଇଁ ତୁମେ ଧାଇଁ ଆସିଲ ? ଇଏ କ’ଣ ରାଜପୁତର କର୍ତ୍ତବ୍ୟ ?’

 

‘ରେଜିୟା, ଏତେ ଅନ୍ୟାୟ କରନାହିଁ, ମୋତେ ଅପମାନ ଦିଅନାହିଁ ।’

 

‘ମୁଁ ଭୀଷଣ ଲଜ୍ଜିତ ଯେ ତୁମକୁ ଭୀରୁ କରିବା ଦିଗରେ ମୁଁ ଗୋଟାଏ କାରଣ । ମୁଁ କେତେ ହତଭାଗିନୀ ।’ ଏହା କହୁକହୁ ସେ କାନ୍ଦିଉଠିଲେ ।

 

‘ରେଜିୟା, ରେଜିୟା ।’

 

‘ମୁଁ ଠାକୁର ଦାଦାଙ୍କୁ କିପରି ମୁହଁ ଦେଖାଇବି ? ସେ ମୋ ପିତାଙ୍କର ଅଶେଷ ଉପକାର କରିଛନ୍ତି । ନିଜର କଲିଜାକୁ ଖଣ୍ଡଖଣ୍ଡ କରି ମୋର ଭଲ ପାଇବା ଅଭୀପ୍ସାକୁ ହତ୍ୟାକରି ତ୍ୟାଗର ଚଟାଣତଳେ କବର ଦେଇ ତାଙ୍କରି ଆଦେଶରେ ମୁଁ ଚାଲିଆସିଲି ।’

 

‘ରେଜିୟା ମୁଁ ଅପରାଧୀ, ମୋତେ କ୍ଷମାକର ।’

 

‘ସେହି ସାହସୀ ଯୋଦ୍ଧାଙ୍କୁ ଦେଖ, ଯିଏ ନିଜ ଜୀବନଠାରୁ ବଂଶମର୍ଯ୍ୟାଦାକୁ ଭଲ ପାଆନ୍ତି ।’

 

‘କ’ଣ କରିବି ରେଜିୟା, ତୁମ ବିନା ବଞ୍ଚିପାରେନା ।’

 

‘ଗୋଟାଏ କଥା ଜାଣ ରାଜା ?’

 

‘କ’ଣ ରେଜିୟା’

 

‘ନାରୀ କେବଳ ପୁରୁଷକୁ ଭଲ ପାଇପାରେ ।’

 

‘ମୁଁ କ’ଣ ପୁରୁଷ ନୁହେଁ ?’

 

‘ଜାଣିଥିଲି ତୁମେ ପୁରୁଷ । କିନ୍ତୁ.....’

 

‘ରେଜିୟା, ରେଜିୟା । ଏତେ ନିଷ୍ଠୁର ହୁଅନାହିଁ । ଏତେ ଯାତନା, ଏତେ ଅସମ୍ମାନ.....’

 

‘ମୋ ପାଖରେ କେବଳ ଅସମ୍ମାନହିଁ ଅଛି । ବାଦଶାହା ମହାନୁଭବ ତୁମକୁ ଯଥେଷ୍ଟ ସମ୍ମାନ ଦେଇଛନ୍ତି । କ’ଣ ଛୋଟିଆ କଥା ? ଯାଅ ରାଜା ବାଦଶାହାଙ୍କ ପାଖକୁ ଯାଅ ସେ ତୁମର ଖାତିର କରିପାରିବେ । ଏଇ ଗରିବ କନ୍ୟା କାହାର ଅଧିକାରୀ ? କାହିଁକି ଛିଡ଼ା ହୋଇଛ ରାଜା ? ଏଇ ହତଭାଗିନୀ ଅନାଥ କନ୍ୟାକୁ ନିଜର ଦୁର୍ଭାଗ୍ୟରେ କାନ୍ଦିବାକୁ ଦିଅ । ଯାଅ ରାଜା, ତୁମକୁ ଏ ଅବସ୍ଥାରେ ଦେଖିପାରୁନି ।’

 

ଏଭଳି ପ୍ରତାରଣା ଶୁଣି ଅଜିତ ସିଂହ ମର୍ମାହତ ହୋଇ ଧୀରେ ଧୀରେ ଫେରି ଆସିଲେ-। ସେ ଚାଲିଗଲା ପରେ ରେଜିୟା ନିଜର ପଶ୍ଚାତାପ କରିବାକୁ ଲାଗିଲା–‘ହାୟରେ କପାଳ, ମୋର ସମସ୍ତ ଦର୍ପ ଅଭିଳାଷ, ଓରିମାନା ଗୋଟିଏ ଦମ୍‌ରେ ପାଉଁଶ ହୋଇଗଲା । ରାଜା, ତୁମେ ଜାଣିନାହଁ ମୁଁ ତୁମକୁ କେତେ ଭଲପାଏ !’

 

ଶେଷ

 

ନର୍ମଦାକୂଳରେ ବାହାଦୁର ଶାହାଙ୍କ ଛାଉଣୀ ପଡ଼ିଥିଲା । ଅଜିତ ସିଂହ ଅଶାନ୍ତି ମନରେ ଟହଲୁ ଥିଲେ । ପ୍ରତାରଣାର ଭାବନା ଉଙ୍କିମାରି ତାଙ୍କ ମନରେ ଧକ୍କା ଖାଉଥିଲା । ସ୍ତ୍ରୀ କିଭଳି ପଦାର୍ଥ ସେ ବୁଝିପାରୁ ନଥିଲେ । ପ୍ରେମ ଓ ଭାବୁକତାରେ ଡୁବି ଯେତେବେଳେ ସେ କୋମଳତା ସୃଷ୍ଟିକରେ ସେତେବେଳେ ହୃଦୟ ସଂସାରରେ ବସନ୍ତ ୠତୁ ମାଡ଼ିଆସେ, ଭାବନାର ଫୁଲ ହସିଉଠେ, ଇଚ୍ଛାମାନଙ୍କର ଶାଖା–ପ୍ରଶାଖା ରଙ୍ଗବେରଙ୍ଗ ନବପଲ୍ଲବ ଗୁଚ୍ଛରେ ଲଦିହୋଇ ଝୁଲିବାରେ ଲାଗେ । ଉଲ୍ଲାସରୂପୀ ସୁବାସିତ ସମୀର–ହିଲ୍ଲୋଳ ପୁରୁଷତ୍ୱ ଦୈନ୍ୟକୁ ନିଜର ମୃଦୁଳ ଆଘାତଦ୍ୱାରା ନଷ୍ଟ କରିଦେଇ ନାରୀତ୍ୱର ଚରଣତଳେ ଉତ୍ସର୍ଗ ହୋଇଯାଏ । କିନ୍ତୁ ଜିଦ୍‌ଧରି ବସିଲାବେଳେ ବଜ୍ର ସମାନ ଅଚଳ ଓ କଠୋର ହୋଇଯାଏ । ସେହି ସମୟରେ ସମୁଦ୍ର ଜୁଆର ପାହାଡ଼ ପ୍ରଦେଶରେ ଧକ୍କାଖାଇ ବିଫଳ ମନୋରଥରେ ଫେରିଆସିଲା ଭଳି ପୌରୁଷ ଫେରିଆସେ-। ଏ ହୃଦୟରେ ଜୁଆର ଆସିଛି । କିନ୍ତୁ ସବୁ ବୃଥା । ବାଃରେ ରାଜ୍ୟ ! ମୋର କୂଳ ମର୍ଯ୍ୟାଦା ତୁ ମୋ ସଙ୍ଗେ ଜଡ଼ି ଯାଇଛୁ, ତୁ ମୋତେ ମୃତରେ ପରିଣତ କଲୁ । ଅବୋଧ ଯୁବକ ଥିଲାବେଳେ ମୁଁ ରାଜକୁମାର ନଥିଲି, ସେ ଶାହାଜାଦୀ ନଥିଲା । ଆଜି ସବୁ ସ୍ୱପ୍ନ ପ୍ରାୟ । ସେଦିନ ପିତାଙ୍କ ତରବାରିକୁ ବକ୍ଷ ପ୍ରଦେଶରେ ଜଡ଼ାଇଧରି କର୍ତ୍ତବ୍ୟପାଇଁ ତାକୁ ମୁଁ ତ୍ୟାଗ କରିଥିଲି, ଆଜି ସେ ମୋତେ କର୍ତ୍ତବ୍ୟର ପ୍ରେରଣାରେ ନିଜ ପାଖରୁ ଧିକ୍‌କାର କରି ଦୂର କରିଦେଲା । ଆହାରେ ଭାଗ୍ୟ-ଚକ୍ର ।’

 

ମହାରାଜ ଜୟସିଂହ ଆସି କହିଲେ–‘ଏ ଘଡ଼ିସନ୍ଧିବେଳେ ଆପଣ କି ଚିନ୍ତାରେ ଚିନ୍ତିତ ? ଆମେ ଫେରିଯିବାର ବେଳ କ’ଣ ଆସିନାହିଁ ?’

 

ଅଜିତ ସିଂହ କହିଲେ–‘ରାଜପୁତ ସବାରୀଗୁଡ଼ିକ କ’ଣ ପାରହୋଇ ଗଲାଣି ?’

 

‘ଆଜ୍ଞା ହଁ, ଆପଣ ସେପାରିର ମଶାଲରେ ଝୁଲିହୋଇ ଯାଉଥିବା ହାତୀଙ୍କର ସୁନାକଳସ ଦେଖୁନାହାନ୍ତି ।’

 

‘ମୋତେ ଥରେ ସେପାରିକୁ ଯିବାକୁ ହେବ ।’

 

‘କାହିଁକି ? ବର୍ତ୍ତମାନ ବାଦଶାହା ସଙ୍ଗେ ଦେଖାହୋଇ ପାରିବିନି ।’

 

‘ନାଇଁ ମୁଁ କେବଳ ରେଜିୟା ସଙ୍ଗେ ସାକ୍ଷାତ କରିବାକୁ ଚାହେଁ ।’

 

‘ଆପଣ ଥରେ ସାକ୍ଷାତ କରିସାରିଛନ୍ତି । ପୁଣିଥରେ......’

 

‘ଯୋଧପୁର ଫେରିଯିବା ପୂର୍ବରୁ ଆଉଥରେ ଦେଖା କରିବାକୁ ଚାହେଁ । ଏହାପରେ ଶତ୍ରୁ ହସ୍ତରୁ ଯୋଧପୁର ଉଦ୍ଧାର କରିବା ।’

 

‘ମୁଁ ସଦାବେଳେ ମାନିଆସିଛି ‘ବୀର ଭୋଗ୍ୟା ବସୁନ୍ଧରା’ ତରବାରି ବଳରେ ଆମେ ଏହା କରିପାରିବା ।’

 

‘ମୋର ରାଜନୀତି ଚକ୍ର ଆପେଆପେ ବୁଲିଯାଉଛି । ବର୍ତ୍ତମାନ ମୋ ସମକ୍ଷରେ କେହି ତିଷ୍ଠି ପାରିବେନି ।’

 

‘ମହାରାଜ, ଆପଣ ଏକାକୀ ସେପାରିକୁ ଯିବା ଉଚିତ ହେବନି ।’

 

‘କ୍ଷମା କରନ୍ତୁ ମୋର ଯିବା ନିତାନ୍ତ ଜରୁରୀ, ଆପଣ ଯାଆନ୍ତୁ ।’

 

‘ଆଚ୍ଛା’ କହି ମହାରାଜ ଜୟସିଂହ ସେଠାରୁ ବିଦାୟ ନେଲେ । ଝଡ଼ଭଳି ରେଜିୟା ଆସି ପହଞ୍ଚି କହିଲେ–‘ମୋ ପରି ଅକିଞ୍ଚନ ପଦାର୍ଥପାଇଁ ଏତେ କଷ୍ଟ କାହିଁକି କରିବ ରାଜା ?’

 

ରେଜିୟାକୁ ଦେଖି ପ୍ରସନ୍ନ ବଦନରେ ଅଜିତ ସିଂହ କହିଲେ–‘ତୁମେ କି ସାହସ କଲ ରେଜିୟା ?’

 

‘ଅନାଥ, ପିତୃମାତୃହୀନ ସାହସ ବଳରେହିଁ ଜିଇଁରହେ ।’

 

‘ମୁଁ ତୁମକୁ ପୁଣିଥରେ ଦେଖା କରିବାକୁ ବାହାରିଥିଲି ।’

 

‘ଯୋଧପୁର ଯିବା ପୂର୍ବରୁ ? ନୁହେଁ ?’

 

‘ତୁମକୁ କିଏ କହିଲା । ମୁଁ ଯୋଧପୁର ଫେରିଯାଉଛି ?’

 

‘ମୋର ହୃଦୟ । ଯୋଧପୁରକୁ ତୁମର ଆବଶ୍ୟକତା ଅଛି । ଯାଅ ରାଜା ।’

 

‘ଆଉ ତୁମେ ରେଜିୟା ?’

 

‘ମୋର କ’ଣ ? ଭାଗ୍ୟ ଯୁଆଡ଼େ ନେଇଯିବ ସେଇଆଡ଼େ ଯିବି । ଶାହାଜାଦୀ ହୋଇ ଜନ୍ମ ନେଇଥିବାରୁ ଦଣ୍ଡ ତ କିଛିନା କିଛି ମିଳିବା ଉଚିତ ।’

 

‘ରେଜିୟା ମୋତେ ଏଭଳି ବୋଧ ହେଉଛି ସତେ ଯେପରି ଜୀବନ ସନ୍ଧ୍ୟା ମୋର ପାଖେଇ ଗଲା । ଚେତନା ଡାଳରୁ ଫୁଲ ଝଡ଼ିଯିବାକୁ ଚାହୁଁଛି । ହଳାହଳ ପ୍ରଭାବ ଆତ୍ମାକୁ ଘାରିଦେଲାଣି । ଜଣାପଡ଼ୁଛି ଯେମିତି ମୁଁ ଦୁନିଆ ଛାଡ଼ି ଚାଲିଯାଉଛି । ସେଥିପାଇଁ ତୁମକୁ ଥରେ ଦେଖି ନେବାକୁ ଇଚ୍ଛାହେଲା ।’

 

‘ରାଜା ତୁମେ ଏଭଳି ବୀର ? ଗୋଟାଏ ସ୍ତ୍ରୀପାଇଁ ମାରୱାଡ଼୍‌କୁ ଭୁଲିଯିବ । ବାପା ଦାଦାଙ୍କ ମାନସମ୍ମାନ ଭୁଲିଯିବ ? ସାହସ ହରାଅନି ରାଜା ।’

 

‘ରେଜିୟା !’

 

ଯାଅ ରାଜା, ନିଜର କର୍ତ୍ତବ୍ୟ ସାଧନ କର । ନୋହିଲେ ମୁଁ ତୁମକୁ ଘୃଣା କରିବାରେ ଲାଗିବି, ଆଉ ଏହାକଲେ ମୁଁ ବଞ୍ଚି ରହିପାରିବିନି । ଏହା କହି ସେ ଦର୍ପ ମୂର୍ତ୍ତିରେ ସେଠାରୁ ତୀବ୍ର ଗତିରେ ଅନ୍ତର ହୋଇଗଲେ ।

Image